Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମହାବିଦ୍ୟା
ମହାବିଦ୍ୟା
★★★★★

© Pratibha Priyadarshini

Inspirational

6 Minutes   14.3K    12


Content Ranking

ମହାବିଦ୍ୟା
********


ଅନ୍ଧାରିଆ ଷ୍ଟୋର ରୁମ୍ ଟା ଫର୍ଚ୍ଚା ଦିଶିଲାଣି। ବୋଧେ କାଲି ରାତିସାରା ବିଦ୍ୟା ଏଇଠି ଘୁମେଇ ପଡିଥିଲା, ବୋଉର ପୁରୁଣା ବାକ୍ସ ଖୋଲି ଦେଖୁ ଦେଖୁ। ସକାଳର ନିତ୍ୟକର୍ମ ସାରି ଚା କପ୍ ଟା ଧରି ବାରଣ୍ଡାରେ ବାପାଙ୍କ ଆରାମ ଚୌକିରେ ବସିଗଲା। ଓଃ! ଏଇ ଚଉକି ଟା ଏବେବି ବାପାଙ୍କ କୋଳ ଭଳି ଲାଗୁଛି। ବାପା ଏଥିରେ ବସିଥିବାର ଦୃଶ୍ଯ ଏତେ ଅଭ୍ୟସ୍ତ ଯେ, ତାଙ୍କ ଅବର୍ତ୍ତମାନରେ ମଧ୍ୟ ଆଖିରେ ଭାସିଉଠେ। ସକାଳର ନରମ ସୂର୍ଯ୍ୟ କିରଣ ଘରପଛ ନଡିଆ ଗଛ ପତ୍ରରେ ଛାଣିହୋଇ ରାଶି ରାଶି ବିଚ୍ଛୁରି ପଡିଛି ଅଗଣାସାରା। ଚା ଢୋକେ ନେଇ ଅବସ ମନରେ ଆଉଜି ପଡିଲା ବିଦ୍ୟା। ସିନେମା ରିଲ୍ ଭଳି ୩୫ ବର୍ଷର ସମ୍ପୂର୍ଣ୍ଣ ଜୀବନ ତା ଆଗରେ ଦୃଶ୍ୟମାନ ହେଉଥିଲା।

ତା ବାପା ଗିରିଜା ଶଙ୍କର ମିଶ୍ର। ଦେବୀ ଦୁର୍ଗାଙ୍କ ଆଜନ୍ମ ଭକ୍ତ। ସେଥିପାଇଁ ମହାଷ୍ଟମି ରାତିରେ ଝିଅ ଜନ୍ମ ହେବାରୁ ଖୁସିରେ ଆତ୍ମହରା ହୋଇପଡିଥିଲେ ଆଉ ନାଁ ଦେଇଥିଲେ "ମହାବିଦ୍ୟା''। ସାକ୍ଷାତ ମା' ଦୁର୍ଗା ଝିଅ ହୋଇ ତାଙ୍କ କୋଳକୁ ଆସିଛନ୍ତି ବୋଲି ଗର୍ବ କରନ୍ତି ଝିଅକୁ ନେଇ।  ଦୁର୍ଗାଷ୍ଟମିରେ ନିଜେ ଅଳତା ଲଗେଇ ଦିଅନ୍ତି ବିଦ୍ୟାର କୁନି କୁନି ପାଦରେ। ନାଁ କୁ ସାର୍ଥକ କରି ବିଦ୍ୟା ମଧ୍ୟ ପାଠପଢାରେ ଖୁବ୍ ଭଲଥିଲା। ରୂପ, ଗୁଣ, ଜ୍ଞାନ, କେଉଁଥିରେ ବି ବାଛିବାର ନୁହେଁ। ପି.ଏଚ୍.ଡି. କରିବା ପରେ ଏକ ସରକାରୀ ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକ ଭାବେ ଭଲ ଚାକିରୀ ବି ମିଳିଗଲା। ଘର ଠୁ ଦୂର, ଅନ୍ୟ ଏକ ରାଜ୍ୟ,ଭିନ୍ନ ଏକ ସହର ହେଲା ତା'ର ନୂତନ ଠିକଣା। ମଝିରେ ମଝିରେ ବାପା ବୋଉ ଆସନ୍ତି ତା ପାଖକୁ। ସେମାନଙ୍କ ଦାୟିତ୍ବ ଏବେ ତା'ର।

