Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Children Stories Tragedy

5.0  

Writer Roja Panda

Children Stories Tragedy

ସୁନା ଚଢେଇର ଲୁହ

ସୁନା ଚଢେଇର ଲୁହ

3 mins
598



ଓଡ଼ିଶାର ଏକ ସୁନ୍ଦର ଫୁଲ ବଗିଚାରେ ଗୋଟେ ହଳଦୀ ରଙ୍ଗର ଚଢ଼େଇଟିଏ ରହୁଥିଲା । କିଚିରିମିଚିରି ଗୀତ ଗାଇ ସେ ପୁରା ଦିନ ବଗିଚା ସାରା ଉଡ଼ିବୁଲୁଥିଲା ।ଯାହା ମିଳୁଥିଲା ଖାଇଦେଇ ମନ ଖୁସିରେ ଏ ଫୁଲରୁ ସେ ଫୁଲକୁ ଡେଇଁ ଡେଇଁ ଜୀବନର ଭରପୁର ଆନନ୍ଦ ନେଉଥିଲା । ସେଇ ଫୁଲ ବଗିଚାକୁ ଦେଖିବାକୁ ଅନେକ ଲୋକ ଆସୁଥିଲେ । ବଗିଚା ସହିତ ସେଇ ଟିକି ସୁନା ଚଢ଼େଇଟିକୁ ଦେଖି ସମସ୍ତେ ଖୁବ ଖୁସି ହେଉଥିଲେ । ଥରେ ଗୋଟେ ରାଜକୁମାର ସେଇ ବଗିଚା ବୁଲିବାକୁ ଆସିଥିଲେ । ସେ ବଗିଚାରେ ବୁଲୁଥିବା ସମୟରେ ଉକ୍ତ ହଳଦୀ ରଙ୍ଗର ସୁନା ଚଢେଇଟିକୁ ଦେଖିଲେ । ଚଢ଼େଇକୁ ଦେଖି ତାଙ୍କ ମନରେ ଶ୍ରଦ୍ଧା ଆସିଲା କାରଣ ସେଇ ଚଢେଇଟି ଖୁବ ସୁନ୍ଦର ଗୀତ ଗାଉଥିଲା । ତାପରେ ଧୀରେ ଧୀରେ ରାଜକୁମାର ଆଉ ସୁନା ଚଢ଼େଇ ମଧ୍ୟରେ ବନ୍ଧୁତା ହେଇଗଲା । ରାଜକୁମାର ଚଢେଇକୁ ବୁଝେଇ ସୁଝେଇ ନିଜ ରାଜମହଲକୁ ନେଇ ଆସିଲେ । ଚଢେଇଟି ମଧ୍ୟ ରାଜକୁମାରଙ୍କ ପ୍ରେମରେ ଅନ୍ଧ ହେଇ ରାଜକୁମାରଙ୍କ ସହିତ ରାଜମହଲରେ ରହିବାକୁ ରାଜି ହେଇ ରାଜକୁମାରଙ୍କ ସହିତ ଚାଲିଆସିଲା ନିଜର ଅତି ପ୍ରିୟ ଫୁଲ ବଗିଚାକୁ ଛାଡ଼ି । ରାଜକୁମାର ଚଢ଼େଇ ପାଇଁ ରାଜମହଲରେ ଏକ ସୁନାର ପଞ୍ଜୁରୀ ଗଢ଼ିଦେଲେ । ସୁନା ଚଢେଇକୁ ଖୁବ ଯତ୍ନରେ ରଖିଲେ । କିନ୍ତୁ ରାଜମହଲରେ ରହୁଥିବା କିଛି ଖଳ ଲୋକ ସୁନା ଚଢେଇକୁ ବୋହୁତ ହଇରାଣ କଲେ । ତା ଦେହରେ କଣ୍ଟା ଫୁଟାଇ ତାକୁ କ୍ଷତାକ୍ତ କଲେ । ରାଜକୁମାର ରାଜମହଲରେ ନଥିବା ସମୟରେ ଉକ୍ତ ଖଳ ପ୍ରକୃତିର ଲୋକମାନେ ସୁନା ଚଢେଇର ଖାଦ୍ୟକୁ ବଦଳାଇ ଦେଉଥିଲେ । ଯେଉଁ ଖାଦ୍ୟ ସୁନା ଚଢ଼େଇ କେବେବି ଖାଉନଥିଲା ସେଇ ପ୍ରକାର ଖାଦ୍ୟ ତାକୁ ଦେଉଥିଲେ ।ଚଢେଇଟି ସେଇ ଖାଦ୍ୟ ନଖାଇଲେ ତାକୁ ସେଇ ଖଳ ଲୋକମାନେ ବୋହୁତ କଷ୍ଟ ଦେଉଥିଲେ ।


