Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

2.3  

sushama Parija

Tragedy

କାଳ ନାଗୁଣୀ

କାଳ ନାଗୁଣୀ

11 mins
7.4K


ଗୋପୀନାଥ ମୁଣ୍ଡରେ ହାତ ଦେଇ ବସିଥିଲା । ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧିନ ରହିବା ପରେ ମାତ୍ର ତିନି ଦିନ ତଳେ ଘରକୁ ଫେରିଛି ସେ । ସବୁବେଳେ ନିଦୁଆ ନିଦୁଆ ଲାଗିବା ସହିତ ମୁଣ୍ଡ ବ୍ୟଥାଟା ଲାଗି ରହୁଛି । ଡାକ୍ତର କହୁଛନ୍ତି ଏଇଟା ଚିକିତ୍ସାର ପରବର୍ତ୍ତୀ କାଳୀନ ପ୍ରଭାବ । ତା'କୁ ପ୍ରଚୁର ବିଶ୍ରାମ ସହ ସ୍ଥାନ ପରିବର୍ତ୍ତନ ଦରକାର । କୁଆଡ଼େ ଯିବ ଗୋପୀନାଥ ? ଯୁଆଡେ ଗଲେ ଗୋଲାପର ଭୂତ ତା'ର ପିଛା ଛାଡୁନି । ଆଖି ଖୋଲିଲେ ଗୋଲାପ , ଆଖି ବନ୍ଦ କଲେ ଗୋଲାପ , ଶୟନେ ,ସପନେ , ଜାଗରଣେ , ଖାଲି ଗୋଲାପ ଆଉ ଗୋଲାପ । ମଦ ନିଶା ଠାରୁ ଆହୁରି ତୀବ୍ର, ଆହୁରି ଉତ୍କଟ ଗୋଲାପର ନିଶା । ପନ୍ଦର ବର୍ଷ ଧରି ସୈନ୍ୟ ବାହିନୀରେ ଚାକିରି କରିଥିଲେ ମଧ୍ୟ ଦିନେ ହେଲେ ମଦକୁ ଛୁଇଁ ନଥିଲା ଗୋପୀନାଥ କିନ୍ତୁ ଏବେ ଭାବୁଛି ମଦ ପିଇ ଦେଲେ ହୁଏତ ଗୋଲାପର କଥା ସେ ଭୁଲି ଯାଇ ପାରନ୍ତା , କିଛି ସମୟ ପାଇଁ ହେଉ ପଛେ ,ସେ ଟିକେ ଶାନ୍ତିରେ ଶୋଇ ପାରନ୍ତା ତ । ଗୋଲାପର ସ୍ମୃତି ତା'କୁ ଦିନ ରାତି ଏମିତି ଜାଳି ପୋଡି ଆକ୍ତାମାକ୍ତା କରି ପକାନ୍ତା ନାହିଁ ତ । ତା'କୁ ଖଟ ଉପରେ ଏମିତି ଆଖି ବନ୍ଦ କରି ବସି ଥିବାର ଦେଖି ତା' ପାଖକୁ ଆସିଲେ ଗୋମତୀ ଦେବୀ । ତା' ମୁଣ୍ଡରେ ହାତ ବୁଲାଇ ଆଣି କହିଲେ '' ଦେହଟା ଭଲ ଲାଗୁନି କି ରେ ପୁଅ ? ସଞବେଳଟାରେ ଏମିତି ଅନ୍ଧାର କରି କାହିଁକି ରଖିଛୁ ଘରଟାକୁ ? ଲାଇଟ୍ ର ସୁଇଚ୍ ଅନ୍ କରି ନିଜ ଶାଢୀ ପଣତରେ ପୋଛି ପକାଇଲେ ଗୋପୀନାଥର ମୁହଁକୁ । ହାତଟା ଓଦା ଓଦା ଲାଗିଲା ତାଙ୍କର। ଜାଣିଲେ ପୁଅ କାନ୍ଦୁଛି , ସେଇ ଅଲକ୍ଷଣୀ ସର୍ବନାଶୀଟାର କଥା ମନେ ପକାଇ । ପୁଅର ଦୁଃଖର ଛାୟା ସଞ୍ଚରିତ ହୋଇଗଲା ତାଙ୍କର ମନକୁ । କେମିତି ନହେବ ? ସିଏ ପରା ମାଆ। ନିମିଷକରେ ନିଜର ଲୁହକୁ ଲୁଚାଇବାକୁ ମୁହଁ ପୋଛିଲେ ସେ । ତାଙ୍କ ଆଖିରେ ନାଚି ଗଲା ଅଠର ବର୍ଷ ତଳର ଗୋପୀନାଥଙ୍କ ହସ ହସ ମୁହଁ।

