Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Others

4.7  

Soumya Shubhadarshinee

Others

ପ୍ରେମିକା

ପ୍ରେମିକା

8 mins
652


ଇପ୍ସିତ ବସ୍ତୁଟି ହାତେଇ ନେବାର କ'ଣ ତୃପ୍ତି ଥାଏ ନା' ଝୁରିବାରେ ?........

★★★★★

'ସିସିଡି' ରେ ବସି ପୂରା ମସ୍ତ ମୁଡ ବନେଇ କୋଲ୍ଡ କଫି ପିଇବା ଗୋଟେ ଖାସ ଇଚ୍ଛା ତା'ର ସବୁବେଳେ । ଏମିତିକି ଥୁରୁ ଥୁରୁ ଶୀତରେବି ସେ ବୋଧେ କୋଲ୍ଡ କଫି ମାଗିପାରେ , ମୋତେ ସେମିତି ଲାଗେ । ମୁଁ କିନ୍ତୁ ଧୂଆଁ ଉଠା କାପୁଚିନୋ ଧରେ ହାତରେ ଆଉ ତା' ବାସ୍ନାରେ ହଜେ ଘଡ଼ିଏ ।

ମୁଁ ପକ୍କା ଓଡ଼ିଆ ମାନେ ପୂରା ଖାଣ୍ଟି ଓଡ଼ିଆ । ବହଳିଆ ଗାଈ କ୍ଷୀର ତିଆରି ମିଠା ଚା' ପିଉଥିବା ଗୋଟାଏ ଗାଉଁଲି । ଆମ ଘରେ କାଳି ଗାଈ ଯଦିଓ ନଥିଲା କିନ୍ତୁ କ୍ଷୀର ମିଳୁଥିଲା ପ୍ରଚୁର । ମୋ ଜେଜୀ ସେଇ କ୍ଷୀରକୁ ଘସି ପୋଡା ଚୁଲିରେ ବସେଇ କରିଦେଉଥିଲା ଏକଦମ ନାଲି , ସେମିତି ଆଜିକା ପିଲାଏ ପିଇବାର ସୌଭାଗ୍ୟ ଆଉ ନାହିଁ । ଏମିତିକି ମୋତେ ମଧ୍ୟ ଏବେ ସେଇ ସ୍ୱାଦ ମିଳୁନାହିଁ ।

ସେଇ ମଲେଇ ମରା କ୍ଷୀରରେ ମେଞ୍ଚେ ଚିନି , ଅଦା ଛେଚା , ଗୋଲମରିଚ ପକେଇ ଚା' ବନାଏ ବୋଉ । ଚା' ନୁହେଁ ତ ରାବିଡ଼ି । ସେଇ ଚା' ମୁଁ ପିଉଥିଲି କାଚ ଗିଲାସରେ । ଜେଜେଙ୍କ ପାଇଁ ବଡ଼ କାଚ ଗିଲାସ , ଯେମିତି ଆଜି କାଲିକା ଲସି ।

ଭାବିଲେ ବଡ଼ ଖୁସି ଲାଗେ ମୁଁ ସେଇ ମହାର୍ଘ୍ୟ ସ୍ୱାଦର ଶେଷ ଚଖାଳି , ଆଉ କେବେ ସେ ସ୍ୱାଦ ମିଳିବାର ନୁହେଁ । ଆଜିର ପିଲାଏ ଏବେ କେବଳ ଭେଜାଲ ଗୁଡ଼େ ଖାଉଛନ୍ତି ଯାହା , ଆହାଃ !......

