Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Inspirational

3  

ଓଡିଆ ଶିଶୁ ଗପ

Inspirational

ବିଚିତ୍ର ଏ ଦୁନିଆ

ବିଚିତ୍ର ଏ ଦୁନିଆ

10 mins
1.0K


ଅଫିସ୍ ବାରଣ୍ଡାରେ ଶଶୀକାନ୍ତ ନାୟକ ଅନେକ ସମୟ ଧରି ଅପେକ୍ଷା କରିଛି । ହଠାତ୍ ଅଫିସ୍ ଭିତରକୁ ପଶି ଆସିଲେ ଦେବକାନ୍ତ ପଟ୍ଟନାୟକ । ତାଙ୍କୁ ଦେଖି ହଠାତ୍ ଚମକି ପଡି ଶଶୀକାନ୍ତ କହିଲା, ଆଜ୍ଞା ନମସ୍କାର । ନମସ୍କାରର ପ୍ରତି ନମସ୍କାର ବି ଜଣାଇଲେ ଦେବକାନ୍ତ ପଟ୍ଟନାୟକ । ଶଶୀକାନ୍ତ ନାୟକ କୋଡିଏ ଏକୋଇଶି ବର୍ଷ ବୟସର ଶାନ୍ତ, ସରଳ ସୁନ୍ଦର ଯୁବକ । ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ ତ ଆଉ ଜାଣି ନାହାଁନ୍ତି । ଉଭୟଙ୍କ ପରିଚୟ ଉଭୟଙ୍କ ପାଖରେ । ଶଶୀକାନ୍ତ ନାୟକ ପଚାରିଲେ ସାର୍ ଆପଣ ଦେବକାନ୍ତ ପଟ୍ଟନାୟକ । ଉତ୍ତର ଆସିଲା, ‘ହଁ ’ । ମୁଁ ହିଁ ଦେବକାନ୍ତ ପଟ୍ଟନାୟକ ।

ତାପରେ ସେ ଦେବକାନ୍ତ ପ୍ରଶ୍ନ କଲେ ତୁମ ନାମ? ତୁମ ପରିଚୟ ।

ଶଶୀକାନ୍ତ କହିଲେ, ଆଜ୍ଞା, ମୋ ନାଆଁ ଶଶୀକାନ୍ତ ନାୟକ

ପୁଣି ପ୍ରଶ୍ନ କଲେ ଦେବକାନ୍ତ କ’ଣ ଦରକାର?

ଶଶୀକାନ୍ତ ଏହାର ଉତ୍ତରରେ କହିଲେ ଆଜ୍ଞା, ମୋ ମାଆ ଆପଣଙ୍କ ନିକଟକୁ ଚିଠିଟିଏ ଦେଇଛନ୍ତି । କେବଳ ସେ ଚିଠିଟି ଆପଣଙ୍କୁ ଦେବାକୁ ଆସିଛି । ନିଅନ୍ତୁ ଦେବକାନ୍ତ ପଟ୍ଟନାୟକ, ତାପରେ ଦେବକାନ୍ତ ଶଶୀକାନ୍ତଙ୍କ ହାତରୁ ଚିଠିଟି ନେଲେ । କାଳ ବିଳମ୍ବ ନକରି ଦେବକାନ୍ତ ସେ ଚିଠିକୁ ଏକ ଧ୍ୟାନରେ ପଢିଗଲେ । ଏଣେ ଶଶୀକାନ୍ତ ଅଫିସ୍ ଭିତରେ ବସିଲା । ଦେବକାନ୍ତ ସେ ଚିଠିକୁ ପଢିଲେ ।

ଦେବକାନ୍ତ,

ମୋ ପୁଅକୁ ତୁମର ପରିଚୟ ଦେଇ ପଠାଇଲି । ଇତି ମଧ୍ୟରେ ଦୀର୍ଘ ପଚିଶି ବର୍ଷ ତ ଗତ ହୋଇଯାଇଛି । କିନ୍ତୁ ଆଜି ବି ମନେପଡେ ଦେବକାନ୍ତ, ସ୍କୁଲ୍ ଜୀବନ କଥା । କେତେ କଳି କଜିଆ, ଥଟ୍ଟା ଟାପରା, ରାଗରୁଷା, ବଣଭୋଜି, କଷିଆମ୍ବ ଖିଆ ବିଭିନ୍ନ କଥା ମନେ ପଡେ । ପିଲା ଦିନର ସେ କଥା ତ ନିଶ୍ଚୟ ମନଥିବ । ହେଲେ ସେ ଦିନ, ଆଉ ଆଜିର ଏ ଦିନ ଭିତରେ ଆକାଶ ପାତାଳ ଫରକ । ଆଜି ଆଉ ସେ ସମୟ ନାହିଁ କି ସେ ବୟସ ମଧ୍ୟ ନାହିଁ । ମୋତେ ମନେ ପକାଇ ପାରୁଛ ମୁଁ କିଏ? ମୁଁ ସେଇ ସବିତା । ସ୍କୁଲ୍ ଦିନଗୁଡିକ ତ କୌଣସି ମତେ କଟିଗଲା । ସମୟାନୁକ୍ରମେ ଆମେ ବଡ ହେଲେ, ସ୍କୁଲ୍ ପାଠରୁ ମୋ ପାଠ ପଢାରେ ତ ଡୋରି ବନ୍ଧାଗଲା । କାରଣ ମୋ ବାପା ଜଣେ ସାଧାରଣ କୃଷକ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି ସେ । କୃଷିରୁ ଯାହା ବି ଉପାର୍ଜ୍ଜନ ହୁଏ ସେଥିରେ ହିଁ ଆମ ପରିବାର ଚଳେ । ମୋତେ କଲେଜରେ ପାଠ ପଢାଇବାପାଇଁ ମୋ ବାପାଙ୍କ ପାଖରେ ଏତେ ସମ୍ବଳ ନଥିଲା । କେବଳ ଅର୍ଥର ଅଭାବ ଯୋଗୁଁ ତ ମୁଁ ଆଉ କଲେଜରେ ପାଠ ପଢିପାରିଲି ନାହିଁ । ହେଲେ ତମେ ତ ଧନୀ ଘର ପୁଅ । କଲେଜରେ ପାଠ ପଢିବାକୁ ଗାଆଁ ଛାଡି ସହରକୁ ଚାଲିଗଲ ।

