Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସହାୟ ଅବସ୍ଥା
ଅସହାୟ ଅବସ୍ଥା
★★★★★

© Prasanta kumar Hota

Others

10 Minutes   7.5K    18


Content Ranking

ଚନ୍ଦ୍ରରେ କଳଙ୍କ ଲାଗିବା ଠିକ୍ ହେଇପାରେ। ସମସ୍ତଙ୍କର ଭୁଲ ହେବା ଟା ସ୍ଵାଭାବିକ ହେଇପାରେ। କିନ୍ତୁ ଗାୟତ୍ରୀ ଦେବୀ ଯାହା କରନ୍ତି ଠିକ୍ କରନ୍ତି ଯାହା କହନ୍ତି ଠିକ୍ ହିଁ କହନ୍ତି। ଭୁଲ ତାଙ୍କର କେବେବି ହେଇ ନପାରେ। ଏକଥାରେ ସେ ପ୍ରାୟ ଏକତରଫା। କାହାର ମତାମତ ଲୋଡନ୍ତି ନାହିଁ। ତାଙ୍କ ଭୁଲ୍ ଧରିବା ପାଇଁ ଘରେ କାହାର ସାହସ ବି ନାହିଁ।ପୁଅ ରବି, ଝିଅ କୁନି ଓ ସ୍ଵାମୀ ନରେନ୍ଦ୍ର ବାବୁ ସମସ୍ତେ ପ୍ରାୟ ତାଙ୍କ କଥାରେ ସ୍ଵର ମିଳାନ୍ତି । ଚପଳତାରେ ଯଦି ପୁଅ ଝିଅ କେବେ ଭୁଲ୍ ଧରିଦେଲେ ସାଙ୍ଗେ ସାଙ୍ଗେ କଡା ଉତ୍ତର ଚାଲି ଆସେ - ମହାଜ୍ଞାନୀ ପିଲାଟାତ ବୋପା ମାଆଙ୍କୁ ଉତ୍ତର ଦେବା ପାଇଁ ଚାଲି ଆସିଲା। ଯା, କେମିତି କଥା ହୁଅନ୍ତି ଆଗ ଶିଖ, ତାପରେ ଉତ୍ତର ଦେବ। ଯାହା ତ ପାଠ ପଢି ଅର୍ଜୁଛ ଆସିଗଲେ ପଣ୍ଡିତ ପଣ ଦେଖାଇବା ପାଇଁ।

ବାସ୍ କଥା ଏତିକିରେ ଶେଷ। ଆଉ କେହି ଉଁ ଚୁଁ କରନ୍ତି ନାହିଁ। ତାପରେ ଯିଏ ଯାହା ବାଟରେ।

ଗାୟତ୍ରୀ ଦେବୀ ଦୀର୍ଘ ଶ୍ଵାସ ଟିଏ ଛାଡି କହନ୍ତି -ଆରେ ପିଲାଗୁଡାଙ୍କୁ କିଛି ନକହିଲେ ବେଶୀ ମୁହଁ ବଢି ଯାଉଛି। ସ୍ଵାମୀ ନରେନ୍ଦ୍ର ବାବୁ କିଛି କହନ୍ତି ନାହିଁ। ତାଙ୍କ ନୀରବତାରୁ ସେ ସମର୍ଥନ କରୁଛନ୍ତି କି ବିରୋଧ କରୁଛନ୍ତି କିଛି ବୁଝା ପଡେନାହିଁ। ଯଦି କେହି ଘରକୁ ଆସିଥିବା ବ୍ୟକ୍ତି ଏ ବିଷୟରେ ପ୍ରଶ୍ନ ଉଠାନ୍ତି ସେ କହନ୍ତି - ହଁ ମୁ କହିଲି ଯେ। ଯୋଉଟା ଭୂଲ୍ ସେଇଟା ଭୂଲ୍। ଭୂଲ୍ କଣ କେବେ ଠିକ୍ ହେଇପାରେ। ପଚାରିଥିବା ବ୍ୟକ୍ତି ଉତ୍ତରରେ କୌଣସି ନିର୍ଯ୍ୟାସ ପାଇ ପାରନ୍ତି ନାହିଁ ଓ ଚୁପ ରହିବାକୁ ପସନ୍ଦ କରନ୍ତି । ଏମିତି ଦିନ ତା ବାଟରେ ଗଡିଚାଲେ।

