Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାଣୀଙ୍କର ଯାତ୍ରା ଦେଖା
ରାଣୀଙ୍କର ଯାତ୍ରା ଦେଖା
★★★★★

© ଓଡିଆ ଶିଶୁ ଗପ

Children

5 Minutes   635    15


Content Ranking

ଗୋପାଳଙ୍କର ରୋଜଗାର କମ୍ ନଥିଲା କିନ୍ତୁ କେବେବି ତାଙ୍କୁ ଅଂଟେ ନାହିଁ । ଖର୍ଚ୍ଚି ହାତ ଯେଉଁ ଦିନ ଯାହା ରୋଜଗାର କଲେ ସେହି ଦିନ ତାହା ଶେଷ । ବାସି ରହି ବନି କି କୁକୁର ଖାଇ ବନି ।

ଦିନେ ସକାଳୁ ଗୋପାଳ ଶେଯ ଛାଡି ମୁହଁ ଧୋଇ ନାହାଁନ୍ତି, ଘରଣୀ କହି ପକାଇଲେ, ଆଜିତ ଘରେ ଚାଉଳ ନାହିଁ କି ପଇସା ନାହିଁ । ଖାଇବା କ’ଣ ଚଳିବା କେମିତି?

ସ୍ତ୍ରୀଙ୍କ କଥା ଶୁଣି ଗୋପାଳ ଟିକିଏ ବିରକ୍ତ ହୋଇ ପଚାରିଲେ – କାଲି ପରା ରାଜା ଘରୁ ଶହେ ଟଙ୍କା ଆଣି ତୁମକୁ ଦେଇ ଥିଲି । ଟଙ୍କା କ’ଣ ସବୁ ସରି ଗଲା । ଆଜି ରାତି ପାହୁ ପାହୁ ପାଟି କରୁଛ?

– ହଁ ଶହେ ଟଙ୍କା ଦେଇ ଥିଲ । ତା ସାଥେ ସାଥେ ଦୁଇ ଶହ ଟଙ୍କାର ବରାଦ ମଧ୍ୟ କରି ଥିଲ । ଟଙ୍କା ସରି ଗଲା । ମୁଁ କ’ଣ ଖାଇ ଗଲି । ଏଣିକି ମୁଁ ଆଉ ଟଙ୍କା ରଖିବିନି କି ଏତେ ହିସାବ କୈଫତ୍ ଦେଇ ପାରି ବିନି । ଆଲୋ ମା ମୁଁ ଯଦି ଅନ୍ୟ ମାଇପି ପରି ଲୁଚାଇ ରଖି ଗହଣା ଗାଣ୍ଠି କିଣି ଦେଇ ଥାନ୍ତି ତେବେ ମୋତେ ତ ଏ ଲୋକ ଘରେ ରଖାଇ ଦିଅନ୍ତା ନାହିଁ ।

ସ୍ତ୍ରୀ ମୁହଁ ଫୁଲାଇ ସେ ଅନ୍ୟ କାମ କରିବା ପାଇଁ ଚାଲି ଗଲା ।

ଏବେ ଗୋପାଳ କରନ୍ତି କ’ଣ? ସ୍ତ୍ରୀକୁ କହି ବା ଲାଭ କ’ଣ? ଯେଉଁଠୁ ହେଲେ ତ କିଛି ରୋଜଗାର କରିବାକୁ ହେବ! ନୋହିଲେ ଘରେ ଖାଇବେ କ’ଣ । କିନ୍ତୁ କରିବେ କ’ଣ? କାଲି ତ ରାଜାଙ୍କ ଠାରୁ ଶହେ ଟଙ୍କା ଆଣିଛି । ଆଜି ପୁଣି କେଉଁ ମୁହଁରେ ତାଙ୍କୁ ଟଙ୍କା ମାଗିବି । ଆଉ ମଧ୍ୟ ରାଜାଙ୍କ ବ୍ୟତୀତ ମୋତେ କିଏ ଟଙ୍କା ଦେବ ।

ଗୋପାଳ ନିତ୍ୟକର୍ମ ସାରି ରାଜ ପ୍ରାସାଦ ଆଡକୁ ଯିବା ପାଇଁ ବାହାରିଲେ । ଗଲା ବେଳେ ସ୍ତ୍ରୀକୁ କହିଲେ – ଶୁଣୁଛ ମୁଁ ରାଜାଙ୍କ ପାଖକୁ ଯାଉଛି । କ’ଣ ବ୍ୟବସ୍ଥା କରି ଶୀଘ୍ର ଫେରିବି ।

