Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କି ଭୁଲ କଲା ସେ ?
କି ଭୁଲ କଲା ସେ ?
★★★★★

© Bikesh Sahu

Drama Inspirational Others

4 Minutes   6.9K    22


Content Ranking

ଅନ୍ଧାରୁଆ ନିବୁଜ୍ ସେଇ ଜେଲ୍ କୋଠରି ଭିତରର ଘନ ଅନ୍ଧକାର ଭିତରେ କ୍ଷୁଦ୍ର ଏକ ଝରକା ଦେଇ ଦୁଇ ଧାର ଆଲୋକ ରଶ୍ମିର ଝାପସା ଆଲୋକରେ ଅସ୍ପଷ୍ଟ ଅନ୍ଧାରୁଆ କୋଣରେ ମଥା ପୋତି ଭାଗ୍ୟକୁ ଆଦରି ବସି ରହିଥାଏ ସ୍ମିତା ।ହଠାତ ସେଇ ଲୁହା ଗେଟଟା ଖୋଲି ଜଣେ ମହିଳା ପୋଲିସକର୍ମୀ ଖାଇବା ଥାଳି ଧରି ଭିତରକୁ ପଶି ଆସିଲେ ।ଖାଇବା ଥାଲିଟାକୁ ସ୍ମିତା ପାଖରେ ରଖିଦେଇ ଚୁପଚାପ ଖାଇ ଦେବାକୁ ଧମକ ଦେଇ ଚାଲିଯାଇଛି ।ଆଜିକୁ ଦଶ ଦିନ ହେବ ଭଲରେ ଖିଆ ପିଆ ବି କରିନି ସ୍ମିତା ।ଅନେକ ଥର ତାକୁ ପୋଲିସ୍ ବାବୁ ଜେରା କଲେଣି ହେଲେ କେବେ ବି ତା ପାଟି ଫିଟେନି ।ଖାଲି ଗୋଟିଏ କଥା ସବୁବେଳେ କହିଆସୁଛି "ମୁଁ ନିର୍ଦ୍ଦୋଷ ..ମୁଁ ନିର୍ଦ୍ଦୋଷ.... ମୁଁ କିଛି ଭୁଲ କରିନି....."ଏଇ ଗୋଟିଏ ପଦ କଥା ଛଡା ଆଉ କିଛି ବି ସେ କହେନି ।ଏପରିକି ସେଇ ଭଦ୍ର ମହିଳା ମଧ୍ୟ ଅନେକ ଥର ତାଙ୍କୁ ଏ ବିଷୟରେ ପଚାରିଛନ୍ତି ହେଲେ କେବେ ବି କିଛି କହିନି ।ସବୁ ଦିନ ପରି ସେଇ ଅନ୍ଧାରୁଆ କୋଣରେ ମଥା ପୋତି ଅପେକ୍ଷା କରି ରହିଥାଏ ସେଇ ନ୍ୟାୟଳୟର ଅନ୍ତିମ ନ୍ୟାୟକୁ ।