ସେଇ ସମୟରେ ପରିଚୟ ହେଇଥିଲା ରାଜ୍ ସହିତ। ପ୍ରଥମ ସାକ୍ଷାତ କରାଇଥିଲା ଦୁହିଁଙ୍କ ବନ୍ଧୁ ସମୀରା। ଏ ସହର ରେ ସମୀରା ହିଁ ଥିଲା ତା'ର ଏକମାତ୍ର ଘନିଷ୍ଠ ବାନ୍ଧବୀ। ସେ ହିଁ ତାକୁ ଏକପ୍ରକାର ଠେଲି ପେଲି ଛନ୍ଦି ଦେଇଥିଲା, ରାଜ୍ ସହିତ ପ୍ରେମ ସମ୍ପର୍କରେ। ସେଇ ପ୍ରଥମ କଫି କପ୍ ର ଉଷ୍ମତା ସମ୍ପର୍କ କୁ ନିବିଡ କରୁଥିଲା ଦିନୁଦିନ। ରାଜ୍ ଙ୍କ ସରଳ ଅମାୟିକ ବ୍ଯକ୍ତିତ୍ତ୍ବ ବାପା ବୋଉଙ୍କ ସ୍ବୀକୃତି ପାଇବାକୁ ଯଥେଷ୍ଟ ବୋଲି ବିଶ୍ବାସ କରୁଥିଲା ବିଦ୍ୟା। କିନ୍ତୁ ପ୍ରଥମ ସାକ୍ଷାତ ପରେ ହିଁ ବାପା ତାକୁ ବୁଝାଇଥିଲେ (ଏକ ପ୍ରକାର ତାଗିଦ କରି ସତର୍କ କରିଥିଲେ) ରାଜ୍ ଠାରୁ ଦୂରେଇ ରହିବାକୁ। ହେଲେ ସେ ଶୁଣିଲାନି। ପ୍ରେମରେ ଅନ୍ଧ ହୋଇ ରାଜ୍ ଙ୍କୁ ମନ୍ଦିରରେ ବାହା ହୋଇ ପଡିଲା।

ଏ ଖବର ପହଞ୍ଚିବା ପରେ ବାପାଙ୍କୁ ହୋଇଥିଲା ହାର୍ଟଆଟାକ। ସେ ଯେବେ ଦେଖିବାକୁ ଗଲା, ବାପା ମୁହଁ ଫେରେଇ ନେଲେ। ବୋଉ କିଛି ଦିନ ପରେ ରାଜ୍ ଙ୍କୁ ଆପଣେଇଲା, ହେଲେ ବାପା ଆପଣେଇଲେ ନାହିଁ। ଶାଶୁଘରେ ବି ବିଦ୍ୟାକୁ କେହି ଆପଣାଇବାକୁ ପ୍ରସ୍ତୁତ ନୁହନ୍ତି ବୋଲି କହି ରାଜ୍ ଦୁଃଖ ପ୍ରକାଶ କରନ୍ତି। ବିଦ୍ୟା ଫ୍ଲାଟରେ ହିଁ ରୁହନ୍ତିି ଦୁହେଁ। ବେସରକାରୀ ସଂସ୍ଥାରେ ଚାକିରୀ ତାଙ୍କର, ବିଦ୍ୟା ଲାଖି ଘରଟେ କରିପାରିବେନି ବୋଲି ଯେବେ ସେ ଦୁଃଖୀ ହେଲେ ବିଦ୍ୟା ତା ଫ୍ଲାଟ, ଗାଡି, ବ୍ୟାଙ୍କଖାତା ଯାଏ ସବୁଥିରେ ତାଙ୍କୁ ଯୁଗ୍ମ ମାଲିକାନା ହକ ଦେଇଥିଲା। ଖୁବ୍ ଖୁସିରେ ଚାଲିଲା ଜୀବନ ୨-୩ ମାସ। ଗୋଟିଏ ସଂନ୍ଧ୍ୟାରେ ରାଜ୍ ଶୁଣେଇଲେ ତାଙ୍କ ବଦଳି ହେବା କଥା। ଅନ୍ୟ ସହରକୁ ଗଲେ ବି ସେ ସପ୍ତାହନ୍ତରେ ଆସନ୍ତି। ଧିରେ ଧିରେ ତାଙ୍କ ଆସିବା ସମୟ ବ୍ୟବଧାନ ବଢିବାକୁ ଲାଗିଲା। ପ୍ରତିଥର ଆସିଲେ ନୂଆ ସହରରେ ରହିବା ଲାଗି ବିଭିନ୍ନ ଆବଶ୍ୟକତା ଦେଖାଇ ପ୍ରଚୁର ଟଙ୍କା ନେଇଯାଆନ୍ତି। ବିଦ୍ୟା ମଧ୍ୟ ଦୁଇଦିନର ସହଚର୍ଯ୍ୟ କୁ ବିତର୍କରେ ନଷ୍ଟ କରିବନି ଭାବି ଜୋର୍ ଦେଇ ପଚାରେନି କିଛି।

