Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Subas Chandra Rout

Inspirational

5.0  

Dr Subas Chandra Rout

Inspirational

ମୋ ଅପାଠୋଈ ମାଆ

ମୋ ଅପାଠୋଈ ମାଆ

7 mins
735


ମୋ ମାଆ ଗାଁଆରେ ଥାଏ । କିଛି ଦିନ ପାଇଁ ମୋ ପାଖକୁ ଆସିଥିଲା । ବହୁତ ବୁଢ଼ୀ ହୋଇଯାଇଥିଲା । ତାର ଦେହର ଚମ୍ପା ରଙ୍ଗ କେବେଠୁ ମଳିନ ହୋଇଯାଇଥିଲା । ଗାଲ ପସିଯାଇଥିଲା । ମୁହଁ ହାଡ଼ୁଆ ଦିଶୁଥିଲା । ପାଟିରେ ଅଳ୍ପ କିଛି ଦାନ୍ତ ଥିଲା । ଚମ ଲୋଚାକୋଚା ଦେଖାଯାଉଥିଲା । ଧଳା ଶାଢ଼ୀ ସବୁଦିନ ପିନ୍ଧେ । ମୁଣ୍ଡରୁ ସିନ୍ଦୁର ବହୁତ ବର୍ଷ ହେବ ପୋଛି ହୋଇଯାଇଥିଲା । କେଶ ପୁରା ଧଳା ହୋଇଯାଇଥିଲା । ନିରାଭରଣ ଶରୀରରୁ ଗୋଟିଏ ଜ୍ୟୋତି ବାହାରୁଥିଲା, ଗଭୀର ପ୍ରଶାନ୍ତିର ଜ୍ୟୋତି । ତା ମୁହଁ ମୋତେ ସବୁବେଳେ ସୁନ୍ଦର ଦେଖାଯାଏ । ମୋତେ ଯେତେବେଳେ ସେ ଚାହିଁଦିଏ, ତା ମୁହଁରେ ଗୋଟିଏ ଅପୂର୍ବ ପୁଲକର ଆଭା ଆସିଯାଏ । ମୁଁ ଦୂରକୁ ଚାଲିଗଲେ ତା ମୁହଁ ଶୁଖିଯାଏ ।

ଏମିତି ଦେଖିବାକୁ ଗଲେ, ମୋ ସ୍ତ୍ରୀ ମାଆର ଆଦର ଯତ୍ନରେ କେବେ ହେଳା କରେନି । ସବୁବେଳେ କହେ, ଆମେବି ସେମିତି ସମୟ ଆସିଲେ ନିଶ୍ଚୟ ବୁଢ଼ା ବୁଢ଼ୀ ହୋଇଯିବା । ତଥାପି ମୋ ସ୍ତ୍ରୀ ମୁହଁରେ ତା ପ୍ରତି ଆତ୍ମୀୟତା ଛାପ କେବେହେଲେ ମୁଁ ଦେଖିପାରେନି, ଯେମିତି ମୋ ଶାଶୁଙ୍କୁ ଦେଖିଲେ ତା ମୁହଁରେ ଗୋଟିଏ ନିଟୋଳ ହସ ଖେଳିଯାଏ । ମୋ ଏମ.ଏ. ପଢୁଆ ସ୍ତ୍ରୀଠାରୁ ମୋ ଏମ.ଇ. ପଢ଼ିଥିବା ମାଆ ପ୍ରତି ଉପଯୁକ୍ତ ସମ୍ମାନ ମିଳିବା ମୁଁ କେବେ ଆଶା କରେନି । ପତ୍ନୀକୁ ଯେତେବେଳେ ମୁଁ କହେ, "ମୋ ମାଆ ସାଥିରେ ଟିକିଏ କଥାବାର୍ତ୍ତା କର । ବିଚାରୀ ମୁଁ କାମକୁ ଚାଲିଗଲେ ଏକୁଟିଆ ହୋଇଯାଉଛି ।" ପତ୍ନୀ ଉତ୍ତର ଦିଅନ୍ତି, "ମୁଁ କଅଣ କଥା ହେବି, ଜାଣିପାରୁନି । ରାଜନୀତି, ପାଠ, ଖେଳ ଇତ୍ୟାଦି ସେ ତ କିଛି ଜାଣିନଥିବେ । ଗାଁଆରେ ଟିଭି ବି ନାହିଁ । ସେଇଟା ଥିଲେ କିଛି ସିରିଆଲ ବିଷୟ କଥା ହୁଅନ୍ତି । କଅଣ କଥା ହେବି ? ଗହଣା, ଶାଢ଼ୀ, ସିନେମା, କିଟି ପାର୍ଟି ଆଦି ବିଷୟରେ ବି କିଛି ଜାଣିନଥିବେ ।" ମୁଁ ଅଗତ୍ୟା ଚୁପ ରହେ ।

