Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Classics

5.0  

Bismita Sahoo

Classics

ସବୁପୁଅ ଏମିତି?

ସବୁପୁଅ ଏମିତି?

7 mins
582


ଗଳ୍ପ (ସତରେ ସବୁ ପୁଅ କଣ ଏମିତି)


-ନା ମୁଁ ଏଇ ଘାସ୍ ପୁସ୍ ଖାଇବିନି। ସବୁଦିନ ମା ତୁ ବାପାଙ୍କ ପସନ୍ଦର ଡାଲମା, ଶନ୍ତୁଳା, ଘାଣ୍ଟ, କଲରା ଭଜା ଏସବୁ କରୁଛୁ। ମୁଁ କେତେଥର କହିଲିଣି ତୁ ମୋ ସାଙ୍ଗ ମମିମାନଙ୍କ ପରି ଚିଲିକୋବି, ପନିର ମସଲା, ମୋମୋ ଏସବୁ କର। 


- ଚିଲିକୋବିରେ ପରା କୋବିଗୁଡ଼ା ଖାଲି ତେଲରେ ଛଣା ଯାଏ। ସେଗୁଡା ଖାଇଲେ ତୋ ପେଟ କାଟିବନି? କାଲି ପରା ହରିସାହୁ ଦୋକାନରୁ ବରା ଖାଇ ପେଟ କାଟିଲା ଯେ କାନ୍ଦୁଥିଲୁ? ମୁଁ ପୁଣି ତୋତେ ଛଣା ଜିନିଷ ଖାଇବାକୁ ଦେବି? ଆଉ ରହିଲା ପନିର ମସଲା। ଚୁଡ଼ା, ଗୁଡ଼, ଛେନା,କଦଳୀ ଚକଟା ସାଙ୍ଗକୁ ତୋର ଏ ପନିର ମସଲା ସରି ହେବ? 


- ମା ତୋର ସଦାବେଳେ ଏମିତି ଅବାଗିଆ କଥା। ମୋ ମନପସନ୍ଦର ଖାଇବା କିଛି କରିବୁନି। 


   ଏହା କହି ରୋହନ କାନ୍ଦିବାକୁ ଲାଗିଲା। ମା ରୋହନକୁ କୋଳକୁ ନେଇ ତା ପାଟିରେ ସିଝା ଛେନାମଣ୍ଡାଟିଏ ଦେଲେ। ରୋହନ ମା କାନ୍ଧରେ ଝୁଲି ପଡ଼ି ଛେନାମଣ୍ଡା ଖାଉ ଖାଉ କହିଲା


- ସତରେ ମା, ତୋ ଛେନାମଣ୍ଡା ଆଗରେ ମୋମୋ କେବେ ବି ସରି ହେବନି।


ମା ଭାବୁଥିଲେ ସତରେ କଣ ସବୁ ପୁଅ ଏମିତି?


   ରୋହନ ବଡ଼ ହେଇ କଲେଜରେ ପଢିଲାଣି। ହଷ୍ଟେଲରେ ରହୁଛି। ପାଠପଢ଼ା ଚାପ ଯୋଗୁଁ ମାସ ମାସ ଧରି ଘରକୁ ଆସି ପାରୁନି। ବାପାଙ୍କଠାରୁ ଫୋନରେ ମା ଦେହ ଖରାପ ଖବର ଶୁଣି ସେ ଘରେ ହାଜର ହେଇଗଲା। ମା ରୋହନକୁ ଅଚାନକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରାତି ଦଶଟା ବାଜିଲାଣି, ମୋ ପୁଅ କିଛି ଖାଇନଥିବ କହି ଜ୍ୱର ଦେହରେ ବିଛଣାରୁ ଉଠି ରୋଷେଇଘରକୁ ଗଲେ। ଅଟା ଚକଟି ବେଲଣା ପଟାରେ ରୁଟି ବେଳିଲାବେଳେ ତାଙ୍କ ହାତକୁ ବେଲଣା ପଟାରୁ କାଢ଼ି ଆଣିଲା ରୋହନ। ଧରେଇଦେଲା ରୋଟି ମେକର୍। କହିଲା


