Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok kumar Sethi

Others Tragedy

3  

Ashok kumar Sethi

Others Tragedy

ଦୁର୍ଘଟଣା

ଦୁର୍ଘଟଣା

8 mins
7.6K


ଅନାୟାସେ ମନ ତଳ ମନକୁ ବୁଝି ପାରୁଥିବା ମନଟି ଆଜି କାହିଁ ଖୁବ ଆନମନା | କେଉଁ ଅଜଣା ସମ୍ମୋହନ ସ୍ପର୍ଶ ଅଡୁଆ ସୂତାରେ ଛନ୍ଦି ଦେଲା ପରି ଆଜି ସେ ଛନ୍ଦି ହୋଇ ଯାଉଛି ବେଳୁ ବେଳ . ..! ତା' ପରିଚୟ ଅନ୍ୟମାନଙ୍କ ମୁହଁରୁ ସହଜେ ବାରି ହୁଏ | ଅନ୍ୟାନ୍ୟ ବୃତ୍ତି ମଧ୍ୟରୁ ଏମିତି ଏକ ବୃତ୍ତିରେ ଉଦାର ବ୍ୟକ୍ତିତ୍ଵଟି ନିହାତି ଲୋଡ଼ା ବୋଲି ଈଶ୍ଵର ବୋଧେ ନିବେଦିତାକୁ ପଠେଇଛନ୍ତି ଏଠିକୁ |

ନିବେଦିତା ଏକାଧାରରେ ଜଣେ ମନସ୍ତତ୍ବବିତ୍ତ ଓ ସୁସାହିତ୍ୟିକା | ନିଜର ମନସ୍ତତ୍ଵ ବୃତ୍ତି ଠାରୁ ଜଣେ ସୁସାହିତ୍ୟିକା ହିସାବରେ ସେ ଖୁବ ପରିଚିତା | ସାହିତ୍ୟ ଦୁନିଆରେ ସେ ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ୱ | ତା ସୃଜନ ସୃଷ୍ଟି ପାଇଁ ବିଭିନ୍ନ ସାହିତ୍ୟ ସଂଗଠନ ତରଫରୁ ପୁରସ୍କୃତ ଓ ସମ୍ମାନିତା | ସେ ସାହିତ୍ୟ ର ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ | ଅନେକ ଗଳ୍ପବହି ମଧ୍ୟରୁ ଗୋଟିଏ ଗଳ୍ପ ବହି ସହ ସେ ଖୁବ ନିବିଡ | ନିର୍ଦ୍ଧିଷ୍ଟ ଗଳ୍ପଟିକୁ ସେ ବହୁବାର ପଢିବା ସତ୍ୱେ ଆଉ ଥରେ ନପଢି ସେ ମାୟା ରୁ ସେ ନିବୃତ ହୋଇ ପାରୁନି | ସେ ଜଣେ ମନସ୍ତତ୍ଵବିତ ହୋଇ ଥିବାରୁ ପ୍ରତ୍ୟେକ ଲେଖାରେ ମଣିଷ ମନର ଗଭୀରତମ କଥା କୁ ସେ ଖୁବ ସାବଲୀଳ ଢଙ୍ଗରେ ବ୍ୟକ୍ତ କରିବା ରେ ମାହିର | ମୁଖ୍ୟ କଥା ହେଲା ସେ ସବୁଦିନ କିଛି ନା କିଛି ମାନସିକ ରୋଗୀଙ୍କୁ ଭେଟେ |ସେଇ ମନେ ହିଁ ଏହି ସୃଜନ ର ଉତ୍ସ ବୋଲି ଅସ୍ଵୀକାର କରିହେବନି .. ଯଦିଓ ଜଣେ ଡାକ୍ତର ହିସାବରେ ତାର ସେଇଟା ପ୍ରାଥମିକ ଦାଇତ୍ୱ ...

