Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

ନିର୍ଜୀବତାରୁ ସଜୀବତା ଆଡକୁ

ନିର୍ଜୀବତାରୁ ସଜୀବତା ଆଡକୁ

13 mins
14.5K


ଖବରଟା ପହଞ୍ଚୁ ପହଞ୍ଚୁ ବସିବା ଥାନରୁ ଉଠି ଦଉଡି ଆସିଲା ବୋଉ ସହରକୁ, ପୁଅର ଆଭିଜାତ୍ୟ ଭରା ସଂସାର ଭିତରକୁ । ଲୁଗାପଟାର ଠିକଣା ନାହିଁ, ରୂପଭେକକୁ ନିଘା ନାହିଁ, କି ସମୟ ଅସମୟକୁ ହେଜ ନାହିଁ । ମୁଣ୍ଡରେ ତା’ର କେବଳ ଗୋଟିଏ ଚିନ୍ତା ଥିଲା, କେମିତି ଆଉ କେତେ ଶୀଘ୍ର ଯାଇ ପହଞ୍ଚିଯିବ .. ନିଜ ଆଖିରେ ଦେଖିନେବ ତା’ ଅନ୍ଧର ଲଉଡିକୁ ମନଭରି ; ତା’ ରୋ‌ଗୀଣା ଦେହହାତରେ ମମତାର ହାତକୁ ବୁଲେଇ ଆଣିବ, ତା’ ପାଇଁ ପଥି ରାନ୍ଧିଦେବ । ତା’ ଶେଯ ପାଖରେ ଠାକୁରଙ୍କ ଧଣ୍ଡା ଥୋଇ ଦେଇ ଦିନରାତି ମୁଣ୍ଡିଆ ମାରି ମାରି ଠାକୁରଙ୍କୁ ବିନତୀ କରିବ ପୁଅର ସବୁ ଦୁଃଖକଷ୍ଟକୁ ତା’ ଦେହରେ ଭରିଦେଇ ପୁଅକୁ ତା’ର ଠିକ୍ କରିଦବାକୁ । ଆଉ ଏକଥା ବି ମନେ ମନେ ଭାବି ନେଇଥିଲା ଯେ ଠାକୁରଙ୍କ ଦୟାରୁ ପୁଅ ଭଲ ହେଇଗଲେ ଗାଁରେ ଠିଆପାଲା କରେଇବ, ସତ୍ୟନାରାୟଣଙ୍କୁ ଶିରିଣି ଭୋଗ ଚଢେଇବ .. ନିଜ ହାତରେ ଠାକୁରଙ୍କ ପିଣ୍ଡି ଲିପିବ .. ପାଞ୍ଚ ରାତି ଜାଗରଣ କରିବ .. !

ଏତେ ସବୁ ତତ୍ପରତା ଭିତରେ ନିଜକୁ ଦେଖିବାକୁ ବେଳ ହେଇନାହିଁ । ସେସବୁ କଥା ପରକୁ ଥାଉ, ଏବେ ସେସବୁ ଚିନ୍ତା ବି କରି ପାରିବ ନାହିଁ ସେ । ତା’ ମୁଣ୍ଡରେ ଏଇଲେ କେବଳ ପୁଅର ଚିନ୍ତା । କିନ୍ତୁ ସେଇ ଚିନ୍ତା ଭିତରେ ସେଠାକାର ପରିସ୍ଥିତ ଭୁଲିଯିବାଟା ନିଶ୍ଚୟ ଠିକ୍ ହେଇନାହିଁ । କାରଣ ସେଇ ଘରେ ତ ଖାଲି ତା’ର ପୁଅ ରହୁନାହିଁ .. ରହୁଛି ଉଚ୍ଚ ଶିକ୍ଷିତ ବୋହୂ, ଯାହାର ସମାଜରେ ବଡ ନାମଡାକ ! ବଡ ଘରର ଝିଅ ସିଏ .. ହାଇ ସୋସାଇଟିରେ ତା’ର ବସାଉଠା .. ଆଉ ଏବେ ତ ସହଜେ କଲେକ୍ଟର୍ ସାହେବଙ୍କ ପତ୍ନୀ ! ବେଶଭୂଷା, ଚାଲିଚଳଣୀ‌, କଥାବାର୍ତ୍ତା, ସବୁଥିରେ ଆଭିଜାତ୍ୟର ଚିହ୍ନ ସୁସ୍ପଷ୍ଟ ! ଖାସ୍ ସେଇଥିପାଇଁ ବୋଉର ମଳିମୁଣ୍ଡିଆ ଚେହେରା, ବେଶ ପୋଷାକ, କଥାବାର୍ତ୍ତା କରିବାର ଢଙ୍ଗ, କିଛି ବି ସେଠିକା ପରିବେଶ ଉପଯୋଗୀ ହୋଇ ପାରେନି ।

ହେଲେ ଏତେ କଥା ବୋଉ କ’ଣ କେବେ ଚିନ୍ତା କରେ କି ! ସେ ତ ସବୁବେଳେ ସେମାନଙ୍କର ଶୁଭ ମନାସୀବାରେ ହିଁ ଲାଗିଥାଏ ! ସେଇ ଭିତରେ ଦିନରାତି ତା’ର ଏମିତି ହଜିଯାଏ ଯେ, ନିଜକୁ ସୁଧାରିବା କଥା କେବେ ତା’ ମନକୁ ହିଁ ଆସେନି । ଆସିଲା ପୂର୍ବରୁ ଗାଁରେ ଜଣେ ଦି’ ଜଣ ସେକଥାକୁ କହିଥିଲେ ବି .. ହେଲେ ସେ ତାଙ୍କୁ ଉତ୍ତର ଦେଇଥିଲା – ପୁଅ ତା’ର ଠିକ୍ ହେଇଯାଉ ଆଗ, ତା’ପରେ ଅନ୍ୟ କଥା ଚିନ୍ତା କରିବ ସେ । ଏବେ ପୁଅ ପାଖରେ ଯାଇ ଯଥାଶୀଘ୍ର ପହଞ୍ଚିଯିବା ହିଁ ତା’ର ମୁଖ୍ୟ ଚିନ୍ତା । ପୁଅ ତା’ର ଖାଇବା ପିଇବା ଛାଡି ଦେଇଛି । ପାଟିକୁ ତା’ର କିଛି ରୁଚୁନାହିଁ । ବାନ୍ତି କରି କରି ଦୁର୍ବଳ ହୋଇଯାଇଛି । ଏମିତିରେ ନିଜ ଲୁଗାପଟା ନା ରୂପଭେକ ସୁଧାରିବାକୁ ମନ ବଳେଇବ !

