ଜହ୍ନମାମୁଁ -୭୨
ଜହ୍ନମାମୁଁ -୭୨
ବନଦେବୀଙ୍କ କୃପା - ୨
ନିଜର ସମସ୍ୟା ସମାଧାନ ହେବା ପରେ ବନଦେବୀଙ୍କ ସର୍ତ୍ତ ଅନୁଯାୟୀ ସେ ଜଙ୍ଗଲ ଆଡକୁ ଚାଲିଲା । ସେତେବେଳକୁ ତ ସଂଧ୍ୟା ହୋଇଥାଏ । ସେ ରାସ୍ତାରୁ ଗୋଟିଏ ଭଙ୍ଗା ଘର ଭିତରୁ ଚାପା କାନ୍ଦଣାର ସ୍ୱର ଶୁଣିପାରିଲା । କାନଡେରି ସେ ଶୁଣିଲା ଦୁଇଜଣ ବୁଢାବୁଢୀ କାନ୍ଦି କାନ୍ଦି ପରସ୍ପରକୁ କିଛି ବୁଝାଉଛନ୍ତି । କାନପାତି ଶୁଣିବା ପରେ ଭରତ ବୁଝିପାରିଲା ଯେ ସେମାନେ ତାଙ୍କର ଏକମାତ୍ର ଝିଅର ବିବାହ ପାଇଁ ବହୁ କଷ୍ଟରେ ଧନ ସମ୍ପତ୍ତି ଓ ଅଳଙ୍କାର ସବୁ ଏକାଠି କରି ରଖିଥିଲେ ତାକୁ କାଲୁ ସର୍ଦ୍ଦାର ଚୋରୀ କରି ନେଇଛି । ଭରତ ଭାବିଲା ଏମାନଙ୍କୁ ସେ ନିଶ୍ଚୟ ସାହାଯ୍ୟ କରିବ । ତା’ପରେ ସେ ଘରୁ ସେ ବାହାରି ଆସିଲା । ଅନ୍ଧାରରେ ଏପଟ ସେପଟ ବୁଲୁଥାଏ, ଦେଖିଲା ଦୁଇଜଣ ଚୋର ଜଣକ ଘରେ ସିନ୍ଧି କାଟୁଛନ୍ତି । ଭରତ ଜୋର୍ରେ ପାଟି କରି କହିଲା, “କିଏ ତୁମେ? ଏଠାରେ ଚୋରୀ କରିବାକୁ ସିନ୍ଧି କାଟୁଛ?”
ଏପରି କଥା ଶୁଣି ସେ ଚୋର ଦୁଇଜଣ ହଠାତ୍ ଡରିଗଲେ ଓ ଆଉ ପଛକୁ ନ ଚାହିଁ ସେଠାରୁ ସିଧା ଦୌଡି ପଳାଇଲେ । ଭରତ ସେମାନଙ୍କର ପିଛା କଲା, ସେମାନେ ଶେଷରେ ଏକ ପାହାଡ ଗୁମ୍ଫା ପାଖରେ ଯାଇ ପହଁଚିଲେ । ସେଠାରେ ତାଙ୍କ ସର୍ଦ୍ଦାର ଥିଲା । ଏମାନେ ଖାଲି ହାତରେ ଫେରିଛନ୍ତି ବୋଲି ଜାଣି ସେ ରାଗିକରି ସେମାନଙ୍କୁ ଗାଳି ଦେଲା । ଗାଳିଦେବା ଭିତରେ ସେ କହୁଥାଏ, “ଏତେଦିନ ଭିତରେ ମାତ୍ର ଗୋଟିଏ ସ୍ଥାନରୁ ଯୌତୁକ ଅଳଙ୍କାର ଆଣିଛ ଆଉ କିଛି ପାଇଲ ନାହିଁ କୋଢିଆ କୋଉଠିକାର, ତୁମକୁ ଲଜ୍ଜା ଲାଗୁନି?” ସେମାନେ ତଳକୁ ମୁହଁ କରି ଦୋଷୀ ପରି ଠିଆ ହୋଇଥା’ନ୍ତି, ଭରତ ଏଥର ବୁଝିଗଲା ଯେ ଏହି ସର୍ଦ୍ଦାରହିଁ କାଲୁ ସର୍ଦ୍ଦାର ଆଉ ଯୌତୁକ ଅଳଙ୍କାର ସେହି ପୂର୍ବୋକ୍ତ ବୁଢାବୁଢୀଙ୍କରହିଁ ।
ସେମାନେ ଟିକିଏ ଅନ୍ୟ ଆଡକୁ ଯିବା ମାତ୍ରେ ଭରତ ସବୁ ଅଳଙ୍କାର ଧରି ସେଠାରୁ ପଳାଇ ଆସି ସିଧା ବୁଢା ବୁଢୀଙ୍କ ପାଖକୁ ଗଲା । ସେଠାରେ ତାଙ୍କ ଧନ ତାଙ୍କୁ ଦେଇ ଯେଉଁ ଅଧିକ ଧନ ସେ ଆଣିଥିଲା ସେସବୁ ନେଇ ସେ ସିଧା ରାଜାଙ୍କ ପାଖକୁ ଗଲା । ରାଜାଙ୍କ ପାଦ ପାଖରେ ସେ ସେହି ଗଣ୍ଠିଲିଟି ରଖିଦେଇ କହିଲା, “ମହାରାଜ, ଆପଣଙ୍କ ରାଜ୍ୟର ସବୁଠାରୁ ବଳି ବଡ ଶତୃ ହେଲା ଡାକୁ କାଲୁ ସର୍ଦ୍ଦାର । ଏ ସମ୍ପତ୍ତି ମୁଁ ନିରବରେ ଯାଇ ସେଠାରୁ ନେଇ ଆସିଛି, ରଖନ୍ତୁ । ଏବେ ସେହି ପାହାଡରେ ଥିବା ପ୍ରପାତ ନିକଟରେ କେତେକ ଗୁମ୍ଫା ଅଛି । ତାହାହିଁ ତା’ର ବାସସ୍ଥାନ । ଆପଣ ଶୀଘ୍ର ସିପାହୀ ପଠାଇ ତା’କୁ ଧରି ଆଣନ୍ତୁ ।”
ରାଜା ତ କିଛିବି ଦେଖିପାରୁ ନଥାନ୍ତି । ତଥାପି ମଧ୍ୟ ସେ କହିଲେ, “ମହାତ୍ମା, ମୋ ରାଜ୍ୟର ଏଭଳି ଉପକାର କରୁଥିବା ବ୍ୟକ୍ତି ଆପଣ କିଏ?”
