Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Romance Tragedy

3  

Lopamudra Mishra

Romance Tragedy

ହେମଲତାଙ୍କ ଚପଲ

ହେମଲତାଙ୍କ ଚପଲ

13 mins
757


ଲୋପାମୁଦ୍ରା ମିଶ୍ର

ହେମଲତା ବାର୍ଦ୍ଧକ୍ୟରେ ଉପନୀତ । ଲୋଳିତ ଚର୍ମ, ସେଥୁଆ ମୁହଁ, ଦୁର୍ବଳ ଶରୀର ଓ ଧୋବ ଫର ଫର କେଶକୁ ତାଙ୍କର ଦେଖିଲେ ଯେ କେହିଵି ସହଜେ ତାଙ୍କ ବୟସକୁ ଅନୁମାନ କରିପାରିବ । ଉଣେଇଶ ବର୍ଷ ବୟସରୁ ସ୍ୱାମୀ ହରା, ସାଥୀ ହରା ହୋଇ ଏକାକୀ ଏକମାତ୍ର ପୁଅ ରମେଶକୁ ଆଠ ମାସ ରୁ ଅଠଚାଳିଶ ବର୍ଷ ବୟସ୍କ କରିପାରିଛନ୍ତି ।

ସ୍ୱାମୀ ଚାଲିଗଲା ପରେ ହେମ ଦମ୍ଭଧରି ବାଟ ଚାଲିଲେ । ରାସ୍ତାର ସବୁ ବନ୍ଧୁରତା କୁ ଖାଲିପାଦ ରେ ଏଡ଼ାଇ ଆଗକୁ ଯାଇଛନ୍ତି ବରଂ ସେହି କଳା ରଙ୍ଗ ଚମଡ଼ାର ହାତତିଆରି ଚଟି ଚପଲ ହଳକ କୌଣସି ଦିନ ପିନ୍ଧି ନାହାଁନ୍ତି । ପୁଅ ତାଙ୍କର ବଡ଼ ହେଇଛି, ଚାକିରୀ କରି ବାହା ହୋଇ ଘରକୁ ସୁନାନାକି ବୋହୂଟିଏ ଆଣିଛି, ନାତି ନାତୁଣୀ ରେ ଘର ପୁରି ଉଠିଛି ତଥାପି ସେହି ଚପଲ ହଳକ ଯେମିତି କୁ ସେମିତି ହେମଙ୍କ କାଠ ଆଲମିରା ତଳେ ସଯତ୍ନେ ସାଇତା ହୋଇ ରହିଛି । ହେମ ଯେ ସେବେଠୁ ସେହି ଆଗପରି ଅନ୍ୟ କୌଣସି ଚପଲ ନପିନ୍ଧି ଖାଲି ପାଦରେ ଘରୁ ଗୋଡ଼ କାଢନ୍ତି, ତାହା ଭାବିବା ଭୁଲ । ସେ ତ ଗୋଟେ ଯୁଗ ତଳର କଥା ଯେବେ ବିଧବା ମାନଙ୍କୁ ଚପଲ ମନା ହେଉଥିଲା । ଯୁଗ ଅନେକଟା ବଦଳିଛି । ଅନେକ । ଯୁଗ ସହ ତାଳ ଦେଇ ହେମଲତା ଆଗକୁ ଯାଇଛନ୍ତି । ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ବଦଳିନି କେଵଳ ସେହି କଳା ଚପଲ ହଳକ ପ୍ରତି ହେମଙ୍କ ଅଦ୍ଭୁତ ଶ୍ରଦ୍ଧା ।

ଅର୍ପିତା ଦେଖେ ଶାଶୂ ପ୍ରାୟ ସମୟରେ କାଠ ଆଲମିରା ତଳୁ ପୁରୁଣା ଜରି ବ୍ୟାଗ ଟେ ଟାଣିଆଣନ୍ତି । ପଟି ଖୋଳ ଟେ ବାହାର କରି ତହିଁରୁ ଚପଲ ହଳେ କାଢ଼ି ଆଣି ଯତ୍ନରେ ଆଉଁଶି ପକାନ୍ତି । ପୁଣି ପୁରୁଣା ପେପର୍ ଟି ଗୁଡେଇ ଚପଲ ଟିକୁ ଖୋଳରେ ଭର୍ତ୍ତି କରି ଜାରିଟାକୁ ଅତି ସନ୍ତର୍ପଣରେ ଆଲମାରୀ ତଳକୁ ଠେଲି ଦିଅନ୍ତି ।

ବିବାହର ଅନେକ ବର୍ଷ ପରେ ଦିନେ ଅର୍ପିତା ଶାଶୂଙ୍କ ଚପଲର ରହସ୍ୟ ଜାଣିବା ପାଇଁ ଖୁବ ଆଗ୍ରହ ଦେଖେଇ ସ୍ୱାମୀଙ୍କୁ ପଚାରିଲେ ଏବଂ ସନ୍ତୋଷ ଜନକ ଉତ୍ତର ନପାଇ ନିରାଶ ହୋଇ ପୁଣି ହେମଙ୍କୁ ପଚାରିଲେ,

--ବୋଉ ! ସେ ଚପଲ ହଳକ କାଢ଼ି ପିନ୍ଧୁନାହାଁନ୍ତି ? କେତେଦିନ ଏମିତି ସାଇତି ରଖିବେ ? ମୁଁ ତ ଏ ଘରକୁ ଆସିଲା ଦିନଠୁଁ ଦେଖୁଛି ଆପଣ ସେଇଟିକୁ ଖାଲି କାଢୁଛନ୍ତି ଆଉ ରଖୁଛନ୍ତି ।

--ନାଇଁଲୋ ମାଆ ଏ ଚପଲ ପିନ୍ଧିବା ପାଇଁ ହେଇନି । ହେଇ ଦେଖୁନୁ ୟା ତଳେ କେମିତି ଗୋଟେ ଅଠାରେ ଷ୍ଟିକର୍ ଲାଗିଛି । ପିନ୍ଧିଲେ ଷ୍ଟିକର୍ ଛାଡ଼ିଯିବନି ?

--ଷ୍ଟିକର୍ ତ ସବୁ ଚପଲ ରେ ଲାଗିଥାଏ । ଏଥିରେ ଆଉ ନୂଆ କଥା କଣ ?

--ହଁ ନୂଆ ! ଏ ଚପଲ ନୂଆ ହେଇ ରହିବ । ମୁଁ ୟାକୁ ପିନ୍ଧି ପୁରୁଣା କରିବିନି ।

--କାହିଁକି ବୋଉ ? ଆପଣଙ୍କୁ କଣ ବାପା ଏ ଚପଲ ଗିଫ୍ଟ କରିଥିଲେ କି?

--ବାପା ! ହା ହା...

