Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

T.Durga Prasad Rao

Others

4.8  

T.Durga Prasad Rao

Others

ସପ୍ତସ୍ୱର

ସପ୍ତସ୍ୱର

9 mins
821




ଆଜି ପୁଣି ଆସିଲା ଝିଅଟି। ଗ୍ରିଲ୍ କବାଟ ଧଡ଼ ଧଡ଼ କଲା। ଉଚ୍ଚ ସ୍ୱରରେ ତାଙ୍କ ନାଁ ଧରି ଡାକିଲା। ଜତିନ୍ ବାବୁ ଆସି କବାଟ ପାଖରେ ଠିଆ ହେଲେ।

“ମିଷ୍ଟର୍ ଜତିନ୍, ଟିକେ ଆସି ଦେଖନ୍ତୁ ତ, ସ୍କୁଟିଟା ଷ୍ଟାର୍ଟ ହେଉନି କାହିଁକି?”

ପଡ଼ୋଶୀ ଘରେ ଭଡ଼ାରେ ଓହ୍ଲାଇଛନ୍ତି ଡାକ୍ତର ଜଣେ। ପରିବାର କହିଲେ ସମୁଦାୟ ତିନିଜଣ। ଶୁଭେନ୍ଦୁ, ତାଙ୍କ ପତ୍ନୀ ଓ ଉଣେଇଶି ବର୍ଷୀୟ କନ୍ୟାଟିଏ। ନାଁ ତାର ପ୍ରିତିଲେଖା। ଘରେ ସମସ୍ତେ ତାକୁ ଡାକନ୍ତି ଲେଖା। ଲେଖା ଦେଖିବାକୁ ଭାରି ସୁନ୍ଦର। ହସିଲା ହସିଲା ମୁହଁ। ଚଳ ଚଞ୍ଚଳ ଚକ୍ଷୁ। ତା ଠାରୁ ଚଞ୍ଚଳ ତାର ମନ। ଯାହା ଯେତେବେଳେ ଭାବେ, ହେଇଯିବା ଆବଶ୍ୟକ। ନ ହେଲେ ସେଇ ଗୋଟିଏ କଥା ବାରମ୍ବାର ଦୋହରାଉଥିବ। ବାପକୁ ମଧ୍ୟ ମିଷ୍ଟର୍ ଶୁଭେନ୍ଦୁ ବୋଲି ଡାକେ। ଆଉ ଜତିନ୍ ବାବୁ ବା ବାଦ୍ ଯିବେ କେମିତି?

“କାଲି ଠିକ୍ ଥିଲା। ସେଲ୍ଫ୍ ଠିକ୍ କାମ କରୁଥିଲା। ଆଜି କାହିଁକି କେଜାଣି! ମୁଁ ଅନେକ ଥର ଚେଷ୍ଟା କଲି ହେଲେ ଷ୍ଟାର୍ଟ୍ ହେଉନି।” ଜତିନ୍ ବାବୁ ସାର୍ଟ୍ ଗଳେଇ ବାହାରକୁ ଆସିବା ଭିତରେ ସେଇ ଗୋଟିଏ କଥାକୁ ତିନି ଥର ତିନି ପ୍ରକାରରେ ଦୋହରାଇ ସାରିଲାଣି ଲେଖା।

“ଆଚ୍ଛା ହେଉ ଦେଖିବା କଣ ହେଇଛି।” କହି ଜତିନ୍ ବାବୁ ସ୍କୁଟି ପାଖକୁ ଆସିଲେ। ଚାବି ମୋଡ଼ି କ୍ଳଚ୍ ଧରି ଏକ୍ସିଲେରେଟର୍ ରେଜ୍ କରି ଦେଖିଲେ ଗାଡ଼ିଟା ଧକେଇ ହେଇ ରହିଯାଉଛି। ଅଗତ୍ୟା ଗାଡ଼ିର କିକ୍ ମାରି ଷ୍ଟାର୍ଟ୍ କରିବାକୁ ଚେଷ୍ଟା କଲେ। ଦୁଇ ଥର କିକ୍ ଦେଲା ପରେ ଷ୍ଟାର୍ଟ୍ ହେଇଗଲା। ହ୍ୟାଣ୍ଡଲ୍ ଟା ଲେଖାକୁ ଧରେଇ ଦେଇ ଜତିନ୍ ବାବୁ କହିଲେ, “ବୋଧେ ଟିକିଏ ଥଣ୍ଡା ହେଇ ଯାଇଛି ଇଞ୍ଜିନ୍। ଆଉ କିଛି ଅସୁବିଧା ହେବନି।” ହସ ହସ ମୁହଁରେ ଗାଡ଼ିକୁ କିଛି ଦୂର ଗଡ଼େଇ ନେଇ ବାଁ ହାତ ଉପରକୁ ଟେକି ଲେଖା ପାଟିକଲା, “ଥ୍ୟାଙ୍କ୍ ୟୁ ମିଷ୍ଟର୍ ଜତିନ୍, ବାଏ।”

