Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

3  

Prasanta kumar Hota

ଲକ୍ଷ୍ୟ ସ୍ଥିର କରେ ସଫଳତା

ଲକ୍ଷ୍ୟ ସ୍ଥିର କରେ ସଫଳତା

11 mins
504


କୋଚିଂ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେଦିନ ଉଦବୋଧନ ଦେଉଥାନ୍ତି ନିଜେ ଅନୁଷ୍ଠାନର ଚେୟାରମ୍ୟାନ। ଭାଷଣ ଦେବା ଅବସରରେ କହିଲେ ମୁଁ ତମ ସମସ୍ତଙ୍କୁ ଆଜି ଏକ ବିଶେଷ କାରଣ ପାଇଁ ଏକତ୍ରିତ କରିଛି। ଇଂଜିନିୟରିଂ ଓ ମେଡିକାଲ ପରୀକ୍ଷା ସରି ଯାଇଛି।ସମସ୍ତେ ଫଳାଫଳର ଅପେକ୍ଷାରେ। ତମ ଭିତରୁ କିଛି କୃତକାର୍ଯ୍ୟ ହେବେ କିଛି ପୁଣି ରହିଯିବେ। କାହାର ଜୀବନର ଗତିପଥ ସ୍ଥିର ହୋଇ ଯିବ ଓ କାହାର ପୁଣି ବଦଳି ଯିବ। ଏହିଠାରୁ ଆରମ୍ଭ ହେବ ଜୀବନର ନୂତନ ଅଧ୍ୟାୟ। କିନ୍ତୁ ଏସବୁ କହିବା ପଛରେ ମୋର ଯାହା କହିବାର ଉଦ୍ଦେଶ୍ୟ ତାହା ହେଲା ତୁମମାନଙ୍କୁ ଛୋଟିଆ ପ୍ରଶ୍ନଟିଏ। ସଫଳତା ହାସଲ ପାଇଁ କେଉଁ ବିଷୟରେ ସବୁଠାରୁ ଆମର ଅଧିକ ଆବଶ୍ୟକତା ରହିଛି ଯାହାକୁ ଆଧାର କରି ଆମେ ଉପରକୁ ଚଢି ପାରିବା।

ଚେୟାରମ୍ୟାନ ସମସ୍ତଙ୍କୁ ନିରେଖି କରି ଦେଖୁଥାନ୍ତି। କାହା ପାଟିରୁ ଉତ୍ତର ବାହାରୁ ନଥାଏ। ଚେୟାରମ୍ୟାନ ଶ୍ରୀଯୁକ୍ତ ରବି ନାରାୟଣ ପାଢୀ ଜଣେ ଶିକ୍ଷାବିତ୍ ଓ ଉଦ୍ୟମୀ। କେତେ ପିଲାଙ୍କୁ ସେ ମଣିଷ କରିଛନ୍ତି। ତାଙ୍କୁ କିଛି କହିବା ପାଇଁ କାହାର ସାହସ ପାଉ ନଥାଏ।

ସେ ବାରମ୍ବାର ପ୍ରଶ୍ନକୁ ଦୋହରାଉଥାନ୍ତି। ମଝିରେ ମଝିରେ ହସ ଥଟା ବି କରୁଥାନ୍ତି। ପିଲାମାନେ ଟିକେ ସହଜ ହେଲା ପରେ କହିଲେ - ସଫଳତା ହାସଲ ପାଇଁ ମେଧା ଶକ୍ତି ର ଆବଶ୍ୟକତା ଅଛି। ଆଉ କିଛି ପିଲା ସାହସ ପାଇ କହିଲେ- ସାର୍ ସଫଳତା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ଚେୟାରମ୍ୟାନ ଉତ୍ତରରେ ସନ୍ତୁଷ୍ଟ ଥିଲା ପରି ଜଣା ପଡୁ ନଥାନ୍ତି। ସେ ସମସ୍ତଙ୍କ ଆଡକୁ ଦେଖି ପଚାରୁ ଥାନ୍ତି -ଆଉ କିଏ କହିବ? ଅଳ୍ପବୁଦ୍ଧି ଜଣେ ବାହାରି କହିଲେ -ସାର ବଡ ବଡ ଲୋକ ଓ ରାଜନେତାଙ୍କ ସହ ସମ୍ପର୍କ ଆବଶ୍ୟକ। ସମ୍ପର୍କ ଯେତିକି ଉଚ୍ଚ ହେବ ତାର ସଫଳତା ମଧ୍ୟ ସେତିକି ଉଚ୍ଚ ହେବ। ସମସ୍ତେ ହସିଲେ।

ପାଢୀ ସାର୍ ପୁଣି ମୁଣ୍ଡ ହଲାଇ ଅସନ୍ତୋଷ ଜଣାଇଲେ। ଏତିକି ବେଳେ ରାଜୁ ଉଠି ଠିଆ ହେଲା। କହିଲା ସାର୍ ଯାହାର ଲକ୍ଷ୍ୟରେ ସ୍ପଷ୍ଟତା ନାହିଁ ତାର ସଫଳତାରେ ସନ୍ଦେହ ଥାଏ। ତେଣୁ ସଫଳତା ହାସଲ ପାଇଁ ସ୍ପଷ୍ଟ ଲକ୍ଷ ନିରୂପଣ କରିବା ବହୁତ ଜରୁରୀ।

ଚେୟାରମ୍ୟାନ ସାର୍ ଏଥର ଆନନ୍ଦିତ ଜଣା ପଡିଲେ। ସତେ ଯେମିତି ସେ ଖୋଜୁଥିବା ଉତ୍ତର ପାଇଗଲେ। କହିଲେ -ହଁ ଏହାହିଁ ସତ୍ୟ।