ଏମିତି କିଛି ଦିନ ବିତିଯାଇଛି ଆସନ୍ତା ମଙ୍ଗଳବାର ନ୍ୟାୟାଳୟ ତାର ଶେଷ ନିଷ୍ପତ୍ତି ଶୁଣେଇବ ହେଲେ ସ୍ମିତା ମୁହଁରେ ନ ଥାଏ ଭୟର ଆଭାସ ।ତାର କ୍ଷୁଦ୍ର ମାନସିକତା ଭିତରେ ସେ ଭାବିନେଇ ଥିଲା ସେ ଯାହା କରିଛି ଠିକ କରିଛି ।କେତେବା ଆଉ ସହିଥାନ୍ତା । ସେମିତି ଜୀବନ ଜୀଇବା ଅପେକ୍ଷା ସେଇ ରକ୍ଷସଟାର ରକ୍ତ ପିଇ ଶୁଲିରେ ଚଢିବାକୁ ସେ ଶ୍ରେୟ ମଣିନେଇଛି । ଚିନ୍ତା ଅଛି ତ ଖାଲି ତା ପୁଅ ଟିଙ୍କୁର ।ଭଲରେ ଦୁନିଆ ବି ଦେଖିନି ସେ ।ଏଡେବଡ଼ ଦୁନିଆରେ ତାର ଆଉ ଅଛି ବା କିଏ ଯେ ସେ ତାର ସାହାରା ସାଜିବ ।ତଥାପି ଭଗବାନଙ୍କ ଉପରେ ତାର ଗଭୀର ବିଶ୍ୱାସ ।ତାର କିଛି ଅସୁବିଧା ହେବାକୁ ସେ ଦେବେ ନାହିଁ । ଏମିତି ଅନେକ କିଛି ଭାବୁଥାଏ ସେ ।ତା'ରି ସାଙ୍ଗକୁ ମନେ ପଡ଼ିଯାଏ ତାର ସେଇ ଅତୀତ ଘଟଣା ସବୁ ।କେତେ ସ୍ୱପ୍ନ ଦେଖିଥିଲା ସେ । ଆଜି ଯେମିତି ତାର ସେଇ ସବୁ ସ୍ୱପ୍ନରେ ଗ୍ରହଣ ଲାଗିଯାଇଛି ।ସବୁ ସ୍ୱପ୍ନ ତା’ର ଚୁରମାର୍ ହୋଇ ଯାଇଛି ଆଜି ।ବାପା ମାଆଙ୍କ ସମ୍ମାନ ପାଇଁ ସେ ବଳି ପକେଇ ଦେଇଥିଲା ନିଜ ପ୍ରେମକୁ ଆଉ ପ୍ରଶାନ୍ତର ହାତ ଧରିଥିଲା ।ହେଲେ ସେ କ’ଣ ଜାଣିଥିଲା ସେଇ ମଣିଷ ଚେହେରା ଭିତରେ ଲୁଚି ରହିଛି ହିଂସ୍ର ନର ରାକ୍ଷସଟିଏ ।ତଥାପି ଅନେକ ଚେଷ୍ଟା କରିଛି ତାକୁ ସୁଧାରିବା ପାଇଁ ହେଲେ କିଛି ଲାଭ ମିଳିନି ।ବାହାଘର ପର ଠାରୁ କାମଧନ୍ଦା ତ ଦୂର କଥା ଉଲଟା ବିକ୍ରି କରିଛି ଯୌତୁକରେ ମିଳିଥିବା ସାମାନ ସବୁକୁ ଆଉ ପ୍ରତିଦିନ ଜୁଆ ଓ ମଦରେ ଉଡେଇ ଦେଇଛି ସବୁ ଟଙ୍କା ।ତଥାପି କିଛି କହିନି ସ୍ମିତା ।କହିଲେ ବା କଣ ମିଳିବ ,ମିଳିବ ତ କେବନ ଚମଡା ବେଲଡ଼ର ମାଡ଼ ।ଶେଷରେ ଘର ଖର୍ଚ୍ଚ ପାଇଁ ପଡୋଶୀ ଘର ରେ କାମ କରିଛି ,ମୂଳ ଲାଗିଛି ।ଏମିତିରେ ପ୍ରାୟ ତିନିବର୍ଷ ବିତିଯାଇଛି ।ଆଉ ସେଇ ତିନି ବର୍ଷ ଭିତରେ ସ୍ମିତା ମୁଣ୍ଡରେ ଆଉ ଗୋଟିଏ ବୋଝ ।ଆଉ ସେ ହେଉଛି ରିଙ୍କୁ ।ପୁଅଟାକୁ କେମିତି ମଣିଷ କରିବ ସେଇ ଚିନ୍ତାରେ ସେ କିଛି କିଛି ପଇସା ସଂଗ୍ରହ କରିବାରେ ଲାଗିପଡିଲା ।ତା ପୁଣି ପ୍ରଶାନ୍ତର ଅଜାଣତରେ ।

