ଋତୁର ନାଁ ପ୍ରେମ
ଋତୁର ନାଁ ପ୍ରେମ
ଅସୀମାକୁ ଦେଖି ଋତୁ ଚିହ୍ନିପାରେ ଅରବିନ୍ଦ।
ଋତୁ ଅନୁଯାୟୀ ବଦଳୁଥାଏ ଅସୀମା।
ଅସୀମାର ଅଧା ଫୁଙ୍ଗୁଳା ଦେହ ଓ ତା'ର ଲମ୍ବା ବେଣୀ ସହିତ ଝୁଲୁଥିବା ମଲ୍ଲିମାଳକୁ ଦେଖି ଅରବିନ୍ଦ ଭାବେ ବୋଧହୁଏ ଗ୍ରୀଷ୍ମ ଆସିଗଲାଣି।
- ' ଗ୍ରୀଷ୍ମଋତୁ ଆସିଗଲାଣି ବୋଧହୁଏ ? ' ସେ ପଚାରିଦିଏ।
- ' ତୁମକୁ କ'ଣ ଗ୍ରୀଷ୍ମଋତୁଟି ଖାଲି ଦିଶୁଛି ? ଆଉ କିଛି ନୁହେଁ ? ' ସେ ଓଲଟି ପ୍ରଶ୍ନ କରେ।
- ' ତୁମେ ସୁନ୍ଦର ଦିଶୁଛ। ' ମୁର୍କି ହସି କହେ ଅରବିନ୍ଦ।
- ' କେଉଁଦିନ ଅସୁନ୍ଦର ଦିଶୁଥିଲି ? ' ସେ ପୁଣି ପ୍ରଶ୍ନ କରେ।
ଅରବିନ୍ଦ ଚୁପ୍ ରହିଯାଏ।
ଯେବେ ଓଦା ସରସର ହୋଇ ଆସେ ଅସୀମା, ଟପ୍ ଟପ୍ ପାଣି ପଡୁଥାଏ ତା' ଲମ୍ବା ବେଣୀରୁ , ଅରବିନ୍ଦ ବୁଝେ ବର୍ଷାଋତୁ ଆସିଯାଇଛି ବୋଧେ।ତାକୁ ତରତର ହୋଇ କହିପକାଏ - ' ଦେଖ, ବର୍ଷାଋତୁ ଆସିଲା।ଓଦା ହୁଅନି।ଦେହ ଖରାପ ହବ। '
ଅସୀମା କହେ - ' ଓ - - - - -, ମୋ ଓଦା ଦେହ ଦିଶୁଛି। ଆଉ କିଛି ବୋଧହୁଏ ଦିଶୁନାହିଁ ତୁମକୁ। '
ଅରବିନ୍ଦ ମୁର୍କି ହସେ।ଲାଜେଇ ଯାଏ।
ଶରତ ଆସିଲେ ସୁନ୍ଦର ଗୋଟିଏ ଗଭା ସଜାଡି ଦିଏ ଅସୀମା।ସେଥିରେ ଖୋସିଥାଏ କେତୋଟି କାଶ ଫୁଲ।କି ଚମତ୍କାର ଦିଶୁଥାଏ ସେ !
