Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jagatabandhu Mohapatra

Inspirational Tragedy

5.0  

Dr Jagatabandhu Mohapatra

Inspirational Tragedy

କଳଙ୍କିତ ପିତୃତ୍ଵ

କଳଙ୍କିତ ପିତୃତ୍ଵ

5 mins
14.3K


· ଡାଃ ଜଗତବଂଧୁ ମହାପାତ୍ର

ମାର୍ଗଶୀର ମାସର ଏକ ଶୀତୁଆ ସକାଳ I ସେଦିନ ଡାକ୍ତରଖାନାରେ ବିଶେଷ ଗହଳି ଚହଳି ନ ଥାଏ I ଡାଃ ସୁବ୍ରତ ଦୈନିକ ଖବର କାଗଜ ଉପରେ ମନ ନିବେଶ କରିଥାନ୍ତି I ହଠାତ୍ ଆଟେଣ୍ଡାଟ ସପନା ଜଣକୁ ସାଙ୍ଗରେ ଧରି ଡାକ୍ତର ଚାମ୍ବର ଭିତରକୁ ପଶିଆସି କହିଲା, ସାର୍, ମାଗୁଣି ଭାଇ ମୋର ଜଣେ ଦୂର ସର୍ମ୍ପକୀୟ ବଂଧୁ I ତା’ ଛୁଆଟାକୁ ଟିକେ ଦେଖନ୍ତୁ, ସାର୍ I


ଡାଃ ସୁବ୍ରତ ସଙ୍ଗେ ସଙ୍ଗେ ପିଲାଟାକୁ ଦେଖିଲେ I ପିଲାଟା ବହୁତ ଦୁର୍ବଳ ଥିଲା I ତା’ ପେଟଟା କିନ୍ତୁ ଫୁଲିଯାଇଥିଲା ଓ ହାତ, ଗୋଡ ସରୁ ଥିଲା I ସପନାର ସର୍ମ୍ପକୀୟ ବଂଧୁ ହୋଇଥିବା ଯୋଗୁଁ ପାଖରେ ଥିବା ସାମ୍ପୁଲ ଔଷଧ ବି ତାକୁ ଦେଲେ ଏବଂ ତାକୁ ନିୟମିତ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଲେ I ପୋଷଣଯୁକ୍ତ ଖାଦ୍ୟ ତିଆରି କରିବାର ପ୍ରଣାଳୀ ବି ବତେଇ ଦେଲେ I ମୁଣ୍ଡକୁ ତଳକୁ ପୋତି ସବୁ ଶୁଣୁଥିଲା ମାଗୁଣି ; ଆଉ ମଝିରେ ମଝିରେ ମୁଣ୍ଡ ଟୁଙ୍ଗାରି ହଁ ବି କରୁଥିଲା I


ଡାକ୍ତରଙ୍କ କଥା ଶେଷ ହେବା ପରେ ଅତି ଧିର ସ୍ଵରରେ ମାଗୁଣି କହିଲା-ସାର୍, ସବୁବେଳେ ଖାଇବାକୁ ଦବାକୁ ମୋ ପାଖରେ ପଇସା ଆସିବ କୁଆଡୁ ? ମୁଁ ତ ଜନ୍ମରୁ ଗରିବ I ପରିବାର ପାଇଁ ଦିନକୁ ଦି ବେଳା ଖାଇବା ଯୋଗାଡ କରିବା, ମୋ ପାଇଁ ଏକ କଠିନ କାମ I ଡାଃ ସୁବ୍ରତ କହିଲେ, ଠିକ୍ ଅଛି, ମୋ ଠାରୁ ଆସି ପ୍ରତି ମାସରେ କିଛି ଟଙ୍କା ନେଇଯିବ I କିନ୍ତୁ ଏ ପିଲା ବଞ୍ଚିବାକୁ ହେଲେ, ତା ପାଇଁ ପୋଷଣଯୁକ୍ତ ଖାଦ୍ୟ ନିହାତି ଦରକାର I ସେଦିନ ବି ୩୦୦ ଟଙ୍କା ତା’ ହାତରେ ଧରାଇଦେଇଥିଲେ, ଡାଃ ସୁବ୍ରତ I ମନ ଆନନ୍ଦରେ ଡାକ୍ତରଙ୍କ ପାଦ ଛୁଇଁ ମାଗୁଣି ସେଦିନ ତା’ ଛୁଆକୁ ନେଇ ଚାଲିଯାଇଥିଲା I


