Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

3  

Lopamudra Mishra

Others

ମାନସିକ ଓ ମାଆ ଡୋକରୀ

ମାନସିକ ଓ ମାଆ ଡୋକରୀ

6 mins
7.5K


ସ୍ମୃତି ରେ କଳାହାଣ୍ଡି-୨

ଓଡିଶାର କଳାହାଣ୍ଡି ଜିଲ୍ଲା । ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । କଳାହାଣ୍ଡିର ଜୟପାଟଣା ବ୍ଲକରେ ଆମ ସ୍ୱଳ୍ପ ରହଣୀ କାଳର ସ୍ମୃତି ଚୀରସ୍ମରଣୀୟ । କୌଣସି ମନୋରମ ସୁନ୍ଦର ସ୍ଥାନ ଓ କିଛି ସ୍ନେହି ମଣିଷଙ୍କ ଗଭୀର ଅତ୍ମୀୟତାକୁ ଭୁଲିଯିବା ଏତେ ସହଜ ନୁହେଁ । ସେହି ଜଙ୍ଗଲ, ଝରଣା ଓ ପାହାଡ ଘେରା କଳାହାଣ୍ଡିରେ ଆମ ସୁଖୀ ଦାମ୍ପତ୍ୟ ଜୀବନର ଅୟମାରମ୍ଭ ହୋଇଥିଲା । ଜୟପାଟଣାର ଘଟଣା ବହୁଳ ଦିନଗୁଡିକ ଆମ ମନ ଓ ହୃଦୟରେ ଜୀଇଁଥିବା ଯାଏଁ ତାଜା ରହିଥିବ ।

ମୁଁ ମୋର ପୂର୍ବ କାହାଣୀ 'ଭିନ୍ନ ଜଣେ ସାବିତ୍ରୀ ' ରେ କଳାହାଣ୍ଡିର ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର,ଇନ୍ଦ୍ରାବତୀ ଡ୍ୟାମ ଓ ତାର ଅପୂର୍ବ ସୌମ୍ୟ ଶାନ୍ତ ପରିବେଷ ସମ୍ବନ୍ଧରେ ବର୍ଣ୍ଣନା କରିଥିଲି । ସେହିପରି ଆଉ ଏକ ଅତୀବ ଚିତାକର୍ଷକ ସ୍ଥାନର ସୁନ୍ଦର ଗୋଟେ ଅଭୁଲା ସ୍ମୃତି ହେଲା ଆମର ତାଳଗୁଡର ମାଆ ଡୋକରୀଙ୍କ ମନ୍ଦିର ପରିଦର୍ଶନ ।

ସେଦିନ ଥିଲା ଦୁର୍ଗାଷ୍ଟମୀ । ହଜବ୍ୟାଣ୍ଡ ଙ୍କ ବନ୍ଧୁ ମିଷ୍ଟର ଜଗମୋହନ ଅଗ୍ରୱାଲ ତାଙ୍କ ପରିବାର ସହ ଆମକୁ ମାଆ ଡୋକରୀ ମନ୍ଦିର ଦର୍ଶନାର୍ଥେ ନିମନ୍ତ୍ରଣ କଲେ । ତାଳଗୁଡର ଡୋକରୀ ମନ୍ଦିରର ଅବସ୍ଥିତି ଜୟପାଟଣା ଠାରୁ ମାତ୍ର ଦଶରୁ ବାର କିଲୋମିଟର ଦୂରରେ । ଭବାନୀପାଟଣାରୁ କେହି ଆସିବାକୁ ଚାହିଁଲେ ତାଙ୍କୁ ଅଣସ୍ତରି -ସତୁରୀ କିଲୋମିଟର ରାସ୍ତା ଅତିକ୍ରମ କରି ଆସିବାକୁ ପଡିବ ତାଳଗୁଡ଼କୁ ।

