Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others

4.8  

T.Durga Prasad Rao

Others

ସରକାରୀ ଡାକ୍ତରଖାନା

ସରକାରୀ ଡାକ୍ତରଖାନା

4 mins
790


ସରକାରୀ ଡାକ୍ତରଖାନା


ଦିନ ବାରଟା। ନିଦାଘର ସୂର୍ଯ୍ୟ ତାର ପ୍ରଖରତାର ଶୀର୍ଷରେ। ଅଫିସ୍ ଭିତରେ କମ୍ପ୍ୟୁଟର୍ ପାଖରେ ବସି ମୁଁ ଗୋଟାପଣେ ଝାଳରେ ଓଦା ହୋଇ ସାରିଥାଏ। ଟେବୁଲ୍ ଉପରେ ଥାଏ ଡିହାଇଡ୍ରେସନ୍.ରୁ ବର୍ତ୍ତିବା ପାଇଁ ୱାଲାଇଟ୍ ଗୋଳା ପାଣି ବଟଲ୍.ଟିଏ। ତାପମାନ ଯାହା ବି ଥାଉ ଅଫିସ୍ କାମ କିନ୍ତୁ ଫାଙ୍କି ହେବ ନାହିଁ। ପ୍ରବଳ ଗରମ ସତ୍ତ୍ୱେ ସରକାରୀ କାର୍ଯ୍ୟାଳୟମାନଙ୍କରେ ନା ଥିବ ଏ.ସି. ନା କୁଲର୍। କେଉଁ ବ୍ରିଟିଶ୍ ଅମଳର ପଙ୍ଖାଟିଏ ଘୁରୁଥିବ, ଯେଉଁଥିରୁ ପବନ କମ୍, ଧ୍ୱନୀ ନିର୍ଗତ ହେଉଥିବ ଅଧିକ। ହଠାତ୍ ମୋବାଇଲ୍.ଟା ବାଜି ଉଠିଲା। ପତ୍ନୀ ଫୋନ୍ କରିଛନ୍ତି। କାମ ସମୟରେ ଫୋନ୍ ବାଜିଲେ ମୁଁ ଭାରି ବିରକ୍ତ ହୋଇପଡ଼େ।

- ହ୍ୟାଲୋ, କଣ ହେଲା? ମୋତେ ଡିଷ୍ଟର୍ବ କାହିଁକି କରୁଛ?

ସେପଟୁ କିନ୍ତୁ ପତ୍ନୀଙ୍କ ଆତୁର କଣ୍ଠସ୍ୱର ଶୁଣି ମୁଁ ସତରେ ଡରିଗଲି।

- ଶୁଣୁଛ, ତମେ ସଙ୍ଗେ ସଙ୍ଗେ ଅଫିସରୁ ବାହାରି ଘରକୁ ଆସ। ବାପାଙ୍କୁ ହସ୍.ପିଟାଲ୍ ନେବାକୁ ହେବ।

- କଣ ହେଇଛି ବାପାଙ୍କୁ?

ପତ୍ନୀ ମୋର ଧମକାଇବା ସ୍ୱରରେ କହିଲେ – ସବୁକଥା ଫୋନ୍.ରେ ଶୁଣିବ ନା ଆସିବ ବି?

ମୁଁ ତରତର ହୋଇ ଆଶଙ୍କିତ ଭାବରେ ଅଫିସ୍.ରୁ ବାହାରିଲି। ଘରେ ପହଞ୍ଚି ବୁଝି ପାରିଲି, ବାପା ତାଙ୍କର ବଜାରରୁ ଫେରିବା ସମୟରେ କେଉଁ ଦୋକାନରେ ଛତା ଭୁଲି ଟାଣ ଖରାରେ ଚାଲି ଚାଲି ଘରେ ଆସି ପହଞ୍ଚିଛନ୍ତି। ଆଉ ଏପ୍ରିଲ୍.ର ଟାଣ ଖରାରେ ବୟୋବୃଦ୍ଧ ବ୍ୟକ୍ତିଟିଏ ଚାଲି ଚାଲି ବିନା ଛତାରେ ବୁଲିଲେ ଯାହା ହୁଏ। ଘର ବାରଣ୍ଡାରେ ପାଦ ନ ଦେଉଣୁ ବେହୋସ୍। ଅବଶ୍ୟ ପାଣି ଛାଟି ତାଙ୍କୁ ହୋସ୍.ରେ ଆଣିବାରେ ଲାଗି ପଡ଼ିଥିଲେ ମୋର ପୁରା ପରିବାର।

