Sulagna Mohanty

Drama Inspirational


3  

Sulagna Mohanty

Drama Inspirational


ସାବିତ୍ରୀ

ସାବିତ୍ରୀ

3 mins 7.3K 3 mins 7.3K

“ଶୁଣେ ସିମି, କାଲି ସାବିତ୍ରୀ ବ୍ରତ। ସକାଳ ପାଞ୍ଚଟାରୁ ଉଠି ଗାଧେଇ ପଡ଼ିବୁ। ମନ୍ଦିରକୁ ଯିବା। ଶୀଘ୍ର ନଗଲେ ସେଠି ଲମ୍ବା ଧାଡି ଲାଗି ଯାଇଥିବ। ସେଥିପାଇଁ ଜଲଦି ଉଠିବା ନିହାତି ଜରୁରୀ।” ଶାଶୁ ସିମି ଉଦ୍ଦେଶ୍ୟରେ କହିଲେ। “ମମି, ସାବିତ୍ରୀ ପୁଣି କଣ?” ସିମି ପଚାରିଲା। ଶାଶୁ କହିଲେ, “ଆରେ ସ୍ୱାମୀର ଦୀର୍ଘ ଜୀବନପାଇଁ କାଲି ସବୁ ସ୍ତ୍ରୀ ପୂଜା ଅର୍ଚ୍ଚନା କରିବେ। ଉପାସ ରଖିବେ। ରନ୍ଧା ଖାଦ୍ୟ ଖାଇବେନି। ଖାଲି ଫଳମୂଳ ଖାଇ ରହିବେ।” ଶାଶୁ କହିଲେ। “ଓହୋ, ଆମ କର୍ବାଚୌଥ ଭଳି?? ବୁଝିଗଲି। କିନ୍ତୁ ସ୍ଵାମୀମାନେ ବି ସ୍ତ୍ରୀ ସାଙ୍ଗରେ ଉପାସ କରିବେ ତ?” ସିମି ଶାଶୁଙ୍କୁ ପଚାରିଲା। ଶାଶୁ ରାଗିଗଲେ। କହିଲେ, “ଏଗୁଡା କଣ ପଚାରୁଛୁ। ତତେ ଯାହା କହିଲି ସେତିକି କରେ।” ସିମି କହିଲା, “କ୍ଷମା କରିବେ ମମି, ମୁଁ ଉପାସ ରଖିଦେବି ଆପଣଙ୍କ ଖୁସି ପାଇଁ। କିନ୍ତୁ ସକାଳୁ ମନ୍ଦିର ଯାଇପାରିବିନି। ମୋର ବହୁତ ଜରୁରୀ କାମ ଅଛି।” ଶାଶୁ କହିଲେ, “ସ୍ୱାମୀର ଜୀବନଠୁ ଆଉରି ଜରୁରୀ ଜିନିଷ କଣ ବା ତୋ ପାଇଁ?” ସିମି କହିଲା, “ମୋ କାମ ମମି। ତା ସାଙ୍ଗରେ ମୁଁ ଖେଳିପାରିବିନି। ମତେ କ୍ଷମା କରିବେ।” ଏତିକି କହି ସିମି ତା ରୁମରେ ପଶିଗଲା।

ସକାଳୁ ସିମି ଫଳରସ ପିଇ କାମକୁ ବାହାରିଗଲା। ଶାଶୁ ଖାଲି ରାଗରେ ଫଁ ଫଁ। “ବାରମ୍ବାର କହୁଛି ଦିଲ୍ଲୀ ଝିଅକୁ ବାହା ହୁଅନି ବାହା ହୁଅନି ଏଇ ଟୋକା କଣ ଶୁଣିଲା?? ଆମେ ଗଲାପରେ ଆମ ଠାକୁରଙ୍କୁ ପାଣି ମୁନ୍ଦିଏ ବି ମିଳିବନି ଆଉ। ଆଗରୁ କଣ କମ୍ ବୟସୀ ଝିଅଙ୍କୁ ଖାଲିଟାରେ ଲୋକ ବାହା କରେଇ ଦଉଥିଲେ? ଏମିତି ଦରବୁଢ଼ୀ ହେଇ ବାହା ହେଲେ ଏମାନେ ଶାଶୁଘରର କୋଉ ଚଳଣୀକୁ କଣ ମାନି ନେଇ ପାରିବେ? ସବୁ କଥାରେ ପ୍ରଶ୍ନ ପଚାରିବେ ଆଉ ସବୁ କଥାକୁ କାଟିବେ। ହୁଁ! ପୋଡାଭାଗ୍ୟ ମୋର ଯାହା। ହଉ ଚାଲ ଆମେ ମନ୍ଦିର ଯିବା।” ଶାଶୁଶଶୁର ମନ୍ଦିର ଯାଇ ଫେରିଲେ। ମନ୍ଦିରରେ ପ୍ରବଳ ଭିଡ। ବହୁତ ଡେରି ହେଲା ପୂଜା ସରୁସରୁ। ଫେରିଲା ବେଳକୁ ପୁଅ ନିଜେ ନିଜେ କର୍ଣଫ୍ଲେକ୍ସ ଖାଇ ଅଫିସ୍ ପଳେଇଛି। ଶାଶୁ ଆସି ଉପାସ ଭାଙ୍ଗିଲେ। ସାଗୁ ଚକଟା ଖାଇଲେ। ରାଗିଥାନ୍ତି ସେବେ ବି ସିମି ଉପରେ। ଫୋନ୍ କରି ପଚାରିଲେନି କଣ ଖାଇଛି ବୋଲି।

