Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କୁକିଙ୍ଗ୍ କ୍ଲାସ୍
କୁକିଙ୍ଗ୍ କ୍ଲାସ୍
★★★★★

© Kamala Satpathy

Comedy Inspirational

12 Minutes   7.0K    9


Content Ranking

ମହାପାତ୍ରବାବୁ ଯେତେବେଳେ ଶୁଣିଲେ ଯେ ତାଙ୍କ ଭାବିପତ୍ନୀ ରୋଷେଇ କାର୍ଯ୍ୟରେ ଧୂରୀଣା। ସେତେବେଳେ ତାଙ୍କ ଚବିଶ ଇଞ୍ଚିଆ ଛାତିଟା ତତକ୍ଷଣାତ୍ ଚାଳିଶ ଇଞ୍ଚକୁ ପରିବର୍ଦ୍ଧିତ ହେଇଗଲା । କନଭେଣ୍ଟ୍ ପଢୁଆ ଝିଅ ସାଙ୍ଗକୁ ନୃତ୍ୟଗୀତରେ ନିପୁଣା ବୋଲି ତ ଆଗରୁ ଖବର ପାଇ ହି ସାରିଥିଲେ, କିନ୍ତୁ ଆଜିକାଲିକା ନିହାତି ମଡର୍ଣ୍ଣ ଝିଅ ହେଇକି ବି ରୋଷେଇରେ ରୁଚି ରଖିଥାଇ ପାରେ, ସେକଥା ସେ ଆଦୌ ଭାବିନଥିଲେ । ବରଂ ଭାବିଥିଲେ ବିବାହ ପରେ ନିଶ୍ଚୟ ରୋଷେଇଆର ଅତିରିକ୍ତ ବୋଝ ତାଙ୍କୁ ବହନ କରିବାକୁ ପଡିବ । ତା’ ନକରି ପାରିଲେ, ନିଜକୁ ହିଁ ରୋଷେଇଘରେ ଅବସ୍ଥାପିତ କରିନେବାକୁ ପଡିବ ସବୁଦିନ ପାଇଁ !

ମୁଦି ପିନ୍ଧେଇ ଆସିବା ପରେ ତାଙ୍କ ବୋଉ ସଗର୍ବରେ ଘୋଷଣା କରିଦେଲା ଯେ ଝିଅଟିର ସବୁ ଭଲଗୁଣ ସାଙ୍ଗକୁ ରୋଷେଇରେ ଆଗ୍ରହ ସବୁଠାର ବଡ ଗୁଣ । ସେଇ ଆଗ୍ରହକୁ ସାକାର ରୂପ ଦେବାକୁ ବର୍ଷେ କାଳ ରୋଷେଇ ସ୍କୁଲରେ ବିଧିବଦ୍ଧ ଭାବରେ ସେ ଶିକ୍ଷା ଗ୍ରହଣ କରିଛି । ଚାଇନିଜ୍‌, ମୋଗଲାଇ, କଣ୍ଟିନେଣ୍ଟାଲ୍। ଥାଇ, ସବୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ସେ ଏକଦମ୍ ଓସ୍ତାଦ ।

ବୋଉ ପାଟିରୁ କଥା ଶେଷ ହେଉ ନହେଉଣୁ ଘରେ ଖୁସିର ଲହର ଖେଳିଗଲା । ଏ ମହଙ୍ଗା ଯୁଗରେ ବାରମ୍ୱାର ହୋଟେଲ୍ ଯାଇ ପାଟିସୁଆଦ ଖାଦ୍ୟ ଖାଇବାର ଆଗ୍ରହକୁ ଏଥର ଘରେ ପୂରା କରାଯାଇ ପାରିବ । ନୂଆବୋହୂର ହାତ ପରଷାରେ ଏଥର ସମସ୍ତଙ୍କ ମନର ଓରିମାନା ପୂର୍ଣ୍ଣ ହେବ । ମହାପାତ୍ରବାବୁଙ୍କ ମନ ଖୁସିରେ ଝୁମି ଉଠିଲା । ଯାହାହେଉ ଏଥର ସାଙ୍ଗମାନଙ୍କ ଆଗରେ ଛାତି ଫୁଲେଇ କିଛି କହିବାର ସୌଭାଗ୍ୟ ତାଙ୍କର ବି ହେବ ।

ସେ ଦାସବାବୁ, ମହାନ୍ତିବାବୁ ଆଉ ଯୋଉଥିରେ ଯାହା ହୁଅନ୍ତୁ ପଛେ, କିନ୍ତୁ ସେମାନଙ୍କ ପତ୍ନୀମାନେ ରନ୍ଧନ କଳାରେ ନିହାତି ତଳ ଗ୍ରେଡ୍ ର, ସେଥିରେ ସନ୍ଦେହ ନାହିଁ । କେବେ କେମିତି ଦୁଃଖ କରି ସେମାନେ କହୁଥିବାର ମହାପାତ୍ରବାବୁ ଶୁଣିଛନ୍ତି ଯେ ବାହା ହେଲା ଦିନରୁ ପାଟିରେ ତାଙ୍କର ପୋକ ପଡିଗଲାଣି ! ଭଲ କରି ରାନ୍ଧିବା ବାଢିବା କ’ଣ, ସେମାନଙ୍କ ପତ୍ନୀମାନେ ଆଦୌ ଜାଣିନାହାନ୍ତି ।

ଯାହାହେଉ ଏଥର ମହାପାତ୍ରବାବୁ ନିତି ଦିନ ନୂଆ ନୂଆ ଜିନିଷ ଖାଇ, ଯାଇ ସେମାନଙ୍କ ଆଗରେ ବଖାଣ କରିପାରିବେ ଆଉ ସେମାନଙ୍କ ଝାଉଁଳି ପଡୁଥିବା ମୁହଁର ଅପୂର୍ବ ଦୃଶ୍ୟକୁ ପ୍ରାଣଭରି ଉପଭୋଗ କରିପାରିବେ । କଥାରେ କଥାରେ ତାଙ୍କ ଦୁର୍ବଳତା ପ୍ରତି ଆଙ୍ଗୁଠି ଦେଖୋଉଥିବା ଦାସବାବୁ, ମହାନ୍ତିବାବୁଙ୍କୁ ଏଥର ସେ ଆଙ୍ଗୁଠି ଦେଖେଇବେ । ଯଦି କେବେ ସୁବିଧା ସୁଯୋଗ ମିଳିବ, ତେବେ ଘରକୁ ଡାକିଆଣି ସ୍ତ୍ରୀ ହାତରନ୍ଧା ଖୁଆଇବାର ପ୍ରୟାସ ମଧ୍ୟ କରିବେ ।