ଦିନେ ଅଫିସ୍ ଯିବା ବାଟରେ ଟ୍ରାଫିକ୍ ସିଗ୍ନାଲ୍ ରେ ଅଟକିଥାଏ ବିଦ୍ୟା। ହଠାତ୍ କିଛି ଦୂରରେ ଦିଶିଲେ ରାଜ୍। ସାଙ୍ଗରେ କେହିଜଣେ ମହିଳା ବି ଥିଲେ। ପ୍ରଥମେ ଲାଗିଲା ତାକୁ ଭ୍ରମ ହେଉଛି ବୋଧେ। ହେଲେ ରାଜ୍ ଙ୍କୁ ଚିହ୍ନିବାରେ ସେ ଭୁଲ୍ ନକରିପାରେ। ନିଜ ଆଖିକୁ ସନ୍ଦେହ କରି ଫୋନ୍ କଲା। ରାଜ୍ କଥା ହେଲେ ଓ ଅନ୍ୟ ସହରରେ ଥିବା କଥା ଅତି ସହଜରେ କହୁଥିଲେ ତା ଆଖି ସାମ୍ନାରେ ମାତ୍ର କେଇହାତ ଦୂରରେ ଠିଆ ହୋଇ। ପାଦତଳୁ ପୃଥିବୀ ଟା ଧସି ଯାଉଥିଲା, ଥମ୍ ଥମ୍ ଆକାଶ ଖଣ୍ଡ ଖଣ୍ଡ ହେଇ ପୋତି ପକାଉଥିଲା ସେଇ ୨ମିନିଟ ରେ। ରାଜ୍ଙ୍କୁ ଖୋଜିଲା,  ମାତ୍ର ଏତେବଡ ସହରରେ ତାଙ୍କୁ ଠାବ କରିବା ମୁସ୍କିଲ। ମନେପଡିଲା ସମୀରା। ଇଚ୍ଛାହେଲା ତା ପାଖକୁ ଯିବ, ମନକଥା କହିବ। ଆଉ କିଛି ନହେଲେ ମନଟା ଟିକେ ହାଲୁକା ଲାଗିବ, ଆଉ ଯଦି ସେ ସାହାଯ୍ୟ କରେ ରାଜ୍ଙ୍କୁ ଖୋଜିବା ପାଇଁ ତେବେ ଆହୁରି ଭଲହେବ।