ପ୍ରତ୍ୟୁତ୍ତରରେ “ବାଏ” କହି ଫେରି ଆସିଲେ ଜତିନ୍ ବାବୁ।

ଜତିନ୍ ବାବୁ ପେଶାରେ ଜଣେ ଅଧ୍ୟାପକ। ନିକଟ ମହା ବିଦ୍ୟାଳୟରେ ଗଣିତ ପଢ଼ାନ୍ତି। ବିପତ୍ନିକ। ତିନି ବର୍ଷ ତଳେ ବାହା ଦେଇଛନ୍ତି ପୁଅକୁ। ପୁଅ ବୋହୁ ବର୍ତ୍ତମାନ ବିଦେଶରେ। ଅଧ୍ୟାପକ ମହୋଦୟ ଏକା ରହନ୍ତି ଏତେ ବଡ଼ ଘରଟାରେ। ଏକାକୀତ୍ୱକୁ ସେ ଆଦରି ନେଇ ସାରିଲେଣି ପତ୍ନି ଯିବା ପରଠାରୁ। ମଝିରେ ମଝିରେ ପୁଅ ଫୋନ୍ କରେ ହାନୀ ଲାଭ ବୁଝିବା ପାଇଁ। ପଦେ ଅଧେ। “ବାପା କେମିତି ଅଛନ୍ତି? ଆପଣଙ୍କ ଦେହ ପା ଭଲ ଅଛି ତ? ଏ ବର୍ଷ ଯିବି ବୋଲି ନିଜକୁ ପ୍ରସ୍ତୁତ କରିଥିଲି। କିନ୍ତୁ କଣ କରିବି? କାମ ପ୍ରବଳ, ଯାଇ ହେବ ନାହିଁ।” ଇତ୍ୟାଦି ଇତ୍ୟାଦି। ପୁଅର କଥାରେ ଜତିନ୍ ବାବୁଙ୍କ ମନ ଦୁଃଖ ହୁଏ ନାହିଁ। ଦୁଃଖତକକୁ ସେ ପୁଟୁଳି କରି ହୃଦୟ ଭିତରେ ଗୋଟିଏ କୋଣରେ ଫିଙ୍ଗି ଦେଇଛନ୍ତି, ପତ୍ନି ସ୍ୱର୍ଗବାସୀ ହେଲା ପର ଠାରୁ। ସେ ଦୁଃଖଠାରୁ ଆଉ କେଉଁ ଦୁଃଖ ତାଙ୍କୁ ବଳେଇ ଯାଆନ୍ତା? ମରୁଭୂମିରେ କେରାଏ କଣ୍ଟାଗଛ ପରି ତାଙ୍କ ଛାତ୍ରଛାତ୍ରୀମାନେ ଆଶ୍ୱାସନା ଭରନ୍ତି ଜୀବନରେ। ଆଉ ସେଇ କୋଳାହଳରୁ ମୁହଁ ଫେରାଇ ଯେତେବେଳେ ଘରେ ପହଞ୍ଚନ୍ତି ଦୀର୍ଘଶ୍ୱାସଟିଏ ବାହାରି ଆସେ ତାଙ୍କ ନାସିକାରୁ। ଭାଙ୍ଗି ପଡ଼ିବାର ବୟସ ନୁହେଁ ଜତିନ୍ ବାବୁଙ୍କର। ଶରୀର ତାଙ୍କ ବେଶ୍ ହୃଷ୍ଟପୁଷ୍ଟ। ନିଦା ନିଦା ବ୍ୟାୟାମ କରା ଅବୟବ। ରୋଜ୍ ସକାଳେ ଉଠି ମର୍ଣ୍ଣିଙ୍ଗ୍ ୱାକ୍ କରନ୍ତି। ଘରୁ ସମୁଦ୍ର କୂଳ, ପୁଣି ସମୁଦ୍ର କୂଳରୁ ଘର ଯାଏଁ। ସମୁଦ୍ରର ଉର୍ମିମାଳା ପରି ମନ ମସ୍ତିଷ୍କରେ ଢେଉ ଖେଳେ ବେଳେ ବେଳେ। ପତ୍ନିଙ୍କ ସ୍ମୃତିରେ। ସେଇତକ ହିଁ ତ ଅବଶେଷ ପାଥେୟ ତାଙ୍କ ଜୀବନରେ! ଏବେ ତାଙ୍କୁ ଚଉବନ ବର୍ଷ ବୟସ। ଆଗକୁ ଆଉ କେତେ ବର୍ଷ ଏ ଜୀବନର ଭାର ସମ୍ଭାଳିବାକୁ ହେବ କିଏ ଜାଣେ? ଥରେ ଥରେ ଭାବନ୍ତି, ଚାକିରୀ ଥିବା ଯାଏଁ ସିନା ସେ ଚଳେଇ ନେଇ ପାରିବେ, ହେଲେ ତା ପରେ? ଏକାକିତ୍ୱ ନିଶ୍ଚୟ ମାଡ଼ିବସିବ ତାଙ୍କୁ। କାରଣ ପୁଅର ସ୍ଥାୟୀଭାବେ ଜନ୍ମମାଟିକୁ ଫେରିବାର କୌଣସି ସୁଯୋଗ ସେ ତିଆରି ପାରୁନଥିଲେ। ଏବେ ଏବେ ତାଙ୍କୁ ଜଣା ପଡ଼ୁଥିଲା ଏ ନ୍ୟୁକ୍ଳିୟର୍ ଫ୍ୟାମିଲି କନ୍ ସେପ୍ଟ୍ ସତରେ କେତେ କଷ୍ଟଦାୟକ। ପରିବାର ବିଭାଜନ ମଣିଷକୁ ତାର ବୟସର ଅପରାହ୍ନରେ କେତେ ଅସହାୟ କରି ତୋଳେ!

