Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Romance

2.5  

Sachidananda Kar

Romance

ବାଲକୋନୀରେ ବର୍ଷା

ବାଲକୋନୀରେ ବର୍ଷା

3 mins
390



       ଆଜି ବର୍ଷା ହେଉଥିଲା ।  ଆଉ କେଉଁଠି ହେଉଥିଲା କି ନାହିଁ, ହେଲେ ମୋ ବାଲକୋନୀରେ ଆଜି ବହୁତ ବର୍ଷା ହେଉଥିଲା ।  ଏଇ ବର୍ଷାଟା ମୋତେ ଆଦୌ ଭଲ ଲାଗେନାହିଁ । ମୋର ବ୍ୟାକୁଳତାକୁ ବଢାଇ ଦିଏ ଏ ବର୍ଷା । ପ୍ରେମିକା ସହିତ ଗୋଟେ ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋତେ ଖୋଜିବାକୁ କହେ । ପ୍ରେମିକାର ପ୍ରେମକଥା ସବୁକୁ ମନେ ପକାଇଦିଏ । ଏକାଏକା ଥିବାରୁ ମୋତେ ଭାରି ବିରକ୍ତ ଲାଗେ । ମନରେ ରାଗ ଆସେ ।

       ଆଜି କିନ୍ତୁ ଏଇ ବର୍ଷାଟା ମୋତେ ଖୁବ୍ ଭଲ ଲାଗୁଥିଲା । ମୋ ପ୍ରେମିକା ମୋ ସହିତ ଥିଲା, ସେଥିପାଇଁ ।  ଏଇ ଟିକେ ଆଗରୁ ସେ ଘରକୁ ଫେରିବାକୁ ଚାହୁଁଥିଲା । ବର୍ଷାଟା କୁଆଡେ ଥିଲା କେଜାଣି ! ଆସିଗଲା । ବର୍ଷୁଛି ଯେ ବର୍ଷୁଛି । ଯମାରୁ ଛାଡିବାର ନାଁ ଧରୁନି ।


        ମୋତେ ଖୁସି ଲାଗୁଥିଲା । ମନେମନେ ଧନ୍ୟବାଦ ଦେଉଥିଲି ବର୍ଷାକୁ । ଭାବୁଥିଲି ବର୍ଷାଟା ଏମିତି ବର୍ଷୁଥାନ୍ତା କି । ଆମେ ଦୁହେଁ ବାଲକୋନୀରେ ଥିଲୁ ।

       - ବର୍ଷା ଛିଟା ମାରୁଛି । ତମେ ଭିଜିଯିବ । ଆସ ଭିତରେ ବସିବା ।  ମୁଁ କହିଲି ।

       - ବର୍ଷାରେ ଭିଜିଲେ କେମିତି ଲାଗେ ?  ପଚାରିଲା ସେ । ମୋ ଅନୁରୋଧକୁ ଏଡାଇ ଗଲା ।

       ବର୍ଷାଟା ଭିଜେଇ ଦିଅନ୍ତା କି ! ବଳେ ବୁଝିପାରନ୍ତା ଭିଜିଲେ କେମିତି ଲାଗେ । ମନେମନେ କହିଲି । ମୁର୍କି ମୁର୍କି ହସୁଥିଲା ସେ । ବର୍ଷାକୁ ଉପଭୋଗ କରୁଥିଲା । ହଠାତ ଦଲକାଏ ପବନ ସହିତ ବର୍ଷା ଛିଟା ଆସିଗଲା । ଅଳ୍ପ ଅଳ୍ପ ଭିଜିଗଲା ସେ । ମୁଁ ବ୍ୟସ୍ତ ହୋଇପଡିଲି । ଘୁଞ୍ଚି ଆସିବାକୁ କହିଲି । ହେଲେ ଦେଖିଲି ବର୍ଷା ଆଡକୁ ଚାଲି ଯାଉଛି ସେ । ଭିଜିବାକୁ ଇଚ୍ଛା କରୁଛି ।