ପ୍ରତ୍ୟେକ ନିଜ ନିଜ ଅସହାୟତା ଜାଣି ମଧ୍ୟ ଅଜଣା ହୋଇ ରହି ଯାଆନ୍ତି। ଯେଉଁଥିରେ ଜାଣିବାର ପ୍ରଦର୍ଶନ କରିବା ଅପେକ୍ଷା ଅଜଣା ରହିବା ବେଶୀ ହିତକର ମନେହୁଏ ସେଥିରେ ନୀରବତା ଅବଲମ୍ବନ କରିବାଟା ହିଁ ଠିକ୍। ଏପରି ଆତ୍ମସନ୍ତୋଷର ବିଚିତ୍ର ଆନନ୍ଦ ସମସ୍ତଙ୍କୁ ଆଛାଦନ କରି ରଖେ। ନିଜ ନିରାପତ୍ତା ନିଜ ପାଇଁ ଅଗ୍ରାଧିକାର ଆଣେ। ଆତ୍ମ ନିରାପତ୍ତା ଯେତେବେଳେ ନିଶ୍ଚିତ ହେଇଯାଏ ଅନ୍ୟକୁ ଅଗ୍ରସର କରିବାର ଇଚ୍ଛା ମଧ୍ୟ ବଢିଯାଏ ସେତେବେଳେ ସେହି ଇଛା ନିଜର ପ୍ରାଧାନ୍ୟ ରଖିବା ପାଇଁ ବଳବତ୍ତର ହୋଇ ଉଠେ ଏବଂ କ୍ରମଶଃ ଅହଂ ଭାବରେ ପରିଣତ ହୋଇଯାଏ। ଗାୟତ୍ରୀ ଏ ପ୍ରକାର ମାନସିକତାରୁ ବ୍ୟତିକ୍ରମ ହେଇ ପାରିଲେ ନାହିଁ। ଅର୍ଥାତ୍ ତାଙ୍କ ନିରାପତ୍ତା ଯେହେତୁ ଘରେ ଅଧିକ ସେ କାହାରି ବି ଭୁଲ୍ ଦେଖିଲେ ତୁରନ୍ତ କହିବା ଆରମ୍ଭ କରି ଦିଅନ୍ତି। ଭୂଲ୍ ର ମାତ୍ରା ଉପରେ ତାଙ୍କର ନଜର ନଥାଏ। ଅନ୍ୟ କୁ କହିବା ପାଇଁ, ନିଜ ବଡପଣ ସାବ୍ୟସ୍ତ କରିବା ପାଇଁ କିଛି ବାହାନା ଦରକାର। ଯେତେ କହୁଥାନ୍ତି ତାଙ୍କୁ ସେତେ ଅସହାୟ ବି ଲାଗୁଥାଏ। କାରଣ ତାଙ୍କ କଥା କୁ କେହି ଏତେ ଗୁରୁତ୍ବ ବି ଦିଅନ୍ତି ନାହିଁ। ଯେଉଁ ଜିନିଷ ବାରମ୍ବାର ଘଟେ ସେ ତାର ଗୁରୁତ୍ବ ହରାଇବା ବି ସ୍ଵାଭାବିକ।

ସମାନ ଧରଣର ଭୁଲ୍ ଯଦି ଗାୟତ୍ରୀ ନିଜେ କରନ୍ତି ଅନ୍ୟମାନେ କେବଳ ଅସହାୟ ହୋଇ ଦେଖନ୍ତି। କହିବାର ସାହସ କରି ଯୁକ୍ତି କୁ ସମ୍ମୁଖୀନ ହେବା ପାଇଁ କେହି ଇଛା କରନ୍ତି ନାହିଁ। ଘର ଭିତରେ ଯେମିତି ସଦାବେଳେ ଏକ ଅନୁଚ୍ଚାରିତ ଶୀତଳ ଯୁଦ୍ଧ ଲାଗି ରହିଥାଏ।

ଇତିମଧ୍ୟରେ ପୁଅ ଚାକିରୀ କରିଗଲାରୁ ନିଜକୁ ସ୍ଵତଃ ସ୍ବାଧୀନ ମନେକଲା। ଅନ୍ୟ କାହାର ଆଦେଶ ଉପଦେଶ ତାକୁ ଆଉ ଭଲ ଲାଗିଲା ନାହିଁ। ଚାକିରିଆ ପୁଅକୁ କେହି କିଛି କହିଲେବି ନାହିଁ। ତାର ସ୍ଵେଛାଚାରିତା ଯେତିକି ବଢିଲା ଅନ୍ୟ ମାନଙ୍କ ଅସହାୟତା ମଧ୍ୟ ସେତିକି ଆରମ୍ଭ ହେଲା। ଯେଉଁ ଜିନିଷର ଆରମ୍ଭ ଶୃଙ୍ଖଳାରୁ ସୃଷ୍ଟି ହେଇ ନାହିଁ ସେଥିରେ ଏବେ ଅଙ୍କୁଶ ଆଉ କିଏ ଲଗେଇବ।

ଝିଅ ବାହାହେଲା ପରେ ତାର ମଧ୍ୟ ସ୍ଵାତନ୍ତ୍ର୍ୟ ଆସିଗଲା। ସେ ମଧ୍ୟ ନିଜକୁ ସ୍ଵାଧୀନ ଓ ନିରାପତ୍ତା ପାଇଲା ପରି ମନେକଲା। ଗୋଟିଏ ଝିଅକୁ ଆର୍ଥିକ ସ୍ଵଛଳତା ଓ ଶିଷ୍ଟ ଭାବଯୁକ୍ତ ସ୍ଵାମୀ ମିଳିଗଲେ ଆଉ କାହାକୁ ନିର୍ଭର ବା ଭୟ କରିବା କଣ ଦରକାର। ସେ ବି ନିଜ ସାମ୍ରାଜ୍ୟର ସାମ୍ରାଜ୍ଞୀ।