କିନ୍ତୁ ଯେବେ ବ୍ୟଙ୍ଗଲୋର ଗଲି , ସବୁଆଡେ କଫିର ରାଜୁତି । ଚା' ପିଆଳି ଗୁଡା ଏକଘରକିଆ ଲାଗୁଥିଲେ । ପ୍ରଥମେ ପ୍ରଥମେ ବଡ଼ ବିରକ୍ତ ଲାଗୁଥିଲା କିନ୍ତୁ ଆମେ ଓଡ଼ିଆ ଲୋକେ ଭାରି ଆଡ଼ଜଷ୍ଟ କଲାଵାଲା । ମୁଁ ବି ଧରିନେଲି କଫି ମଗ , ଚା' ଗିଲାସ ଛାଡି । ମୋ ବନ୍ଧୁ ନାୟାର ପ୍ରଥମେ କଫି ସହ ପରିଚିତ କରିଥିଲା ତା' ଘରେ । କହିଲା , '' ଚାଖିକି ଦେଖ ହୁଏତ ଭଲ ଲାଗିବ । ବିନା ଚାଖି କିଛି କହିବା ଠିକ ନୁହେଁ ବନ୍ଧୁ ।''

ଭାଉଜ ବଡ଼ ସରାଗରେ କଫି ଗିଲାସେ ଧରେଇ ଦେଲେ । ତାଙ୍କରବି ଗିଲାସ କିନ୍ତୁ କାଚ ନୁହେଁ ଷ୍ଟିଲ । ମୁଁ ମନା କରିପାରିଲି ନାହିଁ । ପିଇନେଲି ସୌଜନ୍ୟ ଦୃଷ୍ଟିରୁ , ଆଉ ପାଇଗଲି ବାଗ । ତା' ପରେ ବୃ , ନେସ୍କାଫି, ଏସପ୍ରେସୋ , କାପୁଚିନୋ ସଭିଏଁ ଭଲ ଲାଗିଲେ । ପରେ ଅଫିସ ନିକଟରେ ଥିବା 'ସିସିଡି' ରେ ରୋଜ୍ ଖଟି ଜମିଲା ।

**************

କଫିକୁ ନେଇ ବେଶ କହିଦେଲି , ଏବେ ଭାବୁଛି ତା' ପାଇଁ ଚିନ୍ତା କଲେ କେଵଳ ଆଉ କେବଳ କଫି ମନକୁ ଆସେ କାହିଁକି । ସେ କ'ଣ କଫି ମଗ ଭିତରୁ ମିଳିଥିଲା ମୋତେ । ପ୍ରକୃତରେ ବୋଧେ ଟିକେ ସେମିତିହିଁ । ଟେବଲ୍ ନମ୍ବର ଚାରି , ତା' ପାଇଁ ବୁକ୍ ରୁହେ ସବୁଦିନ ଆଉ ସେ ସେଇଠି ନିଜ କୋଲ୍ଡ କଫି ସହ ଦିଶିଯାଏ ମୋତେ । ଢେର ଦିନ ଯାଏଁ ମୁଁ ତାକୁ ରୋଜ୍ ଦେଖିବି ଦେଖି ପାରୁନଥିଲି । ବିଚିତ୍ର ପ୍ରାଣୀଟେ ସେ କଫି ଗ୍ଲାସ ଧରିଥିବ ସିନା ମୁହଁକୁ ମାଡିଥିବ ତା' ଲ୍ୟାପଟପ ଉପରେ । ମୁଣ୍ଡରେ ପୁଣି ମେଞ୍ଚେ କୁଞ୍ଚୁକୁଞ୍ଚିଆ କେଶ ଖୋଲି ଏମିତି ଉହାଡ଼ କରିଥିବ ଯେ ମୁହଁଟା ବିଲକୁଲ ଦିଶୁନଥିବ । ମୁଁ କେବଳ ଦେଖେ ଗୋଟେ ଅପରିଚିତା ଝକାସ୍ ଝିଅକୁ ! .....

କିନ୍ତୁ ମୁଁ ଜାଣୁଥିଲି ସେ ଅଚିରେ ସୁନ୍ଦରୀ କୁହାଯାଇପାରିବ । ଭାରି ମିଠା ରଙ୍ଗର ଝିଅଟେ , ବିଲକୁଲ ବ୍ରାଜିଲିୟାନ ସୁନ୍ଦରୀ । କୋଉଠି ଗୋଟେ ପଢ଼ିଥିଲି ବ୍ରାଜିଲ ଲଳନା ଗୁଡିକ ବିଶ୍ୱରେ ସବୁଠାରୁ ଅଧିକ ସୌନ୍ଦର୍ଯ୍ୟର ଅଧିକାରିଣୀ । ତା' ସେ ଘନ କୁଞ୍ଚୁ କୁଞ୍ଚିଆ କେଶ ମୋତେ ବହୁତ ଆକର୍ଷିତ ଲାଗୁଥିଲା ସବୁବେଳେ । ନାୟାରକୁ ମଧ୍ୟ କହିଲି ମୁଁ ,'' ମୋତେ ଏଇ ଝିଅଟି ହିଁ ଦରକାର ସାରା ଜୀବନ ପାଇଁ ।''