ତା’ପରେ ମୋ ବାପା ମୋତେ ଏକ ମଧ୍ୟବିତ୍ତ ପରିବାରରେ ବିବାହ କରିଦେଲେ । ମୋ ବର ଜଣେ ଟ୍ୟାକ୍ସି ଡ୍ରାଇଭର । ମୁଁ ଗାଆଁ ଛାଡି ଶାଶୂ ଘରକୁ ଆସିଲି । ଗତ ଚାରି ପାଂଚ ଦିନ ତଳେ ଖବର କାଗଜରେ ପଢିଥିଲି । ତମେ ସୁତା ମିଲ୍ର ମ୍ୟାନେଜର । ତୁମ ମିଲ୍ରେ କିରାଣି ଚାକିରି କରିବାକୁ ପ୍ରାର୍ଥୀ ଆବଶ୍ୟକ । ଚାକିରି ବିଜ୍ଞାପନ ତଳେ ତୁମ ମିଲ୍ ମାଲିକ ଓ ତୁମ ନାମ ଲେଖାଥିବା ମୁଁ ପଢିଲି । ତେଣୁ ମନେ ମନେ ମୁଁ ବହୁତ ଖୁସି ବି ହୋଇଗଲି । ସେଦିନ ମୁଁ କେତେ ଯେ ଆନନ୍ଦିତ ହୋଇଛି ତାହା ତୁମେ କେବେବି ଅନୁଭବ କରିପାରିବ ନାହିଁ । ମୋ ନିଜକଥା ଅନେକ ଦୁଃଖଦ କାହାଣୀ । ମୋ ବିବାହର ଦେଢ ବର୍ଷ ପରେ ମୁଁ ଜନନୀ ହେଲି । ମୋ ପୁଅ ଶଶୀକାନ୍ତ । କିନ୍ତୁ ଦାରୁଣ ଦଇବ ମୋ ସୁଖ ସୌଭାଗ୍ୟକୁ ଶେଷ କରିଦେଲେ । ଦୁଃଖର ବାତ୍ୟା ମୋ ଭାଗ୍ୟଚକ୍ରକୁ ଦୋହଲାଇ ଦେଲା । ଶଶୀକାନ୍ତକୁ ଦଶବର୍ଷ ବୟସ ନ ପୂରୁଣୁ ଶଶୀକାନ୍ତର ବାପା ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ । ଆମ ମାଆ ପୁଅକୁ ଅଥଳ ଦୁଃଖ ସାଗରରେ ଭସାଇ ସବୁଦିନ ପାଇଁ ସେ ଏ ସଂସାର ଛାଡି ଚାଲିଗଲେ । କ’ଣ କରିବି ବୋଲି ଭାବି ଭାବି ଶେଷରେ ମୁଁ ଟିଉସନ୍ କଲି । ସିଲେଇ ମେସିନଟିଏ କିଣି ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଶଶୀକାନ୍ତକୁ ପାଠ ପଢାଇ ମଣିଷ କଲି । କହି ବସିଲେ ମୋ କାହାଣୀ ମୋଟେ ସରିବନି । ଶଶୀକାନ୍ତ ବି.ଏ. ପର୍ଯ୍ୟନ୍ତ ପାଠ ପଢିଛି । ସବୁଥିରେ ତା’ର ଫାଷ୍ଟକ୍ଲାସ୍ । ହେଲେ ଚାକିରିଟିଏ ପାଇଁ ଏ ଅଫିସ୍ରୁ ସେ ଅଫିସ୍ ହେଇ ତା’ ଚପଲ ଛିଡିଗଲାଣି । ସବୁଠି ଚାକିରି ରିଜର୍ଭ । ଖାଲି ସ୍ଥାନ ନାହିଁ । କେତେ ବଡ ଘର ପୁଅ ଚାକିରି ନ ପାଇ ବେକାର ହୋଇ ବୁଲୁଛନ୍ତି । ହେଲେ ଦେବକାନ୍ତ ସେମାନଙ୍କ ବାପାଙ୍କ ନିକଟରେ ତ ପ୍ରଚୁର ଟଙ୍କା ଅଛି । ସେମାନେ ତ ଆଉ ବ୍ୟବସାୟ କରିବେ ନାହିଁ, ଆଜି ନହେଲେ କାଲି ଲାଂଚ ଦେଇ ଚାକିରି କରିପାରିବେ । ଆଉ ପୁଣି ସେମାନଙ୍କର ଅନେକ ନିଜର ଲୋକ ମଧ୍ୟ ସହରର କୋଣେ କୋଣେ ଅଛନ୍ତି । ହେଲେ ଏ ନିରିମାଖି ଦୁଃଖିନୀ ସବିତାର କେହି ବି ନାହିଁ । କ’ଣ କରିବି? ମୋର ଅର୍ଥହୀନ ଅବସ୍ଥା ଶଶୀକାନ୍ତକୁ ସମ୍ପୂର୍ଣ୍ଣ ଦୁର୍ବଳ କରିପକାଇଛି । ଶୁଣିଲି, ତୁମ ମିଲ୍ରେ କିରାଣି ଚାକିରି ବାହାରିଛି । ଆଉ ସେହି ଚାକିରି ପାଇଁ ତୁମ ପାଖରେ ଇଣ୍ଟରଭ୍ୟୁ ହେବ । ତେଣୁ ତୁମକୁ ମୋର ବିଶେଷ ଅନୁରୋଧ, ତମେ ମୋ ପୁଅର ସମସ୍ତ ଯୋଗ୍ୟତାର ପ୍ରମାଣ ପତ୍ର ଦେଖିବ । ଦେବକାନ୍ତ ତୁମେ ମୋର ସହପାଠୀ । ପିଲାଦିନର ସାଥି ମୋର ଏ ଦୁର୍ଦ୍ଦିନରେ ମୋତେ ନିଶ୍ଚୟ ସାହାଯ୍ୟ କରିବ । ଯମା ନିରାଶ କରିବନି । ମୋ ପୁଅକୁ ଚାକିରି ଦେବ । ମୋର ଏକାନ୍ତ ଅନୁରୋଧ ତମେ ମୋ ପୁଅ ଶଶୀକାନ୍ତକୁ ନିଶ୍ଚୟ ସାହାଯ୍ୟ କରିବ ।