ଲେଖା ଯେ କେତେବେଳେ ତାଙ୍କ ଶୁଷ୍କ ଜୀବନରେ ନବ କିଶଳୟ ହୋଇ ଅଙ୍କୁରି ଉଠିବ ଏକଥା ତାଙ୍କ ଗଣିତ ପାଠର ହିସାବ କିତାବରେ ନ ଥିଲା। ସେଦିନ ଲେଖା ଆସି ବସିଲା ତାଙ୍କ ସାମ୍ନାରେ। ପଚାରିଲା, “ଆପଣ ପିଆନୋ ବଜାଇ ଜାଣନ୍ତି?” ଜତିନ୍ ବାବୁ ବଲ ବଲ ହୋଇ କିଛି ସମୟ ତା ମୁହଁକୁ ଚାହିଁଲେ। ଶୁଣି ପାରିଲେ ନାହିଁ ଭାବି ପୁଣି ଥରେ କଥା ଦୋହରାଇଲା ଲେଖା। “ନା” ଜତିନ୍ ବାବୁଙ୍କ ସଂକ୍ଷିପ୍ତ ଉତ୍ତର। “ଆପଣଙ୍କୁ କେବେ ସେମିତି ଇଚ୍ଛା ହେଇଛି ପିଆନୋଟିଏ ଆପଣଙ୍କର ଥାନ୍ତା, ସବୁ ସ୍ୱର ତୋଳି ବେଝିଝକ୍ ବଜାନ୍ତେ ସକାଳୁ ସଂଜ ଯାଏ ତନ୍ମୟ ହୋଇ।” ଜତିନ୍ ବାବୁ ଲେଖା ମନର ଉତ୍କଣ୍ଠାକୁ ତାର ଆଖି ଦେଇ ପଢ଼ିବାକୁ ଚେଷ୍ଟା କଲେ। “ସଙ୍ଗୀତ ପ୍ରତି ମୋର କୌଣସି ଋଚି ନାହିଁ। ମୁଁ ବ୍ଳାକ୍ ବୋର୍ଡ୍ ରେ ତ୍ରିଭୁଜ, ଚତୁର୍ଭୁଜ, ବୃତ୍ତ ଆଙ୍କିବା ମଣିଷ।” ଲେଖା କୁରୁଳି ଉଠି ନିଜର ଦୁଇ ହାତ ପାପୁଲିକୁ ଖୋଲି ରଖିଲା ଜତିନ୍ ବାବୁଙ୍କ ସାମ୍ନାରେ। “ଆରେ ଦିଅନ୍ତୁନା ତାଳି।” କିଛି ନ ବୁଝିଲେ ବି ଜତିନ୍ ବାବୁ ତାର ପାପୁଲିକୁ ନିଜ ପାପୁଲିରେ ସ୍ପର୍ଶ କରି ଅନେଇ ରହିଲେ ତା ଆଡ଼କୁ। “ଆମ ଦୁହିଁଙ୍କ ଋଚି କେମିତି ମିଶି ଯାଉଛି ଦେଖିଲେ? ମୋର ବି ଇଚ୍ଛା ନାହିଁ। ତିଳେ ମାତ୍ର ଇଚ୍ଛା ନାହିଁ। ହେଲେ ଦେଖନ୍ତୁ ନା ମମି କେମିତି ମୋ ପାଇଁ କେଉଁଠୁ ଗୋଟେ ମ୍ୟୁଜିକ୍ ଟିଚର୍ ଯୋଗାଡ଼ କରିଛି। ମୁଁ ପୁଣି ସାରେଗାମା ଶିଖିବି।” ଲେଖା ଝାଉଁଳି ପଡ଼ି ଡାହାଣ ହାତ ପାପୁଲିକୁ ନିଜ ଗାଲ ଉପରେ ରଖିଲା। ଜତିନ୍ ବାବୁ ପଚାରିଲେ,

“ହଠାତ୍ ତୁମ ମମିଙ୍କ ମନରେ ଏ ସଙ୍ଗୀତ ଭୁତ କିଏ ପୁରେଇଲା?”

“ନା, ନା ହଠାତ୍ ନୁହେଁ। ଏ ଭୁତ ମମିଙ୍କ ସାଙ୍ଗରେ ବହୁ ଆଗରୁ ଅଛି। ତାଙ୍କ ଶୈଶବରେ ସେ ହାର୍ ମୋନିୟମ୍ ଶିଖୁଥିଲେ। ଏଇଟା ତାଙ୍କର ସୌକ୍। ସେଇ ସୌକ୍ ପୂରଣ ପାଇଁ ଅଜା ତାଙ୍କୁ ବିବାହ ସମୟରେ ଏକ ଇଲୋକ୍ଟ୍ରୋନିକ୍ ପିଆନୋ ଦେଇଥିଲେ ଉପହାର ସ୍ୱରୂପ। ସେ ନିଜେ ତ ଏ ପର୍ଯ୍ୟନ୍ତ ରାଗ ତାଳ ଠିକ୍ ରୂପେ ଧରି ପାରିନାହାନ୍ତି । ଏବେ ମୋ ଜରିଆରେ ତାଙ୍କ ସ୍ୱପ୍ନ ପୂରଣ କରିବାର ଅପଚେଷ୍ଟା ଚଳେଇଛନ୍ତି।”

“ଇଏ କଣ ତମର ପ୍ରଥମ ସଙ୍ଗୀତ ଶିଖିବା? ଆଗରୁ କେବେ ଶିଖିନାହଁ?”

