Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ-94
ଜହ୍ନମାମୁଁ-94
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    19


Content Ranking

ବିହଙ୍ଗ କଥା - ୧

ବିନ୍ଧ୍ୟ ପର୍ବତରେ ଗୋଟାଏ ଆକାଶଚୁମ୍ବୀ ଅର୍ଜୁନ ଗଛ ଥିଲା । ସେ ଗଛରେ ଏକ ବିଚିତ୍ର ପକ୍ଷୀ ବାସ କରୁଥିଲା । ଅତି ଉଜ୍ଜ୍ୱଳ ସୁନାରଙ୍ଗର ପର ଓ ନାଲି ଚଂଚୁ, ପ୍ରକୃତରେ ପକ୍ଷୀଟି ଅତି ସୁନ୍ଦରଦେଖା ଯାଉଥିଲା । ମୟୂର ପୁଚ୍ଛଭଳି ତା’ର ଦୀର୍ଘ ପୁଚ୍ଛ । ବିଭିନ୍ନ ରଙ୍ଗରେ ସୁନ୍ଦର ଦିଶୁଥିଲା । ବେଳେବେଳେ ସେ ପକ୍ଷୀ ଜନବସତିକୁ ଆସି କୌଣସି ଏକ ଉଚ୍ଚ ଗଛ ଶାଖାରେ ବସି ମଧୁର ସଙ୍ଗୀତ ଗାନ କରୁଥିଲା ଓ ସଦୁପଦେଶମାନ ଦେଉଥିଲା । ଲୋକେ ଅତି ଆଗ୍ରହରେ ସେ ପକ୍ଷୀର ଆଗମନକୁ ଅପେକ୍ଷା କରୁଥିଲେ । ସେ ପକ୍ଷୀ ଆସିଲେ ଖୁସିହୋଇ ଦେଖୁଥିଲେ ଓ ତାଙ୍କୁ ପୂଜା ବି କରୁଥିଲେ । ଲୋକେ ପକ୍ଷୀର ଏଭଳି ଗୁଣ ଜାଣି ତାକୁ “ପ୍ରଭୁ ପକ୍ଷୀ” ବୋଲି କହୁଥିଲେ ।

ସେ ରାଜ୍ୟର ରାଜା ବିକ୍ରମ କେଶରୀ ସୁବର୍ଣ୍ଣପୁରରେ ରାଜଧାନୀ କରି ରାଜୁତି କରୁଥିଲେ । ମହାରାଜ ବହୁଚେଷ୍ଟା ସତ୍ତ୍ୱେ ସେ ପକ୍ଷୀକୁ ଦେଖିପାରି ନ ଥିଲେ । ହୁଏତ ସେ ଅଦ୍ଭୁତ “ପ୍ରଭୁ ପକ୍ଷୀ” ମହାରାଜଙ୍କୁ ଦେଖାଦେବାପାଇଁ ଚାହୁଁ ନଥିଲା । ତେଣୁ ତାଙ୍କ ଆସିବା ଖବର ଶୁଣି ସେ ବହୁ ଉଚ୍ଚ ଆକାଶକୁ ପବନ ବେଗରେ ଉଡିଯାଇ ଅଦୃଶ୍ୟ ହେଉଥିଲା । ପକ୍ଷୀଟିର ବିଚିତ୍ର କଥାସବୁ ଶୁଣି ବିକ୍ରମ କେଶରୀଙ୍କ ଆଗ୍ରହ କ୍ରମେ ବଢିଲା । ସେ ଘୋଷଣା କଲେ ଯେ, ଯିଏ ସେହି ପ୍ରଭୁ ପକ୍ଷୀକୁ ଧରିଆଣି ପାରିବ, ତାକୁ ସେ ଏକସହସ୍ର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବେ ।

ସୁବର୍ଣ୍ଣପୁରର ଉପକଣ୍ଠରେ ବେଦବ୍ରହ୍ମ ନାମକ ଜଣେ ଗରିବ ଲୋକ ତା’ ପରିବାର ସହ ରହୁଥିଲା । ଦିନେ ସେ ପ୍ରଭୁପକ୍ଷୀକୁ ଧରି ରାଜାଙ୍କ ପାଖରୁ ପୁରସ୍କାର ପାଇବ ବୋଲି ଭାବିଲା । ଲୋକଙ୍କୁ ପଚାରି ପଚାରି ବିନ୍ଧ୍ୟ ପର୍ବତମାଳା ଆଡକୁ ସେ ଅଗ୍ରସର ହେଲା । ବେଦବ୍ରହ୍ମ ବହୁ କଷ୍ଟକରି ସେ ପର୍ବତ ଉପରକୁ ଗଲା । ପର୍ବତର ଗୋଟାଏ ଉଚ୍ଚ ଅର୍ଜୁନ ଗଛ ଦେଖି ସେ ସେହି ଗଛମୂଳେ ପହଁଚିଲା । ସେତେବେଳେ ସଂନ୍ଧ୍ୟା ହୋଇ ଆସୁଥିଲା । ଧୀରେ ଧୀରେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ଗଲେ । ସାରା ପର୍ବତ ଓ ପର୍ବତ ତଳ ଜଙ୍ଗଲରେ ରାତିର ଅନ୍ଧକାର ଘୋଡାଇ ହେଲା; କିନ୍ତୁ ପରକ୍ଷଣରେ ପୂର୍ବଦିଗରେ ପୂର୍ଣ୍ଣମୀର ଚନ୍ଦ୍ର ଉଇଁ ଆସିଲା । ଚତୁର୍ଦ୍ଦିଗ ଉଜ୍ଜ୍ୱଳ ଦିଶିଲା ।