ଅବଶ୍ୟ ନାୟାର ହସିଥିଲା ଆଉ କହିଥିଲା , '' ତାକୁ ପଚାରି କହିବ !''

ଆମେ ଦୁହେଁ ପରସ୍ପରକୁ ଦେଖି ବହେ ହସିଥିଲୁ । କାରଣ ଝିଅଟି ସଂକ୍ରାନ୍ତରେ କିଛି ନଜାଣି ମୁଁ ଏମିତି ଗୁଡ଼େ ସ୍ୱପ୍ନ ଦେଖିବାକୁ ଲାଗିଥିଲି । କିନ୍ତୁ ଏତକ ପକ୍କା ଯେ ସ୍ୱପ୍ନ ଦେଖୁଥିଲି , ଖୁବ୍ । ମୋ ଗାଁ ଘର ଅଗଣାରେ ବସି ସେ ମୋ ଜେଜୀ ସହ ମୁଢି ଭାଜୁଥିବାର ସ୍ୱପ୍ନଟେ ବହୁତ ଥର ଦେଖୁଥିଲି । ଲାଗୁଥିଲା ଯେମିତି ସେଇ ଗାଁ ଘରେ ସେ ନିଶ୍ଚିତ ପହଞ୍ଚି ଯିବ ମୋ ସହ ଦିନେ । ଅଉ ମୁଢି ସହ କଫି ପିଇବ ସେମିତି ଧ୍ୟାନ ଲଗେଇ । ଏତକ ଅବଶ୍ୟ ମୋ ମନର କଥା , ଯାହା ମୁଁ ତାକୁ କହିବାର ସାହସ ଜୁଟେଇ ପାରୁନଥିଲି ଢେର ଦିନ ଯାଏଁ ।

ସେଦିନ ପ୍ରବଳ ବର୍ଷା , ବ୍ୟଙ୍ଗଲୋରରେ ଏମିତି ବର୍ଷା କୁଢ଼େଇ ହେବା ଭାରି ସାଧାରଣ କଥା , ମୁଁ ମଧ୍ୟ ଏଥିରେ ବେଶ ଅଭ୍ୟସ୍ତ । ହେଲେ କାହିଁକି କେଜାଣି ଥଣ୍ଡା ଜ୍ଵର ଧରିନେଲା ମୋତେ ଆଉ ମୁଣ୍ଡ ବିନ୍ଧିଲା , ଅଫିସରେ ପହଞ୍ଚିବା ପରେ । ଲଞ୍ଚ ବ୍ରେକ ରେ କିଛି ଖାଇବାକୁ ମନ ହେଲାନି । ଗଲି ଗରମ କଫି ଟିକେ ପିଇବାକୁ । ହେଲେ ଏକା କାରଣ ନାୟାର ବସି ଲଞ୍ଚ କଲା ଆମ କ୍ୟାଣ୍ଟିନ୍ ରେ । ଗୋଟେ କାପୁଚିନୋ ମଗେଇ ମଜା ନେଉଥିଲା ବେଳେ ଦେଖିଲି ସେ ଆସିଲା । ଆଃ ! ଆଜି ଥିଲା ବିଶେଷ ଦିନ କାରଣ ତାକୁ ଭଲକରି ଦେଖିଲି ମୁଁ ପ୍ରଥମ ଥର ପାଇଁ । ସେ ସତରେ ଭାରି ଭଲ ଲାଗିଲା , ସେଇ ଗାଢ଼ ଗୋଲାପି ରଙ୍ଗର ଗାଉନ୍ ରେ । ଆଜି କେଶ ବାନ୍ଧି ଦେଇଥିଲା ଗୋଟେ ସୁନ୍ଦର ବ୍ୟାଣ୍ଡରେ । ତେଣୁ ଚେହେରା ପରିଷ୍କାର ଦିଶୁଥିଲା ମୋତେ । ତା' ନାକ ଟା ଭାରି ସୁନ୍ଦର ଲାଗୁଥିଲା , ଖଣ୍ଡା ନାକ ପୂରା ତୀକ୍ଷଣ । ସେଥିରେ ପୁଣି ଫାସିଆ , ''ମୋତେ ସାଇଲା ସାଇଲା ତୋ ନାକର ଗୁଣା '' ଅକ୍ଷୟ ମହାନ୍ତି ମନେ ପଡିଗଲେ ଜବରଦସ୍ତ । କେଡେ ସୁନ୍ଦର ନାକ ଟେକୁଥିଲା ସିଏ କହିବାର ନୁହେଁ , ବୋଧେ ତାକୁ ମଧ୍ୟ ମୋ ଭଳି ଥଣ୍ଡା । ମୁଁ ଭାବିଲି ଆଜି କୋଲ୍ଡ ନୁହେଁ ହଟ୍ କଫି ପିଇବ ନିଶ୍ଚିତ ପାଗ ଆଉ ଦେହର ସ୍ଥିତି