କିନ୍ତୁ ଏତେ ତତ୍ପରତା ଭିତରେ ବି ବାଡି ନଡିଆରୁ ଦି’ ପୁଞ୍ଜା, ଭଜା ହରଡ ଡାଲିରୁ ଡବାଏ, ମୁଢି, ଉଖୁଡା, ଖଇ, ଢିଙ୍କି କୁଟା ଭଲ ନାଲି ଚୂଡା, ଘରେ ମାରିଥିବା ଗୁଆଘିଅ, ଦେଶୀ ଆଳୁ, ବାଡି ପିଜୁଳିରୁ ଦି’ ଅଣ୍ଡା, ପୋଇଶାଗ, କଖାରୁ ଶାଗ, ସୁନୁସୁନିଆ ଶାଗ, ପିତା ଶୁଖୁଆ, ଇତ୍ୟାଦି ଇତ୍ୟାଦି ଦୁଇଟା ବସ୍ତାରେ ଭରି ନେଇ ଆସିବାକୁ ସେ ଭୁଲି ନଥିଲା ।

ଏତେ ବଡ ବଡ ବସ୍ତା !!

ଦେଖୁ ଦେଖୁ ଆଶ୍ଚର୍ଯ୍ୟ ହେଇଗଲେ ପୁଅବୋହୂ । ଅବଶ୍ୟ ଦୁଇ ଜଣଙ୍କ ଆଶ୍ଚର୍ଯ୍ୟ ହେବାରେ ଥିଲା ଦିଗବଳୟର ଦୂରତା । ବୋହୂ ଆଶ୍ଚର୍ଯ୍ୟ ହେଉଥିଲା ଖରା ତରା ନମାନି, ଏ ଅବେଳଟାରେ କାହିଁକି ଆସି ସେ ପହଞ୍ଚିଗଲେ ବୋଲି ! ଆଗରୁ ଖବର ଦେଇଥିଲେ, କେମିତି କରି କିଛି ଗୋଟାଏ ବାହାନା ଦେଖେଇ, ସେ ତାଙ୍କୁ ଜମାରୁ ଆସିବାକୁ ଦେଇନଥାନ୍ତା । ଜଣାନାହିଁ କିଏ ଖବର ପଠେଇଦେଲା ତାଙ୍କୁ, ପୁଅ ତାଙ୍କର ବେମାର ଅଛି ବୋଲି, କିଛି ନବୁଝି ନସୁଝି ଧାଇଁ ଆସିଛନ୍ତି । ନିଶ୍ଚୟ ଏସବୁ ତାଙ୍କ ପୁଅର ହି କରାମତି ହେଇଥିବ । କେତେ ଦିନରୁ ବୋଉକୁ ଡାକିବେ ଡାକିବେ କହୁଥିଲେ, ଏବେ ମଉକା ମିଳିଗଲା । କିଏ ଜାଣେ, ତାଙ୍କୁ ଡାକିବାକୁ ହି ଦେହ ଖରାପର ବାହାନା କରିନଥିବେ ବୋଲି !

ମନେ ମନେ ବିରକ୍ତ ହେଲେ ବି ସାମାଜିକ ନୀତି ନିୟମର ଶୃଙ୍ଖଳ ଛିଡେଇ ଦେଇ କିଛି ଗୋଟାଏ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ସାହାସ କରିପାରିଲା ନାହିଁ ସେ ଏଥର । ତେଣୁ ଢୁ କରି ମୁଣ୍ଡିଆଟିଏ ମାରିଦେଇ ବସିବାକୁ ଚଉକି ଦେଖେଇ ଦେଇ ଭିତରକୁ ଚାଲିଗଲା ତାଙ୍କ ପାଇଁ କିଛି ପଣା ପାଣିର ବ୍ୟବସ୍ଥା କରିବାକୁ ।

ଆଉ ପୁଅ ଆଶ୍ଚର୍ଯ୍ୟ ହେଉଥିଲା ନିଜ ଅଶୀତିପର ବୋଉର ଧୂଳି ଧୂସରିତ ଚେହେରାକୁ ଚାହିଁ । ମନେ ମନେ ଭାବୁଥିଲା, ଗାଁ ଘର ଠାରୁ ଦୁଇ କୋଶ ଦୂର ବସ୍ ଷ୍ଟାଣ୍ଡ୍ କୁ ଆଣି ତାକୁ ଛାଡିଦେବାକୁ କେମିତି ଆଉ କେତେ ନେହୁରା ନହେଇଥିବ ସମସ୍ତଙ୍କ ପାଖରେ ସେ ! କଣ୍ଡକ୍ଟରର ଚିଡି ଚିଡି ସହି ଏତେ ବଡ ବଡ ବସ୍ତାକୁ କୌଣସି ମତେ ଠେଲି ପେଲି ବସ୍ ର ସିଟ୍ ତଳକୁ ରଖିଥିବ । ହାଉ ହାଉ ହୋଇ ଗୁଡାଏ ବକିଥିବେ ବସ୍ ର ସମସ୍ତ ଯାତ୍ରୀ । କାରଣ ତା’ର ଏଇ ବସ୍ତାଟିକୁ ରଖିବା ଭିତରେ ସେମାନଙ୍କର ଅନେକ ବହୁମୂଲ୍ୟ ସମୟ ନିଶ୍ଚୟ ନଷ୍ଟ ହେଇଥିବ ।

ହୁଏତ କଣ୍ଡକ୍ଟରକୁ ଖୁସି କରିବାକୁ ନିଜ ସାମର୍ଥ୍ୟର ବାହାରକୁ ଯାଇ କିଛି ହାତଗୁଞ୍ଜା ଦେଇଥିବ ବୋଉ, ଯାହା ଫଳରେ କଟକ ପର୍ଯ୍ୟନ୍ତ ନେଇ ଆସିବାକୁ ରାଜି ତ ହେଇଥିବ, ହେଲେ ବସ୍ ଷ୍ଟାଣ୍ଡ୍ ରେ ବସ୍ ରହିଲା ପରେ ଅତି ନିର୍ଲିପ୍ତ ହୃଦୟରେ ବସ୍ତାଟିକୁ ତଳକୁ ଠେଲି ଦେଇଥିବ ସେ । ଯାହାକୁ ‘ହାଁ .. ହାଁ .. ଭାଙ୍ଗିଯିବ .. ଭାଙ୍ଗିଯିବ ..’ କହି ଧରି ପକେଇବାକୁ ଚେଷ୍ଟା କରିଥିବ ବୋଉ । ଦୁର୍ବଳ ଦେହରେ ତା’ର ଆସି ଯାଇଥିବ ଅମାପ ଶକ୍ତି । ପୁଅବୋହୂ, ନାତିନାତୁଣୀଙ୍କ ପାଇଁ ନଉଥିବା ଅମୂଲ୍ୟ ଦ୍ରବ୍ୟ ସବୁ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନଷ୍ଟ ହେଇଯିବାର ଭୟରେ ସେତେବେଳେ ଭୁଲି ଯାଇଥିବ ନିଜ ଶାରୀରିକ ଅକ୍ଷମତାକୁ । ଆଉ ତା’ପରେ ‘ବାପ ଲୋ .. ଧନ ଲୋ ..’ କହି ରିକ୍ସାବାଲାକୁ ରାଜି କରେଇଥିବ ତାକୁ ଆଣି ଠିକଣା ଜାଗାରେ ପହଞ୍ଚେଇ ଦବାକୁ ।

