Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jagatabandhu Mohapatra

Inspirational Others

5.0  

Dr Jagatabandhu Mohapatra

Inspirational Others

ସୁଦିନର ଅପେକ୍ଷାରେ

ସୁଦିନର ଅପେକ୍ଷାରେ

7 mins
14.2K


ବିଜୟ ସେଦିନ ସକାଳେ କଲେଜ କ୍ୟାଣ୍ଟିନରେ ଟିଫିନ କରିସାରି ଚା’ ପିଉଥାଏ, ଚା ପିଇବାବେଳେ ଦୈନିକ ଓଡିଆ ଖବର କାଗଜ ‘ସମାଜ’ ଉପରେ ଆଖି ପକାଉଥାଏ । ହଠାତ୍ ସମାଜରେ ବାହାରିଥିବା ଏକ ଖବରକୁ ପଢୁ ପଢୁ ତା’ ମନଟା ଖୁସିରେ ଗଦ ଗଦ ହୋଇଗଲା । ଖବରଟିକୁ ସେ ବାରମ୍ବାର ପଢି ଚାଲୁଥାଏ । ଖୁସିରେ ତା’ ମନ ହେଉଥିଲା ନାଚିବାକୁ, ଗାଇବାକୁ, କାରଣ ସେ ଖବରଟିରେ ତା’ ଜେଜେବାପାଙ୍କ ନାଁ ଲେଖାଥିଲା । ତା’ ଜେଜେବାପା ବିଶ୍ଵମ୍ବର ରାଇଗୁରୁ ମହାପାତ୍ର, ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ହିସାବରେ ପୁରସ୍କୃତ ହେବା ନିମନ୍ତେ ମନୋନୀତ ହୋଇଛନ୍ତି । ରାଜଧାନୀରେ ଅଗଷ୍ଟ ପନ୍ଦର ତାରିଖ ସ୍ଵାଧୀନତା ଦିବସ ପାଳନ ସମୟରେ ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବେ ଓ ଏ ବର୍ଷ ଠାରୁ ଆଜୀବନ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇବେ ।

ସେଦିନ ସନ୍ଧ୍ୟା ବେଳେ ବସ ଧରି ରାତିରେ ଆସି ପହଞ୍ଚିଗଲା, ସେ ଘରେ I ଜେଜେବାପା ରାଜ୍ୟ ସରକାରଙ୍କଠାରୁ ଚିଠି ପାଇଥିବା କଥା, ସେ ଘରୁ ଶୁଣିଲା । ଅଗଷ୍ଟ ପନ୍ଦରଦିନ ଜେଜେବାପା ସକାଳୁ ରାଜଧାନୀ ଯିବାପାଇଁ ଏକ ଅଟୋ ମଧ୍ୟ ରିଜର୍ଭ କରିଦେଲା । ରାଜଧାନୀରେ ଜେଜେବାପାଙ୍କର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ବିବରଣୀକୁ ସବୁ ଦିନ ରଖିବା ପାଇଁ ତା’ ସାଙ୍ଗସାଥୀକୁ କହି ଫଟୋଗ୍ରାଫର, ଭିଡିଓର ବନ୍ଦୋବସ୍ତ କରିଦେଇଛି, ବୋଲି ଜେଜେବାପାଙ୍କୁ କହିଲା।

ତା’ପର ଦିନ କଲେଜକୁ ଫେରି ଆସିଲା । କଲେଜରେ ପଢିଲା ଦିନୁ ବିଜୟ ଚାରି ବର୍ଷ ହେଲା, ରାଜଧାନୀରେ ଅଗଷ୍ଟ ପନ୍ଦରକୁ ଉପଭୋଗ କରିଆସୁଛି । କିନ୍ତୁ ଏ ବର୍ଷର ଅଗଷ୍ଟ ପନ୍ଦର ତା’ ପାଇଁ ହେବ; ଏକ ନିଆରା ଅନୁଭୂତି । କାରଣ ତା’ ଜେଜେବାପା ଏ ବର୍ଷ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବେ ।

