ଗୋଲାପି ଦିଦି
ଗୋଲାପି ଦିଦି
"ନୀଳ ମାଷ୍ଟ୍ରାଣୀ" ଏବେ "ଗୋଲାପି ଦିଦି" ସାଜିଛି ।ଦିନ ନଅଟା ବେଳେ ରୋଜ୍ ସେ ବସ୍ ପାଖରେ ଅପେକ୍ଷା କରେ ।ମୁହଁରେ ସବୁବେଳେ ମୁଚୁକୁନ୍ଦ ହସ ।ସରକାରୀ ଚାକିରିଆ ମାନେ କାଳେ ଚାକିରି ସହ ହସଟେ ବି କିଣି ଥାଆନ୍ତି ।
ମୁଁ ସେ ଦିନ ପଚାରିଲି...ଏ ଦିଦି ସତ କହନା ...ତୁ ଏମିତି ମଲ୍ଲୀ ଫୁଲିଆ ହସ ହସୁ କେମିତି ?ହସଟେ ଫୋଫାଡି ଦେଇ କହିଲା,କାଇଁକି ବା ହସିବିନି?ମାସ ଶେଷକୁ ମୋଟା ଦରମା ମୋ ଏକାଉଣ୍ଟରେ ପଶୁଛି ।ବର୍ଷକରେ ଛଅ ମାସ ଛୁଟି ।ଦିନରେ ଛଅଘଣ୍ଟା କାମରୁ ...ତିନି ଘଣ୍ଟା ଢୋଳାଏ,ଫୋନ୍ ରେ ମାତେ,ବଗୁଲିଆ ମାଷ୍ଟରଙ୍କ ସହ ଠରା ଠରି ବି କରେ ।ଆଉ ଯେଉଁ ତିନି ଘଣ୍ଟା ରହିଲା ତାହା ପିଲାଙ୍କୁ "କ" .."ବ" କରିବାରେ ଯାଏ ।ଡେରିରେ ପହଞ୍ଚିଲେ ବି ପରବାୟ ନାହିଁ ।କେହି ନା କେହି ରେଜିଷ୍ଟର ଖାତାରେ ଉପସ୍ଥିତିଟା ପକାଇ ଦିଏ ।ପିଲାଙ୍କ ଲାଗି ଗୋଡି ଚାଉଳଭାତ ଆଉ ପୋକା ଡାଲମା ହେଲେ ବି ଆମ ଲାଗି ଛଅ ତିଅଣ ନ ଭଜା ।ଦେଖୁନୁ...ସେଇ ମାଗଣା ଖାଇ ମୋ ଫିଗର୍ ଟା ବି ଟିକେ ମାଉଁସିଆ ହୋଇ ଯାଇଛି??
ମୁଁ ହାଁଟା ମାରି ପଚାରିଲି...ଆଉ ପିଲାଙ୍କ ଭବିଷ୍ୟତ?ସେ ପିଚ୍ କରି ପାନ ଛିପ ଲେଣ୍ଡାଏ ପକାଇ ଦେଇ ଆଖି ନଚେଇ କହିଲା,ସରକାରୀ ସ୍କୁଲ୍ ରେ ପୁଣି ପିଲାଙ୍କ ଭବିଷ୍ୟତ?ଝୁଅ...ତୁ ବୁଝୁନୁ...ଏଇଟା ଏଣ୍ଡଡ୍ରଏଡ୍ ଯୁଗପରା ।ପାଠ ପଢାରେ ବି ସେମିତି ।ପ୍ରାଇଭେଟ୍ ସ୍କୁଲ୍ ଗୁଡା ଏଣ୍ଡଡ୍ରଏଡ ପରା ।ପଇସା କମ୍ ଦେବେ ଶିକ୍ଷକଙ୍କୁ ...ଆଉ ପ୍ରେସର ବେଶୀ ।ସ୍ଲିମ୍ ଏଣ୍ଡ୍ ଟ୍ରିମ୍ ।ମୋ ନିଜ ପିଲା ଦୁଇଟା ପା ସେ ଏଣ୍ଡଡ୍ରଏଡ୍ ସ୍କୁଲ୍ ରେ ।
ମୋ ମୁହଁଟା ଟିକେ ଆମ୍ବିଳା ହୋଇଗଲା ।ମୁହଁ ଶୁଖେଇ କହିଲି ତୁ ଦିଦି ଭଲ କରୁନୁ।ତୋ ହାତରେ ଦେଶର ଭବିଷ୍ୟତ ପରା ?
