Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାହାଘରର ପୁର୍ବ ରାତି
ବାହାଘରର ପୁର୍ବ ରାତି
★★★★★

© Rajabala Tripathy

Others

4 Minutes   490    15


Content Ranking

ଘରେ ଦୁଇ ଦିନ ହେବ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗି ଯାଇଛି। ଗାଁରୁ କକା ଖୁଡି, ପିଉସା ପିଉସୀ, ମାମୁଁମାଇଁ ଆସି ପହଞ୍ଚି ଗଲେଣି। ମାମୁଁ ଝିଅ ବିନି ନାନୀ ତା ବର ଆଉ ବର୍ଷକର ପୁଅ ସହ ଏଇ ସଂଗେ ସଂଗେ ଆସି ପହଂଚିଛି। ଆସୁ ଆସୁ ଆଗେ ଖୋଜା ପଡିଛି ସିତୁ କାହିଁ। ସବୁ ପରିଜନମାନେ ନିଜ ନିଜ ସହ ଭଲ ମନ୍ଦ ଗପିବାରେ ଖୁବ ବ୍ୟସ୍ତ। ବାରି ପଟ ବଉଳ ଗଛ ମୂଳେ ଆଜିଠୁ ରୋଷେଇ ଚାଲିଲାଣି। ଗାଁରୁ ସରଣୀ ଅଜା ତା ରୋଷେଇ ସମାନ ଆଉ ଲୋକବାକ ସହ କାଲିଠୁ ଆସି ଆସର ଜମେଇଲାଣି। ଜେଜେମା ସହ ଆଈ ଶ୍ରେଣୀୟ ସବୁ ନାରୀମାନେ ଘରର ଗୋଟିଏ କୋଣରେ ପାନ ସଜ ଧରି, ଭଳି କି ଭଳି ବରାଦ ଅନୁସାରେ ଅନବରତ ପାନ ଭାଙ୍ଗିବାରେ ବ୍ୟସ୍ତ। ଗୁଆ କାତିର ଖଟର ଖଟର ଶବ୍ଦ ସହ ପାନ ଭର୍ତ୍ତି ପାଟିକୁ ପାକୁଳେଇ ସେମାନେ କେତେ କଣ ଯେ ଗପି ଯାଉଛନ୍ତି, ସିତୁକୁ ଲାଗିଲା ସତେ କି ସେମାନେ ଦୀର୍ଘ କେତେ ଦସନ୍ଧି ପୂର୍ବେ ନିଜ ଜୀବନରେ ଘଟି ଯାଇଥିବା ଏହି ଭଳି ଏକ ଘଟଣାର ହିଁ ରୋମନ୍ଥନରେ ବ୍ୟସ୍ତ। ବାପା ବୋଉଙ୍କ ଶୋଇବା ଘରର ଖଟକୁ ଗୋଟେ କଣକୁ ଆଡେଇ ଦେଇ ଥୁଆ ହେଇଚି ଭଳି ଭଳି ପନି ପରିବା, ତେଲ ଠାରୁ ଲୁଣ ପର୍ଯ୍ୟନ୍ତ ସବୁତକ ଦ୍ରବ୍ୟ, ସରଘର। ଏ ଘରର ଦାୟିତ୍ୱରେ ବଡ଼ ମାଇଁ ଆଉ ଖୁଡି। ଘଡି ଘଡି ଭିତର ବାହାର ହେବାକୁ ପଡୁଛି। ବେଦୀ ପାଖରେ ଚେୟାର ପକେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଗୁରୁଜନ ଶ୍ରେଣୀର ମୁହଁ ସବୁକୁ ଆଖି ପକେଇ ଆଣୁ ଆଣୁ କିଛି ଦୁରରେ ପରସ୍ପର ସହ କଥା ହେଉଥିବା ଦୁଇଟି ଅତି ପରିଚିତ ବ୍ୟସ୍ତ ମୁହଁରେ ଆଖି ରହିଗଲା ତାର। ବାପା ଆଉ ମାଆ। ଛାତି ଭିତରଟା କୋରି ହୋଇଗଲା। ଛାତର ଗୋଟିଏ କଣକୁ ଡେରି ବସି ପଡ଼ିଲା ସିତୁ।