ଆଜି ସେ ବୃଦ୍ଧ ପ୍ରାୟ ଜଣେ ମାନସିକ ରୋଗୀଟିକୁ ଭେଟିବା ପରେ | ନିଜ ମାନସିକ ସ୍ଥିତି ଅସ୍ଥିର ହେଲା ପରି ସେ ହୃଦବୋଧ ହୋଇଛି | ମୁହୂର୍ତ୍ତେ ସେ ଅନ୍ୟମନସ୍କ ହୋଇ ଯାଇଛି | କଣ କେଜାଣି ମନେ ମନେ ଇତସ୍ତତଃ ଭାବେ ଖୋଜି ବୁଲୁଥାଏ | ଖୋଜି ନପାଇ ନିରାଶ ହୋଇଛି |ହଠାତ ହଜିଲା ଜିନିଷ ପାଇଗଲା ପରି, ପୁରୁଣା ଓଡ଼ିଆ ଚଳଚିତ୍ର ମମତା ର ସେ ପ୍ରସିଦ୍ଧ ଗୀତଟିକୁ ଦୋହରାଉଛି ମନେ ମନେ "ହେ ଫଗୁଣ କନ୍ଦାନାରେ... ମୋ ଲୁହ ହେଲେ ନଦୀର ଧାର..." ସୁର, ତାଳ ଲୟକୁ, ଲୟ କରି ଗାଇବାକୁ ଚେଷ୍ଟା କରୁଛି ନିବେଦିତା ବାରମ୍ବାର | ଏ ଉତ୍ତର ବୟସରେ ସାଧ୍ୟାତୀତ ହେଲେ ସୁଦ୍ଧା ... | ଯେମିତି ହେଲେ ସ୍ୱରରେ ଗାଇବାକୁ ପଡିବ ...| କିଛି ସ୍ମୃତି ବାଟ କାଟି ରୋମନ୍ଥନ ହେବାକୁ ଲାଗିଛି; ପିଲା ଦିନର ସେ ମୁହୂର୍ତ୍ତକୁ ଫେରି ଆସିଛି ସେ ମୁହୂର୍ତ୍ତରେ | ସବୁ କଥା ତା ଆଗରେ ଗୋଟି ଗୋଟି ହୋଇ ଝଲସି ଉଠିଛି |

ନିବେଦିତା ଏ ବର୍ଷ ହାଇସ୍କୁଲରେ ପ୍ରବେଶ କରିଛି | ସେ ସ୍କୁଲରେ ନିବେଦିତାର ବାପା ଇଂରାଜୀ ଶିକ୍ଷକ | ନିଜ ଗାଁ ଠାରୁ ସ୍କୁଲର ଦୂରତା ପାଞ୍ଚ କିଲୋମିଟରରୁ ସାମାନ୍ୟ କମ ହେବ | ଯଦିଓ ପ୍ରାୟ ପିଲା ଚାଲି ଚାଲି ସ୍କୁଲକୁ ଆସିଥାନ୍ତି | ନିବେଦିତା ତା ବାପାଙ୍କ ସହ ବାଇକରେ ଯାଏ | ନିବେଦିତାର ପାଠ ପଢ଼ାରେ ଯେମିତି ବିଚକ୍ଷଣ ଦଖଲ ଦେଖିବାକୁ ବି ସେମିତି ଅପରୂପ ସୌନ୍ଦର୍ଯ୍ୟ | ଭାରି ବୁଦ୍ଧିମତୀ ଓ ପରୋପକାରୀ | ସେ ସବୁ ବିଷୟ ଓ ପରିସ୍ଥିତିକୁ ଅତି ସହଜରେ ଆୟତ୍ତ କରିନେଉଥାଏ | ସେଥିପାଇଁ ସେ ସ୍କୁଲରେ ସଭିଁଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବିନ୍ଦୁ | ଏମିତି ଦିନକର କଥା , ସମସ୍ତଙ୍କୁ ଇଂରାଜୀ ପ୍ରଶ୍ନୋତ୍ତର ଲେଖି ଆଣିବାକୁ କୁହାଯାଇଥାଏ | ପ୍ରଶାନ୍ତ କୌଣସି ପ୍ରଶ୍ନୋତ୍ତର କରିନଥିବାରୁ ସାରଙ୍କ ଠାରୁ ବେତ ମାଡ଼ ପଡିଛି | ଆସନ୍ତା କ୍ଳାସକୁ ଯେମିତି ହେଲେ ପ୍ରଶ୍ନୋତର କରି ଆଣିବା ପାଇଁ ସାର ତାଗିଦ କରିଛନ୍ତି |