ଯେତେବେଳେ ଗୋଟିଏ ପରିବାରରେ ପରସ୍ପରର ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ସମ୍ମାନ ଆଦି କୌଣସି ଚାପରୁ ଭୟରୁ ବା ଅନ୍ୟ କିଛି ମାନସିକତାରୁ ସୃଷ୍ଟି ହୋଇଥାଏ ସେତେବେଳେ ସେଗୁଡିକ ହଟିଯିବା ମାତ୍ରେ ହିଁ ବ୍ୟକ୍ତି ତାର ନିଜସ୍ବ ଭାବ ବା ଇନ୍ଦ୍ରିୟାବଶ ଆଚରଣରେ ପରିଚାଳିତ ହୁଏ ଯାହାକୁ କେବଳ ନିଜର ସଂସ୍କାର ଓ ନୈତିକତା ହିଁ ଲଗାମ ଦେଇଥାଏ। ଯାହାର ସେ ଲଗାମ ନାହିଁ ତାର ଅବସ୍ଥା କୌଣସି ସ୍ଵେଛାଚାରି ଠାରୁ କମ୍ ନୁହେଁ। ଅର୍ଥାତ୍ ଅସହାୟ ନହୋଇ ମଧ୍ୟ ଅସହାୟ । ବିଶ୍ଵାସ ଭଲପାଇବା ଆଗ୍ରହ ଯେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରେ ସେଠାରେ ସମ୍ପର୍କର ମୂଲ୍ୟ ଅସହାୟ ବୋଧ ହୁଏ।

ଗାୟତ୍ରୀ ଦେବୀ ଯେମିତି ନିଜ ଇଛା ଅନିଛାକୁ ପ୍ରୟୋଗ କରୁଥିଲେ ସେମିତି ପୁଅ ଝିଅ ମଧ୍ୟ ନିଜ ଇଛା ଅନିଛାରେ କାର୍ଯ୍ୟ ଆରମ୍ଭ କରି ଦେଲେ। ନିଜ ଚାଲି ଚଳନ ନିଜ ଘରୁ ହିଁ ତ ସୃଷ୍ଟି ହୁଏ। ବିଚରା ନରେନ୍ଦ୍ର ବାବୁ ଯାହା ଘାଣ୍ଟି ଚକଟି ହେଉଥାନ୍ତି। କିନ୍ତୁ ଘାଣ୍ଟି ଚକଟି ନହେବାର ସୁନ୍ଦର ଅଭିନୟ ବି କରୁଥାନ୍ତି। ସତେ ଯେମିତି ସବୁ କିଛି ଠିକ୍ ଠିକ୍ ଚାଲିଛି। ଏହି ଲୁକ୍କାୟିତ ଅସହାୟତା କେବଳ ଘନିଷ୍ଠ ଲୋକ ହିଁ ବୁଝି ପାରୁଥିଲେ। ଏକମାତ୍ର ଜ୍ବାଇଁ ଏସବୁର ମୁକସାକ୍ଷୀ। କାରଣ ସେ ଘରକୁ ଅନେକ ସମୟରେ ଗଲେ ମଧ୍ୟ ନା କାହାଠୁ ଆଦର ପାଆନ୍ତି ନା କେହି ସମ୍ମାନ କରନ୍ତି। ଏସବୁ ନକରି ମଧ୍ୟ ସମସ୍ତେ ନିଜ ନିଜ ହିସାବରେ ନିଜକୁ ଠିକ୍ ବୋଲି ମନେକରନ୍ତି ଓ ସଠିକ୍ ଦାୟୀତ୍ୱ ତୁଲାଇ ପାରିବାର ଆନନ୍ଦ ବି ନିଅନ୍ତି। ଜ୍ୱାଇଁ ଘରକୁ ଗଲେ ଚୁପ୍ ଚାପ୍ ପରିବାରର ତାମସା ଦେଖନ୍ତି ଓ ଔପଚାରିକ ସରିଗଲେ ନିଜ ଘରକୁ ଫେରି ଆସନ୍ତି। ଚଳଣିର ଅଭିନୟରେ ସମ୍ମାନ ଦେବାନେବାର ଯେଉଁ ବଳୟ ସୃଷ୍ଟି ହୁଏ ତାହାକୁ କେହି ଦେଖି ପାରନ୍ତି ନାହିଁ। ସମ୍ପର୍କ ରେ ଦୂରତା ଧୀରେ ଧୀରେ ବଢି ଆସେ। ସବୁ ଥାଇ ମଧ୍ୟ ଅସହାୟ ମନେ ହୁଏ।

ଯାହାର ଅସହାୟତା ଅନୁଭବ କରି ହୁଏ ତାକୁତ ଅନୁକମ୍ପା ମିଳିଯାଏ। କିନ୍ତୁ ଯାହାର ଅସହାୟତା କେହି ଦେଖି ପାରନ୍ତି ନାହିଁ ତାକୁ ବା କଣ ମିଳିବ। ସେ ସବୁଠାରୁ ବଡ ଅସହାୟ ହୋଇ ଯାଏ।