“କିଏ କହିଲା ପ୍ରଥମ? ଶିଖିଛି। ହେଲେ ଏବେ କିଛି ଆଉ ମନେ ନାହିଁ। ଅନିଚ୍ଛା ସତ୍ତ୍ୱେ ଶିଖିଲେ ଯାହା ହୁଏ। ପୁଣି ଏବେ ମୂଳରୁ ଶିଖିବାକୁ ପଡ଼ିବ।”

ଟିକିଏ ବିସ୍ମୟ ଭାବ ପ୍ରକଟ କରି ଜତିନ୍ ବାବୁ କହିଲେ, “ସେମିତି କେମିତି ଭୁଲିଗଲ? ଟିକେ ଧରିଲେ ପୁଣି ମନେ ପଡ଼ିଯିବ ଯେ।”

“ହଉ ଦେଖାଯାଉ” କହି ସେଇ ଯେ ଗଲା ପୁଣି ଆସିଲା ସପ୍ତାହେ ପରେ ଏକ ଚମକ୍ ପ୍ରଦ ଖବର ଧରି।

“ମିଷ୍ଟର୍ ଜତିନ୍, ଆପଣ ଜାଣନ୍ତି, ସେ ଯେଉଁ ମ୍ୟୁଜିକ୍ ଟିଚର୍ କଥା କହୁଥିଲି?”

“ହଁ, କ’ଣ ହେଲା? ଆସିଲା ନା ଆସିଲାନି?”

“ଆସିଲେ। ପୂରା ସମୟାନୁବର୍ତ୍ତୀ ବରଂ କୁହନ୍ତୁ ସମୟ ପୂର୍ବରୁ ପହଞ୍ଚିଯାଆନ୍ତି। ସପ୍ତାହରେ ଦୁଇଦିନ। ଶନିବାର ଆଉ ରବିବାର। ଆଜି କଣ କଲେ ଜାଣିଛନ୍ତି?”

“କ’ଣ? ଜତିନ୍ ବାବୁ ଉତ୍ସୁକତାର ସହ ଚାହିଁଲେ ଲେଖା ମୁହଁକୁ।

“ଆଜି ମୋତେ କର୍ଡ୍ ସ୍ ଶିଖାଉଥିଲେ। ମୁହଁରେ କହିଲେ ହବନି? C-E-G ଚାପି ଧରିବି କି ତାର ଇନ୍ ଭର୍ସ କର୍ଡ୍ G-C-E?”

“ତ?”

ଜତିନ୍ ବାବୁଙ୍କ କାନ ପାଖକୁ ଆସି ଲେଖା କହିଲା, “ମୋ ବାଁ ହାତ ପାପୁଲି ଉପରେ ତାଙ୍କର ପାପୁଲି ରଖିଲେ। ତାଙ୍କ ଅଙ୍ଗୁଳିରେ ଚାପି ମୋତେ ଦେଖାଇଲେ କେଉଁ କେଉଁ କି (key) ଚାପି ଧରିବି?” ଏତିକି କହିଦେଇ ପୁଣି ଥରେ ସାମ୍ନା ସୋଫାକୁ ଘୁଞ୍ଚିଗଲା ଲେଖା।

ଜତିନ୍ ବାବୁଙ୍କ ମୁହଁ ବିବର୍ଣ୍ଣ ଦିଶିଲା। ସେ ଅନେକ କ୍ଷଣ ଚୁପ୍ ଚାପ୍ ବସିଲେ। ପାଟିରୁ ତାଙ୍କର କିଛି କଥା ବାହାରିଲା ନାହିଁ। ଲେଖା ତା ମୁହଁର ଗାମ୍ଭୀର୍ଯ୍ୟ ଭାଙ୍ଗି କହିଲା, “ଦେଖିଲେ ନା ଏତିକି କହିବା ମଧ୍ୟରେ ମୁଁ କେତେ ଝାଳେଇ ପଡ଼ିଛି? ଆପଣ ଅନୁମାନ କରି ପାରୁଥିବେ ମୋ ଅବସ୍ଥା ସେତେବେଳେ କ’ଣ ହେଇଥିବ? ଆପଣ ଗଲେ, ମୋ ପାଇଁ ପିଇବା ପାଣି ଟିକେ ଆଣିବେ। ନା, ଆପଣ ବସନ୍ତୁ। ମୁଁ ନିଜେ ପିଇନେବି।” ଲେଖା ସୋଫାରୁ ଉଠି ଫ୍ରିଜ୍ ପାଖକୁ ଗଲା।

କିଛି ଦିନ ଜତିନ୍ ବାବୁ ଭାରି ଅଶ୍ୱସ୍ତି ବୋଧ କଲେ। ତାଙ୍କୁ କିଛି ଭଲ ଲାଗୁନଥିଲା। କେହି ବି ଭଲ ଲାଗୁନଥିଲେ। ନା ଲେଖା ନା ସେ ମ୍ୟୁଜିକ୍ ଟିଚର୍। ତାଙ୍କର ଇଚ୍ଛା ହେଉଥିଲା ମ୍ୟୁଜିକ୍ ଟିଚର୍ କୁ ଦେଖିଲା କ୍ଷଣି ଗୁଳି କରିଦେବେ। କିନ୍ତୁ କାହିଁକି? ତାଙ୍କର ସେଥିରେ ଯାଏ ଆସେ କେତେ? ଲେଖା ବୁଝିବ, ତାର ବାପାମାଆ ବୁଝିବେ। ଜତିନ୍ ବାବୁଙ୍କର ଏ ସବୁଥିରେ ମୁଣ୍ଡ ପୁରେଇବା କ’ଣ ଦରକାର? ହେଲେ ଲେଖା ତା ବାପାମାଆଙ୍କୁ କହିଛି ତ?

