Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

sasmita sahoo

Inspirational Others

3  

sasmita sahoo

Inspirational Others

ସ୍ନେହା

ସ୍ନେହା

7 mins
1.5K


ପୋଲିସ ସବ-ଇନ୍ସପେକ୍ଟର ବିନୋଦ ଚନ୍ଦ୍ର ଦାସ । ସେ ଜଣେ ସଚ୍ଚୋଟ ଅଫିସର । କିଏ ନ ଜାଣନ୍ତି ? ନା ଅନ୍ୟାୟକୁ ପ୍ରଶୟ ଦିଅନ୍ତି ନା ଦୋଷୀକୁ କ୍ଷମା । ଦାଗୀଙ୍କର ଭାରି ଭୟ । ହେଲେ ସେ ଜଣେ ଭଲ ମଣିଷ । ଅନ୍ୟକୁ ସାହାଯ୍ୟ କରିବା, ପରିବାରର ଯତ୍ନ ନେବା ଏ ସବୁ ଭଲଗୁଣବି ଅଛି ତାଙ୍କ ପାଖରେ । ସରକାରୀ ଘରେ ସ୍ତ୍ରୀ ପ୍ରୀତି ଓ ଦୁଇ ପୁଅ ଶୁଭମ ଆଉ ସତ୍ୟମ ଙ୍କ ସହିତ ରୁହନ୍ତି ।

ଦିନେ ରାତିରେ ପେଟ୍ରୋଲିଙ୍ଗ ରେ ଥାନ୍ତି । କେନାଲ ପାଖ ରାସ୍ତାରେ ଡିଉଟି କରୁ କରୁ ହଠାତ ତାଙ୍କ କାନରେ ଛୁଆର କାନ୍ଦିବା ଶବ୍ଦ ବାଜିଲା । ସମୟ ଭୋର ୪ ଟା, ଟର୍ଚ୍ଚ ମାରି ଖୋଜିବାକୁ ଲାଗିଲେ । କିଛି ବାଟ ଯାଇଛନ୍ତି ,ଏକ କିଆ ବୁଦା ପଡିଲା । ସେaଇଠି ରହି ଗଲେ, ଆଉ ଦେଖିଲେ କୁକୁରଟିଏ ପାଟିରେ କଣ ଗୋଟେ ଧରିଛି । ପାଖକୁ ଆସି ଦେଖିଲା ବେଳକୁ ସଦ୍ୟ ଜନ୍ମିତ କଅଁଳ ଶିଶୁଟିଏ । ଯେମିତି ଏବେ ଏବେ କିଏ ଜନ୍ମ କରି ଫିଙ୍ଗି ଦେଇଛି । କୁକୁରକୁ ଆଘାତ କରି ଛଡେଇ ଆଣିଲେ ଶିଶୁ ଟିକୁ ଦାସ ବାବୁ । ଦୂରରେ ଠିଆ ଥିଲା ପୋଲିସ ଜିପ କନେଷ୍ଟେବଳକୁ ଡାକି ଛୁଆକୁ ଧରିବାକୁ କହିଲେ । ଆଉ ଡ୍ରାଇଭରକୁ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ ଦେଲେ । ଛୁଆଟି କୁଆଁ କୁଆଁ ହୋଇ ଅନବରତ କାନ୍ଦି ଚାଲିଥାଏ । ରକ୍ତାକ୍ତ ଶରୀର ୧୫ ମିନିଟ ପରେ ଡାକ୍ତରଖାନା ପହଁଚିଲେ ହେଲେ ଡାକ୍ତର ନ ଥିଲେ ।

ଫୋନ କରି ଡାକ୍ତରଙ୍କୁ ଡକାଗଲା ଡାକ୍ତର ଆସିଲେ ଶିଶୁଟିକୁ ଦେଖିଲେ ଆଉ କହିଲେ କିଛି ଦିନ ଅନୁଧ୍ୟାନ କରିବାକୁ ହେବ । ଆଇ ସି ୟୁ ରେ ଶିଶୁଟିକୁ ରଖ ଗଲା କିଛି ଦିନ ପରେ ଶିଶୁଟି ସାଧାରଣ ଅବସ୍ଥାକୁ ଆସିଲା ।