ଏତେ ଗହଳ ଚହଳ ଭିତରେ ବି ତାକୁ ଭାରି ଏକା ଏକା ଲାଗୁଚି। ତା ଶୋଇବା ଘରର ସେ ମାଡି ବସିଲା ପରି ପରିବେଶରୁ ରକ୍ଷା ପାଇବା ପାଇଁ ସୁଯୋଗ ପାଇ ଖସି ଆସିଛି ଏ ନିରୋଳା ଛାତ ଉପରକୁ। ବର୍ତମାନ ସେ ଏକା। ତା ମୁଣ୍ଡ ଉପରେ କେବଳ ଆକାଶ ଯାହା ମିଟି ମିଟି କରୁଛି ମୁଠାଏ ତାରାଙ୍କୁ ଧରି। ଅନେକ ସମୟ ଧରି ସେ ଆକାଶକୁ ଚାହିଁ ରହିଲା ସିତୁ। ଦୀର୍ଘ 25ବର୍ଷ ଧରି ତା ପରିଚିତ ଆକାଶ ଆଉ କାଲି ତାର ହେଇ ନଥିବ। ସେ କାଲି ପରଘରି। ଏ ଆକାଶକୁ ନିଜର କହିବାର ଅଧିକାର କେବଳ ଆଜି ରାତିକ ପାଇଁ। ଆଜି ଯେ ତାର ବାହାଘରର ପୂର୍ଵ ରାତି। କାଲି ସକାଳୁ ସକାଳୁ ବାହା ଡେଙ୍ଗୁରା ବାଜିବ ତା ଘର ଦାଣ୍ଡରେ। ସେ ଡେଙ୍ଗୁରା ନୁହେଁ ତ ତା ବିଦାୟର ଫର୍ମାନ।।ବାପା ମାଆ ଜେଜି ସାନ ଭାଇ ସୋନୁ ତା ଘର, ସାହି ପଡିଶା ସବୁକୁ ପର କରି ତାକୁ ଚାଲି ଯିବାକୁ ହେବ ଏକ ଅପରିଚିତ ସ୍ଥାନକୁ। କାହିଁକି କେଜାଣି ଝିଅମାନଙ୍କ ଜୀବନରେ ଆସେ ସେ ବାହାଘରର ପୂର୍ଵ ରାତି। କଇଁ କଇଁ ହୋଇ କାନ୍ଦି ଉଠିଲା ସିତୁ। ବେଶ କିଛି ଦିନ ଧରି ତା ଛାତି ଭିତରେ ରୁନ୍ଧି ହୋଇ ରହିଛି କୁଢ଼ କୁଢ଼ କୋହ ଆଉ ଅଜସ୍ର ପ୍ରଶ୍ନ। ଲୁହ ବୁନ୍ଦାରେ କିଛି ବୋଝ ହାଲୁକା ହେଇଗଲା ସତେ ଯେମିତି।