ସେ ପୁଣି ଠୋ ଠୋ ହସିଲା ।ଦେଶର ଭବିଷ୍ୟତ ସବୁ ପରା ପ୍ରାଇଭେଟ୍ ଇଂରାଜୀ ମିଡିୟମ ସ୍କୁଲ୍ ରେ? ।ସରକାରୀ ସ୍କୁଲ୍ ରେ କେତେ ପିଲା କି?ଏଇ କୋହ୍ଲ ସାନ୍ତାଳ ଆଦିବାସୀଙ୍କ ସହ ଅଳ୍ପ କିଛି ଗରିବ ପିଲା ।ଫୁଃ...ଏମାନେ ହେବେ ଭବିଷ୍ୟତ ଦେଶର?ଯେତେ ପିଲା କମ୍ ହେବେ ଆମ ଲାଗି ସେତେ ଉଶ୍ୱାସ ।ଏମିତି ବି ଖାଇଛୁଟି ପରେ ଆମର ସବୁ ଉଶ୍ୱାସ ।ସକାଳ ତିନିଟା ପିରିୟଡ ଯାହା ଟିକେ କଷ୍ଟ ।
ତା ହେଲେ ସରକାରୀ ସ୍କୁଲ୍ ରେଭବିଷ୍ୟତ ନାହିଁ?ମୋ ଭିତରୁ କୋହ ଫୁଟୁଥିଲା ...
ଦିଦି କହିଲା ନା ନାହିଁ.....ସରକାରୀ ଓଡିଆ ଭାଷାରେ କଣ ହେବ କହିଲୁ?ଯଦି ଇଂରାଜୀରେ ଭୁସ୍ ଭାସ୍ କରି ଦୁଇ ଚାରିପଦ ନ କହି ପାରିଲୁ ତେବେ କୋଉ ଶଶୁରପୁଅ ତୋତେ ଚାକିରି ଦେବ?ଚାକିରି ନାହିଁ ତ ପେଟ ଫମ୍ପା ।ପେଟ ଲାଗି ସବୁ ନାଟ ଲୋ ଝୁଅ ।ଟିକେ ବୁଝ...
ଆଉ ତୁ ଯୋଉ ଚାକିରି କରିଛୁ??ତୁ କଣ ଇଂରାଜୀ ସ୍କୁଲ୍ ରେ ପଢିଥିଲୁ?ମୁଁ କ୍ଷୋଭ ହୋଇ ପଚାରିଲି ।
ଦିଦି କହିଲା ଏବେ ଏଇ ଓଡିଆ ମିଡିୟମ ସ୍କୁଲ୍ ର ଚାକିରି ଲାଗି ବି ଇଂରାଜୀରେ ଇଣ୍ଟର ଭ୍ୟୁ ଦିଆ
ଯାଉଛି ।
ଇଂରାଜୀ ନାହିଁ ତ ଚାକିରି ନାହିଁ କି ଭାତ ନାହିଁ ....
ମୋର ଆଉ କିଛି କହିବାର ନ ଥିଲା ।ମୁହଁ ପୋତି କହିଲି ,ତୁ କେତେ ସୁଖୀ ଲୋ ଦିଦି...ସରକାରୀ ଚାକିରୀ କରି...
ସେ ଗର୍ଜି ଉଠିଲା କହିଲା...ତୁ କଣ ଭାବୁଛୁ ସରକାରୀ ଶିକ୍ଷୟିତ୍ରୀଙ୍କର ଦୁଃଖ ନାହିଁ?କିଏ ବୁଝୁଛି ଆମ ଦୁଃଖ?ଏ ନିଆଁଲଗା ସରକାରଙ୍କର କଣ କମ୍ ଇର୍ଷା କି?ଦେଖୁନୁ ଗୋଟିଏ ଗୋଲାପୀ ଶାଢୀ ଧରେଇ ଦେଇଛି ଯେ ଆଲମାରୀରେ ଦାମୀ ଶାଢୀ ଗୁଡା ଉଇ ଖାଇ ଗଲେଣି ।କିଛି ଗୋଟାଏ କରିବାକୁ ହେବ...ଆନ୍ଦୋଳନଟେ ତ ନିଶ୍ଚୟ....
ମୋ ମୁଣ୍ଡଟା ଝାଇଁ ଝାଇଁ ହେଉଥିଲା....ଶାନ୍ତି ନିକେତନରେ ଗଳା ଫଟାଇ କହି ଆସିଲି ଯେ ଓଡିଆ ସାହିତ୍ୟର ଭବିଷ୍ୟତ ଅଛି ।ଭଲ ସାହିତ୍ୟ ସୃଷ୍ଟି ହେବ ଆଗକୁ ।ହେଲେ ଏବେ କାଇଁ ଲାଗୁଛି ଆମ ପର ପିଢି ସବୁ ଓଡିଆକୁ ଇଂରାଜୀରେ ଲେଖି ଦେବେନି ତ? ଯେମିତି ଅଣ୍ଡଡ୍ରଏଡ୍ ମୋବାଇଲ୍ ରେ ଓଡିଆକୁ ଇଂରାଜୀରେ ଟାଇପ୍ କରୁଛୁ ଚାଟିଂ କଲା ବେଳେ....
ଉଦାହରଣ-Hai tu kana karuchhu? Kuade jaichhu?
ଖରାରେ ମୋ ମୁଣ୍ଡ ବୁଲାଉଥିଲା...ଭାଗ୍ୟଭଲ ସାମ୍ନା ଗାଡିଟା ବ୍ରେକ୍ ମାରିଦେଲା.....।