ନରେନ୍ଦ୍ର ବାବୁ ଏହା ଭିତରେ ଚାକିରିରୁ ଅବସର ନେଇ ଯାଇଥିଲେ। ଡାଏବେଟିସ, ବିପି ଆଣ୍ଠୁ ଗଣ୍ଠି ଆଦି ମଧ୍ୟ ବାହାରି ଯାଇଥାଏ। ଗାୟତ୍ରୀ ଥରେ ଅସୁସ୍ଥ ହୋଇ ପଡ଼ିଲେ ଯେ ଆଉ ଉଠି ପାରିଲେ ନାହିଁ। ସମସ୍ତେ ଦେଖିବାକୁ ଆସନ୍ତି ବସନ୍ତି ଓ ଚାଲି ଯାଆନ୍ତି। ସତେ ଯେମିତି ଉପସ୍ଥାନ ପକାଇବା ପାଇଁ ଆସିଥିଲେ। କେହି ସୌହାର୍ଦ୍ଦ୍ୟ ମୂଳକ କଥା ହୁଅନ୍ତି ନାହିଁ କି ନିଜର ସୁବିଚାର ରଖନ୍ତି ନାହିଁ। ସାନ୍ତ୍ବନା ତ ଦୂରର କଥା ପାଖରେ ବସି ମନ ଖୁସି କଲା ପରି ଦି ପଦ କଥା ବି କେହି ହୁଅନ୍ତି ନାହିଁ। ଆସିବା ଯିବା କିନ୍ତୁ ମଝିରେ ମଝିରେ ଲାଗିଥାଏ। କେହି ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ବି କହୁ ନଥାନ୍ତି। ଦେହ ବେଶି ଖରାପ ହେବାରୁ ନରେନ୍ଦ୍ର ବାବୁ ପଡିଶା ଲୋକ ଡାକି ହସ୍ପିଟାଲ ନେଲେ। ସମସ୍ତେ ସେଠି ମୁହଁ ଦେଖାଇ ପଳାଇ ଆସନ୍ତି। ନରେନ୍ଦ୍ର ବାବୁ ଯେତେ ବ୍ୟତିବ୍ୟସ୍ତ ଓ ଅସହାୟ ଅନୁଭବ କଲେ ବି କାହାକୁ କିଛି କହି ପାରନ୍ତି ନାହିଁ। ଯେତିକି ନିହାତି ଆବଶ୍ୟକ ବାଧ୍ୟ ହୋଇ କହନ୍ତି। ସ୍ଵତଃ ଆଦର କାହାର ଆସେ ନାହିଁ କି ସେବା କରିବାର ଆନ୍ତରିକତା କେହି ଦେଖାନ୍ତି ନାହିଁ। ରୋଗୀର ହୃଦୟକୁ ଯେଉଁ ସନ୍ତୋଷ ମିଳିବା କଥା ଆସିବ କୁଆଡୁ? ତେଣୁ ରୋଗ ବି ବଢିଗଲା। ଉପଚାର କରି ସାରିଲା ପରେ ଡାକ୍ତର ଘରକୁ ପୁରା ବିଶ୍ରାମ କରିବା ପାଇଁ ପଠେଇ ଦେଲେ। ଆଣ୍ଠୁ ଗଣ୍ଠି ଉଠେଇ ହେଉ ନଥାଏ। ସେମିତି ନେଇ ଆସିଲେ। ଘରେ ପୁଅର ସମୟ ନାହିଁ ବୋହୂର ଇଛା ନାହିଁ। ନରେନ୍ଦ୍ର ବାବୁ ନିଜ ବିମାରି ସହିତ ପତ୍ନୀ ଙ୍କ ଯତ୍ନ ନେଉ ନେଉ ହାଲିଆ ହୋଇ ପଡ଼ିଲେ। ଯୋଉ ଚାକରାଣୀ ଟା ଘରେ ରୋଷେଇ କରି ଦେଉଥିଲା ସେ ଏବେ ଆଉ ଆସୁ ନାହିଁ। ଆସିଲେ ବି କିଛି ଦିନ ରହି ପଳେଇ ଯାଉଛି। ନରେନ୍ଦ୍ର ବାବୁ ଙ୍କ ଖାଇବା ସମସ୍ୟା ଏ ଭିତରେ ବହୁତ ବଢିଗଲା। ତା ସହିତ ଗାୟତ୍ରୀ ଙ୍କ ଖାଇବା ଇଛା ମଧ୍ୟ ବଢିଗଲା। ଦୁଇଟି ଯାକ ସମ୍ଭାଳୁ ସମ୍ଭାଳୁ ସେ ନୟାନ୍ତ ହେଇ ପଡୁଥାନ୍ତି। ପୁଅ ଝିଅ ଜ୍ୱାଇଁ କିଏ ଟିକିଏ କଣ ଆଣିଛି ଦେବ ବୋଲି ଯାହା ଭାବୁଥିଲେ ତାହା ଆଶାରେ ରହିଗଲା। ଝିଅ କୁ କହିଲେ ବେଳେ ବେଳେ ଆଣେ। କେତେ ବା କହିବେ। ପରଘର କଥା ବେଶି କହିଲେ ଭଲ ନୁହେଁ ଭାବି ଚୁପ୍ ରୁହନ୍ତି। ନିଜ ପୁଅ ବୋହୁ ଯଦି ଘରେ ଥାଇ ବୁଝି ପାରୁ ନାହାନ୍ତି ଝିଅଠାରୁ କାହିଁକି ଆଶା କରିବେ। ତଥାପି ଖାଇବାର ଲୋଭ ସମ୍ଭାଳି ପାରନ୍ତି ନାହିଁ। ଦିନେ ଦିନେ ଆଇଁଷ ଖାଇବାକୁ ଇଛା କରି ଝିଅକୁ ପଚାରି ଦିଅନ୍ତି -ଆଇଁଷ କରିଛୁକି। ଝିଅ ବାପାଙ୍କ ଇଛା ଜାଣି ପାରି ତାଙ୍କ ପାଇଁ ଦି'ଟା ନେଇଯାଏ। କିନ୍ତୁ ଘରେ ପହଞ୍ଚିଲା ପରେ ମା କହନ୍ତି ମୋ ପାଇଁ ଦି'ଟା ଆଣିଲୁନି। କୁନି ବିରକ୍ତ ହେଇ କହେ ବାପା ଯେମିତି ତାଙ୍କ ପାଇଁ କହିଲେ ତୁ କହିଲୁନି।