ଏବେ ପ୍ରଶ୍ନ ଉଠୁଛି ଛୁଆଟି କାହାର । ଛୁଆର ମା’ ବାପା କିଏ । ଆଖ ପାଖ ପଚାରାଉଚୁରା କରାଗଲା । କିଛି ଜାଣି ହେଲାଣି । ଛୁଆ ଏବେ କାହା ଜିମାରେ ରହିବ ଏହି ଚିନ୍ତା ସମସ୍ତଙ୍କର । କଅଁଳା ଛୁଆଟା, ମାଆର ଆବଶ୍ୟକତା ରହିଛି । ପ୍ରାୟ ସବୁଦିନ ଦାସ ବାବୁ ଛୁଆକୁ ଦେଖିବାକୁ ଡାକ୍ତରଖାନା ଆସନ୍ତି ତାର ସ୍ୱାସ୍ଥ୍ୟ କଥା ବୁଝନ୍ତି । ଘରେ ପତ୍ନୀଙ୍କୁ ବି ଜଣେଇଲେ ଶିଶୁ ବିଷୟରେ । ଆଉ ପତ୍ନୀ ପ୍ରୀତିଙ୍କୁ କହିଲେ ‘’ଆମର ତ ଦୁଇଟି ପୁଅ ସେ ଝିଅଟିକୁ ଆମେ ଆଣି ରଖିଲେ କେମିତି ହୁଅନ୍ତା, ଦେଖିବାକୁ ଗୁଲଗାଲିଆ । ଆମକୁ ଝିଅଟିଏ ମିଳିଯିବ ତାକୁ ବାପା ଆଉ ମା’ । ବୋଧେ ଛୁଆଟି ଉପରେ ଦାସ ବାବୁଙ୍କର ମାୟା ଆସିଯାଇ ଥିଲା । ପତ୍ନୀ ଏ କଥା ଶୁଣି ଭାରି ବିରକ୍ତ ହୋଇ କହିଲେ ‘’କାହା ଛୁଆକୁ ମୁଁ କାଇଁ ଘରେ ପୁରେଇବି’’ । ଏ କଥା ଶୁଣି ଦାସ ବାବୁ ମନ ଦୁଃଖ କରିଲେ ଏବଂ ବୁଝି ପାରିଲେ ଯେ ପତ୍ନୀ ଛୁଆଟିକୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ।

ଶେଷରେ ଶିଶୁଟିକୁ କାନୁନ ଅନୁଯାୟୀ କନ୍ୟା ଆଶ୍ରମକୁ ପଠେଇ ଦିଆଗଲା । ଆଉ ଦାସ ବାବୁ ନିଜେ ସାଙ୍ଗରେ ନେଇ ଆଶ୍ରମରେ ଛାଡି ଆସିଲେ । ସେଠାକାର କାର୍ଯ୍ୟ କର୍ତ୍ତା ମାନେ ନୀତି ନିୟମ ଅନୁସାରେ, ତାକୁ ଗ୍ରହଣ କରିଲେ । ଦାସ ବାବୁଙ୍କର କିନ୍ତୁ ଆଦୌ ଇଛା ହେଉ ନଥାଏ ଛୁଆଟିକୁ ଆଶ୍ରମରେ ଛାଡିବାକୁ । ଝିଅଟିର ନାଁ ଦିଆଗଲା ସ୍ନେହା । ଆଉ ନାଁ ଦେଲେ ନିଜେ ଦାସ ବାବୁ । ସ୍ନେହାକୁ ଯେତେବେଳେ ଆଶ୍ରମରେ ଥିବା, ଉମା ମାଉସୀ ହାତରେ ଦେଲେ, ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା । ସ୍ନେହା ଦାସ ବାବୁ ଙ୍କର ହୃଦୟକୁ କିଣି ସାରିଥିଲା ।ମଝିରେ ମଝିରେ ସ୍ନେହାକୁ ଦେଖା କରିବାକୁ ଯାଆନ୍ତି ଦାସ ବାବୁ ତାର ଭଲ ମନ୍ଦ କଥା ବୁଝନ୍ତି ତାକୁ ଧରନ୍ତି ଏବଂ ଆସିଲା ବେଳକୁ ତା ପାଇଁ କିଛି ଟଙ୍କା ଦେଇ ଆସନ୍ତି ।

XXX.

