Titi Sarangi

Abstract Others


2  

Titi Sarangi

Abstract Others


ପରଘର

ପରଘର

3 mins 7.1K 3 mins 7.1K

ସେଇ ଚିହ୍ନା ପୃଥିବୀଟା ହଠାତ୍ କେମିତି ଅଚିହ୍ନା ହେଇଯାଏ ?ଘରକୁ ଫେରିବା ଏଥର ତ ପ୍ରଥମ ନୁହେଁ ତା ପାଇଁ ।ହଷ୍ଟେଲ୍ ରୁ ବି ତ ଲମ୍ବା ଗ୍ଯାପ୍ ରେ ସେ ଘରକୁ ଫେରେ ।ମନ ସତେ କି ଆକାଶରେ ଉଡୁଥାଏ ।କଣ କଣ ମଜା କରିବ ,କଣ ଖାଇବ ,ସାଙ୍ଗମାନଙ୍କସାଙ୍ଗେ କଣ ସବୁ ନୂଆ ଖେଳ ହବ ଏଇ ଚିନ୍ତା ଖାଲି ।ଦୂରରୁ ତାଙ୍କ ଘରର ବାଡି ପଟ ନଡିଆ ଗଛ ପତ୍ର ହଲେଇ ତାକୁ ସତେ ଅବା ଜଲ୍ଦି ଆସିବା ପାଇଁ ସ୍ବାଗତ କରୁଥାଏ ।ଏଥର ବି କରୁଥିଲା ।କିନ୍ତୁ ସେଇ ମନ୍ଦିର ବେଢା ,ପୋଖରୀତୁଠ ସବୁ କେମିତି ବଦଳି ଗଲା ଭଳି ଲାଗୁଥିଲା ।ଏଇ ତ ମୋଟେ ମାସେ ହେଲା ତା ବାହାଘର ।ପ୍ରଥମ କରି ସେ ବାପଘର ଆସିଛି ।ମନ ତ ଚଢେଇ ଭଳି ଏବେ ବି ଉଡୁଛି ।ବୋହୂ ପଣିଆ ସିନା ସେ ଗାଁରେ ,ଏଠି ତ ସିଏ ସେଇ ଝିଅ ।ଘରେ ବି ସମସ୍ତେ ସେଇ ଭଳି ମନେ ହେଲେ ।ଗେଲ ଆଦର ବହୁତ ବେଶୀ ,କିନ୍ତୁ ଆଗ ଭଳି ନୁହଁ ।ଅସୀମ ନୁହେଁ ସୀମିତ ।ହଁ ସେ ଚାଲିଯିବ ।କଣ୍ଟରେ ଆସିଛି କଣ୍ଟରେ ଯିବ ।ଛୁଟିରେ ବି ତ ସେମିତି ଆସେ ଆଉ ଯାଏ ।ଏବେ ଏମିତି କଣ ହେଇଗଲା ।ଯେତେ ସେମାନେ ତାକୁ ସେଘରର କହିଲେ ବି କୋଉ ନିଜର ଅବା କରନ୍ତି ।ମନ ଖୁସିରେ ସେଠି କଣ ସେ ଚଳିପାରେ? ସବୁବେଳେ ତ ଏଇ ଘର ସାଙ୍ଗେ ତାକୁ ତୁଳନା କରାଯାଏ । ତମ ଘରର ଚଳଣୀ କଣ ଏମିତି ?,ତମେ କଣ ତମ ଘରେ କିଛି ଦେଖିନ ?" ଏମିତି ତମ ଘର ତମ ଘର କହି କହି ପ୍ରଥମରୁ ହିଁ ପର ନଜରରେ ଦେଖନ୍ତି ।

ସେଥିପାଇଁ ତ ଛାଟିପିଟି ହେଇ ସେ ବୁଲି ଆସିଛି କିଛି ଦିନ ତା ଘରକୁ ।କିନ୍ତୁ ସବୁଠି କେମିତି ଗୋଟେ ସମୀହ ଭାବ। ପଡିଶା ଘର ଜେଜେମା ତାକୁ ଦେଖିଲା ମାତ୍ରେ ପିଢା ପକେଇ ଦେଲା ।"ଆ ମା ବସ ବୋଲି "କହିଲା ।କି ବିଚିତ୍ର !ସେ ତ ଏଠିକି ସବୁବେଳେ ଆସେ ।ସେ କଣ କୁଣିଆ ହେଇଛି ?