ଏତେ ସବୁ ଶାରୀରିକ ଆଉ ମାନସିକ ପରିଶ୍ରମ ପରେ ବି ବୋଉ ଝାଉଁଳି ପଡିନାହିଁ । ଭାଙ୍ଗ ପଡି ଆସିଥିବା ମୁହଁଟି ତା’ର ପୁଅକୁ ଦେଖିବା ଜନିତ ଖୁସିରେ ଦାଉ ଦାଉ କରିଉଠୁଚି । ପାନଖିଆ ଓଠରୁ ଝର ଝର ହୋଇ ଝରିଆସୁଛି ମେଞ୍ଚା ମେଞ୍ଚା ନିର୍ମଳ ହସ । କାରଣ, ସବୁ ଅସୁବିଧା ସତ୍ତ୍ୱେ ବି ସେ ସହି ସଲାମତରେ ତା’ ପୁଅ ପାଖରେ ପହଞ୍ଚି ଯାଇଛି ଆଉ ମଧ୍ୟ ପହଞ୍ଚି ଯାଇଛି ଶହେ ଚାଳିଶ କିଲୋମିଟର ଦୂର ପାହାଡ ଜଙ୍ଗଲ ଘେରା ଛୋଟିଆ ଗାଁର ଉର୍ବରିଆ ମାଟିରୁ ଉତ୍ପାଦିତ କିଛି ନିର୍ଭେଜାଲ ଜିନିଷ, ଯାହାକୁ ଖାଇ ପୁଅ ତା’ର ଦୁଇଟା ଦିନରେ ଶେଯରୁ ଉଠିକି ବସିବ । ଏଇ କେତେ ଦିନ ହେଲା ପୁଅ ତା’ର ନିର୍ଜୀବାଙ୍କ ପରି ଖଟରେ ପଡିରହିଛି । ସହରୀ ଭେଜାଲ ଖାଦ୍ୟ ସାଙ୍ଗକୁ ଅଫିସ୍ କାମର ଚାପ, ତା’ ଉପରକୁ ପୁଣି ଦାଉ ସାଧୁଛି ଏ ପୋଡାମୁହାଁ ରୋଗ !

ମୁଗ୍ଧ ଦୃଷ୍ଟିରେ ପୁଅ ଚାହିଁ ରହିଥିଲା ବୋଉର ସେହି ଶାନ୍ତ ସ୍ନିଗ୍ଧ ରୂପକୁ । ତା’ ଜୀବନ କାଳ ଭିତରେ ଏତେ ସୁନ୍ଦର ଆଉ କୋମଳ ସୌନ୍ଦର୍ଯ୍ୟ ସେ କୋଉଠି ବି ଦେଖିନାହିଁ । ଶରୀରର ସମସ୍ତ କଷ୍ଟ ଯନ୍ତ୍ରଣାକୁ ଭୁଲି ବୋଉ ପାଇଁ ଆଖିରୁ ତା’ର ଲୁହ ଦୁଇ ଧାର ବହିଆସିଲା । ବୋଉର ମମତା ଆଗରେ ନିଜ ସ୍ୱାର୍ଥପର ମନୋବୃତ୍ତି ପାଇଁ ତାକୁ ନିଜ ଉପରେ ଘୃଣା ଆସୁଥିଲା । ଦୀର୍ଘ ଦିନରୁ ବୋଉକୁ ଦେଖିବାକୁ ସେ ଗାଁକୁ ଯାଇନାହିଁ । ଅଫିସ୍ କାମର ଚାପା ବହୁତ ବୋଲି ସବୁବେଳେ କହିଆସିଛି । ମାତ୍ର ସେ ନିଜେ ଜାଣେ ଏସବୁ ବାହାନା କେବଳ । ଆଜି ଯିବି .. କାଲି ଯିବି .. ଛୁଟି ମିଳିଲେ ଯିବି .. କହି କହି ଏଇ ଭିତରେ ଦେଢ ବର୍ଷରୁ ଅଧିକା ହେଇଗଲାଣି ଗାଁ ମାଟି ମାଡିବାର । ଛୁଟି ଯେ ମିଳିନାହିଁ, ସେକଥା ନୁହେଁ .. ହେଲେ ସେଇ ଛୁଟିରେ ପରିବାରକୁ ସାଙ୍ଗରେ ଧରି ସେ ଦେଶ ବିଦେଶର ଭ୍ରମଣ କରିଛି .. ସାଙ୍ଗସାଥିଙ୍କ ଘରକୁ ଯାଇଛି । ଶ୍ୱଶୁର ଘରକୁ ଯାଇଛି .. ଶଳାଶାଳୀଙ୍କ ସହିତ ପାର୍ଟି ପିକନିକ୍ କରିଛି .. ହେଲେ ତିନି ଘଣ୍ଟାର ବାଟ ଅତିକ୍ରମ କରି ବୋଉ ପାଖକୁ ଯାଇ ପାରିନାହିଁ ।

ଏଇ ଭିତରେ ଥରେ କି ଦି’ ଥର ନୁହେଁ, ବାରମ୍ୱାର ଖରାପ ହେଇଛି ବୋଉର ଦେହ । ଗାଁ ଲୋକେ ତାକୁ ଖବର ଦେଇଛନ୍ତି ; କିଛି ଦିନ ପାଇଁ ବୋଉକୁ ସହରକୁ ନେଇଯିବାକୁ ଉପଦେଶ ଦେଇଛନ୍ତି । ସେ କିନ୍ତୁ କୌଣସି ନା କୌଣସି ବାହାନା କରି ସେପରି ହେବାକୁ ଦେଇନି । ହଁ, ଗୋଟିଏ କାମ ସେ ନିଶ୍ଚୟ କରିଛି, ବୋଉକୁ ଭଲ ଡାକ୍ତର ଦେଖେଇ ଦବାକୁ ସେମାନଙ୍କୁ ଉପଦେଶ ଦେଇଛି । ସେଥିପାଇଁ ମୁଠା ମୁଠା ଟଙ୍କା ବି ପଠେଇଛି, ଆଉ ଦି’ ଚାରି ଦିନରେ ଥରେ ଫୋନ୍ କରି, ‘କେମିତି ଅଛୁ .. କ’ଣ କରୁଛୁ .. ଦେହ ଭଲ ହେଲାଣି କି ନାହିଁ .. ଡାକ୍ତର ଆସିଥିଲା କି .. ଠିକ୍ ଟାଇମ୍ ରେ ଖିଆ ପିଆ କରୁଥିବୁ ..’ ଆଦି ପଚାରି ଦେଇ ନିଜ କର୍ତ୍ତବ୍ୟ ସଂପାଦନ କରିଦେଇଛି ।