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଗାଁର ଏକ ନିମ୍ନ ମଧ୍ୟବିତ୍ତ ଚାଷ ବନ୍ଦି ପରିବାରର ଏକମାତ୍ର ପୁତ୍ର ଖଗେଶ୍ବର ଜେନାଙ୍କ ପତ୍ନୀ ହୋଇ ଆସିଥିଲେ ଗୋମତୀ । ତିନି ତିନିଟା ପିଲା ମାଡ ଖାଇ ଗଲା ପରେ ବହୁତ ଡାକ୍ତର ବଇଦ କରେଇ ଥିଲେ ଶାଶୁ । କୁଳ ରକ୍ଷା କରିବା ଲାଗି ସନ୍ତାନଟିଏ ମନାସି ଗାଁ ଠାକୁର ଗୋପୀନାଥ ଜୀଉଙ୍କ ପାଖରେ ଗୁଆ ବସାଇ ପୂଜାର୍ଚ୍ଚନା କରିବା ପରେ ପୁଅଟିଏ ହୋଇଥିଲା । ଶ୍ରଦ୍ଧାରେ ପୁଅର ନାମ ରଖିଥିଲେ ଗୋପୀନାଥ । ଗୋପୀନାଥଙ୍କ ପରେ ଆଉ ସନ୍ତାନସନ୍ତତି ହୋଇ ନଥିଲା ଗୋମତୀଙ୍କର। ତେଣୁ ସାରା ପରିବାରର ସ୍ନେହ ଶ୍ରଦ୍ଧା ଠୁଳ ହୋଇ ପଡିଥିଲା ଗୋପୀନାଥଙ୍କ ଉପରେ । ପିଲାଟି ଦିନରୁ ଗେଲବସରରେ ବଢିଥିଲା ଗୋପୀନାଥ ।ସ୍ୱଭାବରେ ଖୁବ୍ ଧୀର ସ୍ଥିର , ସରଳ ,ଅମାୟିକ ଥିଲା । ପାଠ ବି ଖୁବ୍ ଭଲ ପଢୁଥିବା ହେତୁ ସ୍କୁଲରେ ଛାତ୍ର ଛାତ୍ରୀ ଆଉ ଶିକ୍ଷକ ମାନଙ୍କ ପ୍ରିୟ ଭାଜନ ହୋଇପାରିଥିଲା ଗୋପୀନାଥ । ରଙ୍ଗ ଟିକେ ନିରସା ହେଲେ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ଥିଲା ସେ। ସ୍କୁଲରେ ଖେଳକୁଦରେ ଭାଗ ନେଇ ଅନେକ ପୁରସ୍କାର ଜିତିଥିଲା । ପିଲାଟି ଦିନରୁ ସେବା ମନୋବୃତ୍ତି ଥିଲା ତା'ର। ବଡ ହୋଇ ଦେଶ ମାତୃକାର ସେବା କରିବା ଥିଲା ତା'ର ଜୀବନର ଲକ୍ଷ୍ୟ। ସେଇ ଲକ୍ଷ୍ୟ ନେଇ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲା ସେ। ଗୋଟିଏ ବୋଲି ପୁଅକୁ ସୈନିକ ହେବାକୁ ଦେବନାହିଁ ବୋଲି ଅଡି ବସିଥିବା ମାଆର ଜିଦ୍ ହାର୍ ମାନିଥିଲା ପୁଅର କଠୋର ନିଷ୍ପତ୍ତି ଆଗରେ ।

ଚାକିରିରେ ଯୋଗଦେଇ ଟ୍ରେନିଂରେ ଗଲାବେଳେ ବହୁତ କାନ୍ଦିଥିଲେ ଗୋମତୀ, ପୁଅ ତାଙ୍କର କୋଉଠି ରହିବ, କେମିତି ଖାଇବ , ଦିନଟିଏ ତାଙ୍କ ଠାରୁ ଦୂରରେ ରହିନଥିବା ପିଲାଟି ଏକୁଟିଆ କେମିତି ରହିବ, ଏଇ ଚିନ୍ତା ତାଙ୍କୁ ଘାରି ଥିଲା ରାତିଦିନ। ଟ୍ରେନିଂ ସରିଲା ପରେ ପ୍ରଥମ ପୋଷ୍ଟିଂ ହୋଇଥିଲା ମଧ୍ୟପ୍ରଦେଶର ଭୋପାଳଠାରେ । ସେଠି ବାରାକରେ ରହି, ଖାଇବା ପିଇବା କରୁଥିଲେ । ପ୍ରଥମ ଛୁଟିରେ ଘରକୁ ଆସିଲା ବେଳକୁ ତାଙ୍କୁ ଦେଖି କାନ୍ଦି ପକାଇଥିଲେ ଗୋମତୀ । ଏଡେ ସୁନ୍ଦର ପେଣ୍ଠାଶାଳିଆ ପୁଅଟା ମୋର ଆଠ ମାସରେ ପୋଡା ଗୋଜିଣା କାଠି ଭଳିଆ ହୋଇ ଯାଇଛି କହି ବାହୁନା ପକାଇଥିଲେ। ଗୋପୀନାଥ ବହୁତ ବୁଝାଇବା ପରେ ତୁନି ପଡିଥିଲେ ସେ। ପନ୍ଦର ଦିନର ଛୁଟି କାଟି ଗୋପୀନାଥ ଭୋପାଳ ଫେରିଗଲା ପରେ କନ୍ୟା ଖୋଜା ଅଭିଯାନ ଆରମ୍ଭ କରିଥିଲେ ଗୋମତୀ । ଆଖପାଖ ଦଶ ଖଣ୍ଡ ଗାଁର ତାଙ୍କ ଜାତିର ଯେତେ ସୁନ୍ଦରୀ ଝିଅମାନେ ଅଛନ୍ତି , ସମସ୍ତଙ୍କର ଫଟୋ ଟିପଣା ଯୋଗାଡ କରି ଆଣିବା ଲାଗି ଗାଁ ଅବଧାନକୁ ଟଙ୍କା ଖର୍ଚ୍ଚ ଦେଇ ନିୟୋଜିତ କରିଦେଲେ। ଅବଧାନଙ୍କୁ ଶୁଣେଇ ଦେଲେ ଯୌତୁକ କଥା ଜମା ଚିନ୍ତା କରିବ ନାହିଁ ଅବଧାନ ପୁଅ ! ମୋ ଘରେ କ'ଣ ନାହିଁ ଯେ ମୁଁ କାହାକୁ ମାଗିବି ? ମୋ ପୁଅ ଲାଗି ସୁନ୍ଦରୀ , ସୁଶୀଳା ଝିଅଟିଏ ଦରକାର । ଯିଏ ମୋ ପୁଅର ଦେହ ପା' ଦେଖିବ , ତା'ର ପାଦରେ ପାଦ ମିଳାଇ ଚାଲିବ, ତା' ଦୁଃଖ ସୁଖର ସାଥୀ ହୋଇ ରହିବ, ତେଣିକି ସେ ପଛେ ମୂଲିଆ ଘରର ଝିଅଟିଏ ହେଉ ,ମୋର କୌଣସି ଆପତ୍ତି ନାହିଁ । ଗୋମତୀଙ୍କ ଠାରୁ ମନଲାଖି ଖର୍ଚ୍ଚ ପାଇ ଅବଧାନ ଲାଗିଗଲେ କନ୍ୟା ଖୋଜା କାମରେ ।

