Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Romance

2  

Dibyajyoti Mohanty

Romance

ନାମୀ ଗଳିର ଦାମୀ ପ୍ରେମିକା

ନାମୀ ଗଳିର ଦାମୀ ପ୍ରେମିକା

3 mins
7.6K


ନାମୀ ଗଳିର ଦାମୀ ପ୍ରେମିକା

 

ସଞ୍ଜ ନଇଁଲେ ଚାଲେ ସେ ଗଳି ବିଷୟରେ ଚର୍ଚ୍ଚା, ରାତି ପାହିଲେ ଚାଲେ ସେ ଗଳି ବିଷୟରେ ଚର୍ଚ୍ଚା । ଏଇ କିଛିଦିନ ହେବ ସେ ଗଳିଟି କାହିଁ କେଉଁ ଏକ ବେନାମୀ ଗଳିରୁ ପରିଣତ ହୋଇଛି ଏକ ନାମୀ ଗଳିରେ । ଆଗରୁ ଏହି ଗଳିରେ କାଁଭାଁ ଲୋକ ଦିଶନ୍ତି ! ଖରାବେଳେ ଶୂନ୍ୟତା ଖାଁ ଖାଁ ଦଉଡେ ଏହି ଗଳିରେ ! ନିର୍ଜନତା ଭରେ ଏଠି ଅମାପ ଦୁଃଖର ସାଗର । ଅବଶ୍ୟ ଅପରାହ୍ନର ନିରବତାକୁ ଭାଙ୍ଗି କିଛିଟା ଗହଳି ଚହଳି ଲାଗେ ସନ୍ଧ୍ୟାର ପରାକାଷ୍ଠାରେ । ମାତ୍ର ରାତିର ବୟସ ବଢିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ଗହଳି ଚହଳିରେ ପଡେ ଭଟ୍ଟା । ମଧ୍ୟରାତ୍ରରେ ଏଠି ଦେଖାଯାନ୍ତି କେବଳ ଗଳିର ଏମୁଣ୍ଡରୁ ସେମୁଣ୍ଡ ଭୁକି ଭୁକି ରାତିର ନିରବତାକୁ ଭାଙ୍ଗୁଥିବା ଦୁଇ ଚାରୋଟି କୁକୁର । କିମ୍ବା ଯମଦୂତଙ୍କ ଭଳି ପହରା ଦେଉଥିବା ଦୁଇତିନୋଟି ପୋଲିସ୍ । ବାସ୍ ମୋଟାମୋଟି ଦେଖିବାକୁ ଗଲେ ଏଇ ଗଳିଟିର ଚେହେରା ଥିଲା ଏମିତି ।

 

ମାତ୍ର ଯେବେଠୁ ସୋନାଲିକା ପଟ୍ଟନାୟକ ଏଗଳିରେ ପାଦ ଦେଲା ସେବେଠୁ ଏ ଗଳିର ଚର୍ଚ୍ଚା ଚାଲିଲା ଗାଁଠୁ ସହର । ପିଲା ବୁଢା ସଭିଙ୍କ ମୁହଁରେ ଥିଲା କେବଳ ଗୋଟିଏ ନାମ ସୋନାଲିକା ପଟ୍ଟନାୟକ । ସୋନାଲିକା ରୂପରେ ଥିଲା ଯେତିକି ସୁନ୍ଦର କଥା ମଧ୍ୟ ତା’ର ସେତିକି ମଧୁର । ତା’ର ରୂପ ଗୁଣରେ ସେ କରୁଥିଲା ସମସ୍ତଙ୍କୁ ବିଭୋର । ତା’ ରୂପଗୁଣରେ ବିଭୋର ହୋଇ କେତେ ଯେ ପାଗଳ ଭ୍ରମର ଉଡି ଆସନ୍ତି ଏ ଗଳିକୁ ତାର ହିସାବ ନାହିଁ । ଆଉ ଲୁଟାଇ ଚାଲନ୍ତି କେତେ ଯେ ଟଙ୍କା ପଇସା, ସୁନାଗହଣା ତାହା କଳ୍ପନାର ବାହାରେ । ସୋନାଲିକାର ରୂପଗୁଣରେ ବିମୋହିତ ହୋଇପଡିଥିବା ଅସଂଖ୍ୟ ପାଗଳ ଭ୍ରମର ମାନଙ୍କ ମଧ୍ୟରୁ ଏପରି ଏକ ପାଗଳ ଭ୍ରମର ହେଉଛି ଅଭିଜିତ ମହାନ୍ତି । ସେ ତା’ର ସାଙ୍ଗ ପକେଟରେ ସୋନାଲିକାର ଫଟୋଟି ଦେଖିଲା ପରଠୁ ତା’ର ଟିକେ ସାନ୍ନିଧ୍ୟ ପାଇବା ପାଇଁ ହୋଇଉଠିଥିଲା ବ୍ୟାକୁଳ । ତା’ ଆଖି ଦୁଇଟି ପ୍ରତ୍ୟେକ ଦିନ ରାତିରେ ସ୍ୱପ୍ନର ସମସ୍ତ ବନ୍ଧବାଡ ଭାଙ୍ଗୁଥିଲା ସେନାଲିକା ପାଇଁ । ସେ ମନସ୍ତ କରିସାରିଥିଲା ଯାହାବି ହେଇଯାଉ ଯିଏ ଯାହା ଭାବୁ ନା କାହିଁକି; ସୋନିଲିକାଠୁ ଟିକେ ପ୍ରେମ ପରସ ପାଇ ନିଜକୁ କୃତ୍ୟ କୃତ୍ୟ ମନେ କରିବ । ରାତିର ରଜନୀଗନ୍ଧାରେ ସୋନାଲିକାକୁ ନିଜ ବାହୁବନ୍ଧନରେ ସଜାଇ ପ୍ରୀତିଫଗୁଣର ସେ ଏକ ନିଆରା ସ୍ୱାଦ ଚାଖିବ । ହେଲେ ସେଇ ବେନାମୀ ଗଳିଟିକୁ ନାମୀ ଗଳିରେ ପରିଣତ କରିଥିବା ସୋନାଲିକା ଥିଲା ବେଶ୍ ଦାମୀ । ଯାହାକୁ ପାଇବା ପାଇଁ ହରାଇବାକୁ ପଡେ ଅଜସ୍ର ଟଙ୍କା ପଇସା ।