ହେଲେ ଥରେ ବି ତା’ ମନକୁ ଆସିନି ଯେ ଯୋଉ ଗାଁର ପିଲାମାନଙ୍କ ପାଇଁ ପ୍ରାଇମେରୀ ସ୍କୁଲ୍ ଟିଏ ବି ଆଜି ଯାଏଁ ଠାକ୍ ଠାକ୍ ଖୋଲାଯାଇ ପାରିନାହିଁ, ସେଠି ଭଲ ଡାକ୍ତରଟିଏ କୋଉଠୁ ଆସିବ ଯେ ସେ ଆସି ବୋଉର ଚିକିତ୍ସା କରିବ, ଆଉ ବୋଉ ଠିକ୍ ହେଇଯିବ ସେଥିରେ ! ସେଇ ବିରାଟ ଖଞ୍ଜା ଘରେ ରୋଗ ବାଧକରେ ପଡି ବି ଏକା ଏକୁଟିଆ ଛାତକୁ ଅନେଇ ଅନେଇ କେମିତି ଦିନ କାଟୁଥିବ ବୋଉ ! ଆଉ କିଏ ଆସି ତାକୁ ଠିକ୍ ଟାଇମ୍ ରେ ଖାଇବାକୁ ପିଇବାକୁ ଦେଇ ଯାଉଥିବ ଯେ ସେ ଖାଉଥିବ !

ନା, ଏତେ ସବୁ କଥା ପୁଅର ମୁଣ୍ଡରେ କେବେ ବି ପଶିନି । କାରଣ ତା’ ନିଜ ଦେହ ଆଜି ପର୍ଯ୍ୟନ୍ତ ସେତେ ଦୂର ଖରାପ କେବେ ବି ହେଇନି, ଯାହା ଫଳରେ ଶେଯରେ ଶୋଇ ଶୋଇ ଛାତର କଡି ବରଗା ଗଣନ୍ତା ସେ ! ଗୋଟାଏ ଫୋନ୍ କରିଦେଲେ ସହରର ସବୁଠାରୁ ବଡ ଆଉ ଭଲ ଡାକ୍ତରମାନଙ୍କର ଲାଇନ୍ ଲାଗି ଯାଉଥିବା ସମୟରେ ସେ କାହିଁ ଚିନ୍ତା କରିବାକୁ ଯିବ ତାଙ୍କ ଡାକ୍ତର ବିହୀନ ଗାଁର ଦୁଃଖ ଦୁର୍ଦ୍ଦଶା ବିଷୟରେ !

ତା’ ଛଡା କାଶିଲେ, ଛିଙ୍କିଲେ ସେବା କରିବାକୁ ପତ୍ନୀ ସହିତ, ପଂଝାଏ ଚାକର ଚାକରାଣୀ ଏ ଘରେ ମହଜୁଦ ଥିଲା ବେଳେ ସେ କାହିଁ ଅନୁମାନ କରିବାକୁ ଯିବ ନିର୍ଜନ ଘରର ଅବସ୍ଥିତିକୁ.. ଆଉ ତା’ ଭିତରେ ପାଣି ଟୋପେ ପିଇବା ପାଇଁ ବି ଘୁସୁରି ଘୁସୁରି ମାଠିଆ ପାଖକୁ ଯିବାର ବିବଶତାକୁ !

ଏଥର ପୁଅର ଦେହ ଟିକେ ଅଧିକା ଖରାପ ହେଇଯାଇଛି । ଡାକ୍ତର କହୁଛି ମାନସିକ ଚାପ ବଢିଯାଇଛି । ଫଳରେ ରକ୍ତଚାପ ଓ ଶର୍କରା, ଉଭୟ ନିଜ ଉପସ୍ଥିତି ଅସମ୍ଭବ ପ୍ରକାରରେ ଜାହିର କରି ପକେଇଛନ୍ତି । ରକ୍ତଚାପକୁ ନିୟନ୍ତ୍ରଣ ନକରିଲେ ହାର୍ଟ ଆଉ କିଡନୀ ଉପରେ ପ୍ରଭାବ ପଡିବ ବୋଲି ସତର୍କ ବାଣୀ ବି ଶୁଣେଇ ଦେଇଛନ୍ତି । ଦିନରାତି କାମ କରିବାର ଫଳ ଇଏ । ଏବେ କେବଳ ବିଶ୍ରାମ ହି ଲୋଡା .. ତାହା ବି ସଂପୂର୍ଣ୍ଣ ଭାବରେ। ମୋଟାମୋଟି ଭାବେ କହିବାକୁ ଗଲେ କଲେକ୍ଟର ସାହେବଙ୍କୁ ଅଫିସ୍ କଥା ପୂରାପୂରି ଭୁଲି ଶେଯରେ ଶୋଇ ରହିବାକୁ ହେବ ବେଶ୍ କିଛି ଦିନ କାଳ । ଏଇ ସମୟରେ ବାହାର ଲୋକ କି ଅଫିସ୍ ଲୋକଙ୍କ ସହିତ ମିଳାମିଶା ଯେତେ ନକରିବ ସେତେ ଭଲ । ଏବେ କେବଳ ଘରଲୋକଙ୍କ ସାହଚର୍ଯ୍ୟ ହି ଲୋଡା । କିନ୍ତୁ ଘରଲୋକଙ୍କ ପାଖରେ ଏତେ ସମୟ କାହିଁ !

ପତ୍ନୀ ତାଙ୍କର ମହିଳା ସମିତିର ସଭାପତି, ଅନାଥାଶ୍ରମର ଟ୍ରଷ୍ଟି, ବାଳକ୍ରୀଡା କେନ୍ଦ୍ରର ସାଧାରଣ ସଂପାଦିକା, ମହିଳାଶ୍ରମର ଉପ-ସଭାପତି, ଏମିତି ଏମିତି କେତେ କ’ଣ ! ସାରାଦିନ ଗୋଟାକ ପରେ ଗୋଟାଏ କରି, ଅନେକ ମିଟିଙ୍ଗ୍ । କୋଉଠି କିଏ ମହିଳାଙ୍କ ଉପରେ ଅତ୍ୟାଚାର କଲାଣି ତ କୋଉଠି ଅନାଥାଶ୍ରମର ପିଲାମାନଙ୍କୁ ଯୌନପୀଡା ଦେଲାଣି, ନତୁବା ଶାଶୁବୋହୂ ଗଣ୍ଡଗୋଳ ତ ନିହାତି ଥିବ ହିଁ ଥିବ ! ଏସବୁ ଅତି ସାଧାରଣ କେସ୍‌, ଦିନକୁ ଗୋଟୋ କି ଦିଇଟା ନୁହେଁ, ଶତ ସହସ୍ର କେସ୍ । ସେସବୁର ସମାଧାନ କରିବାର ଦାୟୀତ୍ୱ କେବଳ ତାଙ୍କରି ।