ମୁଁ ଆଉ ବିଳମ୍ବ ନ କରି ବାପାଙ୍କୁ ବାଇକ୍ ପଛରେ ବସାଇ ନେଇଗଲି ସରକାରୀ ଡାକ୍ତରଖାନା। ଏମେର୍.ଜେନ୍ସି ୱାର୍ଡ୍.ରେ ଭର୍ତ୍ତି କରି କିଛି ସମୟ ପାଇଁ ଔଷଧ ସାଲାଇନ୍ ଆଦି ଚାଲିଲା ପରେ ତାଙ୍କୁ ଇନ୍.ଡୋର୍.କୁ ସିଫ୍ଟ୍ କରି ଦିଆଗଲା। ଡାକ୍ତର କହିଲେ – ଆଜି ଦିନଟା ଡାକ୍ତରଖାନାରେ ରଖନ୍ତୁ ବାପାଙ୍କୁ। ଘରକୁ ନେବା ପାଇଁ ଜମା ବ୍ୟସ୍ତ ହେବେ ନାହିଁ। ପୁରା ଭଲ ହେଲା ପରେ ନିଅନ୍ତୁ। ସରକାରୀ ଡାକ୍ତରଖାନା କଥା ତ ସମସ୍ତେ ଜାଣନ୍ତି। ଇନ୍.ଡୋର୍.ର ଗୋଟିଏ ରୁମ୍.ରେ ମଇଳା କୋତରା ବେଡ୍.ଟିଏ ବାପାଙ୍କୁ ଯେମିତି ସ୍ୱାଗତ ସମ୍ଭାଷଣ ନିମନ୍ତେ ଅପେକ୍ଷା କରିଥିଲା। ଭିତରକୁ ପଶିଗଲା କ୍ଷଣି ବିଚିକିଟିଆ ଔଷଧର ଦୁର୍ଗନ୍ଧରେ ୱାର୍ଡ୍.ଟି ଫାଟି ପଡୁଥିଲା। ବାପା ଦ୍ୱାର ପାଖରୁ ହିଁ ଦୁର୍ବଳ ସ୍ୱରରେ କହିଲେ – ଘରକୁ ଯିବା, ଅଧା ତ ଭଲ ହେଇ ଗଲିଣି, ଘରକୁ ଗଲେ ପୁରା ଭଲ ହେଇଯିବି। ମୁଁ କିନ୍ତୁ ଉପାୟଶୂନ୍ୟ। ଡାକ୍ତରଙ୍କ କଥାକୁ ଟାଳି ଦେଇ ଯିବା ଅର୍ଥ ବିପଦକୁ ବରଣ କରିବା। ସେଇ କୋତରା ବେଡ୍ ହେଉ ପଛେ, ଆଜି ଦିନକର କଥା, ଯେନତେନ ଚଳେଇନେବା। ମୁଁ ବାପାଙ୍କୁ ବୁଝାଇ ସୁଝାଇ ନେଇଗଲି ଭିତରକୁ। ବାପାଙ୍କ ବେଡ୍ ଉପରେ ପଙ୍ଖା ନ ଥିଲା। ଗୁଳୁଗୁଳି ଅସହ୍ୟ। ମୁଁ ଧରିଥିବା ଖବରକାଗଜକୁ ପଙ୍ଖା ପରି ବ୍ୟବହାର କରି ବିଞ୍ଚି ଦେଉଥାଏ ବାପାଙ୍କୁ। କିଛି ସମୟ ପରେ କ୍ଳାନ୍ତି ଯୋଗୁଁ ସେ ଶୋଇ ପଡ଼ିଲେ। ମୁଁ ବି ଟିକିଏ ଢୁଳେଇ ପଡ଼ିଲି ତାଙ୍କ ବେଡ୍ ପାଖରେ ଥିବା ଷ୍ଟୁଲ୍ ଉପରେ ବସି ବସି।