ହେମଲତା ଖୁବ ଜୋରରେ ହସି ଉଠିଲେ । ହସୁ ହସୁ ପୁଣି କାନ୍ଦିଲେ । ଗଡି ଯାଉଥିବା ଲୁହକୁ ତରତର ରେ ପୋଛି ପକେଇ ପୂର୍ବ ଅବସ୍ଥା କୁ ଫେରି ଆସି କହିଲେ, "ତୋ ଶ୍ୱଶୁରଙ୍କ ସହ ମୋର ଆଉ ଦେଖା କେବେ ହେଲେ ଯେ ସେ ମୋତେ ଚପଲ ଉପହାର ଦେବେ ? ବରଂ ସେ କିଛି ଦିନ ପାଇଁ ମୋ ପାଦ ତଳୁ ଖାଲି ଚପଲ ନୁହେଁ ମାଟି କୁ ଵି ଖସେଇ ଦେଇଥିଲେ । ରମୁ ଜନ୍ମ ହେବା ଆଗରୁ ହିଁ ସେ କଲିକତା ଚାଲିଯାଇଥିଲେ । ପୁଅମୋର ଦୁନିଆଁ ଦେଖିଲା ବେଳକୁ ବାପା ତାର ଆଖିବୁଜି ସାରିଲାଣି । "

ଅର୍ପିତା ଶାଶୂଙ୍କ କଥା କିଛି ବୁଝି ପାରୁନଥିଲେ । ଭାବୁଥିଲେ , " ଏ ବୋଧେ ଅଳ୍ପ ବୟସରେ ଏକ୍ଲା ସଂସାରର ବୋଝ ମୁଣ୍ଡେଇବାର କୁପରିଣତି । ସେଥିପାଇଁ ହୁଏତ ଶାଶୂଙ୍କର କଥାବାର୍ତ୍ତା ଓ ବ୍ୟବହାର ରେ ତାଳମେଳ ରହେ ନାହିଁ । "

ମାମୁନି ଜେଜେମାଆର ରୁମ୍ କୁ ପଶିଗଲା ହାତରେ ଗୋଟେ ସ୍ମାର୍ଟ୍ ଫୋନ ଧରି ।

--ଜେଜେମାଆ ଆସ ତୁମ ସହ ଗୋଟେ ସେଲ୍ଫି ନେବି । ମାମୁନି ହେମଙ୍କୁ କୁଣ୍ଢେଇ ଧରି ଓଠରେ ପାଉଟ୍ କରି ଫୋଟୋ ଟେ ଉଠେଇନେଲା ।

"ହେଇ ଦେଖ ଜେଜେମାଆ ! ସେଲ୍ଫି ଟା କେମିତି ହେଇଛି ?"

ମୋବାଇଲରେ ଫୋଟୋ ଟାକୁ ଅନେକ ସମୟ ଯାଏଁ ଅନେଇ ରହିଲେ ହେମ । ସେ ବହୁ ବର୍ଷ ତଳେ ନିଜ ମୁହଁ କୁ ଆଇନା ରେ ଦେଖିଥିଲେ । ମୋବାଇଲ୍ ରେ ନିଜକୁ ଦେଖି ହଠାତ ଚିହ୍ନି ପାରିଲେନାହିଁ । କାନ୍ଥରେ ଝୁଲୁଥିବା ହେମଙ୍କର ଏକ ପୁରୁଣା କଳାଧଳା ଫୋଟୋ ହିଁ ତାଙ୍କ ମନରେ ଭ୍ରମ ସୃଷ୍ଟି କରିବାର କାରଣ । ସେ ଯେତେଥର ସେହି ପୁରୁଣା ଫୋଟୋଟିକୁ ନିରିଖେଇ ଦେଖିଛନ୍ତି ତାଙ୍କୁ ସେତେଥର ଲାଗିଛି ସେ ସେହିପରି ହିଁ ଅଛନ୍ତି । ନିଜକୁ ସେ କଦାପି ବୃଦ୍ଧା ଓ ଅସହାୟା ମନେ କରିନାହାଁନ୍ତି ।

"ଇଏ କଣ ମୁଁ ?

--ତୁମେ ନୁହେଁ ତ ଆଉ କିଏ ?

--ଆରେ ମୋତେ ଏତେଗୁଡାଏ ବୟସ ହେଇଗଲାଣି ନା ?

--କେତେ ବୟସ ହେଲାଣି ତୁମକୁ ?

--ମୁଁ ଜାଣିନି । ତୋ ବାପା ର ବୟସରେ ଅଠର ମିଶେଇଦେଲେ ଯେତିକି ହେବ ସେତିକି ।

--ଓହ ତୁମକୁ ତାହେଲେ ସିକ୍ସଟି ସିକ୍ସ ମାନେ ଜମା ଛଷଠୀ ବର୍ଷ । ମୁଁ ତ ଭାବିଥିଲି ସତୁରୀ କି ଅଶୀ ହେଇଥିବ ।

--କାହିଁକି ଭାବୁଥିଲୁ ମତେ ଅଶୀ ହେଇଥିବ ?

--ତୁମେ ସେମିତି ବୁଢୀ ଦେଖାଗଲଣି । ହେମାମାଳିନୀ କୁ ଚିହ୍ନିଛ? ସେ ତୁମଠାରୁ ବୁଢ଼ୀ ହେଇକି ଵି ୟଙ୍ଗ୍ ଦେଖାଯାଉଛି ।

ହେମଲତା ପୁଣି ଅନ୍ୟମନସ୍କ ହେଇଗଲେ । ମାମୁନି ତାଙ୍କୁ ହଲେଇ କଣ ଭାବୁଛ ପଚାରିଲାରୁ କହିଲେ, " ଭାବୁଥିଲି ତାଙ୍କ କଥା । ସେ ଵି ତ ବୁଢ଼ା ହେଇଯିବେଣି ? କେତେ ଆଉ ବୟସ ହେଇଥିବ ସେତେବେଳେ ତାଙ୍କୁ ! ହେଇ ହେଇ ପଚିଶ, ଛବିଶ କିମ୍ବା ସତେଇଶ । ନହେଲେ ଅତିବେଶି ରେ ଅଠେଇଶ । ହଁ ହଁ ସେତିକି । ତା ଠୁ ଆଉ ଅଧିକ ନୁହେଁ । ବଦଳି ହେଇ ଚାଲିଗଲେ । ଆଉ ଆସିଲେ ନାହିଁ । କାହିଁକି ଆଉ ଥରଟେ ଵି ଆସିଲେନି ? ଏ ଭିତରେ ଏତେଦିନ ହେଇଗଲାଣି ନା ? ମୁଁ କୋଉଠି ଥିଲି ଏତେଦିନ ଯାଏଁ ? ମୋର ତ କିଛି ମନେପଡ଼ୁନାହିଁ ।"

--ଜେଜେମାଆ ! ଜେଜେମାଆ ! ତୁମେ କାହା କଥା କହୁଛ ଜେଜେମାଆ?