- ମା, ଆଜିଠୁ ତୁ ଏଥିରେ ରୁଟି କରିବୁ। ବାପା ଖାଇବାପାଇଁ ବସିଲାବେଳେ ତୁ ଅତି ଆରାମରେ ଗୋଟିଏ ଗୋଟିଏ ରୁଟି କରି ଖାଇବାକୁ ଦେବୁ। ଖାଲି ତୁ କାହିଁକି, ବାପା ବି ନିଜେ ରୁଟି କରିପାରିବେ। ରୁଟି ପାଇଁ ଏତେ ଦହଗଞ୍ଜ ହେବାକୁ ପଡିବନି। ତୁଯେଉଁ ଟିଫିନ ଥାକ, ସୋରିଷ ଡବା, ଚାଉଳବସ୍ତାରେ ଲୁଚେଇଥିବା ପଇସା ମୋ ହାତରେ ହଷ୍ଟେଲ ଗଲାବେଳେ ଖର୍ଚ୍ଚ କରିବି ବୋଲି ବାପାଙ୍କୁ ନଜଣେଇ ଧରେଇ ଦେଉଥିଲୁ ମୁଁ ସେଇ ପଇସା ଜମେଇ ରଖିଥିଲି। ଆଜି ସେଇ ପଇସାରେ ତୋ ପାଇଁ ରୋଟି ମେକର୍ ଆଣିଛି । 


 ବାପାଙ୍କ ଆଖିରୁ ବହୁଥିଲା ଆନନ୍ଦାଶ୍ରୁ। ସେ ଭାବୁଥିଲେ ସତରେ କଣ ସବୁ ପୁଅ ଏମିତି?


ମା'କୁ ଖୁବ୍ ଭଲ ପାଉଥିବା ରୋହନ ଝିଅମାନଙ୍କ ଠାରୁ ହାତେ ଦୂରତାରେ ରୁହେ। ସେମାନଙ୍କୁ ଦେଖିଲେ ତା ଛାତି ଧକ୍ ଧକ୍ ହୁଏ। ଦେହ ହାତ ଝିମ୍ ଝିମ୍ ମାରେ। ସେ ବହୁତ ଶୁଣିଛି ଏ ଝିଅମାନଙ୍କ ବିଷୟରେ। ଝିଅମାନେ କୁଆଡେ ଫୁସୁଲେଇ ପ୍ରଥମେ ପ୍ରେମଫାଶରେ ପକେଇ ଦିଅନ୍ତି ଓ ପରେ ମା'ଠାରୁ ପୁଅକୁ ଅଲଗା କରନ୍ତି। ମା' ଠୁ ଅଲଗା ରହିବା ଚିନ୍ତା ସେ ସ୍ୱପ୍ନରେ ବି ଭାବି ପାରେନି। ଏତେବଡ ହେଲାପରେ ବି ଘରକୁ ଗଲେ ମା ' କୁ ଧରି ନ ଶୋଇଲେ ତାକୁ ନିଦ ହୁଏନି। ପେଟପୁରା ଯେତେ ଖାଇଥିଲେ ବି ରାତି ଅଧରେ ନିଦ ଭାଙ୍ଗିଯାଏ। ସେ ଫ୍ରିଜରୁ ଖାଇବା ଦରାଣ୍ଡେ। ମା ତାର ମନ ଜାଣିଲା ପରି କେବଳ ତା ପାଇଁ ଲୁଚେଇ ରଖିଥିବା ଜିଲାପି କି ଗୋଲାପଜାମୁ ଖଣ୍ଡେ ତା ପାଟିରେ ପୁରେଇ ଦିଏ। ସେଇ ରୋହନ ରାତିରେ ନ ଖାଇ ଯଦି କେବେ ହଷ୍ଟେଲରେ ଶୋଇଯାଇଥାଏ ଭୋକ ବିକଳରେ ଖାଦ୍ୟ ଖୋଜିବାଟା କେହି ଦେଖିନାହାନ୍ତି।