ରାଜୁକୁ ସେ ବହୁତ ପ୍ରଶଂସା କଲେ ଏବଂ ଏହି ଉତ୍ତର ସେ କଣ ଚିନ୍ତା କରି ଦେଲା ବୋଲି ପଚାରିଲେ । ରାଜୁ ପ୍ରତ୍ୟୁତ୍ତରରେ କହିବାକୁ ଯାଉଥିଲା ଚେୟାରମ୍ୟାନ ଉତଫୁଲ୍ଲିତ ହୋଇ କହି ଚାଲିଲେ - ଲକ୍ଷ ସ୍ଥିର କରିବା ସଫଳତା ପାଇଁ ବହୁତ ଆବଶ୍ୟକ। କାରଣ ଏହାହିଁ ସଫଳତାର ଅସଲ ଚାବିକାଠି। ନିଜ କଥାକୁ ଆହୁରି ସ୍ପଷ୍ଟ ଓ ଦୃଢ କରିବା ପାଇଁ ସେ ଅନେକ ଉଦାହରଣ ଦେଲେ। ତା ଭିତରୁ ଅର୍ଜୁନଙ୍କ ଲକ୍ଷ ଭେଦ ଗୋଟିଏ ଥିଲା। କେମିତି ସେ ଲକ୍ଷ ସ୍ଥିର କରି ମାଛ ଆଖିକୁ ଶର ବିଦ୍ଧ କରି ପାରିଲା। ବିଶ୍ଵ ବିଖ୍ୟାତ ସନ୍ତରଣକାରି ଚାଦଭାଇକଙ୍କ ଉଦାହରଣ ବି ଦେଲେ । ପରିଶେଷରେ କହିଲେ ଏହା ମୋ ନିଜସ୍ଵ ମତ ନୁହେଁ ଏହା ସାର୍ବଜନୀନ ମତ। ତମ ମାନଙ୍କ ଭିତରୁ କଣ କେହି ଭିନ୍ନ ମତ ରଖିବେ କି? ନା ରଖିବେ ନାହିଁ। ମୁଁ ଜାଣେ ତମେ ମାନେ ମଧ୍ୟ ଜାଣ ଯେ ଲକ୍ଷ ସ୍ଥିର ବିନା ସଫଳତା ସମ୍ଭବ ନୁହେଁ। କଣ କେହି ଦ୍ୱିମତ ରଖିଛନ୍ତି କି? କୁହ, ନିଜ ମତ ରଖିବାରେ କେହି କୁଣ୍ଠା କର ନାହିଁ। ରାଜୁ ପୁଣି ଠିଆ ହୋଇ କହିଲା ସାର୍ ମୋର ଭିନ୍ନ ମତ ଅଛି।

କିନ୍ତୁ ତମେ ତ ନିଜେ ଏହି ମତ ଟିକିଏ ଆଗରୁ ଦେଇଛ। ପୁଣି ଭିନ୍ନ ମତ ଦେବ କେମିତି? ଚେୟାରମ୍ୟାନ ପଚାରିଲେ।

ସାର୍ ମତ ସାର୍ବଜନୀନ ବୋଲି ଦେଇଥିଲି। କିନ୍ତୁ ମୁଁ ସେଥିରେ ଏକମତ ନୁହେଁ।

ଚେୟାରମ୍ୟାନ ନିଜ ଉତକଣ୍ଠାକୁ ରୋକି ନପାରି ପଚାରିଲେ -କାହିଁକି?

ରାଜୁ ତତକ୍ଷଣାତ୍ ଉତ୍ତର ଦେଲା। କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିଦେଲେ ଯେ ସଫଳତା ଆସିଯିବ ଏହା ହୃଦବୋଧ ହେଉନାହିଁ। ଟିକିଏ ଆଗରୁ ମୋ ବନ୍ଧୁମାନେ ଯୋଉ କହିଲେ ସଫଳତା ପାଇଁ ମେଧା ଶକ୍ତି କଠିନ ପରିଶ୍ରମ ଆବଶ୍ୟକ ଏହାର ଉପାଦେୟତା ମଧ୍ୟ ଲକ୍ଷ୍ୟ ସ୍ଥିର କରିବା ସହିତ ନିବିଡ଼ ଭାବରେ ଜଡିତ। ଯେମିତି କେବଳ ମେଧା ଶକ୍ତି ଯଥେଷ୍ଟ ନୁହେଁ ସେମିତି କେବଳ ଲକ୍ଷ ସ୍ଥିର କରି ଦେବା ମଧ୍ୟ ଯଥେଷ୍ଟ ନୁହେଁ।

ପିଲାମାନେ ନିଜ ଉତ୍ତରକୁ ଠିକ୍ ବୋଲି ପାଇ ଥିବାରୁ ଓ ଯଥାର୍ଥ ଭାବରେ ପ୍ରତିପାଦିତ ହୋଇ ଥିବାରୁ ରାଜାର ଉତ୍ତର ସରୁ ସରୁ ସମସ୍ତେ ପ୍ରବଳ ଭାବରେ କରତାଳି ଦେଲେ।

ଚେୟାରମ୍ୟାନ କିଛି ସମୟ ପାଇଁ ହତବାକ ହୋଇ ଗଲେ। କଣ କହି ପରିବେଶକୁ ପୁଣି ଶାନ୍ତ କରିବେ ଜାଣି ପାରିଲେ ନାହିଁ। ସାମାନ୍ୟ ଶାନ୍ତ ପଡିବା ମାତ୍ରେ ଚେୟାରମ୍ୟାନ ଭାଷଣକୁ ସମାପ୍ତ କରି ତରତର ହୋଇ ଚାଲିଗଲେ।

