Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Romance Tragedy

5.0  

T.Durga Prasad Rao

Romance Tragedy

ଅସ୍ତରାଗର ଲୋହିତ କିରଣ

ଅସ୍ତରାଗର ଲୋହିତ କିରଣ

6 mins
359


ସହର ଉପକଣ୍ଠରେ ଥିବା ଅନତିବୃହତ୍ ଏକ ପାର୍କର ନିରୋଳା ବେଞ୍ଚଟିଏ ଦେଖି ବସିଛି, ଆଖିରେ ପଡ଼ିଲା ଛୋଟ ଝିଅଟିଏ ନର୍ତ୍ତନ ଭଙ୍ଗୀରେ ଠିଆ ହୋଇଥିବା ଏକ ପଥର ମୂର୍ତ୍ତିଟିକୁ ଅନୁକରଣ କରି ହାତଗୋଡ଼ ହଲାଇ ନିଜେ ସେଇ ଭଙ୍ଗୀରେ ଠିଆ ହେବାର ପ୍ରୟାସ କରୁଛି। ଦୃଶ୍ୟଟି ମୋତେ ଟାଣି ନେଇଗଲା ଦୀର୍ଘ ଦଶବର୍ଷ ତଳର ଅତୀତକୁ।

ରାତି ସାରା ଜ୍ୱରରେ ମୁଁ କମ୍ପୁଥାଏ। କୌଣସିମତେ ଆଖିକୁ ନିଦ ଆସୁନଥାଏ ଏବଂ ମୁଣ୍ଡ ମୋର ଚକ୍କର କାଟିଲା ପରି ବୁଲାଇ ଦେଉଥାଏ କ୍ଷଣକୁ କ୍ଷଣ। ଘର ଭିତରେ ମୁଁ ଏକୁଟିଆ ମଣିଷ। ନିଜେ ରୋଷେଇ କରେ, ନିଜ ଲୁଗାପଟା ନିଜେ ସଫାକରେ। ଅବଶ୍ୟ ଝାଡ଼ୁ ମାରିବା, ବାସନକୁସନ ମଜାମଜି ଓ ପାଣି ଯୋଗାଇ ଦେବା ପାଇଁ କାମବାଲିଟିଏ ଯୋଗାଡ଼ କରି ଦେଇଥିଲେ ପଡ଼ୋଶୀ ନାୟକ ବାବୁ। ମୋ ଅସୁସ୍ଥତାରେ ମୁଁ ଟିକେ ବିକଳ ହୋଇ ଉଠିଥିଲି। ଶରୀରର ତାପମାତ୍ରା ବଢ଼ୁଥିଲା। ରାତି ଅଧରେ କାହାକୁ ଡାକିବି? କିଏ ମୋତେ ଡାକ୍ତରଙ୍କ ପାଖକୁ ନେଇଯିବ? ଶଯ୍ୟାରୁ ଉଠି ବସିବା କଷ୍ଟ। ପାଟି କଲେ ପଡ଼ୋଶୀ ଶୁଣିବେ ତ? ଯଦି ବି ଶୁଭେ, ରାତି ଅଧରେ ସାହାଯ୍ୟ ପାଇଁ ଆଗେଇ ଆସିବେ ତ? ଭାବୁ ଭାବୁ ଶଯ୍ୟାରୁ ଟିକେ ଉଠିବାକୁ ଚେଷ୍ଟା କରି କେତେବେଳେ ମୁହଁ ଘୁରାଇ ତଳେ ପଡ଼ିଛି ମୋର ହୋସ୍ ନାହିଁ। ହୋସ୍ ଆସିଲା ଡାକ୍ତରଖାନାରେ। ସକାଳ ପାହିଯାଇଛି। ବାହାରେ ଚିକ୍ ମିକ୍ ଖରା। ମୋ ବେଡ୍.କୁ ଲାଗି ଗୋଟିଏ ଚୌକି ଉପରେ ଢୁଳେଇ ପଡ଼ିଛି ନାୟକବାବୁଙ୍କ ଝିଅ ଅନନ୍ୟା। ମୋର ହଲଚଲରେ ଅନନ୍ୟା ଆଖି ଖୋଲି ଚାହିଁ ସ୍ମିତ ହସିଲା। କହିଲା, ଭଗବାନଙ୍କୁ ଅଶେଷ ଧନ୍ୟବାଦ ତମର ଚେତା ଫେରିଛି। ମୁଁ ସାମାନ୍ୟ ବିସ୍ମିତ ହୋଇ କହିଲି, ମୁଁ ଏଠି କେମିତି? ସଙ୍ଗେ ସଙ୍ଗେ ଆସୁଛି କହି ଅନନ୍ୟା ବ୍ୟସ୍ତ ହୋଇ ବାହାର ବାରଣ୍ଡାରୁ ଥରେ ବୁଲି ଆସି କହିଲା, ବାପାଙ୍କୁ ଖୋଜୁଥିଲି, ଏଇଠି ଠିଆ ହୋଇଥିଲେ, କୁଆଡ଼େ ଗଲେ କେଜାଣି? ତାପରେ ବିଷୟବସ୍ତୁକୁ ଆସି କହିଲା, ସକାଳୁ ସକାଳୁ ଚମ୍ପାନାନୀର ଜୋର୍ ଜୋର୍ କବାଟ ଖଡ଼ ଖଡ଼ରେ ଆମର ନିଦ ଭାଙ୍ଗିଗଲା. ସେ ବ୍ୟସ୍ତ ହୋଇ କହୁଥାଏ, ତମେ କୁଆଡ଼େ ଚଟାଣ ଉପରେ ଚାରିକାତ ମେଲି ଶୋଇଛ। ଦରଜା ପିଟିଲା ପରେ ମଧ୍ୟ ନ ଖୋଲିବାରୁ ଝରକା ଫାଙ୍କରୁ ସେତକ ଦେଖି ସେ ଆମକୁ ଡାକିଲା। ବାପା ଧକ୍କା ମାରି ଖୋଲି ଦେଇଥିଲେ ଦରଜାଟିକୁ। ତମେ ଅଚେତ ପଡ଼ିଛ ଜାଣି ନେଇ ଆସିଲୁ ଡାକ୍ତରଖାନାକୁ। ତମର ଯଦି ଦେହ ଖରାପ ହେଉଛି, ତମେ ଆମକୁ ଟିକେ ଜଣାଇବା ଉଚିତ ନୁହେଁ କି? ସେତିକି ବେଳେ ପଶି ଆସିଲେ ନାୟକ ବାବୁ। ମୋର ଚେତା ଫେରିଛି ଦେଖି ଧାଇଁ ଗଲେ ଡାକ୍ତରଙ୍କୁ ଡାକିବାକୁ।