   କାହିଁକି କେଜାଣି ରିମାର ମୁହଁଟା ତା ମା ମୁହଁ ପରି ସୁନ୍ଦର ଲାଗେ। ତାର ଚୁପି ଚୁପି କଥା, ଧୀର ସ୍ଥିର ଚାଲି ଚଳଣି ପ୍ରତି ରୋହନ ଆକୃଷ୍ଟ ହେଉଥିଲା। ରୋହନକୁ ଦେଖିଲା ମାନେ ସୀମା ପଚାରେ

 - ଖାଇଛ? ନିଅ ଏ ଟିଫିନ, ଏଥିରେ ତୁମ ପସନ୍ଦର ଖାଇବା ଆଣିଛି।


 କୁହାଯାଏ ସୁଆଦିଆ ଖାଦ୍ୟ ହେଉଛି ପୁଅମାନଙ୍କ ହୃଦୟକୁ ଯିବାକୁ ସହଜ ଓ ସୁବିଧା ରାସ୍ତା। ରୋହନ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହେଇଥିଲା। ସେ ନିଜକୁ ଯେତେ ରୋକିଲେ ବି ରିମାଠାରୁ ଦୂରକୁ ଯାଇପାରିଲାନି। ପ୍ରେମପକ୍ଷୀ ଧୀରେ ଧୀରେ ଡେଣା ଝାଡ଼ି ଉଡ଼ିବାକୁ ବ୍ୟସ୍ତ ହେଲାଣି। କଲେଜରେ ପାଠ ପଢ଼ା ସରି ଆସୁଥିଲା। ରିମା ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥିଲା। ସେ ଜାଣେ ଚାକିରୀ ନ କଲା ଯାଏ ରୋହନ ତାକୁ ବିବାହ କରିବନି। ତେଣୁ ରିମା ଚାହୁଁଥିଲା ରୋହନ ତା ମାଙ୍କୁ ସେମାନଙ୍କ ଭଲ ପାଇବା ବିଷୟରେ ଜଣାଇ ଦେଉ। ତା ମା ଯଦି ରିମାକୁ ବୋହୂ ରୂପେ ଗ୍ରହଣ କରିବାକୁ ରାଜି ହେବେ ତେବେ ସେ କିଛି ବାହାନା କରି ଏ ବାହାଘର ସବୁ ଘୁଞ୍ଚେଇ ପାରିବ। ଯିଏ ପ୍ରେମିକାର ଆଶା ପୂରଣ ନ କରି ପାରୁଛି ତେବେ ସେ କି ପ୍ରେମିକ? ଏମିତି ବି ତ ରିମା ତାକୁ ଏବେ ହିଁ ବିବାହ କରିବାକୁ ବାଧ୍ୟ କରୁନି କେବଳ ପ୍ରତିଶ୍ରୁତି ଚାହୁଁଛି। ମା ତାର କୌଣସି କଥାରେ କେବେ ଅରାଜି ହେଇ ନାହାନ୍ତି। ତେଣୁ ସେ ତାକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ତାର ବିଶ୍ୱାସ ଥିଲା। 


  ସେଦିନ ରାତିରେ ସେ ଘରେ ପହଞ୍ଚି ମା କୁ ରିମା ବିଷୟରେ ସବୁ କହିଥିଲା। 


- ବିବାହ ଟା ଜିଲାପି ନୁହେଁ ଯେ ତୋତେ ମୁଁ ସମସ୍ତଙ୍କଠାରୁ ଲୁଚେଇ ଦେଇଦେବି। ପୁଣି ତା ଜାତି ଓ ଆମ ଜାତି ଭିତରେ କୌଣସି ସମାନତା ନାହିଁ। ଏତେ ଛୋଟ ଜାତିର ଝିଅ କଣ ଆମ ବଡ଼ବଡୁଆଙ୍କୁ ପାଣି ଚଢେଇବ? ତୁ ତାକୁ ସବୁଦିନ ପାଇଁ ଭୁଲି ପାଠ ପଢ଼ାରେ ମନ ଦେ। ଏମିତି ବି ଯେଉଁ ଝିଅ ପ୍ରେମ କରେ ସେ କେବେ ବି ଭଲ ଝିଅ ହେଇନଥିବ।