ରବି ନାରାୟଣ ପାଢୀ ସହରରେ ବହୁତ ପରିଚତ ନାମ। ତାଙ୍କ କଥାରେ ବହୁତ ଛାତ୍ର ଛାତ୍ରୀ ଅନୁପ୍ରାଣିତ ହୋଇ ଉପରକୁ ଉଠିଛନ୍ତି। ତାଙ୍କର ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି କରି ଚାଲିଛି। ଦେଶର ଏହା ଏକ ପ୍ରମୁଖ ପ୍ରତିଷ୍ଠିତ ଅନୁଷ୍ଠାନ। ତାଙ୍କୁ ଆଜି ଜଣେ ନାମକୁ ମାତ୍ର ଛାତ୍ର ପ୍ରତ୍ୟୁତ୍ତର ଦେଇ ପରାଭବ କରିଦେବ ସେ ନିଜକୁ ବିଶ୍ୱାସ କରି ପାରୁ ନଥାନ୍ତି। ତାଙ୍କୁ ଛଟପଟ ଲାଗୁଥାଏ। ମନ ଭିତରଟା କେମିତି ଏକ ପରାଜୟର ଗ୍ଳାନିରେ ମ୍ରିୟମାଣ ହୋଇ ପଡିଥାଏ। ସେ ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କଲେ। ଟିକିଏ ପ୍ରକୃତିସ୍ଥ ହେବା ପରେ ରାଜୁକୁ ଡକାଇ ପଠାଇଲେ।

ରାଜୁ ଆସି ପହଞ୍ଚି ଗଲା।

ପାଢୀ ସାର୍ ଅନ୍ୟମନସ୍କ ଥିଲେ। କିଛି ସମୟ ଅପେକ୍ଷା କଲା ପରେ ନମ୍ର ଭାବରେ ପଚାରିଲା - ସାର୍ ମୋତେ ଡାକୁଥିଲେ।

ଚେୟାରମ୍ୟାନ ପାଢି ସାର୍ ନିଜକୁ ସିଧା କରି ନେଇ କହିଲେ - ହଁ ହଁ ବସ। ତମକୁ ହିଁ ଡାକିଥିଲି।

ତମେ ଏଇଟା ପ୍ରଥମ ଥର ମେଡିକାଲ ପାଇଁ ପ୍ରବେଶିକା ଦେଉଛ ନା ଆଗରୁ ଦେଇଥିଲ।

ଏଇଟା ମୋର ଦିତୀୟ ଥର ସାର୍। ପ୍ରଥମ ଥର ବିନା କୋଚିଂ ରେ ଦେଇଥିଲି। ଏବେ କୋଚିଂ ନେଇ ଦେଇଛି।

କଣ ଆଶା କରୁଛ।

ଗଲାଥର ସାର୍ ଏତେ ଭଲ ହେଇ ନଥିଲା। ଏଥରକ ଟିକିଏ ଭଲ ହେଇଛି।

ଟିକିଏ ଭଲ ହେଇଛି ମାନେ କଣ ପାଇବାର ଆଶା କମ୍!

ସାର୍ ସେଇଟାତ ମୁଁ କହି ପାରିବିନି। ଫଳାଫଳ ପ୍ରକାଶ ପାଇଲା ପରେ ଯାହା ଜଣା ପଡିବ।

ସେଥିପାଇଁ ରାଜୁ ତମେ କହିଲ କି କେବଳ ଲକ୍ଷ ସ୍ଥିର କରିଦେଲେ କାର୍ଯ୍ୟ ହାସଲ ହୁଏ ନାହିଁ। କାର୍ଯ୍ୟ ହାସଲ ପାଇଁ ଲକ୍ଷ୍ୟ ସହିତ ମେଧା ଏବଂ ପରିଶ୍ରମ ମଧ୍ୟ ଦରକାର।

ରାଜୁ ନିରବରେ ନିଜର ସମ୍ମତି ଜଣାଇଲା।

ଚେୟାରମ୍ୟାନ କିନ୍ତୁ ନିଜେ କହିଥିବା କଥାକୁ ପ୍ରମାଣିତ କରିବା ପାଇଁ ପ୍ରତିବଦ୍ଧ ଥିଲେ। ସେ ସୁଯୋଗର ଅପେକ୍ଷାରେ ଥିଲେ। ତାଙ୍କୁ ଏଇଟା ଗୋଟେ ସୁଯୋଗ ପରି ଲାଗିଲା। ସେ ସଙ୍ଗେ ସଙ୍ଗେ କହିଲେ ଲକ୍ଷ ସ୍ଥିର ହୋଇଗଲେ ବାକି ସବୁ ଆପେ ଆପେ ଆପେ ସ୍ଥିର ହୋଇଯାଏ। ଲକ୍ଷ କିନ୍ତୁ ପକ୍କା ହେବା ଦରକାର।

ରାଜୁ ପ୍ରତିବାଦ କଲା। କହିଲା ସାର୍ ମୋ ଲକ୍ଷ ମଧ୍ୟ ପକ୍କା। ମୁଁ ନିୟମିତ ପରିଶ୍ରମ କରୁଛି। ମୋ ଘରେ ମଧ୍ୟ ମୋର ମେଡିକାଲ ପଦାକୁ ନେଇ ପୂର୍ଣ ସହଯୋଗ ଅଛି। କିନ୍ତୁ କେଉଁଠି ନା କେଉଁଠି ମୋର ଅସାମର୍ଥ୍ୟ ରହି ଯାଉଛି ଯାହା ଫଳରେ ମୁଁ ସଫଳ ହେଇ ପାରୁନାହିଁ।

ଠିକ୍ ଅଛି। ଚେୟାରମ୍ୟାନ ସାର୍ ଦୀର୍ଘନିଃଶ୍ଵାସ ପକାଇ କହିଲେ। ଏଥରକ ଫଳାଫଳ କୁ ତମେ ଅପେକ୍ଷା କର। ମୋର ଶୁଭେଚ୍ଛା ତୁମେ ନିଶ୍ଚିତ ପାଇବ। ଯଦି ନ ପାଇଲ ତାହେଲେ ତୁମେ ମୋତେ ଦେଖା କରିବ। ମୁଁ ତୁମର ଲକ୍ଷରେ କୋଉଠି ବିଚ୍ୟୁତି ଘଟୁଛି କହିଦେବି। ତୁମେ ନିଶ୍ଚୟ ପାଇବ।

