Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swain

Tragedy Others

5.0  

Sonali Swain

Tragedy Others

ମୁଁ ଝିଅ

ମୁଁ ଝିଅ

2 mins
535



ଝରକା ଫାଙ୍କର ଦୂର ଦିଗ୍‌ବଳୟର ସବୁଜ ପଡ଼ିଆକୁ ଦେଖିଲେ, ମନରେ ଆପେ ଆପେ ଈର୍ଷା ଜାତ ହୁଏ । ଈର୍ଷାଟି କୌଣସି ଏକ ମୂଲ୍ୟବାନ୍ ବସ୍ତୁ ପାଇଁ ନୁହେଁ କି କୌଣସି ଏକ ନାମିଦାମୀ ମଣିଷ ପାଇଁ ନୁହେଁ । ଈର୍ଷାହୁଏ ଝରକାଫାଙ୍କର ଆଢୁଆଳରେ କ୍ରିକେଟ୍ ଖେଳୁଥିବା ସେସବୁ ପୁଅମାନଙ୍କ ପାଇଁ । ବହୁତ କଷ୍ଟ ହୁଏ, ଭଗବାନଙ୍କୁ ମନେ ମନେ ପ୍ରଶ୍ନ କରେ “ଝିଅଟିଏ” ମତେ କ’ଣ ପାଇଁ କଲେ ?


ଝିଅଟିଏ କୁଆଡ଼େ ଘରର ମର୍ଯ୍ୟାଦା ହୋଇଥାଏ । ମର୍ଯ୍ୟାଦାର ଦ୍ୱାହି ଦେଇ ତା’ ଆଗରେ ଟଣା ଯାଇଥାଏ ଲକ୍ଷ୍ମଣରେଖା ଝିଅ ଯଦି ମର୍ଯ୍ୟାଦାର ଲକ୍ଷ୍ମଣରେଖା ରୂପକ ଏରୁଣ୍ଡି ବନ୍ଧକୁ ଡେଇଁ ଯାଏ, ତେବେ ଲୋକହସା ହେବାକୁ ପଡ଼େ ତା’ର ପିତାମାତାଙ୍କୁ ମଧ୍ୟ । କଳୁଷିତ ମନୁଷ୍ୟଙ୍କର ଏ କି କୁତ୍ସିତ ଚିନ୍ତାଧାରାକୁ ଡରି ଦେବୀ ରୂପକ କନ୍ୟା ସନ୍ତାନକୁ ଫିଙ୍ଗି ଦେଇ ଆସନ୍ତି କେଉଁ ଏକ ଅଳିଆ କୁଣ୍ଡରେ ।


କାହିଁକି ଦୁନିଆଁର ଏହି ନୀତି ନିୟମ ପୁଅମାନଙ୍କ ଉପରେ ବି ପ୍ରୟୋଗ କରାଯାଉ ନାହିଁ । ଯଦି ଝିଅଟିଏ ଜନ୍ମ ହେଉ ହେଉ ତାକୁ ଶିକ୍ଷା ଦିଆଯାଉଛି ଘରର ମର୍ଯ୍ୟାଦା ରକ୍ଷା କରିବା କଥା, ତା’ହେଲେ କ’ଣ ପାଇଁ ପୁଅମାନଙ୍କୁ ଦିଆଯାଉନାହିଁ, ଅନ୍ୟମାନଙ୍କ ଘରର ମର୍ଯ୍ୟାଦାଙ୍କୁ ସମ୍ମାନ ଦେବାର ଶିକ୍ଷା ।


କୁନି ଝିଅଟିର କୁଆଁ କୁଆଁ କାନ୍ଦ ଘରର ପାଚେରୀ ନ ଡେଉଣୁ ପାଚେରୀ ସେପାଖରୁ ଶୁଭାଯାଏ ଶେଷରେ ଝିଅଟେ ହେଲା ! ହାତରେ ସିଲଟ, କାନ୍ଧରେ ବସ୍ତାନି ଧରି କୁନି କୁନି ପାଦରେ ଝୁଣୁଝୁଣୁ ଶବ୍ଦ କରି ଗାଁ ରାସ୍ତାରେ ଚାଲିଗଲେ, ଶୁଣିବାକୁ ପଡ଼େ ଝିଅଟିଏ ପାଠ ପଢ଼ି କ’ଣ କରିବୁ ?


ସ୍କୁଲ ସାରି କଲେଜ୍‌ର ଉଚ୍ଚଶିକ୍ଷା ପାଇଁ ଯଦି ଗାଁ ଛାଡ଼ି ସହରକୁ ଆସିବାକୁ ପଡ଼େ, ବାପାଙ୍କୁ ଶୁଣିବାକୁ ପଡ଼େ, ସେ ତ ଝିଅଟେ ତାକୁ କାଇଁ ଏତେ ଦୂର ଛାଡୁଛ ?


