Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରଙ୍ଗୀ ମାଉସୀ
ରଙ୍ଗୀ ମାଉସୀ
★★★★★

© Ajaya Mahala

Drama Inspirational

4 Minutes   1.3K    14


Content Ranking

ପିଞ୍ଛ ପରି ସରୁ ଦେହ ଆଉ ପିନ ପିନ ଗୋରା। ମୋ ବଡ଼ ଭଉଣୀ କହେ ତା ମୁହଁ କୁଆଡେ ଟାଲକମ ପାଉଡର ଡବା ଉପରେ ଅଙ୍କା ଯାଇଥିବା ସୁନ୍ଦରୀମାନଙ୍କର ଛବିଠୁଁ କିଛି କମ୍ ନୁହେଁ । ସୁନ୍ଦରୀ ହେବା ଦୋଷରୁ ବହୁତ ଅଳ୍ପ ବୟସରେ ତାର ବାହାଘର ହୋଇଗଲା ! ଯିଏ ମୋର ମଉସା ହେବାକୁ ଥିଲେ, ସେ କଟକରେ ସରକାରୀ ଚାକିରି କରୁଥିଲେ । ମାଉସୀ ପାଖ ଗାଆଁର ସବୁଠୁଁ ସୁନ୍ଦର ଝିଅ ଏକଥା ମଉସାଙ୍କୁ ଅଜଣା ନଥିଲା । ତାଙ୍କର ସରକାରୀ ଚାକିରି ହୋଇଥିବା ଯୋଗୁଁ ବିବାହ ହେବାରେ କୌଣସି ବିଳମ୍ବ ବା ବାଧା ନଥିଲା । ମାତ୍ର ବାହାଘର ହେବାର କିଛିଦିନ ଆଗରୁ ଗୋଟିଏ ରୋମାଞ୍ଚକାରୀ ଘଟଣା ଘଟିଗଲା - ଯାହା ମୁଁ ଏଇଠି କହିବା ଉଚିତ ମଣୁଛି।