 ମା ମୁହଁରୁ ଏପରି କଥା ଶୁଣିବ ବୋଲି ରୋହନ କେବେ ବିଶ୍ୱାସ କରି ନଥିଲା। ସେ ତା ମାକୁ ତାର ଗ୍ରେଟ ସପୋର୍ଟର ଭାବୁଥିଲା। ତେଣୁ ତାର ସମଗ୍ର ମନୋବଳ ଭାଙ୍ଗି ଯାଇଥିଲା। ତା ଆତ୍ମା ଦୁଃଖରେ ବିଳାପୁଥିଲା। ସେ ପୁଣିଥରେ ମା କୁ ବୁଝେଇବା ପାଇଁ ଚେଷ୍ଟା କଲା। ମା କିନ୍ତୁ ତାଙ୍କ ଜିଦ ରେ ଅଟଳ। ସେପଟୁ ରିମାର ବାରମ୍ବାର ପ୍ରଶ୍ନ, "ମା କଣ କହିଲେ?"


 ରୋହନ ହଷ୍ଟେଲ ଫେରି ଆସିଥିଲା। ସେ ରିମାକୁ ଉତ୍ତର ଦେବା ଭୟରେ କୋଠରୀରୁ ବାହାରିନଥିଲା। ଏମିତି ବି କଲେଜ ର ବାର୍ଷିକ ପରୀକ୍ଷା ନିକଟତର ଥିଲା। କୌଣସି କ୍ଲାସ ବି ହେଉନଥିଲା। ତେଣୁ ରିମା ବି କଲେଜ ବାହାନାରେ ରୋହନକୁ ଦେଖା କରିପାରୁନଥିଲା। ଦୁହିଁଙ୍କ ଡିପାର୍ଟମେଣ୍ଟ ଅଲଗା ଥିଲା। ନିଜେ ନ ଚାହିଁଲେ ସାକ୍ଷାତ ବି ହେଇ ପାରିବନି। ରୋହନ ମୋବାଇଲରେ ରିମା ଫୋଟୋକୁ ଖାଲି ଦେଖୁଥିଲା। ଗାଧୋଇବା ପାଇଁ ପାଣି ଗରମ କରିବା ସମୟରେ ଅସାବଧାନତା ବଶତଃ ଫୋନ ଟି ବାଲ୍ଟି ଭିତରେ ପଡ଼ି ଯାଇଥିଲା। ବାସ୍, ସବୁ ଶେଷ। ସେ ଫୋଟୋରେ ବି ଆଉ ରିମାକୁ ଦେଖି ପାରୁନଥିଲା। ନା ପରିସ୍ଥିତିର ସାମ୍ନା ନ କରି ଲୁଚିବା ଭୀରୁଙ୍କ କାମ। ସେ ରିମାକୁ ବୁଝେଇବ। ତାକୁ ଆଉ ଅଧିକ ସମୟ ମାଗିବ। ମାତ୍ର ଦୁଇ ବର୍ଷ। ଏହି ଦୁଇ ବର୍ଷରେ କୌଣସି ନା କୌଣସି ଚାକିରୀ ମିଳିଯିବ। ମା କୁ ବି ଯେମିତି ହେଲେ ରିମା ସହିତ ବାହାଘର ପାଇଁ ରାଜି କରେଇବ।