ଶୀତଳ ପବନ ଧୀରେ ଛୁଇଁ ଦେଇ ଗଲା ତାର ଓଦା ଆଖି ଆଉ ଗାଲକୁ। ଘରେ ତା ବିବାହକୁ ଧୁମ ଧାମରେ କରିବା ପାଇଁ ସବୁଯାକ ପ୍ରସ୍ତୁତି,ହେଲେ ଯେଉଁ ପ୍ରସ୍ତୁତି ବିବାହ ପାଇଁ ପ୍ରଥମ ଆବଶ୍ୟକ, ସେଇଟା କେମିତି କରିବାକୁ ପଡେ, କିଏ ଶିଖେଇବ ତାକୁ, ନିଜ ଘର ଛାଡିବାର ପ୍ରସ୍ତୁତି, ବାପା ମାଆ, ବନ୍ଧୁ ବାନ୍ଧବ ଗାଁ ସାଙ୍ଗ ସାଥୀଙ୍କୁ ପର କରିଦେବାର ପ୍ରସ୍ତୁତି, ନିଜର ଠିକଣା, ପରିଚୟ ହରେଇବାର ପ୍ରସ୍ତୁତି, ନିଜର ରକ୍ତ ସମ୍ପର୍କଙ୍କୁ ବଂଚି ଥାଉ ଥାଉ ପିଣ୍ଡ ଦେବାର ପ୍ରସ୍ତୁତି, ଗୋଟିଏ ରାତି ପରେ ଅପରିଚିତ ମାନଙ୍କୁ ନିଜର ଭାବିବାର ପ୍ରସ୍ତୁତି, କେମିତି କରିବାକୁ ପଡେ ଏ ସବୁ।କିଏ ବତେଇବ। ବାହାଘର ଦିନ ଠିକ ହେବା ପରଠୁ ଏହିପରି ଅମୀମାଂସିତ ପ୍ରଶ୍ନ ସବୁରେ ଆକ୍ତାମାକ୍ତା ହେଉଛି ସେ। କାହିଁକି ଏ ପରି ପରମ୍ପରା । କାହିଁକି ଝିଅଟିକୁ ହିଁ ହରେଇବାକୁ ପଡେ ତାର ପୈତୃକ ପରିବେଶ ଠିକ ଭିଟା ମାଟି ହରାଉଥିବା ବିସ୍ଥାପିତଟିଏ ପରି। ନିଜ ମୂଳ ହରାଇ ଏକ ଅଜଣା ସ୍ଥାନରେ ଅପରିଚିତଙ୍କର ଗହଣରେ ପୁଣି ଥରେ ରୋପିତ ହେବାକୁ ପଡେ ଝିଅଟିକୁ। ଖାଲି ରୋପିତ ହେବାକୁ ନୁହେଁ, ଚେରକୁ ମାଟିରେ ଶକ୍ତ ଭାବେ ରଖି ଡାଲ ପତ୍ର ମେଲି ଫୁଲ ଫଳ ଫୁଟେଇବାକୁ ପଡେ, ସେ ଯେତେ କଷ୍ଟକର ହେଉନା କାହିଁକି। ଦୁନିଆରେ ସବୁ ବିସ୍ଥାପିତମାନଂକର କଷ୍ଟ ବୁଝୁଥିବା ମଣିଷ କେବେ କଣ ବୁଝେ ଏ ବିସ୍ଥାପନ ଆଉ ବିସ୍ଥାପିତର କଷ୍ଟ। ସିତୁର ଆଖିରୁ ଶୁଖି ଯାଇଥିବା ଲୁହ ଧର ପୁଣି ଥରେ ଝର ଝର ହୋଇ ଝରିପଡ଼ିଲା। ଦୁଇ ଆଣ୍ଠୁ ମଝିରେ ମୁହଁ ରଖି କାନ୍ଦିବାରେ ଲାଗିଲା ସେ।