ତା’ ସାଙ୍ଗକୁ ବି ଅଛି କିଛି ଅଫିସ୍ ସଂପର୍କିତ କେସ୍ । କେତେବେଳେ କିଏ ଅଫିସ୍ ରୁ ଟଙ୍କା ତୋଷରପାତ କଲାଣି ତ ଆଉ କେତେବେଳେ ବାହାରୁ ଆସିଥିବା ସାହାଯ୍ୟକୁ ହାତେଇ ନେଲାଣି । ଆଜିକାଲିର ଦିନଚର୍ଯ୍ୟାରେ ସମସ୍ୟା ଯେପରି ଦିନକୁ ଦିନ ବଢିବାରେ ଲାଗିଛି .. ଏସବୁକୁ ତ ଆଉ ଘରେ ବସି ବସି ତୁଲେଇ ହେବନି ! ତେଣୁ ଦିନ ତମାମ୍ ତାଙ୍କୁ ଏ ଅଫିସ୍ ରୁ ସେ ଅଫିସ୍ ଘୂରି ବୁଲିବାକୁ ହିଁ ପଡେ। ଗୋଟାକ ପରେ ଗୋଟାଏ ମିଟିଙ୍ଗ୍ ଆଟେଣ୍ଡ୍ କରିବାକୁ ପଡେ । ତାଙ୍କ ପାଖରେ ବୋଳ କାହିଁ ବସି ସ୍ୱାମୀଙ୍କର ପଦ ସେବା କରିବାକୁ ! ଏମିତି ବି ସେସବୁ କରିବାକୁ ଚାକର ଚାକରାଣୀ କ’ଣ ଏ ଘରେ କମ୍ ଅଛନ୍ତି ଯେ ସେସବୁ ସେ କରିବାକୁ ଯିବେ !

ପତ୍ନୀ ନହେଲେ ନାହିଁ, ପିଲାମାନେ ହେଲେ ଘଡିଏ ବସିଯାଆନ୍ତେ ପାଖରେ .. ଦେହରେ ମୁଣ୍ଡରେ ହାତ ବୁଲେଇ ଆଣନ୍ତେ, ନିଜର ଅଭାବ ଅସୁବିଧା, ଭଲମନ୍ଦ କଥା ଗପନ୍ତେ, ତାହାହେଲେ ବିଛଣାରେ ପଡିରହିଲେ ବି ପୁଅର ସମୟ କଟିଯାଆନ୍ତା । ଅଫିସ୍ କଥା, ଫାଇଲ୍ ପତ୍ର କଥା ସେ ଭୁଲିଯାଆନ୍ତା । କିନ୍ତୁ ଆଜିକା ଛୁଆ ତ ବାପମା’ଙ୍କ ଠାରୁ ଅଧିକ ବ୍ୟସ୍ତ, ଅଧିକ ଚାପଗ୍ରସ୍ତ, ବାପାଙ୍କ ମାନସିକ ଯନ୍ତ୍ରଣା କଥା ଚିନ୍ତା କରିବାକୁ ବି ସେମାନଙ୍କ ପାଖରେ ସମୟ ନାହିଁ । ପ୍ରତିଯୋଗୀତା ଭରା ବାୟୁମଣ୍ଡଳ ଭିତରେ ସବୁଥିରେ ‘ଏକସଲେଣ୍ଟ୍’ କରିବାକୁ ଅଛି । ତେଣୁ ସ୍କୁଲ୍ ପରେ କୋଚିଙ୍ଗ୍ କ୍ଲାସ୍‌ ମ୍ୟୁଜିକ୍ କ୍ଲାସ୍‌ ଡ୍ୟାନସ କ୍ଲାସ୍‌ ସୁଇମିଙ୍ଗ୍ କ୍ଲାସ୍ .. ଆଉ ଘରକୁ ଫେରିଲା ପରେ ହୋମ୍ ୱାର୍କ କରିବା, ଟିଭି ଦେଖିବା, ଇଣ୍ଟନେଟ୍ ରେ ଚାଟ୍ କରିବା ଅବା ପ୍ଲେ ଷ୍ଟେସନ୍ ଧରି ଗେମ୍ ଖେଳିବା, ତା’ପରେ ଖାଇବା ପିଇବା, ଆଉ ରାତି ଅଧ ହେଲା ପରେ ଶେଯକୁ ଚାଲିଯିବା । ଏତେ ସବୁ ଭିତରେ ବାପାଙ୍କ ବେମାରୀ, ଅବା ଘରର ଅନ୍ୟ କିଛି ସମସ୍ୟା କଥା ମୁଣ୍ଡ ଭିତରକୁ ପଶିବାକୁ ବାଟ କାହୁଁ ପାଇବ !

ପୁଣି ଥରେ ପୁଅ ଚାହିଁଲା ବୋଉର ପରଳ ମାଡି ଆସିଥିବା ଆଖିକୁ, ସନ୍ଧିବାତରେ ବଙ୍କା ହେଇଯାଇଥିବା ଆଙ୍ଗୁଠି ଗୁଡାକୁ, ପାଣି କାଦୁଅରେ କାମ କରି କରି ଫାଟିଫୁଟି ରକ୍ତ ବାହାରୁଥିବା ପାଦ ଦୁଇଟିକୁ । ଏ ସବୁକିଛି ପାଇଁ ସେ ହିଁ ଦାୟୀ । ତାରି ଦାୟୀତ୍ୱରେ ବୋଉକୁ ଛାଡି, ଅସମୟରେ ବାପା ଚାଲି ଯାଇଥିଲେ ଦିନେ ଆରପାରିକୁ । ସେ ତାଙ୍କୁ କଥା ଦେଇଥିଲା ବୋଉକୁ ରାଜରାଣୀ କରି ରଖିବ । କିନ୍ତୁ ସେକଥାକୁ ସେ ରଖି ପାରିନାହିଁ । ନିଜକୁ ସମାଜର ଉଚ୍ଚ ସ୍ଥାନକୁ ଧକ୍କା ମାରି ମାରି ନେଲା ଭିତରେ ବୋଉର ଉପସ୍ଥିତି ତାକୁ ଅପ୍ରସ୍ତୁତ କରିଛି । ତେଣୁ ବୋଉକୁ ଗାଁରେ ରହିବାକୁ ସେ ବାଧ୍ୟ କରିଛି । ଅବଶ୍ୟ ସେ ଘରଦ୍ବାର ଛାଡି ବୋଉ କେବେ ଆସିନଥାନ୍ତା ଏଠି ରହିବାକୁ ! କିନ୍ତୁ କାଳେ ଆସିଯିବ, ସେଇ ଭୟରେ ଭୁଲ୍ ରେ ମୁହଁ ଖୋଲି ଔପଚାରିକତାବଶତଃ ସେକଥା ସେ ତୁଣ୍ଡରେ ବି ଧରିନାହିଁ ।