। ଇତି ।

ସବିତା

ଏକ ନିଃଶ୍ୱାସରେ ଚିଠିଟି ପଢି ଶେଷ କରିଦେଲେ ସେ ଦେବକାନ୍ତ ପଟ୍ଟନାୟକ । ଏ ଦୁଃଖଭରା କାହାଣୀ ଶୁଣି ସେ ଦେବକାନ୍ତ ପଟ୍ଟନାୟକଙ୍କ ଆଖିରୁ ବି ଲୁହ ବହି ପଡିଲା । ଦେବକାନ୍ତ ପଟ୍ଟନାୟକ ଅନେକ ଦୁଃଖ ଅନୁଭବ କଲେ । ତା’ପରେ ଶଶୀକାନ୍ତକୁ କହିଲେ ଆଚ୍ଛା, ତମେ ତାହେଲେ ସବିତାର ପୁଅ । ଏବେ ମୁଁ ତୁମକୁ ଠିକ୍ ଚିହ୍ନି ପାରିଲି, ଅନେକ ଦିନ ହେବ ସେ ସବିତାକୁ ମୁଁ ଦେଖି ନାହିଁ । ହଁ ସବିତା ଓ ମୁଁ ଏକାଠି ଗାଆଁ ସ୍କୁଲରେ ପାଠ ପଢୁଥିଲୁ । ଗାଆଁରେ ଆମ ନିଜର ଘର । ଏଣେ କିନ୍ତୁ ମୁଁ ରହିଲି ସହରରେ, ହଉ ଇଣ୍ଟରଭ୍ୟୁ ଦିନ ପ୍ରସ୍ତୁତ ହୋଇ ଆସ ।

ମୁଁ ଯଥାସାଧ୍ୟ ସାହାଯ୍ୟ କରିବି, ଏତିକି କହି ସେ ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ ବିଦାୟ ଦେଲେ । ତାପରେ ଶଶୀକାନ୍ତ ଘରକୁ ଫେରିଲେ । ମାଆ ସବିତାକୁ ସବୁ କହିଲେ, ସବୁ ଶୁଣି ସବିତା ବି ଖୁସି ହୋଇଗଲେ । ମନେ ମନେ ଭାବିଲେ ଦେବକାନ୍ତ ଶଶୀକାନ୍ତକୁ ନିଶ୍ଚୟ ଚାକିରିଟିଏ ଦେବ ।