“ସେକଥା ପରେ କହିବି,” ଏତିକି କହି ସେ ବନଦେବୀଙ୍କ ପାଖକୁ ଚାଲିଲା । ଜଙ୍ଗଲରେ ପହଁଚି ବନଦେବୀଙ୍କୁ ସେ ପ୍ରାର୍ଥନା କଲା । ବନଦେବୀ ପ୍ରକଟ ହେଲେ ଓ ସେ ତାଙ୍କୁ ପ୍ରଣାମ କଲା । ବନଦେବୀ ରାଗିଯାଇ କହିଲେ, “ତୁ ମୋର ସର୍ତ୍ତ ରଖି ପାରିନାହୁଁ । ମୁଁ କହିଥିଲି ତୋ ସମସ୍ୟା ସମାଧାନ ହେବା ମାତ୍ରେ ଫେରି ଆସିବୁ । କିନ୍ତୁ ତୁ ସେକଥା ମାନିନାହୁଁ । ଏବେ ଦଣ୍ଡ ଭୋଗ କରିବୁ । ସାରା ଜୀବନ ସେହିପରି ଅଦୃଶ୍ୟ ହୋଇ ରହିବୁ ।”
ଭରତ କହିଲା, “ମା’, ଆପଣଙ୍କ ଦଣ୍ଡ ମୋର ଶିରୋଧାର୍ଯ୍ୟ, ମୁଁ କେବଳ ମୋ ବାପାଙ୍କ ପାଇଁ ବହୁତ ଚିନ୍ତିତ । ଆପଣ ଆଶୀର୍ବାଦ ଦିଅନ୍ତୁ ଯେପରି ତାଙ୍କର କୌଣସି କଷ୍ଟ ନ ହୁଏ ।”
ତା’ପରେ ବନଦେବୀ ଅଳ୍ପ ହସି କହିଲେ, “ପୁତ୍ର, ମୁଁ କେବଳ ତୋତେ ପରୀକ୍ଷା କରୁଥିଲି । ତୁ ନିଃସ୍ୱାର୍ଥପର ଓ ପରୋପକାରୀ । ଏପରି ଭଲ ପିଲାକୁ ମୁଁ କେମିତି ଦଣ୍ଡ ଦେବି? ଏବେ ତୁ ତୋର ନିଜ ରୂପକୁ ଫେରି ପାଇବୁ । ତୋର ଯେତେବେଳେ କଷ୍ଟ ପଡିବ ମୋତେ ସ୍ମରଣ କରିବୁ ମୁଁ ସର୍ବଦା ତୋତେ ସାହାଯ୍ୟ କରିବି ।” ତା’ପରେ ଦେବୀ ସେଠାରୁ ଅଦୃଶ୍ୟ ହୋଇଗଲେ ଓ ଭରତ ନିଜର ରୂପ ଫେରି ପାଇଲା ଓ ଘରକୁ ଫେରିଲା ।
ପୁଅକୁ ଦେଖି ବୁଢା ବହୁତ ଖୁସି । ଏବେ ବଗିଚା ସୁନ୍ଦର ଭାବରେ ଫୁଲ ଫଳରେ ପୁରି ଉଠିଲା । ଭରତ ବନଦେବୀଙ୍କ କୃପା ମନେ ପକାଏ । ଧନସମ୍ପତ୍ତି ସବୁ ବଢି ଚାଲିଲା । କିନ୍ତୁ ବାପ ପୁଅ ପୂର୍ବପରି ନମ୍ର, ଭଦ୍ର ଓ ପରୋପକାରୀ ହୋଇ ରହିଲେ । କ୍ରମେ ସେମାନେ ଅତ୍ୟନ୍ତ ଲୋକପ୍ରିୟ ହୋଇ ଉଠିଲେ ।