ଶେଷ ଓ ଶୋଷ
ଶେଷ ଓ ଶୋଷ
ରାତି ଚାରିଟା । ଅନ୍ଧାର ପ୍ୟାକିଙ୍ଗ କରୁଥିଲା । ତାର ଯିବା ଯିବା ହୋଇ ଗଲାଣି । ଆଲୋକ,ଦିନର ଉପସ୍ଥିତି ତାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ମୂଲ୍ୟହୀନ କରିଦିଏ । ସେଇଥି ପାଇଁ ସେ ଆଲୋକ ଓ ଦିନକୁ ଆଦୌ ସହି ପାରେନି । ସେମାନେ ଆସିବ ପୂର୍ବରୁ ସେ ଚାଲିଯାଏ ତା ଘରକୁ । ଲୁଚି ବସେ ସେମାନେ ଯିବା ପର୍ଯ୍ୟନ୍ତ ।
ଠିକ୍ ସେତିକି ବେଳେ ଧାରେ ଆଲୁଅରେ 'ଦିବା'ର ଘର ଆଲୋକ ମୟ ହୋଇଗଲା ଯଦିଓ ଘରର ବଲ,ଝରକା,ଦ୍ୱାର ସବୁ ବନ୍ଧ ଥିଲା । କେଉଁଠୁ ଆସୁଛି ଏ ଆଲୋକ ! ଆରେ କଣ ସବୁ ଝାପ୍ସା ଦେଖା ଯାଉଛି ସେ ଧାରେ ଆଲୁଅରେ !
କିଏ ତୁମେମାନେ ସେଠି?
ମୁଁ ସ୍ବପ୍ନ
ମୁଁ ଆଶା
ମୁଁ ଖୁସି
ମୁଁ ଆନନ୍ଦ
ମୁଁ ବିଶ୍ୱାସ
ମୁଁ ସେହ୍ନ
ମୁଁ ପ୍ରେମ
ମୁଁ ସମ୍ପର୍କ
ମୁଁ ବନ୍ଧନ
ମୁଁ ମାୟା
ଏବଂ ମୁଁ ଜୀବନ ।
କାହିଁକି ଆସିଛ କହିଲା ଦିବା ? ଯାଅ ମୁଁ ତୁମ ସଙ୍ଗେ କଥା ହେବିନି ।
ଏ କେମିତି କଥା ! ଆମକୁ ଛାଡି ତୁମେ କ୍ଷଣେ ଶ୍ବାସକ୍ରିୟା କରିବା ବି କଷ୍ଟ ହେବ । ନିମିଷେ ବଞ୍ଚି ପାରିବନି ।
ତ............ ମୁଁ ବଞ୍ଚିବାକୁ କହୁଛି କି ତୁମକୁ କହିଲା ଦିବା ।
ହା ହା ହସିଲେ ସେମାନେ ।
ଦିବା..
ଉଁ...
ତୁମେ ମୋ ଚଲା ବାଟର ସାଥି ବଟୋଇଟିଏ ହେବ କି?
ହ୍ଵାଟ !
ହଁ ଦିବା ତୁମେ ହେବ ମୋ ଜୀବନ ସାଥି ! କଣ୍ଠରେ ଆକୁଳତା 'ପ୍ରତ୍ୟୁଷ'ର।
ତୁମେ ଯେ ବିବାହିତ।ସୁରୀ ତୁମ ପତ୍ନୀ ପ୍ରତ୍ୟୁଷ ।
ମୋ ହୃଦୟ ଉପରେ ମୋର କାବୁ ନାହିଁ । ସେ କେବଳ ତୁମକୁ ଭଲ ପାଏ । କହିଲା ପ୍ରତ୍ୟୁଷ । ମିଛ..ମିଛ ଚିତ୍କାର କଲା ଦିବା । ଏତେ ଯଦି ଭଲ ପାଉଥିଲ କାହିଁକି ଛାଡ଼ିଦେଲ ମୋ ହାତ?କାହିଁକି ଆପଣେଇ ନେଲ ସୁରୀକୁ ? କାହିଁକି ଜାଳି ପୋଡି ମାରିଲ ଅନୁତାପ ନିଆଁରେ?
ତା ଛଡା କେମିତି ଭାବି ପାରୁଛ ତୁମେ ପ୍ରତ୍ୟୁଷ,ମୁଁ ରାଜି ହେବି ତୁମ ପ୍ରସ୍ତାବରେ!!ମୁଁ ଜଣେ ନାରୀ।ବୁଝିଛି ସେହ୍ନ,ପ୍ରେମର ଦହନ ଜ୍ବାଳା କେତେ । ତୁମେ କହିବ ଆଉ ମୁଁ ନର୍କ କରିଦେବି ସୁରୀ ଜୀବନ!!ଅନ୍ତତଃ ଏ ଜନ୍ମରେ ଏହା ନିହାତି ଅସମ୍ଭବ । ଚାଲିଯାଅ ଚାଲିଯାଅ ଏ କୁତ୍ସିତ ମନକୁ ନେଇ । ତୁମେ ପ୍ରତାରଣା ଦିନେ ମୋ ସହିତ ଏମିତି କରିଥିଲ ସୁରୀ ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇ।ସୁରୀ ଧନ, ସମ୍ପଦି,ରାଜଧାନୀର କୋଠା ଲୋଭରେ । ଆଜି ପୁଣି କେଉଁ ଲୋଭରେ ମୋ ଦ୍ୱାରସ୍ଥ ବନ୍ଧୁ । ଲଜ୍ଜା ଲାଗୁଛି ମୋତେ ତୁମକୁ ଦିନେ ମୋ ମନ ପ୍ରାଣ ଢାଳି ଦେବାର ସିଦ୍ଧାନ୍ତ ନେଇଥିଲି। ଛିଃ..