ସତରେ ଅଗଷ୍ଟ ପନ୍ଦର ଆସିଲେ କେମିତି ଗୋଟେ ଆନନ୍ଦ ଚାଲିଆସେ, ମନକୁ । ସ୍କୁଲରେ ପଢିଲା ବେଳୁ ଏ କଥା ଅନୁଭବ କରି ଆସିଛି, ବିଜୟ । ପିଲାବେଳେ ଅଗଷ୍ଟ ପନ୍ଦରଦିନ ସକାଳୁ ଗାଧୋଇ ସାରି ସଫା ସ୍କୁଲ ଡ୍ରେସ ପିନ୍ଧି ସ୍କୁଲରେ ଯାଇ ପତାକା ଉତ୍ତୋଳନ କରିବା, ଜାତୀୟ ସଂଗୀତ ଗାନ କରିବା, ତା’ପରେ ସେଦିନର ଆସିଥିବା ଅତିଥିଙ୍କ ଦ୍ଵାରା ଆମ ଦେଶର ଗୌରବମୟ ଇତିହାସ ଜାଣିବା ଓ ତା’ପରେ ମିଷ୍ଟାନ୍ନ ବଣ୍ଟନ ହେବା । ଏସବୁ ଭାରି ଭଲ ଲାଗେ ।

ଚାହିଁ ରହିଥିଲା, ତା’ର ଇପିସିତ୍ ଦିନକୁ ବିଜୟ । ସେଦିନ ଆସିଗଲା, ସକାଳୁ ସକାଳୁ ନିତ୍ୟକର୍ମ ସାରି ବିଜୟ ବାହାରିଗଲା, ପ୍ୟାରେଡ଼ ପଡିଆକୁ । ଆମ ରାଜ୍ୟର ସୈନିକମାନଙ୍କ ସହିତ ବିଭିନ୍ନ ସ୍କୁଲ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ପିଲାମାନେ ପ୍ୟାରେଡ଼ରେ ଯୋଗ ଦେଇଥାନ୍ତି । ଯଥା ସମୟରେ ମହାମହିମ ରାଜ୍ୟପାଳ ଆସି ସଭାସ୍ଥଳରେ ଉପସ୍ଥିତ ହେଲେ । ପତାକା ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଗଲା । ଜାତୀୟ ସଙ୍ଗୀତରେ ସଭାସ୍ଥଳ କମ୍ପି ଉଠିଲା । ତା’ପରେ ସୈନିକମାନଙ୍କ ଦ୍ଵାରା ବ୍ୟାଣ୍ଡ ବାଜା ସହିତ ପ୍ୟାରେଡ଼ ଆରମ୍ଭ ହୋଇଗଲା । ମହାମହିମ ରାଜ୍ୟପାଳ ଅଭିବାଦନ ଗ୍ରହଣ କଲେ ଓ ପରେ ସେ ଅଗଷ୍ଟ ପନ୍ଦର ଉପଲକ୍ଷେ ଅଭିଭାଷଣ ପ୍ରଦାନ କଲେ I ତା’ପରେ ଆସିଲା, ବିଜୟର ସେଇ ଇପିସିତ୍ ମୂହୁର୍ତ୍ତ, ଯେଉଁଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଗଲା ।

ଏବେ ପଡିଲା, ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା କରିବାର ସମୟ । କିନ୍ତୁ ଏ କ’ଣ? ତା’ ଜେଜେବାପାଙ୍କର ନାମ ମାଇକରେ ଘୋଷଣା କରାଗଲା, କିନ୍ତୁ ମଞ୍ଚକୁ ସେ ଆସିଲେ ନାହିଁ I ଦୁଇ ଚାରି ଥର ଘୋଷଣା ହେବା ପରେ ଉଦଘୋଷକ ମହାଶୟ ଘୋଷଣା କଲେ କି, କୌଣସି ଏକ ଅନିବାର୍ଯ୍ୟ କାରଣ ହେତୁ ବିଶ୍ଵମ୍ବର ରାଇଗୁରୁ ମହାପାତ୍ର ମହୋଦୟ ଆଜି ଏଠାରେ ଅନୁପସ୍ଥିତ ଅଛନ୍ତି, ତେଣୁ ପରେ ଏହି ସମ୍ମାନ ତାଙ୍କୁ ହସ୍ତାନ୍ତର କରାଯିବ ।