--ଆଏଁ ! ମୁଁ କଣ କିଛି କହୁଥିଲି କି ? ମୁଁ ତ ଏଠି ନଥିଲି !

--ତୁମେ ପାଗିଳୀ ହେଇଗଲଣି ଜେଜେମାଆ ।

ହେମଲତା ମାମୁନି କଥାର ଆଉ କିଛି ଉତ୍ତର ନଦେଇ ଆଲମାରୀ ତଳେ ବସି ପଡ଼ିଲେ ଓ ସେହି ଚପଲ ଜରିଟାକୁ ଟାଣି ଆଣିଲେ । ଚପଲଟା ହାତରେ ଧରି ଅତୀତ କୁ ଫେରୁଥିଲେ ବୋଧେ ମାମୁନି ଅଟକେଇ ଦେଲା ।

--ଜେଜେମାଆ ଏ ଚପଲଟା ତୁମର ?

--ହଁ । ମୋର । ବହୁତ ନିଜର ।

--ତୁମେ କାହିଁକି ଇୟୁଜ୍ କରନି ଏହିଟା ? କଣ ବ୍ଲାକ କଲର୍ ବୋଲି ପସନ୍ଦ ଆସେନି?

--ନାଇଁ ଲୋ ବୁଢ଼ୀ ମୁଁ ତାକୁ ଚପଲ ବୋଲି କେବେ ଭାବି ନାହିଁ ।

--ଆଉ କଣ ଭାବିଛ ? ତୁମେ କାହା ବୟସ କଥା କହୁଥିଲ ସେତେବେଳେ? ଏଇ ଚପଲ ର?

--ଆଁ ! ଚପଲ ର ବୟସ !! ସତେତ ଇଏ ଵି ତ ବୟସ୍କ ହେଇଯିବଣି ? କହିଲୁ ଦେଖି ମାମୁନି ୟାର ବୟସ କେତେ ?

ମାମୁନି ଟିକେ ଆଶ୍ଚର୍ଯ୍ୟ ହେଲା ପୁଣି ଚପଲର ଖୋଳ ଟାକୁ ଓଲଟ ପାଲଟ କରି ଭଲକି ଦେଖିଲା । ଖୋଳ ଭିତରେ ପଡିଥିବା ପୁରୁଣା ମାଟିଆ ପେପର୍ ଟାକୁ ଖୋଲିକି ପଢ଼ିଲା । ଉପର ଲେଖାଟା ସ୍ପଷ୍ଟ ପଢ଼ିହେଉଛି । "ସମାଜ", ପ୍ରତିଷ୍ଠାତା -ଉତ୍କଳମଣି ଗୋପବନ୍ଧୁ ଦାସ, ତା ୭.୫.୧୯୭୧ ।

-- ଜେଜେମାଆ ଚପଲ ଟାକୁ ନିଶ୍ଚୟ ସତଚାଳିଶ ବର୍ଷ ହେବଣି ।

--ଏତେ ଗୁଡ଼ାଏ ବର୍ଷ ! ଏଇତ କାଲି ଆଣିଥିଲି ନାଁ କଣ !!

--ଜେଜେମାଆ ! ତୁମର ଆଉ କିଛି ମନେ ରହୁନି । ତୁମେ ଏଟା ମୋତେ ଦେଇଦିଅ । ମୁଁ ପିନ୍ଧିବି । ଏବେ ଏହି ଫ୍ଲାଟ ଫ୍ୟାସନ୍ ପୁଣି ଚାଲିଲାଣି ।

--ତୁ ପିନ୍ଧିବୁ? ହଉ ଦେଖେ । ମାମୁନି ଆଗ୍ରହ ରେ ଚପଲ ହଳକ ନିଜ ପାଦରେ ଗଳେଇଲା । ନାଁ ହେଉନାହିଁ । ପାଦ ଭିତରକୁ ଯାଉନି ।

--ହଉନି ଟି ତତେ । ମୁଁ ପା ଜାଣିଥିଲି । କିନ୍ତୁ ସେ କେମିତି ମୋ ପାଦର ମାପ ଜାଣିଲେ, ଠିକ କଛିଲା ଭଳିଆ ନେଇଆସିଲେ ?

--ଜେଜେମାଆ କିଏ ସେ ? ତୁମ ବୟଫ୍ରେଣ୍ଡ୍ ? ହେମଲତା ପୁଣି ଅନ୍ୟମନସ୍କ । ମାମୁନି ତାଙ୍କୁ ତାଙ୍କ ଏକ୍ଲାପଣ ରେ ଏକା ରହିବାକୁ ଛାଡ଼ିଦେଇ ସେଠୁ ଉଠି ଚାଲିଗଲା ।

ହେମଲତା ଅନେକ ସମୟ ଯାଏଁ ଉପରକୁ ଅନେଇ କଣ ସବୁ ମନେ ମନେ କହିଯାଉଥାନ୍ତି । ତକିଆ ତଳୁ ପୁରୁଣା ବହିଟେ ବାହାରକରି ଆଣିଲେ । ଚିହ୍ନ ଦେଇ ରଖିଥିବା ପୃଷ୍ଠାଟେ ଓଲଟାଇଲେ । କିଛିଦିନ ହେବ ବାରମ୍ବାର ପଢ଼ୁଥିବା ସେହି ଧାଡ଼ି ଗୁଡ଼ିକ ପୁଣି ଥରେ ଚଷମା ଲଗେଇ ପଢ଼ି ଚାଲିଲେ ।

"ଜୀବନ ସରିଯାଏ, ମଣିଷ ନିଜ ପାଇଁ ଜୀଇ ପାରେନାହିଁ । କ୍ଷୁଦ୍ର ତୁମ ଜୀବନଟି ଶେଷ ହୋଇଯିବା ପୂର୍ବରୁ ବଞ୍ଚିଦେଖ ଥରେ । ପ୍ରେମ ପାଇଁ ବୟସ ଲୋଡ଼ା ନାହିଁ । ବାସ୍ ସଫା ହୃଦୟଟେ ବାଛିନିଅ ।... ", ଏମିତି କିଛି ଲେଖା ଥିଲା ସେଥିରେ ।

