Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sachidananda Kar

Tragedy

4.0  

Sachidananda Kar

Tragedy

ସମୟର ଖେଳନା

ସମୟର ଖେଳନା

2 mins
238



    ସମୟ ବିଦ୍ରୂପ କରୁଥିଲା । 

    ବାରଣ୍ଡା ଗ୍ରୀଲ୍ ପାଖରୁ ପଛକୁ ଫେରିଲା ସେ । ସମୟକୁ ସାମ୍ନା କରିବାକୁ ସାହସ ଜୁଟାଇ 

ପାରିନଥିଲା । 

    - " ବାପା ! ଆଜି ଯେମିତି ହେଲେ ମୋ ପାଇଁ ଖେଳନା ଆଣିଦବ । " ଝିଅ କହିଲା । 

    ହଠାତ୍ ବାପାର ମନରେ ଖୁସିର କ୍ଷୀଣ ରେଖାଟିଏ ଝଲସି ଉଠିଲା । - " ବଜାର ବନ୍ଦ । ଦୋକାନ ବନ୍ଦ । କେଉଁଠୁ ତୋ ପାଇଁ ଖେଳନା ଆଣିବି ? " ସେ କହିଲା । 

    - " ସବୁବେଳେ ତ ତୁମେ ସେଇକଥା କହୁଛ । " ଝିଅ ବିରକ୍ତିରେ କହିଲା । ସୁଁ ସୁଁ ହୋଇ କାନ୍ଦିଲା । 

    ଝିଅକୁ ସାଙ୍ଗରେ ନେଇ ଦେଖେଇ ଦେବାକୁ ଇଚ୍ଛା କଲା ବାପା । ଲକ୍ ଡାଉନ୍ । ଝିଅ ଆଡୁ ମୁହଁ ଫେରାଇ ସେ ପଛକୁ ବୁଲି ଚାହିଁଲା । 

    ସମୟ ବିଦ୍ରୂପ କରୁଥିଲା । 

    ସେ ପୁଣି ବୁଲିପଡି ଝିଅର ମୁହଁକୁ ଚାହିଁଲା । ଝିଅର ଆଖିରେ ତା'ର କଥା ସବୁ ମିଛ ସାବ୍ୟସ୍ତ ହୋଇ ସାରିଥିଲା । 

    ଏବେ ତା'ର ମୁହଁରେ ଛଳଛଳ ନିରବତା ହିଁ ଥିଲା । 

    - " ମୋର ଆଜି ଖେଳନା ଦରକାର । " ଝିଅ ପୁଣି କହିଲା । ବ୍ୟସ୍ତ ସ୍ୱରରେ । 

    - " ବାହାରେ ବାୟା ବୁଲୁଛି । ଛୋଟ ବଡ,ଧନୀ ଗରିବ, ଜାତି ଅଜାତି - କିଛି ମାନୁନି ସେ । କ'ଣ କରିବି ତୁ କହ ? " ସେ କହିଲା । ବୁଝାଇବା ଭଙ୍ଗୀରେ । 

    - " କ'ଣ ସେ ବାୟାର ନାଁ ? " ସାମାନ୍ୟ ରାଗିଯାଇ ପଚାରିଲା ଝିଅ । 

    - " କରୋନା । " ବାପା ଉତ୍ତର ଦେଲା । 

    - " ମିଛ କହୁଛ ତୁମେ । ଏ ପୁଣି ନୂଆ ବାୟା ଆସିଲା କୁଆଡୁ ?ତୁମେ ତ ମୋତେ କକ ବାୟା, ନାନା ବାୟା, କୋକୁଆ ବାୟା କଥା କୁହ । ଏ ସବୁ ତୁମର ମୋତେ ଖେଳନା ନ ଦେବାର ଫନ୍ଦି ଫିକର । ମୁଁ ଜାଣେ । " ଝିଅ ରୋକଠୋକ ଶୁଣେଇ ଦେଲା । 

    ବାପାର ଅକଲ ଗୁଡୁମ୍ । ଅସହାୟତା ଝୁଣି ଖାଇଲା । ଝିଅ ଆଡୁ ମୁହଁ ଫେରାଇ ସେ ପଛକୁ ବୁଲି ଚାହିଁଲା ପୁଣି । 

    ସମୟ ବିଦ୍ରୂପ କରୁଥିଲା । 

    ଏ ହେଉଛି ଦିନ ମଜୁରିଆ ହେବାର ଅଭିଶାପ । ସେ ମନକୁମନ କହିଲା । ତା'ର ମନେହେଲା ସମୟ ହାତରେ ସେ ଖେଳନା ପାଲଟି ଯାଇଛି । ତା' ଆଖିରେ ଲୁହ ଆସିଗଲା । ଏକଥା ସଙ୍ଗେସଙ୍ଗେ ସେ ଝିଅକୁ କହିଦେବାକୁ ଚାହିଁଲା । ହେଲେ କହି ପାରିଲାନି । 

    - " ତୁମେ ମିଛ କହୁଛ,ବାପା । ତୁମେ ମିଛୁଆ । " ଆଗତୁରା କହିଦେଲା ଝିଅ । 

    ଦିନ ମଜୁରିଆ ଜଣେ ତା'ର ଝିଅକୁ କେବେ ସତ କହିପାରେ କ'ଣ !

    - " ଘରେ ରୁହନ୍ତୁ - - - - - ସୁରକ୍ଷିତ ରୁହନ୍ତୁ । "

    ଟିଭିରୁ ଭାସି ଆସୁଥିଲା ଏଇ ସ୍ୱର । ସେଆଡକୁ ଚାହିଁ ଅନ୍ୟମନସ୍କ ହୋଇଗଲା ଝିଅ । 

    ମନକୁ ସାନ୍ତ୍ୱନା ଦେଇ ପଛକୁ ବୁଲି ଚାହିଁଲା ବାପା । 

    - " ହା - ହା - ହା - । " ସମୟ ବିଦ୍ରୂପ କରୁଥିଲା । 



Rate this content
Log in

Similar oriya story from Tragedy