ରାଜୁ ଏଭଳି ଏକ ଅପ୍ରତ୍ୟାଶିତ ପ୍ରତିଶୃତି ପାଇ ଆଶ୍ଚର୍ଯ୍ୟ ହେଲେ ବି ମନେ ମନେ ଖୁସି ହୋଇଗଲା।

କିଛି ସମୟ ନୀରବ ରହିଲା। ତାପରେ ଥ୍ୟାଙ୍କ ୟୁ ସାର୍ ବିନମ୍ରତାର ସହ ଜଣାଇଲା।

ହୋଉ ତମେ ଆସ ଏଥର। କିନ୍ତୁ ମନେରଖ ଲକ୍ଷରୁ କେବେ ବିଚ୍ୟୁତ ହେବ ନାହିଁ।

ରାଜୁ ପ୍ରସ୍ଥାନ କଲା। ଚେୟାରମ୍ୟାନ ନିଜର ଅଭିବ୍ୟକ୍ତିରେ ମନେ ମନେ ଖୁସି ହେଇଗଲେ। ସତେ ଯେମିତି ସେ ବିଜୟ ପ୍ରାପ୍ତ କରିଛନ୍ତି।

ରାଜୁ ପଢାପଢି ଜାରି ରଖିଥାଏ। ମେଡିକାଲ ପ୍ରବେଶିକା ପରୀକ୍ଷାର ଫଳ ବାହାରିଲା। ରାଜୁ ଯାହା ଆଶଙ୍କା କରୁଥିଲା ତାହାହିଁ ହେଲା। ରାଜୁ ମେଡିକାଲ ପାଇଲା ନାହିଁ। ଘରେ ସମସ୍ତେ ମନ ଦୁଃଖ କଲେ। ରାଜୁ କିନ୍ତୁ ବ୍ୟସ୍ତ ନହୋଇ ଚେୟାରମ୍ୟାନ ସାର୍ ଙ୍କୁ ଭେଟିବ ବୋଲି ଅପେକ୍ଷାରେ ଥାଏ। ସମସ୍ତଙ୍କ ଆଶା ମଉଳି ଯାଇଥିବା ବେଳେ ଚେୟାରମ୍ୟାନଙ୍କ ସେହି ପଦକ କଥା ତାର ଆଶାକୁ ଉଜ୍ଜୀବିତ କରି ରଖିଥାଏ।

ରାଜୁ ଚେୟାରମ୍ୟାନ ସାରଙ୍କୁ ଭେଟିବାକୁ ଭାବୁଥାଏ। ହଠାତ୍ ମୋବାଇଲ ରେ ଚେୟାରମ୍ୟାନଙ୍କ କଲ୍ ଆସିଲା। ରାଜୁ ନମ୍ବର ସେଭ୍ କରି ନଥିବାରୁ ଜାଣି ପାରିଲା ନାହିଁ। କିନ୍ତୁ ସେପଟୁ ଦୃଢ କଣ୍ଠରେ ଶୁଭିଲା ମୁଁ ଡକ୍ଟର ପାଢି କହୁଛି। ତମେ ରାଜୁ କହୁଛ ତ?

ରାଜୁ ବ୍ୟସ୍ତ ହୋଇ କହିଲା ହଁ ସାର୍ ମୁଁ ରାଜୁ କହୁଛି।

ତମେ ମୋ କଥା ଯଦି ମନେ ରଖିଛ ମୋତେ ତୁରନ୍ତ ଆସି ଦେଖା କର।

ସାର୍ ଯାଉଛି କହି ରାଜୁ ଫୋନ ରଖିଦେଲା।

ରାଜୁ ଜାଣି ସାରିଥିଲା ଯିବାର ଅଭିପ୍ରାୟ। କେବଳ ଔପଚାରିକ ବାକିଥିଲା। ସେ ମଧ୍ୟ ଯିବା ପାଇଁ ଚାହୁଁଥିଲା। ଖୁବ୍ ଶୀଘ୍ର ପହଞ୍ଚି ଗଲା ସାର୍ ଙ୍କ ପାଖରେ।

ସାର୍ ଦେଖି ଆଗ ଟିକିଏ ହସି ଦେଲେ। କହିଲେ ମେଡିକାଲ ପାଇନାହଁ ବୋଲି କିଛି ବ୍ୟସ୍ତ ହୁଅ ନାହିଁ। ତମର ଯଦି ପ୍ରକୃତରେ ଲକ୍ଷ ଥାଏ ମୁଁ ଦେଖିବି ସେ ଲକ୍ଷ କେମିତି ପୁରଣ ହେବ ନାହିଁ।

କୋଚିଂ ସେଣ୍ଟର ରେ ଥିବା ସବୁ ସାର୍ ମାନଙ୍କୁ ଡକାଇ ଏକ ମିଟିଂ ଆରମ୍ଭ କଲେ। ରାଜୁ ମଧ୍ୟ ମିଟିଂରେ ଥିଲା। ଡକ୍ଟର ପାଢି ନିଜେ ରାଜୁର ପଢିବା ରୁଟିନ ସିଲାବସ ସାପ୍ତାହିକ ପରୀକ୍ଷା ସବୁ ପ୍ରସ୍ତୁତ କଲେ। କହିଲେ ପ୍ରତି କ୍ଲାସ ପରେ ମୁଁ ରିଭ୍ୟୁ କରିବି। ପ୍ରତିଦିନ ସକାଳେ ଦଶଟାରୁ ସେ ଆସିବ ଓ ରାତି ଦଶଟାରୁ ଯିବ। ଯାହା ଖାଇବା ପିଇବା ସବୁ ଏଠି ହେବ। ରାଜୁ ଆଡେ ଅନାଇ ପଚାରିଲେ ତମର ଏଥିରେ କିଛି ପ୍ରତିବାଦ ଅଛି।