ସୁନା ଚଢେଇଟି ବିକଳରେ ,ଭୟରେ ସେଇ ଖାଦ୍ୟକୁ ଖାଇଦେଉଥିଲା । ଏମିତି ଘଟଣା ପାଇଁ ଚଢେଇଟି ଧୀରେ ଧୀରେ ଦୁର୍ବଳ ହେଇପଡ଼ିଲା । ଏସବୁ କଥା ରାଜକୁମାର ଜାଣିପାରିଲେ । ସେଇ ଖଳ ଲୋକଙ୍କୁ ଦମନ କରିବାକୁ ଚେଷ୍ଟା କଲେ । କିନ୍ତୁ ସୁନା ଚଢ଼େଇ ଜାଣିଥିଲା ଯେ ସେଇ ଖଳ ଲୋକମାନେ ରାଜକୁମାରଙ୍କର ଅତି ନିଜ ଲୋକ । ସେଥିପାଇଁ ସେ ବାରମ୍ବାର ରାଜକୁମାରଙ୍କୁ ଅନୁରୋଧ କରୁଥିଲା ଯେ ସେଇ ଖଳ ଲୋକଙ୍କୁ କ୍ଷମା କରିଦେବାପାଇଁ ଆଉ ତାଙ୍କର କିଛି କ୍ଷତି ନକରିବା ପାଇଁ । ରାଜକୁମାର ସୁନା ଚଢେଇର ଅନୁରୋଧ ରକ୍ଷା କରି ଚୁପ ରହୁଥିଲେ । ତଥାପି ସେଇ ଖଳ ଲୋକମାନେ ଚଢ଼େଇଟିକୁ କାଠି ଖେଞ୍ଚୁଥିଲେ । ଚଢେଇକୁ ବୋହୁତ କଷ୍ଟ ହେଉଥିଲା ,ସେ କଷ୍ଟରେ ଚିତ୍କାର କରୁଥିଲା । ଏସବୁ ଦେଖି ରାଜକୁମାର ସେଇ ଖଳ ଲୋକଙ୍କଠାରୁ ଧୀରେ ଧୀରେ ଦୁରେଇଗଲେ । ଖଳ ଲୋକମାନେ ରାଜକୁମାରଙ୍କ ଦୁରତାକୁ ଅନୁଭବ କରିପାରିଲେ କିନ୍ତୁ ଏସବୁ ପାଇଁ ସେମାନେ ସେଇ ସୁନା ଚଢେଇଟିକୁ ଦୋଷ ଦେଲେ । ସେଥିପାଇଁ ସମସ୍ତଙ୍କ ଅଜାଣତରେ ସେମାନେ ଉକ୍ତ ଚଢେଇକୁ ବୋହୁତ ଯନ୍ତ୍ରଣା ଦେଲେ । ଚଢେଇଟି ଧୀରେ ଧୀରେ ଖୁବ ଅସହାୟ ହୋଇପଡିଲା । ରାଜମହଲ ଛାଡ଼ି ନିଜ ଫୁଲ ବଗିଚାକୁ ଫେରିଯିବାକୁ ପ୍ରସ୍ତୁତ ହେଲା । ହେଲେ ଏ କଣ ସୁନା ଚଢେଇଟି ନିଜ ଫୁଲ ବଗିଚାକୁ ଫେରିଯିବାକୁ ଉଦ୍ୟମ କରିବା ସମୟରେ ନିଜେ ରାଜକୁମାର ଆସି ତାର ଡେଣାକୁ କାଟିଦେଲେ ।