ଗୋପାଳ ରାଜାଙ୍କ ପାଖକୁ ନଯାଇ ଉଆସ ଭିତରେ ତର ତର ହୋଇ ପଶିଲେ । ରାଣୀ ବାହାର ଖଳାରେ ବସି ଥିଲେ । ଗୋପାଳକୁ ଦେଖି ପଚାରିଲେ – କିଓ ଗୋପାଳ! ଏମିତି ବ୍ୟସ୍ତ ହେଖା ଯାଉଛ କାହିଁକି, କୁଆଡେ ଯିବ ନା କ’ଣ?

ଗୋପାଳ ରାଣୀଙ୍କୁ ନମସ୍କାରଟି ଜଣାଇ କହିଲେ – ରାଣୀମା, ଆଜି ପରା ପାଖ ଗାଁରେ ମେଳା ବସିଛି । ଏହି ମେଳା ତିନି ଦିନ ପାଇଁ ହେବ । ମେଳା ଦେଖିବା ପାଇଁ ଆମ ଘରୁ ସମସ୍ତେ ବାହାରି ଛନ୍ତି । ଖାଲି ଛାମୁରେ ଦେଖାଟେ ପଡି ଯାଇ ମେଳା ଦେଖିବାକୁ ବାହାରି ଯିବି । ସେଥି ପାଇଁ ଆସି ଥିଲି ।

ଗୋପାଳ କଥା ଶୁଣି ରାଣୀ ହସି ହସି କହିଲେ – ତାହା ହେଲେ ତୁମେ ମେଳା ଦେଖି ବାକୁ ଯିବ । ଆଛା ସେ ମେଳା ବିଷୟରେ ତ ମୋତେ କିଛି କହିଲ ନାହିଁ ।

ରାଣୀମା, ସେମିତି ମେଳା ଆମ ଏ ଖଣ୍ଡ ମଣ୍ଡଳରେ ନାହିଁ । ମୋ ଜୀବନରେ ଏମିତି ଯାତ୍ରା କେବେ କେଉଁଠି ଦେଖିନି । ଦେଶ ବିଦେଶରୁ ବହୁ ଲୋକ ଏହି ମେଳା ଦେଖି ବାକୁ ଆସନ୍ତି । କେବଳ ପୁରୁଷ ନୁହଁନ୍ତି । ବହୁ ବଡ ବଡ ଘରର ଝିଅ ବୋହୂ ମଧ୍ୟ ଏଇ ମେଳା ଦେଖି ବାକୁ ଆସନ୍ତି । ରାଜା, ରାଣୀ, ରାଜ କୁମାରୀ ମାନଙ୍କ କଥା ତ ଛାଡ, ସେମାନଙ୍କ ମେଳା । କେତେ ରକମର ଜିନିଷ ସବୁ କିଣା ବିକା ହୁଏ ।

ଗୋପାଳ ଭାଣ୍ଡର ମୁହଁ ମେଲାଇ ବର୍ଣ୍ଣନା ଶୁଣି ରାଣୀଙ୍କର ଇଚ୍ଛା ହେଲା ମେଳା ଦେଖି ଯିବା ପାଇଁ । ମନ ଖୋଲି ଗୋପାଳଙ୍କୁ ମଧ୍ୟ ରାଣୀ ଏ କଥା କହିଲେ । ଗୋପାଳ ଭାଣ୍ଡ କହିଲେ, ରାଣୀମା ଆପଣଙ୍କ ଇଚ୍ଛା ହେଲେ କ’ଣ ହେବ, ଆପଣ ପ୍ରଥମେ ମହାରାଜାଙ୍କୁ ଏକଥା କହି ଅନୁମତି ଆଣନ୍ତୁ । ରାଜା ସିନା ରାଜି ହେଲେ ଆପଣ ମେଳା ଦେଖିବା ପାଇଁ ଯିବେ ।

ରାଣୀ ଦେଖିଲେ ଗୋପାଳଙ୍କ ସାହାଯ୍ୟ ନନେଲେ ସହଜରେ ରାଜା ରାଜି ହେବେ ନାହିଁ । ସେ ଗୋପାଳ ହାତରେ ପଚାଶ ଟଙ୍କା ଧରାଇ ଦେଇ କହିଲେ – ତୁମେ ଘରେ ଯାଇ ଏ ଟଙ୍କା ଦେଇ ଆସିବ । ସେମାନେ ଯାତ୍ରା ଖର୍ଚ୍ଚ ଧରି ମେଳାକୁ ଯିବେ । ତୁମେ ଏଇ ବାଟ ଦେଇ ଆସିବ । ଆମେ ସାଙ୍ଗ ହୋଇ ମେଳାକୁ ଯିବା ।