 ଠକ୍ ଠକ୍। କବାଟରେ କିଏ ମୃଦୁ ଆଘାତ କରୁଛି। ସେ କବାଟ ଖୋଲିଲା। ତାର ଚିଠି ଆସିଛି। ବାପା ଦେଇଛନ୍ତି। ମା'ର ଦେହ ଖରାପ। ତାକୁ ଯିବାକୁ ପଡ଼ିବ। ମା'ର ଅସୁସ୍ଥତା ଶୁଣି ସକାଳ ନ ପାହୁଣୁ ଗାଁ ଅଭିମୁଖେ ବାହାରିଗଲା। ମା'ର ବ୍ରେନ ମ୍ୟାଲେରିଆ। କିଛି କଥା କହୁନି। ଆଖି ବି ଖୋଲୁନି। ସଦାବେଳେ ଚଳ ଚଞ୍ଚଳ ଥିବା ମଣିଷଟିକୁ ଖଟରେ ଖାଲି ଶୋଇ ରହିବାଟା ତା ପାଇଁ ଅସହନୀୟ ଥିଲା। ସେ ମା'ର ସେବାରେ ଦିନ ରାତି ଲାଗି ରହିଲା। ଏହିପରି ଦୁଃଖଦ ମୁହୂର୍ତ୍ତରେ ରିମାର ଚିଠି ଆସିଥିଲା। ଗୋଟିଏ କି ଦୁଇଟି ନୁହେଁ। ଏକାବେଳକେ ପାଞ୍ଚଟା ଚିଠି। ଚିଠିସବୁ କାହାର ବୋଲି ମା ଜାଣିବାକୁ ଚାହୁଁଥିଲା। ଏ ସମୟରେ ସେ ରିମାର ନାଁ ନେଇ ମା'କୁ ଦୁଃଖ ଦେବାକୁ ଚାହୁଁନଥିଲା। ଚିଠି ଗୁଡ଼ିକୁ ନ ପଢ଼ି ଶେଜ ତଳେ ଲୁଚେଇ ମା ର ସେବାରେ ଲାଗିଯାଇଥିଲା।


  ଦୀର୍ଘ ଦେଢ଼ ମାସ ପରେ ମା ସୁସ୍ଥ ହେଲା। ସେ ରୋହନକୁ କୋଳେଇ କହିଲେ " ସଦାବେଳେ ଖୁସିରେ ରୁହ"। ତା ଖୁସି ତ ରିମା ପାଖରେ। ମା ର ଦେହ ଖରାପ ଭିତରେ ସେ ଦୁଇମାସ ହେଲା ତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ସେ ରିମା କଥା ଜାଣିବା ପାଇଁ କଲେଜ ଗଲା। ସେଠୁ ଜାଣିବାକୁ ପାଇଲା ରିମାର ବାହାଘର ହେଇ ସାରିଲାଣି। ତା କାନମୁଣ୍ଡା ଝାଇଁ ଝାଇଁ ହେଇଗଲା। 

ସେ ଘରକୁ ଯାଇ ରିମାର ଚିଠି ଖୋଲିଲା। ରୋହନର ଫୋନ ଲାଗୁନି। ଘରେ ତା ବିବାହ ପାଇଁ ସମସ୍ତେ ତା ଉପରେ ଚାପ ପକାଉଛନ୍ତି ଓ ସେ ରୋହନଠାରୁ ତା ଉତ୍ତର ଚାହୁଁଛି ବୋଲି ରିମା ଲେଖିଥିଲା। 


  ରିମା ରୋହନକୁ କଣ୍ଟାକ୍ଟ କରିବାକୁ ଅନେକ ଚେଷ୍ଟା କରିଥିଲା। ଶେଷରେ ଫୋନରେ ସମ୍ଭବ ନହେବାରୁ ସେ ଚିଠି ବି ଦେଇଥିଲା। ହେଲେ ରୋହନ ଚିଠିଗୁଡ଼ିକୁ ଆଗରୁ ନପଢ଼ି ରଖିଦେଇଥିଲ। ମା'ର ସ୍ନେହ ରୂପକ କାନିରେ ପ୍ରେମିକାର ଓଢଣୀ ବୋଧେ ଛୋଟ ପଡ଼ିଯାଏ। ସବୁ ପୁଅମାନେ କଣ ଏମିତି? ରୋହନ ନିଜକୁ ନିଜେ ପ୍ରଶ୍ନ କରୁଥିଲା।


 