ବିଜୟ ମନଟା ହଠାତ୍ ଫିକା ପଡିଗଲା I ହସ ଖୁସି ଭରା ମୁହଁଟା କେମିତି ପାଣ୍ଡୁରା ପଡିଗଲା I ଅନେକ ଆଶା ଓ ଆଶଙ୍କା ତା’ ମନ ଭିତରେ ଖେଳି ଉଠିଲା I ମନକୁ ତା’ର ପାପ ଛୁଇଁଲା I କ’ଣ ଜେଜେଙ୍କ ଦେହ ଖରାପ ହୋଇଗଲା କି ? ନା, ସେ ଅଟୋ ରାସ୍ତାରେ ଖରାପ ହୋଇଗଲା ? କ’ଣ ପାଇଁ ସେ ଆସିଲେନି ? ସେ ବାରମ୍ବାର ଫୋନ କଲା କିନ୍ତୁ ଫୋନ ଲାଗିଲାନି I

ସଭା ସରିଗଲା ପରେ ଅଗଷ୍ଟ ପନ୍ଦର ଉପଲକ୍ଷେ ଆୟୋଜିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା I ବିଜୟର ସେସବୁ ଆଉ ଦେଖିବାକୁ ଆଗ୍ରହ ହେଲା ନାହିଁ I ସଭାସ୍ଥଳ ଛାଡି ନିଜ ହଷ୍ଟେଲକୁ ଫେରି ଆସିଲା I ରାତି ବସରେ ଘରକୁ ଚାଲିଯାଇଥିଲା, ବିଜୟ I

ଘରେ ପହଞ୍ଚି ଦେଖିଲା, ଜେଜେ ବାପା କେତେବେଳୁ ଖାଇ ପିଇ ଶୋଇ ପଡିଛନ୍ତି I ସମସ୍ତଙ୍କୁ ଜେଜେବାପାଙ୍କ ଅନୁପସ୍ଥିତିର କାରଣ ପଚାରିଲା, ହେଲେ କେହି କିଛି କହି ପାରିଲେନି, ବିଜୟକୁ I ଭାବିଲା, ସକାଳ ହେଲେ ସେ ଜେଜେବାପାଙ୍କୁ ଏ ବିଷୟରେ ପଚାରି ବୁଝିବ I ଏହା ଭାବି ଖାଇ ପିଇ ଶୋଇ ପଡିଥିଲା, ସେ I ହେଲେ, ତା’ ଆଖିକୁ ନିଦ ଆସୁ ନଥିଲା I ତା’ର ଉତ୍କଣ୍ଠା ବଢି ଚାଲିଥିଲା I ସେ ଭାବୁଥିଲା, କେମିତି ଶୀଘ୍ର ସକାଳ ହେବ I ସେ ଜେଜେବାପାଙ୍କୁ ଭେଟିବ ଓ ତାଙ୍କର ଅନୁପସ୍ଥିତିର କାରଣ ପଚାରି ବୁଝିବ I ଏମିତି ଭାବୁ ଭାବୁ ତା’ ଆଖିରେ ନିଦ ଆସି ଯାଇଥିଲା, ତାକୁ ଜଣା ନଥିଲା, କେତେବେଳେ ତାକୁ ନିଦ ହୋଇଯାଇଥିଲା I

ତା’ ନିଦ ଭାଙ୍ଗିବା ବେଳକୁ ଦେଖିଲା, ଜେଜେବାପା ତା’ ମୁଣ୍ଡ ଉପର ପଟେ ପଡିଥିବା ଚେୟାରରେ ବସି ଚା’ ପିଉଥାନ୍ତି, ଆଉ ହସି ହସି କହୁଥାନ୍ତି, କ’ଣ ବାବୁଙ୍କର ପହଡ ଏବେ ଭାଙ୍ଗିଲା I ମୁଁ ସକାଳୁ ସକାଳୁ ମୋର ସମସ୍ତ କାମ ସାରିଲିଣି I ତା’ ଛଡା ମୁଁ ମୋ ସକାଳର ଜଳଖିଆ କରି ସାରି ଚା’ ବି ପିଇ ସାରିଲିଣି I ମୋତେ ଆସି ୮୦ ଛୁଇଁଲାଣି, ଅଥଚ ତମେମାନେ ଯୁବକ ହୋଇ ବିଛଣା ଛାଡିବା ବେଳକୁ ସକାଳ ସାତଟା I ମନେମନେ ଲଜ୍ଜିତ ହେଲା, ବିଜୟ I ତରତର ହୋଇ ମୁହଁ ଧୋଇବାକୁ ବାଥରୁମକୁ ଗଲା I ବିଜୟ ମୁହଁ ଧୋଇ ଆସି ଠିଆ ହେଲା, ଚୁପ ଚାପ ହୋଇ ଜେଜେ ବାପାଙ୍କ ଆଗରେ ।