“ବୋଉ, ଚାଲ ଭିତରକୁ, ହାତ ମୁହଁ ଧୋଇ ଖିଆ ପିଆ କରିବ । ତୁମ ଜିନିଷପତ୍ର ଗେଷ୍ଟ୍ ରୁମ୍ ରେ ରଖିଦେଇଛି । ମୁଁ ଟିକିଏ ବାହାରକୁ ଯାଉଛି । ତୁମେ ଖିଆପିଆ ସାରି ଶୋଇପଡିବ । ସନ୍ଧ୍ୟାବେଳେ ମୁଁ ଫେରିଲା ପରେ କଥାବାର୍ତ୍ତା କରିବା ।“

ପତ୍ନୀର ସେ ଆବେଗହୀନ ନିମନ୍ତ୍ରଣରେ ଚମକି ପଡିଲା ପୁଅ । ବୋଉର ଉପସ୍ଥିତି ସବୁକାଳେ ପତ୍ନୀକୁ ଅପସନ୍ଦ ଥାଏ । ବୋଉର ରୂପଭେକ, କଥାବାର୍ତ୍ତା କରିବାର ଢଙ୍ଗ, ସବୁ ତା’ ପାଇଁ ଅସହ୍ୟ । ଯଦିଓ ବୋଉ ତା’ର କୌଣସି କାମରେ ହସ୍ତକ୍ଷେପ କରେ ନାହିଁ, ତଥାପି ତାକୁ ବୋଉ ଗୋଟେ ବୋଝ ପରିକା ଲାଗେ । ଏକଥା ପୁଅ ଭଲ ଭାବରେ ଜାଣିଥିଲେ ବି ଏଥର ବୋଉକୁ ଦୁଇ ଚାରି ଦିନ ଭିତରେ ଗାଁକୁ ପଠେଇ ଦେବାର ଯୋଜନା ନକରିବାକୁ ସ୍ଥିର କରିନେଇଥିଲା ସେ । ସେଥିପାଇଁ ମୁହଁ ଉଠେଇ ପତ୍ନୀର ଅସନ୍ତୁଷ୍ଟିଆ ଭାବକୁ ସେ ଦେଖିଲା ବି ନାହିଁ । ବରଂ ଜଳ ଜଳ କରି ଚାହିଁ ରହିଥିଲା ଚାକରାଣୀ ହାତରେ ବସ୍ତାକୁ ଖୋଲେଇ ଗୋଟି ଗୋଟି କରି ଜିନିଷ ସବୁକୁ କାଢି ତା’ ଆଗରେ ଗଦୋଉଥିବା ବୋଉକୁ ।

ଏଥିରେ ଥିବା ସବୁ ଜିନିଷ ତା’ର ଅତି ପ୍ରିୟ । ତା’ ପିଲାଦିନର ସ୍ମୃତି । ଦେଖୁ ଦେଖୁ ଭୁଲି ଯାଇଥିବା ଅନେକ କଥା, ସହରୀ ଜୀବନର ସମସ୍ତ ଚାକଚକ୍ୟକୁ ତୁଚ୍ଛ ଘୋଷଣା କରି, ତଥାକଥିକ ହାଇ ସୋସାଇଟିର ଥଳକୂଳକୁ ଭାଙ୍ଗିଦେଇ ତା’ ସାମନାରେ ଅଜାଡି ହେଇ ପଡୁଥିଲା ସତେ କି ! ଏ ସବୁଥିରେ ବୋଉ ହାତର ସ୍ପର୍ଶ .. ତା’ ସ୍ନେହ ମମତା ଖୁନ୍ଦି ହେଇ ରହିଛି ପ୍ରତିଟି ଜିନିଷରେ । ଏସବୁକୁ ମନଭରି ଏଥର ସେ ଖାଇବ, ଠିକ୍ ଯେମିତି ଖାଉଥିଲା ପିଲାଦିନେ, ବୋଉକୁ ମାଗି ମାଗି ।

“କ’ଣ ଏସବୁ ବୋହି ଆଣିଛନ୍ତି ଆବୁରୁ ଜାବୁରୁ କରି କେଜାଣି ! କ’ଣ ହେବ ଏଗୁଡା ଏଠି ? କିଏ ଖାଇବ ? ସହଜେ ତ ରୋଗା ହେଲେଣି ସମସ୍ତେ .. ସେଥିକୁ ପୁଣି ଏମିତିଆ ଜିନିଷ ଆଣି ଘରେ ପୁରୋଉଛନ୍ତି .. ରଖିବାକୁ ଜାଗା ବି ନାହିଁ । ଇଏ ଆସିଲେ ଏଇଥିପାଇଁ ମୁଣ୍ଡ ବିନ୍ଧା ବଢେ ମୋର ..” ବୋଉକୁ ନଶୁଭି ପାରିଲା ପରି ସ୍ୱରରେ ଗାରୁ ଗାରୁ ହେଉଥିଲା ପତ୍ନୀ ।

ହସିଦେଲା ପୁଅ । କି ଅଜବ ମାନସିକତା ସତରେ ! ନିଜର ସାମାନ୍ୟ ଦେହ ଖରାପ ଥିଲା ବେଳେ ମମୀ ତା’ର ଦିନରାତି ଦଉଡୁଥାନ୍ତି, କେତେବେଳେ ହାତରେ ହର୍ଲିକ୍ସର ବୋତଲ ଧରି ତ ଆଉ କେତେବେଳେ ଋୁତୁ ଅନୁଯାୟୀ ଫଳମୂଳ କିଛି ଧରି । ସେତେବେଳେ ଗଦ୍ ଗଦ୍ ସ୍ୱରରେ ଝିଅ ତାଙ୍କର କହିଉଠେ, “ମୁଁ ଜାଣିଥିଲି ପରା, ମୋ ଦେହ ଖରାପ କଥା ଶୁଣୁ ଶୁଣୁ ମମୀ ଘରଦ୍ୱାର ଛାଡି ଦଉଡି ଆସିବ, ଆଉ ବଜାରଟା ଯାକର ଜିନିଷ ବୋହି ଆଣିବ ଘରକୁ । ମା’ ମନ ତା’ର, ଝିଅକୁ ଦେଖିବାକୁ ବିକଳ ତ ହେବ ହିଁ ..” ହେଲେ ସେଇ ଝିଅ ମମୀ ବଦଳରେ ବୋଉ ଆଣିଥିବା ଜିନିଷକୁ ଦେଖି ନାକ ଟେକୁଛି ଏଇଆ କହି ଯେ, ‘ଆବୁରୁ ଜାବୁରୁ ଜିନିଷ ପୁଳେ ନେଇ ଆସିଛନ୍ତି ..’