ସେଇ ଦିନଠାରୁ ନାୟକବାବୁ ଓ ତାଙ୍କ ପରିବାର ପ୍ରତି ମୋର ଶ୍ରଦ୍ଧା, ସମ୍ମାନ ଯଥେଷ୍ଟ ବଢ଼ି ଯାଇଥିଲା। ମୋର ଏକାକୀପଣର ଅସହାୟତାକୁ ହୃଦଯଙ୍ଗମ କରି ଅନନ୍ୟା ବେଳେ ବେଳେ ଜଳଖିଆ, ଚାହା ଟିକେ ଘରୁ କରି ଆଣି ଦିଏ। ମୋର ଛୋଟ ଅସଜଡ଼ା କକ୍ଷର ବିକ୍ଷିପ୍ତ ଲୁଗାପଟା, ବହିପତ୍ର ଆଦିକୁ ପକ୍କା ଗୃହିଣୀଟିଏ ପରି ଥାକ ମାରି ସଜାଡ଼ିଦିଏ। ଖଟ ଉପର ବେଡ୍.ସିଟ୍.କୁ ଧୂଳି ଝାଡ଼ି ପୁଣି ଥରେ ଯଥା ସ୍ଥାନରେ ପାରିଦିଏ। ତିଆରିଲା ପରି ଜିନିଷ ସବୁ ଏଠି ସେଠି ନ ଫୋପାଡ଼ି ଯେ ଯା ସ୍ଥାନରେ ରଖିବାକୁ କୁହେ। ମୋର କିନ୍ତୁ ଏତେ କଥା ମନେ ରହେନି। ମୁଁ ଗାଧୋଇସାରି ଓଦା ଟୱେଲ୍ ଚୌକି ଉପରେ ଥୋଇ ଦେଇ ଶୁଖାଇବା ଭୁଲିଯାଏ। ମଇଳା ପ୍ୟାଣ୍ଟ୍ ସାର୍ଟ୍ ଘରର ଗୋଟିଏ କୋଣରେ ଆବର୍ଜନା ପରି ପଡ଼ି ରହେ ସପ୍ତାହ ଯାଏଁ। ବହିପତ୍ର ଖଟ ଉପରେ ମେଲା ପଡ଼ି ରହେ। ଏସବୁ ଦେଖି ନିଜର ଲୋକ ପରି ଗର ଗର ହୁଏ ଅନନ୍ୟା। ଧିରେ ଧିରେ ଅନନ୍ୟା ସହ ମୋର କେମିତି ଏକ ନିବିଡ଼ତା ଆସିଗଲା। କଲେଜ୍.ରୁ ଫେରିଲା ପରେ ଝରକାକୁ ଲାଗି ଟେବୁଲ୍ ପାଖ ଚୌକି ଉପରେ ବସେ ଅନନ୍ୟା। ଝରକା ଦେଇ ବାହାରକୁ ଚାହିଁ ଚାହିଁ ଅନେକ ଗପେ। କଲେଜ କଥା, ସାଙ୍ଗସାଥୀ କଥା। ଆଗ୍ରହଜନକ ହେଲେ ଶୁଣେ। କେବେ କେବେ ନ ଶୁଣି ଖଟ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ କିଛି ପତ୍ରପତ୍ରିକାର ପୃଷ୍ଠା ଭିତରେ ମୁଁ ହଜିଯାଏ। ଅନନ୍ୟା ଯେତେବେଳେ ବୁଲି ପଡ଼ି ଦେଖେ ମୁଁ ତା କଥା ମୋଟରୁ ଶୁଣୁନାହିଁ, ଅଭିମାନରେ ଉଠି ଚାଲିଯାଏ।