ବହୁତ ଗାଁ ବୁଲି ବୁଲି ଶେଷକୁ କରମୂଳ ଗାଁ ସନେଇ ପ୍ରଧାନ ଝିଅ ଗୋଲାପକୁ ଦେଖି ତାଙ୍କ ମନ ମାନିଲା । ସନେଇ ପଧାନର ବାଡି ଗୋବରେ ଗୋବେ ହେଲେ ଜମି ନାହିଁ । ପର ଜମିରେ ଭାଗଚାଷ କରି ପରିବାର ଚଳାଏ । ତା'ର ତିନି ଝିଅଙ୍କ ଭିତରେ ବଡ ଝିଅ ଟି ଗୋଟିଏ ଚାଉଳରେ ଗଢ଼ା । ପଙ୍କରୁ ପଦ୍ମ ଫୁଟିଲା ପରି ଗାଁ ସ୍କୁଲରୁ ମାଟ୍ରିକ ପାସ୍ କରିଛି । ସମ୍ବଳ ଅଭାବରୁ ବାପ ଆଉ ଆଗକୁ ପଢେଇ ନ ପାରିଲାରୁ ଘରେ ବସିଛି । ପାଖ ପଡିଶାରେ ବୁଝାବୁଝି କରି ଅବଧାନ ଜାଣିଲେ ଯେ ସନେଇ ଭଲ ପାତ୍ରଟିଏ ଦେଖି ଝିଅକୁ ଉଠାଇ ଦେବାକୁ ଚାହୁଁଛି କିନ୍ତୁ ଅର୍ଥାଭାବରୁ ନିରାଶ ହୋଇ ବସି ରହିଛି। ଝିଅଟି ସର୍ବ ଗୁଣ ସଂପର୍ଣ୍ଣା । ମାଛିକୁ ମ’ କହେ ନାହିଁ। ଯାହା ଘରକୁ ବୋହୁ ହୋଇଯିବ ସେ ଘର ପୁରି ଉଠିବ । ସନେଇକୁ ଦେଖାକରି ଗୋପୀନାଥ ସହିତ ଗୋଲାପର ବାହାଘର ପ୍ରସ୍ତାବ ପକେଇଲେ ଅବଧାନ । ଖଡି ପକାଇ ମେଳକ କରି ରାଜଜୋଟକ ପଡିଛି ବୋଲି ଜଣାଇ ଦେଲେ। ଆହୁରି ମଧ୍ୟ ଜଣାଇ ଦେଲେ ଯେ ଜେନା ଘର ବିନା ଯୌତୁକରେ ବାହାଘର କରିବେ। ଆନନ୍ଦ ରେ ରାଜି ହୋଇଗଲେ ସନେଇ ପଧାନେ। ତାଙ୍କ ନଥିଲା ଘରୁ ଝିଅ ଯାଇ ଥିଲା ଘର ବୋହୂ ହେବ,ତା ପୁଣି ବିନା ଯୌତୁକରେ,ୟା’ ଠାରୁ ବଡ କଥା ଆଉ କ'ଣ ହୋଇପାରେ? ସନେଇର ସମ୍ମତି ନେଇ ଅବଧାନ ଗୋମତୀ ଦେବୀଙ୍କୁ ସାକ୍ଷାତ କରି ସବୁକଥା କହିଲେ । ତିଥି, ଦିନ ,ବାର ଠିକ୍ କରି ବିବାହ କରିବା ଲାଗି ଡକାଇ ପଠାଇଲେ ଗୋପୀନାଥଙ୍କୁ । ଖୁବ୍ ଜାକଜମକରେ ଦି’ ପିଠି ଲଗାଇ ବାହାଘର କରି ଭୋଜିଭାତ ଦେଇ ବୋହୂ କରି ଆଣିଲେ ଗୋଲାପକୁ ।