ଦିନେ ଖରାବେଳେ ମୋ ଶାଶୁ (ମିସେସ ଲାବଣ୍ୟ) ଆମ ଘରେ ପହଞ୍ଚିଲେ । ରବିବାର ହୋଇଥାଏ । ମୁଁ ଘରେ ଥାଏ । ଦିନ ପ୍ରାୟ ୪ଟା ବେଳେ ଡାଇନିଙ୍ଗ ରୁମରେ ଦୁଇ ସମୁଦୁଣୀ ବସିଥିଲେ । ତାଙ୍କ ପାଖରେ ମୋ ପତ୍ନୀ ବି ଥିଲେ । ତାଙ୍କ କଥାବାର୍ତ୍ତା ମୋତେ ଶୁଭୁଥିଲା ।

ଶାଶୁ – "ସମୁଦୁଣୀ, ଆପଣଙ୍କ ବୟସ କେତେ ହେଲା ।"

ମାଆ – "୭୬ ବର୍ଷ, ଆପଣଙ୍କୁ କେତେ ହେଲା ।"

ଶାଶୁ – ୫୬ ବର୍ଷ । ଆପଣ କେଉଁଯାଏ ପଢ଼ିଥିଲେ ନା କିଛି ପଢ଼ିନଥିଲେ ।

ମାଆ – ମୁଁ ଏଇ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲି । ସେତେବେଳେ ଝିଅ ଟିକିଏ ବଡ଼ ହୋଇଗଲେ ଘରୁ ବାହାରକୁ ଛାଡ଼ୁନଥିଲେ । ଆଉ ସ୍କୁଲ ଯିବା କଥା ପଚାରେ କିଏ । ଆଉ ଆପଣ କଅଣ ପଢ଼ିଥିଲେ ?

ପତ୍ନୀ – ମାଆ ବି.ଏ. ପଢ଼ିଛନ୍ତି । ସେ ଏଠିକାର ନାରୀ ଜାଗରଣ ସମିତିର ସଭାନେତ୍ରୀ ।

ଶାଶୁ – ଆପଣ ଆସନ୍ତୁ ଆମ ସମିତିକୁ ଦିନେ । ବହୁତ ବିଦୁଷୀ ମହିଳା ଅଛନ୍ତି । ସମସ୍ତଙ୍କ ସାଥିରେ ଚିହ୍ନା ପରିଚୟ ହୋଇଯିବ । ଆସନ୍ତା ରବିବାର ଦିନ ଗୋଟିଏ ସଭା ଅଛି । ସେ ଦିନ ଆସି ମୁଁ ଆପଣଙ୍କୁ ଡାକି ନେବି । ନାରୀ ଜାଗରଣ ବିଷୟରେ ଆଲୋଚନା ହେବ ।