ସେ ଯାହାହେଉ, ବହୁତ କଳ୍ପନା ଜଳ୍ପନା ଆଉ ସୁନେଲି ସ୍ୱପ୍ନ ଦେଖିବା ଭିତରେ ମହାପାତ୍ରବାବୁଙ୍କର ବିବାହ ପର୍ବ ଶେଷ ହେଇଗଲା । ପତ୍ନୀ ‘ଶ୍ରଦ୍ଧା’ ଗୋଟିଏ ଚାଉଳରେ ଗଢା । ରୂପ ଯେମିତି, ଗୁଣ ବି ସେମିତି । କଥା କହି ମନ ଜିଣିନେବା ଯେମିତି ଜଣାଥିଲା, ଘରର କାମଦାମ କରି ବଡମାନଙ୍କୁ ଖୁସି କରିଦେବା ବି ସେମିତି ଜଣାଥିଲା । ଘରର ପ୍ରତ୍ୟେକ ସଦସ୍ୟ ପ୍ରଶଂସା କରି କରି ପୋତି ପକେଇଲେ ନୂଆବୋହୂକୁ ଆଉ ମହାପାତ୍ରବାବୁଙ୍କର ଭାଗ୍ୟକୁ ।

ଏମିତି ଘରେ ବାହାରେ, ଚାରିଆଡେ ପତ୍ନୀର ଭୁରି ଭୁରି ପ୍ରଶଂସା ଶୁଣି ଶୁଣି ମହାପାତ୍ରବାବୁ ନିଜକୁ ଚିମୁଟି ପରୀକ୍ଷା କରିନେଲେ, ପ୍ରକୃତରେ ଯାହା ଘଟୁଛି, ସେସବୁ ସତ୍ୟ ନା ତାଙ୍କ ଜାଗ୍ରତ ଆଖିର ସ୍ୱପ୍ନ !

ଅଷ୍ଟମଙ୍ଗଳା ଯାଉ ନଯାଉଣୁ ନୂଆବୋହୂ ଯାଇ ରୋଷେଇ ଘରର ମୋର୍ଚ୍ଚା ସମ୍ଭାଳି ନେଲା । ସମସ୍ତଙ୍କର ଉତ୍କଣ୍ଠା – କି ପ୍ରକାରର ଖାଇବା ଆଜି ବୋହୂ ବନେଇବ । ଘରଲୋକ ତ ତା’ର ବେଶ୍ ବଡ ବଡ କଥା କହି ଦେଇଛନ୍ତି, ପ୍ରକୃତରେ ସେସବୁ ସତ୍ୟ ନା ବାହାଘର ପୂର୍ବର ମିଛ ପ୍ରତିଶ୍ରୁତି କେବଳ !

ନା, କିଛି ପଦେ ବି ମିଛ ନଥିଲା । ବୋହୂ ସତରେ ରୋଷେଇରେ ଥିଲା ନିପୁଣା ।

ରୋଷେଇ ଘରେ ପାଦ ଥୋଉ ଥୋଉ ସେ ଘୋଷଣା କରିଦେଲା ଯେ ସେ ସମସ୍ତଙ୍କୁ ଆଜି ଚିଜ୍ ଫ୍ରେଞ୍ଚ୍ ଟୋଷ୍ଟ ବନେଇ ଖୁଆଇବ ।

ଚିଜ୍ ଫ୍ରେଞ୍ଚ୍ ଟୋଷ୍ଟ୍ !! ଇଏ ପୁଣି କୋଉ ଜିନିଷ ?

ବୋହୂ ତାଲିକା କରିଦେଲା । ତାଲିକା ମୁତାବକ ଗୋଟି ଗୋଟି କରି ସବୁ ଜିନିଷ କିଣାହେଇ ଆସିଲା, ଆଉ ବୋହୂ ବନେଇଲା ଚିଜ୍ ଫ୍ରେଞ୍ଚ୍ ଟୋଷ୍ଟ୍ । ଆଃ, କି ସ୍ୱାଦିଷ୍ଟ ! ଏମିତି ଖାଦ୍ୟ ପୁଣି ଏ ଜଗତରେ ଥାଏ ! ସମସ୍ତେ ହାତ ଚାଟି ଚାଟି ଖାଇ ଚାଲିଗଲେ ।

ପେଟ ଭରି ଖାଇସାରିଲା ପରେ ବି ମନ କହୁଥିଲା ଆହୁରି ମିଳନ୍ତା କି, ପୁଣି ଖାଆନ୍ତେ ।

ଖାଇବାବାଲାକୁ ସିନା ସୁଆଦ, ହେଲେ ବନେଇବାବାଲାକୁ କେତେ କଷ୍ଟ ହେଇଥିବ !

କିନ୍ତୁ ନା, କିଛି କଷ୍ଟ ହେଉଥିବା କଥା ଜଣା ପଡିଲାନି । ସମସ୍ତେ ଏତେ ଖୁସିରେ ଖାଉଥିବାର ଦେଖି ବୋହୂ ନିଜେ ଭାରି ଖୁସି ହେଉଥିଲା । ତେଣୁ ଏତେ ଜଣଙ୍କୁ ରାନ୍ଧି ଖୁଆଇବାରେ ତାକୁ ଯେ କିଛି କଷ୍ଟ ହେଇଥିବ, ସେମିତି କିଛି ବି ଜଣେଇଲାନି । ବରଂ ଆହୁରି କ’ଣ କ’ଣ ସେ ବନେଇ ଜାଣେ, ତା’ର ତାଲିକା କହି ଦେଇଗଲା । ଭରା ପେଟରେ ବି ଲୋକଙ୍କ ପାଟିରୁ ଲାଳ ଥପ୍ ଥପ୍ ଗଡିପଡିଲା ସେ ନାଁ ସବୁ ଶୁଣି ।

ଜଳଖଆ ପରେ ସ୍ପେସାଲ୍ କଫି ବି ପିଆଗଲା । ତାହା ବି ନୂଆବୋହୂ ହାତର କରାମତିର ନମୁନା ଥିଲା । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା - ଆଜି ପରିକା ଜଳଖିଆ ଆଉ କଫି ଆଗରୁ କେବେ ଚଖା ହେଇନଥିଲା ।