ସ୍କୁଲ ଛୁଟି ବେଳକୁ ପଛରୁ କାହାର ଡାକ ଶୁଣି ପ୍ରଶାନ୍ତ ବୁଲି ଚାହିଁଲା ବେଳକୁ ନିବେଦିତା ତା ଇଂରାଜୀ ପ୍ରଶ୍ନୋତ୍ତର ଖାତା ପ୍ରଶାନ୍ତ ହାତକୁ ବଢ଼େଇ ଦେଇ କହିଲା, " ସୋମବାରକୁ ଯେମିତି ହେଲେ ଲେଖି ଆଣିବୁ "

ନହେଲେ ଦେଖିବୁ ..!!

ସତକୁ ସତ ସୁନା ପିଲା ପରି ପ୍ରଶାନ୍ତ ସବୁ ଉତ୍ତର ଲେଖି ଆଣିଥାଏ | ସାରଙ୍କ ମନରେ ଟିକେ କୌତୁହଳ ଉପୁଜିଛି ତା ଖାତାକୁ ଟିକେ ଆଖି ବୁଲେଇ ଆଣିଲେ | ସାର, ପ୍ରଶାନ୍ତ ମୁହଁକୁ ଟିକେ ଚାହିଁଲେ, ତା ପରେ ନିବେଦିତା ର ମୁହଁକୁ ... ସେତେବେଳକୁ ନିବେଦିତା ଗୋଟା ପଣ ଝାଳରେ ଗାଧେଇ ସାରିଲାଣି | ସାର ପ୍ରଶାନ୍ତକୁ କହିଲେ, ମନ ଦେଇ ପାଠ ପଢ଼ିବୁ ,ଯା...!

ପ୍ରଶାନ୍ତ ର ପାଠ ପଢା ପ୍ରତି ତିଳେ ହେଲେ ଆଗ୍ରହ ନାହିଁ | ପାଠ ପଢା ଠାରୁ ଗଛ ଚଢା , ନଈ ପହଁରା, ମାଛ ମାରିବା ଏ ସବୁରେ ଧୂରିଣ | ପ୍ରଶାନ୍ତ ଦେଖିବାକୁ ସାମାନ୍ୟ କୃଷ୍ଣ ବର୍ଣ୍ଣ | ଘୁଙ୍ଗୁର ଚୁଟିକୁ ସେମିତି ନୁଖୁରା ଛାଡି ଦେଇଥାଏ | ସବୁ ଦିନ ଖାଲି ପାଦରେ ୩ କି.ମି. ଚାଲି ଚାଲି ସ୍କୁଲ କୁ ଆସେ |କାନ୍ଧରେ ତେଲିଆ ପଡ଼ିଯାଇଥିବା ସିମେଣ୍ଟ ବସ୍ତାର ବସ୍ତାନି |ବର କୋଳି , ଭଇଁଚ କୋଳି, ଗୁଆ କୋଳି ସବୁଦିନ କିଛି ନା କିଛି ଆଣି ନିବେଦିତା ଦିଏ | କଣ୍ଟେଇକୋଳିକଣ୍ଟାର ରାଁଚୁଡ଼ା ଆଜି ବି ଥିବ | ଏମିତି ଦିନେ ନିବେଦିତା ସାଙ୍ଗ ମାନଙ୍କ ଇର୍ଷାର ସମ୍ମୁଖୀନ ହେବାକୁ ପଡିଛି | ନିବେଦିତା ର ସାଙ୍ଗ ଜଣକ କହିଲା ୧୦ ଟଙ୍କା ଦଶ କି ପନ୍ଦରଟା ଆମ୍ବ ମିଳିବ | "ହଁ, ହୁଏତ ଦଶ ଟଙ୍କା ରେ ୧୫ ଟି ଆମ୍ବ ତମେ ପାଇପାରିବ କିନ୍ତୁ ଦଶ ଥର ଚେଷ୍ଟା ରେ ଗୋଟିଏ ଆମ୍ବ ଖସେଇବାର ସ୍ୱାଦ ତମେ ବା କାହୁଁ ବାରି ପାରିବ ..!! " ବୁଝିବା ଲୋକ ଠିକ ବୁଝି ପାରିଥାଏ ନିବେଦିତା ର ଉତ୍ତର |

