Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାହାକୁ ପୁଜିବି
କାହାକୁ ପୁଜିବି
★★★★★

© ସତ୍ୟବତୀ ସ୍ୱାଇଁ

Tragedy

4 Minutes   445    14


Content Ranking



ଶିଖା ମୋ ସ୍ତ୍ରୀ ସବୁବେଳେ ପଚାରେ କଲେକ୍ଟର ସାହେବ ଆମ ଠାକୁର ଘରେ ଗୋଟେ ମା ଧରିଥିବା ଫୋଟୋ ନିତି ପୂଜା ପାଆନ୍ତି କାହିଁକି?ଆଜକୁ କୋଡିଏ ବର୍ଷ ହେବ ଶିଖା, କଲେକ୍ଟର ସାହେବ ସମ୍ପଦ ବଳିୟାର ସିଂହଙ୍କୁ ଏକଥା ପଚାରି ଆସୁଛନ୍ତି।ସବୁବେଳେ ଗମ୍ଭୀର କଲେକ୍ଟର ସାହେବ କେବଳ ଅନାନ୍ତି ;କିନ୍ତୁ କିଛି କୁହନ୍ତି ନାହିଁ।ଆଜି ମାତୃ ଦିବସରେ ପୁଅ 'କୈବଲ୍ୟ' ଜିଦ୍ ଧରିଛି କୁହ ବାପା ଆମ ଘରେ ଠାକୁର ନାହାନ୍ତି କାହିଁକି?କାହିଁକି ପୂଜୁଛ ଏ ମାଆ ପୁଅ ଥିବା ଫୋଟୋ !! ଶିଖା ବି କହୁଥିଲେ କୁହ ନା ପ୍ଲିଜ଼....

      ଆଜି ଭାରି କାନ୍ଦ କାନ୍ଦ ଲାଗୁଥିଲେ କଲେକ୍ଟର ସାହେବ।ପୁଅକୁ ଓ ଶିଖାକୁ କହିଲେ ତେବେ ଶୁଣ ଏହା ପଛର କାହାଣୀ*******

        ବାପା ମୋର ଭାରି ରାଢ଼।କଥା କଥାକେ ହଳୁଆ ପାଞ୍ଚଣରେ କାଚି ଦେଇ ଯାଆନ୍ତି।ଯୌଥ ପରିବାରରେ ବାପା ମୁଖିଆ।ଜମିଦାରୀ ସିନା ନାହିଁ ଅଛି କିନ୍ତୁ ଜମିଦାରୀ ଢାଞ୍ଚା,ଆବଦ କାଇଦା।ସେ କହିଲେ ପତର ହଲେ।ଜେଜେ ବି ସମ୍ଭାଳା ପଡନ୍ତି ନାହିଁ ବାପାଙ୍କ ରାଗ ଆଗରେ।ଖଣ୍ଡା ଧାରରେ ଶାସନ କରନ୍ତି।ମୁଁ ସବୁଠାରୁ ସାନ ସଦସ୍ୟ ଆମ ଘରର। ସମସ୍ତଙ୍କ ଠାରୁ ଟିକେ ଅଧିକ ଗେଲ୍ହା। ତିନି ବାପାଙ୍କର ମୁଁ ଏକମାତ୍ର ପୁଅ।ତିନି ବାପାଙ୍କର ଛଅ ଝିଅଙ୍କର ଗୋଟିଏ ବୋଲି ଭାଇ।କୁଳ ନନ୍ଦନ।ଜେଜେଙ୍କ ଆଖି।ବୋଉର ଜୀବନ।ବାପା କାହାକୁ ଭଲ କଥା ପଦେ କୁହନ୍ତି ନାହିଁ ।ସବୁ ବେଳେ ବିରୁଡ଼ି ମାରିଲା ପରି ମୁହଁ।

         ମୁଁ ମାନେ ସମ୍ପଦ,ସିନ୍ଧୁ କେଉଁ କମ୍ କି।କ୍ରୋଧି ବାପାର ଜିଦିଆ ପୁଅ।ପ୍ରତି କଥାରେ ଜିଦି।ଏଇଟା ଏବେ ହେଲେ ହେବ।ଏଇଟା କରିବି ମାନେ କରିବି।ଏଇଟା ଖାଇବି ନାହିଁ ତ ଇନ୍ଦ୍ର ଚନ୍ଦ୍ର ହେଲେ ଖୁଆଇ ପାରିବେ ନାହିଁ।ଯାହା ଧରିଥିବି ଇଛା ହେବତ ଫୋପାଡ଼ି ଭାଙ୍ଗି ଦେବି। ପ୍ରତିଦିନ ମୋ ନାଁରେ ଅଭିଯୋଗ ଫର୍ଦ୍ଦ ବାଢ଼ନ୍ତି ଗାଁ ଲୋକେ।ମୋ ବାପା ମାନେ ଆମ ସରପଞ୍ଚ ବାବୁ,ଆମ ଘରର ହିଟ୍ ଲର୍ ଙ୍କୁ ମୋ ନିତି ଗତି ଆଦୌ ପସନ୍ଦ ନୁହେଁ।ସେଇଥି ପାଇଁ ସବୁଦିନେ ମୋ ପିଠିରେ ବସେ ଦେ ଧନା ଧନ୍।