ସାହିପଡିଶାରେ ସମସ୍ତଙ୍କୁ କୁହାଗଲା .. ଫୋନ୍ କରି ସାଙ୍ଗସାଥିଙ୍କୁ ବି କୁହାଗଲା । ଲୋକେ ଖୁସି ହେଲେ କି ମୁହଁ ମୋଡିଲେ, ଜଣା ପଡିଲା ନାହିଁ । କିନ୍ତୁ କହିଲା ଲୋକ କହିଚାଲିଲା । ଆଉ ଏଇ କହିବାରେ ତାକୁ ଯଥେଷ୍ଟ ଆତ୍ମସନ୍ତୁଷ୍ଟି ମିଳିଲା ଯେ ଅନ୍ୟ ଆଗରେ ଛାତି ଫୁଲେଇ କହିବା ଭଳି ଉପାଦାନଟିଏ କେବଳ ତାଙ୍କରି ପାଖରେ ହି ଅଛି ।

ଘଣ୍ଟାଏ ବିଶ୍ରାମ ପରେ ଦ୍ୱିପହରର ଖାଇବା ପାଳି । ପୁଣି ସମସ୍ତଙ୍କର ଆଗ୍ରହ । ଏଥର କୋଉ ନୂଆ ଜିନିଷ ?

ହାଇଦ୍ରାବାଦୀ ବିରିୟାନୀ ।

ଆରେ ବାଃ, ଖାଲି ନାଁ ହି ଶୁଣା ଯାଇଥିଲା ଆଗରୁ .. ଏବେ ପାଟି ବି ଚାଖିବ ଏ ଜିନିଷର ସ୍ୱାଦ କିପରି ଥାଏ ।

ତାଲିକା ପ୍ରସ୍ତୁତ ହେଇଗଲା । ବଜାରକୁ ଯାଇ ସବୁ ଜିନିଷ ପରିମାଣ ମୁତାବକ କିଣାହୋଇ ଅଣା ହେଇଗଲା । ବୋହୂ ଜୁଟିଗଲେ ରନ୍ଧାକାର୍ଯ୍ୟରେ । ସମସ୍ତେ ଚାହୁଁଥିଲେ ଏପରି ଏକ ସୁନ୍ଦର ପ୍ରୋଜେକ୍ଟ୍ ରେ ନିଜର ସହଯୋଗ ଦେବାକୁ । କିନ୍ତୁ ବୋହୂ ମନା କରିଦେଲା । ଆଉ କେହି ହସ୍ତକ୍ଷେପ କଲେ ତା’ର ସବୁ ଭୁଲଭାଲ୍ ହେଇଯିବ । ତେଣୁ ସେ ଏକା ଏକା ହିଁ ରୋଷେଇ କରିବ ।

ଭଲକଥା, ବସିକି ଖାଇବାକୁ କାହାକୁ ବା ଭଲ ନଲାଗେ !

ରୋଷେଇଘରୁ ମସଲା କଷାର ସୁଗନ୍ଧ ଭାସି ଆସୁଥିଲା । ସକାଳ ଜଳଖିଆ ହଜମ ହେଇନଥିଲା .... ତଥାପି ମସଲାର ସୁଗନ୍ଧରେ ପାଟିରୁ ପାଣି ବାହାରି ଆସିଲା । ଦୁଇ ଘଣ୍ଟାର ପରିଶ୍ରମ ପରେ ଝାଳନାଳ ହୋଇ ବୋହୂ ରୋଷେଇଘରୁ ବାହାରିଲେ । ଆଃ.. ହାଇଦ୍ରାବାଦୀ ବିରିୟାନୀର ସୁଗନ୍ଧ ପେଟର ଭୋକକୁ ଚଉଗୁଣୀତ କରିପକୋଉଛି । ଡକରା ଆସିଗଲା । ସମସ୍ତେ ଟେବୁଲ ପାଖକୁ ଧାଇଁଗଲେ । କାକୁଡି, ଟମାଟର ପିଆଜ କଟାରେ ସଜା ହୋଇଥିଲା ହାଇଦ୍ରାବାଦୀ ବିରିୟାନୀ ଆଉ କଚୁମର୍ ।

ପ୍ରକୃତରେ ମହାପାତ୍ରବାବୁ ଭାଗ୍ୟବାନ୍ । ପତ୍ନୀ ଯଦି ସ୍ୱାମୀର ପେଟ ଚିହ୍ନିପାରିଲା, ତେବେ ତା’ ଠାରୁ ବଳି ବଡ ସୌଭାଗ୍ୟ ଆଉ କିଛି ନାହିଁ । ଆଉ ଏଠି ତ ପତ୍ନୀ କେବଳ ପତିର ନୁହେଁ, ସମସ୍ତଙ୍କ ପେଟ ଚିହ୍ନିପାରୁଛି । ଏହା ଠାରୁ ବଳିକି ସୌଭାଗ୍ୟ ଆଉ କ’ଣ ଥାଇପାରେ !

ପୁଣି ପେଟପୂରା ଖାଇବା, ପୁଣି ଭୁରି ଭୁରି ପ୍ରଶଂସା, ଆଉ ତା’ପରେ ରାତି ଖାଇବାର ବ୍ୟାକୁଳତା ସହକାରେ ପ୍ରତୀକ୍ଷା । ମହାପାତ୍ରବାବୁ ନିଜ ନବ ବିବାହିତା ପତ୍ନୀକୁ ଚାହିଁଲେ । ଆଜି ସାରା ଦିନଟା ରୋଷେଇଘରେ ପୂରା ବ୍ୟସ୍ତ । ତଥାପି କିନ୍ତୁ କ୍ଲାନ୍ତିର ଏତେ ଟିକେ ଚିହ୍ନବର୍ଣ୍ଣ ବି ମୁହଁରେ ନାହିଁ । ବରଂ ସମସ୍ତଙ୍କ ପ୍ରଶଂସାରେ ତାହା ଆହୁରି ଚକ୍ ଚକ୍ କରିଉଠୁଛି ।