ଆଜି ସ୍ନେହା ପ୍ରଥମଥର ସ୍କୁଲ ଯିବ ତେଣୁ ଅଫିସ ଯିବା ଆଗରୁ ସ୍ନେହାକୁ ଦେଖା କରିବାକୁ ଦାସ ବାବୁ ଘରୁ ଶୀଘ୍ର ବାହାରି ଗଲେ ଦେଖା କରି ଅଫିସ କୁ ଗଲେ । ଇନ୍ସ୍ପେକ୍ଟର ମହାନ୍ତି ବାବୁ - “କଣ ଦାସ ବାବୁ ଆଜି ଆଜି ବହୁତ ଖୁସି ଲାଗୁଛନ୍ତି ,କ’ଣ ଝିଅ ପାଖକୁ ଯାଇ ଥିଲେ କି ? ଅଫିସ୍ ରେ ସମସ୍ତେ ସ୍ନେହାକୁ ଦାସ ବାବୁଙ୍କର ଝିଅ ବୋଲି କୁହନ୍ତି କାରଣ ଦାସ ବାବୁ ନିଜ ଝିଅ ଭଳି ତାକୁ ସ୍ନେହ କରନ୍ତି ଆଉ ସ୍ନେହା ବି ବାବା ବୋଲି ଡାକେ ।

XXX.

ଶୁଭମ ଆଉ ସତ୍ୟମ ପାଠପଢା ସାରି ଚାକିରି କଲେଣି । ଶୁଭମ ବ୍ୟାଙ୍କ ମ୍ୟାନେଜର ଆଉ ସତ୍ୟମ ସେଲ ଟାକ୍ସ ଅଫିସର । ଦୁଇ ଜଣଙ୍କର ବାହାଘର ସରିଲାଣି । ଦୁହେଁ ବାହାରେ ରୁହନ୍ତି । ବଡ ପୁଅର ଝିଅଟିଏ ସାନ ପୁଅର ପୁଅଟିଏ । ଘରେ କେବଳ ଦାସବାବୁ ଆଉ ପତ୍ନୀ ପ୍ରୀତି । ଦାସ ବାବୁ ଚାକିରିରୁ ନିବୃତି ହେଲେଣି ଏବେ ଗାଁ ଘରେ । ବେଳେବେଳେ ପୁଅମାନେ ଘରକୁ ଆସନ୍ତି ଦିନେ ଦୁଇ ଦିନ ରହି ଫେରିଯାନ୍ତି । ରିଟାୟାର୍ଡ଼ ପରେ ସ୍ନେହା ସହ ଦାସ ବାବୁଙ୍କର ଦେଖା ହେଇନି ସ୍ନେହା ଏବେ ୧୮ ବର୍ଷର କଲେଜ ଯାଉଛି ଦେଖିବାକୁ ସୁନ୍ଦର, ଶରୀର ଲମ୍ବା ଓ ପତଳା । +୩ ପ୍ରଥମ ବର୍ଷ କଳାର ବାବା ଆଉ ଆଶ୍ରମ ଆସୁନାହାନ୍ତି ବୋଲି ସେ ବି ଖୋଜୁଛି ।

XXX

କିଛି ବର୍ଷ ହେଲା ପତ୍ନୀ ଅସୁସ୍ଥ କ୍ୟାନ୍ସର ରୋଗରେ ପୀଡିତ ପୁଅ ବୋହୁ ନାତି ନାତୁଣୀ କେହି ଆସୁ ନାହାନ୍ତି । ଗାଁକୁ ଡାକ୍ତର କହି ସାରିଛନ୍ତି ବେଶୀ ଦିନ ନୁହେଁ । ରିଟାୟାର୍ଡ଼ ଟଙ୍କା ସବୁ ପତ୍ନୀଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇ ସାରିଛି । ଏବେ ବାକି ଉଧାରରେ ଚଳୁଛନ୍ତି । ସେ ଦିନ ଥିଲା ୧୮ ତାରିଖ ରବିବାର ସକାଳୁ ସକାଳୁ ପତ୍ନୀ ଛାଡି ଚାଲିଗଲେ । ଦାସ ବାବୁ ଭୋ ଭୋ ହୋଇ କାନ୍ଦୁ ଥାନ୍ତି । ପାଖରେ କେହି ନାହାନ୍ତି କ’ଣ କରିବେ । ପାଖ ପଡୋଶୀ ଫୋନ କରି ପୁଅ ମାନଙ୍କୁ ଜଣାଇଲେ । ସମସ୍ତେ ଆସିଲେ ମା’ର ଅନ୍ତିମ କ୍ରିୟା କଲେ । ଶୁଦ୍ଧ କ୍ରିୟା ସମାପନ ହେବ। ଯାଏଁ ଗାଁ ରେ ରହିଲେ । ତା’ ପରେ ବାପାଙ୍କୁ ବଡ ପୁଅ ସାଙ୍ଗରେ ନେଇ ଚାଲି ଗଲ। ।