ଛୁଟି ଦିନ ହେଲେ ଘଣ୍ଟାଏ ଦୁଇଘଣ୍ଟା ପାଇଁ ହେଲେ ବି ଏକତ୍ର ବାହାରେ ବୁଲି ଆସିବା ଆମର ଏକ ଅଭ୍ୟାସରେ ପରିଣତ ହୋଇ ସାରିଥିଲା। ପ୍ରଥମେ ପ୍ରଥମେ ଜିଦ୍ କରି ଟାଣି ନେଇ ଯାଉଥିଲା ଅନନ୍ୟା। ପରେ କିନ୍ତୁ ତାହା ଗତାନୁଗତିକ ପାଲଟି ଗଲା। ଆମେ ପ୍ରାୟତଃ ସହର ମଝିରେ ଥିବା ବଡ଼ ପାର୍କଟିରେ ଯାଇ ବସୁ। ପାର୍କଟିର ମଧ୍ୟଭାଗରେ ଥିବା କେତୋଟି ନର୍ତ୍ତକୀଙ୍କର ଶିଳାପ୍ରତିମା ନିତି ଅନନ୍ୟାର ଦୃଷ୍ଟି ଆକର୍ଷଣ କରେ। ସେ ଗୋଟିଏ ମୂର୍ତ୍ତିର ପାର୍ଶ୍ୱରେ ଠିଆ ହୋଇ ମୋତେ ହାତ ଠାରି ଡାକେ। ନର୍ତ୍ତକୀର ଅଙ୍ଗ ଅବୟବକୁ ଭଲଭାବରେ ନିରୀକ୍ଷଣ କରେ। ତାପରେ ମୂର୍ତ୍ତିଟିର ଠିଆ ହେବା ମୁଦ୍ରାକୁ ଅନୁକରଣ କରି ନିଜର ହାତଦ୍ୱୟକୁ ଦୁଇ ପାର୍ଶ୍ୱରେ ଝୁଲାଇ ଦେଇ ପଚାରେ, ଠିକ୍ ଅଛି ନା? ମୁଁ ପାଖକୁ ଯାଇ ତାର ହାତ ଓ ପାପୁଲିକୁ ଟିକିଏ ଏପାଖ ସେପାଖ କରି କହେ, ବର୍ତ୍ତମାନ ହେଲା। ପୁଣି ସେ ତାର ଡାହାଣ ପାଦରେ ଦେହ ଭାର ନଦି ବାମ ଗୋଡ଼ ଉଠାଇ ଡାହାଣ ପାଦ ପାଖକୁ ନେଇ ଆସି ପାଦର ଆଙ୍ଗୁଠିରେ ନାମମାତ୍ର ମାଟିକୁ ସ୍ପର୍ଶ କରି ମୋତେ କହେ, ଦିଶୁଛି ନା ଠିକ୍ ମୂର୍ତ୍ତି ପରି। ଅନନ୍ୟାର ନୃତ୍ୟକଳାରେ ଭାରି ଆଗ୍ରହ। ସପ୍ତାହରେ ଦୁଇ ଦିନ ସେ ନୃତ୍ୟ ଶିକ୍ଷା ପାଇଁ ଯାଏ ବାଣୀଶ୍ରୀ କଳା ମନ୍ଦିର। ଯେଉଁଠି ନୃତ୍ୟ ଶିକ୍ଷା ସହିତ ସଙ୍ଗୀତ ଶିକ୍ଷା ବି ଦିଆଯାଏ। ଶିକ୍ଷାକେନ୍ଦ୍ରରୁ ଫେରିଲା ପରେ ଘରେ ସେଇଆକୁ ଅଭ୍ୟାସ କରେ ଅନନ୍ୟା। କିନ୍ତୁ ମୋ ଆଗରେ ନାଚିବାକୁ ଭାରି ଲଜ୍ଜାବୋଧ କରେ। ନାଚିବା ପାଇଁ ମୋର ଗୋଟିଏ ବି ଅନୁରୋଧ ସେ ରଖେ ନାହିଁ। ବାଁଆରେଇ ଦେଇ କହେ, ମୁଁ ପୁରା ଶିଖି ସାରିଲା ପରେ ଯେଉଁଦିନ ପ୍ରଥମ ଥର ପାଇଁ ମଞ୍ଚରେ ମୋର ନୃତ୍ୟ କଳା ପ୍ରଦର୍ଶନ କରିବି, ସେଦିନ ତମକୁ ସାଙ୍ଗରେ ନେଇଯିବି। ସେଦିନ ଦେଖି କହିବ ମୁଁ ଭଲ ନାଚେ କି ନା। ମୁଁ ମନେ ମନେ ସ୍ୱଗତୋକ୍ତି କଲା ପରି କହେ, ଷାଠିଏ ମହଣ ଘିଅ ହେବ ଆଉ ରାଧା ନାଚିବ! ମୋ କଥା ତାକୁ କେମିତି ଶୁଭିଯାଏ କେଜାଣି ରାଗିକି କହେ, କଣ କହିଲ, ହବନି? ଆରେ... ହବନି ନୁହଁ, ସେ ସମୟରେ ତମେ କଉଠି ଥିବ ଆଉ ମୁଁ କଉଠି ଥିବି କିଛି ଠିକଣା ଅଛି? ଅଭିମାନରେ ମୁହଁ ବୁଲାଇ ଦିଏ ଅନନ୍ୟା। ତା ମାନେ ତମେ ମତେ ଛାଡ଼ି ଚାଲିଯିବ? ମୁଁ ଏତେ କଥା ଭାବି ନ ଥାଏ। ଅନନ୍ୟାର କଥା ଶୁଣି ମୁଁ ନିଜ ଭିତରେ ଚମକି ଯାଏ। ସତେ ତ! ଏ ଭାବ ବନ୍ଧନ କେତେ ଦିନ? ଏ ସମ୍ପର୍କର ପରିଭାଷା କଣ? ଟିକିଏ କଥାରେ ମାନ, ଅଭିମାନ, ରାଗରୁଷା, ଅଧିକାର ସାବ୍ୟସ୍ତ। ଏ କଣ କେବଳ ବନ୍ଧୁତ୍ୱ ନା ଆଉ କିଛି? ଭାରି ଇଚ୍ଛା ହୁଏ ଅନନ୍ୟାକୁ ପଚାରିଦେବାକୁ। ମୁଁ ତମର କିଏ କି? ମୁଁ ଛାଡ଼ି ଚାଲିଗଲେ ତମର ପୁଣି ଅସୁବିଧା କଣ? ହେଲେ ପଚାରି ପାରେନି। ମନ କଥା ମନରେ ଚାପି ଦେଇ କହେ, ନାଇଁ ତମ ବାପାଙ୍କୁ କୁହ ତମ ବାହାଘରରେ ଯୌତୁକ ହୋଇ ତମ ଶାଶୁ ଘର ଯିବି? ମୁହଁ ଫୁଲେଇ ଚାଲିଯାଏ ଅନନ୍ୟା।