କୁଣ୍ଢେମୋଟ ହେଇଗଲା ତାଙ୍କ ଛାତି । ଏପରି ପତ୍ନୀ ଭାଗ୍ୟରେ ଥିଲେ ମିଳେ ।

ଘରେ ଯେଉଁ ଜଣେ ଦୁଇ ଜଣ କୁଣିଆ ମଇତ୍ର ରହି ଯାଇଥିଲେ, ସେମାନେ ବୋହୂପରଷା ଖାଇବାକୁ ନିଜ ରହଣୀକୁ ଆଉ ଦୁଇ ଚାରି ଦିନ ପାଇଁ ବଢେଇଦେଲେ । ଏପରି ଭୋଜନ ଛାଡିଦେଇ କୋଉ ମୁର୍ଖ ଭଲା ଯିବାକୁ ଚାହିଁବ ? ଅବଶ୍ୟ ଉପରେ ଉପରେ ପ୍ରଶଂସା କଲେ ବି ଭିତରେ ଭିତରେ ସନ୍ତୁଳି ଉଠୁଥିଲେ ସେମାନେ । ଆଉ କୌଣସି ନା କୌଣସି ପ୍ରକାରେ ନୂଆବୋହୂକୁ ଅପଦସ୍ତ କରିବାର ବାହାନା ଖୋଜି ହେଉଥିଲେ । ଦୂର ସଂପର୍କୀୟା ଖୁଡି ଜଣେ ତ ସମ୍ଭାଳି ନପାରି କହି ପକେଇଲେ ଯେ ନୂଆ ନୂଆ ସମସ୍ତେ ଏମିତି କରିଥାନ୍ତି । ପୁଣି ଦିନ କେଇଟା ଭିତରେ ନିଜର ଅସଲ ରୂପ ଦେଖେଇଥାନ୍ତି ।

ମହାପାତ୍ରବାବୁଙ୍କୁ ଖୁଡିଙ୍କର ଏ ଆକ୍ଷେପ ବଡ କଷ୍ଟକର ପ୍ରତୀତ ହେଲେ ବି ବଡଲୋକଙ୍କୁ କି ଉତ୍ତର ଦେଇ ହେବ ଭାବି ଚୁପ୍ ରହିଗଲେ । ମନେ ମନେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିଚାଲିଲେ ଯେ ଖୁଡିଙ୍କର ଏ ଆକ୍ଷେପ କେବେ ବି ସତ ନହେଉ । ଏମିତି ବି ତାଙ୍କର ଦୃଢ ବିଶ୍ୱାସ ଥିଲା ଯେ ଶ୍ରଦ୍ଧା ଏପରି କୌଣସି କାମ କେବେ ବି କରିବ ନାହିଁ, ଯୋଉଥିରେ ତାଙ୍କ ହୃଦୟକୁ ଆଘାତ ଲାଗିବ ।

ଖବର ବ୍ୟାପିବାକୁ କ’ଣ କିଛି ସମୟ ଲାଗେ କେବେ ! ବୋହୂର ରୋଷେଇ କଳା ବିଷୟଟି ଦିନ କେଇଟା ଭିତରେ ଦୂର ଦୂର ସଂପର୍କୀୟମାନଙ୍କ ଘରେ ବି ଯାଇ ପହଞ୍ଚିଗଲା । ମହାପାତ୍ରବାବୁଙ୍କ ଭାଗ୍ୟରେ ପୁଣି ଏତେ ସୁଖ ସୌଭାଗ୍ୟ ଲେଖା ହୋଇଥାଇ ପାରେ ! ଦେଖିଲା ଲୋକ ଦାନ୍ତ କାମୁଡି ରହିଲେ, ଆଉ ନଦେଖିଲା ଲୋକ ପରୀକ୍ଷା କରିବା ପାଇଁ ବାହାନା କରି ଧାଇଁ ଆସିଲେ । ମହାପାତ୍ରବାବୁଙ୍କ ଦୂର ସଂପର୍କୀୟ ମାମୁପୁଅ ଭାଇ, ଯିଏ ସ୍ୱଭାବରେ ଟିକିଏ ଟକଳା, ସେ ଯେମିତି ଶୁଣିଲା ନୂଆବୋହୂ ହାତର କରାମତି ବିଷୟରେ, ମିଛଟାରେ ଅଫିସ୍ କାମର ବାହାନା କରି ଆସି ତାଙ୍କ ଘରେ ଡେରା ଜମେଇଦେଲା । ନୂଆବୋହୂର ପ୍ରଶଂସାରେ କୌଣସି କାର୍ପଣ୍ୟତା ନଦେଖେଇ ସେ ନିଜର ରସନା ତୃପ୍ତିରେ ଲାଗିଲା ।

ତାଙ୍କ ବଡବାପା, ଯାହାଙ୍କୁ ପୁଅବୋହୂ ପଚାରୁ ନାହାନ୍ତି ବୋଲି କେବେଠୁ ଗାଁରେ ଯାଇ ମନଦୁଃଖରେ ରହୁଛନ୍ତି, ବଡମାଆଙ୍କୁ ଡାକ୍ତର ଦେଖେଇବାକୁ ଅଛି କହି ତାଙ୍କ ଘରେ ଆସି ପହଞ୍ଚିଗଲେ । ଜଣେ ପିଇସୀ, କୋଉଠାର ମାମୁ, ଲେଖାଯୋଖାର ଭାଇ – ସମସ୍ତେ କାହିଁ କେତେ ଦୂର ସଂପର୍କୀୟ ହେଇଥିଲେ ବି କିଛି ନା କିଛିର ବାହାନା କରି ଆସି ହାଜର ହେଇଗଲେ ଜିଭକୁ ସନ୍ତୁଷ୍ଟ କରିବାକୁ ।

ନୂଆବୋହୂ ବି ଆତ୍ମପ୍ରଶଂସାରେ ମୁଗ୍ଧ ହେଇ ବନେଇ ଚାଲିଗଲା ଗୋଟାକ ପରେ ଗୋଟାଏ ଆଇଟମ୍‌ ଯାହାର ନାଁ ମହାପାତ୍ରବାବୁଙ୍କ ଚଉଦ ପୁରୁଷରେ ବି କେହି ଶୁଣିନଥିଲେ । ପନିର ଟିକ୍କା ମସଲା, ଚିକେନ୍ ଟଙ୍ଗଡି କବାବ, ମସଲା ଫ୍ରାଇଡ୍ ରାଇସ୍‌, ବୈଙ୍ଗନ୍ ଉଇଥ୍ ପ୍ରନ୍ ମସଲା, କାଶ୍ମିରୀ ଦମ୍ ଆଲୁ, ବଟର୍ ଚିକେନ୍, ଭେଜିଟେବୁଲ୍ ସ୍ୟାଣ୍ଡୱିଚ୍‌, ଟ୍ରିପଲ୍ ରାଇସ .. ଏମିତି ଏମିତି କେତେ କ’ଣ !