କିଛି ନଜଣାଇ ପହଞ୍ଚିଗଲା ସମୀରା ଘରେ। ତାକୁ ଚମକାଇ ଦେବ ବୋଲି ବେଲ୍ ଚିପି ଦେଇ କାନ୍ଥ ପଟକୁ ଲୁଚିଗଲା। କିନ୍ତୁ ଏ କ'ଣ? କବାଟ ଖୋଲିଲେ ରାଜ୍! ଭିତରୁ ସମୀରା ସହଜ ଭାବରେ ପଚାରୁଥିଲା କିଏ ବୋଲି? ତାଙ୍କୁ ଠେଲିଦେଇ ଘର ଭିତରକୁ ପଶିଗଲା ବିଦ୍ୟା। ହେଲେ ଭିତରେ ରହିଥିଲା ଆହୁରି ବଡ ସର୍ପ୍ରାଇଜ୍। "କେମିତିକା ସ୍ବାମୀ ତମେ! ତୁମ ରାଣୀର କଥାକୁ ଖାତିର ନାହିଁ! ଭାବନି ମୁଁ ବିଦ୍ୟା ଭଳିଆ ଗୁଲାମ୍ ହେବି କେବେ'' କହିକହି ଅଲରା କେଶ ଓ ଅସ୍ତବ୍ୟସ୍ତ ପୋଷାକ ସଜାଡି ସଜାଡି ଶୋଇବା ଘରୁ ବାହାରି ଆସିଲା ସମୀରା। ବିଦ୍ୟାକୁ ସାମ୍ନାରେ ଦେଖି ଚୁପ୍ ହେଲା ସିନା କିନ୍ତୁ ଭାବର କୌଣସି ପରିବର୍ତ୍ତନ ନଥିଲା।

ଲଥ୍ କରି ବସିଗଲା ବିଦ୍ୟା। ନଷ୍ଟନକ୍ଷତ୍ରଟି ପରି ସବୁକିଛି ଖିନ୍ ଭିନ୍ ହେଇ ଯାଉଥିଲା ତା' ଭିତରେ ବାହାରେ। ସମୀରା ହାତକୁ ଧରି ପଚାରିଲା,"ମୋ ସ୍ବାମୀକୁ ମୋ ଠୁ ଛଡେଇ ନେଇ ମୋ ଜୀବନରେ ଏ ସର୍ବନାଶି ଝଡ ଭରିଦେଲୁ କାହିଁକି ସମୀରା''? ବେପରଓ୍ବା ହସ ହସିବାକୁ ଲାଗିଲେ ରାଜ୍ ଓ ସମୀରା। ତାଚ୍ଛଲ୍ୟ କରି ସମୀରା କହିଲା,"ତୋ ସ୍ବାମୀ? କିଏ ତୋ ସ୍ବାମୀ ବିଦ୍ୟା? ରାଜ୍!!! ଓଃ ରାଜ୍ ନୁହେଁ, ସିରାଜ୍। ମୁଁ ହିଁ ତାଙ୍କୁ ଦେଇଥିଲି ତୋ ସାଙ୍ଗ କିଛି ଦିନ ଖେଳିବା ପାଇଁ। ତୋ ଠୁ ଯେତିକି ମିଳିବା କଥା ମିଳି ସାରିଛି ଆମକୁ। ଏବେ ତୁ ମୁକ୍ତ। ମନ୍ଦିରରେ ଫୁଲମାଳ ବଦଳେଇ ହେଇଥିବା ତୁମର ସେ ପିଲାଖେଳକୁ ଆମ ସଂପ୍ରଦାୟ ରେ ମାନ୍ୟତା ମିଳେନି। ଏହାପରେ ଢେର ବଚସା ହେଇଥିଲା ତିନିଜଣଙ୍କ ଭିତରେ। ଭିତରୁ ଭାଙ୍ଗିତୁଟି ଯାଇଥିବା ବିଦ୍ୟାକୁ ଦୁହେଁ ଖୁବ୍ ମାଡ ମାରିବା ପରେ ଗଳା ଧକ୍କା ଦେଇ ଠେଲିଦେଇଥିଲେ ରାଜରାସ୍ତାକୁ।