ଶାଶୁଙ୍କୁ ବାଟେଇଦେବାକୁ ପତ୍ନୀ ତାଙ୍କ ସାଥିରେ ଗଲେ । ବାଟରେ ଶାଶୁ କହିଲେ, "କି ମଫସଲିଆ ଦିଶୁଛନ୍ତି ସେ । ପୁରା ମୂର୍ଖ ହୋଇଥିବେ । ତାଙ୍କୁ ସେ ଦିନ ନେଇ ସଭାରେ କିଛି କହିବାକୁ ଅନୁରୋଧ କରିବି । କିଛି ତ କହି ପାରିବେନି । ଥଙ୍ଗେଇ ହେବେ । ଭଲ ଗୋଟିଏ ହସଖୁସି ବାତାବରଣ ସୃଷ୍ଟି ହେବ । ମଜା ଲାଗିବ ।" ଏ କଥା ମୋତେ ଶୁଣାଗଲା । ମନେ ମନେ ମୁଁ ହସିଲି ।

ତା' ପର ରବିବାର । ମୋ ଶାଶୁ ଆସି ମାଆକୁ ନେଇ ତାଙ୍କ ସଭା ସ୍ଥଳକୁ ଗଲେ । ପ୍ରାୟ କୋଡ଼ିଏ ଜଣ ମହିଳା ସେଠାରେ ଥିଲେ । ମାଆଙ୍କୁ ଦେଖି ମିସେସ ଶର୍ମା ପଚାରିଲେ, "ଇଏ କିଏ ।" ମୋ ଶାଶୁ ଉତ୍ତର ଦେଲେ, "ଇଏ ମୋ ସମୁଦୁଣୀ ଓ ଏମ.ଇ. ପଢ଼ିଛନ୍ତି । ଆଜି ସେ ଏଠାରେ ତାଙ୍କ ଦୀର୍ଘ ଜୀବନ-ଡାଏରୀର କିଛି ଅଂଶ ଖୋଲି ଆମକୁ ଉଦବୋଧନ ଦେବେ ।" ସମସ୍ତେ ତାଳି ମାରି ସ୍ଵାଗତ ଜଣେଇଲେ ।

ମିସେସ ରଥ – "ଆପଣଙ୍କ ପିଲାପିଲି କେତେ ।"

ମାଆ – "ବାରଟି ପିଲା, ଆଠ ପୁଅ ଓ ଚାରି ଝିଅ । ସେତେବେଳେ ପରିବାର ନିୟନ୍ତ୍ରଣ ବିଷୟ ଭାରତରେ ଜଣା ନଥିଲା ।" ଗୋଟିଏ ଜୋରଦାର ହସର ଲହରୀ ଖେଳିଗଲା ସେଇ ବଖରାରେ ।

ମିସେସ ମିଶ୍ର – "ବାରଟା ! ଏ ମାଆ ! ଏତେ ଗର୍ଭ ବୋଝ ଧରି ଓ ପିଲା ଜନ୍ମ କରି କରି ଆପଣଙ୍କ ଯୌବନ ପାର ହୋଇଯାଇଥିବ । କଅଣ ଉପଭୋଗ କଲେ ଜୀବନରେ ? କେମିତି ସମୟ କାଟିଲେ ।"

ମାଆ – "ମୋ ପାଇଁ ମୋ ପିଲା ସବୁ କିଛି । ସେମାନେ ମୋ କଣ୍ଢେଇ, ମୋ ଛାତ୍ର ଛାତ୍ରୀ, ମୋ ସାଙ୍ଗ, ମୋ ସୁଖ ଦୁଃଖର ସାଥି । ମୁଁ ତାଙ୍କର ଆଦି ଶିକ୍ଷୟିତ୍ରୀ । ମୋଠାରୁ ଅଧିକ ଆପଣମାନେ ଜୀବନକୁ ଉପଭୋଗ କରିନଥିବେ । ତାଙ୍କ ମୁହଁକୁ ଅନେଇ ମୁଁ ସବୁ ଦୁଃଖ ଭୁଲିଯାଏ । ପିଲା ହସି ଦେଲେ ମୁଁ ଫଗୁଣର ସ୍ପର୍ଶ ଅନୁଭବ କରେ । ପିଲା ନୂଆ କଥା ଶିଖିଆସି ମୋତେ କହିଲେ, ମୋ ମନରେ ବସନ୍ତ ଆସିଯାଏ ଓ କୋଇଲି ବୋବାଏ । ମୋ ଶରୀର ଅସୁସ୍ଥ ହେଲେ ମୋ ପାଖରେ ସବୁ ପିଲା ବସି ମୋ ଦେହରେ ହାତ ବୁଲେଇ ଆରାମ ଦିଅନ୍ତି । ସେତେବେଳେ ତାଙ୍କ ଆଖିରେ ଲୁହ ବୋହିବା ଦେଖିଲେ ମୋ ଦୁଃଖ ଉଡ଼ନ୍ତା ମେଘ ଭଳି ଦୂରକୁ ଭାସିଯାଏ । ତାଙ୍କ ମୁହଁକୁ ଅନେଇ ମୋର ସମୟ କଟିଯାଏ ।"