 

ବ୍ୟାଚ୍ଲର୍ ଅଭିଜିତ ପାଇଁ ସୋନାଲିକାକୁ ନେଇ ସ୍ୱପ୍ନ ଦେଖିବା ଥିଲା ଆକାଶ କଇଁଆ ଚିଲିକା ମାଛ ଭଳି । ତା’ ପାଖରେ ଟଙ୍କାପଇସା ଖୋଜିବାର ଅର୍ଥ ମରୁଭୂମିରେ ମୁନ୍ଦେ ଜଳର ସନ୍ଧାନ କଲାଭଳି । କିନ୍ତୁ ଅର୍ଥର ଅଭାବ ବାନ୍ଧି ରଖିପାରିନଥିଲା ଅଭିଜିତକୁ । ସେ ଯାଇ ପହଂଚିଥିଲା ସୋନାଲିକାର ଦୁଆରମୁହଁରେ, କରିଥିଲା ବିନମ୍ର ପ୍ରେମ ନିବେଦନ । ମାତ୍ର ଅନ୍ୟ ସମସ୍ତ ପାଗଳ ଭ୍ରମର ମାନଙ୍କ ପରି ତାକୁବି ହେବାକୁ ପଡିଲା ପ୍ରତ୍ୟାକ୍ଷୀତ ।

 

ଶିଶୁଟି ବାରମ୍ବାର ଚାଲିବାକୁ ପ୍ରୟାସ କରି ସଫଳ ହେବାଭଳି, ସେ ମଧ୍ୟ ତା’ର ପ୍ରଚେଷ୍ଟାରେ ସଫଳ ହୋଇଥିଲା । ତାକୁ ମିଳିଥିଲା ଗୋଟିଏ ରାତି ସୋନାଲିକା ସହ ମଧୁଚନ୍ଦ୍ରିକା ରାତିକୁ ଉପଭୋଗ କରିବା ପାଇଁ । ସେ ପହଂଚିଲା ଯାଇ ସୋନାଲିକା ପାଖରେ । ସୋନାଲିକା ବସିଥିଲା ପଲଙ୍କ ଉପରେ, ପଲଙ୍କଟି ସଜା ହୋଇଥିଲା ରଜନୀଗନ୍ଧା, ଗୋଲାପ ଆଉ ମଧୁମାଳତୀରେ । ଗୋଲାପର ସତେଜତା ରୁମରେ ଭରୁଥିଲା ଆହୁରି ଉଷ୍ମତା । ସେ ଉଷ୍ମତାର ଦହନ ଭିତରେ ଜଳିଯିବାକୁ ବସିଥିଲା ଦୁଇଟି ଦେହ ଆଉ ମନ । ଯେପରି ଦୁହେଁ ଦୁହିଁଙ୍କ ସହ ମିଶି ଏକାକାର ହୋଇଯିବେ । ହୋଇଯିବ ଦୁଇଟି ଶରୀର, ମନ ଓ ପ୍ରାଣ ଏକାକାର । ରଙ୍ଗୀନ ବଲବର ଝାପ୍ସା ଆଲୋକରେ ସୋନାଲିକା ଦେଖାଯାଉଥିଲା ବାସ୍ତବରେ କଳ୍ପନାଠୁ ଆହୁରି ସୁନ୍ଦର । ତାକୁ ନିଜ ପାଖକୁ ଆମନ୍ତ୍ରିତ କରିବାର କଳାକୌଶଳ ଥିଲା ବଡ ଅଦ୍ଭୁତ ଆଉ ରମଣୀୟ । ମନେକରୁଥିଲା ସେ ପହଂଚି ଯାଇଛି କେଉଁ ଏକ ପରୀ ରାଇଜର ଦ୍ୱାରଦେଶରେ ।ସୋନାଲିକା ସାଜିଥିଲା ତା’ପାଇଁ ଗୋଟେ ସୁନ୍ଦର ପରୀ । ତା’ର ସ୍ପର୍ଶ ଥିଲା ଜହ୍ନଠୁ ଶିଥିଳ, ମୁକ୍ତାଠୁ ନିର୍ମଳ, କୋଇଲିର   କୁହୁତାନଠୁ ମଧୁର, ମଦିରାର ନିଶାଠୁ ଅଧିକ ନିଶାଶକ୍ତ ।