ସେଦିନ ରଜ ଥିଲା। ମୋର ଭାବି ମଉସାଙ୍କର ମାଉସୀଙ୍କୁ ଦେଖିବାକୁ ବହୁତ ଇଚ୍ଛା ହେଲା । ମାଉସୀଙ୍କୁ ତାଙ୍କ ଗାଁଆକୁ ଯାଇ ଠାବ କରିବା ବହୁତ ବଡ଼ କଥା ନଥିଲା। ଖବର ନେଇ ଜାଣିଲେ, ମାଉସୀ ଗାଁଆ ଝିଅମାନଙ୍କ ସହ ରଜରେ ବୁଲୁଛନ୍ତି।ଆଉ ଯେତେଦୂର ସମ୍ଭାବନା, ସେ ଦୋଳି ଖେଳିବା ପାଇଁ ଆମ୍ବତୋଟାକୁ ଯାଇଥିବେ। ସେଇଠି ହିଁ ମାଉସୀଙ୍କୁ ଦେଖି ପାରିବେ।ହେଲେ ଗାଁଆରେ ତ ବହୁତ କଟକଣା - ସେ କଣ କରିବେ ! ପର ଗାଁଆ ପିଲା ଯଦି ଏ ଗାଁଆକୁ ବୁଲିବାକୁ ଆସିବେ, ଲୋକମାନେ ସେମିତି ବି ସନ୍ଦେହ କରିବେ । ଅଳ୍ପବୟସିଆ ମଉସାଙ୍କର ଏତେ ବି ସାହସ ନ ଥିଲା । ମଝି ଦାଣ୍ଡରେ ଜଣେ ସିନା ମୁଣ୍ଡ ଉଠାଇ ଚାଲିଯିବ, କିନ୍ତୁ ଗାଁଆ ମୁଣ୍ଡ ଆମ୍ବତୋଟା, ଯେଉଁଠି ରଜଦୋଳି ଲାଗିଛି, ସେଠିକି ଗୋଟିଏ ପୁଅପିଲାଟିଏ ବିନା କାରଣରେ ଯିବ କେମିତି ? ଗୋଟିଏ ବାହାନା ଦରକାର ଥିଲା - ଆଉ ତାହା ମିଳିଗଲା ବି। ଯୁବକ ମଉସା ଅଗ୍ରସର ହେଲେ ମୋ ମାମୁଁଘର ଗାଁଆ ଆଡେ ଯେଉଁଟା କି ମୋ ମାଉସୀର ଗାଁଆ । ବାହାନା ବାଛୁରୀ ଖୋଜା - ଟିକି ବାଛୁରୀ ହଜି ଯାଇଛି, ଗୋଠରୁ ଫେରିନି। ବାଛୁରୀ ଗାଁଆ ଭିତରେ ଖୋଜି ଖୋଜି ସିଧା ପହଞ୍ଚି ଗଲେ ଆମ୍ବ ତୋଟାରେ ଯେଉଁଠି ଝିଅମାନେ ଦୋଳି ଖେଳୁଥିଲେ। ଚିହ୍ନା ମୁହଁମାନଙ୍କୁ ଅଲଗା କଲା ପରେ ଯେଉଁ କେତୋଟି ଅଚିହ୍ନା ମୁହଁ ରହିଗଲା ତା ଭିତରେ ସବୁଠୁଁ ସୁନ୍ଦର ଚେହେରା ରଙ୍ଗୀ ମାଉସୀର ହିଁ ଥିଲା । ଆଉ ସେହି ସୁନ୍ଦର ଚେହେରା ବିଶିଷ୍ଟ ଅଚିହ୍ନା ମୁହଁଟି ସେତିକି ବେଳେ ଦୋଳିରେ ଝୁଲୁଥିଲା। ମଉସା ଚାହିଁ ରହିଥିଲେ ମାଉସୀକୁ ଅପଲକ ଦୃଷ୍ଟିରେ। ଏସବୁ କଥା ନ ଜାଣି ମାଉସୀ ଦ୍ରୁତତାର ସହ ବାଉଁଶ ଦୋଳି ଖେଳୁଥିଲା ଡ଼ାଳ ଦୋହଲାଇ । ରଜର ଉଲ୍ଲାସରେ। କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ମାଉସୀର ନଜର ପଡିଗଲା, ଅଚିହ୍ନା ଯୁବକଟି ଉପରେ ଯିଏ ଲଜ୍ଜାହୀନ ଦୃଷ୍ଟିରେ ଚାହିଁ ରହିଥିଲା ତା ଆଡେ। ସେତିକିବେଳେ କେହି ଜଣେ କହିଦେଲେ, "ଆଲୋ, ଇଏ ପରା ତୋର ବର - ୟାଙ୍କ ସହ ତୋର ବାହାଘର ଲାଗିଛି" । ମାଉସୀ ଛାତିରେ ଯେମିତି ବିଜୁଳି ଖେଳିଗଲା। ଲାଜରେ ଜୁଡ଼ୁବୁଡ଼ୁ ହୋଇଗଲା ସେ। ବାଉଁଶକୁ ଜୋର କରି ଜାବୁଡି ଧରିଥିବା ତା ସୁନ୍ଦର ଗୋରା ହାତ ଦୁଇଟି ଶିଥିଳ ହୋଇ ଆସୁଥିଲା। ତା' ପରେ କଣ ହେଲା ଜାଣିନି ସେ। ନୂଆ ଲୁଗା ତାର ଛିଣ୍ଡି ଯାଇଥିଲା ଆଉ କହୁଣୀରୁ ରକ୍ତ ଝରି ଯାଉଥିଲା । ସଖୀମାନେ ଘେରି ଯାଇଥିଲେ ମାଉସୀଙ୍କୁ ସେ ଆମ୍ବତୋଟା ଭିତରେ। ଦୋଳି ବନ୍ଦ ହୋଇ ସାରିଥିଲା। ମଉସା ସୁବିଧା ଦେଖି ଘଟଣାସ୍ଥଳରୁ ଅଦୃଶ୍ୟ ହୋଇସାରିଥିଲେ।

