ଗପ ନୁହେଁ
ଗପ ନୁହେଁ
ହର୍ନ ଶୁଣି ଗାଡ଼ି ପାଖକୁ ଯାଇ ବ୍ୟାଗ୍ ଆଣିଲି, ଖୋଲି ଦେଖିଲି ଗୋଟାଏ ପରିବା ଭର୍ତ୍ତି, ଆରଟିରେ ଦୁନିଆ ଯାକର ଫଳ ଭିତରେ ଥିଲା ପଞ୍ଚୋଟି ଆମ୍ବ । ଅଦିନରେ ଆମ୍ବ ଦେଖି ଖୁସି ଯେତିକି ହେଲି ଆଶ୍ଚର୍ଯ୍ୟବି ସେତିକି ! ପଚାରିଲି ଏଦିନରେ ଆମ୍ବ ? କେତେ ପଡ଼ିଲା ?
ପାଞ୍ଚଶହ ।
- ଗୋଟିକୁ ଶହେ ଟଙ୍କା !!!
ଏତେ ଦାମ୍ ଦେଇ କାହିଁକି ଆଣୁଥିଲ ?
- ତୁମର ପସନ୍ଦ । ଟଙ୍କା ସାଙ୍ଗରେ କଣ ଅଛି ?
ଲୁହ ଭର୍ତ୍ତି ହେଇଗଲା ଆଖିରେ.…!
କେବେ ବାପାପରି, କେବେ ଭାଇପରି କେବେ ବନ୍ଧୁପରି...ପ୍ରତିଟି ଅଭାବ ପୁରଣ କରିଛନ୍ତି, ନମାଗିଲା ପୂର୍ବରୁ ଅଜାଡ଼ି ଦେଇଛନ୍ତି । ମା' ନଥିଲା, ତା'ର ଅଭାବ ମଧ୍ୟ କେବେ ଅନୁଭୂତ ହେବାକୁ ଦେଇ ନାହାନ୍ତି । ରୋଗ ଶଯ୍ୟାରେ ପଡ଼ିଥିଲା ବେଳେ ଯମ ପାଖରୁବି ଭିଡ଼ି ଆଣିଛନ୍ତି ଅନେକ ଥର....! ସବୁ ଦୁଃଖ ଯନ୍ତ୍ରଣାକୁ ଏକୁଟିଆ ନୀଳକଣ୍ଠ ସାଜି ପିଇ ଯାଇଛନ୍ତି ସିନା, କେବେ ସାମାନ୍ୟ ସୁରାକ୍ ବି ଦେଇ ନାହାନ୍ତି ତାଙ୍କ ମନତଳର ଅବଦମିତ ବେଦନାର । କେମିତି ପାରନ୍ତି ଏତେସବୁ ? କେଉଁ ଉପାଦାନରେ ଗଢ଼ା ତା'ଙ୍କ ଶରୀର ?? ସତରେ କ'ଣ ସେ ମଣିଷ ,
ନା ମଣିଷ ରୂପରେ ଦେବତା ?? ବ୍ୟାଗ୍ ରୁ ଗୋଟି କରି ଗୋଟି କାଢୁଥିଲି ମୋ'ର ପ୍ରିୟ ଜିନିଷ ସବୁ , ଭାବୁଥିଲି....ପ୍ରତିଦାନରେ କଣ ଦେଇଛି ମୁଁ ???
ସତରେ, ତୁମେ ପାଖରେ ଥିଲେ କେତେ ସୁରକ୍ଷିତ, ପାଖରେ ନଥିଲେ କେଡ଼େ ଅରଖିତ ମୁଁ ??
ଯଦି ପର ଜନ୍ମ ଥାଏ, ତୁମେହିଁ ଆସୁଥାଅ ପ୍ରତି ଜନ୍ମରେ ମୋ'ର ହୋଇ ...ଏତିକି ଗୁହାରି ଈଶ୍ବରଙ୍କ ଠାରେ !!
!