ହସିଦେଲା ପୁଅ । ବୋଉ ଗଦେଇଥିବା ଜିନିଷ ଆଡକୁ ତତ୍ପରତାର ସହ ଆଗେଇ ଯାଇ ପତ୍ନୀର ‘ହାଁ .. ହାଁ .. ଧୁଆହେଇନି .. ଧୁଆହେଇନି ..’ ର ବାରଣ ସତ୍ତ୍ୱେ ବାଡି ପିଜୁଳିରୁ ଗୋଟେ ଉଠେଇ ନେଇ କଡ୍ କରି ଚୋବେଇ ପକେଇଲା । ଆଃ .. କି ସୁସ୍ୱାଦୁ !! ଆଜି ବି ସେ ସ୍ୱାଦରେ କିଛି ପରିବର୍ତ୍ତନ ହେଇନାହିଁ । ଯଦିଓ ତା’ ନିଜ ଭିତରେ ଆସିଯାଇଛି ଆକାଶ ପାତାଳର ପରିବର୍ତ୍ତନ । ଖାଲି ପିଜୁଳିରେ ମନ ଶାନ୍ତି ହେଲା ନାହିଁ, ନାଲି ଚୂଡା ଆଡେ ହାତ କରି ପତ୍ନୀକୁ କହିଲା, “ଏଥିରେ ସଜ ଦହି ଆଉ ଗୁଡ ପକେଇ ଦିଅନ୍ତନି .. ଖାଇବାକୁ ଇଚ୍ଛା ହେଉଛି ..!”

କ୍ରୋଧରେ ଫାଟି ପଡୁଥିଲା ପତ୍ନୀ । ପଞ୍ଚମକୁ ଉଠି ଯାଇଥିଲା ତା’ର ରାଗ, “ତୁମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କ’ଣ ! ଏସବୁ ତୁମ ପାଇଁ ବିଷ ! ଏଗୁଡା ଖାଇଲା ମାତ୍ରେ ଯାହା ଟିକେ ଭଲ ହେଇଛ, ସେତକ ବି ଯିବ ! ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି ତୁମ ଚିକିତ୍ସା ପାଇଁ .. ଆଉ ତୁମେ କହୁଛ ନାଲି ଚୂଡା, ପିଜୁଳି ନଡିଆ ସବୁ ଖାଇବ ! ତୁମ ବୋଉ ବି କେମିତିଆ କେଜାଣି .. ଧାଇଁ ଆସିଛନ୍ତି ଏସବୁ ବିଷ ଜହରକୁ ନେଇ ! ରୋଗା ପୁଅକୁ ଦେଖିବାକୁ ଆସିଛନ୍ତି ନା ତା’ ରୋଗ ବଢେଇବାକୁ ଆସିଛନ୍ତି ! କାହିଁ ଆସୁଥିଲେ କେଜାଣି ..”

ଆଜି ପୁଅକୁ ଏସବୁ କିଛି ଶୁଭା ଯାଉନଥିଲା । ପତ୍ନୀର ସମସ୍ତ ବାରଣ ସତ୍ତ୍ୱେ ଚାରି ପାଞ୍ଚଟା ବାଡି ବରକୋଳି ପାଟିରେ ପକେଇ ଦେଇ ସେ କହିଲା, “ସବୁ ମା’ ମାନେ ସେମିତି ସ୍ନିଗ୍ଧା । ପିଲାମାନଙ୍କର ଦେହ ଖରାପ ଶୁଣିଲେ, ନିଜ ପିଲାକୁ ଭଲ ଲାଗୁଥିବା ଜିନିଷ ଧରି ଧାଇଁଆସିବେ । ସ୍ଥଳ ବିଶେଷରେ ସେ ଜିନିଷ ଆବୁରୁ ଜାବୁରୁ ହୁଏ, ନହେଲେ ହୁଏ ବହୁତ କିଛି । ବୋଉ ଆଣିଥିବା ଜିନିଷ ତୁମ ପାଇଁ ଆବୁରୁ ଜାବୁରୁ ହୋଇଥାଇ ପାରେ, କାରଣ ସେସବୁ କିଣିବା ପାଇଁ ପଇସା ଖର୍ଚ୍ଚ ହେଇନି । ମାତ୍ର ମୋ ପାଇଁ ସେସବୁ ଅମୂଲ୍ୟ ।

ଏସବୁ ଜିନିଷ ରଖିବାର ଚିନ୍ତା ତୁମେ ମୋଟେ କରନି । ମୁଁ ରଘୁଆକୁ ପଠେଇ ବଜାରରୁ ଦଶଟା ଡବା ମଗେଇ ଆଣୁଛି, ସେଇଥିରେ ସେ ରଖିଦେବ । ତାକୁ ତୁମ ଆଧୁନିକ ରୋଷେଇ ଘର ଭିତରେ ପ୍ରବେଶ ମିଳିବ ନାହିଁ, ତାହା ବି ମୁଁ ଜାଣିଛି, ତେଣୁ ମୋ ପଢା ଟେବୁଲ୍ ଖାଲି କରିଦେଇ ସେଇଠି ରଖିବାର ବ୍ୟବସ୍ଥା କରିଦିଅ । ମୋର ଯେତେବେଳେ ମନ ହେବ, ସେସବୁ ମୁଁ ଖାଇବି । ଆଉ ମୁଁ ତମକୁ ପ୍ରମିଶ୍ କରୁଛି, ସେସବୁ ଖାଇ ମୁଁ ଆଦୌ ବେମାର ପଡିବିନି ।

.. ବାୟ ଦ ୱେ, ଏଥର ବୋଉର ଜିନିଷପତ୍ର ଗେଷ୍ଟ୍ ରୁମ୍ ରେ ନରଖି ମୋରି ରୁମ୍ ରେ ରଖେଇଦିଅ । ତା’ ବିଛଣା ଏଇଠି ଲଗେଇ ଦିଅ । ସେ ଏଇଠି ଖାଇବ, ଆଉ ଏଇଠି ହିଁ ଶୋଇବ । ବହୁତ ବର୍ଷ ପରେ ଆମେ ମା’ ପୁଅ ନିଶ୍ଚିନ୍ତରେ ବସି ଗପସପ ହେବୁ । ନୂଆ ପୁରୁଣା କଥା ମନେ ପକେଇ ଆତ୍ମହରା ହେବୁ । ତୁମକୁ ସେସବୁ ଭଲ ନଲାଗିପାରେ, ତେଣୁ ମୋ ଦେହ ଖରାପ ଦିନତକ ତୁମେ ବରଂ ଅନ୍ୟ ରୁମ୍ କୁ ଶିଫ୍ଟ କରିଯାଅ ..”