ହେମ ସେଦିନ ଅନେକ ରାତି ଯାଏଁ କୋଠରୀ ଭିତରେ କଣ ସବୁ ଖୁଡଖାଡ୍ କରୁଥିଲେ । ଆଲମିରା ଖୋଲି ଅନେକ ଦିନ ତଳର ଫୋଟୋ ଆଲବମ ଟେ କାଢ଼ିଲେ । କୋଣାର୍କ ଚକ୍ର ପାଖରେ ଶାଶୂ ଆଉ ସ୍ୱାମୀ ଙ୍କ ସହ ନୂଆବୋହୂ ହେମଲତା ଠିଆ ହେଇଛନ୍ତି । ସେଦିନର ସୁନ୍ଦର କୋଣାର୍କ ଆଜି ଆଉ ନାହିଁ । ଭଗ୍ନ ସ୍ତୁପ କୁ ପରିବର୍ତ୍ତିତ ହେଇଯାଇଛି । ତଥାପି ତ ତା ପ୍ରତି ଲୋକଙ୍କ ଭଲ ପାଇବା କମି ନାହିଁ । ହେମ ନିଜକୁ ଆଶ୍ୱାସନା ଦେଉଥିଲେ ନିଶ୍ଚୟ । "କୋଣାର୍କର ଜୀବନ କଣ ଶେଷ ହେଇଯିବ ଦିନେ ? ନାଁ ତାର ପୁଣି ଜୀବନ କୋଉଠୁ ଆସିଲା ?", ମନେ ମନେ ନିଜକୁ ନିଜେ ପ୍ରଶ୍ନ କରୁଥିଲେ ଓ ଉତ୍ତର ଖୋଜୁଥିଲେ ।

ସକାଳୁ ଖବର କାଗଜ ଵାଲା ତା ଚିରାଚରିତ ଢଙ୍ଗରେ କବାଟ ତଳକୁ ପେପର୍ ଟି ଠେଲି ଦେଇ ଗଲା । ହେମ ସର୍ବପ୍ରଥମେ ଖବର କାଗଜ ଉଠେଇଲେ । ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଚାଲିଲେ । ଗୋଟେ ଛୋଟ ଖବର ପାଖରେ ଅଟକିଗଲେ । ଉପରେ ବଡ଼ ବଡ଼ ଅକ୍ଷର ରେ ଲେଖା ଅଛି 'ଲେଖକ ସୁରଜିତ ରାଉତ ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ' । ଏକ ନିଶ୍ୱାସ ରେ ପୁରା ଖବର ଟି ହେମ ପଢିନେଲେ । ଖବର ସହ ଛପା ହେଇଥିବା ଫୋଟୋ ଟିକୁ ମୁଗ୍ଧ ହୋଇ ଦେଖିଲେ ଓ ଭାବିଲେ, "ଆଖିରେ ସେହି ଚମକ ଆଜି ଵି ଚିକମିକ କରୁଛି । କି ଅଦ୍ଭୁତ ସ୍ଥିରତା ଗଭୀର ତାଙ୍କ ଚାହାଣୀ ରେ ! କାହିଁ ବୟସ ଟା ତ ସେହି ସତେଇଶ -ଅଠେଇଶ ରୁ ଆଉ ଆଗକୁ ବଢିନି !" ହେମଙ୍କର ଅନନ୍ତ ଭାବନା ରେ ବିରାମ ଚିହ୍ନ ଲାଗିଗଲା । ରମେଶ ପଛପଟେ ଆସି ଠିଆ ହେଲେ ।

--ବୋଉ ! ଦେଲୁ ପେପର୍ ଟା । କଣ ପଢ଼ୁଛୁ ? ଓହ ଇଏ ସେହି ସୁରଜିତ ରାଉତ ନାଁ ଯିଏ ଲେଖିଥିଲେ 'ଶୂନ୍ୟ ସୋପାନ'?ତୁ ପଢୁନଥିଲୁ ବହି ଟା କିଣି ?

--ହଁ ସେଇ । ମୁଁ କିଣି ନଥିଲି । ସେଟା କେହି ଜଣେ ଦେଇଥିଲେ ମତେ ।

ଇଏ ପରା ଆମ ଗାଁ ହାଇସ୍କୁଲ ରେ ଇଂରାଜୀ ଶିକ୍ଷକ ଥିଲେ । ତୋର ହେତୁ ନାହିଁ । ଖୁବ ଛୋଟ ହେଇଥିଲୁ ତୁ । ଆମରି ଘରେ ଭଡ଼ା ନେଇ ରହୁଥିଲେ । ବଦଳି ହୋଇ ଚାଲିଗଲେ । କଥା କହୁ କହୁ ହେମଙ୍କର କଣ ଗୋଟେ ମନେ ପଡିଯିବା ପରି ରମେଶର ମୁଣ୍ଡରେ ହାତ ବୁଲେଇ ଉଠିଗଲେ ସେଠୁ ।

"କୁଆଡ଼େ ଗଲା ସେହି 'ଶୂନ୍ୟ ସୋପାନ' ବହି ଟା ? କିଏ ସେହିଟା ମୋତେ ପଠେଇଥିଲା ? ଡାକରେ ତ ଆସିଥିଲା । ହଁ ଡାକରେ । କିଏ ପଠେଇଲା ? କିଛି ମନେ ପଡୁନାହିଁ । "

ସେହି ଯେ ପେପର ଟାରେ ଖବରଟେ ପଢିକି ହେମ ଖଟ ଉପରେ ଆସି ବସିଥିଲେ । ଅନେକ ସମୟ ଯାଏଁ ସେମିତି ବସିରହିଲେ ଯେଯାଏଁ ଅର୍ପିତା ଆସି ଖାଇବାକୁ ନଡାକିଛି । ଖାଇବାରେ ଆଦୌ ଆଗ୍ରହ ନଥାଇ ବି ମନାକରିପାରିଲେନି । ଆଗ ପରି ସେ ଆଜିକାଲି କାହାକୁ ରୋକଠୋକ ମନା କରିପାରୁନାହାଁନ୍ତି ।