ଅନୁସାରେ । କିନ୍ତୁ ନା' ମୁଁ ଭୁଲ ସେଇ

କୋଲ୍ଡ କଫି ଆଉ ଲ୍ୟାପଟପ୍ ।

ମୋର କଫି ସରିଗଲା ଆଉ ୱେଟର୍ ବିଲ ଧରେଇ ଦେଇ ଚାଲିଗଲା । ତଥାପି ମୁଁ ବସି ରହିଲି ଆଉ ଗୋଟେ କଫି ମଗ ସହ କେବଳ ତାକୁ ଦେଖିବାକୁ । ଆଜି ଆଉ ମନ ମାନିଲା ନାହିଁ , ତା' ସହ କଥା ନହେଇ ଫେରିବାକୁ ଜମା ଇଚ୍ଛା ହେଲାନି ।

ମୁଁ ଚାଲିଲି ଆଉ ନିଜ ପରିଚୟ ଦେଇ ବନ୍ଧୁତାର ହାତ ବଢ଼େଇଲି । ସହରର ଝିଅ ଗୁଡିକ ବହୁତ ମୁକ୍ତ ଚେତନାର , ସେ ଖୁସି ଖୁସି ମୋ ବନ୍ଧୁତା ଗ୍ରହଣ କରିନେଲା । ଆଉ ଆମେ ବନ୍ଧୁ ହେଇଗଲୁ ।

ସେ ହର୍ଷିତା ସେନ୍ , ବଙ୍ଗାଳୀ । ବାଃ ! ଭାରି ଖୁସି ହେଇଗଲି ମୁଁ । ମୋ ପଡୋଶୀନୀ , ଓଡିଶା ବେଙ୍ଗଲ କେତେ ଆଉ ଦୂରତା । ଜମିବ ନିଶ୍ଚିତ ଜମିବ ଆମ ଯୋଡି । ଏମିତି ମଧୁର ଭାବ ମନରେ ବାନ୍ଧିନେଲି ସେଦିନ।

ଧୀରେ ଧୀରେ ଆକର୍ଷଣ ବଢ଼ିଲା ଚକ୍ରବୃଦ୍ଧି ସୁଧ ହାରରେ । ସେ ଆମ ଅଫିସର ଖୁବ୍ ନିକଟରେ ଥିବା ଗୋଟେ କମ୍ପାନୀରେ ହିଁ କାମ କରୁଥିଲା । ରହୁଥିଲା ଏକା ଗୋଟେ ଫ୍ଲାଟ ନେଇ । ଆଉ ଥିଲା ଖୁବ୍ ଖୁସି ବାସିଆ , ପୂରା ମୋ ଟାଇପ୍ । ଧୀରେ ଧୀରେ ବଢ଼ିଲା ଆମ ଗପ । ସେ କିନ୍ତୁ ପ୍ରେମରେ ପଡିଲା ନାହିଁ ବିଲକୁଲ ।