ମାତ୍ର କେଇଦିନ ପରେ ମଉସା ବାଜା ବାଣ ଧରି ମାଉସୀ ଘର ଗାଁରେ ପହଞ୍ଚି ଗଲେ। ବାହାଘର ଧୂମ ଧାମରେ ହେଲା। ମଉସା ମାଉସୀଙ୍କୁ ନେଇ ଚାଲିଗଲେ। ତାପରେ ନିପଟ ମଫସଲ ଗାଁଆର ଝିଅ ମୋ ମାଉସୀ ପହଞ୍ଚି ଗଲା କଟକ ସହରରେ। ତା ପରେ ପିଲାଛୁଆଙ୍କ ସଂସାର, ନୂଆ ଘର କିଣା ଆଉ କେତେ କଣ ଉନ୍ନତି। ସମସ୍ତେ କହନ୍ତି ରଙ୍ଗୀ ମାଉସୀ ପାଖରେ ସମସ୍ତ ଘରକରଣା ଜିନିଷ ଅଛି ଆଉ ତା ପାଖରେ ସବୁବେଳେ ପଇସାର ହାଉଯାଉ। ତା ଦେହରେ ବୟସର ଦାଗ କେବେ ପଡି ନ ଥିଲା । ବାହାଘର ବେଳେ ଯେତିକି ସୁନ୍ଦର ଥିଲା ତାଠୁଁ ଅଧିକ ସୁନ୍ଦର ହୋଇଯାଇଛି ବାହାଘର ପରେ। ମଉସା ବି ବହୁତ ଭଲ ପାଆନ୍ତି ତାକୁ। ବହୁତ ବର୍ଷପରେ ମୁଁ ଯେତେବେଳେ ତାକୁ କଟକ ସହରରେ ଦେଖିଥିଲି ଗୋଟିଏ ବି ବାଳ ପାଚି ନଥିଲା ତା ମୁଣ୍ଡରେ। ରିଟାୟାରମେଣ୍ଟ ହେବାର ମାସେ ନ ପୁରୁଣୁ ମଉସା ହଠାତ ସ୍ୱର୍ଗବାସୀ ହୋଇଗଲେ। ତା ପରେ ମୁଁ କେବେ ତାଙ୍କ ଘରକୁ ଯାଇ ନଥିଲି। ଭୁବନେଶ୍ୱରରୁ କଟକ ଦେଇ ମୁଁ ମୋ ନିଜ ଗାଁଆକୁ ଯାଉ ଯାଉ ହଠାତ କଣ ମନେ ହେଲା କେଜାଣି, ମୁଁ ମାଉସୀ ଘର ଆଡ଼କୁ କାରକୁ ମୋଡ଼ି ଦେଲି । ମାଉସୀ କବାଟ ଖୋଲିଲା। ମୁଁ ତା ପଛେ ପଛେ ଘର ଭିତରକୁ ଚାଲିଲି। ଦି'ପହର ହୋଇଥିବାରୁ ହଠାତ ସମସ୍ତେ ଖାଇ ବସିଲୁ। ତାପରେ ଭଲ ମନ୍ଦ କଥା ହେବାର ବେଳ। ମୁଁ ରୁମ ଭିତରେ ଚେୟାର ଉପରେ ବସିଥାଏ। ମାଉସୀ ଦ୍ୱାର ବନ୍ଧ ପାଖରେ ବାହାରକୁ ଅନାଇଁ ବସିଥାଏ। ବେଳେ ବେଳେ ମୁହଁ ବୁଲାଇ ମତେ ବି ଦେଖି ନେଉଥାଏ।