ବାପା ମୋର ପୂର୍ବତନ ସରପଞ୍ଚ। ବିଲ୍ୱ କିଶୋର ମହାପାତ୍ର କହିଲେ ସେ ଇଲାକାରେ ତାଙ୍କୁ ସମସ୍ତେ ଚିହ୍ନନ୍ତି। ଆଜିକାଲିକା ପିଲାଙ୍କୁ ଛାଡ଼ିଦେଲେ ବାକି ସବୁ ବୟସ୍କ ଲୋକ ତାଙ୍କୁ ସମ୍ମାନ ମଧ୍ୟ କରନ୍ତି। ସେ କିନ୍ତୁ ତାଙ୍କ ସରପଞ୍ଚ କାର୍ଯ୍ୟକାଳ ସମୟରେ କିମ୍ବା ତା ପରେ ଏଇ ସରକାରୀ ଡାକ୍ତରଖାନାର ରୂପରେଖ ବଦଳାଇ ପାରିଲେ ନାହିଁ। ରୋଗୀଙ୍କ ସଂଖ୍ୟା ଅଧିକ। ହେଲେ ତା ତୁଳନାରେ ବେଡ୍ ସଂଖ୍ୟା, ଡାକ୍ତର ସଂଖ୍ୟା, ଅନ୍ୟ ଷ୍ଟାଫ୍ ସଂଖ୍ୟା କମ୍। ଡାଇଗ୍ନୋଷ୍ଟିକ୍ ଓ ଅପରେସନ୍ ବାବଦରେ ଆବଶ୍ୟକ ସରଞ୍ଚାମର ଅଭାବବୋଧ ବେଶୀ। ଯେଉଁ ଜଣେ ଅଧେ ଡାକ୍ତରଙ୍କର ପୋଷ୍ଟିଂ ହୋଇଛି, ସମସ୍ତେ ସହରରୁ ଯିବା ଆସିବା କରୁଛନ୍ତି। କ୍ୟାମ୍ପସ୍ ଭିତରେ ଥିବା କ୍ୱାର୍ଟର୍.ରେ ରହୁଛନ୍ତି ଜଣେ ଫାର୍ମାସିଷ୍ଟ୍, ଦୁଇଜଣ ଷ୍ଟାଫ୍ ନର୍ସ, ଜଣେ ଏ.ଏନ୍.ଏମ୍ ଏବଂ ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ। ପ୍ରାୟ ଷ୍ଟାଫ୍ ନୂଆ।

ଅପରାହ୍ନରେ ମୁଁ ଗୋଟିଏ ନୂଆ କଥା ଦେଖିଲି। ସାଧାରଣତଃ ନର୍ସ ଅଥବା ଏ.ଏନ୍.ଏମ୍ ସେ ସମୟରେ କିଛି ସରକାରୀ ଔଷଧପତ୍ର ଆଣି ପ୍ରତି ରୋଗୀ ନିକଟରେ ପହଞ୍ଚି ତାର ଖାଇବା ବିଧି ବୁଝାଇ ଦିଅନ୍ତି। ଇଞ୍ଜେକ୍ସନ୍ ଥିଲେ ଇଞ୍ଜେକ୍ସନ୍ ଦେଇ ଦିଅନ୍ତି। ମୁଁ ଇତି ମଧ୍ୟରେ ପାଖାପାଖି ତିନି ଚାରି ବର୍ଷ ହେଲା ଡାକ୍ତରଖାନା ମାଡ଼ିନାହିଁ। ମୁଁ କାହୁଁ ଜାଣିବି, ଧାରା ସବୁ ପରିବର୍ତ୍ତିତ ହେଲାଣି ବୋଲି! ନର୍ସଟିଏ ପଶି ଆସିଲା ସାଙ୍ଗରେ ଆଟେଣ୍ଡାଣ୍ଟ୍.ଟିଏ ନେଇ। ୱାର୍ଡ୍ ମଝିରେ ଏକ ଟେବୁଲ୍.ରେ ରଖି ଦିଆଗଲା ସବୁ ଔଷଧ ଓ ଇଞ୍ଜେକ୍ସନ୍। ତାପରେ ସ୍ଳିପ୍ ଦେଖି ବଡ଼ ପାଟିରେ ଡକା ହେଲା ଜଣେ ଜଣେ ରୋଗୀଙ୍କୁ। ନିଜେ ରୋଗୀ କିମ୍ବା ତାଙ୍କର ଆତ୍ମୀୟ ଟେବୁଲ୍ ପାଖରେ ପହଞ୍ଚି ଗ୍ରହଣ କରୁଥିଲେ ଔଷଧ। ସେଇଠି ହିଁ ତାଙ୍କୁ ବୁଝାଇ ଦିଆ ଯାଉଥିଲା ସବୁକିଛି।