କଥାରେ ଅଛି,-ମାଘ ମାସରେ ବାଘ ପରି ଶୀତ ମାଡି ଆସେ, କିନ୍ତୁ ଏ ବର୍ଷ ଜମା ଶୀତ ନ ଥିଲା, କହିଲେ ଚଳେ I ଶୀତ ଋତୁ ଚାଲିଛି, ବୋଲି କିଛି ବି ଅନୁଭୂତ ହେଉ ନଥିଲା I କେମିତି ବା ହବ ? ସବୁ କିଛି ତ ବଦଳି ଯାଇଛି I ଚାଷ ଜମିରେ ବିରାଟ ଅଟ୍ଟାଳିକାମାନ ଠିଆ ହୋଇଛି I କଳକାରଖାନା ଓ ଗାଡି ମଟରର ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି I ସଭ୍ୟତା ବଦଳିଛି ; ଆଉ ଆଗକୁ ମଧ୍ୟ ଆଗେଇ ଚାଲିଛି I ଲୋକମାନଙ୍କର ବି ଅନେକ ପରିବର୍ତ୍ତନ ହୋଇଛି I ପ୍ରାଚ୍ୟ ସଂସ୍କୃତିରୁ ପାଶ୍ଚାତ୍ୟ ସଂସ୍କୃତି ଆଡକୁ ଗତି କରୁଛନ୍ତି, ସମସ୍ତେ I କିନ୍ତୁ ଆଉ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଗାଁରେ, ସହରରେ, ସହରରେ ଥିବା ବସ୍ତିରେ; ସମସ୍ତେ ଆଜି ଯଦୁବଂଶୀଙ୍କ ପରି ସୋମରସ ପାନ କରିବାରେ ଅତ୍ୟନ୍ତ ଆଗ୍ରହୀ I ଯଦୁବଂଶ ଧ୍ଵଂସ ହେଲା ପରି ଏ ସମାଜ ମଧ୍ୟ ଧ୍ଵଂସ ପଥରେ ଆଗେଇ ଚାଲିଛି, ଆଗକୁ ....ଆଗକୁ I


ହଠାତ୍ ତାଙ୍କ ଭାବନାରେ ପୂର୍ଣ୍ଣଛେଦ ପକାଇ ଡାଃ ସୁବ୍ରତଙ୍କ ଚାମ୍ବରକୁ ସେଦିନ ପଶି ଆସିଲା, ମାଗୁଣି I ବେଶ ଫୁର୍ତ୍ତି ଥାଏ I ମନଟା ବି ବହୁତ ଖୁସି ଥିବା ପରି ଲାଗୁଥାଏ I ଡାଃ ସୁବ୍ରତ ପଚାରିଲେ, ପୁଅ ଦେହ କେମିତି ଅଛି ? ମାଗୁଣି କହିଲା, ସାର୍ ବହୁତ ଭଲ ଅଛି I ଆପଣ ତ ଆମ ପାଇଁ ସାକ୍ଷାତ ଭଗବାନ I ଆପଣଙ୍କ ଦୟାରୁ ସେ ବହୁତ ଭଲ ଅଛି I ଏଇଟା ମାଗୁଣିର ପ୍ରତି ମାସର ଅଭ୍ୟାସ, ଏମିତି କହିବା ଏବଂ ଡାଃ ସୁବ୍ରତଙ୍କ ଠାରୁ ଟଙ୍କା ନେବା I


ପ୍ରତି ମାସରେ ମାଗୁଣି ହାତରେ ଟଙ୍କା ଧରାଇଦେବା ପରେ ଆତ୍ମତୃପ୍ତିରେ ପୁରି ଉଠୁଥିଲେ, ଡାଃ ସୁବ୍ରତ I ଯାହା ହେଉ,ସେ ପିଲାଟା ସୁସ୍ଥରେ ଥାଉ I ସେ ପିଲାଟା ପ୍ରତି କେମିତି ଏକ ଆକର୍ଷଣରେ ବାନ୍ଧି ହୋଇ ପଡିଥିଲେ, ସେ I


