Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Children Stories Classics

2  

Narendra Prasad Behera

Children Stories Classics

ଭାଗବତ କଥା

ଭାଗବତ କଥା

3 mins
604


*ଭାଗବତ କଥା--୩୬*


*ଶ୍ରୀହରି ରନ୍ତିଦେବଙ୍କୁ କାହିଁକି ପରୀକ୍ଷା କରୁଥିଲେ*


   *ରନ୍ତିଦେବ* ନାମରେ ଜଣେ ଧନଢ୍ଯ ବ୍ଯକ୍ତି ଥିଲେ । ତାଙ୍କର ଅନେକ ବିଷୟ ସମ୍ପତ୍ତି ଥିଲା । ସେ ଅପରର ଦୁଃଖ ଦାରିଦ୍ର ଦେଖିଲେ ଦୟାରେ ବିଚଳିତ ହୋଇ ଯାଉଥିଲେ । ସେ ଦାନ କରୁ କରୁ ତାଙ୍କର ସମସ୍ତ ସମ୍ପତ୍ତି ଶେଷ ହୋଇଗଲା । ଏପରି ଏକ ସମୟ ଆସିଲା ଯେ ପରିବାର ପ୍ରତିପୋଷଣ କରିବା ମଧ୍ଯ ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଲା ଏବଂ ପରିବାରର ସମସ୍ତଙ୍କୁ ଅନିହାରରେ ରହିବାକୁ ପଡିଲା । ରନ୍ତିଦେବ ଥିଲେ ଜଣେ ହରିଭକ୍ତ । ସେ ଦାରିଦ୍ର ମଧ୍ଯରେ ବି ଭଗବାନଙ୍କର ସେବାପୂଜା ତ୍ଯାଗ କରି ନ ଥିଲେ । ଅତିଥି ଅଭ୍ଯାଗତଙ୍କୁ ଖାଇବାକୁ ଦେଇ ଅତିଥି ସେବା ନାରାୟଣଙ୍କ ସେବା ବୋଲି ମନେ କରି ରନ୍ତିଦେବ ଦିନ ବିତାଉଥିଲେ । କ୍ରମେ କ୍ରମେ ସେ ଅତ୍ଯନ୍ତ ଗରିବ ହୋଇ ପଡିଲେ । ଦିନେ ସମସ୍ତ ପରିବାର କ୍ଷୁଧାରେ ଆତୁର ହୋଇ ପଡିଥିବା ବେଳେ ,ଜଣେ ଅଜ୍ଞାତ ବ୍ଯକ୍ତି ପ୍ରଚୁର ଖାଦ୍ଯ ଧରୀ ଆସି ରନ୍ତିଦେବଙ୍କ ନିକଟରେ ପହଞ୍ଚି ତାହା ଦେବାରୁ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଲା । ବ୍ଯକ୍ତିଜଣକ ଖାଦ୍ଯ ପଦାର୍ଥ ରଖି ଦେଇ କ୍ଷଣକ ମଧ୍ଯରେ ଅଦୃଶ୍ୟ ହୋଇଗଲା । ରନ୍ତିଦେବ ଓ ପରିବାରର ସମସ୍ତେ ଖାଇବାକୁ ବସିଛନ୍ତି, ଏହି ସମୟରେ ଜଣେ ବ୍ରାହ୍ମଣ ଅତିଥି ଆସି ଦ୍ବାରଦେଶରେ ଉପସ୍ଥିତ ହେଲେ । ସେ ଅତ୍ଯନ୍ତ କ୍ଷୁଧାର୍ଥ ଅବସ୍ଥାରେ ଥିଲେ । ରନ୍ତିଦେବ ଅତିଥିଙ୍କୁ ଶ୍ରଦ୍ଧା ସହକାରେ ଭୋଜନ କରାଇ ବିଦାୟ ଦେଲେ । ପରିବାର ସହ ରନ୍ତିଦେବ ଖାଇବାକୁ ଯିବା ସମୟରେ ଆଉ ଜଣେ ଅତିଥି ଆସି ପହଞ୍ଚିଲେ ଏବଂ କହିଲେ ଯେ ସେ ଅନେକ ଦିନ ହେଲା ଖାଦ୍ଯାଭାବ ଯୋଗୁଁ ଉପାସ ରହିଛନ୍ତି । ରନ୍ତିଦେବ ତାଙ୍କୁ ମଧ୍ଯ ନାହିଁ କରିପାରିଲେ ନାହିଁ । ସେ ନିଜ ଭାଗ ଅନ୍ନରୁ ଅତିଥିଙ୍କୁ ଦେଇ ଭୋଜନ କରାଇଲେ । ଏହି ଅତିଥି ଜଣଙ୍କ ଚାଲିଯିବାପରେ ସମସ୍ତେ ଖାଇବାକୁ ଯାଉଥିବା ସମୟରେ ଜଣେ ପଥିକ ସଙ୍ଗରେ କେତେଗୁଡିଏ କୁକୁର ଧରି ଆସି ପହଞ୍ଚିଲା । ସେ କହିଲା ଯେ ମୁଁ ଓ ମୋର ଏହି ପୋଷା କୁକୁରଗୁଡିକ ଅନେକ ଦିନ ହେଲା ଉପବାସରେ ରହିଛୁ । ଆମକୁ କିଛି ଖାଇବାକୁ ଦିଅନ୍ତୁ । ରନ୍ତିଦେବଙ୍କ ନିକଟରେ ଅବଶିଷ୍ଟ ଯାହା ଖାଦ୍ଯ ଥିଲା,ତାହା ସେ ଦାନ କରିଦେଲେ । ଖାଦ୍ଯପଦାର୍ଥ ସବୁ ଶେଷ ହୋଇଯାଇଥିଲା । କେବଳ ପିଇବାକୁ ମୁନ୍ଦାଏ ପାଣି ଥିଲା । ସେ ପାଣିତକ ପିଇବାକୁ ଯାଉଥିବା ବେଳେ ,ଜଣେ ଚଣ୍ଡାଳ ଆସି ଦ୍ବାର ଦେଶରେ ଉପସ୍ଥିତ ହେଲା । ସେ କହିଲା ମୁଁ ବଡ ତୁଷାର୍ତ୍ତ । ମୁଁ ଜଣେ ଅସ୍ପୃଶ୍ୟ ହୋଇଥିବାରୁ ମୋତେ କେହି ପିଇବାକୁ ପାଣି ଦେଲେ ନାହିଁ । ବର୍ତ୍ତମାନ ଶୋଷରେ ମୋର ତଣ୍ଟି ଶୁଖିଯାଉଛି । ମୋତେ ପିଇବାକୁ ମୁନ୍ଦାଏ ପାଣି ଦିଅ । ରନ୍ତିଦେବ ଚଣ୍ଡାଳକୁ ଆଶ୍ବାସନା ଦେଇ କହିଲେ ମୁଁ ଜାଣେ ତୁମେ ବର୍ତ୍ତମାନ କ୍ଷୁଧାତୁର ଅବସ୍ଥାରେ ମଧ୍ଯ ରହିଛ । ମୋ ପାଖରେ ତୁମକୁ ଖାଇବାକୁ ଦେବାକୁ କିଛି ଖାଦ୍ଯ ନାହିଁ । କେବଳ ପାଣି ମୁନ୍ଦାଏ ରହିଛି । ତୁମର ତୃଷା ନିବାରଣ ପାଇଁ ମୁଁ ସେତକ ତୁମକୁ ଦେଉଛି । 