ଦିନେ ବଡ ବୋହୁ ଶଶୁରଙ୍କୁ କହିଲା ବାପା ଗାଁ ଘରେ ତ କେହି ରହୁ ନାହାନ୍ତି । ଆଉ ଏ ଦୁଇ ଭାଇ ତ ବାହାରେ ରହିଲେଣି । ସେ ଘର ଆଉ କ’ଣ ହେବ ? ବିକି ଦେଲେ କେମିତି ହୁଅନ୍ତା ? ଆପଣ ପୁଅ ମାନକ ପାଖରେ ରହିଯିବେ । ଏ କଥା ଶୁଣି ଦାସ ବାବୁଙ୍କ ମନରେ କଷ୍ଟ ହେଲା । ଶେଷ ସନ୍ତକ ଘର, କେତେ ସ୍ମୃତି ରହିଛି । କେମିତି ବିକି ଦେବେ ? କିନ୍ତୁ ପୁଅ ମାନଂକର ଚାପରେ ବିକିବାକୁ ରାଜି ହେଇ ଗଲେ । କିଛି ଦିନ ପରେ ଗାଁ ଘର ବିକି ଦୁଇ ପୁଅ ଟଙ୍କା ବାଣ୍ଟି ନେଲେ । ବାପାଙ୍କୁ କେହି ଦେଲେନି । ଦାସ ବାବୁ ଅତି କମ ଟଙ୍କା ପେନଶନ ଆକାରରେ ପାଉଛନ୍ତି । କାରଣ ପତ୍ନୀଙ୍କ ଚିକିତ୍ସା ପାଇଁ ସେ ପେନଶନ ୨୦ ବର୍ଷର ବିକି ଦେଇ ଥିଲେ । ପୁଅ ମାନେ ବେଶୀ କିଛି ସାହାଯ୍ୟ କଲେନି ।

