Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

3  

Pallabi Das

Others

ରଙ୍ଗିନ୍ ଦୁନିଆ

ରଙ୍ଗିନ୍ ଦୁନିଆ

4 mins
7.4K


ବିଶ୍ଵାସ, ଭରସା ଆଉ ଭଲ ପାଇବା କୁ ନେଇ ସମ୍ପର୍କ ଆଗକୁ ବଢେ, ଆଉ ଯୋଉଠି ଏଗୁଡିକ ନଥାଏ ସେ ସମ୍ପର୍କ ର ବୟସ ବୋହୁତ୍ କମ୍ |

ବନାନୀ ଦିଦି , ମୋ ନିଜର କେହି ନହେଲେ ମଧ୍ୟ , ସେ ମୋ ଭଉଣୀ ପରି ଥିଲେ | ଏଇ ମାସ କେଇଟାରେ ସାଥିରେ ଯିବା ଆସିବା କରି ଆମେ ସାଙ୍ଗ ହେଇଯାଇଥିଲୁ | କେବେ କେବେ ଆଫିସ୍ ରୁ ଫେରିବା ସମୟରେ ସେଇ ଏକା ବସ୍ ରେ ଭେଟ ହେଇଯାଏ ତାଙ୍କ ସହ | ବ୍ୟାଗ୍ ଭିତରୁ କେତେ କ'ଣ ଯାଚି ଦିଅନ୍ତି ଖାଇବାକୁ | ଲୋକ କୁହନ୍ତି ପୂର୍ବ ଆଉ ଦକ୍ଷୀଣ ଭାରତ ପିଲାଙ୍କ ଭିତରେ ବନ୍ଧୁତା ହବା ବୋହୁତ୍ ଆଶ୍ଚର୍ଯ୍ୟ ଜନକ | ଠିକ୍ ଆମ ବନ୍ଧୁତା ବି ସେମିତି ଥିଲା | ତାଙ୍କ ଗପ ଶୁଣି ଶୁଣି ବେଳେ ବେଳେ ଜଣା ପଡ଼େନି ମୋ ଷ୍ଟପ୍ କେତେ ବେଳେ ଆସିଯାଏ ,ବିଦାୟ ନବାକୁ ଇଛା ନଥିଲେ ବି ନବାକୁ ହୁଏ ପୁଣି ଥରେ ଭେଟିବା ପାଇଁ | ଦିନେ ପଚାରି ଦେଇଥିଲି , ଦିଦି ବାହା କେବେ ହଉଛ ବୋଲି , ତା ପରଠୁ ନୀତି ସେ ମତେ କୁହନ୍ତି ତେଲୁଗୁ ବାହାଘର ର ରୀତି ନୀତି ଆଉ ତାଙ୍କ ପ୍ରେମିକ କଥା | କେମିତି ସେ ତାଙ୍କୁ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କଲା , କେମିତି ତାଙ୍କୁ ଭଲ ପାଏ , ଇତ୍ୟାଦି | ଶୁଣି ଶୁଣି ବିରକ୍ତ ହୋଇଯାଏ ତଥାବି ନା କହି ପାରେନି , କହୁଥିବା ବେଳେ ତାଙ୍କ ଆଖିର ଚମକ ଆଉ ଖୁସି ଦେଖି |