ଦେବକାନ୍ତ ପଟ୍ଟନାୟକ ତାଙ୍କ ଅଫିସ୍ ବନ୍ଦ କରି ନିଜ କ୍ୱାର୍ଟରକୁ ଆସିଲେ । ରାତିରେ ଶୋଇ ଚିନ୍ତା କଲେ । କ’ଣ କରିବେ ଚାକିରି ବିଜ୍ଞାପନ ଖବର କାଗଜରେ ବାହାରିବା ପରେ କିରାଣି ଚାକିରି ପ୍ରାର୍ଥୀମାନେ ମୋ ନିକଟରେ ଯୋଗାଯୋଗ କରିଛନ୍ତି । ସେମାନଙ୍କର ବାପାମାନେ ଆସି କୋଡିଏ ହଜାରରୁ ତିରିଶହଜାର ଟଙ୍କା ଘୋସ୍ ଦେବାକୁ କହି ଯାଇଛନ୍ତି । ଏପରିକି କେତେକ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ପୂର୍ବରୁ ବି ମୋତେ ଦଶ ହଜାର ଲେଖାଏଁ ଟଙ୍କା ଦେଇ ଯାଇଛନ୍ତି, ଏହି ଇଣ୍ଟରଭ୍ୟୁ କେବଳ ଗୋଟିଏ ଫାର୍ସ । ସେମାନେ ଇଣ୍ଟରଭ୍ୟୁ ଦିନ କଥା ହୋଇଥିବା ଅବଶିଷ୍ଟ ଟଙ୍କା ଧରି ଆସିବେ ଏବେ ମୁଁ କ’ଣ କରିବି । ସବିତାର ପୁଅ ଶଶୀକାନ୍ତ ତ ଆଉ ଟଙ୍କା ଦେଇ ପାରିବନି । ଆମେ କେତେ ଜଣ ଟଙ୍କା ବାଂଟିନେବୁ । ହେଲେ ବିନା ଟଙ୍କାରେ ସେମାନେ ଶଶୀକାନ୍ତର ଚାକିରି ଆଦୌ ଚାହିଁବେନି । ପୁଣି ସବିତା ମୋର ପିଲାଦିନର ସାଥୀ । ମୁଁ ବା କେମିତି କହିବି ସବିତା ଯଦି ମାତ୍ର ଦଶ ହଜାର ଟଙ୍କା ଲାଂଚ ଦିଅନ୍ତି ତେବେ ମୁଁ ଅନ୍ୟମାନଙ୍କୁ ବୁଝେଇ ସେତିକି ଟଙ୍କା ସବିତା ନିକଟରୁ ନେଇ ଶଶୀକାନ୍ତର ଚାକିରି କରାଇ ଦିଅନ୍ତି । କିନ୍ତୁ ଦଶ ହଜାର ଟଙ୍କା ସବିତା ନିକଟରେ ମାତ୍ର ନୁହେଁ, ବରଂ ବହୁତ । ଆଉ ପୁଣି ସେ ସବିତା ଏତେଗୁଡାଏ ଟଙ୍କା ବା ପାଇବ କେଉଁଠୁ? ଛାଡ ମୁଁ କାହିଁକି ଏତେ ତ୍ୟାଗ ଆଦର୍ଶ ଦେଖାଇବି । ଆଦର୍ଶ ଦେଖାଇ ଏ ସମାଜରେ କେହି ବ୍ୟକ୍ତି ବି ନିଜର ଆର୍ଥନୀତିକ ଅବସ୍ଥାକୁ ଆଦୌ ମଜଭୁତ କରିପାରି ନାହିଁ । ଏମିତି ଅନେକ କଥା ଚିନ୍ତାକରି ସୂତା ମିଲ୍ର ମ୍ୟାନେଜର ଦେବକାନ୍ତ ପଟ୍ଟନାୟକ ଶେଷରେ ଶୋଇ ପଡିଲେ ।

କିଛିଦିନ ଗଲା, ଇଣ୍ଟରଭ୍ୟୁ ଦିନ ବି ଆସି ପହଁଚିଲା । କିରାଣି ଚାକିରି ପ୍ରାର୍ଥୀମାନେ ଯଥା ସମୟରେ ଆସି ପହଁଚିଗଲେ । ଶଶୀକାନ୍ତ ନାୟକ ମଧ୍ୟ ଆସିଥିଲା, ଅନ୍ୟମାନେ ଲାଂଚ ଦେବାକୁ ଟଙ୍କା ଆଣିଥିଲେ । କିନ୍ତୁ ଗରିବ ଯୁବକ ଶଶୀକାନ୍ତ ଟଙ୍କା ବା କେଉଁଠୁ ଆଣିବ? ତା’ପରେ ଶଶୀକାନ୍ତ ତ ଜାଣେନା ଲାଂଚ ଦେଲେ ଚାକିରି ହୁଏ । ଏ ଇଣ୍ଟରଭ୍ୟୁର ମାନେ କିଛି ବି ନାହିଁ । ଯେଉଁ ପ୍ରାର୍ଥୀମାନେ ଟଙ୍କା ଲାଂଚ ଦେଲେ ସେମାନଙ୍କ ଚାକିରି ହେଲା । ଆଉ ଯେଉଁମାନେ ଟଙ୍କା ଦେଇ ନ ପାରିଲେ ସେମାନେ ଇଣ୍ଟରଭ୍ୟୁରେ ପାଶ୍ କରିଥିଲେ ବି ଫେଲ୍ ବୋଲି ପ୍ରମାଣିତ ହେଲେ । ସେମାନଙ୍କ ମଧ୍ୟରୁ ଏ ଶଶୀକାନ୍ତ ନାୟକ ଜଣେ । ଇଣ୍ଟରଭ୍ୟୁ ସରିଲା, ଶଶୀକାନ୍ତ ନାୟକ ଇଣ୍ଟରଭ୍ୟୁରେ ପାଶ୍ କରିଛନ୍ତି କିନ୍ତୁ ଟଙ୍କା ଲାଂଚ ଦେଇପାରି ନଥିବାରୁ ଫେଲ୍ ବୋଲି ପ୍ରମାଣିତ ହେଲେ । ଦେବକାନ୍ତ ପଟ୍ଟନାୟକ ଶଶୀକାନ୍ତକୁ କହିଲେ, ତୁମେ ଯାଅ, ତୁମ ପାଖକୁ ଚିଠି ଯିବ । ତା’ପରେ ଦେବକାନ୍ତ ପଟ୍ଟନାୟକ ପୁଣି କହିଲେ, ଶଶିକାନ୍ତ ତୁମେ ଅଫିସରମାନଙ୍କ ଖର୍ଚ୍ଚପାଇଁ ଯଦି ପାଂଚ ଦଶ ହଜାର ଟଙ୍କା ଦେଇଥା’ନ୍ତ ତେବେ ମୁଁ କୁହା ବୋଲା କରି ତୁମ ଚାକିରର ବନ୍ଦୋବସ୍ତ ନିଶ୍ଚୟ କରିପାରିଥାନ୍ତି ।

