କାଳୀ
କାଳୀ
"ସାବି ନାନୀ" ଆଜି ପୁଣି ଘର କୋଣରେ ବସି ଘୁମୁରୀ ଘୁମୁରୀ କାନ୍ଦୁଛି।ଆଜି ଆଉ ଥରେ ନିରାଶାର ସମୁଦ୍ର ତା ଚାରିପାଖକୁ ମାଡି ଆସି ତା ମିଠା ସ୍ୱପ୍ନକୁ ଲୁଣିଆ କରି ଦେଇଗଲା।ଯେମିତି ସେ ଗଭୀର ନଦୀର ଭଉଁରୀ ଭିତରେ ବୁଡି ଯାଉଛି।ଥଳ କୁଳ ପାଉନି।ଖାଲି ବିକଳ ଚିତ୍କାର କରୁଛି
ବଞ୍ଚାଅ....
ବଞ୍ଚାଅ.....
"ସର ମାଉସୀ "ଆଖିରୁ ଲୁହ ଶୁଖୁନି ସାବି ନାନୀ ପାଇଁ।କେତେ ଦିଅଁ ଦେବତାକୁ ପୂଜା କରୁଛି।ଉପବାସ, ଓଷା,ବ୍ରତ ବର୍ଷ ସାରା ରଖୁଛି କିନ୍ତୁ ଠାକୁରେ ଏଯାଏଁ ତା ଡାକ ଶୁଣୁନାହାନ୍ତି।ହଁ ସେ ବି କଣ କରିପାରିବ ??
ପ୍ରତିଥର କୁଣିଆ ଆସିବା ପୂର୍ବରୁ ଠାକୁରଙ୍କ ପାଖରେ ଅଧିଆ ପଡ଼େ । କୁଣିଆଙ୍କୁ "ନ ତିଅଣ ଛ ଭଜା"ପରସି ଦିଏ । ହେଲେ କୁଣିଆ ମାନେ ସାବି ନାନୀକୁ ଦେଖିବା ପରେ ବଡ଼ ଚମତ୍କାର ଢଙ୍ଗରେ ଉତ୍ତର ଦିଅନ୍ତି ।
-ଆମେ ଘରକୁ ଗଲା ପରେ କଥା ବାର୍ତ୍ତା ହୋଇ ,ମଧ୍ୟସ୍ଥିଙ୍କୁ ଜଣାଇବୁ ଓ ସେ ଆପଣଙ୍କୁ ଜଣାଇଦେବେ ।
"ରାଧୁ କାକା "ଉତ୍କଣ୍ଠାର ସହ ଅନେଇ ରହିଥାନ୍ତି । ବେଳେ ବେଳେ ମଧ୍ୟସ୍ଥି ଜବାବ ଦେବାକୁ ଚାରି ପାଞ୍ଚ ଦିନ ଗଡେଇ ଦିଅନ୍ତି ।ସେଇତକ ଦିନ ସଭିଏଁ ଆଶା ବାନ୍ଧି ବସି ରହିଥାନ୍ତି ।
ଅନେକ ଥର ଏମିତିକା ଜବାବ ଆସିଛି....
-ଝିଅ ତାଙ୍କ ମନକୁ ଗଲା ନାହିଁ।
ବାସ୍.... ଗୋଟେ ପରିବାର ଅଦିନିଆ ଝଡ଼ ପରି ଭାଙ୍ଗି ପଡେ଼ । ବାପା ଓ ମା ...ସାବି ନାନୀକୁ ବି ଦୁଇପଦ ଶୁଣାଇ ଦିଅନ୍ତି।
-ଆଲୋ ସେ ତୋତେ ଯେତେବେଳେ ତୋ ବିଷୟରେ ପଚାରିଲେ, ତାଙ୍କୁ କହିଲୁ କି ନାହିଁ ତୁ କମ୍ପୁଟର ଚଳେଇ ଜାଣିଛୁ।
-ସିଲେଇ ବି ଶିଖିଛୁ।
ସାବି ନାନୀ ରାଗି ଯାଏ।
କହେ...