ଜେଜେବାପା ହସି ହସି କହିଲେ, ଆରେ ତୁ ମୋ ଉପରେ ରାଗିଛୁ କିରେ ? କାଇଁ କିଛି କହୁନୁ I ବିଜୟ କହିବ କହିବ ବୋଲି ଭାବିଥିଲା ଯେ, ନା ଜେଜେ, ମୁଁ ତମ ସହିତ ଜମା କଥା ହେବାକୁ ଚାହୁଁନି, ହେଲେ କାହିଁକି କେଜାଣି ସେ କଥା କହିପାରିଲାଣି ସେ I ତା’ କଣ୍ଠକୁ ଯେମିତି କେହି ଚାପି ଧରିଲା I ବିଜୟ ନୀରବ ରହିଲା I ଜେଜେ କହିଲେ, ପିଲା ଲୋକ ତୁ, ସ୍ଵାଭିମାନ କଥା ବୁଝିବୁ ବା କେମିତି ? ବୟସ ବଢିବା ସଙ୍ଗେ ସଙ୍ଗେ ସ୍ଵାଭିମାନ ବି ବଢିଥାଏ I

ଯେଉଁ ସ୍ଵାଧୀନତା ସଂଗ୍ରାମୀମାନେ ସମ୍ବର୍ଦ୍ଧିତ ହେବାର ଥିଲେ; ସମସ୍ତେ ଆସିଥିଲେ; ଅଥଚ ତମେ, ତମେ କାହିଁକି ଗଲନି, ଜେଜେ ? ତମେ କ’ଣ ସେମାନଙ୍କଠାରୁ ସ୍ଵତନ୍ତ୍ର !!! ନା, ତମେ ନିଜକୁ ସେମାନଙ୍କଠାରୁ ବଡ ବୋଲି ଭାବୁଛ ? ମୁଁ ଆଉ ତମ ସହିତ କଥା ହେବାକୁ ଚାହୁଁନି ଜେଜେ, କହି ବାହାରିଯାଉଥିଲା, ବିଜୟ I

ବିଜୟର ହାତକୁ ଧରି ରଖିଲେ, ଜେଜେବାପା । ମୋ ଉପରେ ଥିବା ରାଗ ଓ ଅଭିମାନକୁ ଟିକେ କମେଇ ଦେ’ରେ ନାତିଆ I ସତ କହିବାକୁ ଗଲେ, ମୋର ଅନ୍ତରାତ୍ମା ସେଠାକୁ ଯିବାକୁ ମତେ ମନା କଲା । ମୋ ବିବେକ ମତେ ବାଧା ଦେଲା I ମୋ ବିବେକ ମତେ ବାରମ୍ବାର କହି ଉଠିଲା, ବିଶ୍ଵମ୍ବର ତୋର ନୀତି ଆଦର୍ଶକୁ ବଳି ଦେଇ କେତେଟା ଟଙ୍କା ଭତ୍ତା ଆକାରରେ ଓ କିଛି ପୁରସ୍କାରର ମୋହରେ ପଡି ସେଠାକୁ ଯିବୁ ???

ତମ କଥା କିଛି ବୁଝି ପାରିଲିନି, ଜେଜେ.............. I

ଜେଜେ କହିଲେ, ନାତିଆ, ପ୍ରକୃତରେ ଆମେ କ’ଣ ସ୍ଵାଧୀନ ହୋଇଛେ ? ଆମେ ଏବେ ବି ପରାଧୀନ I ଗାନ୍ଧୀ ମହାତ୍ମା ଦେଇଥିବା ସ୍ଵାଧୀନତା ଆମେ କେବେଠୁ ହରେଇ ଦେଇଛେ ରେ I