ସାଥିରେ ବୁଲିଲା , କଫି ପିଇଲା , ଘରକୁ ଡାକି ବଢିଆ ମାଛ ଭାତ ଖୋଇଲା , ଭଲ ମନ୍ଦ ବୁଝିଲା , ଦେହ ପା କଥାବି ବୁଝିଲା କିନ୍ତୁ ନିର୍ଦ୍ଦିଷ୍ଟ ଦୁରତାରେ । ସେଇ ସମ୍ପର୍କ ଗୋଟେ ବନ୍ଧୁର ସମ୍ପର୍କରେ ସୀମିତ ରହିଲା । ସେଇତକ ପ୍ରେମରେ ପରିସରଭୁକ୍ତ ହେଲା ନାହିଁ । ସେଇ ଅନୁଭବ ମିଳିଲା ନାହିଁ କେବେବି ।

ମୁଁ ଏମିତି ବାନ୍ଧବୀ ଟିଏ ପାଇ ଖୁସି ହେବା କଥା କିନ୍ତୁ ତାକୁ ପ୍ରେମିକାର ଆସନରେ ବସେଇବାର ଦୁର୍ବାର ଇଚ୍ଛା ମୋତେ ଦୁଃଖି କଲା ଭୟଙ୍କର ଭାବରେ । ମୁଁ ଭିତରେ ଭିତରେ ସନ୍ତୁଳି ହେଲି , ଅସ୍ତବ୍ୟସ୍ତ ହେଲି , ହାହାକାର କଲି । କିନ୍ତୁ କିଛି କରିପାରିଲି ନାହିଁ । ସେ ମାନସିକ ଯନ୍ତ୍ରଣା ଦିନୁ ଦିନୁ ଅସହ୍ୟ ହେଲା ଆଉ ମୁଁ ଦିନେ ତା' ନିକଟରେ ମନ କଥା କହିଦେଲି ।

ସେ କିନ୍ତୁ ବଡ଼ ବିଚିତ୍ର ବ୍ୟବହାର କଲା , ମୋତେ କୌଣସି ଉତ୍ତର ନଦେଇ ଚାଲିଗଲା । କେବଳ ଗଲାନାହିଁ ଆମ ସମ୍ପର୍କରେ ମଧ୍ୟ ଗୋଟେ ପୂର୍ଣ୍ଣଛେଦ ପକେଇଦେଲା । ମୁଁ ପାଗଳ ପ୍ରାୟ ହେଇଗଲି ଆଉ ତାକୁ ଭେଟିବା ପାଇଁ ଅସ୍ତବ୍ୟସ୍ତ

ହେଲି । ସେ କିନ୍ତୁ ମିଳିଲା ନାହିଁ କେଉଁଠି । ନା 'ସିସିଡି ' , ନା ଅଫିସ, ନା' ତା' ଘରେ । ସେ ଛୁଟି ନେଇ ଘରକୁ ଯାଇଥିବାର ସୂଚନା ମିଳିଲା ବହୁତ କଷ୍ଟରେ । ମୁଁ ପୃଥିବୀର ସବୁଠାରୁ ଦୁଃଖି ମଣିଷ ହେଇଗଲି । ମନ କହୁଥିଲା ନହେଉ ପଛେ ପ୍ରେମିକା , ସେ ବାନ୍ଧବୀ ଭାବେ ରହୁ । ଏମିତି ଦୁରେଇ ନଯାଉ ମୋ ପୃଥିବୀରୁ । ତା' ବିନା ବଞ୍ଚିବା ଅସମ୍ଭବ । ମୁଁ ଖାଇପାରିଲି ନାହିଁ , ଶୋଇ ପାରିଲି ନାହିଁ , କାମ କଲିନାହିଁ । ଏକଦମ ଦେବଦାସ ହେଇଗଲି ଦିନ କେତୁଟା ଭିତରେ । ହେଲେ ମିଳିଲା ନାହିଁ ହର୍ଷିତା ମୋତେ । ଫୋନ୍ ଉଠେଇଲା ନାହିଁ ଜମାରୁ । କାହିଁକି ଏମିତି କରୁଥିଲା ସେ ମୁଁ ଟିକିଏ ମଧ୍ୟ ବୁଝିବାକୁ ଅସମର୍ଥ ଥିଲି ।