'ଶୂନ୍ୟ ସୋପାନ' ବହିଟା କୋଉଠି ରଖିଦେଇଥିଲେ ହେମଲତାଙ୍କର ମନେପଡୁନଥିଲା କିନ୍ତୁ ବହିର ପ୍ରତିଟି ଶବ୍ଦ, ବାକ୍ୟ, ଚରିତ୍ର ତାଙ୍କ ସ୍ମୃତିରେ ସେମିତି ସତେଜ ଥିଲା ସେହି କ୍ଷଣି ସଦ୍ୟ ପଢ଼ି ଶେଷ କଲାପରି । ଲେଖକ ମହାଶୟଙ୍କ ବର୍ଣ୍ଣନା ମଧ୍ୟ ଥିଲା ଚମତ୍କାର । ନାୟିକାର ନୟନରୁ କାହାଣୀଟି ଆରମ୍ଭ ହୋଇ ପାଦରେ ଶେଷ ହୋଇଥିଲା । ନାୟିକା ନିଜ ଜୀବନର ପ୍ରତ୍ୟେକଟି ସୋପାନକୁ ଖାଲିପାଦରେ ସମ୍ପୂର୍ଣ୍ଣ ଏକାକୀ ଅତିକ୍ରମ କରିବାକୁ ସଂକଳ୍ପ ବଦ୍ଧ ହେଇଥିଲା ବେଳେ ନାୟକର ଆବିର୍ଭାବ । ସେ ସାଙ୍ଗ ଦେବାପାଇଁ ହାତ ବଢାଉଥିଲା ଆଉ ନାୟିକା ଲଜ୍ଜ୍ୟା, ଅପମାନ, ଦୁର୍ନାମର ଭୟରେ ସୋପାନରେ ଆଉ ଆଗକୁ ନଚଢି ତଳକୁ ଖସି ଆସୁଥିଲା । ପ୍ରକୃତ ପ୍ରେମ ସଦା ଗଠନ ମୂଳକ,ପ୍ରକୃତ ପ୍ରେମୀ ଟି ବି ଶୁଭ ଚିନ୍ତକ । ସଚ୍ଚା ପ୍ରେମୀ ଭଲ ପାଉଥିବା ମଣିଷଟିକୁ କେବେ ନିମ୍ନଗାମୀ ହେବାକୁ ଦିଏନାହିଁ । ସମାଜ, ସମୟ ତାକୁ ନିଜ ପ୍ରେମ ସାଙ୍ଗରେ ଶିଖର ଯାଏଁ ପହଞ୍ଚିବାରୁ ନିବୃତ କରିପାରେ, ବାଧା ସୃଷ୍ଟି କରିପାରେ, ସେ ନିଜ ପ୍ରେମର ସହଯାତ୍ରୀ ହେବାରୁ ବଞ୍ଚିତ ହୋଇପାରେ ତଥାପି ସେ ନିଜ ସାଥୀର ଉପଯୁକ୍ତ ପଥପ୍ରଦର୍ଶକ ହେବାକୁ କଦାପି ଭୁଲେନାହିଁ । ସାଥୀଟିକୁ କଣ୍ଟକିତ ବନ୍ଧୁର ରାସ୍ତାରୁ କୁସୁମିତ ପଥ ଆଡକୁ ବାଟ କଢେଇନେବାକୁ ଭୁଲେନାହିଁ । ନାୟିକାଟି ସହଜରେ ଉପରକୁ ଉଠିଯିବା ପାଇଁ ତା ହାତରେ ମଜବୁତ ବାଡ଼ି ଟିଏ ଧରେଇ ଦେଇ ନାୟକ ପଛକୁ ଫେରିଯାଏ । ସେ ପୁଣି ଏକଦମ ଏକାକୀ ।

ଉପନ୍ୟାସ ର ଏହି କାହାଣୀ ଭିତରେ ହେମଲତା ନିଜ ଜୀବନ କାହାଣୀକୁ ଆବିଷ୍କାର କରିଥିଲେ । 'ଶୂନ୍ୟ ସୋପାନ' ସେଥିପାଇଁ ତାଙ୍କର ଅପାସୋରା । ଶୂନ୍ୟସୋପାନ ରେ ନାୟିକାର ହାତରେ ଥିଲା ପ୍ରେମିକର ଶକ୍ତି, ମଜବୁତ ଏକ ବାଡ଼ି, ଯାହାର ସାହାଯ୍ୟ ନେଇ ନାୟିକା ଗୋଟିଏ ପରେ ଗୋଟିଏ ଶିଡ଼ି ଏକାକୀ ପାର କରି ସଫଳତାରେ ଶୀର୍ଷ ରେ ପହଞ୍ଚିଗଲା । ହେମଲତାଙ୍କର ଆଗରେ ବି ଥିଲା ଆଖି ପାଉନଥିବା ଦିଗନ୍ତ ବିସ୍ତୃତ ନିଛାଟିଆ ରାସ୍ତା ଓ ଗୋଡ଼ ପାଖରେ ହଳେ ଚପଲ । ଚପଲ ତ ନୁହେଁ ଅଦିନରେ ପତ୍ରଝଡ଼ା ଦେଇଥିବା ଛୋଟିଆ ଗଛଟିରେ ଦୁଇଟି କଅଁଳିଆ ପତ୍ର । ନିଛକ ପ୍ରୀତିର ନିଅଣ୍ଟିଆ ଉପହାର । ହେମଲତା ସେ ଉପହାରର କେତେ ସଦୁପୋଯୋଗ କଲେ ତାଙ୍କ ତମାମ ଜୀବନର ଉତ୍ଥାନ ପତନ ରୁ ବେଶ୍ ଅନୁମାନ କରିହୁଏ ।

ଅନେକ ଖୋଜିଲା ପରେ ମଧ୍ୟ ହେମ ଙ୍କୁ ବହିଟି ମିଳିଲାନି । ମାମୁନିର ବହି ପଢିବାରେ ଅନେକ ଆଗ୍ରହ । ସେ ହୁଏତ ନେଇଯାଇଥାଇପାରେ । ଏବେ ଏହିକିଛି ଦିନ ହେବ ସେ ବି ମୋବଇଲ ଧରି, ଲାପଟପ ଖୋଲି କଣ ସବୁ ଲେଖା ଲେଖି କରୁଛି ।

ମାମୁନି ଆଜି ଜେଜେମାଆଙ୍କ ରୁମ୍ କୁ ପୁଣିଥରେ ଆସିଛି ତା ସ୍ମାର୍ଟ ଫୋନ ଟା ଧରି । ଫେସବୁକ ଖୋଲି ଫୋଟୋ ଟେ କାଢ଼ି ଦେଖେଇଲା ।

--ଜେଜେମାଆ ତୁମେ ୟେ ସାର୍ ଙ୍କୁ ଜାଣିଛ ??

--ଦେଖେଇଲୁ ଦେଖେଇଲୁ ! ଆଲୋ ତୁ ୟାଙ୍କୁ ଚିହ୍ନିଲୁ କେମିତି ?

--ଇଏ ଜଣେ ବହୁତ ବଡ଼ ଲେଖକ । ତୁମ ସହ ଯେଉଁ ଫୋଟୋ ଟା ଉଠେଇଥିଲି, ତା ସହ ଗୋଟେ କବିତା ଲେଖି ମୁଁ ଫେସବୁକ ରେ ପୋଷ୍ଟ କରି ଦେଇଥିଲି । ଏ ସାର୍ ସେହି ଫୋଟୋ ଟା ଦେଖି ମତେ ମେସେଜ କରିଛନ୍ତି ।

--କଣ ମେସେଜ କରିଛନ୍ତି ?

--ପଚାରିଛନ୍ତି, "ହେମା ଦେବୀ ଏବେ କେମିତି ଅଛନ୍ତି? "

ଜେଜେମାଆ ସେ ତୁମକୁ 'ହେମା' କାହିଁକି କହିଲେ ? ତୁମେ ତାଙ୍କୁ ଜାଣ ?