   ମା ଙ୍କ ପସନ୍ଦର ଝିଅ ସହିତ ରୋହନ ବିବାହ କରିଥିଲା। ଝିଅଟି ଜନ୍ମ ହେଇଥିଲା ଓଡ଼ିଶାରେ କିନ୍ତୁ ବଢିଥିଲା ଦିଲ୍ଲୀରେ। ମାଙ୍କ ସାଙ୍ଗର ଝିଅ। ଯେହେତୁ ମାଙ୍କ ସାଙ୍ଗ ଖୁବ୍ ଛୁଇଁମୁଇଁ ସ୍ୱଭାବର ଥିଲେ ଝିଅଟି ମଧ୍ୟ ସେପରି ହେଇଥିବ ବୋଲି ମା ଅନୁମାନ କରିଥିଲେ। ରୋହନ ବି ଦିଲ୍ଲୀରେ ଚାକିରୀ କରୁଥିବାରୁ ସେ ଝିଅ ସହିତ ବିବାହ କଲେ ବି କୌଣସି ଅସୁବିଧା ହେବନି ବୋଲି ମା ରୋହନକୁ ବୁଝାଇଲେ। ମା କଥାରେ ଦ୍ବିମତ ହେବାର କୌଣସି କାରଣ ନଥିଲା। 


  ଝିଅଟିଏ ବାହା ହେଲେ ଯେମିତି ତାର ସମ୍ପୂର୍ଣ୍ଣ ଦୁନିଆ ବଦଳି ଯାଏ ପୁଅର ବିବାହ ପରେ ସେ ମା ଓ ସ୍ତ୍ରୀ ମଧ୍ୟରେ ସନ୍ତୁଳନ ରଖିବାର ଚେଷ୍ଟାରେ ହିଁ ତାର ଅର୍ଦ୍ଧେକ ଜୀବନ ସରିଯାଏ। ପ୍ରଜାପତି ପରି ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲୁଥିବା ମନକୁ ବାନ୍ଧି ରଖି ସକାଳ ପାହିଲା ମାନେ ପରିବା, କ୍ଷୀର, ବଜାର ସଉଦା ସହିତ କର୍ମକ୍ଷେତ୍ରରେ ବସ୍ ର ନାଲି ଆଖି ସବୁ କଥାକୁ ମୁଣ୍ଡ ନୁଆଇଁ ହଜମ କରିବାକୁ ପଡ଼େ। ପକେଟରେ ମାଙ୍କଡ଼ଚିତ ମାରିଲେ ବି ସ୍ତ୍ରୀ ର ସବୁ ଆବଶ୍ୟକତାକୁ ଜୀ ହାଁ କହି ପୂରଣ କରିବାକୁ ପଡେ। ଘରଲୋକଙ୍କ ଆଗରେ, ସାଙ୍ଗସାଥି ମେଳରେ, ଅଫିସରେ ଓ ସର୍ବୋପରି ସ୍ତ୍ରୀ ସମ୍ମୁଖରେ 'ମୁଁ ଗୋଟିଏ ଖୁବ ଖୁସିବାସିଆ ମଣିଷ' ଏହାର ଅଭିନୟ କରିବାକୁ ପଡ଼େ। 


 ପ୍ରତିବର୍ଷ ପୁଅର ଖରାଛୁଟିରେ ସେମାନେ ଗାଁ କୁ ଯାଆନ୍ତି। 

 ସୀମା ଅନିଚ୍ଛାର ସହିତ ଗାଁ କୁ ଯାଏ । ଶାଢ଼ୀ ପିନ୍ଧି ସକାଳୁ ଗାଧେଇ ତୁଳସୀ ଚଉରାରେ ପାଣି ଦେଇ ପୂଜା ସାରିଲେ ଖାଇବାକୁ ମିଳେ ବୋଲି ସୀମା ଗାଁକୁ ଯିବାକୁ ପସନ୍ଦ କରେନି। ରୋହନ୍ ବାଧ୍ୟ କରିବାରୁ ସୀମା ରାଜି ହେଇଥିଲା। ସେମାନେ ଦିନ ଗୋଟାଏ ରେ ଗାଁ ରେ ପହଞ୍ଚିଲେ ବୋଲି ସିନା ମା ରୋଷେଇ କରି ରଖିଥିଲେ ଓ ଆରାମରେ ସେମାନେ ଖାଇଦେଲେ ହେଲେ ରାତ୍ରୀର ଖାଇବା ତ ସୀମାକୁ କରିବାକୁ ପଡିବ। ରୋଷେଇ କଲାବେଳେ ସୀମା ମୁହଁର ଅଙ୍ଗଭଙ୍ଗୀରୁ ରୋହନ ତା ମନକଥା ବୁଝିପାରିଥିଲା। 