ଆଗରୁ ଦେଖି ନଥିଲେ ବି ଗୋଲାପର ରୂପ ଗୁଣର ପ୍ରଶଂସ ସାଙ୍ଗସାଥୀଙ୍କ ଠାରୁ ଶୁଣିଥିଲା ଗୋପୀନାଥ । ସେଦିନ ଚତୁର୍ଥୀ ରାତିରେ ବାସର ଘରେ ପ୍ରଥମ ଥର ପାଇଁ ଗୋଲାପକୁ ଦେଖି ଆଭିଭୂତ ହୋଇଥିଲା । ତା'ର ମନେ ହେଉଥିଲା ଗୋଲାପ ପାଖୁଡ଼ାର କଣ୍ଢେଇଟିଏ ଗୋଲାପ । ଏତେ ସୁନ୍ଦର ସ୍ତ୍ରୀଟିଏ ପାଇ ନିଜକୁ ଭାଗ୍ୟବାନ ମନେ କରିଥିଲା । ବୋଉ ର ପସନ୍ଦ କୁ ତାରିଫ୍ ନକରି ରହି ପାରି ନଥିଲା ସେ। ପରଦିନ ସକାଳେ ଉଠି ମହାଦେବ ମନ୍ଦିର ରେ ଦର୍ଶନ ସାରି ଫେରିଲା ପରେ ବୋଉକୁ କୁଣ୍ଢାଇ ପକାଇଥିଲା ଖୁସିରେ । ତା'ର ଗଭୀର ଆତ୍ମ ତୃପ୍ତିରେ ଉଜ୍ଜଳି ଉଠୁଥିବା ଚେହେରାକୁ ଦେଖି ଗୋମତୀ ଅନୁମାନ କରି ନେଇଥିଲେ ପୁଅ ତାଙ୍କର ନିର୍ଣ୍ଣୟରେ ସୁଖୀ ହୋଇଛି । ବାହାଘରର ପନ୍ଦର ଦିନ ପରେ ଫେରିଗଲା ଗୋପୀନାଥ ତା'ର କାର୍ଯ୍ୟ ସ୍ଥଳୀକୁ । ଗଲାବେଳେ ବାରମ୍ବାର ତାଗିଦ୍ କରି କହିଥିଲେ ଗୋମତୀ ଦି ' ଚାରି ମାସ ଭିତରେ କ୍ଵାର୍ଟର ବ୍ୟବସ୍ଥା କରି ଗୋଲାପ କୁ ତା ' ପାଖକୁ ନେଇ ଯିବାକୁ । ସେଇ ଦି ଚାରି ମାସର ରହଣି ସମୟରେ ନିଜର ବୋହୂ ପଣିଆ ରେ କିଣି ନେଇଥିଲା ସମସ୍ତଙ୍କର ମନ। ପ୍ରତି ଦିନେ ଦୁଇଦିନ ଅନ୍ତରରେ ଚିଠି ଲେଖୁଥିଲା ଗୋପୀନାଥଙ୍କୁ। ତା'ର ସେବା ମନୋବୃତ୍ତି ଦେଖି ମୁଗ୍ଧ ହୋଇଥିଲେ ଗୋମତୀ । ଘର ଲୋକଙ୍କ ଠାରୁ ମୂଲି ପାଣିଆ ସମସ୍ତଙ୍କର ଖବର ଗୋଟି ଗୋଟି କରି ବୁଝୁଥିଲା । ମଝିରେ ମଝିରେ ତା' ବାପା ଆସୁଥିଲେ ତା'କୁ ଦେଖା କରିବାକୁ । ଗୋଲାପକୁ ଲୁଚାଇ ଗୋମତୀ ଦେବୀ ଅରୁଆ ଚାଉଳ, ନଡ଼ିଆ, ସପୁରୀ ଇତ୍ୟାଦି ଫଳ ପନିପରିବା ବସ୍ତା ବସ୍ତା ବାନ୍ଧି ଦେଉଥିଲେ ତାଙ୍କ ଘର ପାଇଁ । ସନେଇ ପ୍ରଧାନେ ନାହିଁ ନାହିଁ କରି କରି ସେସବୁ ନେଇକି ଯାଉଥିଲେ ଆଉ ମନେ ମନେ ଠାକୁରଙ୍କୁ ଧନ୍ୟବାଦ ଦେଉଥିଲେ ଏତେ ସୁନ୍ଦର ବନ୍ଧୁ ଘର ପାଇଥିବାରୁ । ଦିନ ସବୁ ସୁରୁଖୁରୁରେ ବିତି ଯାଇଥିଲା ।

ତିନି ମାସ ପରେ ଆସି ଥିଲା ଗୋପୀନାଥ । ଇତି ମଧ୍ୟରେ ତା'ର ପୋଷ୍ଟିଂ ହୋଇ ଯାଇଥିଲା ଉତ୍ତର ପ୍ରଦେଶର ମିରଟ ସହରକୁ । କ୍ଵାର୍ଟର ମଧ୍ୟ ମିଳି ସାରିଥିଲା । ଗୋପୀନାଥ ଆଉ ତା'ର ସାଙ୍ଗ ଗୌତମ ମିଶି କ୍ଵାର୍ଟରରେ ସବୁ ସଜଡା ସଜାଡି କରି ସାରିଥିଲେ ଗୋଟିଏ ଦି ଜଣିଆ ପରିବାର ଚଳିବା ପାଇଁ । ଗୋଲାପର ସ୍ଵାମୀ ସହିତ ଯିବା ଲାଗି ଇଚ୍ଛା ଥିଲେ ବି ଶାଶୁ ଶଶୁରଙ୍କୁ ଛାଡି ଯିବା ପାଇଁ ମୋଟେ ଇଚ୍ଛା ନଥିଲା । ଘର ଛାଡ଼ି କେବେ ବାହାରକୁ ଯାଇନଥିବା ଗୋଲାପ ଲାଗି ବିଦେଶରେ ଯାଇ ଚଳିବା ଅଗ୍ନି ପରୀକ୍ଷା ଠାରୁ କମ୍ ନଥିଲା । କିନ୍ତୁ ଶାଶୁଙ୍କର ଏକା ଜିଦ୍ ମୋ ପୁଅ ବିଦେଶରେ ରହି ଖାଇବା ପିଇବା ଲାଗି ହଇରାଣ ହରକତ ହେଉଛି ଆଉ ତୁ ଏଠି ରହିବୁ ମୋ ସେବା କରିବା ପାଇଁ । ତୁ ତା'ସହିତ ଯା'। ସେଇ ଜିଦ୍ ଆଗରେ ହାର୍ ମାନିଲା ଗୋଲାପ । ଲୁଗାପଟା , ଜିନିଷପତ୍ର ବାନ୍ଧି ମିରଟ ଆସିଲା ଗୋପୀନାଥ ସାଙ୍ଗରେ ରହିବାକୁ ।