      ବାପା ରାଗିଲେ ତାଙ୍କ ପାଖ କେହି ପଶନ୍ତି ନାହିଁ।କାରଣ ମୋ ଭାଗର ମାଡ଼ ସେମାନଙ୍କ ଉପରେ ପଡିବ ବୋଲି। କେବଳ ଜଣେ ମାତ୍ର ବାପାଙ୍କ ରାଗ ଓ ମାଡ଼କୁ ହଜମ କରିବାର ତାକତ ରଖେ -ସେ ହେଲା ମୋ ବୋଉ।ଥରେ ପିଟଣାଟିଏ ପକାଇଲେ ମୋ ଉପରକୁ ଯେ ବୋଉ ଧରି ନେଉ ନେଉ ତା ହାତ ଫାଟି ଗଲା।ମରିବା ଯାଏ ସେ ଫଟା ଚିହ୍ନ ଥିଲା ତା ହାତରେ।

             ମାଛ ଭଜାରେ ମୋର ଭାରି ପ୍ରିୟ।ସମସ୍ତଙ୍କୁ ଦେଇ ସାରିଲା ପରେ ବୋଉ ତା ଭାଗ ଖଣ୍ଡ ମାଛ ଟି ମୋ ପାଇଁ ଚାଳରେ ଲୁଚାଇ ଦେଇ ଥିଲା ବୋଲି ବାପା ବୋଉର କାନ ମୁଣ୍ଡାକୁ ମାରିଥିଲେ ଗୋଟେ ଚଟକଣି।କହିଲେ ମୋର ଯୌଥ ପରିବାର ଏମିତି ଲୁଚାଛପା କଣ?କଣ ଶିଖିବେ ତୁମଠୁ ତୁମ ସାନ ଯା ମାନେ।ଭାଉଁ ଭାଉଁ ହୋଇ ତିନି ଘେରା ବୁଲି ବେହୋସ ହୋଇ ଯାଇଥିଲା ବୋଉ।

     ଆଉ ଦିନେ ତାଙ୍କ ଛାତି ପକେଟ ସୁନା କଲମଟିକୁ ଭାଙ୍ଗି ଦେଇଥିଲି ବୋଲି ଘର ଖୁଣ୍ଟିରେ ବାନ୍ଧି ଦେଇଥିଲେ ମୋତେ।ତାଗିଦ୍ କରିଥିଲେ କେହି ଫିଟାଇବେ ନାହିଁ କି ଖାଇବାକୁ ଦେବେ ନାହିଁ।ବୋଉ କିନ୍ତୁ ମାନି ନଥିଲା।ଯେଉଁଥି ପାଇଁ ଗୋଟିଏ ଘରେ ତାଲା ପକାଇ ମୋ ବୋଉକୁ ବାପା ଅଖିଆ ଅପିଆ ରଖିଦେଇଥିଲେ ତିନି ଦିନ।

         ପ୍ରତିଦିନି କିଛି ନା କିଛି ଏମିତି କାମ କରୁଥିଲି ଯେ କେହି ରାଗିବ।ଥରେ ବାପା ବାକ୍ସ ଖୋଲି ରାମୁ କକା ସାଙ୍ଗେ ଜମି ଜମା ବିଷୟରେ କଥା ହେଉଥିଲେ। ମୁଁ ସେଇ ମଉକାରେ ବାକ୍ସରୁ ଜମି ଜମା ପଟା ପଇସିକିଆ କାଗଜ ଆଣି ଡଙ୍ଗା ଓ ଗୁଡି କରିଦେଲି।ତାପରେ ଦେଖିବ କଣ ଗୋଟିଏ ମାଡ଼ ତଳେ ପଡ଼ିଲେନି।ମୋ ପିଠିରେ କମ୍ ବୋଉ ପିଠିରେ ବେଶୀ ବସିଲା।ପନ୍ଦର ଦିନ ବୋଉ ପିଠି ପଟେ ଶୋଇ ପାରିନି,ଫଟା ଘା ନେଇ।