-ହଁ ସବୁ କହିଛି...
ମୋତେ ପଚାରିଲେ ସିନା କହିବି ।
-ମୁଁ କଣ ଚାକିରୀ ପାଇଁ ଇଣ୍ଟରଭିଉ ଦେଉଥିଲି କି ?
ସାବି ନାନୀ ଚିଡି ଚିଡି ହୁଏ...
ଯା ...
ତୁମେ ମାନେ ମୋ ପଛରେ ଆଉ ପଡ଼ନି।
ମୁଁ ଆଉ ବାହା ହେବିନି।
ସାବି ନାନୀକୁ ବୟସ ପଞ୍ଚ ତିରିଶ ଛୁଇଁ ସାରିଲାଣି । ମୁହଁର ତେଜ ବି ମଳିନ ପଡ଼ିଲା ପରି ଲାଗିଲାଣି ।
ବାର ବରଷ ହେଇ ଗଲାଣି ,ବର ଖୋଜା ଚାଲିଛି ।
ସେହି ଚିନ୍ତାରେ ତାର ଆଖି ଚାରି ପାଖକୁ ଲାଗି ରହୁଥିବା ଚମ ଗୁଡିକ କଳା ପଡି ତାର କୃଷ୍ଣ ରଙ୍ଗକୁ ଆହୁରି କ୍ଷତିଗ୍ରସ୍ତ କରି ଦେଉଛି ।।ବ୍ରଣ ବି ଗାଲରେ ଅନେକ ଜାଗାରେ ଉଠି ସାବି ନାନୀର ଶୋଭାକୁ କମେଇ ଦେଉଛି । ବୟସର ଛାପ ବି ବାରି ହେଇ ଗଲାଣି । ଯେତେ ଶ୍ନୋ ,ପାଉଡର ,କ୍ରିମ୍ ମାଖିଲେ ବି କିଛି ଲାଭ ହେଉନି ।
ବଡ଼ ଭଉଣୀର ବାହାଘର ହେଇ ପାରୁନି ,ସେଥିପାଇଁ ତେତିଶ ବର୍ଷ ପାରି ହୋଇ ସାରିଥିବା ସାନ ଭାଇ "ବାବୁନା "ବି ବାହା ହେଇ ପାରୁନି। ସାବି ନାନୀ ଅନେକ ଥର କହିଛି ,ବାବୁନାକୁ ବାହା କରେଇ ଦିଅ । ମୋର ନହେଲେ ନହେଉ । ଅବା ଯେବେ ହେଉଛି ହେଉ । ମୋ ପାଇଁ କାହିଁକି ବିଚରା ଅଭିଆଡା ରହିବ ?
କିନ୍ତୁ ସର ମାଉସୀର ଏକା ଜିଦି ପ୍ରଥମ ଝିଅ ବାହାଘର ହେବ ।
ସାବି ନାନୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ତିନି କଳା । କିନ୍ତୁ ଏହି ଉଚ୍ଚ କଳା ଯୋଗ୍ୟତା ତାର କଳା ଶରୀରକୁ କିଛି ସାହାଯ୍ୟ କରି ପାରୁ ନାହିଁ। ଯେଉଁ ଲୋକେ ବାହାଘର ପ୍ରସ୍ତାବ ନେଇ ଆସନ୍ତି ,କହନ୍ତି ସବୁ ଠିକ୍ ଯେ ହେଲେ ଝିଅର ରଙ୍ଗ ଟା............!!!!
ଆଉ କେହି କେହି କହନ୍ତି....
ହଁ ଭଲ ଚାକିରୀ ବାକିରୀ ଗୋଟେ କରିଥିଲେ କଣ ଗୋଟେ ଆଡ଼ଜଷ୍ଟ କରି ହୁଅନ୍ତା....
