Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Inspirational Others

5.0  

ପ୍ରଶାନ୍ତ କୁମାର ବେହେରା

Inspirational Others

ଆଉ ଜଣେ କାଉଲ୍( ପଞ୍ଚମ ଭାଗ )

ଆଉ ଜଣେ କାଉଲ୍( ପଞ୍ଚମ ଭାଗ )

5 mins
14.5K


ଭାଇ ଆମର ସବୁବେଳେ ଚିନ୍ତା ମୁକ୍ତ ଲୋକ । ପ୍ରେମ କରି ସଫଳ ହୋଇ ଏମିତି ଘରଣୀ ପାଇଛନ୍ତି ଯିଏ ଘରର ସବୁ ଦାୟିତ୍ୱ ବୁଝନ୍ତି । ପିଲା ମାନଙ୍କ ସହ ଭାଇଙ୍କ କଥା ବି ଭାଉଜ ବୁଝନ୍ତି । ଭାଉଜ ଜଣେ ଖୁବ୍ ଭଲ ଅଧ୍ୟାପିକା । କଲେଜ ପାଖରେ ଭଡା ନେଇ ରହୁଥିବାରୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ନିଜର ଡାଉଟ୍ କ୍ଲିଅର୍ କରିବାକୁ ଘରେ ପହଞ୍ଚି ଯାଆନ୍ତି ।

ଭାଇ ଆମର ୟୁଜିସି ବେତନ ପାଉଥିବା ଅଧ୍ୟାପକ । ଅର୍ଥାତ୍ ମାସିକ ବହୁତ ମୋଟା ଅଙ୍କର ଦରମା ପାଆନ୍ତି । ଭାଉଜଙ୍କ ଦରମାରେ ଘର ଚଳିବାରେ କିଛି ଅସୁବିଧା ନଥାଏ । ତେଣୁ ଭାଇଙ୍କ ପଇସାରେ ଭାଇ ପୁରା ରଜା । ସାଙ୍ଗ ସାଥିଙ୍କ ସହ ଯେତେ ପିଆ ପିଇ କଲେ ବି ସରିବାର ନାହିଁ । ଥରେ ଦରମା ବ୍ୟାଙ୍କ ଆକାଉଣ୍ଟ୍ ରେ ଡିପୋଜିଟ୍ ହେବା ପରେ ଭାଇ କିଛି ଅଧିକ ଟଙ୍କା ଉଠାଇଥିଲେ ହାତ ଖୋଲା ଖର୍ଚବାର୍ଚ କରିବା ପାଇଁ । ସେଦିନ କ୍ଲାସ୍ ସରିବା ପରେ ନିଜେ ଖୁବ୍ ପିଇବା ସହ ଅନ୍ୟ ଚେଲା ଚାମୁଣ୍ଡା ମାନଙ୍କୁ ବି ଢେର୍ ପିଆଇଲେ । ଭଲ କରି ନିଶା ଚଢିଗଲା ପରେ ସେଇ ରାତି ଅଧରେ ବାଇକ୍ ରେ ଚାଲିଲେ ଘରକୁ । ଗୋଟେ ଦମ୍ ରେ ସେ ୩୦ କିଲୋମିଟର ରାସ୍ତା ଅତିକ୍ରମ କରି ଆସିଲେ ।

ଭାଇ ଘରେ ପହଞ୍ଚିବା ବେଳକୁ ପିଲାମାନେ ପ୍ରାୟ ଶୋଇ ପଡିଥାନ୍ତି । ଭାଉଜ କିନ୍ତୁ ଅପେକ୍ଷାରେ ଥାଆନ୍ତି । ଲୋକଟା ଯେ କୌଣସି ସମୟରେ ଆସିଯିବ । ଭାଇ ବ୍ଯାଙ୍କରୁ ଯେହେତୁ ଅଧିକ ଟଙ୍କା ଉଠାଇଥିଲେ, ତେଣୁ ତାଙ୍କ ପକେଟରେ ସେ ଦିନର ଖର୍ଚ ପରେ ବି ବହୁତ ଟଙ୍କା ଥାଏ । ଘର ସାମ୍ନାରେ ବାଇକ୍ ଷ୍ଟାଣ୍ଡ୍ ମାରି ନିଜ ପକେଟରେ ଥିବା ଟଙ୍କା ସବୁକୁ ଭଲ କରି ଦେଖିନେଲେ । ଘର କାନ୍ଥ କଡରେ ଗୋଟେ ବଡ ଲେମ୍ବୁ ଗଛ ଥିଲା । ସେଥିରେ ଭଲ ଲେମ୍ବୁ ବି ଫଳିଥାଏ । ସେ ଲେମ୍ବୁ ଗଛକୁ ଏକ ଲୟରେ କିଛି ସମୟ ଚାହିଁଲେ । ବାରଣ୍ଡାର ଝାପ୍ସା ଲାଇଟ୍ ରେ ଲେମ୍ବୁ ଗଛର ପତ୍ର ସହ ଫଳିଥିବା ଲେମ୍ବୁ କିଛି ଦେଖାଯାଉଥିଲେ । ହଠାତ୍ ଭାଇଙ୍କର କିଛି ଅଦ୍ଭୁତ ଖିଆଲ୍ ମୁଣ୍ଡରେ ପଶିଗଲା । ନିଜ ପକେଟରୁ ଟଙ୍କା ତକ କାଢି ଲେମ୍ବୁ ଗଛ ପାଖକୁ ଧୀରେ ସୁସ୍ଥେ ଝୁଲି ଝୁଲି ଚାଲିଲେ ।