ରାଜନୀତି ଏବେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଗଲାଣି I ଯେ କୌଣସି ଦଳକୁ ନିର୍ବାଚିତ କରି ପଠାଇଲେ, ସେମାନେ ସେମାନଙ୍କର ବନ୍ଧୁବାନ୍ଧବମାନଙ୍କୁ କୋଟିପତି କରେଇବାରେ ଲାଗିପଡିଛନ୍ତି I ରାଜନୀତିର ନୀତି, ଆଦର୍ଶ ବୋଲି କିଛି ନାହିଁ I ଭୋଟ ଆଜି ମଦ ଆଉ ମାଂସରେ କିଣାବିକା ହେଉଛି I ନୈତିକ ମୂଲ୍ୟବୋଧ ବୋଲି କିଛି ନାହିଁ I ହଁ, ଆଜି ଅଫିସର୍ ପୁଅ ଅଫିସର୍ ହେଉଛି, ଡାକ୍ତର ପୁଅ ଡାକ୍ତର, ମନ୍ତ୍ରୀ ପୁଅ ମନ୍ତ୍ରୀ, ଆଉ ଇଞ୍ଜିନିୟର ପୁଅ ଇଞ୍ଜିନିୟର ହେଉଛନ୍ତି I ହେଲେ ଆମ ଭଳି ମଧ୍ୟବିତ୍ତ ପରିବାରର ପିଲାମାନେ ଅଧିକ ଯୋଗ୍ୟତା ଥାଇ ବି ବେକାର I ତାଙ୍କ ପାଖରେ ନାହିଁ, ବିଡା ବିଡା ନୋଟ, କି ତାଙ୍କ ପଛରେ ନାହିଁ, କାହାରି ଉପର ଅଫିସର ବା ରାଜନୀତିଆ ବା ପ୍ରଭାବଶାଳୀ ନେତାମାନଙ୍କର ସୁପାରିଶ I

ଆଜି ସବୁ ସ୍ତରରେ ଦୁର୍ନୀତି, ଭ୍ରଷ୍ଟାଚାର, ଲାଞ୍ଚ, ମିଛ ତା’ର କାୟା ବିସ୍ତାର କରି ଚାଲିଛି । ଯେଉଁମାନଙ୍କୁ ଆମେ ଭୋଟ ଦେଲୁ, ଶାସନ ଭାର ତାଙ୍କ ହାତକୁ ଦେଇଦେଲୁ; ସେମାନେ ଆମକୁ ଲୁଣ୍ଠନ କରୁଛନ୍ତି । ଆମେ କୋଉଠି କୋଉ କଥାରେ ପଦେ କହିଲେ ବି ଆମ ପାଇଁ ବିପଦ I ଥରେ ଯିଏ ଶାସନ ଗାଦିକୁ ଗଲା, ଆଉ ପାଞ୍ଚ ବର୍ଷ ଶାସନ ଗାଦିରେ ରହିଲା, ସେ ମରିବା ପର୍ଯ୍ୟନ୍ତ ସରକାରୀ ଚାକିରିଆଙ୍କ ପରି ପେନସନ ପାଇଲେ I କେବଳ ସେତିକି ନୁହେଁ; ତାଙ୍କ ପରେ ତାଙ୍କ ପିଲାମାନେ କେମିତି ତାଙ୍କ ଆସନ ବଜାୟ ରଖିବେ, ସେ ବ୍ୟବସ୍ଥା ବି ସେମାନେ କରିଦେଇ ଯାଉଛନ୍ତି I ସତେ ଯେମିତି ସେମାନଙ୍କ ପରିବାର ବ୍ୟତୀତ ଆଉ କେହି ରାଜନୀତି କରିବାକୁ ଯୋଗ୍ୟ ନୁହଁନ୍ତି I ଆଜିକାଲି ରାଜନୀତି ସେବା ନୀତିରେ ସୀମିତ ନ ରହି ବ୍ୟବସାୟରେ ପରିଣତ ହୋଇଗଲାଣି I ଥରେ ଏମ.ଏଲ.ଏ କି ଏମ.ପି ହେଲେ ସାତ ପୁରୁଷ ପାଇଁ ଧନ ସମ୍ପତ୍ତି ଗଦେଇ ରଖୁଛନ୍ତି ।