ଦିନେ କିନ୍ତୁ ସତସତିକା ଅନନ୍ୟାର ବାହାଘର ସ୍ଥିର ହେଲା। ସେତେବେଳେ ବ୍ୟାଙ୍କ୍ ପି.ଓ. ଇଣ୍ଟରଭ୍ୟୁ ଦେଇ ନୂଆ ଚାକିରୀ ପାଇଥାଏ ଅନନ୍ୟାର ସହରଠାରୁ ଅନେକ ଦୂରରେ। ତା ସହର ଛାଡ଼ି ବିତି ଯାଇଥିଲା ପାଖା ପାଖି ବର୍ଷେ ଖଣ୍ଡେ। ଆଉ ବର୍ଷେ ହେବ ମୋ ପାଖରେ ଅନନ୍ୟାର କୌଣସି ଖବର ମଧ୍ୟ ନ ଥିଲା। ତାର ବାହାଘର କଥା ଅନନ୍ୟା ନିଜେ ଚିଠି ଲେଖି ଜଣାଇଥିଲା ଘରକୁ। ଆରମ୍ଭ କରିଥିଲା ଏଇମିତି-

ଯଉତୁକ ହୋଇ ଯିବ ପରା, ରେଡ଼ି ହୋଇଯାଅ। ମୋର ବାହାଘର ସ୍ଥିର ହୋଇ ଯାଇଛି। ପୁରୁଷୋତ୍ତମପୁରରେ। ବାପା ଆଉ ମାମୁଁ ନିଜେ ବୁଝାବୁଝି କରି ସ୍ଥିର କରିଛନ୍ତି। ଇଏ କାଳେ ଭାରି ଭଲ ଶାନ୍ତ, ସୁଧାର। ଦେଖିବାକୁ ବି ହ୍ୟାଣ୍ଡସମ୍। ମୁଁ କେବଳ ତାଙ୍କର ଫଟୋ ଦେଖିଛି। ସେ ଯେଉଁଦିନ ମୋତେ ଦେଖିବାକୁ ଆସିଥିଲେ, ମୁଁ ମୁହଁ ଉଠାଇ ଚାହିଁ ପାରିଲିନି କି ତାଙ୍କ ମୁହଁଟାକୁ ଦେଖି ପାରିଲିନି। ତମେ ଆସିବ ତ ବାହାଘରକୁ? ଆସିଲେ ତାଙ୍କୁ ଦେଖି କହିବ କେମିତିକା ଲୋକ। ଆରେ... ମୁଁ ବି କି ପାଗଳୀ ସତେ... ବାହାଘର ସରିଲା ପରେ ଦେଖି ମତାମତ ରଖିଲେ କଣ ବା ଲାଭ? ଆସନ୍ତନି କି ଥରେ ସମୟ ଦେଇ ବାହାଘର ଆଗରୁ? ଦେଖି ଆସନ୍ତ ୟାଙ୍କୁ। ମୋ ରାଣ।