ଭାଇଙ୍କର ନିଶା ଛାଡି ନଥାଏ । ତାଙ୍କ ମୁଣ୍ଡରେ ଯେଉଁ ଅଦ୍ଭୁତ କଥାଟା ପଶିଥିଲା ତାହା ହେଲା, ଯଦି ଲେମ୍ବୁ ଗଛରେ ଲେମ୍ବୁ ଫଳିପାରୁଛି, ଟଙ୍କା କାଇଁ ନ ଫଳିବ ? ତେଣୁ ଲମ୍ବୁ ଗଛରେ ସେ ଆଜି ଟଙ୍କା ଫଳେଇ ଦୁନିଆକୁ ଦେଖାଇଦେବେ । ତାପରେ ଭାଇ ତାଙ୍କ ପକେଟରୁ ବାହାର କରିଥିବା ଟଙ୍କା ମାନଙ୍କୁ ସେ ଲେମ୍ବୁ ଗଛର ଛୋଟ ଛୋଟ କଣ୍ଟାରେ ଫୁଟାଇ ଟାଙ୍ଗି ଚାଲିଲେ । ଘଟଣା ହେଉଛି ସେଇ ୨୦୦୨ ମସିହା କଥା । ସେତେବେଳେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଚାଲିଥାଏ । କିଛି ୧୦୦୦ ଟଙ୍କିଆ ନୋଟ୍ ଗଛରେ ଗୁନ୍ଥି କହିଲେ ଏ ହେଉଛି ପୁରା ପାକଳ ଲେମ୍ବୁ । କେତୋଟି ୫୦୦ ଟଙ୍କିଆ ଟାଙ୍ଗି ଦେଇ କହିଲେ ଏସବୁ ଅଧା ପାକଳ । ଶେଷକୁ କିଛି ୧୦୦, ୫୦ ଓ ୧୦ ଟଙ୍କିଆ ନୋଟ୍ କୁ ଗଛରେ ଗୁନ୍ଥି ମନେ ମନେ କହିଲେ ଏସବୁ ହେଉଛନ୍ତି କସି ଲେମ୍ବୁ । ଆଗକୁ ବଢି ବଢି ଏସବୁ ପାକଳ ହୋଇ ନିଶ୍ଚେ ଦିନେ ୫୦୦ ଓ ୧୦୦୦ ଟଙ୍କିଆ ହେବେ ।

ଟଙ୍କା ତକ ଲେମ୍ବୂ ଗଛରେ ଲଟକାଇ ସାରି କିଛି ଦୂରକୁ ଆସି ସେ ଗଛକୁ ଚାହିଁଲେ । ସେଇ ଦୂରରୁ ଲେମ୍ବୁ ଦେଖା ଯାଉନଥାଏ,କିନ୍ତୁ ଫଳିଥିବା ଟଙ୍କା ତକ ସ୍ପଷ୍ଟ ଦେଖା ଯାଉଥାଏ । ଏଥର ଭାଇ ନିଜେ କରିଥିବା କାମରେ ଖୁବ୍ ଖୁସି ହୋଇ ମନେ ମନେ ବହୁତ ହସିଲେ । କାଲି ସକାଳୁ ନିଶ୍ଚେ ବହୁତ ଲୋକ ଲେମ୍ବୁ ଗଛରେ ଟଙ୍କା ଫଳିବା ଦେଖି ତାଜୁବ୍ ହେବେ । ଲେମ୍ବୁ ଗଛରେ ଟଙ୍କା ଫଳେଇବା ଏ କଣ ଗୋଟେ ଛୋଟିଆ କଥା ?