ଗୋପାଳ ପଚାଶ ଟଙ୍କାକୁ ମୁଣିରେ ଭରି ସେଠାରୁ ହେଉ କହି ଚାଲି ଗଲେ ।

ରାଣୀ ରାଜାଙ୍କୁ ଡକାଇଲେ । ଯିବା କଥା କହିଲେ । ରାଜା ଆଶ୍ଚର୍ଯ୍ୟ ହେଲେ । ତୁମେ ରାଇଜର ରାଣୀ, ସାଧାରଣ ଲୋକ ଭଳି କେମିତି ମେଳାକୁ ଯିବ । ଲୋକେ ସବୁ କ’ଣ କହିବେ । ରାଜା ଯେତେ ମନା କଲେ ସୁଦ୍ଧା ରାଣୀ ମାନିଲେ ନାହିଁ । ଶେଷରେ ରାଜା କହିଲେ – ତୁମେ ଗୋପାଳକୁ ସାଥିରେ ଧରି ମେଳାକୁ ଯାଅ । ମଳୁ ଖୋଜୁ ଥିଲା ଯାହା, ବଇଦ କହିଲା ତାହା ।

ରାଣୀଙ୍କୁ ହଁ କହି ଦେଇ ରାଜା ବାହାର ଖଞ୍ଜାରେ ଯାଇ ବସିଲେ । ରାଣୀ ଏଣେ ଲୁଗା ପଟା ପିନ୍ଧି ଯିବା ପାଇଁ ପ୍ରସ୍ତୁତ ହେଲେ ।

ସେହି ସମୟରେ ଗୋପାଳ ଜାଣି ଶୁଣି ରାଜାଙ୍କ ପାଖରେ ପହଁଚି ନମସ୍କାର କଲେ । ରାଜା କହିଲେ ଗୋପାଳ ! ତୁମେ ମୋତେ ବହୁ ସାହାଯ୍ୟ କରିଛ । ଆଜି ଗୋଟାଏ ଉପକାର କଲେ ତୁମକୁ ତୁମ ମନ ମୁତାବକ ପୁରସ୍କାର ଦେବି ।

– କି ଉପକାର କରିବି ଆଜ୍ଞା!

– ରାଣୀ ଆଜି ଯାତ୍ରା ଦେଖିବାକୁ ବାହାରି ଛନ୍ତି । ଯେତେ ପ୍ରକାର ମନା କଲେବି ସେ ଶୁଣୁ ନାହାଁନ୍ତି । ତାଙ୍କୁ କୌଣସି ପ୍ରକାରେ ମେଳାକୁ ନଯିବା ପାଇଁ ମନାଇ ଦିଆ ନ ହେଲେ ମୋର ମାନ ସମ୍ମାନ ଚାଲି ଯିବ ।

ରାଜାଙ୍କ କଥା ଶୁଣି ଗୋପାଳ ଟିକିଏ ହସି ଦେଇ କହିଲେ, ଏଇ ସାମାନ୍ୟ କଥା ପାଇଁ ଆପଣ ଏତେ ଚିନ୍ତିତ । ଆପଣ ଏଠାରେ ବସି ଥାନ୍ତୁ ମୁଁ ସଙ୍ଗେ ସଙ୍ଗେ ରାଣୀମାଙ୍କୁ ମନାଇ ମେଳାକୁ ନଯିବା ପାଇଁ ରାଜି କରାଇ ଦେଉଛି ।

ରାଜା କହିଲେ – ବେଶ୍ କଥା, ତୁମେ ସଫଳ ହେଲେ ତୁମକୁ ସଙ୍ଗେ ସଙ୍ଗେ ପୁରସ୍କାର ଦେଇ ଦେବି ।

ଗୋପାଳ ଆଉ ରାଣୀଙ୍କ ନିକଟକୁ ନଯାଇ ନଅର ବାହାରକୁ ଚାଲି ଗଲେ । ଗୋଛାଏ କଂଟା ପିଠିରେ ବାନ୍ଧି ରାଣୀଙ୍କ ପାଖରେ ପହଁଚିଲେ, କହିଲେ ରାଣୀମା, କ’ଣ ଏତେ ବେଳ ଯାଏଁ ସଜ ବାଜ ସରିନି? ଉଛୁର ହୋଇ ଯାଉଛି ଶୀଘ୍ର ବାହାରି ପଡ ।

ରାଣୀ ବାହାରିବେ କ’ଣ ଗୋପାଳଙ୍କ ପିଠିରେ କଂଟା ଗୋଛା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ – ଗୋପାଳ ତୁମର ପୁଣି ଏ କି ପ୍ରକାର ଅବତାର?

