ସେବକକୁ ଦଣ୍ଡ
ସେବକକୁ ଦଣ୍ଡ
ଶ୍ରୀମତୀ ସୁଜାତା ସିହ୍ନା
ଦିନେ ରାଜଦରବାରରେ ଜଣେ ସେବକ ନିଜର ଅଜାଣତରେ ତାର ଏକ ଭୁଲ ହୋଇ ଯାଇଥିଲା l ଏଥିରେ ବାଦଶାହ ଆକବର ରାଗିଯାଇ କହିଲେ ! ବଜାରରୁ ଏକ କିଲୋ ଚୂନ ନେଇ ଆସ ଏବଂ ତାକୁ ମପ ସମ୍ମୁଖରେ ବସି ସବୁ ଖାଅ l
ଏହା ଶୁଣି ସେବକଟି ବହୁତ ଡ଼ରିଗଲା l ସେ ଏପରି ଭୁଲ ଆଉ କେବେ କରିବ ନାହିଁ ବୋଲି ଯେତେ କାକୁତି ମିନତି ହେଲେ ମଧ୍ୟ ବାଦଶାହ ଶୁଣିଲେ ନାହିଁ l ସେ ମନେ ମନେ ଭାବିଲା ଯଦି ସେ ଆଦେଶ ନ ମାନିବ ତାକୁ ଫାଶୀ ଦଣ୍ଡ ମଧ୍ୟ ମିଳିପାରେ ; ଆଉ ଯଦି ସେ ଚୂନତକ ଖାଇଦିଏ ତେବେ ତାର ଅବସ୍ତା କ’ଣ ହେବ ତାହା ଭଗବାନଙ୍କୁ ଜଣା ! ଏମିତି ଚିନ୍ତା କରୁଥିବା ସମୟରେ ତାର ବୀରବଲଙ୍କ କଥା ମନେ ପଡ଼ିଲା l ସେ ତାଙ୍କ ସହ ଭେଟ ହୋଇ ଉଚିତ୍ ପରାମର୍ଶ ନେବା ପାଇଁ ଠିକ୍ କଲା l ତା’ପରେ ସେ ବୀରବଲଙ୍କୁ ଯାଇ ସବୁକଥା ଜଣାଇଲା l ଗରିବ ସେବକ କହିଲା ବୀରବଲ ମହାଶୟ ମୋର ପିଲାଛୁଆ ସଂସାର ଭାସିଯିବେ l ମୋତେ ଆପଣ ଏ ବିପଦରୁ ରକ୍ଷା କରନ୍ତୁ l ମୋର ଆପଣଙ୍କ ଉପରେ ଭରଷା ଅଛି l ମୋତେ ବଞ୍ଚାନ୍ତୁ l
ବୀରବଲ ସବୁଶୁଣି କହିଲେ- ତୁମେ ଡ଼ର ନାହିଁ l ତୁମେ ବଜାରରୁ ଏକ ଚତୁର୍ଥାଂଶ ମାଖନ ଓ ତିନି – ଚତୁର୍ଥାଂଶ ଚୂନ କିଣି ଆଣ l ଯେତେବେଳେ ବାଦଶାହ ସଲାମତ ତୁମକୁ ଏହାକୁ ଖାଇବାକୁ କହିବେ l ତୁମେ ପ୍ରଥମେ ମାଖନ ଖାଇବାକୁ ଆରମ୍ଭ କରିଦେବ l ମୋର ବିଶ୍ଵାସ ଅଛି ତୁମର କିଛି ହେବ ନାହିଁ l
ସେବକଟି ବୀରବଲଙ୍କ କହିବା ଅନୁସାରେ ତିନି ଚତୁର୍ଥାଂଶ ଚୂନ ଓ ଏକ ଚତୁର୍ଥାଂଶ ମାଖନ ଆଣିଲା ଓ ତାକୁ ଏକ ଥାଳିରେ ରଖି ବାଦଶାହଙ୍କ ଆଗରେ ଉପସ୍ଥିତ ହେଲା l ବାଦଶାହଙ୍କ ହୁକୁମ ଦେଲେ- ଏଥର ତୁମେ ଏହାକୁ ଖାଅ l
ସେବକଟି ପ୍ରଥମେ ମାଖନ ଥିବା ଅଂଶକୁ ଧୀରେ ଧୀରେ ଖାଇବାକୁ ଲାଗିଲା l ଏହା ଦେଖି ବାଦଶାହ ଆକବର ଆଶ୍ଚର୍ଯ୍ୟ ହୋଇଯାଇ ମନେ ମନେ ଭାବିଲେ – ଏ ସେବକ କିପରି ଚୂନତକ ଖାଇଯାଉଛି l ତାଙ୍କ ମନରେ ଦୟା ଆସିଲା ଅଧିକ ଚୂନ ଖାଇଲେ ତାର ମୃତ୍ୟୁ ନିଶ୍ଚୟ ହେବ l ଏହା ଭାବି ସେ ସେବକକୁ କହିଲେ – ସେତିକି ଥାଉ l ଆଉ ଚୂନ ଖାଅ ନାହିଁ l ମୁଁ ଏଥର ତୁମକୁ କ୍ଷମା କରିଦେଲି l
ସେବକ ସେଠାରୁ ଖୁସି ହୋଇ ଚାଲିଗଲା l ବାଦଶାହ ତାଙ୍କ ରାଜବୈଦ୍ୟଙ୍କୁ ଡକାଇ ସେବକର ଚିକିତ୍ସା କରିବା ପାଇଁ ଆଦେଶ ଦେଲେ l ବୈଦ୍ୟସବୁ କିଛି ଅନୁଧ୍ୟାନ କରି ଜାଣିବାକୁ ପାଇଲେ ଯେ ସେବକ ଟିକେ ହେଲେ ବି ଚୂନ ଖାଇନାହିଁ l ବାଦଶାହ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ସେବକକୁ ପଚାରିଲେ – ତା’ ହେଲେ ତୁମେ ଚୂନ ବଦଳରେ କ’ଣ ଖାଉଥିଲ ? ସେବକ ଡ଼ରି ଡ଼ରି କହିଲା – ହଜୁର ମୁଁ ମାଖନ ଖାଉଥିଲି l ବାଦଶାହ କହିଲେ- ସତ କୁହ ଏ ବୁଦ୍ଧି ତୁମକୁ ଦେଲା କିଏ ? ସେବକ କହିଲା ହଜୁର ଏ ବୁଦ୍ଧି ମତେ ବୀରବଲ ଦେଇଛନ୍ତି l
ବାଦଶାହ ଏକଥା ଶୁଣି କହିଲେ- ଯା ହେଉ ବୀରବଲଙ୍କ ଯୋଗୁଁ ତୁମେ ସୁରକ୍ଷିତ ବଞ୍ଚିଗଲ l