ଦାସ ବାବୁ ୬ ମାସ ବଡ ପୁଅ ଘରେ ୬ ମାସ ସାନ ପୁଅ ଘରେ , ଏମିତ ରହିଲେ । ୨ ବର୍ଷ ଏମିତି ଚାଲିଲା ପରେ, କେହି ରଖିବାକୁ ଆଗ୍ରହ କଲେନି । ଶେଷରେ ବାପାଙ୍କୁ ବୁଲେଇବା ଆଡରେ ଏକ ଅଜଣା ଜାଗାରେ ଛାଡି ଦେଇ ଆସିଲେ । ଦାସ ବାବୁ କାହାକୁ ନ ପାଇ ପାଖ ମନ୍ଦିର ପିଣ୍ଡାରେ ବସି ଥିଲେ । ଏକ ସହୃଦୟ ବ୍ୟକ୍ତି ଆଣି ଏକ ଆଶ୍ରମରେ ଛାଡି ଦେଇ ଗଲେ । ଚାହିଁ ଥିଲେ ବି ସେ ପୁଅ ମାନଙ୍କର ଠିକଣା କହି ପରି ଥାନ୍ତେ କିନ୍ତୁ ଜାଣିଶୁଣି କହିଲେନି । ଯେଉଁ ପୁଅ ମାନେ ବାପାଙ୍କୁ ହୃଦୟରେ ସ୍ଥାନ ଦେଲେ ନାହିଁ ତାଙ୍କ ଘରକୁ ଯାଇ ଲାଭ କଣ ? ଭାବି ସେ ଵୃଦ୍ଧାଶ୍ରମକୁ ଚାଲି ଗଲେ । ଦାସ ବାବୁ ଅସହାୟ । ଆଗ ଭଳି ଶକ୍ତି ନାହିଁ କି ସାହସ ନାହିଁ । ଇଛା ନ ଥିଲେ ବି ରହିବାକୁ ବାଧ୍ୟହେଲେ । ଡ଼ିସେମ୍ବର ମାସ ୨୫ତାରିଖ ପ୍ରବଳ ଶୀତ । ସେ ଦିନ ଆଶ୍ରମର ପିଣ୍ଡାରେ ଦାସ ବାବୁ ବସି ପେପର ପଢୁ ଥାନ୍ତି । ଜଣେ ମହିଳା ଆଶ୍ରମର ଗେଟ ଖୋଲି ଭିତରକୁ ଆସିଲେ ,ସାଙ୍ଗରେ ଦିଟା ବଡ ପେଟି ଥାଏ । ପେଟି ଦିଟା ବାରଣ୍ଡାରେ ରଖି ପିଣ୍ଡାରେ ବସି ପଡିଲେ । ଦାସ ବାବୁ ପେପର ପଢୁଥିଲେ ପେପର ରଖି ମହିଳା ଆଡକୁ ଚାହିଁଲେ । ପଚାରିଲେ- ମା’ ଏ ପେଟିରେ କଣ ଅଛି କି ? ମହିଳା ଜଣକ ପଛକୁ ବୁଲି ଚାହିଁଲେ ଆଉ ଜୋର ରେ ଜାବୁଡି ଧରି କାନ୍ଦିବାକୁ ଲାଗିଲେ । “ଆରେ ବାବା, ମୁଁ ତୁମକୁ ବହୁତ ଖୋଜିଛି ,ହେଲେ ପାଇଲି ନାହିଁ । ସରକାରୀ ଘରକୁ ଯାଇଥିଲି ଶୁଣିଲି ରିଟାୟାର୍ଡ଼ ହୋଇ ସାରିଲା ପରେ ,ଗାଁ କୁ ଚାଲି ଗଲ କେହି ମୋତେ ସଠିକ ଠିକଣା ଦେଇ ପାରିଲେନି । ବାବା, ମୁଁ କାନ୍ଦି କାନ୍ଦି ଫେରି ଆସିଲି । ଆପଣତ ରିଟାୟାର୍ଡ଼ ଆଗରୁ ଆଶ୍ରମ ଯିବା ବନ୍ଦ କରିଦେଇ ଥିଲେ । “

ମୋର ମନେ ଅଛି ବାବା ଆପଣ +୨ ପରୀକ୍ଷା ପୂର୍ବରୁ ଶେଷ ଥର ପାଇଁ ଆସିଥିଲେ କିଛି ଟଙ୍କା ଆଉ ଗୋଟିଏ କଲମ ଦେଇ ଯାଇ ଥିଲେ । ଆଉ ଗଲା ବେଳେ ମୋତେ ଆଶୀର୍ବାଦ କରି ଯାଇଥିଲେ, ଭଲ ମଣିଷଟିଏ ହେବାକୁ ।

+୩ ପରେ ବି ଏଡ଼ କଲି । ଆଉ ଏବେ ଗୋଟିଏ ସରକାରୀ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ । ବାବା, ସବୁଠାରୁ ମୁଁ ବେଶୀ ଦୁଃଖ କଲି । ଯେତେବେଳେ ମୋର ବିବାହ ହେଲା ,ଆଶ୍ରମରେ ସମସ୍ତେ ଥିଲେ କିନ୍ତୁ ମୁଁ ଆପଣଙ୍କୁ ଅନ୍ତରରୁ ଖୋଜୁଥିଲି ଆଶୀର୍ବାଦ ପାଇଁ । ବାବା ଜାଣିଛନ୍ତି, ମୋ ସ୍ୱାମୀ ଜଣେ ଯନ୍ତ୍ରୀ । ତାଙ୍କୁ ଆପଣଙ୍କ ବିଷୟରେ ସବୁ କହିଛି । ସେ ଆପଣଙ୍କୁ ଦେଖିଲେ ବହୁତ ଖୁସି ହେବେ ।