ମିସେସ ରାୟ – "ଏତେ ଡେଲିଭରି କଷ୍ଟ ସହ୍ୟ କଲେ କେମିତି ? ଆମେ ଗୋଟିଏ ପିଲା ଜନ୍ମ କରୁ କରୁ ଆଉ ଗୋଟିଏ ପିଲା ନକରିବାକୁ ମନେ ମନେ ଶପଥ କରିନେଉ ।"

ମାଆ – "ଯିଏ ଆମକୁ ନାରୀ ଜନ୍ମ ଦେଇ ସୃଷ୍ଟି କରିଛନ୍ତି, ସେ କଅଣ ଏକଥା ଭାବି ନଥିବେ ! ପ୍ରଥମରୁ ଗୋଟିଏ ଦୁଇଟି ଡେଲିଭରି ସମୟରେ କଷ୍ଟ ହୁଏ, ତା'ପରେ ଏତେ କଷ୍ଟ ହୁଏନି । ଆମ ଜରାୟୁ ଟ୍ରେନଡ ବା ଯାହାକୁ ଅଭ୍ୟସ୍ତ କହନ୍ତି, ତାହା ହୋଇଯାଏ । "

ମିସେସ ମନସ୍ଵିନୀ – "ସେମାନଙ୍କୁ ମଣିଷ କରିବାକୁ ସାଧନ ଦରକାର । କୁଆଡ଼ୁ ଆସିବ ।"

ମାଆ – ମୁଁ ଇଂରାଜୀ ସ୍କୁଲରେ କାହାକୁ ପଢ଼େଇନି । ଓଡ଼ିଆ ସ୍କୁଲରେ ଅଳ୍ପ ଖର୍ଚ୍ଚ ହୁଏ । ବାକି ସାନ ପିଲାଙ୍କୁ ପଢ଼େଇବାକୁ ବଡ଼ ପିଲାମାନେ ସାହାଯ୍ୟ କରନ୍ତି । ଆମେ ଟଙ୍କା ପଇସାରେ ଧନୀ ନୁହେଁ କିନ୍ତୁ ଭଗବାନଙ୍କ କୃପାରୁ ଆମ ଆର୍ଥିକ ଅବସ୍ଥା ବହୁତ ସ୍ଵଚ୍ଛଳ । କେବେ କିଛି ଅସୁବିଧା ହୋଇନି । ମସ୍ତିଷ୍କରେ ମସଲା ଥିଲେ ପିଲା ଭଲ ପଢ଼ିବେ । ହଁ, ଇଂରାଜୀ ସ୍କୁଲରେ ପଢ଼ିଲେ ଅଧିକ ସୁବିଧା ପାଇବେ ଓ କିଛି ଅଧିକ ଜାଣିବେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ମୋର ସେଇ ଗାଁଆ ସ୍କୁଲରେ ପଢ଼ି ଦୁଇ ଜଣ ପିଲା ବୃତ୍ତି ପାଇ ବିଦେଶ ମଧ୍ୟ ଯାଇଛନ୍ତି ।