ମୁଁ ତା ମୁହଁକୁ ନିରେଖି କରି ଦେଖୁଥାଏ - ଖାସ କରି ସେତିକିବେଳେ ଯେତେବେଳେ ସେ ବାହାରକୁ ଚାହୁଁ ଥାଏ । ତା କାନ ଉପର ଦେଇ କେତୋଟି ପାଚିଲା ବାଳ ଲଟକି ଥିଲେ ଯାହା ମୁଁ ଠିକ ରୂପେ ଦେଖି ପାରୁଥିଲି। ବୟସର ରେଖା କେତୋଟି ବି ଦିଶି ଯାଉଥିଲା ତା ବେକ ମୂଳରେ। ଏ ସବୁ ସତ୍ତ୍ୱେ ବି ମୋତେ ସିଏ ଦେଖା ଯାଉଥିଲା ଟାଲକମ ପାଉଡର ଡବା ଉପରେ ଅଙ୍କା ଯାଇଥିବା ସୁନ୍ଦରୀର ଚିତ୍ର ପରି। ମାଉସୀର ସୌନ୍ଦର୍ଯ୍ୟ ଯେମିତି ଛୁଆବେଳୁ ମୋ ମନରେ ବସା ବାନ୍ଧି ରହି ଯାଇଥିଲା। ସିଏ ହଠାତ ମୁହଁ ବୁଲେଇ ମୋ ଆଡକୁ ଚାହିଁଲା। ସିଏ ମନରେ ଭାବି ନେଇଥିଲା କିପରି ଆଜି ତା ସୌନ୍ଦର୍ଯ୍ୟର ନିରବ ପ୍ରଂଶସକ ଦୁଃଖିତ ହୋଇ ସାରିବଣି। ଏହା ଦେଖି ଯେ ତା ପ୍ରିୟ ମାଉସୀର ରୂପ ଉପରେ କିପରି ଜୀବନ ଆଉ ବୟସ ଦାଉ ନେଇ ସାରିଛନ୍ତି । କିଛି ସମୟ ମୋ ମୁହଁକୁ ଚାହିଁବା ପରେ ସେ ଭୋ କରି କାନ୍ଦି ପକାଇଲା। ତା ପରେ କାନ୍ଦକୁ ବନ୍ଦ କରି ଆଗ ପରି ଚାହିଁ ରହିଲା ବାହାରକୁ ଆଉ ବେଶି କିଛି କଥାବାର୍ତ୍ତା ନ କରି। ମତେ ଲାଗୁଥିଲା ମାଉସୀ ଯେମିତି ପୁରୁଣା ଦିନର ସେଇ ଅଭିଆଡ଼ି ଝିଅର ମନ ନେଇ ମାମୁଁଘର ବାଡି ପଟ ଦ୍ୱାର ପାଖରେ ବସିଛି । ଶେଷ ଜ୍ୟେଷ୍ଠର ଖରା ପିଇ ଯାଉଥିବା ପାଟ ବିଲ ଆଡକୁ ଚାହିଁ । ଥରି ଥରି ଖରାରେ ନାଚୁଥିବା ସେହି ଧୂମିଳ ଦି'ପହରର ଛାତିରେ କେହି ଜଣେ ଯୁବକ ଯେମିତି ପାଖକୁ ପାଖକୁ ଆସୁଛି । ବାଛୁରୀ ଖୋଜିବା ବାହାନାରେ। ମୋ ମାଉସୀକୁ ସାଙ୍ଗରେ ନେଇ ଯିବାକୁ।

ମଉଳି ସାରିଥିଲା ଖରା । ମୁଁ ଉଠି ଛିଡା ହେଲି ।

ରଙ୍ଗୀ ବିବାହ ରଜ ସୌନ୍ଦର୍ଯ୍ୟ

Rate the content


Originality
Flow
Language
Cover design

Comments

Post

Some text some message..