ବର୍ଷା ଦିନ ର ଘଟଣା , ଦିନେ ହଠାତ୍ ଦିଦିଙ୍କୁ ଦେଖିବାକୁ ପାଇଲି ମୁଁ ଯାଉଥିବା ମନ୍ଦିର ରେ | କେବେ କେବେ ଇଛା ହେଲେ ଛୁଟି ଦିନରେ ଚାଲିଯାଏ ମନ୍ଦିର , କେବେ ଭୋଗ ଖାଇବା ଆଶାରେ ତ କେବେ ପୁଣି ସାଇ ବାବାଙ୍କ ଆଳତି ଶୁଣିବା ଆଶାରେ | ବର୍ଷା ଯୋଗୁ ମନ୍ଦିର ରେ ଲୋକ ବୋହୁତ୍ କମ୍ ଥିଲେ | ପୂଜାରୀ ବାଦ ହାତ ଗଣତି ରେ 4/5 ଟି ଶ୍ରଦ୍ଧାଳୁ | ମୁଁ ସାଇଙ୍କ ଆଳତି ସାରି ଫେରୁଥାଏ ସିଡି ରେ , ମୋ ଆଖି ଆଗରେ ମନ୍ଦିର ବାରଣ୍ଡାକୁ ଆଉଜେଇ ଦିଦି ଆଖି ବନ୍ଦ କରି ବସିଥିଲେ | ମୁଁ ତାଙ୍କୁ ଦେଖି ଖୁସି ହୋଇଗଲି | ରୁମ୍ ରୁ ବାହାରିଲା ବେଳେ ଗୁପଚୁପ ଖାଇବାକୁ ଭାରି ମନଥିଲା କିନ୍ତୁ ସାଙ୍ଗରେ କେହି ନଥିଲେ ବୋଲି ଇଛା ମରି ଯାଇଥିଲା ,

ଦିଦିଙ୍କୁ ଦେଖି ପୁଣି ସେଇ ଇଛା ଜାଗ୍ରତ ହେଇଗଲା | ହଠାତ୍ ଯାଇ ତାଙ୍କୁ ଚମକେଇ ଦେଲି | ମତେ ଦେଖି ଖୁସି ହୋଇଗଲେ ପ୍ରଥମେ ତାପରେ ମତେ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ | ବର୍ଷା ର ଗର୍ଜନ ସହ ତାଙ୍କ କାନ୍ଦ ର ସ୍ଵର କାହା କୁ ବି ଶୁଣା ଯାଉନଥିଲା ମୋ ଛଡା | ଯେତେ ପଚାରିଲି କ'ଣ ହେଇଚି, କିଛି କହିଲେନି | ବୋହୁତ୍ କଷ୍ଟରେ ସେଠୁ ତାଙ୍କୁ ସାଙ୍ଗରେ ଆଣି ତାଙ୍କ ହଷ୍ଟେଲ ରେ ଛାଡ଼ି ମୁଁ ମୋ ହଷ୍ଟେଲ କୁ ଫେରିଥିଲି | ଗୁପଚୁପ ଖାଇବା କଥା ଟା ପୁରା ମନ ରୁ ବାହାରି ଯାଇଥିଲା | ତା ପର ଦିନ ସୋମବାର, ଇଛା ହଉନଥିଲେ ବି ନିଜକୁ ଜୋର୍ କରି ଅଫିସ ନବା ଦିନ ସେଟା ମୋ ପାଇଁ | ଆସିଲା ବେଳେ ଭାବୁଥିଲି କାଳେ କୋଉଠି ଭେଟ ହୋଇ ଯାଆନ୍ତା କି, ପଚାରି ଦିଅନ୍ତି କ'ଣ ହେଇଥିଲା କାଲି ବୋଲି | ଗଲା ବେଳେ କି ଆସିଲା ବେଳେ ଭେଟ