ଖାଇଲାବାଲା ଜାଣିବାର ଚେଷ୍ଟା ବି କଲାନାହିଁ ଯେ ଏସବୁ କୋଉଥିରେ ବନୁଛି, ବନେଇବାକୁ କେତେ ସମୟ ଲାଗୁଛି, କେତେ ଖର୍ଚ୍ଚ ବି ହେଉଛି । ତା’ର ମତଲବ ରହିଲା ଖାଲି ଖାଇବାରେ । ଆଉ ଖାଇଲା ବେଳେ ବାହାଦୁରୀ ଦେଖେଇବା ପାଇଁ ନିଜ ସାଥେ ସାଥେ ଆଉ ଦୁଇ ଚାରି ଜଣଙ୍କୁ ବି ସାଙ୍ଗରେ ନେଇକି ଆସିଗଲା କେବେ କେବେ ।

ମାସ ଶେଷ ହେବାକୁ ବସିଲା । ତଥାପି ଘର ଛାଡିଯିବାକୁ ଯୋଜନା କରୁଥିବାର କାହିଁ କେହି ଦିଶିଲେ ନାହିଁ । ମହାପାତ୍ରବାବୁଙ୍କ ମୁଣ୍ଡରେ ଚିନ୍ତା ପଶିଲା । ସେ କ’ଣ ବାହା ହେଇଥିଲେ ତାଙ୍କ ସ୍ତ୍ରୀକୁ ପୂଝାରୀ କରିବା ପାଇଁ ! ସେ କୁଆଡେ ଟିକିଏ ବୁଲିବାକୁ ଯାଆନ୍ତେ .. ସିନେମା ଦେଖନ୍ତେ .. କି ସାଙ୍ଗସାଥୀଙ୍କ ଘରକୁ ଯାଆନ୍ତେ । କିନ୍ତୁ ଯିବେ କେମିତି ? ଘରେ ତ ସବୁବେଳେ କୁଣିଆ ମଇତ୍ର ପଶି ରହିଛନ୍ତି ! ସେଇମାନଙ୍କ ପାଇଁ ରନ୍ଧାରେ ବଢାରେ ତ ରାତିଦିନ ଏକ ହେଇସାରିଲାଣି, ଆଉ ବୈବାହିକ ଜୀବନକୁ କେମିତି ବା ସେ ଉପଭୋଗ କରିବେ ! ଖାଲି ସେତିକି ତ ନୁହେଁ, ଦିନରାତି ଘରେ ଲୋକ ହାଉଯାଉ ହେଲାରୁ, ପତ୍ନୀ ସହିତ ଏକାନ୍ତରେ କିଛି ସମୟ କାଟିବାକୁ ବି ତାଙ୍କୁ ମିଳୁନଥିଲା । ଏମିତି ବି ପତ୍ନୀ ନିଜ ପ୍ରଶଂସା ଶୁଣି ଶୁଣି ଏତେ ଉତଫୁଲ୍ଲିତ ଯେ ମହାପାତ୍ରବାବୁଙ୍କ ପାଖରେ ଘଡିଏ ବସି ରହି ସୁଖଦୁଃଖ ହେବା ଅପେକ୍ଷା ରୋଷେଇ ଘରେ ଯାଇ ଝାଳନାଳ ହେବାକୁ ତାକୁ ଅଧିକ ସୁଖକର ଲାଗୁଛି ।

ମହାପାତ୍ରବାବୁ ଯେତେ ପ୍ରକାରେ ବୁଲେଇ ବାଲେଇ କହିଲେ ବି ସେ ଆଦୌ ଘରୁ ବାହାରକୁ ଯିବାକୁ ପ୍ରସ୍ତୁତ ହୁଏନା । ‘ସନ୍ଧ୍ୟାବେଳେ କ’ଣ ଯିବା ମ, ଏଇଲେ ତ ଖାଇବା ପିଇବା ବେଳେ ..’ । ରାତିରେ ଯିବା କଥା କହିଲେ – ‘ନା, ନା, ଏଇଲେ ବାପା ଆସିବେ .. ଭାଇ ଆସିବେ .. ସେମାନଙ୍କ ଖାଇବା ଟାଇମ ହେଇଯିବ, ମୁଁ ଯାଏ ରୋଷେଇଘରକୁ ..’ କହି ଅବିଳମ୍ୱେ ସେ ଖସି ଚାଲିଯାଏ ।

ଓଃ .. ଯନ୍ତ୍ରଣାଦଗ୍ଧ ମହାପାତ୍ରବାବୁ ଛଟପଟ ହେଇଉଠନ୍ତି । କାହିଁକି ଏମିତି ଝିଅକୁ ବାହା ହେବାକୁ ସେ ରାଜି ହେଇ ଯାଇଥିଲେ ଯିଏ ସ୍ୱମୀର ମନ ଅପେକ୍ଷା ତା’ ପେଟକୁ ଅଧିକ ଧ୍ୟାନ ଦେଉଛି, ଭାବି ମ୍ରିୟମାଣ ହେଇପଡିଲେ ।

ହେଲେ ଏଇଲେ ଏକଥାକୁ ସେ କାହାକୁ ଅବା କହିପାରିବେ ! ଯିଏ ଶୁଣିବ, ତାଙ୍କ କଟା ଘା’ରେ ଚୂନ ମଳିବାକୁ ତତ୍ପର ହେଇଉଠିବ ସଙ୍ଗେ ସଙ୍ଗେ । ଏଇ ଦୁଇ ଦିନ ପୂର୍ବରୁ ହିଁ ତ ଦାସବାବୁ, ମହାନ୍ତିବାବୁଙ୍କ ଆଗରେ ନିଶକୁ ଫୁଲେଇ ନିଜ ପତ୍ନୀର ଭୁରି ଭୁରି ପ୍ରଶଂସା କରିଥିଲେ ସେ । ତାରି ହାତରନ୍ଧା ଖାଇବାକୁ କେମିତି ଘରେ ସବୁବେଳେ ଲୋକ ହାଉଯାଉ ହେଉଛନ୍ତି ବୋଲି ବଢେଇ ଚଢେଇ କହିଥିଲେ । ଏଇଲେ କୋଉ ମୁହଁରେ ତାଙ୍କ ମନ ତଳର ଦୁଃଖକୁ ସେମାନଙ୍କ ଆଗରେ ପ୍ରକାଶ କରିବାକୁ ଯିବେ ସେ ! ବରଂ ଚୁପ୍ ରହିଯିବା ହିଁ ଭଲ ହେବ ତାଙ୍କ ପାଇଁ ଭାବି ଦାନ୍ତ କାମୁଡି ରହିଲେ ।