ରାଜୁ ନମ୍ରତାରେ ନାହିଁ ସାର୍ ବୋଲି ଉତ୍ତର ଦେଲା।

ଯେପରି ପ୍ରସ୍ତୁତି କରାଯାଇଥିଲା ସେହି ଅନୁସାରେ ପଢା ପଢି ଚାଲିଲା। ରିଭ୍ୟୁ ବି ମଝିରେ ହେଲା। ପରୀକ୍ଷା ବି ରୀତିମତ ହେଲା। ଚେୟାରମ୍ୟାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏମିତି ଅଭ୍ୟାସ ଆରମ୍ଭ ହେଲା ଯେ କେବଳ ପାଠ ଛଡା ଆଉ ଦିତୀୟ କିଛି ବି ଧ୍ୟାନରେ ରହିଲା ନାହିଁ। ତିନି ମାସ ମଧ୍ୟରେ ସ୍କୋରିଂ ଅସମ୍ଭବ ଭାବରେ ବଢିବା ଆରମ୍ଭ ହେଇଗଲା। ମନ ରେ ଅନ୍ୟ କୌଣସି ଆଗ୍ରହ ନ ଆସିବା ପାଇଁ ସାର୍ ମାନେ ମଧ୍ୟ ସମସ୍ତେ ଯତ୍ନବାନ ହେଲେ। ବିଶ୍ରାମ ସମୟରେ ବି ଯେଉଁ ଗପସପ ହେଲା ତାହା କେବଳ ପାଠପଢାକୁ ନେଇ। ମନକୁ ହାଲକା କରିବା ପାଇଁ ଯେଉଁ ଆମୋଦ ପ୍ରମୋଦ ର ଆଶ୍ରୟ ନିଆଗଲା ସେଥିରେ ବି ପାଠର ଝଲକ ରହିଲା।

ପାଠ ଯେତେବେଳେ ଧିରେ ଧିରେ ସହଜ ହେବା ଆରମ୍ଭ କଲା ରାଜୁ ପାଠକୁ ଉପଭୋଗ କରିବାକୁ ଲାଗିଲା। ଯାହା ଉପଭୋଗ୍ୟ ହୋଇଯାଏ ତାହା ମନକୁ ଆକର୍ଷିତ କରେ। ଯାହା ମନକୁ ଆକର୍ଷିତ କରେ ତାହା ମନନସିଦ୍ଧ ହେଇଯାଏ। ଯାହା ମନନ ସିଦ୍ଧ ହୋଇଯାଏ ତାହା ଆଉ ମନରୁ ଭୁଲି ହୁଏନାହିଁ। ରାଜୁର ମଧ୍ୟ ସେୟା ହେଲା।

ଘରେ ପ୍ରଥମରେ ବ୍ୟସ୍ତ ହୋଇ କୋଚିଂ ସେଣ୍ଟର ପଳେଇ ଆସୁଥିଲେ ଦେଖିବା ପାଇଁ କଣ କରୁଛି? କିନ୍ତୁ ଆସ୍ତେ ଆସ୍ତେ ସେମାନେ ମଧ୍ୟ ବୁଝିଗଲେ ଯେ ସେମାନେ ଯେତେ ଆସିବେ ରାଜୁର ପଢା ସେତିକି ନଷ୍ଟ ହେବ। ସେମାନେ ମଧ୍ୟ ଆସିବା ବନ୍ଦ କରିଦେଲେ। ରାଜୁ ବର୍ତ୍ତମାନ ଏକନିଷ୍ଠ ଏକଲୟରେ ପଢିବାକୁ ଲାଗିଲା। ପ୍ରାରବ୍ଧର ସୀମା ପୂର୍ବ ନିର୍ଦ୍ଧାରିତ କିନ୍ତୁ ବର୍ତ୍ତମାନର କୌଣସି ସୀମା ନାହିଁ। ବର୍ତ୍ତମାନ କୁ ମଣିଷ ତାର ବୁଦ୍ଧିରେ ଯୁଆଡେ ଚାହିଁବ ସେୟାଡେ ନେଇ ପାରିବ।

କାହାର କର୍ମ ଭାଗ୍ୟ କୁ ଟାଣି ଆଣେ ପୁଣି କାହାର ଭାଗ୍ୟ କର୍ମକୁ ଟାଣି ଆଣେ। ଡକ୍ଟର ପାଢୀଙ୍କ ଉଦ୍ୟମ ବୃଥା ହେଲା ନାହିଁ। ତାଙ୍କର ନିରବଛିନ୍ନ ପ୍ରଚେଷ୍ଟା ଓ ରାଜୁର ନିଷ୍ଠା ଭାଗ୍ୟର ଗତିପଥ ବଦଳାଇ ଦେଲା।

ପରୀକ୍ଷାରେ ରାଜୁ ଏଥର ସଫଳ ହେଲା। ଘର ଲୋକ ଭାବିଲେ ଠାକୁର ତାଙ୍କ କଥା ଶୁଣିଛନ୍ତି। ଏତେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭଗବାନ ଏତେ ନିଷ୍ଠୁର ହେବେ କେମିତି ବୋଲି କହିଲେ। କିଏ କହିଲା ସେ ଜାତକ ଦେଖେଇଥିଲା ଯେ ଜ୍ୟୋତିଷ ତାର ଏହିଥର ହେବ ବୋଲି କହିଥିଲା। କିଏ କହିଲା ପିଲାଟା ଏତେ ପଢୁଥିଲା ଯାହା ହେଉ ପାଇଗଲା। କିଏ ପୁଣି କହିଲା ତାର ଭାଗ୍ୟ ଏଥର ଫିଟିଗଲା। କେହି ଜଣେ ବି ସତ୍ୟକୁ ଜାଣିବାର ପ୍ରୟାସ କଲେ ନାହିଁ। ଆଖି ଯାହା ଦେଖେ ମନ ଯାହା ହୃଦବୋଧ କରେ ସେଇଟା ହିଁ ସତ୍ୟ ବୋଲି ସେମାନଙ୍କୁ ପ୍ରତୀୟମାନ ହୁଏ ।

