Chinmoyee Mohanty

Inspirational Drama Tragedy


Chinmoyee Mohanty

Inspirational Drama Tragedy


ଅନ୍ତିମ ସ୍ଵର

ଅନ୍ତିମ ସ୍ଵର

3 mins 7.4K 3 mins 7.4K

କାଲି ରାତିରୁ ବର୍ଷାଟା ଲାଗି ରହିଛି ଅସରା ଅସରା। ଦିନ ଘଡିଏ ହେଲାଣି,ଛାଡିବାର ନାଁ ଧରୁନି। ସଁବାରୀ ଦେହରେ ତାତି ଖଇ ଫୁଟୁଛି। ଆଠ ଦିନ ହେଲାଣି ଆଉ ପାଇଟିକୁ ଯାଇ ପାରୁନି।ନିଧିଆ କବିରାଜ ନାଲି,ନେଳି ପାଣି କ'ଣ ସବୁ ଦେଇ ଥିଲେ। ଜଗି ରଖି ଠିକ୍ ସମୟରେ ଖୁଆଉଛି ସନିଆ। ଦି' ପ୍ରାଣୀ କୁଟୁମ୍ବ। ଆଗକୁ ପଛକୁ କେହି ନାହିଁ। ପଥି ପାଣି ପାଇଁ ଘରେ କିଛି ନାହିଁ। ଘୁମ ଆଟିକା ସବୁ ଦରାଣ୍ଡି ସାରିଲାଣି।ସଁବାରୀକୁ ଏକୁଟିଆ ଛାଡି ଦେଇ ରିକ୍ସା ନେଇ ଯିବ କେମିତି? ମଝିରେ ମଝିରେ ସନିଆ ସନିଆ ବୋଲି ବାଉଳି ଉଠୁଛି। ଜଗି ବସିଛି ସନିଆ। ତାତି କମିଵାର ନାହିଁ। କି ଜରଟା ହେଲା କେଜାଣି !! 

     ନାଲି ଚା' କଂସାଏ ଲୁଣ ପକେଇ କରି ପିଇ ଦେଇଛି ସନିଆ।ଭଲ ମନ୍ଦ ଟିକିଏ ସଁବାରୀକୁ ଦେଇପାରୁନି।ପାଟିଟା ଅରୁଚି ଧରିଯିବଣି।ସକାଳୁ ସକାଳୁ ବାଇଧର ଆସିଥିଲା। ବାଇଧର ସମୟ ଅସମୟରେ କେତେବେଳେ କେମିତି ଆସେ। ତା'ର ବି ଅଭାବୀ ସଂସାର।ସାତ ସାତଟା ପିଲାର ବାପା। ତା' ସ୍ତ୍ରୀ କହେ ଠାକୁର ଦେଇଛନ୍ତି।ସେଇ ତାଙ୍କ ମୁହଁରେ ଦାନା ଦେବେ।ଗାଁର ଆଶାକର୍ମି ଦିଦି ଯେତେ ବୁଝେଇଲେ କିଛି ଶୁଣିଲିନି। ଫି ବର୍ଷ ଗୋଟିଏ ଗୋଟିଏ କରି ସାତଟା ଛୁଆ ଜନ୍ମ କରି ଏବେ ବାଧିକି ପଡିଛି।ଖାଇବାକୁ ନପାଇ ପିଲାଗୁଡାକ ଅହଣ୍ଡିଆ ହେଇଛନ୍ତି।ଆଜିକାଲି ସରକାର ଦୟାକରିଛନ୍ତି ବୋଲି ମାଗଣାରେ ଚାଉଳ ଗଣ୍ଡାଏ ମିଳୁଛି।କୋଉ ଜମିବାଡି ଅଛି ଯେ ଚାଷବାସ କରିବ !! ଦି'ଟା ଛୁଆଙ୍କୁ ପାଖ ସ୍କୁଲରେ ନାଁ ଲେଖେଇ ଦେଇଛି।କୋଉ ପାଠ ପଢି ହାକିମ ହେବେ? ଖାଲି ମାଗଣାରେ ଖାଇବା ଗଣ୍ଡାଏ ମିଳିଯାଉଛି।ବଂଚିଯାଆନ୍ତୁ ଯେନେତେନ ପ୍ରକାର।