       ଦିନେ ସନା କକାଙ୍କ ପୁଅ ସୋମୁକୁ ପେଲି ଦେଇ ଥିଲି ପୋଖରୀ ଭିତରକୁ ବୋଲି ବାପା ପିଢ଼ାକୁ ଟେକି ଶୁନ୍ୟେ ଶୁନ୍ୟେ ଫିଙ୍ଗି ଦେଲେ ଫିଙ୍ଗିଲା ବେଳେ ଚାକର ବାକର,ଜେଜେ,ଭଉଣୀ ମାନଙ୍କ ଠାରୁ ବୋଉ ପର୍ଯ୍ୟନ୍ତ ସମସ୍ତଙ୍କର ଆଖି ଖୋଷି ହୋଇ ଗଲା।ସେଦିନ ମୋର ମୃତ୍ୟୁ ସୁନିଶ୍ଚିତ।ନଚେତ ଯଦି ବା ବଂଚିଯିବି ଗୋଡ,ହାତ ଭାଙ୍ଗିବ ନଲେ ମୁଣ୍ଡ ଫାଟିବା ଥୟ।

                ସମସ୍ତେ ହାଁ ହାଁ କରୁଥିଲେ।ଜମିଦାରୀ ଆଗକାଳିଆ କାଠ ପଂଜାରା ଉପରେ ବିଚିଲି ଛାଉଣୀ ଛପର।ଖୁବ୍ ଉଚ୍ଚ ପିଢ଼ା।କେହି ମୋ ବାପାଙ୍କ ଡରରେ ମୋତେ ଧରିବାକୁ ଆସିଲେ ନାହିଁ।ଜେଜେ ଗର ଗର ହୋଇ କହୁଥାନ୍ତି -ହଇରେ କୁଳ ବୁଡା!ତୁ ବାପା ନା କଂସେଇ।ଯାଉ ମରି ଯାଉ ସିନ୍ଧୁ।ରହିଛି ବୋଲି ସିନା ଏତେ କଥା।ଦୁଇ କକା ଘରେ ନଥିଲେ।କିଏ ବା ମୋତେ ଏତେ ଉପରୁ ଧରିବ।ମୁଁ ଗଡି ଗଡି ଆସି ନାଥୁ କି ପଡ଼ିଗଲି କାହା ଉପରେ।ଦେଖିଲା ବେଳକୁ ମୋର କିଛି ହୋଇନି।ମୋ ବୋଉର ଛାତି ଉପରେ ପଡ଼ିଛି ମୁଁ।ହେଲେ ମୋ ବୋଉ ଚିତ୍ ହୋଇ ପଡିଛି ଓ ତା ପଛ ପଟ ମୁଣ୍ଡ ଫାଟି ଓଦା ହୋଇ ଯାଇଛି ରକ୍ତରେ ସେ ଜାଗା।

         କଣ ହେଲା କେଜାଣି ମୋ ବୋଉ ଆଉ ବିଛଣାରୁ ଉଠିଲା ନାହିଁ କି କଥା କହିଲା ନାହିଁ।ବଇଦ ଦୈନିକ ଆସି ଔଷଧ ଦେଇ ଯାଉଥିଲେ।ଘରେ ସମସ୍ତେ ଚୁପ୍ ଚାପ୍ ଥିଲେ।ବଇଦ କହିଲେ ମେରୁଦଣ୍ଡ ଭାଙ୍ଗି ଯାଇଛି ଓ ମୁଣ୍ଡ ଫାଟି ଯିବାରୁ ଆଉ କିଛି କାମ କରୁନି।ଆଶା କ୍ଷୀଣ।ବାପା କାହା ସଙ୍ଗେ କଥା ହେଉ ନଥିଲେ।ଆଉ ମୁଁ ସେବେଠୁ ବଣ ବିଛୁଆତିରୁ ପାଲଟି ଗଲି ପୁରା ତୁଳସୀ।ସମ୍ପଦ ଚାଲିଗଲା ଶଗଡ଼ରେ ହାତ ମାରୁଥିବା ସିନ୍ଧୁ ହୋଇଗଲା ସୁନା ପୁଅ।