 ସେ ନିଜେ ଦେଖିଛି ମା କେମିତି ଜେଜେବାପା ଓ ଜେଜେମାଙ୍କ ଆଗରେ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢଣା ଟାଣି କାଠଚୁଲିରେ ସବୁ ରୋଷେଇ କରୁଥିଲା। ମା ର ଖୁସି ପାଇଁ ଯେତେଦିନ ଯାଏଁ ସେମାନେ ଗାଁ ରେ ରହିବେ ସୀମାକୁ ଶାଢ଼ୀ ପିନ୍ଧିବା ପାଇଁ ସେ ଅନୁରୋଧ କରିଛି। ସୀମା ସମସ୍ତଙ୍କ ପାଇଁ ରାତିରେ ରୁଟି ଓ ଆଳୁକୋବି ଝୋଳ ତିଆରି କରିଥିଲା। ମା ପ୍ରତିଟି ରୁଟିରେ ଗୁଆଘିଅ ମାରି ଖାଇବା ଥାଳି ବାଢ଼ିଦେଲେ। ସଭିଏଁ ଖାଇ ଶୋଇବାକୁ ଗଲେ। ରୋହନର ପୁଅ ପ୍ରୀତ କାହାଣୀ ଶୁଣିବା ପାଇଁ ଶୋଇଲା ତା ଜେଜେମାଙ୍କ ପାଖରେ। ସୀମା ଶୋଇବାଘରେ ପଶି ପ୍ରଥମେ ଶାଢ଼ୀଟିକୁ କାଢ଼ି ଫିଙ୍ଗି ଦେଇ ନାଇଟି ଖଣ୍ଡିକ ଗଳେଇ ଦେଲା। 'ଓଃ କି ଶାନ୍ତି' ମନେ ମନେ ଗୁଣୁଗୁଣେଇଲା। 

ସେମାନଙ୍କ ଆଖି ଟିକିଏ ଲାଗି ଯାଇଛି କବାଟରେ ଠକ୍ ଠକ୍ ହେଲା। 


- କିଏ?

- ଆରେ ମୁଁ, କବାଟ ଖୋଲ।


  ମା ର ପାଟି ଶୁଣି ସୀମା ଡରରେ ଖଟ ଉପରୁ ତଳକୁ କୁଦି ପଡିଲା। ନାଇଟି ଖୋଲି ସାୟା, ବ୍ଲାଉଜ ପିନ୍ଧିଲା ବେଳକୁ ଡେରି ହେଇଯିବ ଯେ। ସେ ଏବେ କଣ କରିବ?ସୀମା ବ୍ୟସ୍ତ ହେଇ ରୋହନକୁ ଅନେଇଲା। ରୋହନ ହସି ହସି ବ୍ୟାଗରୁ ଶାଢ଼ୀଟିଏ କାଢ଼ିଲା। ଆରେ ଇଏ କଣ? ଶାଢ଼ୀ ସହ ସାୟା ବ୍ଲାଉଜ ସିଲେଇ ହେଇଛି। କୁଞ୍ଚ କରି କାନି ବି ହେଇଛି। ଖାଲି ଡ୍ରେସ ପରି ହାତ ଦୁଇଟା ଗଳେଇ ଦେଇ ପିନ୍ଧିଦେଲେ ହେଲା। ସୀମା ଖୁସିରେ ରେଡି ମେଡ ଶାଢ଼ୀକୁ ପିନ୍ଧି ତୁରନ୍ତ କବାଟ ଖୋଲିଲା। ଶାଶୁଙ୍କ ହାତରେ ଦୁଇ ଗ୍ଲାସ କ୍ଷୀର। ଗୋଟିଏ ରୋହନ ପାଇଁ ଓ ଆରଟି ତା ପାଇଁ। ସୀମା କ୍ଷୀର ପିଉ ପିଉ ଭାବୁଥିଲା ସତରେ କଣ ସବୁ ପୁଅମାନେ ଏମିତି


Rate this content
Log in

Similar oriya story from Classics