କିନ୍ତୁ ଝିଅ ଯେ କେବଳ ପ୍ଲସ ଥ୍ରୀ ପାସ୍ କରିଛି ଆଉ କିଛି ନାହିଁ।
ଆଉ କିଛି ବରଙ୍କ ପୂଜ୍ୟ ପିତା କାଳୀ ଝିଅ ସାବି ନାନୀକୁ ବହୁ କରି ନେବା ପାଇଁ ଅଜସ୍ର ସମ୍ପତି ରାଧୁ ମଉସାକୁ ମାଗିଛନ୍ତି । କିନ୍ତୁ ଏତେ ଟଙ୍କା ଯେ ସେ କୋଉଠୁ ଆଣିବେ ? ଭାରତ ଭଳି ଗ୍ରାମୀଣ ଦେଶରେ ଗୋଟେ ଝିଅ ସ୍ନାତକ ଶିକ୍ଷା ସମାପ୍ତ କରିବାଟା ବି ଏ ସମାଜକୁ ଖୁସି କରାଇ ପାରିନାହିଁ ।
ଏ ସମାଜକୁ ତ କେବଳ ଗୋରା ରଙ୍ଗ ହିଁ ପସନ୍ଦ ।
ଯେମିତି କଳା ରଙ୍ଗ ନେଇ ଜନ୍ମ ହେବା ଏକ ମସ୍ତବଡ଼ ଅପରାଧ । ସମାଜର ବଡ଼ ବଡିଆ ଜ୍ଞାନୀ ,ସଭା- ସମିତିରେ ଲମ୍ବା ଚଉଡ଼ା ଭାଷଣ ଦେଉଥିବା ଶିକ୍ଷକ, ଭଦ୍ରଲୋକ,ସମାଜ ସେବୀ ,ସମାଜ ସୁଧାରକ ମାନେ ବି ସେୟା । ନିଜେ କେବେ ହେଲେ କଳା ରଙ୍ଗର ଝିଅକୁ ବାହା ହେବେନି କି ବହୁ କରି ଘରକୁ ଆଣିବେ ନାହିଁ । କିନ୍ତୁ ବଡ଼ ବଡ଼ ଭାଷଣ ଖାଲି ଦେବେ ।
ମୁଁ ଥରେ ସେମିତି ଜଣେ ଭଦ୍ରଲୋକଙ୍କୁ ଭେଟିଲି । ତାଙ୍କ ନା ତପନ । ଲୋକେ ତାଙ୍କୁ ତପନ ନନା ବୋଲି ଡାକନ୍ତି । ତପନ ନନାଙ୍କ ବୟସ ଛତିଶ । ଜଣେ ଧର୍ମ ପରାୟଣ ଲୋକ ବୋଲି ସମସ୍ତେ କହନ୍ତି । ପିତାଙ୍କର ଅଜସ୍ର ସମ୍ପତି । ପୁତ୍ର କିନ୍ତୁ ଜ୍ଞାନ ମାର୍ଗି ।।ଚାରିଆଡେ ତାଙ୍କର ନାଁ । ଭଲ ପ୍ରବଚନ ଦିଅନ୍ତି । କଳା ଠାକୁର ଜଗନ୍ନାଥ ଆଉ କଳା କଳେବର କନ୍ହେଇ ,ମାନେ କୃଷ୍ଣଙ୍କ ଉପରରେ ସେ ସୁନ୍ଦର କଥା ଆଉ ଯୁକ୍ତି ଉପସ୍ଥାପନ ବି କରନ୍ତି । ଥରେ ତାଙ୍କ ପ୍ରବଚନରେ ଜଗନ୍ନାଥର କଳା ରଙ୍ଗର ମହତ୍ତ୍ୱ ତଥା କଳା ରଙ୍ଗର ଉପକାରିତା ବିଷୟରେ ବୁଝାଉଥିଲେ ।
ସଭା ସରିବା ପରେ ମୁଁ ତାଙ୍କୁ ସାବି ନାନୀ ବିଷୟରେ କହିଲି । ଆଜ୍ଞା । ଆପଣ ହିଁ ସାବି ନାନୀ ପାଇଁ ଉପଯୁକ୍ତ ବର ପାତ୍ର । ଆପଣଙ୍କ ପରି ଜ୍ଞାନୀ ଆଉ ସମାଜ ସଂସ୍କାରକ ହିଁ ଆମ ସମାଜକୁ ଦରକାର ।
ସେ ମୋତେ କଣକୁ ଡାକିନେଇ କହିଲେ । ଦେଖୁଛ ମୁଁ କେତେ ଗୋରା । ମୁଁ ଯଦି ସାବିକୁ ବିବାହ କରେ ଲୋକେ କଣ କହିବେ ।
କାଉ ଆଉ ବଗ କଣ ସମାନ ହେଇ ପାରିବେ ।
ଯଦି ଭବିଷ୍ୟତରେ ସନ୍ତାନ କି ସନ୍ତତି କଳା ରଙ୍ଗର ହେଲା.....!!!!!