ହେଲାନି ଦିଦିଙ୍କ ସହ , ଅଫିସ ରୁ ଫେରୁ ଫେରୁ ବୋହୁତ୍ ଡେରି ହୋଇଯାଇଥିଲା, ସେଥିପାଇଁ ତାଙ୍କ ହଷ୍ଟେଲ୍ ବି ଯିବାକୁ ସାହସ ହେଲାନି | ବାସ୍ ଗୋଟେ ମେସେଜ ଟିଏ ଆସିଥିଲା ତାଙ୍କର, ଇଂଲିଶ ରେ କି- ମୁଁ ଠିକ୍ ଅଛି , କିଛି ଦିନ ପାଇଁ ଗାଁ କୁ ଯାଉଛି ବୋଲି | ମୁଁ ଫୋନ୍ ଲଗେଇବାକୁ ଚେଷ୍ଟା କଲି କିନ୍ତୁ ଫୋନ୍ ବନ୍ଦ ଦେଖେଇଲା | କିଛି ଉପାୟ ନଥିଲା ବାସ୍ ଦିଦିଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲି | ନୀତି ମନେ ପଡ଼େ ତାଙ୍କ ଥଟ୍ଟା ତାମସା ଆଉ ଜମା ବନ୍ଦ ନ ହଉଥିବା ଗପ | ଦିଦି ଫେରି ଆସିଥିଲେ ଠିକ୍ ଗୋଟେ ସପ୍ତାହ ପରେ | ବୋହୁତ୍ ଆଲଗା ଲାଗୁଥିଲେ ସେ | ଲମ୍ବା କଳା ମସ୍ ମସ୍ ବେଣୀ ଆଉ ନଥିଲା ତାଙ୍କର ,ମୁଣ୍ଡ ରୁ ଚୁଟି ସବୁ କାଟି ଦେଇଥିଲେ | ଆଉ ଆଗ ପରି ଖୁସ୍ ମିଜାଜ୍ ର କି ଗପୁଡି ନଥିଲେ | ବହୁତ୍ କମ୍ କଥା କହୁଥିଲେ | ମୋ ପାଇଁ କେତେ କ'ଣ ଖାଇବା ଜିନିଷ ଆଣିଥିଲେ ଘରୁ | ଦୁଇ ଦିନ ଯାଏ କିଛି କହିନଥିଲେ, ସେ ବିଷୟରେ | ଗୋଟେ ମେସିନ୍ ପରି ସେ ଅନୁଭୂତ ହଉଥିଲେ | ଚେଷ୍ଟା କରିଥିଲି ନ ପଚାରିବାକୁ , କିନ୍ତୁ ତାଙ୍କର ଏ ପ୍ରକାର ପରିବର୍ତିତ ସ୍ଵଭାବ ଦେଖି ଆଉ ରହି ପାରିଲିନି | ପଚାରି ଦେଇଥିଲି ,ସେ କହିଥିଲେ ପଛରେ କହିବେ ବୋଲି |

