ବାଞ୍ଝ
ବାଞ୍ଝ
ଅଫିସରୁ ଫେରିବା ବାଟରେ ମୁଁ ଭାଉଜଙ୍କ ସହ ଯେମିତି ହେଲେ ବି କିଛି ସମୟ କଥା ହୋଇ ଘରକୁ ଆସେ l ଘରେ ପଶିଗଲେ ପୁଣି ତା ପର ଦିନ ଅଫିସ୍ ବାହାରିବା ପର୍ଯ୍ୟନ୍ତ କାମର ଚାପରେ ଆଉ କିଛି ବି ମନେ ପଡେନା l
: ଆଲୋ ମାଆ ! ବାଞ୍ଝ ସାଙ୍ଗରେ ଗପିଲେ କଣ ସମୟ ଜଣାପଡିବ ? ମାଉସୀ (ଭାଉଜଙ୍କ ଶାଶୁ) ଭାଉଜଙ୍କ ଉଦ୍ଦେଶ୍ୟରେ କହୁଥିଲେ ଏହି କଥା l ଭାଉଜଙ୍କର ଛୁଆ ପିଲା ନାହିଁ କି ହେବାର ସମ୍ଭାବନା ବି ନାହିଁ l ଦୋଷ ଯାହାର ଥାଉ ନା କାହିଁକି ଏ କ୍ଷେତ୍ରରେ ଝିଅଟିକୁ ହିଁ ଦୋଷୀ କରି ଦିଆ ଯାଇଥାଏ l ଭାଉଜଙ୍କର ଆଖି ଲୁହରେ ଟଳମଳ ହେଉଥିଲା l ମୋତେ ନିଜକୁ ଦୋଷୀ ଲାଗିଲା l ମୋ ଆଖି ବି ଲୁହରେ ଭର୍ତ୍ତି ହୋଇଗଲା l ମୁଁ ମୁହଁ ବୁଲେଇ ଫେରି ଆସିଲି ସେଠାରୁ l
ତା’ର କିଛି ଦିନ ପରେ ମାଉସୀଙ୍କୁ ପକ୍ଷାଘାତ ହୋଇଗଲା l ଏକ ଅଙ୍ଗ ଅଚଳ l ଝାଡା ପରିସ୍ରା ସବୁ ସେଇ ଶେଜ ଉପରେ l ଭାଉଜ ମାଉସୀଙ୍କୁ ଏତେ ଯତ୍ନରେ ରଖିଥାନ୍ତି, ସତେ ଯେମିତି ସେ ତାଙ୍କର କୁନି ଝିଅଟିଏ l ସେ ଦିନ ଯାଇଥିଲି ମାଉସୀଙ୍କୁ ଦେଖିବା ପାଇଁ l
: ତୋ ମନରେ କେତେ କଷ୍ଟ ଦେଇଛି l ବାଞ୍ଝ ବୋଲି ଗାଳି ଦେଇଛି l ହେଲେ ତୁ କଣ ସତରେ ବାଞ୍ଝ ? ମୁଁ ବା ତୋର କୁନି ଝିଅଟିଏ l ଭାଉଜଙ୍କୁ ଆଉଁସୁ ଆଉଁସୁ କହୁଥିଲେ ମାଉସୀ l ଆଖିରୁ ତାଙ୍କର ଝରି ପଡୁଥିଲା ଲୁହ l ଭାଉଜ ତାଙ୍କୁ ଚାପି ଧରିଥିଲେ l
କବାଟ ଏପଟେ ମୁଁ ନୀରବରେ ଦେଖୁଥିଲି ଏହି ବିରଳ ଦୃଶ୍ୟକୁ l