ହୋଉ ହେଲା ଏବେଠାରୁ କହିଦେଲି ଯେତେବେଳେ ଆଣିବୁ ମୋ ପାଇଁ ଆଣିବୁ। ଗାୟତ୍ରୀ ମୁହଁ ଫୁଲେଇ କହିଲେ।

କୁନୀ ବୁଝି ପାରିଲାନି ଘରେ ପୁଅ ବୋହୁ ଥାଉ ଥାଉ ତାକୁ କାହିଁକି ଏତେ କହୁଛନ୍ତି। ପଚାରିବାରୁ କହିଲେ-ସେମାନେ ବହୁତ କରୁଛନ୍ତି। ଜ୍ୱାଇଁ ବାହାରି ପଡି କହିଲେ- ଆପଣଙ୍କର ଭଲରେ ଦି'ଟା ଖାଇବା ଛଡା ଆଉ କଣ ଦରକାର ଯେ କରୁଛନ୍ତି।

ହଁ ହଁ କରୁଛନ୍ତି। ନରେନ୍ଦ୍ର ପୁଣି କହିଲେ

ମୁଁ ବା ପଚାରୁଛି କଣ କରୁଛନ୍ତି

ନରେନ୍ଦ୍ର ପୁଣି କହିଲେ- ହଁ ହଁ କରୁଛନ୍ତି।

ଝିଅ ଜ୍ୱାଇଁ ରାଗରେ ଉଠି ପଳାଇ ଆସିଲେ।

କିନ୍ତୁ ଚାରି ଦିନ ଯାଇ ନଥିବ ପୁଣି ଡାକରା ଆସିବ। ଦେହ ଭାଷଣ ଖରାପ। ଦୁଇ ଦିନ ଧରି ଭଲରେ ଖାଇ ନାହାନ୍ତି।

ଝିଅ ପଚାରିଲା -ଭାଉଜ କଣ ତାଙ୍କ ପାଇଁ ଖାଲି ରାନ୍ଧୁଛନ୍ତି। ତମ ପାଇଁ କିଛି କରୁନାହାନ୍ତି। ବାପା ଚୁପ ରହିଲେ। କହିଲେ ଯିଏ କାମ କରୁଛି ସେ ପଳାଇଲେ ମୁଁ ହୋଟେଲରୁ ଅର୍ଡର୍ କରି ଆଣୁଛି।

କୁନୀ ଆପତ୍ତି କଲାରୁ ଗାୟତ୍ରୀ କହିଲେ ସେମାନେ ବହୁତ କରୁଛନ୍ତି। କୁନୀ ଏପରି ଭିତ୍ତିହୀନ ଉତ୍ତରରେ ଅସହାୟ ଅନୂଭବ କଲା । ଅସହାୟତା ଧିରେ ଧିରେ ଅସହିଷ୍ଣୁତା ଆଡକୁ ବି ଢଳିବାକୁ ଲାଗିଲା।

କୁନୀ କିଛି କହିବା ପାଇଁ ଚାହୁଁ ଥିଲା କିନ୍ତୁ ଗାୟତ୍ରୀ ଦେବୀ ଅଟକାଇ ଦେଇ କହିଲେ- ତୁ ତ ମୋ ଝିଅ ।ତୁ ଆମ ପାଇଁ ଦି'ଟା ଖାଇବା ଆଣିଲେ କଣ ହୁଅନ୍ତା ନାହିଁ। ଝିଅ ଏତେ ଦୂରରୁ ଖାଇବା ଆଣିବା ପାଇଁ ରାଜି ହେଇ ପାରୁନଥିଲା କି କିଛି କହି ପାରୁନଥିଲା। ଶେଷରେ ବୁଦ୍ଧି ଖର୍ଚ୍ଚ କରି କହିଲା-ମା ଠିକ୍ ଅଛି ମୁଁ ତିନି ଦିନ ଖାଇବା ନେଇ ଆସୁଛି। ତମେ ପୁଅକୁ କହି ବାକି ଦିନ ଏଠି ଖାଇଦେବ। ସେମାନେ ଏ ଘର ଭିତରେ ରହି ଏତିକି କଣ କରି ପାରିବେନି।

ହଁ ହଁ ସେମାନେ କରୁଛନ୍ତି। ତୁ ଆମର ତିନି ଦିନ ନେଇ ଆସିବୁ- ବୁଧବାର ଶୁକ୍ରବାର ଓ ରବିବାର। ତୋ ବାପା କେତେ ଆଇଁଷ ଭଲ ପାଆନ୍ତି ଜାଣିଛୁ ତ !