ଅନନ୍ୟା କଣ ଚାହୁଁଥିଲା ମୁଁ ଠିକ୍ ଭାବରେ ଠଉରାଇ ପାରିନଥିଲି ତା ଚିଠିରୁ। ବାହାଘର ପୂର୍ବରୁ ସେ ମୋତେ ଦେଖିବାକୁ ଚାହୁଁଥିଲା ନା ମୁଁ ତା ଭାବିସ୍ୱାମୀକୁ ଦେଖି ଆସିବା କଥା ଲେଖିଥିଲା। ତେବେ ତା ବାହାଘର ପୂର୍ବରୁ ତାଙ୍କ ଘରକୁ ଯିବା କି ବାହାଘରରେ ଯୋଗଦେବା ମୋ ପାଇଁ ସମ୍ଭବ ହୋଇନଥିଲା। କାରଣ ଚିଠି ମୁଁ ପାଇଲି ଘରକୁ ଗଲା ପରେ। ସେତେବେଳକୁ ତାର ବାହାଘର ସରି ଯାଇଥିଲା।

ମୁଁ ଛୋଟ ଝିଅଟିର ପାଖକୁ ଲାଗି ଆସିଲି। ମୋତେ ଦେଖି କିଛି ସମୟ ଚାହିଁ ରହିଲା ଝିଅଟି। ସତେ କି ମୋତେ ଆଗରୁ ଦେଖିଛି ଅଥଚ ମନେ ପକାଇ ପାରୁନି। ମୁଁ ତାର ହାତ ଓ ପାପୁଲିକୁ ମୂର୍ତ୍ତିର ନୃତ୍ୟଭଙ୍ଗୀ ଅନୁସାରେ ସଜାଡ଼ି ଦେଲି। ତାପରେ ତାର ଗୋଡ଼ ଦୁଇଟିକୁ ଘୁଞ୍ଚାଇ ଏକାଠି କରି ଦେଲି। ତାପରେ ତାଳି ମାରି ହସି ଦେଇ କହିଲି, ଏବେ ଠିକ୍ ମୂର୍ତ୍ତି ପରି ଦିଶୁଛ। ଝିଅଟି କିନ୍ତୁ ହସୁ ନ ଥିଲା। ମୋ ଆଡ଼େ ଶୂନ୍ୟ ଦୃଷ୍ଟିରେ ଚାହିଁଥିଲା। ତାପରେ ହଠାତ୍ ମନେ ପକାଇଲା ପରି କହିଲା, କମଲ ଅଙ୍କଲ୍। ମୁଁ ଚମକି ପଡ଼ିଲି। ମୋର ନାଁ କମଳ। କିନ୍ତୁ ଝିଅଟି ମୋ ନାଁ ଜାଣିଲା କେମିତି। ମୁଁ ତାର ହାତ ଧରି ମୋ ବସିବା ଜାଗାକୁ ନେଇ ଆସି ପାଖରେ ବସାଇ ପଚାରିଲି,

- ତମେ ମୋତେ ଚିହ୍ନିଛ?

- ହଁ...ଅଁ..

- କେମିତି?

- ମୋ ବୋଉ ଚିନେଇଚି। ତମଲ ଫଟ ମୋ ବୋଉଲ ଆଲମାଲୀଲେ ଅଚି।

ମୁଁ ଟିକେ ଅନ୍ୟମନସ୍କ ହୋଇଗଲି। ତାହେଲେ ଏ କଣ ଅନନ୍ୟାର ଝିଅ? ମୋ ଭାବନାରେ ବାଧା ଦେଇ ଝିଅଟି ମୋ ହାତ ଧରି ଟାଣିଲା। କହିଲା, ଅଙ୍କଲ୍! ତମେ ଆଚ, ବୋଉ ଦେଖିଲେ ଭାଲି ଖୁଚି ହବ. ମୁଁ କି ଏକ ଆକର୍ଷଣରେ ଟାଣି ହୋଇ ଯାଇଥିଲି କୁନି ଝିଅଟିର କଥାରେ।