         କିଛି ସମୟ ପରେ ଦେଖିଲି ତା'ର ମୁଣ୍ଡରେ, ମୁହଁରେ, ଓଠରେ, ଛାତିରେ, ପେଟରେ, ଜଙ୍ଘରେ - ସବୁଠି ଖାଲି ବର୍ଷା ଆଉ ବର୍ଷା । ଛାତି ଉପରେ ପଡିଥିବା ତା' ଲମ୍ବା କେଶରୁ ପଡୁଥିଲା ଟପ୍ ଟପ୍ ପାଣି ।  ପ୍ରଥମ ଥର ଦେଖୁଥିଲି ତା'ର ଭିଜାଭିଜା ଚେହେରାକୁ । ମୋତେ କେମିତି ଆଗ ଠାରୁ ଅଧିକ ସୁନ୍ଦର ଲାଗୁଥିଲା ସେ । ଆଖି ଫେରାଇ ପାରୁନଥିଲି ।

ବର୍ଷା ଟୋପାକୁ ହାତରେ ଧରିବାକୁ ଚେଷ୍ଟା କରୁଥିଲା ସେ । ଧୀରେ ଧୀରେ ଲାଗି ଆସିଲା ମୋ ପାଖକୁ । ମୁର୍କି ହସିଲା । ଖୁସି ଦିଶିଲା । ତାକୁ ଏତେ ଖୁସି ଦେଇ ଥିବାରୁ ମନେମନେ ପୁଣି ବର୍ଷାକୁ ଧନ୍ୟବାଦ ଦେଲି । ଥଣ୍ଡା ପବନ ବହୁଥିଲା । ବର୍ଷା ଛିଟା ପଡୁଥିଲା । ମୋ ଅଜାଣତରେ ଭିଜି ଯାଇଥିଲି ମୁଁ ।


        - ଆଷାଢ଼ ଆଉ କେତେ ଦିନ ଅଛି ?  ସେ ପଚାରିଲା ।

        - ଚାରି ଦିନ ହେଲା ଗଲାଣି । ଏଇ ଦେଖୁନ ଶ୍ରାବଣ କେମିତି ବର୍ଷୁଛି । ' ମୁଁ କହିଲି ।  ପଚାରିଲି - ' ହେଲେ ଆଷାଢକୁ କାହିଁକି ଖୋଜୁଥିଲ କି ତୁମେ ? '

        - ଆମର ବାହାଘରଟା ହୋଇ ଯାଇଥିଲେ ଖୁବ୍ ଭଲ ହୋଇଥାନ୍ତା ଭାବୁଥିଲି ।  ' ସେ କହିଲା । ତାକୁ ଭିଜେଇ ଦେଇ କ'ଣ ନ କଲା ଏ ବର୍ଷା ! ତା' ମନରେ ମିଳନର ଇଚ୍ଛା ଭରିଦେଇ ସତରେ କ'ଣ ନ କଲା! ଏସବୁ ପାଇଁ ମନେମନେ ପୁଣି ବର୍ଷାକୁ ଧନ୍ୟବାଦ ଦେଲି ।


          ମୋର ଖୁବ୍ ପାଖକୁ ଲାଗି ଆସିଥିଲା ସେ ।  ମୁଁ ବି ତା' ପାଖକୁ ଲାଗିଗଲି । ସେ ଭିଜିଥିଲା । ମୁଁ ବି ଭିଜିଥିଲି । ଦୁହେଁ ଏକାଠି ହୋଇଗଲୁ । ଗୋଟେ ଅନ୍ତରଙ୍ଗ ଆଲିଙ୍ଗନରେ ବାନ୍ଧି ରଖିଲି ତାକୁ । ଚୁମାଟେ ଦେଲି ତା' କପାଳରେ ।


         - ପୁଣି ଆଷାଢ଼ ଫେରିବ । ନିଶ୍ଚେ ଆମର ବାହାଘର ହେବ ।  ' ମୁଁ ହସିଦେଇ କହିଲି । ମୋର ଦୁଇ ବାହୁ ଭିତରେ ଥାଇ ଲାଜେଇ ଲାଜେଇ ଛୋଟିଆ ହୁଁ ଟିଏ ମାରିଲା ସେ । ମୁର୍କି ମୁର୍କି ହସିଲା । ମୋ ବାଲକୋନୀରେ ବର୍ଷା ହେଉଥିଲା । ଆଜି ବହୁତ ବର୍ଷା ହେଉଥିଲା । ଆଉ କେଉଁଠି ହେଉଥିଲା କି ନାହିଁ କେଜାଣି  !



Rate this content
Log in

Similar oriya story from Romance