ତାପରେ ଘରର କଲିଙ୍ଗ୍ ବେଲ୍ ମାରିଲା ପରେ ଭାଉଜ ଡୋର୍ ଖୋଲିଲେ । ଭାଇ ଲେମ୍ବୁ ଗଛରେ ଟଙ୍କା ଫଳିବା କଥା କିଛି ନକହି ଶୋଇବାକୁ ଚାଲିଲେ । ମନେ ମନେ ଭାବିଲେ କାଲି ରାତି ପାହିଲେ ଏ ବଳେ ସେ ଲେମ୍ବୁ ଗଛରେ ଟଙ୍କା ଫଳିବା କଥା ଦେଖିବେ । ଭାଇ ଏଥର ପୁରା ନିଶ୍ଚିତରେ ଶୋଇଗଲେ ।

ଏ ଦୁନିଆରେ କେବଳ ନିଶାଡି ଏ ସବୁ ଅଦ୍ଭୁତ ଚିନ୍ତାଧାରା ଆଣନ୍ତି ଏମିତି ଭାବିବା ନିହାତି ଭୁଲ୍ । ଗୋଟେ ଦୃଷ୍ଟାନ୍ତ ଦେଉଛି ମୋ କଲେଜ ପଢୁଥିବା ସମୟର । ବିନା ନିଶାରେ ବି ଲୋକ ଅଦ୍ଭୁତ କଥା ମୁଣ୍ଡରେ ଆଣିପାରନ୍ତି । ମୋ ସାଙ୍ଗଟେ ଆମ ତଳ କ୍ଲାସ୍ ର ଝିଅଟିକୁ ଲାଇନ୍ ମାରୁଥିଲା । ସେ ଝିଅ ଘର ମୋ ଘର ପାଖରେ ଭଡା ନେଇ ରହୁଥିଲେ । କାଳେ ଦେଖା ହୋଇଯିବ ସେଇ ଆଶାରେ ମୋ ସାଙ୍ଗ ବାରମ୍ବାର ମୋ ପାଖକୁ ଆସୁଥିଲା । ସେ ଝିଅର ନାମ କଣ ମୁଁ ଭୁଲି ଗଲେଣି । ଧରିନିଅ ତା ନାଁ ମାମି । ମୋ ସାଙ୍ଗ ନିଶା ନଖାଇ ବାରମ୍ବାର ଗୋଟେ କଥା ମୋତେ ପଚାରେ । ଦିନକୁ ଅତି କମ୍ ରେ ୨୦ ଥର ସେହି କଥା ପଚାରେ । ମୁଁ ବି ଉତ୍ତର ଦେଲାବେଳେ ବହୁତ ମଜା କରେ ।

ସେ ସାଙ୍ଗର ସେ ପ୍ରଶ୍ନ ହେଉଛି - " କହିଲୁ ମାମି ଦୂରରୁ କାହା ପରି ଦେଖିବାକୁ ?"

ମୁଁ କହେ, " କାହା ପରି କଣ ? ସେ ତା ନିଜ ପରି ଦେଖା ଯାଉଛି ତ ।"

ସାଙ୍ଗ ବିଗିଡି ଯାଇ କହିବ, " ହେ , ଭଲ କରି ଦେଖେ , ପୂରା ମାଧୁରୀ ଭଳି ଦେଖା ଯାଉଛି ।"

ଆମେ କଲେଜରେ ପଢିଲା ବେଳେ ମାଧୁରୀ ଦୀକ୍ଷିତ ଖୁବ୍ ଜୋରରେ ଉଠିଥିଲେ । ଭାରତୀୟ ସିନେମା ଜଗତରେ ତାଙ୍କ ଦବ୍ ଦବା ଖୁବ୍ ଥିଲା । ମୋ ସାଙ୍ଗକୁ ତା ପ୍ରେମିକା ମାଧୁରୀ ଭଳି ଦେଖାଯାଉ ଥିବାରୁ ଯେତେ ସବୁ ମଧୁରୀ ଅଭିନୀତି ଫିଲ୍ମି ଆସେ ସେ ଅତି କମରେ ୪ କି ୫ ଥର ପ୍ରତି ଫିଲ୍ମିକୁ ଦେଖିବାକୁ ହଲ୍ କୁ ଯାଏ ।

ଶେଷକୁ ମୋ ସାଙ୍ଗକୁ ଖୁସି କରିବାକୁ ଯାଇ ମୁଁ କହେ , " ଆରେ ସତରେ ତ, ପୁରା ମାଧୁରୀ ଭଳି ଦେଖା ଯାଉଛି । ହେୟାର ଷ୍ଟାଇଲ୍ ପୁରା ମାଧୁରୀ ସହ ମିଶି ଯାଉଛି ।"