ଶଶୀକାନ୍ତ ନାୟକ, ଦେବକାନ୍ତ ପଟ୍ଟନାୟକଙ୍କ ମୁହଁରୁ ଏପରି କଥା ଶୁଣି ସବୁ କିଛି ବୁଝି ପାରିଲା । ପ୍ରାର୍ଥୀମାନେ ଲାଂଚ ଦେଇ ଚାକିରି କରନ୍ତି । କେତେକ ପ୍ରାର୍ଥୀ ଟଙ୍କା ଧରି ଆସିଥିବାର ସେ ଶଶୀକାନ୍ତ ନିଜେ ମଧ୍ୟ ଦେଖିଥିଲା । ସେ ସବୁ ବୁଝିପାରି ଏକମୁହାଁ ହୋଇ ଘରକୁ ଫେରିଲା, ମାଆ ସବିତାକୁ ସବୁ କଥା ବୁଝେଇ କହିଲା । ତା’ପରେ ସେ ଶଶୀକାନ୍ତ ଭୀଷଣ ଭାବରେ ରାଗିଗଲା । ରାଗ ଜର ଜର ହୋଇ ସେ ଶଶୀକାନ୍ତ ତା’ ମାଆକୁ କହିଲା, ମାଆ ଆଜି କାଲି ଟଙ୍କା ଲାଂଚ ନ ଦେଲେ ଚାକିରି ହେଉ ନାହିଁ । ଚାକିରି ପାଇଁ ଘୋସ୍ ଦେବାର ଆବଶ୍ୟକତା ରହିଛି ।

କିଏ ମୋତେ ଚାକିରି ଦେବ? ଏ ସମାଜରେ ପାଠର ମର୍ଯ୍ୟାଦା ଆଉ କ’ଣ? ଯଦି ପରିବାରର ଆଭିଜାତ୍ୟ ନାହିଁ, ମହାଜ୍ଞାନୀ ହେଲେ ବି ସବୁ ଅଫିସରେ ତାପାଇଁ ଚାକିରି ନାହିଁ ବୋଲି କହିବେ ଅର୍ଥ ସ୍ୱାର୍ଥ ମୋହରେ ମତୁଆଲା ଅଫିସରମାନେ । ହେଲେ ଆମର କ’ଣ ବା ଅଛି? ପରିବାରର ଖାନଦାନ୍ ନା ବ୍ୟାଙ୍କରେ ସଂଚିତ ପ୍ରଚୁର ଟଙ୍କା – ଏସବୁ କିଛି ତ ନାହିଁ । ଏବେ ତୁ କହ, ମାଆ ମୋତେ ଚାକିରି କେମିତି ମିଳିବ? ଆଜି ଯଦି ମୁଁ ସେ ଦେବକାନ୍ତ ପଟ୍ଟନାୟକଙ୍କୁ ଟଙ୍କା ଦଶ ହଜାର ଦେଇଥାନ୍ତି ତେବେ ମୋର ଚାକିରି ନିଶ୍ଚୟ ହୋଇଥାଆନ୍ତା । ଏତିକି କହି ସେ ଶଶୀକାନ୍ତ ନାୟକ ହଠାତ୍ କାନ୍ଦି ପକାଇଲେ । ମାଆ, ସବିତା ଶଶୀକାନ୍ତକୁ ବୁଝାଇଲେ, ଧନରେ ମୁଁ ସବୁ ବୁଝିଲି । ଧୈର୍ଯ୍ୟଧର କିଛି ଗୋଟାଏ ବ୍ୟବସ୍ଥା ନିଶ୍ଚୟ କରିବା । ହେଲେ ତୁ ଆଦୌ ବ୍ୟସ୍ତ ହେବୁ ନାହିଁ । ତୋ ପାଖରେ ତୋ ମାଆ ପରା ଅଛି । ମୋ ଆଶୀର୍ବାଦରେ ତୁ ନିଶ୍ଚୟ ମଣିଷ ପରି ମଣିଷଟିଏ ହେବୁ । ଏହାପରେ ସେ ଶଶୀକାନ୍ତ ନିଶ୍ଚିନ୍ତ ହୋଇ ରହିଲା ।

