Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Drama

2  

Neelima Nivedita Behera

Drama

ମୋ ବୋଉ

ମୋ ବୋଉ

2 mins
7.8K


ମହାରାଷ୍ଟ୍ର ଭଳି ସେତେ ଧୁମଧାମରେ ହୁଏନା ଏଠି ଗଣେଶ ପୂଜା । କିନ୍ତୁ ପ୍ରତ୍ୟେକ ବିଦ୍ୟାଳୟରେ ହୁଏ । ଆଜିକାଲି ତ ଗଳିକନ୍ଦିରେ ବି ମେଢ ହେଲାଣି । ପଦନା ପ୍ରଧାନ ଚାକିରି କରୁଥିବା ଚିକିତ୍ସାଳୟରେ ସିନା ଏସନ ଗଣେଶ ପୂଜା ହେଇନି ହେଲେ ତାଙ୍କ ଠାକୁର ଘରେ, ପଦନା ଗଣେଶକୁ ଆଣି ପୂଜାର୍ଚ୍ଚନା କରିଛି । ବ୍ରାହ୍ମଣ ଡକେଇ ଟିକି ହୋମଟେ କରିଛି । ଭୋଗରାଗ ସହିତ, ବିଧିପୂର୍ବକ ଗଣେଶଙ୍କୁ ବିସର୍ଜନ ବି କରିଛି । ଏସବୁ କରି ନଥକିଲା ରକମ ସକାଳୁ ସକାଳୁ ଗାଧେଇପାଧେଇ ବାହାରିଲା ପଦନା, ମନ୍ଦିର । ଗୁରୁବାର ସାଙ୍ଗକୁ ସଂକ୍ରାନ୍ତି ଥାଏ ସେଦିନ । ସୋମବାରିଆ ସିନା ମହାଦେବ କତିକି ଯିବ, ହେଲେ ଆଜି ଏଇ ପାଖ ମଙ୍ଗଳାମନ୍ଦିର ଯାଇ ଦିଅଁ ଦର୍ଶନ କରିଆସିବ ବୋଲି ଭାବି ବୋଉକୁ ଡାକି ଗାଡି ବାହାରକଲା ପଦନା । ପିଁ ପିଁ କରି ହର୍ଣ୍ଣ ଦେଲା କାରର ।

ବେଶିଦିନ ନୁହେଁ, ହାତଗଣତି କେଇଟା ମାସ ହେଲା ମୋଟର୍ସାଇକେଲ୍ ଛାଡି ବଡ ଭାଇ ଦେଇଥିବା ସେକେଣ୍ଡ୍ ହ୍ୟାଣ୍ଡ୍ ମାରୁତି ଧରିଛି ପଦନା । ମନ୍ଦିର ହେଉ କି ତା' କର୍ମକ୍ଷେତ୍ର କିମ୍ବା ବଜାର ହେଉ କି ଛକ, ଏବେ ପଦନା ଘରୁ ଗୋଡ କାଢିଲା ମାତ୍ରେ କାର୍ ଚାବିଟିକୁ ଖୋଜେ । ବୋଉ ଦରଜା ଆଉଜେଇ କୋଲପ ପକଉ ପକଉ ଟିକେ ଡେରି କଲା, ଆଉ ଏଣେ ପଦନା ଭାବନା ରାଇଜକୁ ପଶିଲା । "ଚୁମୁକି ଆସିଲେ, କଉଠି ବସିବ? ମୋ ପାଖ ସିଟ୍ ରେ ନା ପଛ ସିଟ୍ ରେ ? ବୋଉକୁ ଭାରି ଭଲପାଏ ପଦନା । ବୋଉର ପଣତ ବାସ୍ନାରେ ଏତେ ମଜ୍ଜିଛି ଯେ ଇଆଡେ ୪୩ ବସନ୍ତ ଗଡି ଗଲାଣି ସେକଥା ତାର ଆଦୌ ଖେୟାଲ୍ ପଡିନି । ସକାଳୁ ଉଠି ଚା' ପିଇବାଠୁଁ ଆରମ୍ଭ କରି ରାତିରେ ରୁଟି, କ୍ଷୀର ଖାଇବା ଯାଏଁ ବୋଉ ପଛେ ପଛେ ଗୋଡାଏ ସେ । ବୋଉ ବି ତାର ସେଇମିତି । ମୁହଁରେ ସିନା ୭୫ ଆଶ୍ୱିନର ଚିହ୍ନ, ଅଂଟାରେ ସିନା ବାର୍ଦ୍ଧକ୍ୟର ଚାପ, ହେଲେ ମନ ଏବେ ବି ଜବାନ୍ । ଏକୁଟିଆ ଘରର ପାଇଟି ସାଙ୍ଗକୁ ଦରବୁଢା ପୁଅକୁ ଆଜି ବି ୧୦/୧୨ ବର୍ଷର ପୁଅ ଭଳି ତାଗିଦା କରେ, ଯତ୍ନ କରେ । ଏକ୍ଲାପଣ ଦେହସୁହା ତେଣୁ ପଦନାର । ମାଇପ ଖୋଜିନି ଏଯାଏଁ ବୋଧେ ସେପାଇଁ । ସେ ଯାହାହେଉ, ଚୁମୁକି କିନ୍ତୁ ସବୁ ଗଡବଡ କରିଦେଇଛି ପିଛିଲା ସନରୁ । ପଦନାକୁ ନା ନିଦ ହଉଛି ରାତିରେ ନା ଭୋକ ହଉଛି ଉପରବେଳା ମାଂସ ଝୋଳ ସାଙ୍ଗକୁ ଗରମ ଭାତ ବାଢିଲାବେଳେ । ଖାଏ, ଶୁଏ ହେଲେ ମନ ଖାଲି ସେଇ ଚୁମୁକି ପାଖରେ । ୨୪ ଘଂଟା ଚୁମୁକିର ବଳୟ ଭିତରେ ପଦନା ପ୍ରଧାନ । ଚୁମୁକିର ହସ ପାଇଁ ସବୁକିଛି କରିପାରେ ପଦନା । ହେଲେ ବୋଉଟା ଅତି ନିଜର, ଦ୍ୱିତୀୟ ଠାକୁର । କେମିତି ମାପିବ ବୋଉ ବଡ ନା ଚୁମୁକି ? ପ୍ରେମ ଓ ମମତା ଭିତରେ କିପରି ରଖିବ ତାରତମ୍ୟ ? ଏ ପ୍ରଶ୍ନ ଆଜି ନହେଲେ କାଲି ଆସିବ ନିଶ୍ଚୟ ।" ଅନ୍ୟମନସ୍କତା ଭାଙ୍ଗି ବୋଉ କହିଲା, "କିରେ ପଦିଆ, ଖୋଲୁନୁ ସେ କବାଟ । ଡେରି ହଉନିକି ତୋତେ ଅଫିସ୍ ଯିବାକୁ । ମନ୍ଦିରରୁ ଆସିଲେ ଅଫିସ୍ ଯିବୁଟି !" ପଦନା ସ୍ଟିଅରିଂରେ ହାତ ରଖିଲା, ଆଉ ଆଗ ରାସ୍ତାରେ ସ୍ଥିର କଲା ଆଖି, ମମତାର ପଣତ ବାସ୍ନାରେ ପୁଣିଥରେ ବିଭୋର ହେଇ କହିଲା, "ନା..ମୋ ବୋଉର ଜାଗା କେହି ବି ନେଇ ପାରିବନି ।" ଗାଡି ଗଡିଲା ଆଗକୁ.... ।



Rate this content
Log in

Similar oriya story from Drama