Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Tragedy

4.5  

Padmalaya Mishra

Tragedy

ପରମ୍ପରା

ପରମ୍ପରା

2 mins
1.2K


ସ୍ଥିତିକୁ ସାରା ରାତି ଆବୋରି ବସିଥିଲା ଅତୀତ ଓ ଭବିଷ୍ୟତ । କେତେବେଳେ ମିଠାମଧୁର ସ୍ମୃତିର ଆରାଧନା ପାଇଁ ସେ ଲୁହ ଢାଳୁଥିଲା ତ କେତେବେଳେ ଭବିଷ୍ୟତର ଚିନ୍ତାରେ ଗାମ୍ଭୀର୍ଯ୍ଯର ତପ ଆଚରଣ କରୁଥିଲା । ଗତକାଲି ଅବସାନ ଘଟିଛି ମୃତାହ କାର୍ଯ୍ଯର ସମସ୍ତ ଜଞ୍ଜାଳ ଆଉ କୋଳାହଳ । ଏବେ ଖାଲି ଖାଁ ଖାଁ । ଭିତର ବାହାର ସବୁକିଛି । ଆଦିତ୍ୟଙ୍କ ଆବର୍ତମାନରେ କଟିଗଲାଣି ପନ୍ଦରଟି ଦିନ । ଅତୀତ କାଲିପରି ଲାଗୁଥିବାବେଳେ ଭବିଷ୍ୟତର ଗୋଟିଏ ମୁହୂର୍ତ୍ତ ଗୋଟିଏ ଯୁଗପରି ପ୍ରତ୍ଯୟମାନ ହେଉଛି ଭାବନାରେ । କବାଟରେ ଠକ୍ ଠକ୍ ଶୁଣି ଦୃଷ୍ଟି ଆପଣାଛାଏଁ ପହଁରିଗଲା କାନ୍ଥଘଣ୍ଟା ଉପରେ । ସକାଳ ହେବାକୁ ଅଳ୍ପ ସମୟ ବାକିଅଛି । ଦ୍ବାର ସେପଟେ ହାତରେ ପାକେଟ୍ ଟିଏ ଧରି ଅପେକ୍ଷା କରିଥିଲେ ଶାଶୁ ଅପର୍ଣ୍ଣା । ପାକେଟ୍ ଟି ଗ୍ରହଣ କଲାବେଳେ ସ୍ଥିତିର ପ୍ରଶ୍ନିଳ ଚାହାଣୀର ଉତ୍ତରରେ " ଖୋଲିକି ଦେଖିନେ " କହୁକହୁ ଫେରିଯାଇଥିଲେ ଅପର୍ଣ୍ଣା ।

ପାକେଟ୍ ଉପରେ ଚାରିଚଉତା ଖଣ୍ଡେ ଧଳା କାଗଜ । କାଗଜ ଖଣ୍ଡକ ଖୋଲି ଦେଖିଲା ସ୍ଥିତି । ଲେଖାଥିଲା - "ମାଆରେ ସୁସ୍ଥ ସମାଜର ପରିକଳ୍ପନାରେ ମଣିଷ ନିଜେ ଯେଉଁ ନୀତି ନିୟମ ଗଢି ବିନା ପ୍ରଶ୍ନରେ ବିନା ଦ୍ବିଧାରେ ଠିକଣା ନଥିବା କାଳରୁ ପାଳିଆସିଛି ତାହାହିଁ ପରମ୍ପରା । ଯେଉଁ ନୀତି ନିୟମ ସାମାଜିକ ଶୃଙ୍ଖଳା ର ପରିପନ୍ଥୀ ତାହା ପରମ୍ପରା ନାଆଁରେ କୁସଂସ୍କାର ।

ହୁଏତ ଦିନେ ଖଳଲୋକଙ୍କ କୁଦୃଷ୍ଟିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମଣିଷ ରଚନାକରିଥିଲା ବିଧବାର ବେଶପୋଷାକ । ଆଜି କିନ୍ତୁ ସମୟ ବଦଳିଛି । ବଦଳିଛି ମଣିଷର ମନ । ଶୂନ୍ୟ କପାଳ , ଫୁଙ୍ଗୁଳା ହାତ , ଶୁଭ୍ରବସ୍ତ୍ର ନାରୀଟିଏକୁ ଦେଖିଲେ ସମବେଦନା ବଦଳରେ ମନ୍ଦଲୋକର ମନରେ ସୃଷ୍ଟି ହୁଏ ଲୋଲୁପତା । ଆଜିର ସମାଜରେ ଅନ୍ୟର ଦୁର୍ବଳତାକୁ ସୁଯୋଗ ମନେକରୁଥିବା ଲୋକଙ୍କର ଭିଡ଼ । ଆମ ପରମ୍ପରାରେ ସ୍ବାମୀ ପାଇଁ ସ୍ତ୍ରୀ ମଥାରେ ସିନ୍ଦୂର । ହେଲେ ଝିଅଟିଏ ତ ଚୁଡି , ଟିକିଲି , ରଙ୍ଗୀନଶାଢ଼ୀ ପିନ୍ଧିପାରେ ।ତେବେ ପତିହରା ସ୍ତ୍ରୀଟିଏ ପାଇଁ ଏସବୁ ବାରଣ କାହିଁକି ? ଏସବୁତ ନାରୀର ସାହସ , ଶକ୍ତି , ରକ୍ଷା କବଚ ।