ନିପଟ ମଫସଲ ଅଞ୍ଚଳର ଏଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଃ ସୁବ୍ରତଙ୍କର ଚାକିରୀ କରିବାର ୭ ମାସ ହୋଇଗଲାଣି I ବିଭାଗର ଏକ ଟ୍ରେନିଂରେ ୪ ଦିନ ପାଇଁ ବାହାରକୁ ଯାଇଥିଲେ I ସେଦିନ ସନ୍ଧ୍ୟାରେ ଫେରିଥାନ୍ତି I ରାତ୍ରି ଭୋଜନ ସାରି ଶୋଇବାର ଉପକ୍ରମ କରୁଥାନ୍ତି, ଡାଃ ସୁବ୍ରତ I ଏତିକିବେଳେ ବାହାରେ କିଛି ଲୋକଙ୍କର କୋଳାହଳ ଶୁଣIଗଲା I ତା’ ପରେ କେହି ଜଣେ ତାଙ୍କ କବାଟରେ ଆଘାତ ଦେଲା ଓ ଡାକ୍ତରବାବୁ ବୋଲି ଡାକିବାରୁ ନିଜର ଅନିଚ୍ଛା ସତ୍ତ୍ୱେ କବାଟ ଖୋଲିଲେ, ଡାଃ ସୁବ୍ରତ I


ବାହାରେ କିଛି ଲୋକ ମାଗୁଣିକୁ ଅଚେତ ଅବସ୍ଥାରେ ଏକ ଟ୍ରଲି ରିକ୍ସାରେ ନେଇ ଆସିଥାନ୍ତି I ସଙ୍ଗେ ସଙ୍ଗେ ନିଜର ପୋଷାକ ପିନ୍ଧି ଡାକ୍ତରଖାନାକୁ ବାହାରି ପଡିଲେ, ଡାଃ ସୁବ୍ରତ I


ପରୀକ୍ଷା କରିବା ପରେ ଡାଃ ସୁବ୍ରତ ଜାଣିବାକୁ ପାଇଲେ ଯେ, ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେ ଅଚେତ ହୋଇ ପଡିଛି I କାଳ ବିଳମ୍ବ ନ କରି ଆନୁସଙ୍ଗିକ ଚିକିତ୍ସା ଆରମ୍ଭ କଲେ I ୩/୪ ଘଣ୍ଟା ପରେ ମାଗୁଣିର ଚେତା ଫେରିବାକୁ ଲାଗିଲା I


ସକାଳୁ ଆସି ଡାଃ ସୁବ୍ରତ ଦେଖିଲେ, ମାଗୁଣି କ୍ରମଶଃ ସୁସ୍ଥ ହୋଇ ଉଠୁଛି I ଡାଃ ସୁବ୍ରତ ପଚାରିଲେ, ମାଗୁଣି ତମେ ମଦ ପିଉଛ ? ମାଗୁଣି କିଛି ନ କହି କେବଳ ଜଳ ଜଳ ହୋଇ ଡାଃ ସୁବ୍ରତଙ୍କ ମୁହଁକୁ ଅନେଇ ରହିଲା I ପୁଣି ଡାଃ ସୁବ୍ରତ କହିଲେ, ଏମିତି ଯଦି ମଦ ପିଇବା, ତମେ ଜାରି ରଖିବ, ତା’ ହେଲେ ଭବିଷ୍ୟତରେ ଏଥିଯୋଗୁଁ ତମେ ଯେ ଦିନେ ମୃତ୍ୟୁବରଣ ନ କରିବ ! ସେ କଥା କିଏ କହିବ ?


ମାଗୁଣି କିଛି ନ କହି କେବଳ ଡାଃ ସୁବ୍ରତଙ୍କର ମୁହଁକୁ ଅନେଇ ରହିଥାଏ I ତା’ ଆଖିରୁ ୨ ଧାର ଲୁହ ଗଡି ଆସିଲା I ଡାଃ ସୁବ୍ରତ ମାଗୁଣି ମୁଣ୍ଡ ଉପରେ ହାତ ଥୋଇ କହିଲେ, ଶୁଣ ଏ ସମସ୍ୟାର ସମାଧାନ ଅଛି I ଯଦି ଏ ଅଭ୍ୟାସ କରିଛ, ତା’ ହେଲେ ତାକୁ କେମିତି ଛାଡିବ, ତାର ବାଟ ମୁଁ ବତାଇଦେବି, ବ୍ୟସ୍ତ ହୁଅନା I