ହେମଲତା ମାମୁନି ପ୍ରଶ୍ନର ଉତ୍ତର ଦେଉନଥିଲେ । ମୋବାଇଲ ର ଗୋଟେ ଫୋଟୋ ପାଖରେ ଅଟକି ଯାଇଥିଲେ । ଚଷମା ସଫା କରି ଆହୁରି ଭଲକରି ଫୋଟୋ ଟା ଦେଖୁଥିଲେ । ଦେଖୁ ଦେଖୁ ନାତୁଣୀ ଆଡ଼କୁ ଚାହିଁ କହିଲେ, "ମାମୁନି ! ତୁ ୟାଙ୍କୁ କେବେଠୁ ଜାଣୁ ? "

--ଏଇ ଦୁଇ ଚାରିମାସ ହେଲା । ମୁଁ ବି ଏବେ ଲେଖୁଛି ତ ବହୁତ ସାହିତ୍ୟିକ ଙ୍କ ସହ ସୋସିଆଲ ମିଡିଆରେ ଚିହ୍ନା ପରିଚୟ ହେଇଗଲାଣି ।

--ୟାଙ୍କ ପରିବାର ର ଫୋଟୋ କାଢୁନୁ ଟିକେ ଦେଖନ୍ତି । ଇଏ ଆମ ଗାଁ ଘରେ ଭଡ଼ା ରେ ରହୁଥିଲେ ଅନେକ ବର୍ଷ ତଳେ ।

ମାମୁନି ଖୁବ ଆଗ୍ରହରେ ଜେଜେମାଆଙ୍କୁ ଆହୁରି ବହୁତ କିଛି ପଚାରୁଥିଲା ହେମ କିନ୍ତୁ ଉତ୍ତର ନଦେଇ ଅନ୍ୟମନସ୍କ ହୋଇ ଫୋଟୋ ଟା ହିଁ ଦେଖୁଥିଲେ । ମାମୁନିର ମୋବାଇଲ କୁ ମେସେଜ ଆସିଲା । ସେ ମୋବାଇଲ ନେଇ ଚାଲିଗଲା ।

ନାତୁଣୀ କୁ ହେମ କହିପାରିଲେନି କାହିଁକି ଏ ଲେଖକ ସେଦିନ ଗାଁ ଛାଡ଼ି, ଭଡ଼ା ଘର ଛାଡ଼ି ଓ ଅତି ପ୍ରିୟ ସ୍କୁଲ ଏବଂ ପ୍ରାଣର ଛାତ୍ର ଛାତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲେ । ଭୁଲ ସେଦିନ କାହାର ଥିଲା ? ଡହ ଡହ ଖରାବେଳେ ଖାଲିପାଦ ରେ ନାଲିଗୋଡି ରାସ୍ତାକୁ ଅତିକ୍ରମ କରି ଯାଉଥିବା ଅଳ୍ପବୟସ୍କା ନୀରିହା ନାରୀଟିର ପାଦ ପାଖେ ଚପଲ ହଳେ ରଖିଦେବା କଣ ଏତେବଡ଼ ପାପ ? ଜୀବନ ଆରମ୍ଭ ନହେଉଣୁ ନିଜର ସର୍ବସ୍ୱ ହରେଇ ଦେହ, ମନ ଓ ହୃଦୟର ସବୁ ରଙ୍ଗକୁ ଏକାଠି ଠୁଳ କରି ପାଣିରେ ବୁହାଇ ବେରଙ୍ଗ, ସଫେଦ କରିଦେଇଥିବା ଅସହାୟ ନାରୀଟିକୁ ବୁନ୍ଦାଏ ରଙ୍ଗ ଯାଚି ଦେବା କଣ ପାପ ?

ସେଦିନ ନାରୀଟିର କୋଳରେ ବର୍ଷକର ଛୁଆ ଓ ମୁଣ୍ଡରେ ସଂସାରଯାକ ର ବୋଝ । ଅଣ୍ଟା ସଳଖି ପାରୁନଥିବା ସେହି ନାରୀଟି ସଦ୍ୟ ବୈଧବ ଓ ମାତୃତ୍ୱ ଦୁଇଟି ଜାକର ଦୁଇ ପ୍ରକାର ବିପରୀତ ପ୍ରଭାବରେ ପ୍ରଚଣ୍ଡ ରୂପେ ପ୍ରଭାବିତ । ଜନ୍ମରୁ ପିତୃହରା ଛୁଆଟାକୁ ତୁନିକରିବାକୁ ସଫେଦ ଶାଢ଼ୀ ତଳୁ ମାଆ ର ମମତା ଜାଗ୍ରତ ହୋଇ ଉଠିଲା ବେଳେ ତା ଆଡ଼କୁ ଉଙ୍କି ମାରେ ସହସ୍ର ଲୋଲୁପ ଦୃଷ୍ଟି । ନାରୀ ନିରୁପାୟ ।

ସାହାରା ହେବାକୁ ଆଗେଇ ଆସିଥିବା ଦୁଇଟି ହାତ କୁ ଲୋକେ ଅଶ୍ଳୀଳତା, ଅଭାଦ୍ରାମୀ ର ଆଖ୍ୟା ଦେଇ ତଡି ଦେଲେ । ଆଗକୁ ଯିବାପାଇଁ ଖାଲି ରହିଗଲା ହଳେ ଚପଲ । ହେମ ତାକୁ ପାଦରେ ନପିନ୍ଧି ଛାତିରେ ଜାକି ଧରିଲେ । ଆଜିଯାଏଁ ଧରିରଖିଛନ୍ତି । ମୃତ୍ୟୁ ଯାଏଁ ରଖିଥିବେ ।

ମାମୁନି ଏବେ ଯେବେ ବି ଜେଜେମାଆଙ୍କ ରୁମ୍ କୁ ଆସୁଛି, ହେମ ତାକୁ ଲେଖକଙ୍କ ଫୋଟୋ ଦେଖେଇବାକୁ କହୁଛନ୍ତି ।

--ଜେଜେମାଆ, ସେ ବେଶି କିଛି ଫୋଟୋ ଅପ୍ଲୋଡ କରିନାହାଁନ୍ତି । ଖାଲି ଗୋଟେ ଆଶ୍ରମ ର ଫୋଟୋ ଦେଇଛନ୍ତି । ତାଙ୍କର ପରିବାର ନାହିଁ ବୋଧେ । ଆଶ୍ରମ ଟେ କରିଛନ୍ତି । ସେଇଠି ରହନ୍ତି ।