ଆମ ଆଡ଼କୁ ପଛ କରି ଘାସର ଗାଲିଚା ଉପରେ ବସିଥିଲା ଅନନ୍ୟା। କୁନି ଝିଅଟିର ଡାକରେ ବୁଲି ଚାହିଁଲା। ମୋତେ ଦେଖି ଅବାକ୍ ହୋଇ ଠିଆ ହୋଇ ପଡ଼ିଲା। ସେ ବୋଧହୁଏ ଚିନ୍ତା କରି ନ ଥିଲା ଏମିତି ମୋ ସହ ତାର ଦେଖା ସାକ୍ଷାତ ହେବ। ଏତେ ଦିନ ପରେ ଅନନ୍ୟାକୁ ଦେଖି ମୋ ଆଖି ସଜଳ ହୋଇ ଆସିଲା। ମୁଁ ପାଖକୁ ଯାଇ ପଚାରିଲି, ଆଉ କେମିତି ଅଛ?

- ଭଲ। ହେଲେ ମୁଁ ତମ ସହିତ କାହିଁକି କଥା ହେଉଛି? ତମେ ତ ମୋ ବାହାଘରକୁ ମଧ୍ୟ ଆସିଲ ନାହିଁ।

ମୁଁ ମୋର ଅସହାୟତା ଜଣାଇଲି। ଅନନ୍ୟା ବୁଝିଗଲା। ଅନେକ କଥା ହେଲୁ। ତାର ସ୍ୱାମୀଙ୍କର ବଦଳି ହୋଇ ଯାଇଛି, ଏ ସହରକୁ ଆସି ମାସଟିଏ ହୋଇଛି। ପଚାରିଲା,

- ଆଉ ବାହା ସାହା ହେଲଣି କି ନାହିଁ?

- ତମ ପରି ଝିଅର ସନ୍ଧାନରେ ଅଛି। ମିଳିଲେ ବାହା ହୋଇଯିବି। ମୋ କଥାରେ ଅନନ୍ୟା ଅନ୍ୟମନସ୍କ ହୋଇଗଲା କିଛି କ୍ଷଣ।

ମୁଁ କଥାର ମୋଡ଼ ବଦଳାଇ କହିଲି, ଆଉ ତୁମ ପତିଦେବ କାହାନ୍ତି... ମୋ କଥା ସରିନାହିଁ, ଛଅ ଫୁଟ ଉଚ୍ଚତା ବିଶିଷ୍ଟ ବଳିଷ୍ଠ ବ୍ୟକ୍ତିତ୍ୱର ଭଦ୍ରଲୋକ ଜଣେ ଆସି ଅନନ୍ୟାକୁ ଲାଗି ଠିଆ ହେଲେ। ଅନନ୍ୟା ଚିହ୍ନାଇ ଦେଲା। ମୁଁ ତାଙ୍କ ସହ କରମର୍ଦ୍ଦନ କଲି। ମୁଁ ଅନନ୍ୟାର ପୁରୁଣା ବନ୍ଧୁ ଜାଣି ପାରି ସେ ହସ ହସ ମୁଖରେ ଅନନ୍ୟାର ଗୁଣଗ୍ରାମ ସବୁ ବଖାଣି ବସିଲେ। ତାପରେ ବିଦାୟ ନେବା ପୂର୍ବରୁ ଠିକଣାଟା ଦେଇ ମୋତେ ଅନୁରୋଧ କଲେ ଥରେ ଘରକୁ ଆସିବା ପାଇଁ। କୁନି ଝିଅଟି ଚାଲୁ ଚାଲୁ କଣ ଭାବି ଫେରି ପଡ଼ିଲା ପୁଣି ଥରେ। ମୁଁ ତାକୁ ମୋ ଛାତି ଉପରକୁ ଉଠାଇ ନେଇ ମୁହଁରେ ବୋକ ଦେଇ ଭାବପ୍ରବଣ ହୋଇ ଉଠିଲି।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Romance