ରବିବାର ସକାଳୁ ହଠାତ୍ ଫୋନ କରି ଡାକିଥିଲେ ମତେ ତାଙ୍କ ହଷ୍ଟେଲ୍ | ସେଠି ଯାଇ ଦେଖିବାକୁ ପାଇଲି ଦିଦି ହଷ୍ଟେଲ୍ ଛାଡ଼ିବାକୁ ସବୁ ଜିନିଷ ସଜେଇ ମତେ ଅପେକ୍ଷା କରି ବସିଥିଲେ | ମତେ ଦେଖି କହିଲେ - ଏଠି ରହିବାର ଆଉ କିଛି ବାହାନା ନାହିଁ ମୋ ପାଖରେ, ମୁଁ ଯାଉଛି ମୋ ନିଜ ଟାଉନରେ ଚାକିରି ଖୋଜିବାକୁ | ତାପରେ ମତେ ସାଙ୍ଗରେ ଗୁପଚୁପ ଖୁଆଇବାକୁ ନେଇଥିଲେ | ଦିଦି କହିଥିଲେ ସେଦିନ କେମିତି ତାଙ୍କ ପ୍ରେମିକ ତାଙ୍କ ଅଜାଣତରେ, ତା ଘର ଲୋକଙ୍କ ପସନ୍ଦରେ ଆଉ ଗୋଟେ ଜାଗାରେ ବାହା ହେଇଯାଇଥିଲା ଟଙ୍କା ଲୋଭରେ ଆଉ ଦିଦିଙ୍କୁ ଏତେ ଦିନ ଧରି ଧୋକାରେ ରଖିଥିଲା | ଦିଦିଙ୍କ ଏତେ ଦିନର ଭରସା ଆଖି ପିଛୁଳାକେ ଭାଙ୍ଗୀ ଯାଇଥିଲା | କେବେ ବି ତା'ଙ୍କ ମନରେ ସେ ପିଲା କୁ ନେଇ କିଛି ବି ଅବିଶ୍ୱାସ ଜାତ ହୋଇନଥିଲା | ହଠାତ୍ ଦିଦିଙ୍କ ଗୋଟେ ସାଙ୍ଗ ସେଇ ରବିବାର ଦିନ ଆସି ସବୁ କହିଥିଲା, ତଥାବି ବିଶ୍ବାସ କରିନଥିଲେ ଦିଦି | ସେ ପିଲାର ବାହାଘର ଫଟୋ ଆଉ ଫେସବୁକ୍ ରେ ଛାଡିଥିବା ଭିଡିଓ ଦେଖିବା ପରେ ସେ ଭରସା କରିଥିଲେ | ସେଦିନ ଭାଙ୍ଗି ପଡିଥିଲେ ଦିଦି, ସେ ପିଲାକୁ ନେଇ ଦେଖିଥିବା ସବୁ ସ୍ଵପ୍ନ ତାଙ୍କର ଭାଙ୍ଗି ଯାଇଥିଲା | ଗଲା ବେଳେ କହି ଯାଇଥିଲେ ଏତେ ଦିନ ଧରି ମିଛ ମରୀଚିକା ପଛରେ ଦୌଡୁଥିଲି , ଆଜି ଚେତା ପଶିଲା ସେଥିପାଇଁ ଫେରି ଯାଉଚି ମୋ ନିଜ ବାଟରେ | ମତେ କହିଗଲେ ଜୀବନ ରେ ଯୋଉଠି ବି ରହିବୁ ବାପା ମାଆଙ୍କ କଥା କୁ ଅନୁସରଣ କରିବୁ, ଅନ୍ଧ ପରି କାହାକୁ ଭରସା କରିବୁନି, ଇତ୍ୟାଦି |

କିଛି ଦିନ ପରେ ତା'ଙ୍କ ବାହାଘର ନିମନ୍ତେ ନିମନ୍ତ୍ରଣ ପାଇଥିଲି କିନ୍ତୁ ଯିବାକୁ ଛୁଟି ମିଳିନଥିଲା | ଆଜି ସେ ବହୁତ୍ ଖୁସି ରେ ଅଛନ୍ତି ଆଉ ମତେ ପୁଣି ଥରେ ନିମନ୍ତ୍ରଣ କରିଛନ୍ତି ତାଙ୍କ ପୁଅ ର ଜନ୍ମ ଦିନରେ ଯୋଗ ଦବାକୁ | ଘର ସଂସାର ଆଉ ଚାକିରି ଜୀବନ ଭିତରେ ସେ ବ୍ୟସ୍ତ ରହୁଛନ୍ତି କିନ୍ତୁ ସମୟ ଆଉ ସୁଯୋଗ ମିଳିଲେ ଏବେ ବି ସେ ସଚେତନ କରାନ୍ତି , ଯେମିତି କେବେ କାହା ସହ ସେ ଭଳି ନହୁଏ, ଯାହା ତା'ଙ୍କ ସହ ଘଟିଥିଲା | ଆଜି ଖୁସି ଲାଗୁଛି ତାଙ୍କୁ ଦେଖି, ନିଜର ସମସ୍ତ ଶକ୍ତି ଏକାଠି କରି ପୁଣି ଥରେ ପୂର୍ବ ଅବସ୍ତା କୁ ଫେରି ପାରିଛନ୍ତି ଆଉ ସେଇ ଭିତରେ ସଜେଇ ପାରିଛନ୍ତି ନିଜର ରଙ୍ଗିନ୍ ଦୁନିଆ |


Rate this content
Log in