ଝିଅ ମାର ବୁଦ୍ଧି କୁ ଘୃଣା କରିବ ନା ପ୍ରଶଂସା କରିବ କିଛି ବୁଝି ପାରୁ ନଥିଲା। ବ୍ୟସ୍ତ ହୋଇ ଏପଟ ସେପଟ ଅସହାୟ ଭାବରେ ଅନାଇଲା। ଜ୍ୱାଇଁ ଚୁପ୍ ଚୁପ୍ ହସୁଥାନ୍ତି।

କିଛି ସମୟପରେ କୁନୀ ଉପାୟ ପାଇଲା ପରି କହିଲା -ହୋଉ ସେୟା କରିବି। ଗାୟତ୍ରୀ ଖୁସି ହେଇ କହିଲେ ମୋ ସୁନା ଝିଅଟା ପରା ମୁଁ ଜାଣେ ଆମ ପାଇଁ ଏତିକି ଟିକେ କଷ୍ଟ ନିଶ୍ଚିତ କରିବେ। ଆଉଟିକେ ଖୁସି ହୋଇ କହିଲେ - କାଲି ବାରଟାରୁ

ଗୋଟେ ଭିତରେ ଖିଇବାଟା ନେଇ ଆସିବୁ ନହେଲେ ତୋ ବାପାଙ୍କ ଖାଇବା ସମୟ ଡେରି ହେଇଯିବ। ଜ୍ୱାଇଁ ପାଖରେ ବସିଥିଲେ ଭାବିଲେ କହିବେ ବୋଲି -ଖାଇବାକୁ ଠିକ୍ ରେ ପାଉ ନାହାନ୍ତି ଏପଟେ ଚିନ୍ତା ହେଇ ଯାଉଛି ୟାଙ୍କର ସମୟ ଶୃଙ୍ଖଳା ।

ଝିଅ ହସି ଦେଇ କହିଲା -ମା ତୁ ଜମାରୁ ବ୍ୟସ୍ତ ହ'ନା। ମୁଁ ପୁରା ସକାଳୁ ପଳେଇ ଆସିବି। ଏଇଠି ତମର ରୋଷେଇ କରିଦେବି। ଗାୟତ୍ରୀ ଚମକି ଉଠି ପଚାରିଲେ - ତୁ ତୋ ଘରେ ପୁଣି କେମିତି ରୋଷେଇ କରିବୁ। ଜ୍ୱାଇଁ କେମିତି ଖାଇକି ଯିବେ।

କୁନୀ କହିଲା- ତୁ କାହିଁକି ଚିନ୍ତା କରୁଛୁ? ମୁଁ ଏଠି ସବୁ କରି ଦେବିନି! ମୋ ଘର ପାଇଁ ଏଥିରୁ ନେଇଯିବା।

ଗାୟତ୍ରୀ ମୁହଁ ଆମ୍ବିଳା କରି ଅନାଇ ରହିଲେ। ଅସହାୟତା ଯେମିତି ମାଡି ବସୁଥିଲା।

କୁନୀର ବୁଦ୍ଧି କୁ ତାରିଫ କରି ଜ୍ୱାଇଁ ମନେ ମନେ ହସୁଥିଲେ।

ପରଦିନ ଝିଅ ଯେତେବେଳେ ଘରେ ଆସି ରୋଷେଇ ଆରମ୍ଭ କଲା ପଚାରିଲା -କଣ କରିବି କୁହ। ଅନିଛା ସତ୍ଵେ ମା କହିଲେ ତୋର ଯାହା ଇଛା କର।

ମୋର କଣ ଇଛା। ତମେ ତ ଆଇଁଷ ଖାଇବ ବୋଲି ମୋତେ ଡାକିଛ।

ହୋଉ ତୋ ବାପାଙ୍କୁ ପଚାର ଆଜି ସେ ଖାଇବେ ନା ନାଇଁ।

ନରେନ୍ଦ୍ର ସାଙ୍ଗେ ସାଙ୍ଗେ କହିଦେଲେ ଆଜି ସାଧା କର

କୁନି ଏଥରକ ହସିକି ପଚାରିଲା- ସାଧା କଣ କରିବି କୁହ। ଫ୍ରିଜରେ ଖାଲି ପୋଟଳ ଅଛି।

ହଁ ସେୟା କରିଦେ ବୋଲି କହିଲେ।

ରୋଷେଇ ଆରମ୍ଭ କରି ଦେଇ କୁନୀ ଫୋନରେ ମାଛ ମଗେଇଦେଲା। ସାଧା କରି ସାରିଲା ପରେ ଯେତେବେଳେ ମାଛ ଆରମ୍ଭ କଲା ଗାୟତ୍ରୀ ଆଉ ସମ୍ଭାଳି ପାରିଲେ ନାହଁ। କହିଲେ ମାଛ ଭାଜୁଚୁ କି?