  ରନ୍ତିଦେବ ଭାବିଲେ,ଦୀନଜନଙ୍କର ସେବା କରିବା ହେଉଛି ଭଗବାନଙ୍କର ସେବା । ମୋ ଦ୍ବାରା ଦୁଃଖୀଜନଙ୍କର ଦୁଃଖ ଦୂର ହେଉ । ଏହା କହି ସେ ସେହି ଚଣ୍ଡାଳକୁ ନିଜର ପାନୀୟ ଜଳତକ ଦାନ କଲେ । ଏହି ସମୟରେ ଦେବତାମାନେ ରନ୍ତିଦେବଙ୍କ ନିକଟରେ ପହଞ୍ଚି ତାଙ୍କର ଅତିଥି ସେବା ନିମନ୍ତେ ସାଧୁବାଦ ଜଣାଇଲେ ଏବଂ କହିଲେ ଯେ ଆମେ ସବୁ ଅତିଥି ରୂପେ ଆସି ତୁମର ତ୍ଯାଗ ପରୀକ୍ଷା କରୁଥିଲୁ । ତୁମର ଧୈର୍ଯ୍ଯ ପରୀକ୍ଷା ନିମନ୍ତେ ଶ୍ରୀହରି ଆମମାନଙ୍କୁ ଛଦ୍ମବେଶରେ ଏଠାକୁ ପଠାଇଥିଲେ । ତୁମର ତ୍ଯାଗ ଯୋଗୁଁ ଭଗବାନ ତୁମ ଉପରେ ସନ୍ତୁଷ୍ଟ ହୋଇଛନ୍ତି । 

  ରନ୍ତିଦେବ ଦେବତାମାନଙ୍କୁ ପ୍ରଣାମ କଲେ । ଦେବତାମାନେ ରନ୍ତିଦେବଙ୍କ ମହିମା କୀର୍ତ୍ତନ କରି ଅଦୃଶ୍ୟ ହୋଇଗଲେ ସେମାନେ ଚାଲିଯିବା ପରେ ରନ୍ତିଦେବଙ୍କ ଘର ଧନଧାନ୍ଯରେ ପରିପୂର୍ଣ୍ଣ ହୋଇଗଲା । ସେ ଅବଶିଷ୍ଟ ଜୀବନ ବୈରାଗ୍ୟବିମଣ୍ଡିତ ହୋଇ ଶ୍ରୀହରିଙ୍କ ଜପଧ୍ଯାନରେ ବିତାଇ ଥିଲେ ।


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,*


Rate this content
Log in