"ସିତୁ...ମାଆରେ ଏଇଠି ଏକୁଟିଆ ଅନ୍ଧାରରେ କଣ କରୁଛୁ"ବେଶ କିଛି ସମୟ ପରେ ବାପାଙ୍କ ପାଟି ଶୁଣି ମୁଣ୍ଡ ଟେକି ଚାହିଁଲା ସେ। ଆଗରେ ବାପା । ତାକୁ ଘରେ ନ ପାଇ ଏ ଭିତରେ ଖୁବ ଗୋଟେ ହଇଚଇ ହୋଇଯାଇଥିଲା। ସବୁ ଆଡେ ଖୋଜି ଖୋଜି ଛାତର ସେ ଅନ୍ଧାରୁଆ କୋଣରେ ତାକୁ ଆବିଷ୍କାର କରିଥିଲା ସୋନୁ। ଦିଦିକୁ ଏ ପରି ଅବସ୍ଥାରେ ଦେଖିବାରେ ଅଭ୍ୟସ୍ତ ନଥିବା ସୋନୁ ସିଧା ବାପାଙ୍କ ନେଇ ଆସିଥିଲା ଛାତ ଉପରକୁ। "କଣ ହେଲା..ତୁ କାନ୍ଦୁଛୁ କାହିଁକି" ପାଖରେ ବସିପଡ଼ି ମୁଣ୍ଡରେ ହାତ ବୁଲେଇ ପଚାରିଲେ ବାପା। " ତୋ ଦେହ ଭଲ ଅଛି ତ ମାଆ, କିଛି ଅସୁବିଧା ହେଲାକି, ତୁ ଏ ବାହାଘର ରେ ଖୁସି ତ" ଶେଷ ବାକ୍ୟଟି କହିଲା ବେଳେ ବେଶ ବାରି ହେଇ ପଡ଼ୁଥିଲା ବାପାଙ୍କ କଣ୍ଠର ବ୍ୟସ୍ତତା। "ମୁଁ ତୁମକୁ ଛାଡି କୁଆଡେ ଯିବିନି ବାପା । କାଲିଠୁ ମୁଁ ତୁମ ପାଇଁ ପର ହେଇଯିବିନା" ବାପାଙ୍କ କାନ୍ଧରେ ମୁଣ୍ଡ ରଖି ସକ ସକ ହୋଇ କାନ୍ଧି ଉଠିଲା ସିତୁ। " ପାଗିଳି ଟା.. ତୁ କୁଆଡେ ଛାଡି ଯାଉଛୁ କି। ଏଇ ପାଖରେ ତୋତେ ରଖିବୁ ରେ ମାଆ। ଏ ଘର,ତୋ ପରିବାର ସବୁବେଳେ ତୋର ନିଜର, କେହି ପର ହେବେନି। ସେ ପୁରୁଣା କଥା କଣ ଆଉ ଅଛି। ସନ୍ଦୀପ ଭାରି ଭଲ ପିଲା। ତୁମେ ଦୁହେଁ ଖୁବ ଭଲରେ ରହିବ। ଯେତେବେଳେ ତୋର ଆମ କଥା ମନେ ପଡିବ ତୁ ଚାଲି ଆସିବୁ ନହେଲେ ଆମେ ତୋ ପାଖକୁ ଚାଲିଯିବୁ। ଚାଲ ଆମେ ଟିକେ ଅଲଗା କରି ଭାବିବା, କାଲି ଠୁ ମୋ ମାଆ ର ଆଉ ଗୋଟେ ଘର ହେବ। ଆଉ ଗୋଟେ ପରିବାର। ସେ ତ ବେଶି ଖୁସି ହେବା କଥା ନୁହେଁକି।" ସିତୁ ବାପାଙ୍କ ମୁହଁକୁ ଚାହିଁ ରହିଲା କେତେ ସହଜରେ ତା ଅବୁଝା ମନକୁ ବୁଝେଇ ଦେଉଛନ୍ତି ବାପା ଠିକ ପିଲା ବେଳେ ବୁଝେଇ ବୁଝେଇ ଦୁଧ ଭାତ ଖୁଆଇଲା ପରି। " ଏବେ ଖୁସିତ।ଟିକେ ହସିଦେ ମୋ ମା। ବାହାଘରରେ ଆଜିକାଲି ଆଉ କିଏ କଣ କାନ୍ଦେ । ତୁ ତୋ ତ ଜେଜି ଠୁ ବଳି ଗଲୁ" ସିତୁର ନାକ ଚିପି ଦେଇ ପରିବେଶକୁ ହାଲକା କରିବାକୁ ବାପା କହିଲେ। ବାପାଙ୍କ ଥଟ୍ଟାରେ ହସି ପକେଇଲା ସିତୁ "ବାପା ଆଜି ରାତିରେ ମୁଁ ତୁମ ସହ ଖାଇବି ।ତୁମେ ମୋତେ ଖୁଏଇ ଦେବ ନା" ବାପାଙ୍କ ବାହୁ ଧରି ଠିଆ ହଉ ହଉ କହିଲା ସିତୁ।

" ନା ଆଜି ତୁ ମୋତେ ଖୁଏଇ ଦେବୁ। ତୁ ପରା ମୋ ମାଆ"

" ହଉ । ତୁମେ ପରା ମୋର ବୁଢା ପୁଅ।" ହସି ହସି ବାପାଙ୍କ ହାତ ଧରି ତଳକୁ ଓଲହେଇଗଲା ସିତୁ। ଅନ୍ଧାରୁଆ ଛାତ ଉପର ଆକାଶରେ ଆଖି ମିଟି କରି ହସୁ ଥିଲେ ପୁଞ୍ଜାଏ ତାରା। ସତେ ଯେମିତି ସେମାନେ ଚୁପି ଚୁପି କହୁଥିଲେ ଆଜି ପରା ବାହାଘରର ପୂର୍ଵ ରାତି।

ସରଘର ବେଦୀ ପରମ୍ପରା

Rate the content


Originality
Flow
Language
Cover design

Comments

Post

Some text some message..