“ମିଷ୍ଟର୍ ଜତିନ୍, ଆପଣ ଏଇଠି ବସିଛନ୍ତି?” ବାଲୁକା ଉପରେ ଗୋଡ଼ ଲମ୍ୱେଇ କଅଁଳିଆ ଖରାର ମଜା ନେଉ ନେଉ ଜତିନ୍ ବାବୁ ପଛରୁ ଶୁଣିଲେ ଲେଖାର କଣ୍ଠସ୍ୱର।

“ମୁଁ ତେଣେ ଆପଣଙ୍କୁ ଖୋଜି ଶୁଣିଲି ମର୍ଣ୍ଣିଙ୍ଗ୍ ୱାକ୍ ରେ ବାହାରିଛନ୍ତି। ଆପଣ କ’ଣ ପ୍ରତିଦିନ ସକାଳେ ଏଇ ସମୁଦ୍ର କୂଳକୁ ଆସନ୍ତି?” ଜତିନ୍ ବାବୁ ମୁଣ୍ଡଟାକୁ ଟୁଙ୍ଗାରି ଦେଇ ପୁଣିଥରେ ଦୂର ଦିଗ୍ ବଳୟକୁ ଚାହିଁ ରହିଲେ। ଲେଖା ଜତିନ୍ ବାବୁଙ୍କ କାନ୍ଧରେ ହାତ ଭରା ଦେଇ ତାଙ୍କୁ ଲାଗି ବସି ପଡ଼ିଲା ବାଲୁକା ଉପରେ। କହିଲା, “ମୋର ଭାରି ଇଚ୍ଛା ମୁଁ ରୋଜ୍ ଆପଣଙ୍କ ସହିତ ମର୍ଣ୍ଣିଙ୍ଗ୍ ୱାକ୍ ରେ ଆସନ୍ତି। ସମୁଦ୍ର କୂଳର ପବନ, ଏ ଉତ୍ତାଳ ଲହରୀମାଳ, ସତେ କି ଆମକୁ କିଛି କହିବାକୁ ଚାହୁଁଛି। ଅଥଚ ନ ଶୁଣିବାରୁ ସେ ଥରକୁ ଥର ଗର୍ଜି ଉଠୁଛି।” ଅଧାରୁ ଜତିନ୍ ବାବୁ କହି ଉଠିଲେ, “ଠିକ୍ ତୁମ ପରି। କେହି ନ ଶୁଣିଲେ ଯେମିତି ବାରମ୍ବାର ଦୋହରାଉଥାଅ କଥାକୁ।” ଲେଖା ହସିଦେଲା ଫିକ୍ କିନା। ଜତିନ୍ ବାବୁ ଟିକିଏ ରହି ପୁଣି କହିଲେ,

“ତାହେଲେ ଆସୁନ କାହିଁକି? ପ୍ରାତଃ ଭ୍ରମଣ ସ୍ୱାସ୍ଥ୍ୟପକ୍ଷେ ହିତକର ଯେ।”

“ଆଉ ମୋ କୋଚିଂ କ୍ଳାସ୍?”

“ଓ... ଆଛା, ଆଜି କେମିତି ଆସିଲ?”

“ଆଜି ର-ବି-ବା-ର ମିଷ୍ଟର୍ ଜତିନ୍।”

“ତାହେଲେ ପ୍ରତି ରବିବାର ତ ଆସି ପାରିବ?”

“ହମମମମ୍... ”

“କ’ଣ ଭାବୁଛ?”

“ଉଁ... ଭାବୁଛି... ସପ୍ତାହରେ ଗୋଟିଏ ଦିନ ମିଳୁଥିଲା, ରବିବାର। ଏଣିକି ରବିବାର ଦିନଟା ବି ଡେରି ପର୍ଯ୍ୟନ୍ତ ଶଯ୍ୟାରେ ପଡ଼ି ରହିବାର ମୋହ ତ୍ୟାଗ କରିବାକୁ ହେବ।” ମୁହଁଟାକୁ ଝାଉଁଳେଇ ଦେଇ କହିଲା ଲେଖା।

ତାର ସେ ଭାବଭଙ୍ଗୀ ଦେଖି ଜତିନ୍ ବାବୁ ନ ହସି ରହି ପାରିଲେ ନାହିଁ। ତାଙ୍କର ସେ ହୋ ହୋ ହସ ଦେଖି ଲେଖା ବି ହସି ଉଠିଲା ତାଳ ଦେଇ। କିଛି ସମୟ ପରେ ଜତିନ୍ ବାବୁଙ୍କ ଚକ୍ଷୁ ଜକେଇ ଆସିଲା ଲୁହରେ। ଲେଖା ଅପ୍ରତିଭ ହୋଇ ଉଠି ପଚାରିଲା, “ଏବେ ତ ହସୁଥିଲେ, ପୁଣି ଏ ଲୁହ କାହିଁକି?” ଲୁହତକ ସେମିତି ଗଡ଼ିବାକୁ ଦେଇ ଜତିନ୍ ବାବୁ କହିଲେ, “ଏମିତି କେବେ ହସିଥିଲି ଆଉ ମନେ ନାହିଁ।” ଲେଖା ହୃଦୟରେ ଭାବାନ୍ତର ସୃଷ୍ଟି ହେଲା। ସେ ଜତିନ୍ ବାବୁଙ୍କୁ ଟାଣି ନେଲା ନିଜ ଛାତି ଉପରକୁ।

“ବଡ଼ି ସଲ୍ ମାନ୍ ଖାନ୍ ପରି, ଅଥଚ ଭିତରଟା ଏତେ କୋମଳ! ଆପଣ କେଉଁ ଉପାଦାନରେ ଗଢ଼ା ମିଷ୍ଟର୍ ଜତିନ୍?”