ଆମେ ଖୁବ ସକାଳୁ ବାହାରିଲୁ । ଆମ ସହ ଅଗ୍ରୱାଲ ବାବୁଙ୍କ ପତ୍ନୀ ଓ ପିଲାମାନେ ଥାଆନ୍ତି । ଆମେ ଖୁବ କମ ସମୟ ଭିତରେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ଗଲୁ । ଗାଡିଟି ଅଳ୍ପ ଦୂରରେ ରଖି ଆମେ ପାଦ ଚଲା ରାସ୍ତା ରେ ଆଗକୁ ଶହେ ମିଟର ଚାଲି ଚାଲି ଗଲୁ । ମନ୍ଦିର ପାଖକୁ ଯିବା ପାଇଁ ରାସ୍ତାଟି ଝରଣାର ନୀଳ ପାଣିକୁ ଦୁଇ ଭାଗ କରି ଚିରି ଆଗକୁ ଲମ୍ବିଯାଇଛି । ସେଠିକା ନୀଳ ପାହାଡ, ନୀଳ ଜଙ୍ଗଲ, ନୀଳ ପାଣି ଓ ନୀଳ ଆକାଶର ନୀଳିମାକୁ ଦେଖି ଯେ କେହି ଵି ଅଭିଭୂତ ହୋଇପାରେ ।

ସେଠି ପହଞ୍ଚିଲା ପରେ ମିଷ୍ଟର ଓ ମିସେସ ନାୟକଙ୍କ ସହ ମଧ୍ୟ ଭେଟ ହେଲା । ମିସେସ ଅଗ୍ରୱାଲ ଓ ମିସେସ ନାୟକ ପୂଜା ପାଇଁ ଭିତରକୁ ଗଲେ । ଆମେ ସେ ଜାଗାଟିକୁ ପ୍ରଥମ କରି ଯାଇଥିବାରୁ ବୁଲି ବୁଲି ସବୁ ଦେଖୁଥାଉ । ପୂଜା ପାଇଁ ମନ୍ଦିର ଆଗରେ ଛୋଟିଆ ଅସ୍ଥାୟୀ ବଜାରଟିଏ ପଡିଛି । କୁନି କୁନି ପିଲାମାନେ ଖେଳନା ଦୋକାନ ଆଗରେ ଭିଡ଼ କରିଥାନ୍ତି । ଲୋକଙ୍କ ଏତେ ଗହଳୀ ଭିତରେ ମଧ୍ୟ ମନ୍ଦିର ପରିବେଶଟି ଅଦ୍ଭୁତ ରୂପେ ଶାନ୍ତ ଓ ମୁଗ୍ଧକର ।

ସବୁ ସୁନ୍ଦର ନିଆରା ଜାଗାର ଫୋଟୋ ଉଠେଇବାକୁ ଖୁବ ଭଲ ପାଉଥିବା ମୋ ହଜବ୍ୟାଣ୍ଡ କିଛି ସୁନ୍ଦର ମୁହୂର୍ତ୍ତ ଗୁଡିକୁ କ୍ୟାମେରାରେ ଧରି ରଖୁଥିବା ବେଳେ ଫୁଲ ଦୋକାନ ଆଗରେ କାହାକୁ ଦେଖି ପକେଇ ସେ ଆଡକୁ ଅଗ୍ରସର ହେଲେ । ମୁଁ ଵି ଚାଲିଲି ପଛେ ପଛେ ।