– ଏଭଳି ବେଶ ବି ଆପଣ ହେବେ । ସେଥି ପାଇଁ ପରା ଗୋଛାଏ କଂଟା ଆପଣଙ୍କ ପାଇଁ ମଧ୍ୟ କାଟି ଆଣିଛି ।

– ମୁଁ କାହିଁକି କଂଟା ବାନ୍ଧିବି ।

– ରାଣୀମା, ଆପଣ ଦେହରେ କଂଟା ନବାନ୍ଧିଲେ ଲୋକ ଗହଳିରେ ଯିବେ କେମିତି? ସେଠି ଏମିତି ଲୋକ ସବୁ ଅଛନ୍ତି ଗହଳି ଭିତରେ ପରା ହେଲେ ହାତ ଲଗାଇ ଦେବେ ।

– ମୁଁ ରାଣୀ, ମୋର ଦେହ ରକ୍ଷୀ ଅଛନ୍ତି, ପୁଣି ପାଲିଙ୍କିରେ ଯାଇ ଥାନ୍ତେ, ସାଥିରେ ଦେହ ରକ୍ଷୀ ରହି ଥାନ୍ତେ । ତାହା ପରା ଖୋଦ୍ ନବାବଙ୍କ ମେଳା । ମୁସଲମାନ୍ ମେଳା ପୁଣି । ସେଠି ଆପଣ ସାଧାରଣ ଲୋକମାନଙ୍କ ଭଳି ମେଳା ଭିତରକୁ ଯିବେ । ଆଉ ମଧ୍ୟ ସେଠାକାର ବଦମାସ୍ ଗୁଣ୍ଡା ଗୁଡିକ ବଡ ଘରର ଝିଅ ବୋହୂଙ୍କ ଦେହରେ ବେଶି ହାତ ଲଗାନ୍ତି । କିଏ ଗହଣା ଆଶାରେ ତ ଆଉ କିଏ ଖରାପ ଉଦ୍ଧେଶ୍ୟ ନେଇ । ତେଣୁ କଂଟା ବାନ୍ଧି ଗଲେ କେହି ହେଲେ ପାଖକୁ ଆସିବେ ନାହିଁ ।

ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା । ସେ କହିଲେ ନା, ଗୋପାଳ ତୁମେ ସବୁ ଯାଅ । ମୁଁ ଯିବି ନାହିଁ । ଏଭଳି ମେଳାକୁ କୌଣସି ଭଦ୍ର ଘରର ଝିଅ ବୋହୂ ଯିବା ବାସ୍ତବିକ ଉଚିତ୍ ନୁହେଁ ।

ରାଣୀ ମେଳାକୁ ଯିବା ପାଇଁ ପିନ୍ଧି ଥିବା ଲୁଗା ପଟା ଓହ୍ଲାଇ ଅନ୍ୟ ଶାଢୀ ପିନ୍ଧିଲେ ।

ଗୋପାଳ ହସ ହସ ମୁହଁରେ ରାଜାଙ୍କ ପାଖରେ ପହଁଚିଲେ । ରାଜାଙ୍କୁ ସବୁ କଥା କହି ଗଲେ । ମାତ୍ର ନିଜେ ଏ ନାଟକର ସୁତ୍ରଧର ବୋଲି କହିଲେ ନାହିଁ । ରାଜା ଖୁସି ହୋଇ ଗୋପାଳଙ୍କୁ ଶହେ ଟଙ୍କା ପୁରସ୍କାର ଦେଲେ ।

ସେଦିନ ଗୋପାଳ ଦେଢ ଶହ ଟଙ୍କା ରୋଜଗାର କରି ଖୁସିରେ ଘରକୁ ଫେରିଲେ ।

ଗୋପାଳ କୁକୁର ରାଜା

Rate the content


Originality
Flow
Language
Cover design

Comments

Post

Some text some message..