ପ୍ରଭୁପକ୍ଷୀ ଉତ୍ତର ଦିଗରୁ ଆକାଶରେ ଉଡିଆସି ତା’ ବସା ଭିତରେ ପଶିଗଲା । ଗଛମୂଳେ ବସି ବେଦବ୍ରହ୍ମ ସେ ସବୁ ଲକ୍ଷ୍ୟ କରୁଥିଲା । କିଛିକ୍ଷଣ ପରେ ହଠାତ୍ ପବନର ଏକ ତରଙ୍ଗ ଖେଳିଗଲା । ସେ ଦେଖିଲା ସେହି ବିଚିତ୍ର ପକ୍ଷୀ ତା’ ସାମନାରେ ଥିବା ଖଣ୍ଡିଏ ପଥର ଉପରେ ବସିଛି ।

ପ୍ରଭୁପକ୍ଷୀ ପଚାରିଲା – “ତୁମେ କିଏ? ମୋ ପାଖକୁ କାହିଁକି ଆସିଛ? ମୋତେ ଧରିନେବା ବୋଧହୁଏ ତୁମର ଉଦ୍ଧେଶ୍ୟ?”

ବେଦବ୍ରହ୍ମ ବିସ୍ମୟରେ ଚାହିଁ ରହିଲା । କ’ଣ କହିବ କିଛି ଭାବିପାରିଲା ନାହିଁ । ପ୍ରଭୁପକ୍ଷୀକୁ ଦେଖି ସେ ମନରେ ଆନନ୍ଦ ଅନୁଭବ କଲା । ସେ ପ୍ରଭୁପକ୍ଷୀକୁ ନମସ୍କାର କରି କହିଲା, “ହେ ମହାତ୍ମା! ତୁମେ କେଉଁ ଯକ୍ଷ ବା କିନ୍ନର ଅଥବା ଦେବତା ପକ୍ଷୀରୂପ ଧାରଣ କରିଛ? ମୁଁ ଜାଣେନା; କିନ୍ତୁ ମୁଁ ଅତି ଦୁଃଖୀ ଓ ଦରିଦ୍ର । ମୋ ନାଁ ବେଦବ୍ରହ୍ମ । ସୁବର୍ଣ୍ଣପୁରର ଚମ୍ପାବତୀ ନଦୀ ତୀରରେ ମୋର ଘର । ଘରେ ଆଠପ୍ରାଣୀ କୁଟୁମ୍ବ । ସଂସାର ଚଳାଇବା ପାଇଁ ସମ୍ବଳ ନାହିଁ । ମୁଁ ଆପଣଙ୍କୁ ଧରିନେଇ ରାଜାଙ୍କ ପାଖରୁ ପୁରସ୍କାର ପାଇବି ବୋଲି ଆସିଛି ।”

ପ୍ରଭୁପକ୍ଷୀ କହିଲା “ବେଦବ୍ରହ୍ମ! ମୁଁ ତୁମ କଥା ବିଶ୍ୱାସ କରୁଛି । ମୋତେ ରାଜ୍ୟର ବହୁ ବୁଦ୍ଧିମାନ ଲୋକ ନାନାବିଧ ଉପାୟ କରି ମଧ୍ୟ ଧରିପାରୁ ନାହାଁନ୍ତି । ମୁଁ ଇଚ୍ଛାକରି ଧରା ନଦେଲେ ମୋତେ କେହିବି ଧରିପାରିବେ ନାହିଁ । ମୁଁ ତୁମ ସହିତ ଯିବି । କିନ୍ତୁ ତା’ଆଗରୁ ତୁମକୁ ମୋର ଗୋଟାଏ ସର୍ତ୍ତ ମାନିବାକୁ ହେବ ।”

ବେଦବ୍ରହ୍ମ ପଚାରିଲା “କୁହନ୍ତୁ । ମୋତେ କ’ଣ କରିବାକୁ ହେବ?”

ବେଦବ୍ରହ୍ମକୁ ପ୍ରଭୁପକ୍ଷୀ ବୁଝାଇ କହିଲା “ମୋତେ ତୁମେ ହାତରେ ଧରିବାକୁ ଚେଷ୍ଟା କରିବ ନାହିଁ । ମୁଁ ତୁମ କାନ୍ଧ ଉପରେ ବସିଥିବି ଓ ତୁମ ସହିତ ରାଜଧାନୀକୁ ଯିବି । ରାସ୍ତାରେ ଗଲାବେଳେ ତୁମକୁ ମୁଁ ଗପ କହିବି । ଗପ ଶେଷରେ ତୁମେ ଦୁଃଖ ପ୍ରକାଶ କଲେ କିନ୍ତିୁ ମୁଁ ଆଉ ଯିବିନାହିଁ । ମୋ ବସାକୁ ଫେରି ଆସିବି । ଯଦି ଗପ ଶୁଣି ମଧ୍ୟ ଦୁଃଖ ପ୍ରକାଶ ନ କରି ତୁମେ ଦୃଢଚିତରେ ଚାଲିଥିବ, ତେବେ ତୁମ କାନ୍ଧରେ ବସିଥିବି ଓ ରାଜାଙ୍କ ହାତରେ ଧରାଦେବି । ବୁଝିଲ ।”

ବେଦବ୍ରହ୍ମ କହିଲା “ଠିକ୍ ଅଛି – ଏହି ସର୍ତ୍ତରେ ମୁଁ ରାଜି ଅଛି ।”

ବିନ୍ଧ୍ୟ ଆକାଶଚୁମ୍ବୀ ବିଚିତ୍ର ପକ୍ଷୀ

Rate the content


Originality
Flow
Language
Cover design

Comments

Post

Some text some message..