ଲେଖା ଠାରୁ ନିଜକୁ ଅଲଗା କରି ଲୁହ ପୋଛି ହସିବାକୁ ଚେଷ୍ଟା କଲେ ଜତିନ୍ ବାବୁ।

ସେଦିନ ଥରକୁ ଥର ଜତିନ୍ ବାବୁ ନିଜକୁ ଦର୍ପଣରେ ଦେଖୁଥିଲେ। ତାଙ୍କ କର୍ଣ୍ଣ କୁହରରେ ଲେଖାର କେଇପଦ କଥା ପ୍ରତିଧ୍ୱନୀତ ହେଉଥିଲା। “ବଡ଼ି ସଲ୍ ମାନ୍ ଖାନ୍ ପରି, ଅଥଚ... ” ସାର୍ଟ ଖୋଲି ନିରେଖି ନିରେଖି ଚାହିଁଲେ ନିଜକୁ। ବଳିଲା ବଳିଲା ବାହା। ମଜ୍ ବୁତ୍ କାନ୍ଧ। ଛାତିର ମାଂସପେଶୀରେ ହାତ ଦେଇ ଦେଖିଲେ ଖୁବ୍ ଶକ୍ତ। ପେଟ... ପେଟଟା ଟିକିଏ ବାହାରି ଆସିଛି। ସେଥିରେ କ’ଣ ଅଛି? ସାର୍ଟ୍ ର ବୋତାମ ଦେଇ ଘରଟା ଭିତରେ ଆଗକୁ ପଛକୁ ହେଲେ ଜତିନ୍ ବାବୁ। ପଡ଼ୋଶୀ ଘରୁ ଶୁଭୁଥିଲା ପିଆନୋର ସ୍ୱର। କେଉଁ ରାଗ କେଜାଣି ଖୁବ୍ ଶୃତିମଧୁର। ସତେକି କାହାର ହୃଦୟ ତନ୍ତ୍ରୀରେ ବାଜି ସ୍ୱତଃ ସୃଷ୍ଟି କରୁଛି ରାଗବର୍ଣ୍ଣାଳୀ। ସାରେଗାମା ସପ୍ତସ୍ୱରର ଶୃତି ଝଲକ ଇନ୍ଦ୍ରଧନୁ। ସ୍ୱର ସବୁ କ୍ରମାନ୍ୱୟରେ ଗୋଟିକ ପରେ ଗୋଟିଏ ପଶି ଆସୁଛି ତାଙ୍କ ଘର ଭିତରକୁ। ଝରକା ଦେଇ, ଭେଣ୍ଟିଲେଟର୍ ଦେଇ, ବାହାର ଗ୍ରୀଲ୍ ଦେଇ। ଜତିନ୍ ବାବୁ ତନ୍ମୟ ହୋଇ କେତେ ସମୟ ସେପଟ ଝରକାକୁ ଆଉଜି ଶୁଣୁଛନ୍ତି ସେ ସ୍ୱର। ହଠାତ୍ ବନ୍ଦ ହୋଇଗଲା ପିଆନୋ। ଜତିନ୍ ବାବୁ ବାସ୍ତବତାକୁ ଫେରିଲେ। ଗଡ଼ିପଡ଼ିଲେ ପଲଙ୍କ ଉପରେ। ଆଖିଦୁଇଟି ତାଙ୍କର ସ୍ୱପ୍ନାୟିତ ହେଲା। ମନ ମଧ୍ୟରେ ମୃଦୁ ମଧୁର ଉଦ୍ ବେଳନ। ହୃଦୟର କେଉଁ ଏକ ଉପତ୍ୟକାରୁ କଳକଲ୍ଲୋଳିତ ଝରଣାଟିଏ ଝରି ଯାଉଛି ଆନମନା ହୋଇ। ବାହାରେ ଗ୍ରୀଲ୍ କବାଟର ଧଡ଼ ଧଡ଼ ଶବ୍ଦ।

“ମିଷ୍ଟର୍ ଜତିନ୍, କବାଟ ଖୋଲନ୍ତୁ।” ବାହାରେ ଲେଖା ଠିଆ ହୋଇଥିଲା। ଜତିନ୍ ବାବୁ କବାଟ ଖୋଲିଦେଲେ। ସିଧା ଡ୍ରଇଂରୁମ୍ କୁ ପଶି ଆସି ସୋଫା ଉପରେ ନିଜକୁ ଆଉଜେଇ ନେଲା ଲେଖା। ଘଡ଼ିଏ ନିଶ୍ୱାସ ମାରି କହିଲା, “ଆପଣ ଘର ଭିତରଟାରେ ଏକା, ସମୟ କେମିତି କାଟୁଛନ୍ତି? ମୋତେ ତ ଅଳ୍ପ ସମୟ ଲିଜର୍ ମିଳିଲେ ପାଗଳପ୍ରାୟ ଲାଗେ। ଏଇ ଦେଖୁନାହାନ୍ତି, ତେଣେ ମ୍ୟୁଜିକ୍ କ୍ଳାସ୍ ସରିଛି କି ନାହିଁ, ମୁଣ୍ଡଟା ଆଉ କାମ କରୁନି। ଚାଲି ଆସିଲି ଆପଣଙ୍କ ପାଖକୁ।”

ଜତିନ୍ ବାବୁ ମନେ ମନେ ଖୁସି ହେଉଥିଲେ ବି ଅଭିଭାବକ ପଣିଆ ଦେଖେଇ କହିଲେ, “କାହିଁକି? ପଢ଼ାପଢ଼ି ବି ତ କରିପାରିବ?”