ଖେଳ ଛୁଟି ହେଲେ ନିବେଦିତା ଯାହା ଆଣିଥାଏ ପ୍ରଶାନ୍ତ କୁ ଦିଏ | କାରଣ ସେ ଏତେ ଦୂର ଘରକୁ ଯାଇପାରିବ ନାହିଁ କି ତାଙ୍କର ବି ଏତେ ସ୍ୱଚ୍ଛଳ ନୁହଁ ସବୁଦିନ ଗୁଡିଆ ଦୋକାନରୁ କିଣି ଖାଇ ପାରିବ |

ନିବେଦିତାର ଧମକ ଚମକ ବଳରେ ପ୍ରଶାନ୍ତ ଅଷ୍ଟମ ଶ୍ରେଣୀ ଡେଇଁଗଲା | ବର୍ତ୍ତମାନ ନବମ | ଏମିତି ସେଦିନର ଘଟଣାଟି, ଆମ ସ୍କୁଲ ପଣ୍ଡିତ ସାର ଟିକେ ରସିକ ବୋଲି ଆମେ ସଭିଏଁ ଅଳ୍ପ ବହୁତ ଶୁଣିଥାଉ | ସେଦିନ କ୍ଲାସରେ ପଣ୍ଡିତ ସାର ସମସ୍ତଙ୍କୁ ଶବ୍ଦରୂପ, ଧାତୁ ରୂପ ପଚାରୁଥାନ୍ତି | ନିବେଦିତାକୁ "ଗୋ" ଶବ୍ଦରୂପ ଉଚ୍ଚାରଣ କରିବାକୁ କହିଲେ | ଡରରେ କି ସଠିକ ଭାବେ ଉଚ୍ଚାରଣ କରିପାରୁନଥିଲା କେଜାଣି, ନିବେଦିତା | ପଣ୍ଡିତ ସାର, ଇରେ ..! ଇରେ ..! ଏଇଟା ଆସୁନି କହି ଚତୁରତା ର ସହିତ ନିବେଦିତାର ସମ୍ବେଦନଶୀଳ ଅଙ୍ଗରେ ସାରଙ୍କ ହାତ ସ୍ପର୍ଶ କରୁଥାଏ | ସାରଙ୍କର ଏ ଧୃଷ୍ଟତା ସବୁ ପିଲା ଠଉରାଇ ସାରିଥାନ୍ତି |

ଖେଳ ଛୁଟିରେ ପ୍ରଶାନ୍ତ ସୁବିଧା ଦେଖି ପଣ୍ଡିତ ସାରଙ୍କର ସାଇକେଲଟିକୁ ଠାବ କଲା | ସଭିଙ୍କ ଅଗୋଚରରେ ରାଉଣ୍ଡରରେ ପୁଟପାଟ କରି ଚକା ଦୁଇଟିକୁ ଫୁଟେଇ ଦେଇ ଚାଲି ଆସିଲା | ପଣ୍ଡିତ ସାରଙ୍କୁ ସେଦିନ ଆଗ ଛକ ଯାଏଁ ଚାଲି ଚାଲି ଯିବାକୁ ପଡିଲା | ତା ପରଦିନ ନିବେଦିତା, ପ୍ରଶାନ୍ତ କୁ ପଚାରିଲା," ତୁ କାହିଁକି ପଣ୍ଡିତ ସାରଙ୍କ ସାଇକେଲ ଲିକ କରିଥିଲୁ ..?"