ଆଜିକାଲି ରାଜନୀତି ଏକ ଲାଭଜନକ ବ୍ୟବସାୟ । ଯେ କୌଣସି ଦଳକୁ ନିର୍ବାଚିତ କରି ଗାଦିରେ ବସେଇଲେ, ସେମାନେ ଜନସାଧାରଣଙ୍କର ସେବା ନ କରି ନିଜର ଓ ନିଜ ବନ୍ଧୁ ବାନ୍ଧବମାନଙ୍କର ସମ୍ପତ୍ତି ବଢେଇବାରେ ଲାଗିଛନ୍ତି I ଭୋଟ ପାଇବା ଆଶାରେ ଆମଠାରୁ ଆଦାୟ ହେଉଥିବା ଟିକସକୁ ବେପାରୁଆ ଭାବେ ଖର୍ଚ୍ଚ କରୁଛନ୍ତି । ଅନେକ ସରକାରୀ ଯୋଜନାମାନ ତିଆରି କରାଯାଉଛି, ଲୋକମାନଙ୍କ ପାଇଁ, ହେଲେ ତା’ର ସଫଳ ରୂପାୟନ ହୋଇ ପାରୁନି, କିଛି ଦିନ ପରେ ସେ ଯୋଜନା ସବୁ ଫସର ଫାଟି ଯାଉଛି I

ସରକାରୀ ଧନରେ ତିଆରି ହେଉଥିବା ପୋଲ,କୋଠାବାଡି ଏମିତି ତିଆରି ହେଉଛି ଯେ, ତାହା ବାରମ୍ବାର ଭୁଷୁଡି ପଡୁଛି I ସେଥିପାଇଁ କିଛି ବିଚାର ନାହିଁ କି ବ୍ୟବସ୍ଥା ବି ନାହିଁ I ସେ ଠିକାଦାର ପୁଣି କାମ ପାଉଛି I ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଗିରଫ କରାଯାଉଛି, କିନ୍ତୁ ପରେ କ’ଣ ହେଉଛି; ତାହା କେହି ଜାଣି ପାରୁ ନାହାନ୍ତି ।

ଆର୍ଥିକ ସ୍ତରରେ ସକ୍ଷମ ବ୍ୟକ୍ତିଟି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେଉଛି, ହେଲେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ବ୍ୟକ୍ତିଟି ସରକାରୀ ଯୋଜନାରେ ସାମିଲ ହୋଇପାରୁନି I

ଆଜିର ସମାଜରେ ମଣିଷ ତା’ର ମାନବିକତାର ମୂଲ୍ୟବୋଧକୁ ହରେଇ ବସିଛି । ସବୁ ଦିନ କୋଉଠି ନା କୋଉଠି ମା’ ଭଉଣୀମାନେ ଗଣଦୁଷ୍କର୍ମର ଶିକାର ହେଉଛନ୍ତି, ଏପରିକି କିଶୋରୀ ଓ ଛୋଟ ଛୋଟ ନିରୀହ ବାଳିକାମାନେ ବି ବାଦ ପଡୁନାହାନ୍ତି । ଆଜିକାଲି ସେମାନଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ଏସବୁ ଶୁଣି ନିଜକୁ ବଡ ଲାଜ ଲାଗୁଛି । କେହି ଆଜି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି I ପୋଲିସ୍ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି I

ବିନା ଲାଞ୍ଚରେ କୌଣସି କାମ ହେବ; ଆଜିକାଲି ଏହା ପୁରା ଅସମ୍ଭବ I ସରକାରୀ ଯୋଜନା କାର୍ଯ୍ୟକାରୀ ପାଇଁ ଆସୁଥିବା ଟଙ୍କା ବାଟ ମାରଣା ହେଉଛି, ହଡପ ହେଉଛି I ଆଜି ସବୁ କ୍ଷେତ୍ରରେ ତେଲିଆ ମୁଣ୍ଡରେ ତେଲ, ଏସବୁ ଦେଖି ଶୁଣି କେମିତି ଗୋଟେ ଅଣନିଶ୍ଵାସୀ ଲାଗୁଛି I ସତ୍ୟ, ଧର୍ମ; ନ୍ୟାୟ; ଶାନ୍ତି, ଅହିଂସା, ମୈତ୍ରୀ, ଏସବୁ ଯେମିତି ସମସ୍ତେ ପାସୋରି ଗଲେଣି I ଏସବୁର ଗୋଟିଏ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ଯେଉଁ ଦିନ ଆମ ସମାଜରେ ଏସବୁର ପରିବର୍ତ୍ତନ ହୋଇପାରିବ I ସେହି ଦିନ ହିଁ ଏଇ ବିଶ୍ଵମ୍ବର ମହାପାତ୍ର ସମ୍ବର୍ଦ୍ଧିତ ହେବ I ଆଉ ନିଜକୁ ଗର୍ବ କରିବ; ଜଣେ ସ୍ଵାଧୀନତା ସଂଗ୍ରାମୀ ହିସାବରେ I