ଡକ୍ଟର ପାଢି ନିଜେ ରାଜୁର ଘରକୁ ଆସି କୁଣ୍ଢାଇ ପକାଇଲେ। କହିଲେ ଯଦି ତୁ ପାଇ ନଥାନ୍ତୁ ମୋର ଲକ୍ଷ୍ୟ ସ୍ଥିର କରିବା ବା ଗୋଲ୍ ସେଟିଂ ଉପରେ ଯେଉଁ ବିଶ୍ୱାସ ଯେ ଏହା ସଫଳତାର ଚାବିକାଠି ସବୁ ଭୁଲ୍ ହୋଇ ଯାଇଥାନ୍ତା । ତୁ ମୋର ବିଶ୍ବାସକୁ ଆହୁରି ଦୃଢ କରିଦେଲୁ। ସେଦିନର ଅଭିଭାଷଣ ଓ ରାଜୁର ସ୍ପଷ୍ଟତା ର ସହିତ ଉତ୍ତର ଦେବା ସାଙ୍ଗକୁ ବାକି ପିଲାଙ୍କର କରତାଳି ତାଙ୍କର ପୁରା ମନେ ପଡି ଯାଉଥାଏ। ପ୍ରତିଟି କ୍ଷଣ ସେତେବେଳେ ତାଙ୍କୁ ପରାଜୟର ଗ୍ଳାନିରେ ପରାୟତ ହେଲା ପରି ଲାଗୁଥିଲା। ଏବେ କିନ୍ତୁ ସେ ବିଜୟ ହାସଲ କରିଛନ୍ତି। ଦେଖାଇ ଦେଇ ପାରିଛନ୍ତି ଯେ ଲକ୍ଷ ସ୍ଥିର କରି ପାରିଲେ ସବୁ କିଛି ସମ୍ଭବ। ସେ ଏତେ ପରିମାଣରେ ଖୁସି ଥିଲେ ଯେ ରାଜୁର ଘରେ ବସି ମଧ୍ୟ ପିଲାମାନଙ୍କୁ ଶୁଣାଗଲା ପରି ବିଶ୍ୱ ବିଖ୍ୟାତ ସନ୍ତରଣକାରି ର କାହାଣୀ ଶୁଣାଇବାକୁ ଲାଗିଲେ। ସେ କେମିତି ଲକ୍ଷ ରେ ସ୍ଥିର ନଥିବା ହେତୁ ଚେଷ୍ଟାରେ ବିଫଳ ହୋଇଥିଲା ଓ ପରେ ପରେ ଲକ୍ଷ ସ୍ଥିର କରି ସଫଳ ହେଲା। ରାଜୁ ର ବାପା ପିତାମ୍ବର ଦାସ ପାଖରେ ବସି ସବୁ ଶୁଣୁଥିଲେ । କହିଲେ ସବୁ ପ୍ରଭୁଙ୍କ ଇଛା। ତା ମା'ର ଆକୁଳ ପ୍ରାର୍ଥନା ପ୍ରଭୁ ଶୁଣିଲେ। ଜେଜେମା ଗାଁ ମନ୍ଦିରରେ ଏଥିପାଇଁ ମାନସିକ କରିଥିଲେ। ଡକ୍ଟର ପାଢୀଙ୍କୁ କେହି ଟିକିଏ ବି ପ୍ରଶଂସା କଲେ ନାହିଁ। ବରଂ ପଡିଶାରୁ ଯେଉଁମାନେ ଆସି ଅଭିନନ୍ଦନ ଜଣାଉଥିଲେ ସେମାନେ ଫୁସଫାସ୍ ହେଉଥିଲେ ରାଜୁ ପାଇ ଯାଇଛି ବୋଲି କୋଚିଂ ବାଲା ଏଠିକି ମାର୍କେଟିଂ କରିବାକୁ ପଳାଇ ଆସିଛନ୍ତି। ରାଜୁ ର ଫଟୋ ସେଲଫି ସବୁ ନେଇ ନିଜକୁ ବିକ୍ରି କରିବେ ଆଉ ବାହାବା ବି ନେବେ। ଅପରିଚିତ ଯାଗାରେ ଡକ୍ଟର ପାଢି ଏ ବିଷୟରେ କିଛି କହିବା ପାଇଁ ଠିକ୍ ମନେ କଲେ ନାହିଁ ସତ କିନ୍ତୁ ମନ ଭିତରଟା ବିଷର୍ଣ ହୋଇ ଯାଇଥିଲା। କେତେ ନିଲ୍ଲଜ ଅପରିପକ୍ଵ ବାସ୍ତବ ଦୃଷ୍ଟି କୋଣ ବିହୀନ ଲୋକ ଗୁଡାକ ସତେ! ଯାହା ପାରୁଛନ୍ତି ଭାବି ଦେଉଛନ୍ତି। ଯାହା ମନକୁ ଆସୁଛି କହି ଦେଉଛନ୍ତି। ସେ ଅସହିଷ୍ଣୁ ହେଇ ଯାଉଥିଲେ ଏବଂ ଉଠି ପଳାଇବା ପାଇଁ ଅତିଷ୍ଠ ହୋଇ ପଡୁଥିଲେ। ରାଜୁ କୁ ପାଖରେ ନପାଇ ଡକାଇଲେ। ରାଜୁ ଆସି ପହଞ୍ଚି ଗଲା। ସାରଙ୍କର ଶରୀର ଭାଷାକୁ ବୋଧେ ରାଜୁ ବୁଝି ପାରିଲା। ସେ ସାରଙ୍କୁ ଭିତରକୁ ଡାକି ନେଲା। ସସମ୍ମାନେ ବସାଇ କହିଲା -ସାର୍ କିଛି ଲୋକ ନବୁଝି ନସୁଝି ଏୟାଡୁ ସେୟାଡୁ କହିବେ। ପ୍ଲିଜ୍ ମନରେ ନିଅନ୍ତୁ ନାହିଁ ।