ହେଲେ ରହି ପାରିଲେନି ତାଙ୍କ ବୋଉ । ଏ କ’ଣ ? ରୋଷେଇ ବାସରେ ଆଗ୍ରହ ଅଛି ବୋଲି ବଡ ଖୁସିରେ ବୋହୂ କରିଥିଲେ ସତ, ହେଲେ ତାହର ପରିଣତି ଏପରି ହେବ ବୋଲି ତ ସେ ଜାଣିନଥିଲେ ! କୁଣିଆ ମଇତ୍ର ଘରଛାଡି ଯିବାକୁ ପ୍ରସ୍ତୁତ ହେଉନାହାନ୍ତି । ବୋହୂର ପ୍ରଶଂସା କରିବା ଆଳରେ ନିତି ନିତି ମହାରାଜା ପରି ଭୋଜନ ଠୁଁସି ଚାଲିଛନ୍ତି । ସେଥିପାଇଁ ତାଙ୍କ ଆର୍ଥିକ ଅବସ୍ଥା କେଉଁ ସ୍ତରରେ ଯାଇ ପହଞ୍ଚି ସାରିଲାଣି, ସେକଥା କେହି ଜାଣିବାକୁ ବି ପ୍ରସ୍ତୁତ ନୁହନ୍ତି ! ସେ ବି କୋଉ ମୁହଁରେ ସେମାନଙ୍କୁ ଯାଇ ଜଣେଇବେ ଯେ ଆଉ ତମମାନଙ୍କ ଖର୍ଚ୍ଚ ଉଠେଇବାର ସାମର୍ଥ୍ୟ ମୋର ନାହିଁ, ତେଣୁ ନିଜ ନିଜ ଘରକୁ ଫେରିଯାଅ !

ବାହାଘର ବେଳେ ବଡ ଜୋରରେ ତ କହିଦେଇଥିଲେ ଯେ ବାଛି ବାଛି ବୋହୂ ଆଣିଛି, ଦେଖିବ ରହିଥା ! ରୂପ ଯେମିତି, ଗୁଣ ବି ସେମିତି । ମୋ ପୁଅକୁ ଏତେ ଥଟ୍ଟା କରୁଥିଲ.. ବାହାଘର ହେଇପାରୁନି ବୋଲି ଟାପରା କରୁଥିଲ, ଏଇଲେ ଦେଖିବ କେମିତି ତା’ ଭାଗ୍ୟରେ ହୀରାଟିଏ ଅଛି ! ତୁମମାନଙ୍କ ବୋହୂ ତା’ର କାଣି ଆଙ୍ଗୁଠିକୁ ବି ସରି ହେବନି ।

ଏଥିରେ ମିଥ୍ୟା କିଛି ନଥିଲା ସତ, ହେଲେ ତାଙ୍କ ନିଜର ସେହି କଥା ଏଇଲେ ତାଙ୍କୁ ହିଁ ମହଙ୍ଗା ପଡିଲାଣି । ନିତି ନିତି ସେ ମୋଗଲାଇ, ହାଇଦ୍ରାବାଦୀ, ଚାଇନିଜ୍‌, ଥାଇ, ଖାଇି ଖାଇି ମନଟା ବିଚିକିଟା ଧରିଲାଣି । ସାଧା ଭାତ ଗଣ୍ଡେ ଆଉ ଜିରା ଫୁଟା ଡାଲି ସାଙ୍ଗକୁ ଆଳୁ ଭରତା ଟିକେ ଖାଇିବା ପାଇଁ ପାଟି ତରସି ଗଲାଣି । ହେଲେ କେମିତି କହିବେ ସେକଥା କାହାକୁ ! ଘରେ ଯେଉଁ ପୁଞ୍ଜାକ ଅତିଥି ଦିନରାତି ତାରି ହାତରୁ ଖାଇିବା ପାଇଁ ଚାହିଁ ବସିଛନ୍ତି, ଏକଥା ଶୁଣୁ ଶୁଣୁ ତ ସେମାନେ ନାକ ଟେକିଦେବେ ଆଗ । ମୁହଁ ଛିଞ୍ଚାଡି ନିଶ୍ଚୟ କହିବେ – ବେଙ୍ଗ ପେଟରେ କି ଘିଅ ହଜମ ହୁଏ ! ଏତେ ଭଲ ଖାଇବା ଖାଇବାର ଅଭ୍ୟାସ ତମର ଥିଲେ ସିନା ଖାଇପାରିବ !!

କିନ୍ତୁ ଯାହା ପଛେ ହେଇଯାଉ, ବୋହୂକୁ ଏଥର କହିବେ ସେ । ମାସେ ବିତିଗଲାଣି । ଯେତିକି ରାନ୍ଧିଲା, ରାନ୍ଧିଲା । ସମସ୍ତେ ଖାଇଲେ, ଖୁସି ହେଲେ, ପ୍ରଶଂସା କଲେ, ସବୁ ଠିକ୍ ଅଛି । ଏଥର କିନ୍ତୁ ସମସ୍ତେ ନିଜ ନିଜ ଘରକୁ ଯେପରି ଫେରିଯିବେ, ସେପରି ରୋଷେଇ ହେଉ ।

ପରଦିନ ସକାଳୁ ସକାଳୁ ବୋହୂ ରୋଷେଇଘରେ ପାଦ ଥୋଇବା ପୂର୍ବରୁ ସେ ଯାଇ ସେଠି ପହଞ୍ଚିଗଲେ । ଯେତେ ଡବା ଡବି ସବୁ ଥିଲା, ସେସବୁ ଖୋଲିକି ଦେଖିଲେ । ଏ ମା’ .. ଇଏ କ’ଣ ..? ସବୁ ଡବା ତ ଖାଲି ! ବାହାଘର ପୂର୍ବରୁ ଘିଅ, ତେଲ, କାଜୁ କିସମିସ୍‌ ଗରମ ମସଲା, ଗୁଣ୍ଡ ମସଲା, ଡାଲି ଚାଉଳ, ଜିରା ଧନିଆ, ସବୁ ଭରି ଦେଇଥିଲେ ସେ । ଜମାରୁ ମାସଟାଏ ରୋଷେଇ କରି ବୋହୂ ସବୁ ଖାଲି କରି ପକେଇଛି ! ଏମିତି ହେଲେ ଘର କେମିତି ଚଳିବ ? ପୁଅର ମାସକ ଦରମା ଯଦି ଏମିତି ପରକୁ ଖୁଆଇ ପିଆଇ ସାରିଦେବ, ତେବେ ଚଳିବେ କେମିତି ! କିନ୍ତୁ ସମସ୍ୟା ହେଲା, ସେ ଏବେ ତାକୁ ଆକଟ କରିବେ କେମିତି ? କୋଉ ମୁହଁରେ କହିବେ ଯେ ବହୁତ ଖର୍ଚ୍ଚ ହେଇଯାଉଛି, ତେଣୁ ଏତେ ଆଉ ତେଲ ଘିଅ କାଜୁ କିସମିସ୍ ବ୍ୟବହାର କରି ରୋଷେଇ କଲେ ଚଳିବନି ! କ’ଣ ଭାବିବ ନୂଆ ବୋହୂଟା ? କହିବ କି – କେମିତିଆ ଦରିଦ୍ରିଆ ଘରକୁ ବାପା ମା’ ମୋତେ ପଠେଇ ଦେଇଛନ୍ତି !!