ଆମେ ପାଖକୁ ଯାଇ ଦେଖିଲୁ ଜଣେ ବୃଦ୍ଧ ଫୁଲ ଓ ଭୋଗ ଦୋକାନ ଆଗରେ ଠିଆ ହୋଇ କଣ କିଣାକିଣି କରୁଛନ୍ତି । ଆମେ ତାଙ୍କୁ କିଛି ମାସ ଆଗରୁ ଆମ କ୍ୱାର୍ଟର୍ସରେ ଭେଟିଥିଲୁ । ସେଦିନ କିନ୍ତୁ ସେ ଏକା ନଥିଲେ, ସାଙ୍ଗରେ ଥିଲେ ତାଙ୍କ ବୃଦ୍ଧା ପତ୍ନୀ । ବୃଦ୍ଧ ଜଣଙ୍କ ଭୀଷଣ ଜ୍ଵରରେ କମ୍ପୁଥିଲା ବେଳେ ତାଙ୍କ ବୃଦ୍ଧା ପତ୍ନୀ ତାଙ୍କୁ ନେଇକି ଆସିଥିଲେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ । ୟାଙ୍କର ଡିୟୁଟି ସରିଯାଇଥିଲା । ଆମେ ଘରେ ବସି ଟିଭି ଦେଖୁଥିଲୁ ବୃଦ୍ଧ ଦମ୍ପତି ଆସି ଡୋରବେଲ ଦେଲେ । ଇଏ ଯାଇ ଦେଖିଲେ ବୁଢା଼ଲୋକଟି ଜରରେ ଥରୁଛନ୍ତି । ସେ ତାଙ୍କୁ ଦେଖି ଔଷଧ ଲେଖିଲେ । ପାଖରେ ଥିବା କିଛି ଔଷଧ ଦେଇ ଗୋଟେ ଟାବଲେଟ ସଙ୍ଗେ ସଙ୍ଗେ ଖାଇବାକୁ କହିଲେ । ମତେ ଡାକି କହିଲେ," ଘରେ କଣ ଖାଇବା ଅଛି ଆଣିଦିଅ ମଉସା ଖାଇକରି ଔଷଧଟା ନେବେ "। ୟାଙ୍କ ଠୁ ସବୁ ବୁଝି ନେଲା ପରେ ବୁଢୀ ମାଉସୀ ଜଣଙ୍କ ତାଙ୍କ ପିନ୍ଧା ଶାଢ଼ୀର କାନିରୁ ଗଣ୍ଠି ଖୋଲିଲେ ଆଉ ସେଥିରେ ମୋଡି ମାଡି ରଖିଥିବା ମଳିଆ ଦଶ ଟଙ୍କିଆ, କୋଡିଏ ଟଙ୍କିଆ ନୋଟ ଦୁଇ ତିନୋଟି କାଢି ୟାଙ୍କ ହାତକୁ ବଢା଼ଉ ଥିଲେ, ଇଏ ଟଙ୍କାତକ ମାଉସୀଙ୍କ ହାତରେ ପୁଣି ଗୁଞ୍ଜିଦେଇ କହିଲେ, "ରଖ ମାଉସୀ, ମଉସାଙ୍କୁ ଫ୍ରୁଟସ କିଣି ଖାଇବାକୁ ଦେବ "।

ଆଜି ଏଠି ସେହି ମଉସାଙ୍କୁ ଏକା ଦେଖି ଇଏ ପ୍ରଥମେ ପଚାରିଲେ, "ମଉସା ! ଚିହ୍ନି ପାରୁଛ କି ନାହିଁ ? ଏବେ ଦେହ କେମିତି ଅଛି ?"

--ଆଜ୍ଞା ଜୁହାର । ଦେହ ଠିକ ଅଛି ବାବୁ । ବୁଢା ବୟସ ହେଲା ବାବୁ । ଆଉ ବା କେତେ କାଳ !

--ଏକା ଏକା କେମିତି ? ମାଉସୀ କୁଆଡେ ଗଲେ କି ?