“ପଢ଼ାପଢ଼ି ଆଉ ସଙ୍ଗୀତ ଶିକ୍ଷା ଏକା କଥା ନୁହେଁ କି?” ଲଗାତାର ଏକାପ୍ରକାର କର୍ମରେ ପ୍ରବୃତ୍ତ ରହିଲେ ପାଗଳ ହେବା ଯେ ସୁନିଶ୍ଚିତ। ଆପଣ କ’ଣ ଜାଣିନାହାନ୍ତି କମ୍ପ୍ୟୁଟରରେ ସ୍କ୍ରିନ୍ ସେଭର୍ ନ ରହିଲେ ମନିଟର୍ ରେ ଭୁତ ଛାୟା (ghost image) ତିଆରି ହୋଇଯାଏ।”

“ସେଇଟା ପୁରୁଣା ମନିଟର କ୍ଷେତ୍ରରେ ହେଉଥିଲା। ଏବେ ତ ସବୁ LCD, LED ଆସିଲାଣି। ତୁମ ପରି ବର୍ତ୍ତମାନ ପିଢ଼ିର ଝିଅମାନେ ଯେତିକି ସ୍ମାର୍ଟ୍, ବ୍ରେନ୍ ରେ ଘୋଷ୍ଟ ଇମେଜ୍ କ୍ରିଏଟ୍ ହେବାର ଚାନ୍ସ୍ ନାହିଁ।” ଦୁହେଁ ହସିଲେ ମନ ଖୋଲି।

“ଆଜି କ’ଣ ହେଇଛି ଜାଣନ୍ତି ମିଷ୍ଟର୍ ଜତିନ୍?” ଲେଖା ତାର ହସ ହସ ଆଖି ଦୁଇଟିକୁ ଜତିନ୍ ବାବୁଙ୍କ ଉପରେ ସ୍ଥିର ରଖି ଚାହିଁଲା।

“କ’ଣ?”

କିଛି କହିବା ଆଗରୁ ଲାଜେଇଗଲା ଲେଖା। ଲେଖାର ଲାଜୁଆପଣ ଏଇ ପ୍ରଥମ ଦେଖୁଥିଲେ ଜତିନ୍ ବାବୁ। ଲେଖା ଭାରି ଖୁସି ଜଣା ପଡ଼ୁଥିଲା। କହିଲା, “ଆପଣଙ୍କର ବ୍ୟକ୍ତିତ୍ୱ ମୋତେ ପସନ୍ଦ ଲାଗେ। ଭାରି ବିରଳ।” ଏଥର ଲାଜେଇବାର ପାଳି ଥିଲା ଜତିନ୍ ବାବୁଙ୍କର।

“କାହିଁକି ଜାଣନ୍ତି?” ଲେଖା କହିବା ଅବ୍ୟାହତ ରଖିଲା। “ଆପଣଙ୍କୁ ବନ୍ଧୁ ଭାବରେ ଭରସା କରି ହୁଏ। ବୟସାନୁପାତ ଚିନ୍ତାଧାରାରେ ଆପଣ ପାର୍ଥକ୍ୟ କରନ୍ତି ନାହିଁ। ସେଇଥିପାଇଁ ଆପଣ ମୋତେ ଖୁବ୍ ଭଲ ଲାଗନ୍ତି। ଆପଣଙ୍କ ସହ ସୁଖ ଦୁଃଖ ହେବାକୁ ଭଲ ଲାଗେ। ପ୍ରତି କଥା ଆପଣଙ୍କ ସହ ସେୟାର୍ କରିବାକୁ ମନଟା ଡହଳ ବିକଳ ହୁଏ।” କିଛି ସମୟ ଚୁପ୍ ରହି କହିଲା,

“ସେ ଆଜି ମ୍ୟୁଜିକ୍ ସିଟ୍ (music sheet) କେମିତି ପଢ଼ାଯାଏ, ଶିଖାଉଥିଲେ।” ଜତିନ୍ ବାବୁ ଆଖି ତରାଟି ଚାହିଁଲେ। କାନ ପୁରା ଖୋଲା ରଖି ଶୁଣିଲେ।