ମଙ୍ଗଳା...

ରତନୀ...

ମଦନା...

ଏମିତି ଗୋଟିଏ ପରେ ଗୋଟିଏ ନାଁ ଡକା ଯାଉଥିଲା ଏବଂ ବଢ଼ାଇ ଦିଆ ଯାଉଥିଲା ଔଷଧ ବନ୍ୟାରେ ରିଲିଫ୍ ବାଣ୍ଟିବା ପରି।

ମୁଁ ଚାହିଁ ରହିଥିଲି ହାଁ କରି। ଦୃଶ୍ୟଟି ମୋତେ ଭାରି ଆଚମ୍ବିତ ଲାଗୁଥିଲା। ହଠାତ୍ ନର୍ସଟି ଡାକିଲା – ବିଲୁଆ... । ମୁଁ ଦେଖିଲି କେହି ରୋଗୀ ପହଞ୍ଚିଲେ ନାହିଁ ଟେବୁଲ୍ ପାଖରେ। ଏଣେ ହସ ବି ଲାଗୁଥିଲା ଏମିତି ଗୋଟିଏ ନାଁ କାହାର ହୋଇ ଥାଇପାରେ। ନର୍ସଟି ପୁଣି ଥରେ ବିରକ୍ତରେ ଯେତେବେଳେ ବଡ଼ ପାଟିରେ ଡାକିଲା, ମୁଁ ଟିକିଏ ପାଖକୁ ଗଲି ସ୍ଳିପ୍.ଟି ଉପରେ ନଜର ପକାଇବା ଲାଗି। ସ୍ଳିପ୍ ଉପରେ ଲେଖାଥିବା ନାଁଟି ପଢିଲା ପରେ ରାଗ ମୋର ପଞ୍ଚମକୁ ଉଠିଗଲା। ସ୍ଳିପ୍ ଉପରେ ଇଂରାଜୀରେ ଲେଖା ହୋଇଛି Bilwa Kishore Mohapatra, ଯାହାକୁ ନର୍ସ୍ ଜଣକ କାଟଛାଣ୍ଟ କରି ଉଚ୍ଚାରଣ କରୁଥିଲା ବିଲୁଆ। ଜଣେ ମାନ୍ୟଗଣ୍ୟ ସମାଜ ସେବକଙ୍କ ନାଁ ଯେଉଁଠି ଅପଭ୍ରଂଶ ହୋଇପାରୁଛି ସେ କ୍ଷେତ୍ରରେ ଅନ୍ୟ ସାଧାରଣ ଜନତାଙ୍କ କଥା କଣ କୁହାଯିବ! ମୁଁ କୌଣସି ଔଷଧ ଗ୍ରହଣ ନ କରି କ୍ରୋଧ ସମ୍ବରଣ କରି ଚୁପ୍ ଚାପ୍ ଟେବୁଲ୍ ପାଖରୁ ଚାଲି ଆସିଲି। ବାପାଙ୍କ ବେଡ୍ ପାଖରେ ପହଞ୍ଚି ତାଙ୍କୁ ହଲାଇଦେଇ କହିଲି – ବାପା ଘରକୁ ଯିବା?

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in