ସେମିତି ଗୋଟେ ଦିନର କଥା ରାତ୍ରି ୧୧ଟା ହୋଇ ସାରିଥାଏ ।ଏ ଯାଏ ଆସିନଥାଏ ପ୍ରଶାନ୍ତ ।ଘରର ପ୍ରବେଶ ଦ୍ୱାର ପାଖରେ ସ୍ମିତା ଚାହିଁ ରହିଥାଏ ତା ଆସିବା ବେଳକୁ ।ସବୁ ଦିନ ଅପେକ୍ଷା ସ୍ମିତା ଆଜି ସମ୍ପୂର୍ଣ୍ଣ ଭାବରେ ରାଗିଯାଇଥାଏ ।ଏତିକି ବେଳେ ପ୍ରଶାନ୍ତ ଆସିଛି ।ତା ପାଦ ଦୁଇଟି ବି ସେ ଭଲରେ ଥାପି ପାରୁନ ଥାଏ । ସମୂର୍ଣ୍ଣ ମାତାଲ ହେଇ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା ।ମୁହଁ ଲାଲ ଦେଖାଯାଉଥିଲା ।"କୋଉଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନା ଆଉ କିଛି ? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ ? " ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ ।ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, "ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ ।"

ସ୍ମିତା ଆବାକ ହେଇ ଚାହିଁ ରହିଥିଲା ।କି ଅଦ୍ଭୁତ ମଣିଷ ଇୟେ ?ଏତେ ବିରକ୍ତ ହୋଇ ଗାଲି କରିଲେବି କିଛି ଫରକ ପଡୁନି ? ନା,ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ ।ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ ।ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା । ଏତିକି ବେଳେ ପ୍ରଶାନ୍ତ ରାଗି ଯାଇ ସ୍ମିତାକୁ ବହୁତ ମାଡ଼ ମାରିଲା ତା ସହ ତାକୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛି ।ତା ସହ ରିଙ୍କୁକୁ ମଧ୍ୟ ମାରିଦେବ ବୋଲି ସେ ରୋକଠୋକ କରି କହିଛି ।ଏଇ ସବୁ ଶୁଣି ସାରିଲା ପରେ ସ୍ମିତା ନିଜର ଶେଷ ନିଷ୍ପତି ନେଇଛି ।ସେ ଆଜି ଯାହା ହେଲେ ବି ଏଇ ସବୁର ଅନ୍ତ କରିବ ।ଆଉ ସେଇଥି ପାଇଁ ପ୍ରଶାନ୍ତକୁ ଅନେକ ନେହୁରା ମଧ୍ୟ ହେଇଛି ତାକୁ ଛାଡି ଦେବାକୁ ।ହେଲେ ସେଇ ରାକ୍ଷସଟା ତା ପଦେ କଥା ମଧ୍ୟ ଶୁଣିଲାନି ।ଶେଷରେ ଖାଇବା ଆଣିବାକୁ କହି ସେଇଠି ସେମିତି ବସି ପଡିଲା ।ସ୍ମିତା ରୋଷେଇ ଘରକୁ ଆସି ଅନେକ କିଛି ଭାବି ବସିଲା । ନିଜ ଭାଗ୍ୟକୁ ଅନେକ ଥର ନିନ୍ଦିଛି ।ସତେ କି ତା’ ମାତୃ ହୃଦୟ ଆଜି ତାକୁ ତାଚ୍ଛଲ୍ୟ କରୁଛି ।ଜଣେ ରାକ୍ଷସର ଟୋପେ ସିନ୍ଦୂର ଆଉ ଦି'ପଟ ଶଙ୍ଖା ପାଇଁ ନିଜ ଜନ୍ମ କଲା ପୁଅର ବଳି ଚଢେଇ ଦେବ ।ନା ,ସେ ବଞ୍ଚି ଥିବା ଯାଏ ଏହା କେବେ ବି ହେବାକୁ ଦେବନି । ଶେଷରେ ନିଜ ହାତରେ ନିଜ ସିନ୍ଦୂର ଓ ଶଙ୍ଖାକୁ ବଳି ଦେବାକୁ ସ୍ଥିର କରିନେଇଛି । ଯେଉଁ ହାତ ଧରି ବାହାହୋଇ ଜନ୍ମ ଜନ୍ମାନ୍ତରର ସାଥି ହେବାକୁ ଅଗ୍ନିକୁ ସାକ୍ଷୀ ରଖିଥିଲା ସେଇ ହାତରେ ଖାଇବାରେ ବିଷ ମିଶେଇ ଦେଇଛି ।ଆଉ ସାଜି ଯାଇଛି ବିଧବା ।ଆଉ ସେଇ ଦିନଠୁ ଆଜି ଯାଏ ସେ ଅନେକ ଥର ନିଜକୁ ପ୍ରଶ୍ନ କରିଛି "ମୁଁ କି ଭୁଲ କରିଛି ? "।