ଏତିକିବେଳେ ମୋ ଶାଶୁଙ୍କୁ ତାଙ୍କ କାନ ପାଖରେ ଅନ୍ୟ ମହିଳାମାନେ କହିଲେ, "ଇଏ କେତେ ସୁନ୍ଦର କଥା କହୁଛନ୍ତି, ଆପଣ ସମୁଦୁଣୀଙ୍କୁ ମଫସଲିଆ କଅଣ କହୁଥିଲେ ।" ମୋ ଶାଶୁ ଲାଜରେ ମୁହଁ ତଳକୁ କରିଦେଇ କହିଲେ, "ମୁଁ ମଜା କରିବାକୁ କହିଥିଲି ।"

ମାଆ କହିବାକୁ ଲାଗିଲେ, "ଶ୍ରଦ୍ଧେୟା ବିଜ୍ଞ ଭଉଣୀମାନେ, ଏଇ ସଭାକୁ ମୋ ଭଳି ଜଣେ ମଫସଲିଆ ମହିଳାକୁ କିଛି କହିବାକୁ ଆମନ୍ତ୍ରଣ କରି ମୋ ସମୁଦୁଣୀ ତଥା ଆପଣମାନେ ମୋତେ ବହୁତ ସମ୍ମାନିତ କରିଛନ୍ତି ଯାହା ପାଇଁ ମୁଁ ବୋଧହୁଏ ଯୋଗ୍ୟ ନୁହେଁ । ସେଥିପାଇଁ ମୁଁ ସର୍ବାନ୍ତଃକରଣରେ ଆପଣଙ୍କ ପାଖରେ କୃତଜ୍ଞ । ଗୃହରୁ ବାହାରି ସଭା ସମିତିରେ ବକ୍ତୃତା ଦେଲେ ନାରୀ ଜାଗରଣ ହେବନି । ସେଥିପାଇଁ ବିଦ୍ୟା ଦରକାର, ଆଧୁନିକ ଶିକ୍ଷା ନୁହେଁ । ଆଧୁନିକ ଶିକ୍ଷାରୁ ଉପଯୁକ୍ତ ବିଦ୍ୟା ଲାଭ କରିହୁଏନି, କେବଳ ଆତ୍ମଗର୍ବ ଶିଖିହୁଏ । ଏଥିରୁ ବିନମ୍ରତା ଶିଖି ହୁଏନି ।"

"ସ୍କୁଲ କଲେଜରେ ଅଜସ୍ର କପି ହେଉଛି । କେବେ ଜାଣିବାକୁ ଚେଷ୍ଟା କରିଛନ୍ତି, କାହିଁକି ଏପରି ହେଉଛି । ପିଲା ଘରେ ପାଠ ପଢ଼ୁ ନାହାନ୍ତି । ବାପା, ମାଆ ଓ ଶିକ୍ଷକମାନେ ସାମାନ୍ୟ ଅର୍ଥ ଲୋଭରେ କୋମଳମତି ପିଲାଙ୍କୁ କପି କରିବାକୁ ଉତ୍ସାହିତ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି, ଶିକ୍ଷାୟତନରେ ଦିଆହେଉଥିବା ଶିକ୍ଷା, ଜୀବନରେ ଆବଶ୍ୟକ ହେଉଥିବା ବିଦ୍ୟା ନୁହେଁ । ଏ ପାଠ ପଢ଼ିଲେ ଚାକିରିଟିଏ ମିଳିବ ଓ ମାନ ସମ୍ମାନ ମିଳିବ, କିନ୍ତୁ ଘରେ ଅଶାନ୍ତି ବିରାଜମାନ କରିବ । କାରଣ ଘର କେମିତି ଚାଲିବ ସେ ଶିକ୍ଷା ଦିଆଯାଏ ନାହିଁ । ଆଚାର ବ୍ୟବହାର ଶିଖାନ୍ତିନି । ସ୍ଵାର୍ଥତ୍ୟାଗ ଶିଖାନ୍ତିନି । ଫଳରେ ପିଲା ପରଶ୍ରୀକାତର, ଲୋଭୀ ଓ ଅସମୟରେ ଧନୀ ହେବାର ଇଚ୍ଛା ପୋଷଣ କରନ୍ତି । ନିଶାଗ୍ରସ୍ତ ହୋଇ ଚୋରୀ, ଡକାୟତି ଓ ବଳାତ୍କାର କରନ୍ତି । ପାଠ ପଢ଼ି ଇଞ୍ଜିନିୟର ହେବାକୁ ଆସୁଥିବା ପିଲା ଛିନତାଇ କରନ୍ତି । ଏଭଳି ଶିକ୍ଷାରେ କି ଜାଗରଣ ହେବ, ମୋତେ ବୁଝାନ୍ତୁ ।"