ଏଣେ ସେ ସବିତା ଭାବୁଥାଏ ଯେଉଁ ଦେବକାନ୍ତ ପିଲାଦିନେ ମୋ ହାତରୁ ବରକୋଳି ଖାଉଥିଲା, ଆଉ ମୋତେ ଯେଉଁ ହାତରେ ବରକୋଳି ଦେଉଥିଲା ସେହି ବରକୋଳି ଦବା ହାତଟା ତା’ର କେମିତି ଲାଂଚ ଟଙ୍କା ନବାର ହାତରେ ପରିବର୍ତ୍ତନ ହେଲା । କେମିତି ସେ ଏତେ ସ୍ୱାର୍ଥପର ହୋଇଗଲା । ଶଶୀକାନ୍ତ କହିଲା ଦେବକାନ୍ତ ନିଜେ ତିନି ମହଲା କୋଠାଘର କରି ରହିଛି । ଗାଡି ମଟର ସବୁ ସୁଖ ଶାନ୍ତି ତା’ ପାଖରେ ପୂରି ରହିଛି । ତେବେ ସବିତା ଭାବୁଛି ତା’ର ସବୁ ସମ୍ପତ୍ତି ପାପ ଧନରେ ହିଁ ବଢି ଯାଇଛି । ହଉ, ଠାକୁରେ ଭରସା, ଈଶ୍ୱର ସେ ଦେବକାନ୍ତ ପଟ୍ଟନାୟକଙ୍କୁ ସୁଖରେ ରଖନ୍ତୁ । ଆଉ ସଦ୍ବୁଦ୍ଧି ବି ଦିଅନ୍ତୁ । ସବିତା ଠାକୁରଙ୍କ ନିକଟରେ ଏତିକି ନିବେଦନ କଲା । ସେହିକ୍ଷଣି ଆଖିରୁ ଟପ୍ ଟପ୍ ହୋଇ କେଇବୁନ୍ଦା ଲୁହ ବୋହି ପଡିଲା ସବିତା’ର । ତା’ପରେ ସବିତା କହିଲେ, ନା-ଆଉ ଭାବି, ଲୁହ ଗଡେଇ କିଛି ବି ଲାଭ ନାହିଁ । ମଣିଷର ମୂଲ୍ୟାଙ୍କନ ଆଦୌ ସହଜ କଥା ନୁହେଁ । ମଣିଷ ବଂଚିବାର ପ୍ରଣାଳୀ ଜାଣିଲେ ସିନା ଅନ୍ୟକୁ ଶିକ୍ଷା ଦେବ । ଗୋଟିଏ କୂଳରେ ଲାଗି ମନଇଚ୍ଛା ଦମ୍ ନ ନେଲେ ନଦୀ ପାରିହେବା ମୋଟେ ସମ୍ଭବ ନୁହେଁ । ସବିତା ତାଙ୍କ ପୁଅକୁ ଅସୀମ ଧୈର୍ଯ୍ୟ ଦେଇ ବ୍ୟାଙ୍କରୁ ଋଣ କରି କିଛି ଗୋଟାଏ ସାଧାରଣ ବ୍ୟବସାୟ କରିବାକୁ କହିଲେ । ଶଶୀକାନ୍ତ ତ ଅତ୍ୟନ୍ତ ଚତୁର ଓ ବୁଦ୍ଧିମାନ ଯୁବକ । ଶଶୀକାନ୍ତ ସେ ଋଣ ପଇସାରେ ଛୋଟ ଧରଣର ଏକ ପରିବା ବ୍ୟବସାୟ କଲା । ଧୀରେ ଧୀରେ ସେ ପରିବା ବ୍ୟବସାୟରୁ ଶଶୀକାନ୍ତ ଅନେକ ପଇସା ଉପାର୍ଜନ କଲା । ଦୁଇ, ଚାରି ବର୍ଷ ପରେ ଶଶୀକାନ୍ତ ପାଖରେ ଅନେକ ପଇସା ହୋଇଗଲା । ତା’ପରେ ସେ ଶଶୀକାନ୍ତ ଏକ ଦିଆସିଲି ଫ୍ୟାକ୍ଟେରୀ କଲେ । ଆଉ ସେଥିରେ ଲାଭବାନ ବି ହେଲେ । ତାପରେ ଧୂପ ତିଆରି କଲେ । ସହରରେ ଜାଗା କିଣି ଖୁବ୍ ବଡ ଧରଣର ଧୂପ ଦିଆସିଲି କାରାଖାନା କରି ବିଖ୍ୟାତ ହୋଇଗଲେ । ପରିବା ବ୍ୟବସାୟରୁ ଲାଭ କରି ଶଶୀକାନ୍ତତ ତା’ର ସ୍ୱଳ୍ପ ବ୍ୟାଙ୍କ ଋଣ ବହୁ ଆଗରୁ ପରିଶୋଧ କରିଦେଇଥିଲେ ।

ଶଶୀକାନ୍ତ ଦିଆସିଲି କାରାଖାନା କରିବା ଗୋଟିଏ ବର୍ଷ ପୂରିଯାଇଛି । ତେଣୁ ଶଶୀକାନ୍ତ ଏକ ବାର୍ଷିକ ଉତ୍ସବର ଆୟୋଜନ କରିଥା’ନ୍ତି । ସେଥିରେ ଭଜନ ସମାରୋହର ଆୟୋଜନ ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ତେଣୁ ବହୁ ଲୋକ ନିମନ୍ତ୍ରିତ ହୋଇଛନ୍ତି । ସେଦିନ ସହର ଆନନ୍ଦ କୋଳାହଳରେ ପରିପୂର୍ଣ୍ଣ । ସବିତାର କଥାନୁଯାୟୀ ସୂତା ମିଲ୍ର ମ୍ୟାନେଜର ଦେବକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମାଆର ଆଦେଶକୁ ଶିରୋଧାର୍ଯ୍ୟ କରି ଶଶୀକାନ୍ତ ଦେବକାନ୍ତ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ସେ ଦେବକାନ୍ତ ପଟ୍ଟନାୟକ ବି ଆସିଛନ୍ତି । ହେଲେ ସେ ଆସିବେ ବୋଲି ସବିତାର ଆଦୌ ବିଶ୍ୱାସ ନଥିଲା । ଦେବକାନ୍ତ ପଟ୍ଟନାୟକଙ୍କୁ ଖୁବ୍ ଖୁସିରେ ହସି ହସି ସବିତା ପାଛୋଟି ନେଇଗଲେ ତାଙ୍କ ଘର ଭିତରକୁ । କିନ୍ତୁ ସେ ଦେବକାନ୍ତ ମୁହଁର ଭାବ ଭାରାକ୍ରାନ୍ତ । ଯେପରି ଜୀବନ ପ୍ରତି ବୀତସ୍ପୃହା, ତାଙ୍କର କରୁଣ ଚାହାଣି, ରୁଗ୍ଣ ଶରୀର ଦେଖି ସବିତାର ଦୟା ହୋଇଥିଲା । ତାପରେ ସେ ସବିତାର ହସ ମଉଳି ଗଲା । ଦେବକାନ୍ତଙ୍କ ମୁହଁକୁ ଚାହିଁ ସବିତା ପଚାରିଲେ, ଦେବକାନ୍ତ ତୁମର କ’ଣ ହୋଇଛି ଆଗ କୁହତ? ତାଛଡା ତୁମେ ଖୁବ୍ ଅସୁସ୍ଥ ବି ଜଣାପଡୁଛ । ଏତକ ଶୁଣି ସେ ଦେବକାନ୍ତ ରହି ରହି କହିଲେ, ସବିତା ସତରେ ମୁଁ ଅସୁସ୍ଥ ହୋଇ ପଡିଛି । ମୁଁ ସୂତା ମିଲ୍ର ମ୍ୟାନେଜର ଥିଲି ମାତ୍ର ଏବେ ଆଉ ନାହିଁ । ଏପରି କଥା ଶୁଣି ସବିତା ପଚାରିଲା କାହିଁକି?