ହେଲେ ବାବା, “ଆପଣ ଏଠି” ? ଆପଣ ତ କୁହନ୍ତି ଆପଣଙ୍କର ଦିଟା ପୁଅ ଅଛନ୍ତି । ମା’ ତୁ ଏଠିକି କାହିଁକି ଆସିଛୁ ? ବାବା ଆପଣ କଥା ଭୁଲାଉଛନ୍ତି । ଆପଣଙ୍କର ଘର ଅଛି । ଏଠି ତ କେହି ଦେଖାଯାଉ ନାହାନ୍ତି । ଆଉ ଆପଣ ଵୃଦ୍ଧାଶ୍ରମରେ କାହିଁକି ରହୁଛନ୍ତି ? ଆରେ ମା’ ତୁ କଉଠି ରହୁଛୁ ? ବାବା ଆପଣ କିଛି କଥା ମୋତେ ଲୁଚାଉଛନ୍ତି । ଦାସ ବାବୁ ଛୁଆଙ୍କ ପରି ଭୋ ଭୋ ହୋଇ କାନ୍ଦିଲେ ଏବେ ସ୍ନେହା ସମ୍ପୂର୍ଣ୍ଣ ଭାବେ ବୁଝିଗଲା ଘଟଣା କ’ଣ । ଆପଣ କାନ୍ଦନ୍ତୁନି ବାବା, ମୁଁ ଅଛି ଚିନ୍ତା କଣ ଆପଣଂକର ? ଆପଣଂକର ଝିଅ ଅଛି ବାବା, ଆପଣ ଆଜି ଠୁ ମୋ ପାଖରେ ରହିବେ ।ମୁଁ ଆପଣଂକର କିଛି ଅସୁବିଧା କରିବିନି ଆମେ ସାଙ୍ଗ ହୋଇ ଖାଇବା, ରହିବା, ଦୁଃଖ ସୁଖ ହେବା ଚାଲନ୍ତୁ । କିଛି ଅସୁବିଧା ହେବନି । ଏବେ ଆପଣ ଏଇଠି ଅପେକ୍ଷା କରନ୍ତୁ, ମୁଁ ଏ କମ୍ବଳ ଆଉ ଚାଦର ସବୁ ହରି କାକାଙ୍କୁ ଦେଇକି ଆସେ । ସ୍ନେହା ଅଫିସ୍ ରେ କମ୍ବଳ ପେଟି ରଖିକି ଆସିଲା ପରେ ତା ବାବାଙ୍କୁ ନେଇ ଘରକୁ ଗଲା । ସ୍ୱାମୀ ଅମିତ ମଧ୍ୟ ବହୁତ ଖୁସି ହେଲେ ଦେଖି । ଆଉ ତାଙ୍କ ସହ ସମସ୍ତେ ବହୁତ କଥା ହେଲେ ।

ଦାସ ବାବୁ ଆଜକୁ ୫ ବର୍ଷ ହୋଇ ଗଲା ସ୍ନେହା ପାଖରେ ଅଛନ୍ତି ଆଉ ସମସ୍ତଙ୍କୁ କହି ବୁଲନ୍ତି ମୋ ଝିଅ କୋଟିକରେ ଗୋଟିଏ । ତା ଭଳି କେହି ହେବେନି । ଘରେ ଗୋଟିଏ ଝିଅଟିଏ ନିହାତି ରହିବା କଥା ,କାରଣ ଯେଉଁ ଘରେ ଦୁହିତା ନାହିଁ ସେ ଘରେ ବାପା ମା’ ଙ୍କ ଦୁଃଖ ବୁଝିବ କିଏ ? ଆଉ ମନେ ମନେ ପତ୍ନୀକୁ କୁହନ୍ତି, “ପ୍ରୀତି ତୁମେ ଯାହାକୁ ଆପଣେଇଲ ନାହିଁ ,ସେ ଆଜି ତୁମ ସ୍ୱାମୀକୁ ଆପଣାର କରି ରଖିଛି ,ଆଉ ଯିଏ ଆପଣା ସେ ମୋତେ ଘରୁ ବିଦା କରି ଦେଲେ । ପ୍ରୀତି, ଆଜି ଠାରୁ ସ୍ନେହା ହିଁ ମୋର ଦୁହିତା ଆଉ ମୁଁ ତାର ପିତା ।

(ସସ୍ମିତା ସାହୁ , ନାଶିକ )


Rate this content
Log in

Similar oriya story from Inspirational