କହୁ କହୁ ପୁଅର ଆଖି ଓଦା ଓଦା ହେଇଆସିଲା । ଅସ୍ପଷ୍ଟ ଆଖିକୁ ତା’ର ଏଇଲେ ପତ୍ନୀର ରାଗ ତମ ତମ ଚେହେରା ଦେଖା ଯାଉନଥିଲା, ବରଂ ସ୍ପଷ୍ଟ ଦେଖା ଯାଉଥିଲା ଧୂମିଳ ପଡି ଯାଇଥିବା ଗୋଟିଏ ସୁନ୍ଦର ଆଉ ମନଲୋଭା ଛବି – ବୋଉର କୋଳରେ ମୁଣ୍ଡ ରଖି ସେ ଶୋଇଛି, ଆଉ ତା’ ମୁଣ୍ଡକୁ ଧିରେ ଧିରେ ଆଉଁସି ଦେଉ ଦେଉ ବୋଉ କହିଚାଲିଛି ରାମାୟଣ ମହାଭାରତର ଅସରନ୍ତି କାହାଣୀ ।

କ୍ରୋଧ ଜରଜର ପତ୍ନୀ ମିଟିଙ୍ଗ୍ ର ବାହାନା କରି ବାହାରକୁ ଚାଲିଗଲା ପରେ ପୁଅ ବୋଉକୁ ଡାକି କହିଲା, “ବୋଉ, ତୁ ଯୋଉ ସୁନୁସୁନିଆ ଶାଗ ଆଣିଛୁ, ସେଥିରୁ ଟିକିଏ ଖରଡିଲୁ, ଖାଇବା ।“

“ଏଇଲେ ?” ଆଶ୍ଚର୍ଯ୍ୟ ପ୍ରକଟ କରି ବୋଉ କହିଲା । କିନ୍ତୁ କହୁ କହୁ ଉଠି ରୋଷେଇ ଘର ଆଡକୁ ଚାଲି ବି ଗଲା । ଶାଗ ଖରଡାର ବାସ୍ନାରେ ପୁଅ ଶେଯରୁ ଉଠି ବସି ସାରିଥିଲା । କେତେ ଦିନ, ନାହିଁ ନାହିଁ, କେତେ ବର୍ଷ କି ଯୁଗ ପରେ ଏ ଅପୂର୍ବ ସ୍ବାଦକୁ ତା’ ପାଟି ଚାଖୁଛି ! ପିଲାଦିନେ ବାପା ବିଲରେ କାମ ସାରି ଫେରିଲା ବେଳେ ଗାମୁଛାରେ ବାନ୍ଧି ନଈହୁଡାରୁ ଏମିତିଆ ଶାଗ ନେଇ ଆସିଥାନ୍ତି । ଆଉ ବୋଉ ତା’ ପାଇଁ ଖରଡି ରଖିଥାଏ । ସ୍କୁଲ୍ ରୁ ଫେରିଲା ପରେ ପଖାଳ ଭାତ ସାଙ୍ଗକୁ ଗରମ ଗରମ ଶାଗ ଖରଡା ! ଓଃ, କି ଅମୃତ ଲାଗେ ପାଟିକୁ ! ଏ ହଜାର ପ୍ରକାରର ଦେଶୀ ବିଦେଶୀ ଖାଦ୍ୟ ବି ତା’ ଆଗରେ ଏକଦମ୍ ଫିକା ।

ଆଖି ଲୁହରେ ଝାଲୁ ଝାଲୁ ହେବା ପୂର୍ବରୁ ତା’ ପ୍ଲେଟ୍ ଖାଲି ହୋଇ ସାରିଥିଲା । ମିଠା ମିଠା ସ୍ୱାଦ କିନ୍ତୁ ପାଟି ଭିତରେ ଏବେ ବି ଖେଳି ବୁଲୁଥିଲା । ମନ ହେଉଥିଲା ଆହୁରି ଦିଅନ୍ତା କି ବୋଉ, ପେଟ ପୂରେଇ ଖାଇଦିଅନ୍ତା ସେ । ହେଲେ ବୋଉ ମନା କଲା, “ନାହିଁରେ ପୁଅ, ଜରୁଆ ଦେହରେ ଏତେ ଶାଗ ଖାଇବାଟା ଠିକ୍ ହେବନାହିଁ । କାଲିକୁ ବରଂ ଆଉ ଟିକିଏ କରିଦେବି ଯେ ଖାଇବୁ । ଆଜି ଥାଉ ..!”

ମାନିଗଲା ପୁଅ । ପରିତୃପ୍ତିର ହେଉଡିଟିଏ ମାରି ନିଶ୍ଚିନ୍ତରେ ଶୋଇଗଲା ବୋଉ ପାଖରେ ।

ସନ୍ଧ୍ୟାରେ ଡାକ୍ତର ଆସି ବ୍ଲଡ୍ ପ୍ରେସର୍ ଚେକ୍ କରି କହିଲେ, “ବାଃ, ଲାଗୁଛି ନୂଆ ଔଷଧଟା ଭଲ କାମ ଦେଲା । ଏତେ ଦିନ ପରେ ଆଜି ସବୁ ନର୍ମାଲ୍ ଅଛି ଆପଣଙ୍କର ।“

ହସିଦେଲା ପୁଅ । ସେ ଜାଣିଥିଲା ଏସବୁ ନୂଆ ଔଷଧ ପାଇଁ ନୁହେଁ, ବରଂ ବୋଉ ତିଆରି ସୁନୁସୁନିଆ ଶାଗ ପାଇଁ ସମ୍ଭବ ହେଇଛି । ସେ ଆଜି ମନଭରି ଖାଇଛି, ଆନନ୍ଦରେ ଖାଇଛି, ମଜା ନେଇ ନେଇ ଖାଇଛି । ଅଜବ ଏକ ତୃପ୍ତିରେ ପେଟ ତା’ର ଭରିଯାଇଛି । ଆଜି ବହୁତ ଦିନ ପରେ ତାକୁ ଲାଗୁଛି ସେ ଯେମିତି ନିର୍ଜୀବତାରୁ ସଜୀବତା ଆଡକୁ ଦ୍ରୁତ ଗତିରେ ଆଗେଇ ଚାଲିଛି, ପଛରେ ଫୋପାଡି ଦେଇ ଆଭିଜାତ୍ୟ ଆଉ ମିଥ୍ୟା ଅହଙ୍କାରର ମୋଟା ଆବରଣକୁ !!

-0-


Rate this content
Log in