ସୁଗୃହିଣୀ ଥିଲା ଗୋଲାପ,ଅତି ଅଳ୍ପ ସମୟ ମଧ୍ୟରେ ସହରରେ ଚଳିବାର ସବୁ ଢଙ୍ଗ ଶିଖିଗଲା। ତା'ର ସୁନ୍ଦର ଚେହେରା ଆଉ ସରଳ ଅମାୟିକ ବ୍ୟବହାରରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଲା । ସେଠି ଥିବା ସୈନିକ ମାନଙ୍କ ଗୃହିଣୀମାନେ କରିଥିବା କ୍ଲବର ମେମ୍ବରଟିଏ ହୋଇ ସେମାନଙ୍କର ସବୁ ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେବାକୁ ଲାଗିଲା । ଗୋପୀନାଥର ସହକର୍ମୀ ମାନଙ୍କ ମଧ୍ୟରେ ସବୁବେଳେ ତା'ର ପ୍ରଶଂସା ଶୁଣିବାକୁ ମିଳିଲା ।

ଗୋପୀନାଥର ସାଥୀ ସୈନିକ ମାନଙ୍କ ମଧ୍ୟରେ ତା'ର ସବୁଠାରୁ ପ୍ରିୟ ଭାଜନ ହୋଇପାରିଥିଲା ଗୌତମ । ଗୌତମ ଦୁବେ ଥିଲା ବିବାହିତ କିନ୍ତୁ ତା'ର ସ୍ତ୍ରୀ ରହୁଥିଲା ଗାଁରେ ତା' ବାପା ମାଆଙ୍କ ପାଖରେ। ତେଣୁ ବାରାକରେ ଏକୁଟିଆ ରହୁଥିଲା ଗୌତମ। ଯେତେବେଳେ ଗୋଲାପ ଆସି ନଥିଲା, ଗୋପୀନାଥ ଆଉ ଗୌତମ ବାରାକରେ ଗୋଟିଏ ରୁମ୍ ଶେୟାର୍ କରୁଥିଲେ । ସେଇ ଏକାଠି ରହିବା ଭିତରେ ଦୁହିଁଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢିଥିଲା । ପରସ୍ପରର ଦୁଃଖ ସୁଖ ବାଣ୍ଟୁଥିଲେ। ଗୋପୀନାଥ ତା'ର ପରିବାରକୁ ଆଣିବାକୁ ଗଲା ବେଳକୁ କ୍ଵାର୍ଟରଟି ସଜାଡିବାରେ ବହୁତ ସାହାଯ୍ୟ କରିଥିଲା ଗୌତମ । ଗୋଲାପ ଆସିଲା ପରେ ପ୍ରଥମେ ଗୌତମଙ୍କୁ ଚିହ୍ନାଇ ଦେଇଥିଲା ଗୋପୀନାଥ । କହିଥିଲା '' ଇଏ ମୋର ସବୁଠାରୁ ପ୍ରିୟ ସାଙ୍ଗ ଗୌତମ , ମୋର ଭାଇ ଭଳିଆ, ତମର ଯେତେବେଳେ ଯାହା ଦରକାର ପଡିବ, ନିସଙ୍କୋଚରେ କହିବ ତାକୁ , ମୁଁ ଥାଏ ବା ନଥାଏ ତମ କାମ ହୋଇଯିବ, ଗୌତମ ଭାରି ପାରିବାର ଲୋକ ''। ସେଦିନ ଗୌତମ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲା ଗୋଲାପକୁ ଆଉ ହସି ହସି କହିଥିଲା '' ଐସା କୁଛ ଭି ନେହିଁ ହୈ ଭାବିଜୀ , ମୈ ତୋ ଏକ ଆମ୍ ଆଦମୀ ହୁଁ , ୟେ ମେରା ଦୋସ୍ତ୍ କା ପ୍ୟାର୍ ହୈ ଯୋ ଐସା ବୋଲ୍ ରହା ହୈ ''। ଗୌତମର କଥା ଆଉ ତା'ର ଆପଣାପଣ ସେଦିନ ଖୁବ୍ ଭଲ ଲାଗିଥିଲା ଗୋଲାପକୁ। ଧୀରେ ଧୀରେ ତା'ର ସଙ୍କୋଚ କଟି ଯାଇଥିଲା ଆଉ ଗୌତମଙ୍କୁ ସେ ନିଜ ଘରର ଜଣେ ସଦସ୍ୟ ଭାବେ ଦେଖିବାକୁ ଲାଗିଥିଲା । ଗୌତମ ସ୍ୱଭାବରେ ଖୁବ୍ ହସଖୁସିଆ ଆଉ ସ୍ନେହୀ ଥିଲା । ପରିବାର ପାଖରେ ନଥିବାରୁ ଚାକିରୀର ବଳକା ସମୟତକ ସେ ଗୋପୀନାଥ ଘରେ ହିଁ କଟାଉଥିଲା । କେତେବେଳେ କେମିତି ଛୋଟ ଛୋଟ ଉପହାର ଆଣି ଦେଉଥିଲା ଗୋଲାପକୁ ,କେବେକେବେ ସମସ୍ତେ ମିଶି ସିନେମା ଦେଖି , ବଜାର ବୁଲି ଯାଉଥିଲେ ଛୁଟିଦିନ ମାନଙ୍କରେ । ଗୋପୀନାଥ ସ୍ୱଭାବରେ ଥିଲା ଗମ୍ଭୀର ଆଉ ଅନ୍ତଃମୁଖୀ । ଡିଉଟିରୁ ଫେରିଲେ ସେ ବିଶ୍ରାମ ନେବାକୁ ଚାହୁଁଥିଲା ବେଳେ ଗୋଲାପ ଚାହୁଁଥିଲା ଟିକିଏ ବାହାରକୁ ଯାଇ ମଉଜମସ୍ତି କରିବା ଲାଗି । ଏଥିପାଇଁ ବେଳେ ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ରାଗରୁଷା ପର୍ଯ୍ୟନ୍ତ ଯାଉଥିଲା ।