ଦିପହରେ ଆଖି ଲାଗି ଆସୁଛି ହଠାତ୍ ଶଶୁରଙ୍କ ଫୋନ୍ ବାଜି ଉଠିଲେ। ସେ ଉଠେଇଲେ। ସେପଟୁ କିଏ କଣ କହିଲା କେଜାଣି ସେ ବହୁତ ବ୍ୟସ୍ତ ହେଇପଡିଲେ। ଶାଶୁଙ୍କୁ କହିଲେ, “ଶୀଘ୍ର ଉଠ। ଯିବା। ମୁଁ ଗାଡି କାଢୁଛି।” ଶାଶୁ ତରତର ହେଇ ଉଠିପଡିଲେ। “କଣ ହେଇଛି?” ସେ ପଚାରିଲେ। ଶଶୁର କିଛି ନ କହି ବାହାରକୁ ଚାଲିଗଲେ। ଶାଶୁ ପଛରେ ଦୌଡ଼ିଲେ। ଗାଡ଼ିରେ ବସିଲା ପରେ ଶଶୁର କହିଲେ, “ମୁନୁ କୋଉ କ୍ଳାଇଣ୍ଟକୁ ଭେଟିବାକୁ ଯାଉଥିଲା। ତା ଗାଡିର ଆକ୍ସିଡେଣ୍ଟ ହେଇଛି। ତାକୁ ଲାଇଫକେୟାରକୁ ନେଇଛନ୍ତି। “କଣ କହିଲ?” ସ୍ୱର୍ଗରୁ ପଡିଲେ ଶାଶୁ। “ମୋ ପୁଅର ଆକ୍ସିଡେଣ୍ଟ?? ସବୁ ସେଇ ଅଲକ୍ଷଣୀ ପାଇଁ। ସ୍ୱାମୀ ପାଇଁ ସାବିତ୍ରୀ ବି କଲା ନାହିଁ। ସେ ସେଇଠି ଅଛି ଟି?” ଶଶୁର ସିମିକୁ ଫୋନ୍ ଲଗେଇଲେ। ଫୋନ୍ ସ୍ବୀଚଡ ଅଫ।

ଶାଶୁଶଶୁର ଡାକ୍ତରଖାନାରେ ପହଞ୍ଚିଲେ। ମୁନୁର ସହକର୍ମୀ ପ୍ରକାଶ ଆସି ତାଙ୍କୁ ଓଟି ପାଖକୁ ନେଇଗଲା। ଅପରେସନ ଚାଲିଛି। ମୁଣ୍ଡରେ ଜୋରରେ ବାଜିଛି। ଶଶୁର ଆଉ ପ୍ରକାଶ ଧୀରେ ଧୀରେ କିଛି କଥା ହଉଥାନ୍ତି। ଶାଶୁ ପୁଣି ମୁହଁରେ ଲୁଗାଦେଇ କାନ୍ଦିବା ଆରମ୍ଭ କରିଦେଲେ। କୁଆଡେ ଗଲା ସେ କୁଲକ୍ଷଣୀ। କାହିଁ କୁଆଡେ ଦେଖା ଯାଉନି ତ?? ଏଇ ଦିନ ପାଇଁ ତାକୁ ଏତେ ସରାଗରେ ଘରକୁ ବାହାକରି ଆଣିଥିଲେ?” ଓଟି କବାଟ ଫିଟିଲା। ଭିତରୁ ବାହାରି ଆସିଲେ ଦୁଇଟି ଡାକ୍ତର ଆଉ ତାଙ୍କ ପଛେ ପଛେ ସିମି। ଶଶୁରଙ୍କ ପାଖକୁ ଆସି କହିଲା, “ସେ ଠିକ ଅଛନ୍ତି ବାପା। ଡ଼ରିବାର କିଛି ନାହିଁ।” ଅନ୍ୟ ଡାକ୍ତର ଜଣଙ୍କ ପାଖକୁ ଆସି କହିଲେ, “ରଜତ ସାର ଗୋଟିଏ ଅର୍ଜେଣ୍ଟ କେଶରେ ବାହାରକୁ ଯାଇଛନ୍ତି। ଆଉ କେହି ଡାକ୍ତର ଆଭେଲେବଲ ନଥିଲେ। ସିମରନ ମାଡ଼ମଙ୍କୁ ହିଁ ଶେଷରେ ମନୀଷ ସାରଙ୍କର ଅପରେସନ କରିବାକୁ ପଡିଲା। ସାରଙ୍କୁ ଆଜି ମୃତ୍ୟୁମୁଖରୁ ବଞ୍ଚେଇ ଆଣିଛନ୍ତି ସେ। ଶାଶୁଶଶୁର ସିମି ଆଡକୁ ଏକଲୟରେ ଚାହିଁଥିଲେ। ଭାବୁଥିଲେ ବୋଧେ ସବୁ ସାବିତ୍ରୀ ନାଲି ଶାଢ଼ୀ ପିନ୍ଧି ନଥାନ୍ତି। ସବୁ ସାବିତ୍ରୀଙ୍କ ହାତରେ ପୂଜାଥାଳି ନ ଥାଏ। କିଛି ସାବିତ୍ରୀ ପିନ୍ଧିଥାନ୍ତି ଧଳା ଆପ୍ରନ ଓ ହାତରେ ଥାଏ ଗ୍ଲୋଭସ ଆଉ ଷ୍ଟେଥୋସ୍କୋପ!!!

By Sulagna Mohanty


Rate this content
Originality
Flow
Language
Cover Design