ମୁଁ ପଚାରିଲି...
-ପ୍ରବଚନରେ ତ ଏତେ ଲମ୍ବା ଭାଷଣ ଦେଉଥିଲ ଯେ ??
-ହଁ ପ୍ରବଚନରେ ସେମିତି କହିଦେଲି ସିନା ବାସ୍ତବରେ କଣ କେହି ଜାଣି ଶୁଣି ଗୋଟେ କାଳୀ ଝିଅକୁ ବାହା ହେବ??
ମୋତେ ବି ପ୍ରଶ୍ନ କଲେ....
-ତମେ କଣ ଗୋଟେ ତ୍ରୀପଣ୍ଡ କାଳୀ ଝିଅକୁ ବାହା ହେଇ ପାରିବ????
ହଁ ସତେ ତ .....!!!!!
କାଳୀ ଝିଅଙ୍କ ଚାହିଦା ଏ ସମାଜରେ ଏତେ କମ୍...!!!!!
ସମସ୍ତେ ଗୋରୀ ଝିଅ ଖୋଜନ୍ତି ।
ଚଳଚିତ୍ର ଗୁଡିକରେ ନାୟିକା ହେଉ କି ନିଉଜ ଆଙ୍କର ,ମଡେଲ ପାଇଁ ହେଉ କି ସୌନ୍ଦର୍ଯ୍ୟ ବର୍ଧକ ସାମଗ୍ରୀ ଗୁଡ଼ିକର ବିଜ୍ଞାପନ ହେଉ ସବୁ ଠି ତ ଗୋରୀ ଝିଅଙ୍କ ଚାହିଦା ।
ଚାକିରୀ ଆଉ ପଦୋନ୍ନତି କ୍ଷେତ୍ରରେ ବି ଗୋରୀ ମାନେ କାଳୀ ମାନଙ୍କ ଠାରୁ ଆଗୁଆ ।
କେତକ ପୁଅ ତ ଗୋରୀ ଝିଅ ବାହା ହେବା ଆଶାରେ ଅବିବାହିତ ରହିଯାନ୍ତି । କିନ୍ତୁ ତାଙ୍କର ଏକାନ୍ତ ଇଚ୍ଛା ,ବାହା ହେବୁ ତ ଗୋରୀ ଝିଅକୁ । ସତରେ ଏ ସମାଜ ଯେତେ ଶିକ୍ଷିତ ହେଲେ ବି କଳା ରଙ୍ଗକୁ ଇତ୍ତର ତଥା ନୀଚ୍ଚ ଦୃଷ୍ଟିରେ ଦେଖି ଆସୁଛି ।
ସେଥିପାଇଁ ତ ....