ନାଁ, ମୁଁ କରିନି ତ... ! ପ୍ରଶାନ୍ତ ମୁହଁ ତଳକୁ କରି ଉତ୍ତର ଦେଲା |

ମୋ' ମୁହଁକୁ ଚାହିଁ ଦେଖି କହିଲୁ ?

ହଁ, ମତେ ରାଗ ଲାଗିଲା ସେଥିପାଇଁ ଲିକ କରିଦେଲି | ପୁଣି ମୁହଁ ତଳକୁ ପ୍ରଶାନ୍ତ ର |

ତତେ କଣ ପାଇଁ ରାଗ ଲାଗିଲା ?

ମୁଁ ଜାଣିନି, କହି ମୁହଁ ବୁଲେଇ ଚାଲିଗଲା | ପଛପଟୁ ନିବେଦିତା ର ମୁରୁକି ହସ ପ୍ରଶାନ୍ତ ସ୍ପଷ୍ଟ ଶୁଣି ପାରିଥାଏ |

ସ୍କୁଲ ର ବାର୍ଷିକ ଉତ୍ସବ ଖୁବ ଧୁମ ଧାମ ରେ ପାଳନ କରାଗଲା | ସେଦିନ ନିବେଦିତା ଗୋଟିଏ ଗୀତ ଗାଇଲା ସେ ଗୀତ ଶୁଣି ସବୁ ଦର୍ଶକ ଅଭିଭୂତ ହୋଇ ଯାଇଥିଲେ | ତା ପରଠାରୁ ପ୍ରଶାନ୍ତ କେତେଥର ଅନୁରୋଧ କରିଛି ନିବେଦିତାକୁ "ହେ ଫଗୁଣ କନ୍ଦାନାରେ .. " ଗୀତଟିକୁ ଗାଇବାକୁ | ଏଣେ ମୁଣ୍ଡ ଉପରେ ଦଶମ ପରୀକ୍ଷା | ପ୍ରଶାନ୍ତ ପାଠ ପଢ଼ାରେ ମନ ଦେଉନଥିବାରୁ ନିବେଦିତା ପ୍ରଶାନ୍ତ ଉପରେ ଭାରି ବିରକ୍ତି ହେଉଥାଏ |

ଦେଖେ..! ତୁ ପାଠ ନପଢିଲେ ନିଶ୍ଚିତ ଫେଲ୍ ହବୁ |

ପ୍ରଶାନ୍ତ ପାଖରେ ଫର୍ମ ଫିଲପ ପାଇଁ ବି ସେତିକି ଅର୍ଥ ବି ନଥାଏ | ନିବେଦିତା ତା ବାପାଙ୍କୁ କହି ତା ଫର୍ମ ଫିଲପ କରିଦେଲା ସତ କିନ୍ତୁ ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ହେବାରେ ବିଫଳ ହେଲା | ପ୍ରଶାନ୍ତ ମନରେ କିନ୍ତୁ ଦୁଃଖ ଟିକିଏ ନଥିଲା ବରଂ ବହୁତ ଖୁସି ଜଣା ପଡୁଥିଲା କାରଣ ନିବେଦିତା ଆମ ଜିଲ୍ଲା ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ |

ନିବେଦିତା କଲେଜକୁ ନୀତି ଦିନ ଯିବା ଆସିବା କରେ ବସରେ | ମୁଖ୍ୟ ସଡକ ଠାରୁ ତାଙ୍କ ଗାଁକୁ ଆଉ ଦେଢ଼ କିମି ବାଟ ଚାଲିବାକୁ ପଡେ | ପ୍ରଶାନ୍ତ ଏବେ ଗୋଟେ ଗାଡ଼ିରେ ହେଲ୍ପର କିଛି ଦିନ ପରେ ଡ୍ରାଇଭର | ସେ ଗାଡ଼ିରେ ନିବେଦିତା ବି ଥରେ ଅଧେ ଆସିଛି | ପ୍ରଶାନ୍ତ କୁ ଡ୍ରାଇଭର ବାବୁ ବୋଲି ଡାକେ ନିବେଦିତା | ଦିନକର ଘଟଣା ସେଦିନ ଦ୍ବିପ୍ରହର ବେଳକୁ ନିବେଦିତା କଲେଜରୁ ଫେରୁଥାଏ |ଛକରୁ ଓହ୍ଲେଇ ଘରକୁ ଯିବା ବାଟରେ ଶୂନ ସାନ ଗହିର ବାଟ ଦେଇ ଯାଉଥାଏ | ରାଜଦୂତ ଗାଡି ଶବ୍ଦ ଶୁଣି ନିବେଦିତା ର ଛନକା ପଶିଗଲା | ମନୁଆ କେତେଥର ନିବେଦିତା ର ପିଛା କରୁଥିବା ର ନିବେଦିତା ଦେଖିଛି | ଆଉ କିଛି ଭାବିବା ଆଗରୁ ମନୁଆ ଆଉ ତା ସାଙ୍ଗ ଜବରଦସ୍ତ ଉଠେଇ ନେଇଗଲେ ଅଦୁରସ୍ଥ ଉଚା ହୁଡ଼ା ସେ ପାଖକୁ | ଏମିତି ଥରେ ନୁହେଁ ଦୁଇ ଚାରିଥର ଘଟିଲାଣି ତା ସହ | ନିବେଦିତା ଏବେ ସବୁବେଳେ ତ୍ରସ୍ତ ଓ ଡରି ଡରି କଲେଜ ଯାଏ | ପ୍ରଶାନ୍ତ ଚଳାଉଥିବା ଗାଡି ରେ ନିବେଦିତା କଲେଜ ରୁ ଫେରୁଥାଏ ସେ ଗାଡ଼ିରେ ମନୁଆ ଓ ତା ସାଙ୍ଗ ପିଛା କରି ଆସିଥାନ୍ତି ସେ ବସ ରେ | ନିଜ ଗନ୍ତବ୍ୟ ସ୍ଥଳ ପହଂଚିବା ସତ୍ୱେ ନିବେଦିତା ଗାଡ଼ିରୁ ଓହ୍ଲାଉନାହିଁ ଅନ୍ୟମନସ୍କ ହେତୁ | ତୁ ଓହ୍ଲେଇବୁନି କୁ..? ପ୍ରଶାନ୍ତ ପଚାରିଲା ନିବେଦିତାକୁ..

ହଁ ..ହଁ..କହି ପ୍ରକୃସ୍ଥିତ ହୋଇଛି ନିବେଦିତା ..!

ପ୍ରଶାନ୍ତକୁ ଏ କଥା ଆଉ ଅଗୋଚର ରହିଲାନି | ନିବେଦିତା ସବୁକଥା ପ୍ରଶାନ୍ତକୁ କହିଛି | ନିବେଦିତା କେବେ କାନ୍ଦିବାର ସେ କେବେ ଦେଖିନଥିଲା ତା ଆଖିରୁ ଲୁହ ପ୍ରଶାନ୍ତ ମନରେ ଉଗ୍ର ‌ଉଦ୍‌ଗିରଣ ସବୁ ଅସମ୍ଭାଳ ହୋଇ ବାହାରି ପଡିବାକୁ ଛାଟିପିଟି ହେଉଥାଏ |

ଆମେ ଯେବେ ଚାହିଁବୁ ତୁ ଆସିବୁ ନଚେତ ...ମନୁଆ ରୀତିମତ ବ୍ଲାକ ମେଲ କରିବା ଆରମ୍ଭ କରିଦେଇଥାଏ | ନିବେଦିତା କୁ କଲେଜ ଯିବା ଅସମ୍ଭବ ହୋଇ ପଡିଥାଏ |