ମାତ୍ର ପରିସ୍ଥିତି ଯାହା ହେଲାଣି, ସହ୍ୟ ବି ତ କରିହେଉନାହିଁ । ଆଜି ଯଦି ନକହିବେ, ତେବେ ଅବସ୍ଥା ଆହୁରି ଅସମ୍ଭାଳ ହେଇଯିବ ଦିନକୁ ଦିନ । ଯୋଉଦିନ ବି କହିବେ, ପରିସ୍ଥିତି ଏମିତି ହିଁ ହେବ । ତା’ହେଲେ ଆଜି କାହିଁକି ନୁହେଁ ? ମନକୁ ବହୁତ ପ୍ରକାରେ ବୁଝେଇଲେ .. ଏକଡ ସେକଡ କରି ବହୁତ ଚିନ୍ତା କଲେ । ଶେଷକୁ ନିର୍ଣ୍ଣୟ ନେଲେ ଯେ କହିବେ ତ ନିଶ୍ଚୟ, ତେବେ କଥାଟାକୁ ଏମିତି ବାଗରେ କହିବେ ଯେ ତାକୁ ଯେମିତି ବାଧିବନି । ମାନେ ସାପ ମାରିବେ ତ ନିଶ୍ଚୟ .. ତେବେ ବାଡି ନଭାଙ୍ଗିକି !

ସକାଳୁ ସକାଳୁ ରୋଷେଇଘରେ ଶାଶୁଙ୍କୁ ଚିନ୍ତାମଗ୍ନ ହୋଇ ଠିଆ ହେଇଥିବାର ଦେଖି, ବୋହୂ ପ୍ରଥମେ ଟିକିଏ ଶଙ୍କିଗଲା । ବୋଧହୁଏ ଭାବୁଥିବ – ଏ ସଂପୂର୍ଣ୍ଣ ଇଲାକାଟା ମୋର ହେଇଗଲା ପରେ ଶାଶୁ ପୁଣି କାହିଁକି ଆସି ପାଦ ଦେଇଛନ୍ତି ଏଠି ! ମନେ ମନେ ସାମାନ୍ୟ ଅସନ୍ତୁଷ୍ଟ ବି ହେଇଯାଇଥିବ, ସେଥିରେ ସନ୍ଦେହ ନାହିଁ । ତେବେ ପ୍ରକାଶ ନକରି ଠିଆ ହୋଇ ରହିଗଲା ।

ବୋହୂର ଏବେ ମନେ ପଡୁଥିଲା ତା’ର ସାଙ୍ଗସାଥୀମାନେ କହୁଥିବା ଗୋଟେ କଥା – ରୋଷେଇ ଏପରି ଏକ କଳା, ଯୋଉଠି ବଡମାନେ, ବିଶେଷ କରି ଶାଶୁଘରର ଲୋକମାନେ ହସ୍ତକ୍ଷେପ କଲେ, ସେ କଳାର ଆଦୌ ବିକାଶ ହେଇପାରେ ନାହିଁ । ଆଜି ବୋଧେ ସେମିତି କିଛି ଉଦ୍ଦେଶ୍ୟ ରଖି ଶାଶୁ ଆସି ଯାଇଛନ୍ତି ରୋଷେଇଘରକୁ । ମାନେ ନିଜ ଅଙ୍କୁଶ ଚଳେଇବା ଉଦ୍ଦେଶ୍ୟରେ ହିଁ ସକାଳୁ ସକାଳୁ ପହଞ୍ଚି ଯାଇଛନ୍ତି । ମାତ୍ର ସେମିତି ହେଲେ, ସେ ଆଦୌ ରୋଷେଇ କରିପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଦେବ । ଯିଏ ଯାହା ଭାବୁ ପଛେ, ହେଲେ ଯୋଉ କଳାକୁ ଏତେ କଷ୍ଟରେ ସେ ଆୟତ କରିଛି, ତାକୁ ନିଜ ହିସାବରେ କରିକି ହିଁ ସେ ତା’ର ମଜା ଉଠେଇବ । ତେଣୁ ବିଶେଷ କିଛି ଉପଦେଶ ଦେବା ଆରମ୍ଭ କରିବେ ଯଦି, ତେବେ ସେ ରୋଷେଇଘର ଛାଡି ଚାଲିଯିବ ପଛେ .. ହେଲେ ଲଇଁ ପଡିବ ନାହିଁ କି, ତାଙ୍କ ହିସାବରେ ରୋଷେଇ କରି ନିଜ କଳାର ବିଶେଷତାକୁ ମାରିଦେବ ନାହିଁ ।

ମନେ ମନେ ଚାଲିଥିବା ତା’ର ସମସ୍ତ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକେଇ ଅତି ସ୍ନେହରେ ଶାଶୁ ତାକୁ କହିଲେ, “ବୋହୂ, ଆମେ ସମସ୍ତେ ଭାରି ଖୁସି ଯେ ତୋ’ ହାତରେ ସତରେ ମା’ ଅନ୍ନପୂର୍ଣ୍ଣା ଅଛନ୍ତି । ତୋରି ଲାଗି ଆମେ ଏତେ କିସମ କିସମ ଖାଦ୍ୟର ସ୍ୱାଦ ଜାଣିପାରିଲୁ, ଖାଇବାର ସୌଭାଗ୍ୟ ପାଇଲୁ । ହେଲେ କଥା କ’ଣ କି, ଏତେ ଗରିଷ୍ଠ ଭୋଜନ କରିବାର ଅଭ୍ୟାସ ତ ଆମର ଜମାରୁ ନଥିଲା । ତେଣୁ ଦୁଇଦିନ ହେବ ମୋ ପେଟଟା କେମିତି ମୋଡି ମୋଡି ହେଉଛି । ତୋ’ ଶ୍ୱଶୁରଙ୍କର ଅବସ୍ଥା ବି ପ୍ରାୟ ସେହି ରକମର । ତେଣୁ ମୁଁ କ’ଣ କହୁଥିଲି କି ..”