ବୁଦ୍ଧିଆ ଜେଜେ ମାଙ୍କଡା ପଥର କାଟି ସାଇଜ୍ କରନ୍ତି ।କେବେ ବି ମୁଣ୍ଡ ଉଠେଇ ଦେଖନ୍ତିନି ।ସେ ବି ତାକୁ ଦେଖି ହସିଦେଲେ ।"କୋଉ ଦିନ ଆସିଲୁ ବୁଢୀ ?ଆଉ ତୋର ସବୁ ଭଲ ତ ?କେତେ ଦିନ ରହିବୁ ?" କାଇଁ ଆଗରୁ କେବେ ଏକଥା ପଚାରନ୍ତିନି ।ତାର ସବୁ ଭଲ ମାନେ କଣ ?ସିଏ କଣ ଅଲଗା ମଣିଷ,ବାପାଙ୍କ ଝିଅ ନୁହେଁ ?ମନଟା କେମିତି ଗୋଳେଇ ଘାଣ୍ଟି ହେଇଯାଉଥିଲା ତାର ।ସବୁଠି ଆଦର ଯତ୍ନ ସତେକି ଅଜାଡି ହେଇ ପଡୁଛି ।ସେ ସତେ ଅବା କୁଣିଆ ହେଇ ଆସିଛି ।ଏଇଟା ପରା ତା ଜନ୍ମମାଟି ।ହେଇପାରେ ସେ ଗାଁର ବୋହୂ ,କିନ୍ତୁ ଏଗାଁର ସେ କୁଣିଆ ହବାଟା ପସନ୍ଦ କରି ପାରେନି ।ସେଇ ମୁକ୍ତ ଚଡେଇ ଭଳି ଉଡୁଥିବା ତା ମନଟା ଏବେ ଡେଣା ହରେଇ ସତେ ଅବା ତଳେ ପଡି ଯାଇଛି ଆଉ ସେଇଥି ପାଇଁ ସମସ୍ତଙ୍କର ଏତେ ଆହା ଭାବ ।

ଭାରୀ ମନ ନେଇ ଘରକୁ ଆସେ ।ବାପା ହିଁ ତା ସାଥୀରେ ପିଲାଟି ଦିନୁ ମୁକ୍ତ ଭାବେ ବହୁତ କିଛି ଟପିକ୍ ଅଲୋଚନା କରନ୍ତି ।ସେଇ ଭରସାରେ ବାପାଙ୍କ ପାଖେ କଥାଟା ପକେଇ ମନକୁ ହାଲୁକା କରିବାକୁ ଭାବେ । ରୋହୀମାଛରେ କଞ୍ଚା ଆମ୍ବ ଦେଇ ବୋଉ ବେସର କରିଥିଲା ।ଭାରୀ ପ୍ରିୟ ଏଇ ଆଇଟମଟା ତାର ।ସାଙ୍ଗରେ ଖାଇବାକୁ ବାପା ଡାକିଲେ ।ଭାରୀ ଖୁସି ଦିଶୁଥିଲେ ।ହସିହସି ବୋଉକୁ କହୁଥିଲେ "ବୁଝିଲ ,ମୋ ଝିଅପାଇଁ ଗୋଟେ ଭଲ ବ୍ଯବସ୍ଥା ଭଗବାନ୍ଙ୍କ ଦୟାରୁ ହେଇ ଗଲା ।ଏବେ ମୁଁ ଖୁସିରେ ମୋ ଝିଅର ସୁଖ ଦେଖି ମରି ପାରିବି ।"ବ୍ଯବସ୍ଥା ହେଇଗଲା ମାନେ ?ସେ କଣ ଗୋଟେ ହସ୍ତାନ୍ତରିତ ହେବାକୁଥିବା ବସ୍ତୁ ଥିଲା ?ଛାତି ଭିତରଟା ମକଚି ହେଇ ଯାଉଥିଲା ତାର ।

ଯାହା କହିବାକୁ ଭାବିଥିଲା ସେ ଭୁଲି ଯାଏ ।ସେଇ ବାପଘର ଆଉ ତାର ନିଜର ହୋଇ ନାହିଁ ଏତିକି ସେ ବୁଝିଯାଏ । ସେଇ ପରଘରଟା ତ ଜାଣି କି ପର !! କାରଣ ଝିଅ ପରା ପରଘରୀ ।


Rate this content
Originality
Flow
Language
Cover Design