ହେମଲତା ଆଶ୍ଚର୍ଯ୍ୟ ହେଲେ । "ସେ ବାହା ସାହା ହେଲେ ନାହିଁ ନାଁ କଣ ? କାହିଁକି ଏମିତି କଲେ ? କହୁଥିଲେ -ହେମ ତୁମେ ଏମିତି ଜଳି ଜଳି ବଞ୍ଚିବା ଶିଖିଗଲେ ମୁଁ ବି ସିଝି ସିଝି ଉତ୍ତାପ ସହିଯିବା ଶିଖିଯିବି । ସବୁ ଦୋଷ ମୋର । ମୁଁ ତାଙ୍କ ଜୀବନ ନଷ୍ଟ କରିଦେଲି । ମୁଁ ପ୍ରାୟଶ୍ଚିତ ହେଲେ କରିପାରନ୍ତି ! ସେଇ ଦିନଗୁଡ଼ିକ ସବୁ ଫେରିଆସନ୍ତା କି ! ମୁଁ ଶକ୍ତ ହେଇ ସମାଜର କ୍ରୁରତାକୁ ଆଡେଇ ଭଲପାଇବାର କୋମଳତା କୁ ଆପଣେଇ ନିଅନ୍ତି ।"

"ଜେଜେମାଆ କଣ ପାଗିଳୀ ଭଳି ଗପୁଛ ?" ହେମ ଙ୍କୁ ଖୁବ ଜୋରରେ ହଲାଉ ହଲାଉ ମାମୁନି ପଚାରିଲା । ହେମଲତା କିଛି କହିଲେନି । ତାଙ୍କ ଆଖି ଖୋଲାଥିଲା କିନ୍ତୁ ଶରୀର ନିସ୍ତେଜ । ମାମୁନିର ହାତରୁ ଖସିଯାଇ ବେଡ୍ ଉପରେ ଦୁମ କରି ପଡ଼ିଗଲେ । ଆଉ ଉଠିଲେନାହିଁ । ଘର ବେଡ୍ ରୁ ହସ୍ପିଟାଲ ର ଆଇ.ସି.ୟୁ , ତଥାପି ହେମଙ୍କର ସେହି ଜଡତା ଜାରିରହିଛି । ପ୍ରାଣ ଅଛି, ହୃତପିଣ୍ଡ ଧକ ଧକ କରୁଛି କିନ୍ତୁ ଶରୀରର ଚଳନ ଶକ୍ତି ସମାପ୍ତ ପ୍ରାୟ ।

ମାମୁନି ଶୂନ୍ୟସୋପାନ ଆଗରୁ ପଢିଥିଲା । ଆଉଥରେ ଭଲକରି ପଢିଲା । ପ୍ରେରକ ଓ ଲେଖକ ଦୁହିଁଙ୍କର ଗୋଟିଏ ଠିକଣା , ନାଁ ବି ସମାନ । ମାମୁନି ସୁରଜିତ ବାବୁଙ୍କୁ ମେସେଜ କଲା । "ହେମା ଦେବୀଙ୍କ ନିଶ୍ୱାସ ଅଟକି ରହିଛି ଆଇ.ସି.ୟୁ ରେ । ହୃଦୟରେ କେଵଳ ଜଣେ ଲେଖକ ଓ ହଳେ ଚପଲ କୁ ସାଇତି ରଖି ତମାମ ତାଙ୍କ ଜୀବନ ବିତିଗଲା । ହୃତପିଣ୍ଡଟା ସମ୍ପୂର୍ଣ୍ଣ ଅକାମୀ ହେଇଯିବା ପୂର୍ବରୁ ଯଦି ସମ୍ଭବ ଆସିଯାଆନ୍ତୁ ଓ ଥରେ ଛୁଇଁ କାନ ଡେରି ନିଜ ନାଁ ଟା କେମିତି ଧକ ଧକ ଶବ୍ଦ କରିପାରେ ସ୍ପର୍ଶ ରେ ଓ କାନରେ ଶୁଣିନିଅନ୍ତୁ ।"

ଡାକ୍ତର ମାନେ ଜବାବ ଦେଇଦେଲେ,ହାତରେ ଆଉ ବେଶି ସମୟ ନାହିଁ । ହେମଙ୍କ ପରିବାର ସ୍ତବ୍ଧ ହେଇଯାଇଛି । ହଠାତ ଏମିତି କାହିଁକି ହେଲା ? ରମେଶ ଓ ଅର୍ପିତା କୌଣସି ଦିନ ହେମଲତା ଙ୍କୁ ବୁଝିପାରନ୍ତିନି । ଯେବେ ବି ବୁଝିବାକୁ ଚେଷ୍ଟା କରନ୍ତି ଅଡ଼ୁଆ ସୂତାର ଗଣ୍ଠି ରେ ଛନ୍ଦି ଛାନ୍ଦି ହୋଇ ଆକ୍ତା ମାକ୍ତା ହୋଇପଡ଼ନ୍ତି ଓ ବାଧ୍ୟ ହୋଇ ବାହାରିଆସନ୍ତି ହେମଙ୍କ ଅବୁଝା କାହାଣୀର ପରିଧି ଭିତରୁ । ମାମୁନି ର ବୟସ କମ କିନ୍ତୁ ବୁଝିବା ଶକ୍ତି ଢେର ବେଶି ।

ମାମୁନି ଓ ତା ବାପା ମାଆ ଙ୍କୁ ଆଶ୍ଚର୍ଯ୍ୟ କରି ସୁରଜିତ ବାବୁ ଆସି ପହଞ୍ଚିଲେ ତାଙ୍କ ବିଗତ ଦିନର ପ୍ରାଣପ୍ରିୟା ହେମାଙ୍କ ପାଖରେ । ଚଷମା ତଳୁ ଆଖି ଦୁଇଟା ଫୁଲିଲା ଫୁଲିଲା ଲାଗୁଛି ।

ହେମ ଙ୍କ ବେଡ୍ କଡ଼ରେ ଠିଆ ହେଲେ ଲେଖକ ମହାଶୟ । କ୍ରମେ ବସିବାକୁ ଉପକ୍ରମ କଲେ । ମାମୁନି ପ୍ରଥମେ ନୀରବତା ଭାଙ୍ଗି କହିଲା, "ସାର୍ ବହୁତ ଡେରି କରିଦେଲେ । ଜେଜେମାଆ ର ସମୟ ଶେଷ ହେଇଯାଇଛି । ବୁଢ଼ୀ ହେବା ଯାଏଁ କେଵଳ ଗୋଟିଏ ଝଲକ୍ ର ଅପେକ୍ଷା ରେ ଥିଲା ।"