ଝିଅ ,

ମୁଁ ଚାହେନା ତୋର ନିରାଭରଣ ବେଶ ପ୍ରତି ମୁହୂର୍ତ୍ତରେ ଆମକୁ ମନେ ପକେଇଦେଉଯେ ଆମ ପୁଅ ଆମପାଖକୁ ଆଉ ଫେରିବନି । ମୁଁ ଚାହେନା ପ୍ରତି ମୁହୂର୍ତ୍ତରେ ପିଲାଙ୍କୁ ତାଙ୍କ ବାପାଙ୍କର ଅନୁପସ୍ଥିତର ଅନୁଭବ ସଂକୁଚିତ କରିଦେଉ ।ମୁଁ ଛୋଟ ଥିଲାବେଳେ ବାପାଙ୍କୁ ହରେଇଥିଲି ।ବାପାଙ୍କୁ ହରେଇବାର ଦୁଃଖରୁ ବଳିପଡିଥିଲା ମା'ର ନିଆଶ୍ରୀ ବେଶ ।ମୁଁ ସହିପାରୁନଥିଲି , କହିପାରୁନଥିଲି କି କିଛି କରିପାରୁନଥିଲି । ଅଳ୍ପ ବୟସର ମା'ର କମନୀୟ ରୂପ ସହିତ ଶ୍ରୀହୀନ ବେଶ ମୋ ବାଳିକା ମନରେ ବିଦ୍ରୋହ ସୃଷ୍ଟି କରୁଥିଲା । ସ୍ତ୍ରୀ ହରା ସ୍ବାମୀ ପାଇଁ ଖାଇବା, ପିନ୍ଧିବାରେ କିଛି ବାଛବିଚାର ନଥିବାବେଳେ ସ୍ବାମୀ ହରା ନାରୀପାଇଁ ଏସବୁ କାହିଁକି ? ଏକଥା କାହାକୁ ପଚାରି ପାରୁନଥିଲି । ଏବେ କିନ୍ତୁ ମୁଁ ତା'ର ଉତ୍ତର ପାଇସାରିଛି । ସବୁନାରୀଙ୍କ ମନରେ ଏଇ ପ୍ରଶ୍ନ ଆନ୍ଦୋଳିତ ହେଉଥିବ ।କାହାକୁ ଜଣକୁ ତ ଉତ୍ତର ଦେବାକୁହେବ , ଆରମ୍ଭ କରିବାକୁହେବ । ଆଶା ତୁ ମୋତେ ନିଶ୍ଚୟ ବୁଝିପାରିବୁ ।

।ଇତି ।

ତୋର ଶାଶୁ

ଆଖିରୁ ବହିଚାଲିଥିଲା ଲୁହ । ଛାତି ବିଦାରି ବାହାରି ଆସୁଥିଲା କୋହ । ଲୁହରେ ବତୁରିଯାଇଥିବା ଚିଠିଟିକୁ ଯତ୍ନରେ ସାଇତି ଯନ୍ତ୍ରବତ୍ ପାକେଟ୍ ଟି ଖୋଲିଦେଇ ବିସ୍ମିତ ହୋଇପଡିଲା ସ୍ଥିତି । ନାଲିଧଡି ନାଲିକାନୀ ଥିବା ଗୋଟିଏ କଳା ରଙ୍ଗର ଶାଢ଼ୀ , ନାଲି ବ୍ଲାଉଜ , କଳାଶାୟା , ଦିମୁଠା ନାଲି କଳା ଧାତବ ଚୁଡି , କଫି ରଙ୍ଗର ଗୋଟିଏ ପାକେଟ୍ ଟିକିଲି ।

ପୂଜାଘରୁ ବାହାରୁଥିବା ଶାଶୁଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ ଯାଉଯାଉ ସ୍ଥିତିକୁ ନିଜ ଛାତି ଉପରକୁ ଆଉଜେଇନେଲେ ଅପର୍ଣ୍ଣା । ତାଙ୍କ ଦିଆ ଉପହାରରେ କେଡେ ସୁନ୍ଦର ଦିଶୁଥିଲା ବୋହୂ ତାଙ୍କର ।ଚାରୋଟି ଆଖିରୁ ଝରିଯାଉଥିଲା ବୋଲ ମାନୁନଥିବା ଲୁହର ଧାର ।

ଶ୍ରୀମତୀ ପଦ୍ମାଳୟା ମିଶ୍ର

ବୌଦ୍ଧ


Rate this content
Log in

More oriya story from Padmalaya Mishra

Similar oriya story from Tragedy