କୁନୀ ଉତ୍ତର ଦେଇ କହିଲା ହଁ ବୁଧବାର ଟାତ ଆମେ ମାଛ ଖାଇବୁ। ତମେତ ସାଧା ଖାଇବ ବୋଲି କହିଲ।

ଗାୟତ୍ରୀ ଇଛାଟାକୁ ଯେତେ ଚାପିଲେବି ପାରୁ ନଥାନ୍ତି। ଶେଷରେ କହି ପକାଇଲେ -ଆଲୋ ଝିଅ ମାଛ ଦି'ଟା ରଖିଥିବୁ। ମୋ ପୁଅର ମାଛକୁ ଭାରି ଲୋଭ।

କୁନୀ ରାଗରେ କହିଲା- ମୁଁ କଣ ତାଙ୍କ ପାଇଁ ଏଠି ରୋଷେଇ କରୁଛି?

ତୋ ଭାଇଟା ପରା -ଗାୟତ୍ରୀ ଆକୁଳେଇ କରି କହିଲେ।

ହୋଉ ହୋଉ ମୁଁ ଫୋନଟା ଲଗେଇ ଦେଉଛି ତୁ ଟିକେ ଭାଇକୁ କହିଦେ ଆସିଲା ବେଳକୁ ଗୋଟିଏ ବଡ ପିଜା ଆଣିଥିବ।

ମୁଁ ସେଗୁଡା କହି ପାରିବିନି-ଗାୟତ୍ରୀ ଚିଡିକରି କହିଲେ

-ତାହେଲେ ମା ତୁ କିଛି କହନା। ତୁ ଏମିତି କାହିଁକି ହେଉଛୁଯେ।

ଗାୟତ୍ରୀ କହିଲେ କଣ ହେଲି ମୁଁ । ମାଛ ଦି'ଟା ରଖିବାକୁ କହିଲି ଯେ ଭୁଲ ହେଇଗଲା। ତୁ ତ ପୁଣି ଆମ ଡାଲି ଚାଉଳ ଗ୍ୟାସ ସବୁ ଖର୍ଚ୍ଚ କଲୁ। ତୋର କଣଟା କ୍ଷତି ହେଇଗଲା।

କୁନୀ ଏସବୁ ଶୁଣି ଥମ୍ ହୋଇ ବସି ପଡ଼ିଲା, କହିଲା -ମୋର ଭୁଲ ହେଇ ଯାଇଛି। ତମ ଘର ଜିନିଷ ମୁଁ ଆଉ ଜମାରୁ ନେବିନି। ସବୁ ରଖି ଦେଇ ଯାଉଛି। ତୋ ପୁଅ ବୋହୁ ଙ୍କୁ ଦେଇଦେବୁ।

କୁନୀ ବାହାରି ଚାଲି ଆସିଲା। ପଛରୁ ଯେତେ ଡାକୁଥାନ୍ତି ଆଉ ଶୁଣିଲା ନାହିଁ।

କିଛି ଦିନ ଉତ୍ତାରୁ ପୁଣି ଫୋନ୍ ପରେ ଫୋନ୍ ଆସିବା ଆରମ୍ଭ ହେଇଗଲା। କେତେବେଳେ ମା କିଛି ଖାଉ ନାହାନ୍ତି ତ କେତେବେଳେ ଖଟରେ ଝାଡା ପରିଶ୍ରା ହେଇ ଯାଉଛି। ଦିନେ ନରେନ୍ଦ୍ର ନିଜେ ଫୋନ୍ କରି କୁନିକୁ କହିଲେ -ପୁଅ ବୋହୁ ଦୁଇ ଦିନ ହେଲା ଯାଇଛନ୍ତି ଯେ ଆମେ ଆଉ କିଛି ଖାଇ ପାରୁନୁ। ହୋଟେଲ ଖାଇବା ଖାଇ ତୋ ମାର ଦେହ ଆହୁରି ଖରାପ୍ ହେଇ ଯାଉଛି। ତୁ ଟିକେ ଆମ ପାଇଁ କଣ ନେଇକି ଆସନ୍ତୁ ନାହିଁ?

କୁନୀର ମନ ଦୁଃଖ ରେ ଝାଉଁଳି ପଡିଲା। ତୁରନ୍ତ ଘରେ ଖାଇବା ଧରି ପହଞ୍ଚି ଗଲା। ଗାୟତ୍ରୀ ଆଗ ଗୁଡାଏ କାନ୍ଦି ପକାଇଲେ କହିଲେ -ମୋ ମା ଟା ଆସିଚୁ। ଆମକୁ ଟିକିଏ ତମ ଘରକୁ ନେଇ ରଖିଲେ ହୁଅନ୍ତା ନି? ତୋ ବାପା ଏଠି ବହୁତ ହଇରାଣ ହେଉଛନ୍ତି। ମୁଠାଏ ବି ଭଲରେ ଖାଇବାକୁ ପାଉ ନାହାନ୍ତି। ସଦାବେଳେ ହୋଟେଲ ଖାଇବା ଦେହରେ ଯାଉନି।

କୁନୀ ପଚାରିଲା -ତୁ କଣ ସତରେ ଯିବୁ ! ତୋତେ ଭଲ ଲାଗିବ ତ?