 

ସେ ଯାଇ ଆଣ୍ଠୁମାଡି ବସିଲା ସୋନାଲିକା ପାଖରେ, ପୁଣି ଥରେ ଜଣାଇଲା ବିନମ୍ର ପ୍ରେମ ନିବେଦନ । ଏହା ଦେଖି  ସୋନାଲିକା ଗୋଟିଏ ବିମୋହିତ କଲା ଭଳି ସୁନ୍ଦରୀ ନାରୀରୁ ପାଲଟିଗଲା ବଡ ଭୟଙ୍କର । ତା ଆଖି ଦୁଇଟି ହୋଇଉଠିଲା ଅସ୍ତଗାମୀ ସୂର୍ଯ୍ୟଙ୍କ ଭଳି ଲାଲ୍ । ମାତ୍ର ଅଭିଜିତ୍ ମହାନ୍ତିର ତାକୁ ପାଇବା ପାଇଁ କାହାଣୀ ନ ସରିବା ପୂର୍ବରୁ ତା ଆଖିର ଦୁଇଧାର ଲୁହ ଭୂମି ସ୍ପର୍ଶ କରିସାରିଥିଲା । ତାକୁ ପାଇବା ପାଇଁ ସେ ନିଜର ସର୍ବସ୍ୱ ହରାଇ ସାରିଥିଲା ଏପରିକି ତାର ଗୋଟିଏ କିଡନି ମଧ୍ୟ ।

 

ସେ ବି ଅଭିଜିତକୁ ତା ପୁରୁଣା ଦିନର ସମସ୍ତ ଘଟଣା ବୁଝାଇ ଫେରିଯିବାକୁ ଅନୁରୋଧ କରିଥିଲା । କେମିତି ସେଦିନ ରାତିରେ ଦୁଇ ଚାରୋଟି ରାକ୍ଷସ ତା ଦେହଟାକୁ ଖିନଭିନ୍ କରି ଖାଇଯାଇଥିଲେ । ଯାହା ପରଠୁ ଲୋକ ଲଜ୍ଜ୍ୟା ଓ ସମାଜର ନିତି ନିୟମ ବିଧି ବ୍ୟବସ୍ଥାକୁ ସହ୍ୟ କରିନପାରି ସେ ସାଜିଛି ଏଇ ନାମୀ ଗଳିର ଦାମୀ ପ୍ରେମିକା ।

 

ହେଲେ ତାର ସମସ୍ତ ଚେଷ୍ଟା ଅଭିଜିତକୁ ଫେରାଇ ପାରିଲାନି । ଶେଷରେ ତାକୁ ହାର ମାନିବାକୁ ହେଲା ଅଭିଜିତର ପାଗଳ ପରି ଅଜସ୍ର ଭଲ ପାଇବା ଆଗରେ । ସେଦିନ ରାତିର ଅନ୍ଧକାର ଅପସରି ଯିବା ପୂର୍ବରୁ ନାମୀ ଗଳିର ଦାମୀ ପ୍ରେମିକାଟି ରାତିର ନିର୍ଜନତାରେ ଶୂନ୍ୟତା ଭିତରେ ହଜି ଯାଇଥିଲା ଦାମୀ ପ୍ରେମିକର ବେନାମୀ ପ୍ରେମିକା ସାଜି ।

 

ଦିବ୍ୟଜ୍ୟୋତି ମହାନ୍ତି

 

ମୋ -୭୩୭୭୫୧୦୨୫୪

 


Rate this content
Log in

Similar oriya story from Romance