     ବାପା ବି ବଦଳି ଗଲେ।ବୋଉ ଶେଜ ପାଖେ ଦିନେ ବସି କାନ୍ଦି କାନ୍ଦି କହୁଥିଲେ-ଶୁଣୁଛ ସିନ୍ଧୁ ବୋଉ!ମୁଁ କଣ ସିନ୍ଧୁର ବାପା ନୁହେଁ।ତୁମେ ସିନା ଘରେ ରୁହ,କିଛି ଜାଣ ନା।ହେଲେ ଘରୁ ବାହାରୁ ବାହାରୁ ମୋତେ ଲୋକେ କୁହନ୍ତି"ହେଇତି ବାବୁ!ତୁମ ପୁଅ ଆମ ଗାଈ ଲାଞ୍ଜ କାଟି ଦେଇଛି।କିଏ କୁହେ ଆମ ଗଛ ଉପାଡି ପକେଇଛି।କାହାର ପାଳ ଗଦାରେ ନିଆଁ ବି ଲଗାଇ ଦିଏ ସିନ୍ଧୁ।କାହା ଛୁଆକୁ ପୋଖରୀକୁ ଠେଲି ବି ଦିଏ।ତୁମେ କୁହ ଏପରି ଗୁଣ କଣ ଆମ ବଂଶ ଛୁଆର ହେବା କଥା!ଆମେ ମାନି ଥାନି ବଳିୟାର ସିଂହ ବଂଶ।ଆମ ଦୋଷ କେହି ଧରିବ!ଆମେ କାହା ଦୁଃଖର କାରଣ ହେବା!।ଆମ ବଂଶ ବୁନିୟାଦି ପରା ପରୋପକାରୀ ଲୋକ।

       ମୁଁ ଜାଣେନି ସିନ୍ଧୁ ଏମିତି କାହିଁକି ହେଲା।ହେଲେ ମୋ ରକ୍ତକୁ କେହି ଖରାପ କରି କହିଲେ ମୁଁ ସହନ୍ତି କେମିତି?ସିନ୍ଧୁ ବୋଉ ତୁମେ କଥା କହୁ ନାହଁ,ଜୁଳୁ ଜୁଳୁ କରି ଅନେଇଛ।ଜାଣିଛ ସିନ୍ଧୁ ତୁମର ପୁରା ବଦଳି ଯାଇଛି।ମନ ଦେଇ ପଢୁଛି।ବହି ଛାଡି କୁଆଡେ ଯାଉନି।ଭାରି କାନ୍ଦୁଛି ଛୁଆଟା।ତୁମେ ଉଠ ସିନ୍ଧୁ ବୋଉ।ପିଲାଟା ଏବେ ଏକା ହୋଇ ଯାଇଛି।

     ମୁଁ କବାଟ ଫାଙ୍କରେ ବାପାଙ୍କ କଥା ଶୁଣି ନିଜକୁ ଧିକ୍କାର କଲି।ଛି ମୁଁ କଣ ଭାବୁଥିଲି।ମୋ ବାପାଟା ରାକ୍ଷସ।ମୋ ବୋଉକୁ କି ମୋତେ ଭଲ ପାଆନ୍ତି ନାହିଁ।ମୁଁ ଆଶ୍ଚର୍ଯ୍ୟ ହେଲି ବାପା ବି କାନ୍ଦନ୍ତି!!!

      ବାପାଙ୍କ ପ୍ରତି ଥିବା ଭାବନା ମୋର ବଦଳି ଗଲା।ବୋଉ ପାଖେ ଅନେକ କାନ୍ଦିଛି ମୁଁ।କେତେ କହିଛି" ତୁ ଉଠ୍ ଲୋ ବୋଉ।ମୁଁ କାନ ଧରୁଛି,ଆଖି ଛୁଉଁଛି ଟିକେ ବି ଦୁଷ୍ଟ ହେବି ନାହିଁ।ବୋଉ କିଛି ତ କହେ ନାହିଁ।ଆଖିରୁ କିନ୍ତୁ ବୋହି ଆସେ ଦି ଧାର ଲୁହ।ମୋତେ ଲାଗେ ଲୁହ ନୁହେଁ,ବୋଉ ଆଖିରୁ ବୋହୁଛି କି ରକ୍ତ!!ଏମିତି ପଡି ପଡି ତିନି ମାସ ପରେ ବୋଉ ଆର ପାରିକୁ ଚାଲି ଗଲା।

         ତୁମେ କୁହ କେଉଁ ଠାକୁର ବଡ଼ ମୋ ବୋଉ ଠାରୁ।ମୋ ବୋଉ ବ୍ୟତିରେକେ ଆଉ କାହାକୁ ପୁଜିବି ଶିଖା!!।ଇଏ ମୋ ବୋଉ ଫୋଟୋ ଓ ସେ ଛୁଆ ଟା ମୁଁ ତା ଦୁଷ୍ଟ ପୁଅ।ଜଣେ ଚିତ୍ରକରକୁ କହି ଏଇଟି ବନେଇଛି ବୋଉର ଫୋଟୋ ନଥିବାରୁ।

           ଶିଖା କାବା ହୋଇଗଲା ରିଟାୟଡ଼ କଲେକ୍ଟର ସମ୍ପଦ ବଳିୟାର ସିଂହ ଙ୍କ ଇତିହାସ ଶୁଣି।

*Satyabati swain, balikuda, jagatsinghpur*

  

ବୋଉ ବାପା ରାଗ

Rate the content


Originality
Flow
Language
Cover design

Comments

Post

Some text some message..