ଶାଶୁଙ୍କ କଣ୍ଠରେ ଏତେ ବେଶି କୋମଳତା ଥିବାର ଦେଖି ବୋହୂର ମନ ପୂରା ଭିଜି ଭିଜିଗଲା । ନିଜକୁ ଧିକ୍କାରୀ ଉଠିଲା ଯେ ମିଛୁଟାରେ ଅଯଥା କଥା ଭାବି ସେ ଆତଙ୍କିତ ହୋଇପଡିବା ସଙ୍ଗେ ସଙ୍ଗେ କିଛି କଠିନ ପଦକ୍ଷେପ ନେଇଯିବାକୁ ମନ ସ୍ଥିର କରୁଥିଲା । ଶାଶୁ ତ ତା’ ରୋଷେଇକୁ ନେଇ କିଛି ଚର୍ଚ୍ଚା କରିବାକୁ ଆସିନାହାନ୍ତି, ବରଂ ଆସିଛନ୍ତି ନିଜ ପେଟ ବିଷୟରେ କିଛି କହିବାକୁ । ଖାଲି ସେତିକି ନୁହେଁ, ତା’ର ରୋଷେଇ ଯେ ବାସ୍ତବରେ ସମସ୍ତଙ୍କ ମନକୁ ମୋହିପାରିଛି, ସେକଥା ଦର୍ଶୋଉଛନ୍ତି ।

ସେ କିଛି କହିବା ପୂର୍ବରୁ ପୁଣି ଶାଶୁ କହିଲେ, “ଯାହାହେଉ ରୋଷେଇରେ ତୋର ଏତେ ଆଗ୍ରହ, ମତେ ଖୁବ୍ ଖୁସି କରିଦେଇଛି । ହେଲେ ମୋର ଅନୁରୋଧ ଆଜି ଖାଲି ସାଧା ଭାତ, ଡାଲି, ସନ୍ତୁଳା, ଶାଗ, ଆଳୁଭରତା ଟିକିଏ ରାନ୍ଧେ ।“

ଶାଶୁଙ୍କ ପାଟିରୁ କଥାଟି ବାହାରିଲା ମାତ୍ରେ ଚମକି ପଡିଲା ବୋହୂ । ତା’ର ଏ ଚମକିବା ଶାଶୁଙ୍କ ଆଖିରୁ ବାଦ୍ ଗଲା ନାହିଁ । ବୋହୂ କ’ଣ ଭାବିବ ବୋଲି ସଙ୍ଗେ ସଙ୍ଗେ କହି ପକେଇଲେ, “ସତ କହୁଚି, ଆମେ ତୋ’ ରୋଷେଇରେ ଖୁବ୍ ତୃପ୍ତ । ହେଲେ ସତ କହିବାକୁ ଗଲେ ରୋଜ୍ ରୋଜ୍ ଏପରି ମହାରାଜୀୟ ଖାଦ୍ୟ ଖାଇବାର ସାମର୍ଥ୍ୟ ଆମର ନାହିଁ କି ଅନ୍ୟମାନଙ୍କୁ ବସି ଖୁଆଇବାର ତାକତ ବି ନାହିଁ । ତେଣୁ ଏବେ ଠାରୁ ଘରେ ସାଧାରଣ ଖାଇବା ହିଁ ବନେଇବୁ ।“

ବୋହୂ ମୁହଁରେ ଆତଙ୍କ ଫୁଟିଉଠିଲା । ଥ ଥ ମ ମ ହେଇ କହିଲା, “ହେଲେ କୁକିଙ୍ଗ୍ କ୍ଲାସ୍ ରେ ମତେ ଏଗୁଡା ତ କେବେ ଶିଖା ହେଇନାହଁ ! ସେସବୁ କେବେ ମୁଁ ରାନ୍ଧିନି କି କେମିତି ରନ୍ଧାହୁଏ ଶିଖିନି । ଖାଲି ଭାତ ଡାଲି ରାନ୍ଧିବାକୁ କ’ଣ ମୁଁ ଏତେ କଷ୍ଟ କରି କୁକିଙ୍ଗ୍ କ୍ଲାସ୍ ଜଏନ୍ କରିଥିଲି ! ସେସବୁ ତ ଯିଏ ନାହିଁ ସିଏ ରାନ୍ଧିପାରିବ । ମୁଁ କାହିଁକି ମୋର ଅଯଥା ସମୟ ନଷ୍ଟ କରିବି ଏଠି । ମତେ ତ କେବଳ ଏମିତି ହିଁ ରୋଷେଇ ଆସେ । ଆଉ ସେସବୁ ଖାଇବାକୁ ହେଲେ ଖର୍ଚ୍ଚ ତ କରିବାକୁ ହିଁ ପଡିବ !”

କହିଦେଇ ବୋହୂ ଯଥାଶୀଘ୍ର ଚୂଲି ମୁଣ୍ଡକୁ ପଳେଇଲା ସକାଳ ପାଇଁ କିଛି ବିଶେଷ ଜଳଖିଆର ପ୍ରବନ୍ଧ କରିବା ପାଇଁ । ଆଉ ହତବାକ୍ ହୋଇ ମହାପାତ୍ର ବାବୁଙ୍କ ବୋଉ ସେଇଠି ଠିଆ ହେଇ ହେଇ ଭାବୁଥିଲେ, ସାନପୁଅ ବାହାଘର ପାଇଁ ଝିଅ ଦେଖିବାକୁ ଗଲେ ତା’ର ରୂପ ଗୁଣ ପଛେ ନଦେଖିବେ,ହେଲେ ଆଗ ପଚାରିବେ କାହାଠୁ ରୋଷେଇ ଶିଖିଛି ସେ —ମା’ ଭଉଣୀଙ୍କ ଠାରୁ ନା କୋଉ କୁକିଙ୍ଗ୍ କ୍ଲାସରୁ

ମହାପାତ୍ରବାବୁ ରୋଷେଇ ଶ୍ରଦ୍ଧା ଶାଶୁ

Rate the content


Originality
Flow
Language
Cover design

Comments

Post

Some text some message..