-ଆମର ଆଉ ଭଲ ମନ୍ଦ କଣ ଅଛି। ଭଲ କଣ ପାଇଁ ଲାଗିବନି। ଆମ ନାତି କେତେ ବଡ ହେଇ ଗଲାଣି।

-ହଁ ଯେ, ନାତି ସାନ ଥିଲା ବେଳେ ତ ଘରେ ଆସି କେବେ ରହି ନଥିଲ। ଏବେ ସତ କହୁଛ - ସବୁଦିନ ପାଇଁ ରହି ପାରିବ।

-ଗାୟତ୍ରୀ କାନ୍ଦି କହିଲେ -ଆମେ ତ ଠିକରେ ଉଠି ବସି ପାରୁନୁ। ତୁ ହିଁ ଏକା ଭରସା। ପୁଅଟା ତ ଆମ କଥା ବୁଝିଲା ନାହିଁ ଆଉ କାହାକୁ କହିବି!

ଆମେ ବୁଢ଼ା ବୁଢୀ ଦିଜଣଙ୍କୁ ତମେ ଟିକିଏ ନ ପଚାରିଲେ ହେବ। ଜ୍ୱାଇଁ ଆମର ତ ସୁନା ମୁଣ୍ଡାଟେ।

ଝିଅ ପୁଣି ଥରେ ବାପାଙ୍କ ଆଡକୁ ଚାହିଁ ପଚାରିଲା -ବାପା ତମେ ଯିବ ତ!

ହଁ ତୁ ଯଦି ରଖି ପାରିବୁ ଯିବି- ଅସ୍ପଷ୍ଟ ଉତ୍ତର ଦେଲେ ନରେନ୍ଦ୍ର

କୁନୀ କହିଲା ଠିକ୍ ଅଛି ତମେ ପ୍ରସ୍ତୁତ ହୁଅ । ଏ ଘରଟା ଖାଲି କରି ଦେଇ ଭଡା ଲଗେଇ ଦେବା। ଆଉ ପଛ ପଟ ଯାଗାଟା ମୋ ନାଁରେ କରିଦେବ। ଏବେ ନୁହେଁ ପରେ ସୁବିଧା ଦେଖି କରିବା।

-ଗାୟତ୍ରୀ ଆଶଙ୍କା ରେ ପଚାରିଲେ - ତୁ ଏମିତି କଣ କହୁଛୁ । ତୋର ଆମ ସମ୍ପତ୍ତି ଉପରେ ଲୋଭ କାହିଁକି?

-ଭୁଲ୍ କଣ ହେଲା। ଏଠି ତ ଏତେ କଷ୍ଟ ଯେ ତମେ ସହି ପାରୁନ। ମୋ ପାଖରେ ଆରାମରେ ରହିବ। ଅସୁବିଧା କଣ। ତମ ଘରେ ତ ଭାଇ ରହୁଛି। ସେ ବି ପୁରା ଘରଟା ପାଇ ଅଚିନ୍ତା ହେଇଯିବ।

ଗାୟତ୍ରୀ ନରେନ୍ଦ୍ର ଙ୍କୁ ଲକ୍ଷ କରି କହିଲେ ଦେଖୁଚ ତ ଏମାନଙ୍କ ଉଦ୍ଦେଶ୍ୟ। ଆମକୁ କେମିତି ହଇରାଣ କରି ମାରୁଛନ୍ତି।

-ମୁଁ କେତେବେଳେ ହଇରାଣ କଲି। ତମେ ତ ମୋ ପାଖରେ ଭଲରେ ରହିବ ବୋଲି ଡାକିଛ। ମୁଁ ବି କହୁଛି ଭଲରେ ରଖିବି। ତାପରେ ପଛ ପଟ ଯାଗାଟା ଦେଲେ ଅସୁବିଧା କଣ। ତମ ପରେ ତ ଘରଟା ଭାଇର। ତାର ବି କିଛି ଅସୁବିଧା ନାହିଁ। ତମେ କାହା ପାଇଁ ଲୋଭ କରି ରଖୁଛ।

ଗାୟତ୍ରୀ ଅସହାୟ ଜଣାପଡୁଥିଲେ। ନରେନ୍ଦ୍ର ଙ୍କ ଆଡକୁ ବାରମ୍ବାର ଅନାଉଥାନ୍ତି।

ନରେନ୍ଦ୍ର ନିଜର ଅସହାୟତା ପ୍ରକାଶ କରି କହିଲେ ତମେ ଯାହା ଠିକ୍ ଭାବୁଛ କର।

ଗାୟତ୍ରୀ ଝିଅ କୁ କହିଲେ -ତୁ ମା ଯା। ଆମେ ତୋ ଘରେ ରହିଲେ ତୋ ଶାଶୁ ଶଶୁର କଣ ଭାବିବେ!। ତୁ ଭଲରେ ରହ। ଆମକୁବି ଭଲରେ ରହିବାକୁ ଦେ। ଆମେ ଯେମିତି ଅଛୁ ଭଲରେ ଅଛୁ। କାହାର ଦୟା ଆମର ଦରକାର ନାହିଁ।

ଜ୍ୱାଇଁ ସବୁ ବସି ଶୁଣୁଥିଲେ। ବୁଝିବାକୁ ଚେଷ୍ଟା କରୁଥିଲେ ଏଠି ଅସହାୟ କିଏ?

ପ୍ରଶାନ୍ତ କୁମାର ହୋତା

-

କଳଙ୍କ ସ୍ଵାଭାବିକ ନିରାପତ୍ତା

Rate the content


Originality
Flow
Language
Cover design

Comments

Post

Some text some message..