"ଝିଅମାନେ ଘରେ କିଛି ନକହି ବଏ ଫ୍ରେଣ୍ଡ ସାଥିରେ ପଳେଇ ଯାଉଛନ୍ତି । ଗର୍ଭବତୀ ହୋଇ ସାରି ସଂଭ୍ରମ ହରେଇବାରୁ ରକ୍ଷା ପାଇବା ପାଇଁ ବେଦୀ ଭଳି ପବିତ୍ର ସ୍ଥାନରେ ହୋମ କୁଣ୍ଡ ଆଗରେ ବସି ବିବାହ କରିବାକୁ ଲଜ୍ଜା ବୋଧ କରୁନାହାନ୍ତି । ଇଏ କି ଜାଗରଣ ! ଜାଗୃତି ଅର୍ଥ ମାନବିକତାର ଜାଗରଣ । ଆମେ ଏମିତି କାମ କରିବା ଯେମିତି ଆମ ମୃତ୍ୟୁ ପରେ ଆମ କଥା ପଡ଼ିଲେ ପରିବାରର ଲୋକ ଓ ଚିହ୍ନା ଲୋକମାନେ ଦୁଇ ଧାର ଲୁହ ଗଡ଼େଇ ଗର୍ବରେ କହିବେ, "ଆହା କେଡ଼େ ଭଲ ମଣିଷଟିଏ ଥିଲା, ଚାଲିଗଲା !"

"ଭଉଣୀମାନେ, ମୋ ଭଳି ଅଶିକ୍ଷିତା ସ୍ତ୍ରୀ ଆଉ କଅଣ କହିପାରିବ । ଆପଣମାନେ ବୁଦ୍ଧିମତୀ, ଜ୍ଞାନୀ ଓ ସର୍ବଗୁଣସମ୍ପନ୍ନା । ମୋ ଭଳି ଜଣେ ଅଜ୍ଞାନୀ ମହିଳାକୁ ଡାକି ସମ୍ମାନ ସେଇଥିବାରୁ ମୁଁ ଆଉଥରେ ଧନ୍ୟବାଦ ଦେଉଛି ଓ ଆପଣମାନଙ୍କଠାରୁ ଏତିକି କହି ମୁଁ ବିଦାୟ ନେଉଛି ।" ତାଳି ମାଡ଼ରେ ସଭା ଗୃହ ପ୍ରକମ୍ପିତ ହୋଇଗଲା ।

ମିସେସ ଶର୍ମା କହିଲେ, "ଆଜ୍ଞା, ଏମ.ଇ. ପଢ଼ି ଏତେ ସୁନ୍ଦର ବକ୍ତୃତା କେମିତି ଦେଉଛନ୍ତି ? ଆପଣ ନିଶ୍ଚୟ ଅଧିକ ପଢ଼ି ଆମକୁ ବୋକୀ ବନଉଛନ୍ତି ।"