ପ୍ରଶାନ୍ତ ଗାଡି ଚଳାଉଥିଲା ବେଳେ ପଛରୁ ଏକ ରାଜଦୂତ ଦ୍ରୁତ ଗତିରେ ତାକୁ ଅତିକ୍ରମ ପଳେଇ ଯାଉଛି | ସ୍ୱତଃସ୍ପୃତ ଭାବେ ପ୍ରଶାନ୍ତର ଗୋଡ ଜୋରରେ ଆକ୍ସିଲଟର ଉପରେ ମାଡି ହେଇ ଯାଉଛି ତା ଆଖିକୁ ଆଉ ରାସ୍ତା ଦେଖା ଯାଉନି, ଦେଖା ଯାଉଛି ନିବେଦିତା ର ଭୀତ ତ୍ରସ୍ତ ମୁହଁଟି ଆଖିରୁ ଲୁହ ଥପ ଥପ ହୋଇ ପଡୁଛି , ନିଛାଟିଆ ଶୂନ ସାନ ଗହିର , ମନୁଆ ର ପାଶବିକ ଅତ୍ୟାଚାର .. ନିବେଦିତା ର ମୁହଁ ଆଉ ମନୁଆ ର ମୁହଁ ଏ ଦୁଇଟି ମୁହଁ ବାରମ୍ବାର ଝଲସି ଯାଉଛି ତା ଆଖି ଆଗରେ ..ଜୋର ରେ କଷି ଦେଇଛି ଆକ୍ସିଲଟର , ଛିଟିକା ପଡ଼ିବାର ଶବ୍ଦ ତାକୁ ପ୍ରକୃତିସ୍ଥ କରିଛି |

ନିବେଦିତା ବହୁତ ଖୋଜିଲା ପରେ ପ୍ରଶାନ୍ତ ର ସନ୍ଧାନ ପାଇଛି |ତୁ ଜାଣି ଶୁଣି ଏ ସବୁ କରିଛୁ ନା ..?ନିବେଦିତା ର ବାଷ୍ପ ରୁଦ୍ଧ ସ୍ୱର ..

ନା, ଜାଣିଶୁଣି ନୁହେଁ ମୋ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ସେଥି ପାଇଁ ଦୁର୍ଘଟଣା ଟି ଘଟିଲା |

ନିବେଦିତା ପ୍ରଶାନ୍ତ ର ହାତ ଆଣି ନିଜ ମୁଣ୍ଡ ଉପରେ ରଖିଦେଲା, ମତେ ତ ଥରଟେ ସତ କହ ...

ପ୍ରଶାନ୍ତ ର ଉତ୍ତର ତା କାନ୍ଦ କାନ୍ଦ ମୁହଁରୁ ଉତୁରି ଆସୁଥିଲା ଯେମିତି | ପ୍ରଶାନ୍ତ ଲୁହ ପୋଛି ପୋଛି ସେଠାରୁ ଚାଲି ଗଲା |

ନିବେଦିତା ଉଚ୍ଚ ଶିକ୍ଷା ପାଇଁ ସେ ଓଡିଶା ବାହାରକୁ ଚାଲି ଆସିଛି | ପଛ କଥା ସବୁ ପଛରେ ରହିଯାଇଛି | କଳାପଟା ରୁ ଲିଭା ହୋଇ ଯାଇଛି ପୁରୁଣା ପାଠ | ନୂଆ ପାଠ ରେ ଲେଖା ଏବେ ଖୁବ ଜୀବନ୍ତ ସେ ଜଣେ ଲବ୍ଧ ପ୍ରତିଷ୍ଠିତ ମନସ୍ତତ୍ଵ ବିତ୍ତ ଓ ଜଣେ ସୁସାହିତ୍ୟିକା | ତାର କାଉଁରୀ ସ୍ପର୍ଶରେ ବହୁତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି | ନିବେଦିତା ଏବେ ୫୦ ବର୍ଷ ବୟସରେ ବି ଚଳଚଞ୍ଚଳ ଓ ସକ୍ରିୟ ଉଭୟ ସାହିତ୍ୟ ଓ ଜୀବିକାରେ |