ସୁନା ଚଢ଼େଇ କ୍ଷତାକ୍ତ ହେଇ ପଡ଼ିରହିଲା । ରାଜକୁମାର ଆସି ଚଢେଇର କ୍ଷତ ସ୍ଥାନରେ ମଲମ ଲଗାଇଦେଲେ । ଏସବୁ ଦେଖି ସୁନା ଚଢ଼େଇ ରାଜକୁମାରଙ୍କୁ ପ୍ରଶ୍ନ କଲା - ନିଜେ ନିଜ ହାତରେ ମୋ ଡେଣା କାଟି ପୁଣି ନିଜେ ନିଜ ହାତରେ ମୋ କ୍ଷତ ସ୍ଥାନରେ ମଲମ ଲଗାଇବାର ମାନେ କଣ ? ରାଜକୁମାର କହିଲେ - ତତେ ଛାଡି ବଞ୍ଚିବା ମୋ ପକ୍ଷରେ ଅସମ୍ଭବ । ସେଥିପାଇଁ ତୋ ଡେଣା କାଟିଦେଉଛି ଯାହା ଫଳରେ ତୁ ଆଉ ଉଡିପାରିବୁ ନାହିଁ କି ମତେ ଛାଡ଼ି କୁଆଡେ ଯାଇପାରିବୁ ନାହିଁ । ହେଲେ ଚଢେଇର କଷ୍ଟ ଦିନକୁଦିନ ବଢ଼ୁଥିଲା । ସେଇ ଖଳ ଲୋକଙ୍କ କବଳକୁ ସେ ମୁକ୍ତି ଚାହୁଁଥିଲା । ଏପଟେ ରାଜକୁମାରଙ୍କର ଏପରି ଉଦ୍ୟମ । କଣ କରିବ ବିଚରା କିଛି ଭାବିପାରୁନଥିଲା । ଏମିତି ଦିନକୁଦିନ ସେ ଦୁର୍ବଳ ହେଇଯାଉଥିଲା । ପଞ୍ଜୁରୀ ଭିତରେ ତାକୁ ବୋହୁତ ଅଣନିଶ୍ଵାସି ଲାଗୁଥିଲା । ସେ ମୁକ୍ତି ଚାହୁଁଥିଲା । ସେଇ ଖଳ ଲୋକଙ୍କଠାରୁ ମୁକ୍ତି । କିନ୍ତୁ ସେ ନିରୁପାୟ ।ଦିନେ ସେ ବହୁତ ଥକିଯାଇଥିଲା । ରାଜକୁମାରଙ୍କ ମୁହଁକୁ ବିକଳରେ ଚାହିଁଲା ।ରାଜକୁମାର ତାର କଅଁଳ ଦେହକୁ ଟିକେ ଆଉଁସି ଦେଲେ ।ରାଜକୁମାରଙ୍କ କଅଁଳ ସ୍ପର୍ଶରେ ସେ ସୋଇପଡ଼ିଲା । ରାତି ପାହି ସକାଳ ହେଲା । ସୁନା ଚଢେଇର କିଚିରିମିଚିରି ଆଉ ଶୁଭୁନି । ରାଜକୁମାର ଦୋୖଡି ଆସି ଦେଖିଲେ ସୁନା ଚଢେଇଟି ନିଘୋଡ଼ ନିଦରେ ସବୁଦିନ ପାଇଁ ସୋଇଯାଇଛି । ତା ଆଖିରୁ ଦୁଇଧାର ଲୁହ ବୋହିଯାଇଛି । ସେଇ ଖଳ ଲୋକମାନେ ତା ପାଖରେ ବସି ଛଳନା ଭରା ଲୁହ କେଇ ବୁନ୍ଦା ଢାଳୁଛନ୍ତି ।


Rate this content
Log in