ଶେଷରେ ଆସିଲା ସେଇ ଅନ୍ତିମ ଦିନ ।ଆଜି ନ୍ୟାୟାଳୟରେ ସ୍ମିତାକୁ ଦେବାକୁ ହେବ ଅନ୍ତିମ ଅଗ୍ନି ପରୀକ୍ଷା ।ନ୍ୟାୟାଳୟରେ ଆଜି ଅନେକ ଭିଡ଼ ଜମିଛି ।ସମସ୍ତଙ୍କ ମନରେ ଉତ୍କଣ୍ଠା ସେଇ ନ୍ୟାୟାଧୀଶଙ୍କ ନ୍ୟାୟର ।ଆଜି କିନ୍ତୁ ସ୍ମିତା ନିଜ ହୃଦୟର ସବୁତକ ଅକୁହା ବ୍ୟଥାକୁ ଗୋଟି ଗୋଟି କରି କହି ଚାଲିଲା ।ସମସ୍ତଙ୍କ ଆଖିରେ ଖେଳି ଗଲା ଦୁଃଖର କରାଳ ଛାୟା ।କିନ୍ତୁ କ’ଣ ଆଉ କରନ୍ତେ ନ୍ୟାୟାଧୀଶ ସେ ତ ନିୟମରେ ବନ୍ଧା ।କିଛି ସମୟ ସମ୍ପୂର୍ଣ ନିସ୍ତବ୍ଧ ହୋଇଗଲା ସେଇ ନ୍ୟାୟାଳୟ ।ଆଉ ଶେଷରେ ମିଳିଲା ସ୍ମିତାକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେବା ସହ ଟିଙ୍କୁକୁ ରାଜଧାନୀର ନାମିଦାମୀ ସରକାରୀ ଅନାଥାଶ୍ରମରେ ରଖି ତାର ସବୁ ପ୍ରକାର ଖର୍ଚ୍ଚ ଆଉ ଉପଯୁକ୍ତ ଶିକ୍ଷାର ବ୍ୟବସ୍ଥା ପାଇଁ ସରକାରଙ୍କୁ ସୁପାରିସ କଲେ ।ଆଉ ସେତେବେଳେ ସ୍ମିତା ମୁହଁରେ ନ ଥିଲା ବିଷାଦର ଛାୟା ବରଂ ଥିଲା ଗୋଟେ ସ୍ମିତହସ ।କାହିଁକିନା ସେ ନିଜ ମା'ର ପ୍ରକୃତ ଦାୟିତ୍ୱ ଆଜି ତୁଲେଇ ପାରିଛି ।

ଆଉ ସେତେବେଳେ ସବୁ ଲୋକଙ୍କ ମୁହଁରେ ସେଇ ଗୋଟିଏ କଥା" କି ଭୁଲ କଲା ସେ ?" ।

@BIKESH

ଅନ୍ଧାରୁଆ କୋଠରୀ ଝରକା

Rate the content


Originality
Flow
Language
Cover design

Comments

Post

Some text some message..