- ' ଏ ଶରତ ଋତୁଟା ଭାରି ଭଲ। ସବୁଠି ଖୁସିର ପସରା। ' ତାକୁ ଦେଖେଇ ଦେଖେଇ କହେ ଅରବିନ୍ଦ ।
- ' ମୋ ଠାରେ ଶରତ ଦିଶୁଛି। ଆଉ କିଛି ଦିଶୁନାହିଁ କ'ଣ ? ' ଅସୀମା ହସିଦେଇ କହେ।
ଅରବିନ୍ଦ ଫିକ୍ ଫିକ୍ ହସି ଦିଏ।
ହେମନ୍ତରେ ଭିଜାଭିଜା ଦିଶେ ଅସୀମାର ଓଠ।ଅରବିନ୍ଦ ବୁଝିପାରେ ହେମନ୍ତର ଆଗମନ।କହେ - ' ତୁମ ଓଠ ଆଜି କାକର ଭିଜା ଫୁଲ ପରି ଦିଶୁଛି।ବେଶ୍ ସିକ୍ତ, ବେଶ୍ ସତେଜ।ଲାଗୁଛି ହେମନ୍ତ ଧରାକୁ ଆସିଛି। '
- ' ତୁମକୁ କହି କିଛି ଲାଭ ନାହିଁ।ତୁମେ ବୁଝି ପାରିବନି। କି ପୁଅ ତୁମେ କେଜାଣି ! ' ଅସୀମା ବିରକ୍ତ ହୋଇ କହେ।
ଅରବିନ୍ଦ ଅନ୍ୟମନସ୍କ ହୁଏ।
ଯେଉଁଦିନ ଅସୀମାର ଦେହରେ ରେଶମୀ ସୁଇଟର୍ ଦେଖେ ଅରବିନ୍ଦକୁ ଲାଗେ କି ଶୀତ ଆସିଗଲା। - ' ଶୀତ ଆସି ଗଲାଣି ନା ? ' ସେ ହସିଦେଇ ପଚାରିଦିଏ।
- ' ଶୀତ ନୁହେଁ, ଦେଖ ମୋ ଦେହରେ ଆଉ ଗୋଟିଏ ଋତୁ ଆସିଛି।ଥରେ ତ ବୁଝିବାକୁ ଚେଷ୍ଟା କର। ' ଅସୀମା କହେ।
ଅରବିନ୍ଦର ମୁଣ୍ଡ ଗୋଳମାଳ ହୁଏ।ଅସୀମା କ'ଣ କହୁଛି ସେ ବୁଝିବାକୁ ଚେଷ୍ଟା କରେ।
ବସନ୍ତ ଆସଲେ ଅସୀମାର ଦାମିକା ଅତର ବୋଳା ଦେହଟା ମହମହ ବାସୁଥାଏ।ଅରବିନ୍ଦ ବୁଝେ ବୋଧହୁଏ ଆସିଯାଇଛି ବସନ୍ତ।କହେ - ' ମନ ମତାଣିଆ ଫୁଲର ବାସ୍ନା ! ତୁମେ ଆଜି କି ସୁନ୍ଦର ବାସୁଛ ! ମଧୁ ବସନ୍ତ ଆସିଛି ବୋଧହୁଏ ! '
ଅସୀମା ପୁଣି ବିରକ୍ତ ହୋଇ କହେ - ' ଋତୁ ଆସୁଛି ଯାଉଛି। କ'ଣ ନୂଆ ଅଛି ସେଥିରେ !ହେଲେ ସବୁବେଳେ ମୁଁ ତୁମ ପାଇଁ ଗୋଟିଏ ହିଁ ଋତୁ ନେଇକରି ଆସୁଛି।କେବେ ଚିହ୍ନିବ ସେହି ଋତୁଟିକୁ ? '
- ' କେଉଁ ଋତୁ ? ' ଅରବିନ୍ଦ ଆଶ୍ଚର୍ଯ୍ୟ ହୁଏ।
- ' ଭାବି ଦେଖ ଥରେ। ' ଅସୀମା କହେ।ମୁର୍କି ମୁର୍କି ହସେ।
ଅନ୍ୟମନସ୍କ ଦିଶେ ଅରବିନ୍ଦ।ପରେ ଅସୀମାକୁ ନିରେଖି ଚାହେଁ।ଅଭିମାନରେ ଆଖି ଛଳଛଳ କରେ ଅସୀମା।
ହଠାତ୍ ଅରବିନ୍ଦ ବୁଝିପାରେ କେଉଁ ଋତୁ କଥା କହୁଛି ଅସୀମା।ତା' ଓଠ ଫାଙ୍କରେ ଧାରେ ହସ ଉକୁଟି ଉଠେ।
ସେ ଋତୁର ନାଁ ପ୍ରେମ ! ! !