ଏତିକି ଶୁଣି ଦେବା ପରେ ମୋ ସାଙ୍ଗ କି ଖୁସି ହୁଏ ସେ କଥା ମୁଁ କେବଳ ଅନୁଭବ କରେ । ୫ କି ୧୦ ମିନିଟ୍ ପରେ ସେଇ ଏକା ପ୍ରଶ୍ନ ପୁଣି କରେ । ମୁଁ ସମୟ ସମୟ ଭାବେ ମଦ ଖାଉଥିବା ନିଶାଖୋର୍ ଲୋକ ବି ଏତେଥର କେବେ ଗୋଟେ କଥା ପଚାରିବ ନାହିଁ । ଶେଷକୁ ମୁ଼ଁ ଗୋଟେ ସିଦ୍ଧାନ୍ତରେ ଉପନୀତ ହେଲି ଯେ ପ୍ରେମ ନିଶା ଆଗରେ ମଦ ନିଶା କିଛି ନୁହେଁ ।

ଛାଡନ୍ତୁ ସେକଥା । ଆମେ ଭାଇଙ୍କ କଥାକୁ ଯିବା । ତା ପରଦିନ ସକାଳୁ ସକାଳୁ କିଛି ପିଲା ଆସିଲେ ଭାଉଜଙ୍କ ପାଖରୁ ପାଠ ବୁଝିବା ପାଇଁ । ପ୍ରଥମରୁ କହିଛି - ଭାଉଜ ଯେହେତୁ ଭଲ ପଢାନ୍ତି ପିଲାମାନେ ଏମିତି ପ୍ରାୟ ଆସନ୍ତି । ସେଇ ଛାତ୍ର ଛାତ୍ରୀ ମନଙ୍କ ଭିତରୁ କାହାର ଜଣକର ଆଖି ସେ ଲେମ୍ବୂ ଗଛରେ ଫଳିଥିବା ଟଙ୍କା ମନଙ୍କ ଉପରେ ପଡିଗଲା । ସମସ୍ତେ ଠରାଠରି ହୋଇ ଲେମ୍ବୁ ଗଛକୁ ତାଜୁବ୍ ହୋଇ ଦେଖିବାକୁ ଲାଗିଲେ । ଗଛ ସାରା ଖାଲି ଟଙ୍କା ଲଟକି ଥାଏ ।

ଶେଷକୁ ପିଲା ମାନେ ତାଙ୍କ ମାଡାମ୍ ଅର୍ଥାତ୍ ଆମ ଭାଉଜଙ୍କୁ ଡାକି ଲେମ୍ବୁ ଗଛରେ ଟଙ୍କା କେମିତି ଫଳିଛି ଦେଖାଇଲେ । ଭାଇ ସେତେବେଳ ଯାଏ ସେମିତି ନିଶ୍ଚିତ ନିଦରେ ଶୋଇଥାନ୍ତି । ଭାଉଜ ସବୁତକ ଟଙ୍କା ପିଲା ମାନଙ୍କ ଦ୍ୱାରା ଗଛରୁ ତୋଳି ଗଣି ଦେଖିଲେ ୮୭୬୦/- ଟଙ୍କା । କିଛି ଦିନ ପରେ ସେଇ ଟଙ୍କାରେ ଭାଉଜ ଭାଇଙ୍କ ପାଇଁ ଭଲ ପ୍ୟାଣ୍ଟ ସାର୍ଟ କିଣି ଆଣି ଦେବାରୁ ଭାଇ ବହୁତ ଖୁସି ହୋଇଗଲେ । କହିଲେ ତମ ଟଙ୍କାରୁ ମୋ ପାଇଁ କାଇଁ ଏତେ ଦାମିକା ଜିନିସ ଆଣିଲ । ଭାଉଜ ହସି ହସି କହିଲେ , " ତମ ପଇସା କିଏ, ମୋ ପଇସା କିଏ ? ମନ ହେଲା କିଣି ଆଣିଲି । "

ଏଠାରେ କହି ରଖୁଛି, ରାତିରେ ଲେମ୍ବୁ ଗଛରେ ଟଙ୍କା ଫଳାଇ ସକାଳକୁ ସେ କଥା କିଛି ବି ଭାଇଙ୍କର ମନେ ନଥିଲା । ଯଦି ବି ମନେ ପଡିଥିବ ଆସି ଲେମ୍ବୁ ଗଛ ଦେଖିଥିବେ , ଟଙ୍କା ଫଳିନି ଦେଖି ଭାବିଥିବେ ସେ ରାତିରେ ବୋଧେ ଶୋଇକି ସେମିତି ସ୍ୱପ୍ନ ଦେଖିଥିବେ । ( କ୍ରମଶଃ ........)

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Inspirational