ଜେଜେବାପାଙ୍କର ସବୁ କଥା ଶୁଣି ସାରିବା ପରେ ବିଜୟକୁ ଲାଗିଲା, ତା’ ଜେଜେ ଯେପରି ସବୁ ଠିକ୍ କଥା କହୁଛନ୍ତି । ଆଜି ଆମେ ଉପଭୋଗ କରୁଥିବା ସ୍ଵାଧୀନତା, ଗାନ୍ଧୀ ମହାତ୍ମା ସ୍ଵପ୍ନ ଦେଖିଥିବା ସ୍ଵାଧୀନତାଠାରୁ ଢେର ଅଲଗା, କିନ୍ତୁ ଆମମାନଙ୍କୁ ପରିବର୍ତ୍ତନ ହେବାକୁ ହେବ I ଆମ ଭିତରେ ଥିବା ମନୁଷ୍ୟତାକୁ ଜାଗ୍ରତ କରିବାକୁ ହେବ I ଆମ ଭିତରର ପଶୁତ୍ଵକୁ ଦୂରେଇ ଦେବାକୁ ପଡିବ, ତା’ହେଲେ ଆମେ ଗୋଟିଏ ସୁସ୍ଥ ସମାଜ ତିଆରି କରିପାରିବା ଓ ଗାନ୍ଧୀ ମହାତ୍ମାଙ୍କ ସ୍ଵପ୍ନର ରାମ ରାଜ୍ୟ ଗଢି ପାରିବା ।

ଏ କଥା ଭାବି ବିଜୟ କହିଲା, ଜେଜେବାପା, ଆପଣ ଠିକ୍ କହିଛନ୍ତି । ଆଜିର ଦିନରେ ଆମ ସମସ୍ତଙ୍କର ପରିବର୍ତ୍ତନ ଲୋଡା I ପ୍ରକୃତ ସ୍ଵାଧୀନତାର ସ୍ଵାଦ ଚାଖିବାକୁ ଆମକୁ ସେଇ ସୁଦିନକୁ ଅପେକ୍ଷା କରିବାକୁ ପଡିବ । ଆମେ ସମସ୍ତେ ଚାହିଁଲେ; ଏ ପରିବର୍ତ୍ତନ ହେବ ଓ ଆମ ଦେଶ ବି ଠିକ୍ ବାଟରେ ଚାଲିବ । ମୁଁ ଏ ପରିବର୍ତ୍ତନରେ ସାମିଲ ହେବି ଓ ନିସ୍ଵାର୍ଥପର ଭାବରେ କାମ କରିବି ।

ହସି ହସି ଜେଜେ ବିଜୟକୁ ନିଜ କୋଳକୁ ଆଉଜେଇ ନେଲେ ଓ କହିଲେ ବିଜୟ; ମୁଁ ଜାଣିଥିଲି ତୁ ନିଶ୍ଚୟ ମୋ ମନର କଥାକୁ ବୁଝିବୁ ଓ ମୋର ହୃଦୟର ଭାବକୁ ଉପଲବ୍ଧି କରିପାରିବୁ, କାରଣ ତୁ ମୋରି ରକ୍ତର I ମୋର ଆଶା ଓ ବିଶ୍ଵାସ, ଏ ସମାଜର ନିଶ୍ଚୟ ପରିବର୍ତ୍ତନ ହେବ I ଆମକୁ ସେଦିନ ଯାଏଁ ଅପେକ୍ଷା କରିବାକୁ ହେବ I ଦିନେ ନା ଦିନେ ସେହି ସୁଦିନ ଆସିବ I ଯେଉଁଥିରେ ସମସ୍ତେ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିପାରିବେ ଓ ଉଚିତ ନ୍ୟାୟ ପାଇବା ସହ ଦେଶର ସୁଦିନକୁ ଫେରାଇ ଆଣିବା ପାଇଁ ସେମାନଙ୍କର ଦାୟିତ୍ଵକୁ ସୁଚାରୁରୂପେ ପାଳନ କରିବେ ।

ଡାଃ ଜଗତବଂଧୁ ମହାପାତ୍ର

ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


Rate this content
Log in

Similar oriya story from Inspirational