      ଆଜି ବର୍ଷା ପାଗରେ ବନିଶୀ ପକେଇ ବାଇଧର ମହୁରାଡି ମାଛ ପୁଞ୍ଜାଏ ଧରିଥିଲା।ସଁବାରୀ ଜରେଇଛି ଶୁଣି, ସେତକ ନେଇକି ଆସିଥିଲା। ବେସର ପାଣି ଟିକେ କରିଦେଲେ,ସଁବାରୀର ରୋଗୀଣା ପାଟିକି ସୁଆଦିଆ ଲାଗିବ। ସନିଆ ମରଦ ପିଲାଟା।ତା' ହାତରେ ତରକାରୀ କେମିତି ଉତୁରିବ କେଜାଣି? ସଁବାରୀର ହାତରେ କିନ୍ତୁ ଭାରି ସୁଆଦ ଥାଏ।ସଜନା ସାଗ ଭଜା ହଉ କି ନାଉ ରାଇ ହଉ, ସଁବାରୀ ହାତ ରନ୍ଧା ସନିଆକୁ ଭାରି ଭଲ ଲାଗେ।

       ଏଇ ସଁବାରୀ.... ସନିଆର ପଡିଶା ଘର ଝିଅ।ତା' ବାପା ବେଶୀ ଥିଲା ବାଲା ଘର ନ ହେଲେ ବି ଯେତିକି ଜମି ଅଛି,ବରଷ କ ଖାଇବା ଚଳିଯାଏ। ସଁବାରୀ ଗୋଟିଏ ଝିଅ। ତା' ବଡଭାଇ ଗାଁ ଦଲାଲ୍ କଥାରେ ପଡି ଦାଦନ ଖଟିବାକୁ ଯାଇଛି ଯେ ଏଯାଏ ଫେରିନି।ସଁବାରୀ ଉପରେ ସବୁ ଗାଁ ଟୋକାଙ୍କ ନଜର ଥିଲା। ଡଉଲ ଡାଉଲ ଗୋରାତକତକ ଦିହ। ଆଖି ଦି'ଟା ସତେକି ଦି'ଟା ନୀଳ କଇଁ....ଚନ୍ଦ୍ର ଉଦିଆ ମୁହଁଟି ସତେ ଯେମିତି ମେଘର ଓଢ଼ଣା ତଳୁ ଫୁଟି ଦିଶୁଥିବା ରୂପେଲି ଜହ୍ନଟିଏ।

    ସେଦିନ ଉଦୁଉଦିଆ ଖରାବେଳଟାରେ ରିକ୍ସା ନେଇ ଘରକୁ ଫେରିବା ବେଳେ ନିଛାଟିଆ ବରଗଛ ମୂଳେ ଏକା ଏକା ଜାକିଜୁକି ହେଇ ତଳକୁ ମୁହଁ ପୋତି କାନ୍ଦୁଥିଲା ସଁବାରୀ। ଚିରିଯାଇଥିବା ଲୁଗାରେ ଫୁଙ୍ଗୁଳା ଦେହକୁ ଘୋଡେ଼ଇ ବାକୁ ଚେଷ୍ଟା କରୁଥିଲା ସେ।ଅଟକି ଗଲା ସନିଆ।" ଏମିତି ଅବସ୍ଥା ତୋର କେମିତି ହେଲା ସଁବାରୀ? କହ ମତେ..ମୁଁ ତା'ର ଅନ୍ତ ବୁଜୁଳା ଓଟାରି ଆଣିବି। " ସଁବାରୀ ଖାଲି କାନ୍ଦୁଥିଲା।ତା ମୁହଁରେ ଭାଷା ନଥିଲା।ନିଜ ଗାମୁଛା ଖଣ୍ଡିକରେ ସଁବାରୀର ଅଧା ଲୁଚା ଦେହଟାକୁ ଘୋଡେଇ ଦେଇ ,ରିକ୍ସାରେ ବସେଇ ସଁବାରୀର ଘରକୁ ନେଇଆସିବା ପରେ ଯାହା ଘଟଣା ଘଟିଲା ,ସନିଆର ପାଦ ତଳର ମାଟି ଖସିଯାଉଥିଲା।ସଁବାରୀର ବାପା ମା ଝିଅକୁ କୋଳେଇ ନବା ବଦଳରେ ତାକୁ ତଣ୍ଟିଆ ମାରି ଘରୁ ବାହାର କରିଦେଲେ।ବୁଝିବାକୁ ଚେଷ୍ଟା କଲେନି ଝିଅର ଦୁଃଖ।ସମାଜକୁ ଭୟ।ସଁବାରୀ ମାରା ହେଇଯାଇଛି। ସେ ଏବେ ଅଛୁଆଁ।ତାକୁ ଘରେ ରଖିଲେ ସେମାନେ ସମାଜ ବାଛନ୍ଦ ହେବେ।ତାଙ୍କର ସମ୍ମାନରେ କଳଂକ ଲାଗିବ।ମା ତା'ର କହୁଥିଲେ" ତତେ କୁଅ ପୋଖରୀ ମିଳିଲାନି ଲୋ...ଏ ଅଲାଜୁକ ମୁହଁ ଦେଖେଇବାକୁ ଚାଲିଆସିଲୁ?"ହାଉଡା ସନିଆ ମୁଣ୍ଡକୁ ପିତ୍ତ ଚଢିଗଲା... ସଁବାରୀକୁ ଏମିତି ମରିବାକୁ ଦବନି ସିଏ।ତାକୁ ଭିଡି ଭିଡି ନେଇଆସିଲା ସନିଆ।ଗାଁ ବରଗଛ ମୂଳରେ ସିନ୍ଦୂର ନେସା ପଥର ଖଣ୍ଡରେ ଢୋ କରି ବାଡେଇ ଦେଲା ମୁଣ୍ଡଟାକୁ।ନାଲି ରକ୍ତରେ ଭିଜିଗଲା ଠାକୁରାଣୀଙ୍କ ଆସ୍ଥାନ।ହାଁ ଟା କରି ଚାହିଁ ଥିଲା ସଁବାରୀ।ରକ୍ତଭିଜା ସିନ୍ଦୁର ମେଞ୍ଚାଏ ଆଣି ପିନ୍ଧେଇ ଦେଲା ସଁବାରୀ ସିନ୍ଥାରେ।