ଦିନକୁ ଦିନ ଗୋଲାପର ଫରମାଇସ୍ ବଢି ବଢି ଚାଲିଥିଲା ଯାହାକୁ ସ୍ଵଭାବରେ ମିତବ୍ୟୟୀ ଗୋପୀନାଥ ପୂରଣ କରିବାକୁ ଚାହୁଁ ନଥିଲା । ଏମିତି ଛୋଟ ଛୋଟ କଥା ରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଦୂରତ୍ଵ ବଢିବାରେ ଲାଗିଥିଲା ଆଉ ସେଇ ସମୟରେ ଗୋଲାପ ଏବଂ ଗୌତମଙ୍କ ଭିତରେ ଘନିଷ୍ଠତା ବଢିଥିଲା । ଗୋଲାପର ଯେଉଁ ଇଚ୍ଛା ଗୋପୀନାଥ ପୂରଣ କରି ପାରୁନଥିଲେ ତାହା ସେ ଗୌତମ ଦ୍ଵାରା ପୂରଣ କରିବାକୁ ଲାଗିଥିଲା । ବାହାଘରର ସାତବର୍ଷ ପରେ ମଧ୍ୟ ଗୋଲାପର କୋଳ ଖାଲି ଥିଲା । ଏଥିପାଇଁ ସେ ଗୋପୀନାଥକୁ ଦୋଷ ଦେବା ଆରମ୍ଭ କରିଥିଲା । ଗୋପୀନାଥ ମଧ୍ୟ ଅନ୍ତଃକରଣରେ ସୁଖୀ ନଥିଲେ ପିଲାଟିଏ ନଥିବାରୁ , ଗାଁରୁ ଗୋମତୀ ବି ପିଲାଟିଏ ପାଇଁ ଆକୁଳ ବିକଳ ହୋଇ ବାରମ୍ବାର ଚିଠି ଲେଖୁଥିଲେ । ସେଥିଲାଗି ଦିନେ ଗୋଲାପକୁ ସାଥୀରେ ନେଇ ସେ ମିଲିଟାରୀ ହସ୍ପିଟାଲରେ ଦେଖାଇଲା । ଦୁଇ ଜଣଙ୍କର ବହୁତ ପ୍ରକାର ପରୀକ୍ଷା ନିରୀକ୍ଷା କରି ଉଭୟଙ୍କର କିଛି ଅସୁବିଧା ନାହିଁ ବୋଲି ଡାକ୍ତର କହିଲେ । କିଛି ଔଷଧ ଲେଖିଦେଲେ ଏବଂ ସେହି ଔଷଧ ଖାଇସାରି ଛଅ ମାସ ପରେ ଦେଖା କରିବାକୁ କହିଲେ। କିଛି ବୁଝି ପାରୁନଥିଲେ ଗୋପୀନାଥ, ଯଦି ସବୁ ଠିକ୍ ଠାକ୍ ଅଛି ତେବେ ପିଲାଟିଏ ହେଉନି କାହିଁକି ? ବୋଧହୁଏ ଈଶ୍ଵରଙ୍କର ଇଚ୍ଛା ଅଲଗା, ଭାବି ପୂଜା ପୂଜି , ବ୍ରତ ଉପବାସ କରିବାକୁ ଆରମ୍ଭ କରି ଦେଇଥିଲେ ଗୋପୀନାଥ । ଗୋଲାପର କିନ୍ତୁ କିଛି ଚିନ୍ତା ନଥିଲା, ଦିନକୁ ଦିନ ସେ ବେଶ ପରିପାଟୀ ହୋଇ ଆହୁରି ସୁନ୍ଦର ଦିଶୁଥିଲା , ଦିନ ରାତି ବୁଲାବୁଲି କରି ମଉଜମସ୍ତିରେ ସମୟ କାଟୁଥିଲା । ଗୋପୀନାଥଙ୍କୁ ଗୋଲାପର ଏମିତି ହାବଭାବ ଭଲ ଲାଗୁ ନଥିଲା । ଆଜିକାଲି କିଛି କହିଲେ ଗୋଲାପ ପ୍ରତି ଉତ୍ତର କରୁଥିଲା , ସେଥିଲାଗି ଗୋପୀନାଥ ଚୁପ୍ ରହିବାକୁ ଶ୍ରେୟସ୍କର ମଣୁଥିଲା।