ପ୍ରତିବାଦର ରଙ୍ଗକୁ କଳା କରି ଗଢ଼ି ତୋଳିଛି । ଅରାଜି ଏବଂ ଅସମର୍ଥନ ରଙ୍ଗକୁ କଳା ବୋଲି ମାନିଛି । ନିଜ ମନରେ ଥିବା ଅହଂ ଭାବକୁ ବଳି ନଦେଇ କଳା ଗଞ୍ଜା ଆଉ କଳା ବୋଦା ଦେବୀ ପାଖରେ ବଳି ଦେଉଛି । କଳା ରଙ୍ଗକୁ ହୀନ ଭାବି ରାଜପଥର ମାର୍ଗ ଗୁଡିକର ରଙ୍ଗ କଳା କରିଛି । ଗାଡ଼ିର ଚକ ଗୁଡିକ ରଙ୍ଗ କଳା କରିଛି । କାଉକୁ ପଞ୍ଜୁରୀରେ ନ ରଖି ଶୁଆକୁ ରଖିଛି । କଳାକୁ କୁଚରିତ୍ର ଲୋକଙ୍କ ରଙ୍ଗ ଦର୍ଶାଇ ନାଟକ,ଅପେରା,ଚଳଚ୍ଚିତ୍ର ଗୁଡିକରେ ଖଳ ଅଭିନେତା ତଥା ଅଭିନେତ୍ରୀଙ୍କୁ କଳା ରଙ୍ଗର ପୋଷାକରେ ସଯାଇଛି । କଳାକୁ ଅନ୍ଧକାରର ଆଉ ଅଶୁଭର ପ୍ରତୀକ ସଯାଇଛି । କେବେ ବି ନିଜ ଗୃହକୁ କଳା ରଙ୍ଗରେ କେହି ରଙ୍ଗେଇ ଥିବାର ଆପଣ ମାନେ ଦେଖି ନଥିବେ ।
ଛୋଟ ଛୁଆଙ୍କ ମଥାରେ ବଡ଼ ବଡ଼ କଳା ଟୀକା ଏମିତ କିଛି ଅଜବ ବିଶ୍ୱାସରେ ଆମେ ଲଗାଉଛେ ...
କଳା ଟୀକା ଲଗାଇଲେ କୁଦୃଷ୍ଟି ପଡିବନି । କଳା କୁରୂପ ଆଉ କୁରଙ୍ଗ ତେଣୁ ଏଥିରେ ଥିବା ବିଯୁକ୍ତ ଶକ୍ତି ହିଁ ଖରାପ୍ ନଜରରୁ ରକ୍ଷା କରିବ ।
କଳା ରଙ୍ଗକୁ ନେଇ ଆମ ସମାଜରେ ଯେଉଁଠି ଏତେ ବୈମାତୃକ ମନୋଭାବ ଭ ଅଛି,ସେଇଠି ଆମେ କାଳୀ ଝିଅଟିକୁ କିପରି ବାହା ହେବା ପାଇଁ ମନ ବଳାଇବା । କେବଳ କାଳୀ ଗାଈର ଦୁଧ ମିଠା । କଳାପଟା ଆମ ଜୀବନକୁ ବଦଳାଇ ଦିଏ । ଏହିପରି କେତୋଟି ପ୍ରଶଂସା ତଥା ।
ନାଚ ,ଗୀତ,ଅଭିନୟ, ବାଦ୍ୟଯନ୍ତ୍ର ଆଦି ଗୁଡିକରେ ନିପୁଣତା ରଖୁଥିବା ଲୋକଙ୍କୁ କଳାକାର କହି ଏ ସମାଜ କାହିଁକି କଳା ଶବ୍ଦ ପ୍ରତି ଦୟା କରୁଛି?
କଣ କଳା ରଙ୍ଗକୁ ...କଣ କଳା ରଙ୍ଗକୁ ଏତେ ଲୋକ ହସା କରାଇବା ପରେ ଟିକେ ସାନ୍ତ୍ଵନା ଦେବାପାଇଁ । ତାର ମନକୁ ବୁଝାଇବା ପାଇଁ ।
ସାବି ନାନୀ ପରି କାଳୀ ଝିଅ ଯେପର୍ଯ୍ୟନ୍ତ ଆମ ସମାଜରେ ଅବିହାଡି ହୋଇ ରହୁଥିବେ ,ସେ ପର୍ଯ୍ୟନ୍ତ ଆମେ ଗାଁ ପେଣ୍ଡାଲରେ ମାତା କାଳୀଙ୍କୁ ପୂଜା କରିବା କେବେ ହେଲେ ଶୋଭାନୀୟ ନୁହେଁ ।
ବିଚାର ଆପଣଙ୍କର.......
✍ବଳରାମ ବାରିକ।©