କିନ୍ତୁ ତମେ ତ ସେମାନଙ୍କୁ ବୁଝେଇ ପାରିଥାନ୍ତ ।

ହଁ ସାର୍ ହେଇଥାନ୍ତା। କିନ୍ତୁ ବୁଝାଇଥିଲେ ଆପଣ ହୁଏତ କଥାଟାକୁ ଆହୁରି ଗଭୀର ଭାବରେ ନେଇଥାନ୍ତି।

କେମିତି? ଡକ୍ଟର ପାଢି ପପଚାରିଲେ

ସାର୍ ମୁଁ କହିଲେ ହୁଏ ତ ଆପଣ ବିଶ୍ୱାସ କରିବେନି। ଆପଣ ଯଦି କିଛି ମନେ ନକରନ୍ତି ମୁଁ ମୋ କଥାର ସତ୍ୟତା ଦେଖେଇଦେବି।

ହଁ ହଁ ନିଶ୍ଚୟ। ତୁମ କଥାରେ ସଦାବେଳେ କିଛି ନା କିଛି ଭାଲ୍ୟୁ ଥିଲା ପରି ମୋତେ ଲାଗେ। ତମେ ମୋତେ ସତ୍ୟତା ଦେଖାଅ। ମୁଁ ବି ଦେଖିବାକୁ ଉତ୍ସୁକ।

ରାଜୁ ତତକ୍ଷଣାତ୍ କହିଲା ସାର୍ ଟିକିଏ ବସନ୍ତୁ ମୁଁ ଅନ୍ୟମାନଙ୍କୁ ଡାକି ଦେଉଛି।

ଡକ୍ଟର ପାଢି ଆବାକାବା ହେଇ ଏପଟ ସେପଟ ଅନାଉଥାନ୍ତି। ଅଳ୍ପ ସମୟ ଭିତରେ ରାଜୁର ବାପା ଓ ପରିବାର ସହିତ ଘନିଷ୍ଠ କିଛି ଲୋକ ଆସି ପହଞ୍ଚି ଗଲେ। ସମସ୍ତଙ୍କ ସମ୍ମୁଖରେ ରାଜୁ ସାର୍ ଙ୍କୁ ଗୋଟିଏ ଫୁଲ ତୋଡା ଓ ସାଲ୍ ଦେଇ ସମ୍ମାନିତ କଲା। ସାର୍ ଙ୍କର ଅବଦାନ କୁ ସଂକ୍ଷିପ୍ତ ଭାବରେ ସମସ୍ତଙ୍କୁ ଜଣାଇଲା। ଡକ୍ଟର ପାଢି ଏସବୁ ଦେଖି ବହୁତ ଖୁସି ଅନୁଭବ କରୁଥାନ୍ତି। କିନ୍ତୁ ରାଜୁର ଏପରି କରିବାର କାରଣ କିଛି ବୁଝି ପାରୁ ନଥାନ୍ତି।

ଏତିକିବେଳେ ରାଜୁର ବାପା ଅନ୍ୟ ମାନଙ୍କ କଥାକୁ ଅଟକାଇ କହିଲେ - ସବୁ ସଫଳତା ପଛରେ ଈଶ୍ୱରଙ୍କ ଆଶିର୍ବାଦ ହେଉଛି ମୁଳ। ତାକୁ ଆଡେଇ ଦେଇ ଅନ୍ୟ କାହାକୁ ଶ୍ରେୟ ଦିଆ ଯାଇ ପାରେ ନାହିଁ। ତେଣୁ ପରିଶ୍ରମ ଓ ମେଧା ସହିତ ଭକ୍ତି ଅନିର୍ବାର୍ଯ୍ୟ। ରାଜୁର ମା ଓ ଜେଜେମା ଯେପରି ଭାବରେ ଭଗବାନଙ୍କ ପାଖରେ ମିନତି କରୁଥିଲେ ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ସେମାନେ ମଧ୍ୟ ରାଜୁର ସଫଳତା ପାଇଁ ଅନେକ ପରିମାଣରେ ଦାୟୀ। ଡକ୍ଟର ପାଢି ଏସବୁ ଶୁଣି ମନେ ମନେ ବିରକ୍ତ ହେଲେବି କିଛି କହି ପାରୁ ନଥିଲେ। କିନ୍ତୁ ବେଶି ସମୟ ସମ୍ଭାଳି ପାରିଲେ ନାହିଁ। ସେ ସାମାନ୍ୟ ବିଦ୍ରୁପ କରି କହିଲେ ତାମାନେ କଣ ଆପଣମାନେ କହୁଛନ୍ତି ଯେଉଁମାନେ ପାଇ ନାହାନ୍ତି ସେମାନଙ୍କ ଘରେ କେହି ଠାକୁରଙ୍କ ନିକଟରେ ପ୍ରାର୍ଥନା କରି ନାହାନ୍ତି।

ବସିଥିବା ଜଣେ ବ୍ୟକ୍ତି ତୁରନ୍ତ କହିଲେ - ଅନ୍ୟମାନଙ୍କ କଥା ଆମେ କହି ପାରିବୁ ନାହିଁ। ଆମ କଥା ଏତିକି। ଠାକୁରଙ୍କ ପାଖରେ ଆମର ପ୍ରଚଣ୍ଡ ଭରସା।