ପାପ କେବେ ଲୁଚି ରହେନା । ଗୋଲାପ ଆଉ ଗୌତମର ଅନୈତିକ ସମ୍ପର୍କ ବାରାକରୁ ଘୁରି ଘୁରି ଗୋପୀନାଥ କାନରେ ପଡିଲା । ପ୍ରଥମେ ତ ସେ ବିଶ୍ୱାସ କରୁନଥିଲେ କି ଗୌତମ ଏମିତି ବିଶ୍ଵାସଘାତକତା କରିବ ବୋଲି କିନ୍ତୁ ଗୋଲାପର ଏବେକାର ଖାପଛଡା ବ୍ୟବହାର ତାଙ୍କର ସନ୍ଦେହକୁ ବଢାଉଥିଲା। ସେଥିଲାଗି ଦିନେ ଖରା ବେଳଟାରେ ଅତର୍କିତ ଭାବେ ପହଞ୍ଚି ଥିଲେ ଘରେ। କିଛି ସମୟ ପରେ କବାଟ ଖୋଲିଥିଲା ଗୋଲାପ । ତା'ର ଅସଂଯତ ବେଶଭୂଷା ଆଉ ପଛରେ ଛିଡ଼ା ହୋଇଥିବା ଗୌତମର ପାଂଶୁଳ ମୁହଁକୁ ଦେଖି ଆଉ କିଛି ବୁଝିବାକୁ ବାକି ରହି ନଥିଲା ତାଙ୍କର । ସେଇଠୁ ଓଲଟା ପାଦ ପକାଇ ଫେରି ଆସିଥିଲେ ଅଫିସ୍ କୁ। ଭୟଙ୍କର କ୍ରୋଧରେ ମୁଣ୍ଡରେ କେହି ହାମର୍ ବାଡେଇବା ଭଳି ଲାଗୁଥାଏ ତାଙ୍କୁ । ସେ ଭାବୁଥାନ୍ତି ବେଲ୍ଟରେ ବନ୍ଧା ହୋଇଥିବା ସର୍ଭିସ୍ ରିଭଲଭରରେ ଦୁଇ ରାଉଣ୍ଡ୍ ଗୁଳି ଚଳେଇ ସେମାନଙ୍କୁ ନିଃଶେଷ କରି ନ ଦେଇ ସେ ଫେରି ଆସିଲେ କାହିଁକି ? । ତାଙ୍କର ମୁଣ୍ଡ ଉପରେ ଆକାଶ ଛିଡି ପଡୁଥିଲା ଯେମିତି । ପୃଥିବୀଟା ଘୁରୁଥିଲା ଆଉ ସେ ଖସି ପଡୁଥିଲେ ଅନ୍ଧକାରର ଅତଳ ଗହ୍ଵରକୁ। ତାଙ୍କୁ ଟେବୁଲ୍ ଉପରେ ଅଚେତ ଅବସ୍ଥାରେ ଦେଖି କେହି ସାଥୀ ଫୋନ୍ କରିଥିଲେ ଏମର୍ଜେନ୍ସିକୁ ।

ଆର୍ମି ହସ୍ପିଟାଲରେ ପହଞ୍ଚିବା ପରେ ଜଣା ପଡିଲା କି ତା'ର ବ୍ରେନ୍ ହାମରେଜ୍ ହୋଇ ବ୍ଲଡ୍ ଜମାଟ ବାନ୍ଧି ଯାଇଛି । ଛତିଶି ଘଣ୍ଟା ମଧ୍ୟରେ କୋମାକୁ ଚାଲି ଯାଇଥିଲା ସେ । ଅନେକ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ରହିବା ପରେ ତାଙ୍କୁ ହେଡ୍ କ୍ଵାର୍ଟର ହସ୍ପିଟାଲ ଆଉ ତା ପରେ ଘରକୁ ପଠେଇ ଦିଆଯାଇଥିଲା ଗୋପୀନାଥଙ୍କୁ । କ'ଣ ଘଟିଛି ତା 'ସହିତ ସେ କଥା କାହା ଆଗରେ କହିବାକୁ ସମୟ କିମ୍ବା ସୁଯୋଗ ଏ ପର୍ଯ୍ୟନ୍ତ ମିଳିନଥିଲା ଗୋପୀନାଥକୁ। କ'ଣ ବା କହିବ ସିଏ କାହାକୁ? କେମିତି କହିପାରିବ ଯେ ତା'ର ପ୍ରାଣ ପ୍ରିୟା ଗୋଲାପ ତା' ବିଶ୍ଵାସରେ ବିଷ ଦେଇଛି, କେମିତି କହିବ ଯେ ଭାଇଠାରୁ ବଳି ଭଲ ପାଉଥିବା ବନ୍ଧୁ ଗୌତମ ତାକୁ ପଛପଟୁ ଛୁରୀ ଭୁସିଛି । କହିଲା ବେଳକୁ ତା'ର ଛାତି ଫାଟି ଯିବନି ତ ? ତା' ପୁରୁଷ ପଣିଆ ଉପରେ ସମାଜ ଆଙ୍ଗୁଳି ଉଠାଇବନି ତ ? ? ସେ କାପୁରୁଷ ବୋଲି ଉପହସିତ ହେବନି ତ ???