--ଆଜ୍ଞା ସେଦିନ ସେ ସିନା ମତେ ଠିକ ବେଳକୁ ଆପଣଙ୍କ ପାଖକୁ ନେଇ ଉଷୁଦ ପତର ଦେଇ ଭଲ କଲା, ହେଲେ ସେ ବିଚାରୀ ମୋ ସାଙ୍ଗ ଦେବାପାଇଁ ଆଉ ରହିଲା ନାହିଁ ।

ବୃଦ୍ଧଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, "କାହିଁକି ମଉସା? ତାଙ୍କର କଣ ହୋଇଥିଲା କି? ସେଦିନ ତ ସେ ବେସ ସୁସ୍ଥ ଜଣାପଡୁଥିଲେ ।"

--ମାଆ ! ଯାହା ଦଇବର ବିଧାନ, ତାକୁ ଆଉ କିଏ କଣ କରିବ ? ଆମେ ତ ଦୁଇପରାଣୀ ଓଳିଏ ରାନ୍ଧି ଦୁଇଓଳି ଖାଇ ରହି ଯାଉଥିଲୁ । ମାସକ ତଳେ ଗାଁର ଜଣଙ୍କ ଘରେ ପୂଜା ହେଉଥିଲା । ସେଠୁ ପ୍ରସାଦ ଖାଇ ରାତିରେ ଦୁହେଁ ଫେରୁଥିଲୁ, ଅନ୍ଧାରୁଆ ରାସ୍ତାରେ ବିଷଧର ସାପଟିଏ ବୁଢୀକୁ ଦଂଶିଲା । ସିଏ ଭାବିଲା ପୋକଟେ କି କଣ କାମୁଡି ଦେଇଥିବ । ଘରେ ଆସି ଗୋଡ଼ରେ ହଳଦୀ ଲଗେଇ ଶୋଇପଡିଲା । ସକାଳୁ ଉଠିଲା ବେଳକୁ ପାଟିରୁ ତାର ଫେଣ ବାହାରି ପଡିଛି । ବୁଢୀ ଆଉ ଜୀବନରେ ନଥିଲା ମାଆ । ମୁଇଁ ଏବେ ଏକା ଏକା ଦିନ କଟଉଛି । ମାଆଙ୍କୁ ଡାକୁଛି ଗୋଡ଼ ହାତ ଚାଲୁ ଥାଉ ଥାଉ ଜୀବନଟା ମୋର ଚାଲିଯାଉ ।

ଲୋକଟିର ଦୁଃଖଦ କାହାଣୀ ଶୁଣି ମନଟା ଭାରି ଭାରି ଲାଗିଲା । ଏ ଭିତରେ ଆମ ପାଖରେ ଆସି ହସ୍ପିଟାଲର ଆଉ ଜଣେ ଷ୍ଟାଫ ଠିଆ ହେଲେଣି । ସିଏ ବୃଦ୍ଧଙ୍କୁ ଚିହ୍ନିଥିଲେ ବୋଧେ । ତାଙ୍କୁ ଲକ୍ଷ କରି ପଚାରିଲେ, "ମଦନ ମଉସା !କଣ ପୂଜା କରିବାକୁ ଆସିଥିଲ ବୋଧେ? "

--ହଁ ପୁଅ । ମନୁଆଁ ପାଇଁ ତା ମାଆ ମାନସିକ ରଖିଥିଲା ପରା ଅଷ୍ଟମୀରେ ପୂଜାଟେ ଦେବ ବୋଲି ।

ହଜବ୍ୟାଣ୍ଡ ଉତ୍ସୁକତାର ସହ ପଚାରିଲେ, "ମଉସା ! ମନୁଆଁ କିଏ? ତୁମ ପୁଅ କି? "

--ଆଜ୍ଞା ହଁ । ମୋ ପୁଅ । ଗଲା ବରଷ ତାକୁ ଡେଙ୍ଗୁ ହେଲା । କଟକ ଯାଇ ବଡ ମେଡିକାଲରେ ପଡିଲା । ଅବସ୍ଥାଟା ଆଜ୍ଞା ଭଲ ନାଇଁ ଥିଲା । ତା ମାଆ ବହୁ ଠାକୁର ଠାକୁରାଣୀଙ୍କ ପାଖେ ମାନସିକ କରିଥିଲା । ମନୁଆଁ ଵି ଆମର ଆଜ୍ଞା ଭଲ ହେଇଗଲା । ସବୁ ମାନସିକ ପୂରଣ ହେଇଛି । ଏଇ ଡୋକରୀଙ୍କ ପୂଜା ମାନସିକଟା କିନ୍ତୁ ପୁରା କରିବାକୁ ବୁଢୀ ଆଉ ରହିଲାନି । ସିଏ ନରହିଲା ବୋଲି କଣ ଆଉ ମାନସିକଟା ଅପୁରା ରଖି ପୁଅର ଅନିଷ୍ଟ କରିବି?