"ତୁମେ କହୁଥିଲ ପରା ମୋର ସବୁ କାହାଣୀ ପଢିଛ ? ମୋ କାହାଣୀରେ ନାୟିକା କୁ କେବେ ବୁଢ଼ୀ ହେବାର ପଢିଛ କି ? ହେମା ମୋ ପାଇଁ ଚୀର ଯୌବନା । ମୋ ସବୁ କାହାଣୀର ନାୟିକା । ମୋର ପ୍ରେରଣା । ତାଙ୍କ ସମୟ ମୋ ପାଇଁ କେବେ ସରିବନି । ସେ ମୋତେ ମୁହୂର୍ତ୍ତେ ବି ଛାଡ଼ି କୁଆଡ଼େ ଯାଇନଥିଲେ । ମୋରି ଠାରେ ଥିଲେ, ଅଛନ୍ତି ।",ସୁରଜିତ ବାବୁଙ୍କ ପାଟିରୁ ବାହାରୁଥିବା ଶବ୍ଦ ଗୁଡ଼ିକ କ୍ରମଶଃ ବାଷ୍ପ ରେ ପରିଣତ ହୋଇଗଲା । ସେ ଆସ୍ତେ କରି ନିଜ ଥରିଲା ଡାହଣ ହାତର ପାପୁଲି ଟା ହେମଲତାଙ୍କ କୁଞ୍ଚିତ ଶୂନ୍ୟ କପାଳ ରେ ଥୋଇଲେ । ହେମଙ୍କ ହୃଦସ୍ପନ୍ଦନ ହଠାତ ଦୃତ ହୋଇଉଠିଲା । କିଛି ସମୟ ଧଡ଼ ଧଡ଼ ହେଇ ଉପର ତଳ ହେଲା ଓ ଠିକ ପରେ ପରେ ଗୋଟିଏ ସରଳରେଖା କୁ ରୂପାନ୍ତରିତ ହୋଇଗଲା । ସବୁ ଶେଷ ହେଇଗଲା । ସେ ସତରେ ଛାତି ଭିତରେ ଜଣେ ଲେଖକ ଓ ହଳେ ଚପଲ କୁ ଚାପି ରଖି ଚାଲିଗଲେ ।

ସୁରଜିତ ବାବୁଙ୍କ ଆଡ଼କୁ ତିନି ହଳ ଚକିତ ଚକ୍ଷୁ । ହେମଙ୍କ ଶେଷ ସମୟରେ ଅଧିକ ଦୁଃଖିତ ଜଣାଯାଉଥିବା ସେହି ଅଜଣା ଅପରିଚିତ ଲେଖକଙ୍କ ର କିନ୍ତୁ ସେ ପ୍ରତି ଭୃକ୍ଷେପ ନାହିଁ । ସେ ସେମିତି ନିଶ୍ଚଳ ଶରୀର ପାଖରେ ବସି ରହି ଅଚଳ ହୃତପିଣ୍ଡ ଉପରେ ଅଶ୍ରୁ ବର୍ଷା କରିଚାଲିଛନ୍ତି । ତାଙ୍କୁ ବାଧା ଦେବାକୁ ମଧ୍ୟ କେହି ଆଗେଇ ଆସୁନାହାଁନ୍ତି ।

ହେମଲତାଙ୍କ ଜୁଇ ସଜଡା ହେଲା । ସୁରଜିତ ବାବୁ ମାମୁନି କୁ କହି ସେହି କଳାରଙ୍ଗ ର ଚପଲ ହଳକ ଆଣି ହାତରେ ଧରିଲେ, ଛାତିରେ କିଛି ସମୟ ଚାପି ରଖି ହେମଙ୍କ ଉଷ୍ମତା କୁ ଅନୁଭବ କଲେ । ତାପରେ ଆସ୍ତେ କରି ଯାଇ ଗୋଟେ ଲଫାପା ଓ ତା ସହ ହେମଙ୍କ ସର୍ବସ୍ୱ ସେହି ଚପଲ ହଳକକୁ ନେଇ ଜୁଇ ତଳେ ରଖିଆସିଲେ ।

ସୁରଜିତ ବାବୁ ଫେରୁଥିଲେ, ମାମୁନି ଆସି ପଚାରିଲା, "ସାର୍ ଆପଣ ଚପଲ ଟା ସାଙ୍ଗରେ ନେଇଯାଇପାରିଥାନ୍ତେ? "

--ନାଁ ଦେଇଆସିଲି । ଏଥର ସେ ସେଇଟି ବ୍ୟବହାର କରି ଠିକ ରାସ୍ତାରେ ପାଦ ଦେବେ । ମୋ ପାଖକୁ ଚାଲିଆସିବେ ।

--ଆଉ ସେ ଲଫାପା ?

--ଚିଠି ଟେ ଲେଖିଥିଲି, ସାହସ କରି ଦେଇଦେଇଥିଲେ ଏତେ ଲମ୍ବା ଜୀବନ ଟା ଏମିତି କଟିନଥାନ୍ତା । ତାଙ୍କ ପାଖରେ ତ ଚପଲ ହଳେ ଥିଲା, ମୋ ପାଖରେ କଣ ଥିଲା ? ଗୁଡ଼ାଏ କାହାଣୀ କୁ ଛାଡ଼ି ଆଉ କିଛି ନଥିଲା । ଆଜି ସବୁ କାହାଣୀଙ୍କର ଅନ୍ତ ହେଇଗଲା । ନାୟିକାମାନେ କାହାଣୀ ଛାଡ଼ି ଚାଲିଗଲେ । ମୁଁ ଆସୁଛି ।

ମାମୁନି କିଛି ବୁଝିବା ଆଗରୁ ସୁରଜିତ ବାବୁଙ୍କ ଗାଡି ସେ ସ୍ଥାନ ଛାଡ଼ି ଅନେକ ଦୁରକୁ ଯାଇସାରିଥିଲା ।

ଠିକ ଦଶଦିନ ପରେ ମାମୁନି ଫେସବୁକ ଖୋଲୁ ଖୋଲୁ ଖବର ଟେ ପାଖରେ ତା ନଜର ଅଟକିଗଲା, 'ଗତ କାଲି ରାତିରେ ବିଶିଷ୍ଟ ଲେଖକ ସୁରଜିତ ରାଉତ ଙ୍କର ହୃଦଘାତ ରେ ପରଲୋକ ' ।

ମାମୁନିର ଆଖିରେ ମେଞ୍ଚାଏ ଲୁହ । ସେ ଆଖିପତା ବନ୍ଦ କରିପକାଇଲା । ଲୁହ ସବୁ ତଳକୁ ଗଡିଆସିଲା ଓ ମୁଦ୍ରିତ ତା ଚକ୍ଷୁ ସାମ୍ନାରେ ଜେଜେମାଆଙ୍କ ସହ ସୁରଜିତ ବାବୁଙ୍କ ଚେହେରା ତାକୁ ଜାଲଜାଲୁଆ ହେଇ ଦିଶିଗଲା ।

**********

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Romance