ମୋର ଏ ସ୍ଥିତି ଦେଖି ନାୟାର ନିଜ ହିସାବରେ ଖବର ନେଲା ଆଉ ତା'ର ବେଙ୍ଗଲ ଘରର ଠିକଣା ଖୋଜି ନେଲା । ସେଇ ଠିକଣାରେ ମୋତେ ନେଇ ପହଞ୍ଚେଇ ଦେଇ ଗୋଟେ ପ୍ରକୃତ ବନ୍ଧୁର ପରିଚୟ ଦେଲା ।

*****************

ସେ ମୋତେ ସେଠି ଦେଖିବ ବୋଲି କଳ୍ପନା କରିନଥିଲା ନିଶ୍ଚିତ । କିନ୍ତୁ ମୁଁ ପହଞ୍ଚିଗଲି । ଆଉ ତାକୁ ଦେଖି ବୁଝିଗଲି ସେ ବି ଥିଲା ମୋ ଭଳି ମାନସିକ ଯନ୍ତ୍ରଣା ଭିତରେ । ତା'ର ସୁନ୍ଦର ନାକଟା ନାଲି ପଡିଯାଇଥିଲା ହୁଏତ କାନ୍ଦି କାନ୍ଦି ଆଉ ସେଇ ଫାସିଆଟି ମଧ୍ୟ ନଥିଲା । କେମିତି ଗୋଟେ ରଙ୍ଗହୀନ ଲାଗୁଥିଲା ତା' ସୁନ୍ଦରୀ ଚେହେରା ।

ସେଇ କୋଲ୍ଡ କଫି ସହ ସ୍ୱାଗତ କଲା ସେ ମୋତେ । ଅବଶ୍ୟ ପ୍ରବଳ ଗରମ ପଡିଥିଲା ମେ ମାସର ଧୁ ଧୁ ଖରାବେଳେ । ମୁଁ କିନ୍ତୁ କଫି କପ ନୁହେଁ ତା' ହାତକୁ ଧରିନେଇ ଭୋ ଭୋ କରି କାନ୍ଦିଲି । ତା' ବିନା ବଞ୍ଚି ପାରିବି ନାହିଁ ବୋଲି କହିଲି । ସେ କିନ୍ତୁ କିଛି ପ୍ରତିକ୍ରିୟା ପ୍ରକାଶ କଲାନି । କେବଳ ମୋତେ ଫେରିଯିବାକୁ ଅନୁରୋଧ କଲା । ମୁଁ କିନ୍ତୁ ଏଇ ବୀତସ୍ପୃହ ଭାବର କାରଣ ନବୁଝି ଯିବିନାହିଁ ବୋଲି ସଫା ସଫା କହିଦେଲି । ସେ ଅସହାୟ ହେଇ ଜଣେଇଲା ତା' ସଂକ୍ରାନ୍ତୀୟ ଗୋଟେ ରହସ୍ୟ । ସେ ବିଧବା , ଆଉ ତା'ର ଝିଅଟିଏ ଅଛି । ସେ ଆଉ କାହାରି ପ୍ରେମିକା ହେବାର ସମ୍ଭାବନା ନାହିଁ। ମୁଁ ଏତକ ଶୁଣି ଦୁଃଖରେ ଭାଙ୍ଗିପଡ଼ିଲି । କାରଣ ମୋ ପରିବାର ଏପରି ପ୍ରସ୍ତାବଟିଏ ଗ୍ରହଣ କରିବା ସମ୍ଭବ ନଥିଲା । ବୋଉ ମୋର ଏକମାତ୍ର ପୁଅକୁ ଏମିତି ବୋହୁ ସହ ଛନ୍ଦିବାର ସାହସ କେବେ ଜୁଟେଇବା ସମ୍ଭବ ନଥିଲା । ଆଉ ବାପା ମୋତେ ତେଜ୍ଯପୁତ୍ର କରିଦେବାର ଭୟ ପ୍ରଛନ୍ନ ରହିଥିଲା । କିନ୍ତୁ ମୋର ତଥାପି ଇଚ୍ଛା ହେଲା ଜାଣିବାକୁ ଯଦି ଏମିତି ଅଡୁଆ ନଥାନ୍ତା ତେବେ କ'ଣ ହର୍ଷା ମୋର ହେଇଥାନ୍ତା ?.......