ଭଗ୍ନ ଦେହମନ ନେଇ ଘରକୁ ଫେରିଲା ବିଦ୍ୟା। କ୍ଷତାକ୍ତ ଶରୀର ଅପେକ୍ଷା ପ୍ରତାରିତ ଆତ୍ମା ଥିଲା ବେଶୀ ବିଳପିତ। ଅସହ୍ୟ ସେ ଯନ୍ତ୍ରଣା। ଖୁବ୍ ଚିତ୍କାର କରି ନିଜକୁ ଧିକ୍କାର କରି ଯେତେ କାନ୍ଦିଲେ ବି କଷ୍ଟ ବଢୁଛି ସିନା କମୁନି। କିଛି ଭାବିନପାରି ପହଞ୍ଚିଲା ଶାଶୁଘରେ। ସେମାନେ ସବୁ ଶୁଣିବା ପରେ ନିର୍ବିକାର। ତାକୁ ସାହାଯ୍ୟ ସମବେଦନା ଜଣାଇବା ପରିବର୍ତ୍ତେ ଗାଳିଗୁଲଜ କରି ଜୋର କରି ଘରୁ ବିଦା କରିଦେଲେ। ଅପରିଚିତ ଲୋକଙ୍କ ପାଖରୁ ଅପମାନିତ ହୋଇ ଫେରିବା ବେଳେ ନିଜ ମନକୁ ଦୃଢ କରୁଥିଲା ବିଦ୍ୟା। ଘରକୁ ଫେରି ସଂନ୍ଧ୍ୟାରୁ ଯାଇ ଆପାର୍ଟମେଣ୍ଟ ଛାତଉପରେ ଏକାକି ବସିରହି ନିଜକୁ ବିଭିନ୍ନ ପ୍ରକାରେ ପ୍ରସ୍ତୁତ କରୁଥାଏ ଅନ୍ତିମ କ୍ଷଣରେ ଦୁର୍ବଳ ନପଡିବାକୁ। ସମଗ୍ର ସହର ଘୁମେଇ ପଡିଲା ପରେ ନିଶାର୍ଦ୍ଧରେ ଚଢିଗଲା ଛାତ ବାଡ ଉପରକୁ। ନିର୍ଘାତ ଅନ୍ଧାରରେ ୧୯ମହଲା ଉପରୁ ତଳକୁ ଦେଖିଲେ ଏକ ଅସରନ୍ତି ଭୟଙ୍କର କୃଷ୍ଣଗର୍ତ୍ତ ମୃତ୍ୟୁର ନିର୍ଦ୍ଦୟ ମୁହଁ ଭଳି ଲାଗୁଥିଲା। ଆଗକୁ ପାଦ କାଢି ଡେଇଁ ପଡିବାକୁୁ ଉଦ୍ୟତ ହୁଅନ୍ତେ, ବାପାଙ୍କ ଡାକ ଶୁଭିଲା "ମା ରେ......'' ଛାତକୁ ଓହ୍ଲାଇ ଆସିଲା ବିଦ୍ୟା। ଛୁଟିନେଇ ଛୁଟିଗଲା ବାପାଙ୍କ ଅଭୟ ଆଶ୍ରୟ ପାଇଁ।