--ମଉସା ତୁମ ପୁଅ ମନୁଆଁ କୋଉଠି ? ଆଉ କଣ ତୁମର କେହି ପୁଅ ନାହାଁନ୍ତି?

--ଚାରୋଟି ଝିଅରେ ଗୋଟିଏ ପୁଅ ମନୁଆଁ । ସିଏ ପା ବଲାଙ୍ଗୀରର ଜିଲ୍ଲାପାଳଙ୍କ ଅଫିସର କଣ ଗୋଟେ ସରକାରୀ ଚାକିରୀ କରୁଛି । ବାହା ହେଇଛି । ଦୋଅଟି ନାତି ମୋର ଅଛନ୍ତି ।

ଆମ ପାଖରେ ଠିଆ ହୋଇଥିବା ୟାଙ୍କ ଷ୍ଟାଫ ଜଣଙ୍କ ମଉସାଙ୍କୁ ଲକ୍ଷ୍ୟ କରି କହିଲେ, "ମଦନ ମଉସା ! ତୁମେ କାହିଁକି ଏଠି ଏ ଭଙ୍ଗା ଘରଟିରେ ଏକା ରହୁଛ? ବଲାଙ୍ଗୀରରେ ତୁମ ପୁଅର ସରକାରୀ ଘର ଅଛି । ସେଇଠିକୁ ଯାଅ ଆରାମରେ ରହିବ ।"

--ନାଇଁ ରେ ପୁଅ । ମୁଁ ଆଉ ଏଠୁ ଛାଡ଼ି କୁଆଡେ ଯିଵି ? ସେଇ ଭଙ୍ଗା ଘର ପା ମୋର ଆରମ୍ଭ ଆଉ ଶେଷ । ସେଇ ଘରଟାରେ ମନୁଆଁ ମାଆର ସବୁଯାକ ସ୍ମୃତି ଵି ଅଛି । ମୁଁ ସେହି ଭଙ୍ଗା ଚାଳିଆର ପିଣ୍ଡାରେ ବସିଥିଲେ ମତେ ଲାଗେ ମନୁଆଁ ମାଆ ମୋରି ଆଗରେ ପଛରେ ଏପଟ ସେପଟ ହେଉଛି । ମୁଁ ସକାଳୁ ଉଠି ରୋଷେଇ ଘର ଆଡେ ଗଲେ, ମତେ ଲାଗେ ଚୁଲିରେ ଚା' ବସେଇବାକୁ ବୁଢୀ ଜାଳ ସଜାଡୁଛି । ରାତିରେ ଶୋଇଥିଲା ବେଳେ ବୁଢୀ କୁ ଖୁଁ ଖୁଁ ହେଇ କାଶୁଥିବାର ମୁଁ ଶୁଣିପାରେ । ଘରେ ସବୁବେଳେ ମତେ ତା ହାତର ଚୁଡ଼ି ଆଉ ପାଦ ପାଉଁଜୀର ରୁଣୁ ଝୁଣୁ ଶବ୍ଦ ଶୁଭିଯାଉଥାଏ । ତୁମ କୁହ ବାବୁ ତାକୁ ଏଇଠି ଏକା ଛାଡି ମୁଁ କଣ ଆଉ କୋଉଠି ରହିପାରିବି ? ସେ ମୋତେ ଖୋଜିବନି ? ନାଇଁ ନାଇଁ ମଲା ଯାଏଁ ମୁଁ ଏଇଠି ପଡିରହିବି । କୁଆଡେ ଆଉ ଯିବିନି ।