ମୋ ଏଇ ପ୍ରଶ୍ନର ସେ କୌଣସି ଉତ୍ତର ଦେଲା ନାହିଁ । କେବଳ ଶୁନ୍ୟ ଦୃଷ୍ଟିରେ ଦୂର ଆକାଶକୁ ଦେଖିଲା , ଯେମିତି ସେ ସେଇଠି ଖୋଜୁଛି ମୋ ପ୍ରଶ୍ନର ସଠିକ ଉତ୍ତର ।

ମୁଁ ବହୁତ ଇଚ୍ଛା କଲି , ଥରୁଟିଏ କହୁ ସେ ମୋତେ ଯେ ସେ ମଧ୍ୟ ମୋ ପ୍ରତି ସେତିକି ଆସକ୍ତ । ମୁଁ କିଛିବି କରିଯିବି । ଘର , ପରିବାର , ସମ୍ପର୍କ ସବୁ ଜଳାଞ୍ଜଳି ଦେଇଦେବି। ଆମେ ଦୁହେଁ ମିଶି ଘର ଲୋକକଙ୍କୁ ମନେଇ ନେବୁ । ଯେମିତି ବିଭିନ୍ନ ଚଳଚିତ୍ରରେ ଦେଖାଇଥାଏ ଠିକ ସେମିତି । ଚଳଚିତ୍ର ' ଟୁ ଷ୍ଟେଟସ୍ ' ମନେ ପଡ଼ିଲା ବହୁତ । କିନ୍ତୁ ସେ କିଛି ବି କହିଲା ନାହିଁ । କେବଳ ନିରବ ରହିଲା ଆଉ ନିରୂପଦ୍ରପ ଭାବ ପହଁରେଇଲା ତା' ଆଖିର

ଶୁନ୍ୟତାରେ ।

ହେଲେ ମୁଁ ଜାଣିଥିଲି ସେ ଗଭୀର ଭାବେ ଆସକ୍ତ ଥିଲା ମୋ ପ୍ରତି । କାରଣ ମୋତେ ଦେଖି ତା' ଆଖିର ତାରା ଉଜ୍ଜ୍ୱଳ ହେଇଯାଇଥିଲେ ଅପୂର୍ବ ଭାବରେ । କିନ୍ତୁ ସେ ହୃଦୟରେ ପଥର ରଖି ସେଇ ଆଖି ଗୁଡିକୁ ଶୁନ୍ୟ କରିଦେଲା ।

ମୁଁ ଖୁବ୍ ବିକଳ ଭାବେ ଚାହୁଁଥିଲି , ଥରୁଟିଏ କହୁ ସେ , '' ମୁଁ ବି ତୁମ ବିନା ଏକାକୀ ଜୀବନ ଜୀଇଁ ପାରିବିନାହିଁ । '' କିନ୍ତୁ ସେମିତି କିଛି ଘଟିଲା ନାହିଁ । ମୁଁ ରିକ୍ତ ହୃଦୟ ନେଇ ଫେରିଆସିଲି । ଆଉ ସେ ସେଇଠି ରହିଗଲା ଗୋଟେ ପରିତ୍ୟକ୍ତ ସମ୍ପର୍କର ଶବ ବାହିକା ସାଜି ।