ଘରେ ପହଞ୍ଚିବା ବେଳକୁ, ବାପା ଏଇ ଆରାମଚୌକି ରେ ବସି ଖବରକାଗଜ ପଢୁଥାନ୍ତି। ବୋଉ ରୋଷେଇଘରୁ ଦୌଡିଆସି କବାଟ ଖୋଲିଲା। ସନ୍ତାନର ଦଶା ଜନନୀ ଆଖିରୁ ଲୁଚେନି। ବିଦ୍ୟା ମୁହଁକୁ ଦେଖି ଗୁଡାଏ ଅଶୁଭ ଆଶଙ୍କାରେ ସେ ବ୍ୟସ୍ତ ହୋଇପଡିଲେ। ସମସ୍ତ ଘଟଣା ଜାଣିବା ପରେ ଅନ୍ତରର କୋହ ବନ୍ଧବାଡ ମାନିଲାନି। ନିଜ ସନ୍ତାନକୁ ଏତେକଷ୍ଟ ଦେଇଥିବା ପାଷଣ୍ଡ ମାନଙ୍କ ଉପରେ ଅଜସ୍ର ଅଭିସମ୍ପାତ ଅଜାଡି ଦେଲାପରେ ବି ବିଳପିତ ମାତୃ ହୃଦୟ ଶାନ୍ତ ହେଉନଥାଏ। ବାପା କିନ୍ତୁ ସବୁ ଜାଣିବା ପରେ ନୀରବ ଓ ଗମ୍ଭୀର ହୋଇପଡିଲେ। କିଛି ସମୟପରେ କହିଲେ,"ମା ରେ, ଏତେ ଶିକ୍ଷିତ ହୋଇବି ଠକିଗଲୁ। ମହାମାୟାଙ୍କ ନିର୍ଦ୍ଦେଶ ଭାବି ଏ ସତ୍ୟକୁ ଗ୍ରହଣ କର। ଜୀବନ ଆହୁରି ଢେର ବାକି। ତୁ ମୋ ମହାବିଦ୍ୟା। ଦଶ ମହାବିଦ୍ୟାଙ୍କ ଶକ୍ତି ଓ ଆଶୀର୍ବାଦ ନେଇ ପୁଣି ଠିଆ ହବୁ। ନିଜ ଭବିଷ୍ୟତକୁ ନିଜେ ସଜାଡିବୁ।'' ବାପାଙ୍କ ଏଇ କେଇପଦ କଥା ଭାଙ୍ଗିପଡିଥିବା ବିଦ୍ୟା ଦେହମନରେ କାଉଁରୀ ମନ୍ତ୍ର ଫୁଙ୍କିଦେଲା ଯେମିତି। ହେଲେ ଅଲିଅଳି ଝିଅର ଏଭଳି ଅବସ୍ଥା ଦେଖି ନିଜ ଆରାଧ୍ୟାଙ୍କ ଠି ଖୁବ୍ ଅଭିମାନ କଲେ ବାପା, ଦୁର୍ବଳ ହୃଦୟ ଦୁଃଖରେ ଗୁମୁରି ଗୁମୁରି ଅଚିରେ ନୀରବି ଗଲା। ବାପା ଚାଲିଗଲେ ବିଶ୍ବଜନନୀଙ୍କ କୋଳକୁ। ବିଦ୍ୟା ମୁଣ୍ଡରୁ ହଟିଗଲା ସୁରକ୍ଷାର ମହାଦ୍ରୁମ ଛାୟା। ତଥାପି ବାପାଙ୍କ ଅନ୍ତିମ ଉପଦେଶକୁ ଆତ୍ମସ୍ଥକରି, ବୋଉକୁ ସାଙ୍ଗରେ ଧରି କର୍ମକ୍ଷେତ୍ରକୁ ଫେରିଗଲା ବିଦ୍ୟା। ଦିନସାରା କାମରେ ବୁଡିରହେ ଆଉ ସଞ୍ଜବେଳେ ଘରକୁ ଫେରି ବୋଉ କୋଳରେ ନିଜକୁ ଢାଳିଦେଲେ ସବୁ ଥକାପଣ ଉଭେଇଯାଏ। ବୋଉ ମନକଲା ତୀର୍ଥଯାତ୍ରା ପାଇଁ। ପରିଚିତ ପରିଜନଙ୍କ ସହିତ ତା ଯିବାର ସବୁ ବ୍ୟବସ୍ଥା କରିଦେଲା ବିଦ୍ୟା। ଗଲାବେଳେ ଗାଁ ଘର ଚାବିତକ ତାକୁ ବଢେଇ ଦେଲାବେଳେ ବୋଉ କହିଲା,"ତୋ ପାଇଁ ତୋ ବାପା କିଛି ଦେଇଯାଇଛନ୍ତି। କହିଥିଲେ ଉଚିତ ସମୟ ଆସିଲେ ତୋତେ ଦେବାକୁ। ଷ୍ଟୋରଘରେ ମୋ ପୁରୁଣା ବାକ୍ସରେ ନାଲି କପଡାରେ ଗୁଡେଇ ରଖିଛି। ଛୁଟିରେ ଗଲେ ଦେଖିବୁ''।