“ସେ ନିଜେ ପ୍ରସ୍ତୁତ କରିଥିବା ମ୍ୟୁଜିକ୍ ପିସ୍ ଟିଏ। ମିଷ୍ଟର୍ ଜତିନ୍... କି ସୁନ୍ଦର ସେ ସ୍ୱର, ସମୟ ଜ୍ଞାନ। ଦୁଇ ହସ୍ତର ଅଙ୍ଗୁଳି ତାଙ୍କର କ୍ଷୀପ୍ର ଅଥଚ ଲହୁଣୀ ସଦୃଶ କୋମଳ ଭାବରେ ପିଆନୋ ଉପରେ ସଞ୍ଚାଳିତ ହେଉଥାଏ। ସେ ବଜଉଥିବା ସମୟରେ ମୁଁ ତାଙ୍କ ପଛ ପଟେ ଠିଆ ହୋଇ ତନ୍ମୟ ହୋଇ ଶୁଣୁଥିଲି। ଆଉ ନିର୍ନିମେଶ ନୟନରେ ଚାହିଁ ରହିଥିଲି ପିଆନୋ ଉପରେ ତାଙ୍କର ଅଙ୍ଗୁଳିର କୁହୁକ ସ୍ପର୍ଶ। ଲାଗୁଥାଏ ଦୂରରୁ ସତେ କି କୃଷ୍ଣ ବଂଶୀଟିଏ ଧରି ଯମୁନା କୂଳରେ କଦମ୍ବ ଗଛକୁ ଆଉଜି ତୋଳି ଧରିଛନ୍ତି ରାଗମୁର୍ଚ୍ଛନା। ମୁଁ ନିଜ ଆୟତ୍ତରେ ନ ଥିଲି। କେତେବେଳେ ମୋ ହସ୍ତଦ୍ୱୟ ତାଙ୍କ ଗ୍ରୀବା ଚତୁଃପାର୍ଶ୍ୱରେ ଗୁଡ଼େଇ ହୋଇଯାଇଛି, ଆଉ ମୁଁ ତାଙ୍କୁ ଧରି ଝୁଲୁଛି ସଙ୍ଗୀତର ତାଳେ ତାଳେ, ଜାଣି ପାରିଲି ନାହିଁ। ପିଆନୋର କି (key) ଉପରେ ଶେଷ ସ୍ପର୍ଶ ଦେଇ ସେ ମୋ ଆଡ଼କୁ ଯେତେବେଳେ ଚାହିଁଲେ, ମୁଁ ସମ୍ବିତ୍ ଫେରି ପାଇ ତଡ଼ିତ୍ ବେଗରେ ମୋର ହାତ ଦୁଇଟିକୁ ଟାଣି ଆଣିଲି ତାଙ୍କ ବେକ ପାଖରୁ। ଚାହିଁ ଦେଖିଲି ସେ ସେମିତି ସ୍ମିତ ହସରେ ଚାହିଁଛନ୍ତି ମୋ ଆଡ଼କୁ। ମିଷ୍ଟର୍ ଜତିନ୍... ସେ ମୁହୁର୍ତ୍ତ... ମୁଁ ଆପଣଙ୍କ ସମ୍ମୁଖରେ ବର୍ଣ୍ଣନା କରିବାରେ ଅସମର୍ଥ। ହାତ ଗୋଡ଼ ମୋର ଥରିବାକୁ ଲାଗିଲା। ଆଉ ମୁହୁର୍ତ୍ତେ ବି ସେଠି ଠିଆ ହୋଇପାରିଲି ନାହିଁ। ଦଉଡ଼ି ଚାଲିଗଲି ମୋର ବେଡ୍ ରୁମ୍ କୁ। ଭୁଲିଗଲି ଯେ ମ୍ୟୁଜିକ୍ ଟିଚର୍ ମୋତେ ଶିଖାଇବା ପାଇଁ ମୋ ଷ୍ଟଡ଼ି ରୁମ୍ ରେ ଅପେକ୍ଷା କରି ବସିଛନ୍ତି। ମିଷ୍ଟର୍ ଜତିନ୍, ମୁଁ କେମିତି ଏତେ ଅଲାଜୁକୀ ହୋଇ ପାରିଲି?”

ଜତିନ୍ ବାବୁଙ୍କ ହୃଦୟର ଝରଣା, ଝରିବା ବନ୍ଦ କରିଦେଇ ନିଜ ମଧ୍ୟରେ ସଂକୁଚିତ ହୋଇଗଲା। ଯେଉଁ ମନରେ ମୃଦୁ ମଧୁର ଉଦ୍ ବେଳନ କିଛି ସମୟ ପୂର୍ବରୁ ତାଙ୍କୁ ଆନମନା କରୁଥିଲା, ସେ ମନଟାକୁ ଟାଣି ଓଟାରି ମସ୍ତିଷ୍କ ଭିତରେ ପୁରେଇ ବନ୍ଦ କରିଦେଲେ ଜତିନ୍ ବାବୁ। ଚକ୍ଷୁଦ୍ୱୟ ଶୂନ୍ୟ ଦୃଷ୍ଟି ତୋଳି ଚାହିଁ ରହିଲା ଲେଖା ମୁହଁକୁ।

“ମିଷ୍ଟର୍ ଜତିନ୍...” ଲେଖା ହଲାଇ ଦେଲା ଜତିନ୍ ବାବୁଙ୍କୁ। ଥରି ଉଠିଲା ଜତିନ୍ ବାବୁଙ୍କ ଶରୀର। ସତରେ, ସେ କେମିତି ଅଲାଜୁକଟିଏ ହୋଇ ଯାଇ ପାରିଲେ! ଏତେବଡ଼ ଅନର୍ଥ କଥା ସେ କେମିତି ଭାବି ପାରିଲେ ମନରେ! ନା, ନିଜକୁ ସମ୍ଭାଳିବାକୁ କିଛି ସମୟ ଲାଗିବ ତାଙ୍କୁ। ଜତିନ୍ ବାବୁ ଚୁପ୍ ଚାପ୍ ଉଠି ଚାଲିଗଲେ ନିଜ ଶୟନ କକ୍ଷକୁ। ଲେଖା ଡ୍ରଇଂରୁମ୍ ରେ ତାଙ୍କୁ ଅପେକ୍ଷା କରି ବସିଛି। କରୁ... ସେଥିରେ କ’ଣ ଅଛି?


ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in