ତୋ ମନ ଇଚ୍ଛା ଯା ପାଉଛୁ ତା କହ ଦିବା।ମୁଁ ମୋ ଭୁଲ ପାଇଁ ଅନୁତପ୍ତ । ମୁଁ ଜାଣି ନଥିଲି ସୁରୀ ମୋତେ ଜଳାଇବ ତା ଧାସରେ!ବାଟ ଭୁଲି ଯାଇଥିଲି । ଏବେ ସବୁ ଠିକ୍ କରିଦେବି । ବାହାର କରି ଦେବି ତାକୁ ମୋ ଜୀବନରୁ । ତୋତେ ନେଇ ଗଢିବି ମୋ ଜୀବନର ସୁନ୍ଦର ମହଲ । ଖାଲି ତୁ ରାଜି ହୋଇ ଯା ଦିବା।
ଇସ୍!କି ପ୍ରସ୍ତାବ ପ୍ରତ୍ୟୁଷ।ସତରେ ମୁଁ ଅପେକ୍ଷା କରିଥିଲି ତ ଏଇ ଦିନ.. ମାନେ ତୁ ରାଜି !
ପ୍ରତ୍ୟୁଷ!ତୁମେ ସତରେ ମୋତେ ଭଲ ପାଅ !
ନିଃସନ୍ଦେହ।ଚଟା ପଟ୍ ଥିଲା ଉତ୍ତର ପ୍ରତ୍ୟୁଷର। ବେଶ୍ ପ୍ରତିଜ୍ଞା କର ମୁ ଯାହା କହିବି ମାନିବ? ଦିବାର ପ୍ରଶ୍ନ ।
କହିକି ଦେଖ୍। ଠିକ୍ ଅଛି ସୁରୀ ଧାସ ସହି ତାକୁ ବଦଳାଇବାକୁ ଚେଷ୍ଟା କର । ସେହ୍ନ ପ୍ରେମ ବଳରେ ବାଘ ବସ୍ ଉଠ୍ ହେଉଛି ନା ପ୍ରତ୍ୟୁଷ । ତା ଠୁ କଣ ଭୟଙ୍କର ସୁରୀ! ଖୁସି ସୁରୀ ପାଖରେ ଖୋଜ ପ୍ରତ୍ୟୁଷ । ସେଇଟା ତୁମ ପାଇଁ ଶୁଭଙ୍କର।ପ୍ଲିଜ଼ ସତରେ ଯଦି ମୋତେ ଭଲ ପାଉଥାଅ ଯାଅ ସୁରୀକୁ ଏମିତି ଭଲ ପାଅ ଯେ ସେ ତା ତାତି ଧାସ ଛାଡି ଶୀତଳ ଆଲୋକ ଦେବ । ସେଇ ତୁମ ଠିକଣା ।
ଆହତ ଅଭିମାନରେ ପ୍ରତ୍ୟୁଷ କହିଲା ଦି.. ବା।
ହଁ ପ୍ରତ୍ୟୁଷ!ମୁଁ କୌଣସି ମତେ ଆଉ ଏକ ନାରୀ ଜୀବନର ଦୁଃଖର କାରଣ ହେବାକୁ ଚାହେଁନା । ଚାହେଁନା କା ଭାଗର ସୁଖ ଛଡାଇ ଆଣି ନିଜେ ସୁଖୀ ହେବାକୁ । ଏଇ ସୁଖରେ ଅମୃତ ନୁହେଁ ଖାଲି ଅଶାନ୍ତି,ମନସ୍ତାପ ହିଁ ସାର ହେବ । ମୁଁ ତ ସ୍ବର୍ଗୀୟ ହୃଦୟର ପ୍ରେମ ଚାହିଁଥିଲି । ସେଇତକ ମୋ ଭାଗ୍ୟରେ ଜୁଟିଲା ନାହିଁ।ସୁରୀ ଯଦି ସୁଗୁଣର ଅଧିକାରୀ ହୋଇଥାନ୍ତା ଆଜି କଣ ତୁମେ ମୋ ପାଶକୁ ଫେରିଥାନ୍ତ!!ସତ କୁହ ପାରି ଥାନ୍ତ !
ଦିବା...
ତୁମେ ମୋ ନିଶ୍ଚିନ୍ତ ଭଲ ବନ୍ଧୁ । ଫେରିଯାଅ ସୁରୀ ଜୀବନକୁ,ତୁମ ସଂସାରକୁ। ଦିବା ଏବେ ନିଃସଙ୍ଗତା କୁ ପ୍ରେମ କରି ଶିଖିଲାଣି । ନିଃସଙ୍ଗତାର ଭଲ ପାଇବା ମୋହ ଆଉ ମୁଁ ଏଡାଇ ପାରିବିନି । ସେ ମୋ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବ । ତାକୁ ମୋଠାରୁ ଆଉ କେହି ଛଡାଇ ନେଇ ପାରିବେ ନାହିଁ।ସେ ମୋର ଏକାନ୍ତ ମୋର।ସେ ମୋର ଶେଷ ଓ ଶୋଷ ବି।
ସତ୍ୟବତୀ ସ୍ଵାଇଁ