କୌତୁହଳରେ ଛୁଟି ହେବାଯାଏଁ ଅପେକ୍ଷା କରିପାରିଲାନି ବିଦ୍ୟା। ବାହାରିଗଲା ଗାଁ କୁ। ବାକ୍ସରେ ବାପାଙ୍କ ପୁରୁଣା ଜିନିଷ ଗୁଡାକୁ ଦେଖି ମନ ବତୁରିଗଲା। କାନ୍ଦି କାନ୍ଦି ସେଇଠି ଶୋଇପଡିଥିଲା କାଲି ରାତିରେ। ଏଇ ସେ ବାପାଙ୍କ ଅନ୍ତିମ ଉପହାର, ସନ୍ତକ ଓ ଆଶୀର୍ବାଦ। ନାଲି କପଡାଟିକୁ ଖୋଲି ଦେଖିଲା, ଭିତରେ ରହିଛି "ଦେବୀ ଭାଗବତ'' ଓ "ଦେବୀ ମହାତ୍ମ୍ୟ'' ତଥା ଆଉ କିଛି ଛୋଟ ଛୋଟ ବହି। ଉପରେ ଧଳା କାଗଜ ଖଣ୍ଡିଏରେ ବାପାଙ୍କ ହାତଲେଖା କେଇଧାଡି ସନ୍ଦେଶ। ବାପା ଲେଖିଥିଲେ,"ମା ମହାବିଦ୍ୟା, ଏଇ ବହି ଗୁଡିକ ଅନ୍ତତଃ ପକ୍ଷେ ଥରେ ଲେଖାଏଁ ପଢିବୁ। ପଢିବା ବେଳେ ମହାମାୟା ଙ୍କୁ ଅନ୍ତରରେ ଅନୁଭବ କରିବୁ। ସେ ହିଁ ଚେତନା, ଆତ୍ମଶକ୍ତି। ତାଙ୍କ ଆଶୀର୍ବାଦ ପ୍ରାପ୍ତହେଲେ ତୁ ହେବୁ ଶକ୍ତିମୟୀ, ପାଇବୁ ଆତ୍ମଦର୍ଶନ, ନୂତନ ପଥ ର ସନ୍ଧାନ ପାଇବୁ,ଯହିଁରେ ଆଗକୁ ଗଲେ ସୁଖ ପ୍ରାପ୍ତି ହେବ। କେବଳ ବିଦ୍ୟା ନୁହେଁ, ନିଜକୁ ମହାବିଦ୍ୟା ରୂପରେ ଚିହ୍ନିବାକୁ ହେବ ତୋତେ''। ସବୁଯାକ ବହିକୁ ପୁଣି ଏକାଠି କରି କପଡା ଗୁଡାଇ ମଥାରେ ମାରିଲା ପରେ ବିଦ୍ୟା.... ନା ନା ମହାବିଦ୍ୟା ଆତ୍ମବଳରେ ପରିପୂର୍ଣ୍ଣ ଅନୁଭବ କରୁଥିଲା। ଏଥର ଗଲାବେଳେ ବାପାଙ୍କ ଉପହାର ସହିତ ତାଙ୍କ ଆରାମଚୌକି କୁ ମଧ୍ୟ ସାଙ୍ଗରେ ନେଇଆସିଲା। ଏଇଟି ଖାଲି ବାପାଙ୍କ ସ୍ମୃତିଚିହ୍ନ ନୁହେଁ, ବରଂ ତା ପାଇଁ ଦିବ୍ୟ ସାଧନାର ବଶିଷ୍ଠ ଆସନ ସଦୃଶ। ପିତାଙ୍କୁ ଗୁରୁ କରି ନୂତନ ସୂର୍ଯ୍ୟୋଦୟ ସହ ଜୀବନପଥରେ ଆଗକୁ ବଢିଚାଲିଲା "ମହାବିଦ୍ୟା''।

ମହାବିଦ୍ୟା

Rate the content


Originality
Flow
Language
Cover design

Comments

Post

Some text some message..