***************

ଫେରିଲି ସିନା କିନ୍ତୁ ଆଉ ସେଇ ସହରରେ କାମ କରିପାରିଲି ନାହିଁ । ମୋତେ ହର୍ଷା ସବୁଠି ଦିଶିଲା । ତା' ଅନୁପସ୍ଥିତି ତୀକ୍ଷଣ ଛୁରୀ ଭଳି ରକ୍ତାକ୍ତ କଲା । ମୁଁ ନିଜକୁ ଜମା ବୁଝେଇ ପାରିଲି ନାହିଁ । ଶେଷକୁ ଅନ୍ୟ ଗୋଟେ କମ୍ପାନୀ ଜଏନ୍ କଲି ଆଉ ଚେନ୍ନାଇ ଚାଲିଗଲି । ଏଠି ହର୍ଷା ନଥିଲା , କିନ୍ତୁ 'ସିସିଡି' ଆଉ କଫି ଥିଲେ ।

ଗୋଟେ ଆଦତ ହେଇଯାଇଥିଲା କଫିର ତେଣୁ ମୁଁ ଚାଲିଲି ସେଠିକାର 'ସିସିଡି ' । କିନ୍ତୁ ମୋତେ ଅଜବ ଆଶ୍ଚର୍ଯ୍ୟ ଭାବରେ ବୁଡ଼େଇ ଦିଶିଲେ ସେ , ସେମିତି ଠିକ ହର୍ଷା ଭଳି କୋଲ୍ଡ କଫି ସହ ରୋଜ୍ । କିନ୍ତୁ ତାଙ୍କ ବୟସ ଖୁବ୍ ହେଇଯାଇଥିଲା । କେଶ ସଫେଦ ହେଇଯାଇଥିଲେ । କିନ୍ତୁ ଭାବ ଠିକ ହର୍ଷା ଭଳି ଥିଲା । ସେ ସୁନ୍ଦରୀ ଥିଲେ ।

କୌତୁହଳ ବଶବର୍ତ୍ତି ହେଇ ମୁଁ ୱେଟର୍ କୁ ତାଙ୍କ ପରିଚୟ ମାଗିଲି । ପିଲାଟା ଉଦାସ ସ୍ୱରରେ କହିଲା , '' ତାଙ୍କୁ ଜାଣିନ , ସେ 'ଲେଡି ଲଭ୍' ନିଜ ଇପ୍ସିତ ପାଇଁ ଏଇଠି ଏମିତି ପ୍ରତୀକ୍ଷାରେ ଅନେକ ଦିନ ହେଲା ।''

ମୁଁ ଆଶ୍ଚର୍ଯ୍ୟ ହେଲି ଆଉ ପଚାରିଲି , ''ତାଙ୍କ ଇପ୍ସିତ କ'ଣ କଥା ଦେଇ ଆସିଲେ ନାହିଁ ?''

--'' ନା' ଲେଡି ଲଭ୍ ନିଜେ ପ୍ରତ୍ୟାଖ୍ୟାନ କଲେ । ତାଙ୍କ ପ୍ରେମୀକଙ୍କ ପରିବାର ଏ ସମ୍ପର୍କକୁ ସ୍ୱୀକୃତି ଦେବାକୁ ଅରାଜି ଥିଲା । ସେ ପ୍ରେମ ପାଇଁ ସମ୍ପର୍କକୁ ବଳୀ ଦେବାକୁ ଚାହିଁଲେ ନାହିଁ । କିନ୍ତୁ ମନକୁ ବୁଝେଇ ପାରିଲେ ନାହିଁ । ଏମିତି ସାରା ଜୀବନ ରହିଲେ ଏକାକୀ । ''

--'' କିନ୍ତୁ ଏମିତି କରି କ'ଣ ପାଇଲେ ସେ ?''

--'' ପ୍ରକୃତ ପ୍ରେମିକାମାନେ ଭୋଗରେ ନୁହେଁ ତ୍ୟାଗରେ ବିଶ୍ୱାସ କରନ୍ତି ସାର୍ । ''

ହଠାତ୍ ମୋତେ ସେ ଠିକ ହର୍ଷା ଭଳି ଲାଗିଲେ । ମୁଁ ଦ୍ରୁତ ଗତିରେ ଧାଇଁଲି ଏଆରପୋର୍ଟ । ମୋତେ ବେଙ୍ଗଲ ପାଇଁ ଫ୍ଲାଇଟ ଧରିବାର ଥିଲା ।

ସୌମ୍ୟା ଶୁଭଦର୍ଶିନୀ


Rate this content
Log in