ଘରକୁ ଆସି ପ୍ରକୃତିସ୍ଥ ହେଲା ପରେ ସେ ଖୋଜିଥିଲା ଗୋଲାପକୁ । ବୋଉ କହିଥିଲା ଯେ '' ତୁ ଆର୍ମି ହସ୍ପିଟାଲରେ ପହଞ୍ଚିବା ପର ଖବର ଆସିଥିଲା ମୋ ପାଖକୁ । ମୁଁ ବସିଲାଠାରୁ ଉଠି ଗାଁର ବାଙ୍କ ଦାଦାକୁ ଧରି ଏଠି ଆସି ତୋ ପାଖରେ ପହଞ୍ଚିବା ପରେ ଗୋଲାପ କହିଲା ଯେ ଗୋଟାଏ ଦୁର୍ଘଟଣାରେ ତୋର ଏମିତି ଅବସ୍ଥା ହୋଇଛି ବୋଲି । ଦିନ ଦିନ ଧରି ହସ୍ପିଟାଲରେ ଅଖିଆ ଅପିଆ ବସି ରହିଥିଲୁ ଆମେ । ବିଚରା ତୋ ସାଙ୍ଗ ଗୌତମଟି ବହୁତ ସାହାଯ୍ୟ କରିଛି ଆମକୁ । ଆମର ଭଲ ମନ୍ଦ ସୁବିଧା ଅସୁବିଧା ସବୁ କିଛି ବୁଝାବୁଝି କରିଛି ଏହି ଦୁଃଖଦ ସମୟରେ । ଈଶ୍ଵର ତାକୁ ଭଲରେ ରଖନ୍ତୁ ପୁଅ। ତୋ ଅଫିସ୍ ରୁ ତତେ ଜାହାଜରେ ଏଠିକି ପଠାଇବା ବେଳେ ମଧ୍ୟ ସେ ଆମ ସାଙ୍ଗରେ ଆସିଥିଲା । ତୁ ଟିକେ ସୁସ୍ଥ ହେଲା ପରେ ସିଏ ଗୋଲାପକୁ ସାଥୀରେ ନେଇ ଯାଇଛି ତୋ ଅଫିସ୍ ରେ କ'ଣ କାଗଜପତ୍ର ଦାଖଲ କରି ଆଉ କିଛି ପଇସା ପତ୍ର ଆଣିବା ଲାଗି । ଗୋଲାପର ମଧ୍ୟ ସେଠାରୁ ସବୁ ଜିନିଷପତ୍ର ଆଣିବାକୁ ଥିଲା ତ, ଏକା ସାଙ୍ଗରେ ନେଇକି ଆସିବେ''। ଆଖି ବନ୍ଦ କରି ସବୁ ଶୁଣୁଥିଲା ଗୋପୀନାଥ । ସେ ବୁଝି ଗଲା ଯେ ଗୋଲାପ ଆଉଥରେ ଫେରି ଆସିବା ପାଇଁ ଯାଇନାହିଁ , ଗୌତମକୁ ନେଇ ତା'ର ସୁଖର ସଂସାର ଗଢିବାକୁ ଯାଇଛି । ଗୋଲାପକୁ ଖୁସି କରିବାକୁ ଗୋପୀନାଥ ତା ' ନାଁରେ ଯେଉଁ ପାଞ୍ଚ ସାତ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ କରିଥିଲା, ଯେଉଁ ସୁନା ଗହଣା ତକ ତାକୁ କିଣି ଦେଇଥିଲା, ସବୁ ତ ତା'ରି ପାଖରେ ଅଛି , ତାକୁ ସୁଖ ଦେଇ ପାରୁଥିବା ଗୌତମ ବି ତା' ପାଖରେ ଅଛି, ସିଏ ଆଉ ଫେରି ଆସିବ କାହିଁକି ? ତଥାପି ଏ ସମ୍ପର୍କରେ ବୋଉ କୁ ସେ କିଛି ବି କହି ପାରିବ ନାହିଁ । ବୋଉ ଏ ଧକ୍କା ସମ୍ଭାଳି ପାରିବନି । ସିଏ ତା ମନରେ ଗୋଲାପ ର ଯେଉଁ ନିର୍ମଳ ଭାବମୂର୍ତ୍ତି ଟି କୁ ଧରି ବସିଛି ତାକୁ ଖଣ୍ଡିତ କରିବା ଲାଗି ଇଚ୍ଛା ହେଲା ନାହିଁ ଗୋପୀନାଥ ର। ସେ ଯେବେ ଜାଣିବ ଜାଣିବ , ଏମିତି ହଠାତ୍ ତାକୁ ଆଘାତ ଦେଇ ନିଜ ଭଳିଆ ଜିଅନ୍ତା ଶବ ଟିଏ କରିଦେବା ଉଚିତ୍ ହେବ ନାହିଁ ବୋଲି ମୁହଁକୁ ଚୁପ୍ କରି ବସି ରହିଲା ସେ। ସେ ଜାଣି ସାରିଥିଲା ଯେ କାଳ ନାଗୁଣୀ ଗୋଲାପ ର ବିଷଜ୍ୱାଳା ତା'କୁ ଏକାକୀ ସହିବାକୁ ପଡ଼ିବ ତା'ର ଶେଷ ନିଶ୍ଵାସ ଥିବା ଯାଏ।।


Rate this content
Log in

Similar oriya story from Tragedy