ମାଆ - "ନାହିଁ ଆଜ୍ଞା, ସତରେ ମୁଁ ଅଳ୍ପ ପଢ଼ିଛି । ମୁଁ ବହୁତ ବହି ଓ ମାଗାଜିନ ପଢ଼େ । ସେଇ ବହିରୁ ମୋର ଜ୍ଞାନାର୍ଜନ ହୁଏ । ଆଉ ମୋର ସମସ୍ତ ପିଲାଙ୍କୁ ପଢ଼େଇଲା ବେଳେ ମୁଁ ବି ତାଙ୍କ ବହିରୁ ଶିକ୍ଷା ଲାଭ କରେ । ତାଙ୍କ ସାଥିରେ ମୋର ବି ମାଟ୍ରିକ ଓ କଲେଜର କିଛି ଅଂଶରେ ପାଠ ପଢ଼ା ହୋଇଯାଏ । ଗାଁଆରେ ସବୁ ଲୋକଙ୍କ ସୁଖ ଦୁଃଖରେ ମୁଁ ଭାଗୀ ହୋଇ ଜୀବନ ଦର୍ଶନ ଶିଖେ ।"

ସମୁଦୁଣୀ (ମିସେସ ଶର୍ମା) ଉଠି ସମସ୍ତଙ୍କୁ ହାତ ଯୋଡ଼ି କହିବାକୁ ଲାଗିଲେ, "ମୁଁ ଆଜି ବହୁତ ଖୁସି, ଯେ ମୁଁ ମୋ ସମୁଦୁଣୀଙ୍କଠାରୁ ଜୀବନ ଦର୍ଶନ ଶିଖିଲି । ପ୍ରକୃତରେ, ମୁଁ ଶିକ୍ଷିତା ବୋଲି ମୋର ଆତ୍ମଗର୍ବ ଥିଲା । ମୁଁ ମାନୁଛି, ମୋର ସମୁଦୁଣୀଙ୍କୁ ପରିହାସ କରିବା ନିମନ୍ତେ ମୁଁ ଡ଼ାକିଥିଲି । ସେଥିପାଇଁ ମୁଁ ଲଜ୍ଜିତ ଓ ଆପଣମାନଙ୍କ ସମ୍ମୁଖରେ ତାଙ୍କଠାରୁ କ୍ଷମା ଭିକ୍ଷା କରୁଛି ।" ମୋ ମା ଉଠି ତାଙ୍କୁ କୁଣ୍ଢେଇ ପକେଇ କହିଲେ, "ମୁଁ କିଛି ଖରାପ ଭାବିନି ସମୁଦୁଣୀ । ଏମିତି ଥଟ୍ଟା ପରିହାସ ନଥିଲେ ବୋଧହୁଏ ଏ ଜୀବନ ଏତେ ସରସ, ସାବଲୀଳ ଓ ରସାତ୍ମକ ହୁଅନ୍ତାନି ।" ହଲରୁ ଆହୁରି ଜୋରରେ କରତାଳି ଶୁଣାଗଲା । ମିସେସ ରଥ କହିଲେ, "ଆଜିଠାରୁ ଆପଣ ଆମ ସମସ୍ତଙ୍କର ଧର୍ମ-ସମୁଦୁଣୀ ହେଲେ । ଏଇ ପ୍ରସ୍ତାବ ମୁଁ ଦେଉଛି । ସଭ୍ୟମାନଙ୍କର ମତ କଅଣ ?"

- "ହଁ, ହଁ, ସେ ଆମ ସମସ୍ତଙ୍କର ସମୁଦୁଣୀ । ଆମେ ସମସ୍ତେ ଏଥିରେ ରାଜି ଆଉ ଏଥିପାଇଁ ଆମେ ଗର୍ବିତା ।"

ଏତିକିବେଳେ ଜଣେ ଅଳ୍ପ ବୟସ୍କା ଅବିବାହିତା ମହିଳା ମୁରୁକି ହସି କହିଲେ, "ହଁ, ହଁ, ସେ ମୋର ବି ସମୁଦୁଣୀ ।" 'ହୋ ହୋ' ହସରେ ହଲ ଗୁଞ୍ଜରିତ ହୋଇଗଲା ।


Rate this content
Log in

Similar oriya story from Inspirational