ଆଚ୍ଛା ମାଗୁଣି ତୁମ ପୁଅ ଦେହ କେମିତି ଅଛି ? ପଚାରିଲେ, ଡାଃ ସୁବ୍ରତ I ମାଗୁଣି ଭୋ ଭୋ ହୋଇ କାନ୍ଦି ଉଠିଲା I ବେଡରୁ ଓହ୍ଲାଇ ଡାଃ ସୁବ୍ରତଙ୍କ ଗୋଡ ଦିଟାକୁ ଜାବୁଡି ଧରି କହିଲା, ସାର୍, ମୋର ମରିଯିବା ଉଚିତ Iମୁଁ ଗୋଟେ ମଣିଷ ନୁହେଁ I ମୁଁ ଗୋଟେ ରାକ୍ଷସ I ଆପଣଙ୍କ ଠାରୁ ସବୁ ମାସରେ ନେଉଥିବା ଟଙ୍କାରେ ମୁଁ ମଦ ପିଇଦିଏ, ସାର୍ I ମୋର ଭୁଲ ହୋଇଯାଇଛି, ସାର୍ I


ଡାଃ ସୁବ୍ରତ ଅବାକ ହୋଇରହିଗଲେ I ଆଶ୍ଚର୍ଯ୍ୟ ହେଲେ I ଯୋଉ ମାଗୁଣିକୁ ପ୍ରତି ମାସରେ ତା’ ପୁଅ ପାଇଁ ଟଙ୍କା ଦେଲା ବେଳେ ନିଜ ମନ ଆତ୍ମତୃପ୍ତିରେ ପୁରି ଉଠୁଥିଲା; ଆଜି ମାଗୁଣି କଥା ଶୁଣି ଡାଃ ସୁବ୍ରତଙ୍କ ମନ ଆତ୍ମଗ୍ଲାନିରେ ଭରିଗଲା I


ଏତିକି ବେଳେ ସପନା ଧଇଁସଇଁ ହୋଇ ମାଗୁଣିର ବେଡ ପାଖରେ ଆସି ପହଞ୍ଚିଲା ଓ କହିଲା-ମାଗୁଣିରେ ସବୁ ସରିଗଲାରେ-ସବୁ ସରିଗଲା I ଆଜି ସକାଳୁ ତୋ ପୁଅ ସୁକୁଟା ମରିଗଲା I ସାରିଆଟା ଖାଲି ଭୁଇଁ ସାଉଁଟି କାନ୍ଦୁଥିବାର କଥା ତମ ଗାଁ ବେନୁଆ ଆସି କହୁଥିଲା I ନା-ବୋଲି ଚିତ୍କାର କରି ଖୁବ ଜୋରରେ କାନ୍ଦି ଉଠିଲା, ମାଗୁଣି I


ଡାଃ ସୁବ୍ରତଙ୍କର ପାଦକୁ ଧରି କହିଲା, ମୁଁ ଶପଥ କରୁଛି, ଆପଣଙ୍କ ପାଦ ଛୁଇଁ, ମୁଁ ଆଉ କେବେ ବି ମଦକୁ ଛୁଇଁବିନି I ଆପଣ ମୋର ଭଗବାନ I ଆପଣଙ୍କ କଥାକୁ ମୁଁ ଅମାନ୍ୟ କଲି, ଆଉ ତା’ର ଫଳ ମଧ୍ୟ ପାଇଲି I ଆଉ ମଦକୁ ମୁଁ କେବେ ବି ଛୁଇଁବିନି I ଏତିକି କହି କାନ୍ଦି କାନ୍ଦି ନିଜ ଘର ଆଡକୁ ଦୌଡି ଚାଲିଥିଲା, ମାଗୁଣି I


ମାଗୁଣିର ଯିବାବାଟକୁ ଅନେଇ ରହିଥିଲେ, ଡାଃ ସୁବ୍ରତ I ମନେ ମନେ ଭାବୁଥିଲେ, ଏଭଳି ଅମାନବୀୟ କାମ, ଜଣେ ବାପ ହୋଇ ମାଗୁଣି କରି ପାରିଲା, କେମିତି ? ସତରେ ନିଶା ରାକ୍ଷସ କେବେ ଆମ ସମାଜରୁ ଦୂରେଇ ଯିବ ? ଏ ସମାଜ କେବେ ସୁସ୍ଥ ହେବ ? କେବେ ସେ ସୁଦିନ ଆସିବ ? ନଚେତ ଏହିଭଳି ମାଗୁଣି ମାନେ ନିଶା କବଳରେ କବଳିତ ହୋଇ ନିଜର ପିତୃତ୍ଵକୁ କଳଙ୍କିତ କରିଚାଲୁଥିବେ I

ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


Rate this content
Log in

Similar oriya story from Inspirational