ତହୁଁ ସେ ଦେବକାନ୍ତ ପଟ୍ଟନାୟକ କହିଲେ ଲାଂଚ ନେଇ ସୂତା ମିଲ୍ରେ କିରାଣିଠାରୁ ଆରମ୍ଭ କରି କାରିଗର ପର୍ଯ୍ୟନ୍ତ ସମସ୍ତିଙ୍କୁ ନିଯୁକ୍ତି ଦେଉଥିଲି । ସ୍ୱାର୍ଥ ଓ ଅର୍ଥ ମୋତେ ସେତେବେଳେ ପାଗଳ କରିଦେଇଥିଲା । ଅର୍ଥ ଲୋଭରେ ମୁଁ ମୋର ମାନବିକତା, ଲୋକ ସମ୍ପର୍କ ସବୁକିଛି ତୁଟାଇଛି । ଦିନେ ମୁଁ ତୁମର ପୁଅ ଶଶୀକାନ୍ତଙ୍କୁ ସାହାଯ୍ୟ କରିପାରି ନାହିଁ । ତୁମଠାରୁ ଚିଠି ପାଇ ମୁଁ ତା’ ପ୍ରତି ଟିକିଏ ବି ସହାନୁଭୂତି ଦେଖାଇ ନାହିଁ । ତେଣୁ ଆଜି ମୁଁ ଅତ୍ୟନ୍ତ ଲଜ୍ଜିତ, ତୁମ ସ୍ନେହ ସହାନୁଭୂତି ଆଦର ନିକଟରେ ମୁଁ ବନ୍ଧା ପଡିଛି । ତୁମ ପୁଅ ଆଜି କାରଖାନାର ମାଲିକ, ନିଜ ଶିଙ୍ଗରେ ନିଜେ ମାଟି ଖୋଳି ସେ ମଣିଷ ହୋଇଛି । ମୋର ପାପ ଅର୍ଜିତ ଧନରେ ମୁଁ କୋଠାବାଡି, ଗାଡି, ବ୍ୟାଙ୍କ ବାଲାନ୍ସ ସବୁ କରିଥିଲି । କିନ୍ତୁ ଆଜି ମୋର ସେ ସବୁ କିଛି ବି ନାହିଁ । ଏବେ ବୁଝୁଛି ଧନ ଯୌବନ କେବେବି ଚିରସ୍ଥାୟୀ ନୁହେଁ । ସେଥିରେ ମତୁଆଲା ହୋଇ କୁ-କର୍ମ କରିବା ମହାପାପ । ମୋ ସ୍ତ୍ରୀ ଏକ ଅଜଣା ରୋଗରେ ସବୁ ଦିନ ପାଇଁ ଏ ସଂସାର ଛାଡି ଚାଲିଗଲା । ଆଉ ସେହି ଅଜଣା ରୋଗକୁ ଭଲ କରିବାକୁ ଯାଇ ମୁଁ ମୋର ପାପ ଅର୍ଜିତ ସମସ୍ତ ସଂଚିତ ଟଙ୍କା ଖର୍ଚ୍ଚ କରିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ବି ମୋର ସ୍ତ୍ରୀର ସେ ରୋଗ ଆଦୌ ଭଲ ହେଲା ନାହିଁ । ଶେଷରେ ମୋତେ ପର କରି ସବୁଦିନ ପାଇଁ ସଂସାର ଛାଡି ଚାଲିଗଲେ । ତେଣେ ମୋର ସମସ୍ତ ଅସାଧୁତା ମାଲିକ ଆଗରେ ଧରା ପଡିଲା । ତାପରେ ମାଲିକ ମୋତେ ମ୍ୟାନେଜର୍ ପଦବୀରୁ ସବୁଦିନ ପାଇଁ ଇସ୍ତଫା ଦେଲେ । ଏପରିକି ଛୁଟିକରି ଦେଲେ । ତା’ପରେ ସ୍ତ୍ରୀର ମୃତ୍ୟୁ ପରେ ରକ୍ତଚାପ ରୋଗ ମୋତେ ପଙ୍ଗୁ କରି ଦେଇଛି । ତେଣୁ ଏବେ ମୁଁ ତିଆରି କରିଥିବା କୋଠାଘର ଭଡା ଦେଇ ଗାଆଁକୁ ଚାଲି ଆସିଛି ।