"ମୁଁ ଜାଣେ ସଁବାରୀ ,ପଲେ ଶାଗୁଣା ତତେ ଖୁମ୍ପି ଦେଇଛନ୍ତି।ମୁଁ ତତେ ଏମିତି ଅସହାୟ ଭାବରେ ମରିବାକୁ ଦେବିନି ଲୋ।ଆମେ ବଞ୍ଚିବା । ତୁ ପୁଣି ହସିବୁ। ଆଉ କେହି ତୋର କିଛି କରିପାରିବେନି" । ସେଇଦିନଠୁ ସନିଆ ସମାଜ ବାସନ୍ଦ। ହେଲେ,ସଁବାରୀର ହାତ ଛୁଆଁରେ ସନିଆର ସଂସାର ହସି ଉଠିଛି। ଦି' ପ୍ରାଣୀ ମିଶି ବାଇଚଢେଇ ଭଳି ଘରଟିଏ ବନେଇଛନ୍ତି୍। ବାଇଧରକୁ ଛାଡିଦେଲେ ଆଉ କାହାରି ସାଙ୍ଗରେ ତାଙ୍କର ଭାବ ନାହିଁ।

    ଆଜି ସଁବାରୀ ବାଧିକି ପଡିଛି। ବାଇଧର ଦେଇଥିବା ଚୁନାମାଛର ଚଡଚଡି କରିଛି ସନିଆ। ତା'ଜରୁଆ ପାଟିକି ଭଲ ଲାଗିବ। ଭାତ ତରକାରୀ ନେଇ ସଁବାରୀକୁ ଉଠେଇଲା ସନିଆ। ସନିଆ କୋଳକୁ ଆଉଜି ପଡିଲା ସଁବାରୀ। ଇଏ କ'ଣ... ସଁବାରୀର ଦେହ ଟା କ'ଣ ହେମ କାକର...ସଁବାରୀ... ଉଠ୍ ସଁବାରୀ... ମୋ ହାତ ରନ୍ଧା ଭାତ ମାଛ ଖାଇବୁ ଉଠ୍.. ଭାରି ଯତ୍ନରେ ରାନ୍ଧିଚି ଲୋ..."ହେଲେ ଶୁଣିବାକୁ ସଁବାରୀ ନଥିଲା। ତା'ର ନିର୍ଜୀବ ଶରୀରକୁ କୋଳରେ ଚାପିଧରି ବିକଳ ହେଇ କାନ୍ଦୁଥିଲା ସନିଆ। ଭଙ୍ଗା ଚାଳର ମଥାନ ଡେଇଁ ତା ସ୍ୱର ସବୁ ମିଶିଯାଉଥିଲା ପବନରେ।


Rate this content
Originality
Flow
Language
Cover Design