ପାଠ ପଢ଼ିବା ସମୟରେ ବହି, ଖାତା ଧରି ବସିପଡ଼ିଲେ ଗ୍ରାମର ମୂର୍ଖ ବୁଢ଼ା-ବୁଢ଼ୀଙ୍କ ଠାରୁ ଶୁଣିବାକୁ ପଡ଼େ ଦିନ-ରାତି ଏତେପାଠ ପଢୁଛୁ କିଆଁ ? ଘରକାମ ଶିଖି, ବୋଉକୁ ରୋଷେଇରେ ସାହାଯ୍ୟ କର, ଭବିଷ୍ୟତରେ ଖୁସିରେ ରହିବୁ, କୌଣସି ବସତଃ ଘରେ ଯଦି ଝିଅଟେ ବଡ଼-ପାଟିରେ ଚିଲାଇ କିଛି କହେ, ବୋଉର ତାଗିଦ୍ ଆସେ ପାଟିରେ କୋଲପ ପକାଇ ରହ, ତୁ ଝିଅଟିଏ । ସନ୍ଧ୍ୟାରେ ଖୋଲା ଆକାଶକୁ ସ୍ପର୍ଶ କରିବାକୁ ଘରୁ ଗୋଡ଼ କାଢ଼ିଲେ ଆଈମା’ ଠାରୁ ଶୁଣିବାକୁ ପଡ଼େ ସନ୍ଧ୍ୟା ହେଲାଣି, ବାହାରକୁ ଯାଆନି, ତୁ ଝିଅଟିଏ ।


ସତରେ ଏଇ ପୁଅମାନଙ୍କୁ ସବୁଜ ପଡ଼ିଆରେ ଘୋ’ ଘୋ’ ଶବ୍ଦରେ କ୍ରିକେଟ୍ ଖେଳିବାର ଦେଖିଲେ ମନରେ ବହୁତ ଈର୍ଷା ହୁଏ । ବ୍ୟାଟ୍‌ରେ ବଲ୍‌ଟି ବାଜି ଯଦି ଚୌକା-ଛକାରେ ଆକାଶର ବହୁତ ଦୂରକୁ ଚାଲିଯାଏ । ମତେ ଲାଗେ ଝିଅଟିର ସ୍ୱପ୍ନକୁ ସେ ବଲ୍ ଭିତରେ ପୁରାଇ ବ୍ୟାଟ୍ ସାହାଯ୍ୟରେ ଛକା- ଚୌକା ବାଡ଼େଇ ବହୁତ ଦୂରକୁ ଉଡ଼ାଇ ଦିଆଯାଉଛି ।


ଭଲ ରନ୍‌ର ଅପେକ୍ଷାରେ ଯେତେବେଳେ ଦୁଇଜଣ ବ୍ୟାଟ୍ ଧରିଥିବା ବ୍ୟକ୍ତି ପଡ଼ିଆ ଭିତରେ ବଲକୁ ବ୍ୟାଟ୍‌କୁ ଛୁଅନ୍ତି । ସତେ ଯେପରି ମତେ ଲାଗେ ସେମାନେ ଯେମିତି ଝିଅମାନଙ୍କର ଏପରି ଯନ୍ତ୍ରଣା ଦେଖି ହାତରେ ହାତ ବାଡ଼ଉଛନ୍ତି । ଆଉ କ୍ଷୀପ୍ର ବେଗରେ ଦୌଡୁଥିବା ବୋଲରର ସେ କ୍ଷୀପ୍ର ପାଦଦ୍ୱୟକୁ ଦେଖି ସତେ ଯେପରି ଲାଗେ ଝିଅମାନଙ୍କ ସ୍ୱପ୍ନ-ଅଭିଳାଷକୁ ପାଦରେ ଦଳି-ଚକଟି ଛାରଖାର କରି ଦିଆଯାଉଛି ।


ଭଗବାନ ତ ସୃଷ୍ଟି କରିବା ସମୟରେ ଆଦାମ୍-ଇଭ୍ ଉଭୟ ନାରୀ-ପୁରୁଷଙ୍କୁ ତ ପ୍ରଥମେ ଜନ୍ମ ଦେଇଥିଲେ । ତାହାଲେ ନାରୀମାନଙ୍କୁ ସ୍ୱାଧୀନତାରୁ କ’ଣ ପାଇଁ ବଞ୍ଚିତ କଲେ । ସତରେ କ’ଣ ଝିଅଟିଏ ହୋଇ ଜନ୍ମ ନେବା ଏକ ଏମିତି ବଡ଼ ପାପ ! ଯଦି ବି ଝିଅଟିଏ ହୋଇ ଜନ୍ମ ନେଲ ତାହାଲେ ସହ୍ୟ କରିବାକୁ ପଡ଼ିବ ଅସହ୍ୟ ଯନ୍ତ୍ରଣା । ଜନ୍ମରୁ-ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ନାରୀକୁ ଅବହେଳା କରାଯାଇଛି ।


ହେଲେ କ’ଣ ପାଇଁ ? ଏଇ ପ୍ରଶ୍ନବାଚୀର ପରିଧିରୁ କିଏ ମୁକ୍ତି କରିବ ?


Rate this content
Log in

Similar oriya story from Tragedy