ସବୁ ଶୁଣି ସବିତା ଦେବକାନ୍ତ ପଟ୍ଟନାୟକଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, ଧୈର୍ଯ୍ୟଧର ସବୁ କିଛି ଠିକ୍ ହୋଇଯିବ । ତା’ପରେ ସବିତା ଦେବକାନ୍ତ ପଟ୍ଟନାୟକଙ୍କୁ କହିଲେ ତାଙ୍କ ପୁଅ ବ୍ୟାଙ୍କରୁ ଋଣ ଆଣି ଛୋଟ ପରିବା ବ୍ୟବସାୟରୁ କିଭଳି ଆଜି କାରଖାନାର ମାଲିକ ହୋଇ ପାରିଛି । ଦେବକାନ୍ତ ପଟ୍ଟନାୟକ ସବୁ ଶୁଣି କହିଲେ, ଭଗବାନ ତୁମ ପୁଅକୁ ସହାୟ ହୋଇଛନ୍ତି ।

ତା’ପରେ ସେ ସବିତା ଦେବକାନ୍ତ ପଟ୍ଟନାୟକଙ୍କୁ ଖାଇବାକୁ ପିଇବାକୁ ଦେଲେ । ଯଥୋଚିତ ସମ୍ମାନ ବି ଦେଲେ । ସେଦିନ ସବିତା ଘରେ ଦେବକାନ୍ତ ପଟ୍ଟନାୟକ ରହିଲେ । ତା’ପରଦିନ ସକାଳେ ସବିତା ଦେବକାନ୍ତ ପଟ୍ଟନାୟକଙ୍କୁ କହିଲେ, ଦେବକାନ୍ତ, ତୁମର ଯଦି ଆପତ୍ତି ନଥାଏ ତେବେ ମୁଁ ମୋ ପୁଅକୁ କହିବି, ତମେ ମୋ କାରଖାନାରେ ମ୍ୟାନେଜର ରହିବାକୁ । ସବିତା ମୁହଁରୁ ଏ କଥା ପଦକ ଶୁଣି ଦେବକାନ୍ତ ପଟ୍ଟନାୟକଙ୍କ ଆଖିରୁ ଆନନ୍ଦାଶ୍ରୁ ଧାର ଧାର ହୋଇ ବହିଗଲା ।

ତା’ପରେ ସେ ସବିତା ପୁଣି ଦେବକାନ୍ତ ପଟ୍ଟନାୟକଙ୍କୁ କହିଲେ, ଆସନ୍ତା ମାସରେ ଆମ କାରଖାନାରେ କିଛି ନୂତନ ଶ୍ରମିକ ଆଉ କିଛି କିରାଣିର ଆବଶ୍ୟକ ରହିଛି । ଖବର କାଗଜରେ ଚାକିରି ବିଜ୍ଞାପନ ବାହାରିବ । ତମେ ଚାକିରି ଦେବ ଯେଉଁମାନେ କେବଳ ଗରିବ ଯୁବକ । ପ୍ରକୃତରେ ଯେଉଁମାନେ ଗରିବ ମୁଁ ନିଜେ ସେମାନଙ୍କୁ ତଦନ୍ତ କରିବି । ବିନା ଲାଂଚରେ ବିନା ଘୋଷରେ ମୁଁ ଗରିବ ବେକାରୀମାନଙ୍କୁ ହିଁ ଚାକିରି ଦେବି ।

ଦେବକାନ୍ତ ପଟ୍ଟନାୟକ କହିଲେ, ସବିତା ମୋର ତୁମଠାରୁ ଏତିକି ଶିକ୍ଷା ପାଇବାର ଅର୍ଥ ମୋତେ ବୋଧହୁଏ ମୋ କଲାକର୍ମର ଶାସ୍ତି ମିଳିଛି । ତାପରେ ଉଭୟେ ହସି ଉଠିଲେ । ତା’ପରେ ଦେବକାନ୍ତ ପଟ୍ଟନାୟକ କହିଲେ, ସବିତା, ମୁଁ ତୁମଠାରୁ ଅନେକ କିଛି ଶିଖିଲି । ମୋର ତୁମ ମିଲ୍ରେ ମ୍ୟାନେଜର ହୋଇ ରହିବାକୁ କୌଣସି ଆପତ୍ତି ନାହିଁ । ସେହିଦିନଠାରୁ ଦେବକାନ୍ତ ପଟ୍ଟନାୟକ ସେ ଦିଆସିଲି କାରଖାନାର ମ୍ୟାନେଜର ହୋଇ ରହିଲେ । ଶଶୀକାନ୍ତଙ୍କୁ ଦେବକାନ୍ତ କହିଲେ, ମୁଁ ମୋ କୃତକର୍ମର ଫଳ ଭୋଗ କଲି । ତୁମପ୍ରତି ଅତୀତରେ ଯେଉଁ ଅନ୍ୟାୟ କରିଛି ସେଥିପ୍ରତି ଭୀଷଣ ଲଜ୍ଜିତ ଓ ଅନୁତପ୍ତ । କିଛିଦିନ ଚାଲିଗଲା । ଶଶୀକାନ୍ତର ବିବାହ ହେଲା । ସେଥିରେ ଖୁବ୍ ବଡ ଭୋଜିର ଆୟୋଜନ କରାଯାଇଥିଲା । ଦିନ ଦୁଃଖୀ ସମସ୍ତେ ଭୋଜି ଖାଇ ଶଶୀକାନ୍ତକୁ ଧନ୍ୟ ଧନ୍ୟ କହିଲେ । ଦେବକାନ୍ତ ପଟ୍ଟନାୟକ ସବିତାକୁ କହିଲେ – ସବିତା, ତମେ ମାନବୀ ନୁହେଁ ଦେବୀ ।


Rate this content
Log in

Similar oriya story from Inspirational