ତା ଛଡା କେଡେ ଘରଟେ ବା ଛୁଆଟା ପାଇଛି ! ସେଇ ଦୁଇ ବଖୁରିଆ ଘରେ ଛୁଆ ପିଲା ନେଇ ବଡ କଷ୍ଟରେ ସେ ଚଳୁଛି । ଦରମା ଵି ତାର ବହୁତ କମ । ମୁଁ ଏଠି ରହିଲେ ବିଲ ବାଡ଼ି କଥା ହେଲେ ବୁଝିପାରୁଛି । ଧାନ ଚାଉଳ କିଛି ଅମଳ ହେଉଛି । ମୋର କିଛି ଅସୁବିଧା ନାହିଁ । କାହିଁକି ଅଯଥାରେ ସେଠିକି ଯାଇ ଛୁଆଟାର ବୋଝ ବଢେଇବି?

ବୃଦ୍ଧଙ୍କ କଥାଗୁଡାକ କାହିଁକି କେଜାଣି ଛାତିରେ ଗଳିଯାଉଥିଲା । ସେ ଆମକୁ 'ଆସୁଛି ଆଜ୍ଞା ' କହି ପଛ କରି ମନ୍ଦିର ଭିତରକୁ ଚାଲିଗଲେ ପୁଅ ପାଇଁ କରିଥିବା ତାଙ୍କ ସ୍ୱର୍ଗବାସୀ ପତ୍ନୀଙ୍କର ମାନସିକ ପୂରଣ କରିବା ପାଇଁ । ଆମେ ଵି ବୁଲା ବୁଲି ସାରି ଜୟପାଟଣା ଫେରିଆସିଲୁ ।

ଘରେ ପହଞ୍ଚିଲା ପରେ ମୋର କୌଣସି କାମରେ ଆଉ ମନ ଲାଗିଲା ନାହିଁ । ବୃଦ୍ଧଙ୍କ କଥା ଗୁଡିକ ମତେ ଆଚ୍ଛନ୍ନ କରିରଖିଥିଲା । ଏକା ରହୁଥିବା ଘରଟି ଭିତରେ ମୃତ ପତ୍ନୀଙ୍କ ଅସ୍ତିତ୍ୱକୁ ଅନୁଭବ କରି ସେ ବିଚରା ଦିନ କାଟୁଛନ୍ତି । କିନ୍ତୁ ଆଉ କିଛି ଦମ୍ପତି ଗୋଟେ ଛାତ ତଳେ ରହୁଥିବା ସତ୍ୱେ ମଧ୍ୟ ପରସ୍ପରର ଅସ୍ତିତ୍ୱ ଠୁ ବହୁ ଦୂରରେ ।

ପରଲୋକଗତା ସେହି ମାଉସୀଙ୍କ କଥା ମନକୁ ଆସିବା କ୍ଷଣେ ମୋର ଆଉ ଜଣଙ୍କ କଥା ଖୁବ ମନେ ପଡୁଥିଲା,ଯିଏ ଏବେ ମୋଠାରୁ ଶହ ଶହ କିଲୋମିଟର ଦୂରରେ । ସେହି ମମତାମୟୀ ନାରୀଟି ଆମ ଭାଈ ଭଉଣୀ ସମସ୍ତଙ୍କ ପାଇଁ ସବୁ ଦେବା ଦେବୀଙ୍କ ଆଗରେ ଦିନ ରାତି ଗୁହାରୀ କରେ । ଆମର ଶୁଭ ମନାସି ଗ୍ରାମ ଦେବତୀ ଓ ଗଛ ଠାକୁରଙ୍କ ପାଖେ ମାନସିକ ରଖେ ।

ଲୋପାମୁଦ୍ରା ମିଶ୍ର

16.10.18


Rate this content
Log in