ସ୍ଥିତ ପ୍ରଜ୍ଞା ସ୍ଥିର ଚିତ୍ତ ନିବେଦିତା ଆଜି କାହିଁ ନିଜେ ଭିତରେ ଉଠୁଥିବା ଉତ୍ଥାନ ପତନ କଳି ପାରୁନି ..! ଖୁବ ଅସ୍ଥିର ଭାବରେ ଏଣେତେଣେ ଧାଉଁଛି ତନୁ ମନ ଧରି ରଖିପାରୁନି | ଅହେତୁକ ଆବେଗରେ ସେ ଆଜି ଅସ୍ଥିର ସେ ବୃଦ୍ଧ ମାନସିକ ଲୋକଟିକୁ ଭେଟିବା ପରେ ପରେ | ମୁଣ୍ଡରେ ତାର ଗଭୀର ଆଘାତ ହୋଇଥିବାରୁ ସେ ମାନସିକ ଭାରସାମ୍ୟ ହରେଇ ବସିଛି | ତାର ସମ୍ପର୍କୀୟ ମାନଙ୍କର ସଠିକ କିଛି ଖବର ନାହିଁ |

ନିବେଦିତା ସେ ନିର୍ଦ୍ଧିଷ୍ଟ ବହିଟି ଉପରେ ବେଶୀ ବେଶି ମନ ନିବେଶ କରିଛି | ନିଜକୁ ଖୁବ ଦୋଷୀ ମନେ କରିଛି | ନିର୍ଦ୍ଧିଷ୍ଟ ବହିଟି ପାଇଁ ପୁରସ୍କୃତ ହୋଇଥିଲେ ସୁଦ୍ଧା ସେ କିଛି ବିଷୟକୁ ଛାଡି ଚାଲି ଯାଇଛି | ଖୋଜିବାକୁ ଚାହିଁଛି ପରବର୍ତ୍ତୀ ଘଟଣା | ଯାହା ପାଇଲା ସେ ଶୁଣି ହତବାକ ..!

ମନୁଆର ପରିବାର ଲୋକ ତା ପରେ ପ୍ରଶାନ୍ତକୁ ପିଟି ପିଟି ଲହୁ ଲୁହାଣ କରିଦେଇଛନ୍ତି | ଲୁହା ରଡ଼ର ଶକ୍ତ ପ୍ରହରରେ ମୁଣ୍ଡରେ ତା ଗଭୀର କ୍ଷତ | ସେ ଗଭୀର ଆଘାତ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବସିଛି |

ନିବେଦିତାର ସମସ୍ତ ପ୍ରଚେଷ୍ଟା ସତ୍ୱେ ତିଳେ ମାତ୍ର ପ୍ରଭାବ ପଡି ପାରୁନି ସେ ବୃଦ୍ଧ ବ୍ୟକ୍ତିଠାରେ..ଧୀରେ ଧୀରେ ବୃଦ୍ଧ ଜଣକୁ ଏକାଳୟରେ ନିବେଦିତା ଆଡକୁ ଅନେଇ ରହିଛି | ନିବେଦିତା ଗାଉଥିବା ସେ ଗୀତକୁ ଯେମିତି କାନ ଡେରି ଶୁଣୁଛି ..

ନିବେଦିତା ନିରବ ଛିନ୍ନ ଭାବରେ ଗୀତଟିକୁ ଗାଇ ଚାଲୁଛି..

"ହେ ଫଗୁଣ କନ୍ଦାନାରେ...

ମୋ ଲୁହ ହେଲେ ନଦୀର ଧାର..."

ଅଶୋକ କୁମାର ସେଠୀ

କଲ୍ୟାଣପୁର, ନୟାଗଡ


Rate this content
Log in