ଡକ୍ଟର ପାଢୀଙ୍କୁ ଏସବୁ ଶ୍ରୁତିକଟୁ ହେଉଥାଏ। ଏମାନଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରିବାଟା ଅଯୌକ୍ତିକ ଲାଗୁଥାଏ। ତଥାପି ମଣିଷ ମନର ଅହଂ ଭାବ ଯେତେ ଘୋଡେଇଲେ ବି ସେ ତାର ରାସ୍ତା ଖୋଜେ ଓ ବ୍ୟକ୍ତିର ମୁଳ ଚରିତ୍ରକୁ ପ୍ରକାଶ କରିଦିଏ। ଡକ୍ଟର ପାଢି ଆବେଗର ସହିତ ସମସ୍ତଙ୍କୁ ଲକ୍ଷ କରି କହିଲେ ଯାହା ଦୃଶ୍ୟମାନ ନୁହେଁ ତା ଉପରେ ଏତେ ଭରସା କରନାହିଁ। ଏତେ ଭରସା ଥିଲେ ଆଗରୁ ବି କହି ପାରିଥାନ୍ତ ।

ବର୍ତ୍ତମାନ ବି ମୁଁ କହୁଛି ଯଦି ଆପଣଙ୍କ ଭକ୍ତି ଭାବରେ ଏତେ ଭରସା ଅଛି ତେବେ କୁହନ୍ତୁ ଆଉ କଣ କରି ପାରିବେ! ଜଣେ ପରିଶ୍ରମ କରି ପାଇବ ଓ ଆପଣମାନେ ଆଉ ଜଣକୁ ଶ୍ରେୟ ଦେବେ। ସାର୍ ଙ୍କର ଉତକ୍ଷିପ୍ତ ହେବା ଦେଖି ରାଜୁ ପାଖକୁ ଯାଇ ଟିକେ ନରମ ହେବା ପାଇଁ ଅନୁରୋଧ କଲା ଓ କହିଲା - ସାର୍ ସେଥିପାଇଁ ମୁଁ ମନା କରୁଥିଲି। ରାଜୁ ଅନ୍ୟମାନଙ୍କୁ ବାହାରି ଯିବା ପାଇଁ ଅନୁରୋଧ କଲା। ଡକ୍ଟର ପାଢି କିନ୍ତୁ ମନାକଲେ। କହିଲେ-ଆରେ ନା ନା ସେମାନେ କାହିଁକି ଯିବେ। ତାଙ୍କର ଏଇଟା ଘର। ମୋର ବରଂ ସମୟ ହେଇଗଲାଣି ମୁଁ ଯାଉଛି।

ରାଜୁ ର ବାପା କହିଲେ - ଆପଣ ଏଠିକି ଆସି ଥିବାରୁ ଆମେମାନେ ବହୁତ ଖୁସି। ଗୋଟିଏ କଥା କହିବା ପାଇଁ ଇଛା ହେଉଛି ମୁଁ କହିଦିଏ। ଭଗବାନ କାହାକୁ କିଛି ନିଜେ ଆସି ଦିଅନ୍ତି ନାହିଁ। ସେ ଉପଯୁକ୍ତ ଲୋକର ମାଧ୍ୟମରେ ହିଁ ଦିଅନ୍ତି। ସେ ଉପଯୁକ୍ତ ଲୋକ ଆପଣ ବୋଲି ଭଗବାନ ଆପଣଙ୍କୁ ବିଚାର କରିଥିବାରୁ ଆମେ ଆପଣଙ୍କ ନିକଟରେ ଚିର ଋଣୀ। ମୁଁ ଆରମ୍ଭରୁ ସମସ୍ତ ବିଷୟ ଜାଣିଛି। ଆପଣ ଭାଷଣ ଦେଲା ବେଳେ ରାଜୁ ସହିତ ବାକ୍ୟ ବିନିମୟ ଠାରୁ ଆରମ୍ଭ କରି ଆପଣଙ୍କ କହିଥିବା ଲକ୍ଷ ସ୍ଥିର ହେଲେ ଲକ୍ଷ ହାସଲ ହୁଏ କଥାକୁ ପ୍ରମାଣ କରିବାର ଜିଦ୍ ପର୍ଯ୍ୟନ୍ତ ସବୁ ମୁଁ ଜାଣିଛି। ସେତେବେଳେ ମୋତେ ଅନୁଭବ ହେଲାଣି ଭଗବାନ ବୋଧେ ତାଙ୍କ ପ୍ରିୟ ବ୍ୟକ୍ତିକୁ ମୋ ପୁଅ ପାଖକୁ ପଠାଇଛନ୍ତି। ନଚେତ୍ ଆପଣତ ଅନ୍ୟ ସମସ୍ତଙ୍କ ପାଇଁ ବି ଏପରି କରି ପାରିବେ। କେବଳ ମୋ ପୁଅ କାହିଁକି। ଆମର କଥାବାର୍ତ୍ତା ରେ ଯଦି କିଛି ଭୁଲ ରହି ଯାଇଥାଏ ଦୟାକରି ଆମକୁ କ୍ଷମା ଦେବେ। ଆପଣ ଏ ଘରର ଦେବଦୂତ ଭଳି। ଆପଣଙ୍କ ମନରେ ସାମାନ୍ୟତମ ଅଶାନ୍ତି ଆମକୁ ଅଭିଶାପ ପରି ଲାଗିବ। ଦୟାକରି ଏକଥା ଉପରେ କିଛି ମନେ ନକରି ଆମକୁ କ୍ଷମା କରି ଦିଅନ୍ତୁ।

ସେତେବେଳକୁ ଡକ୍ଟର ପାଢୀଙ୍କ ଆଖିରୁ ଲୁହ ବୋହିବା ଆରମ୍ଭ ହୋଇ ସାରିଲାଣି। ସେ ନିଜର ଅହଂଭାବକୁ ବୁଝି ସାରିଥିଲେ। ବୁଝି ପାରୁଥିଲେ ନିଜେ ଏକ ଭୂମିକା ମାତ୍ର। ସବୁ ସେହି ଅଦୃଶ୍ୟ ନିୟନ୍ତା କରାଉଛନ୍ତି। ସେ ନିଜେ କେମିତି ବି କ୍ଷମା ମାଗିବେ ଜାଣି ପାରୁ ନଥିଲେ। ରାଜୁ ର ବାପାଙ୍କୁ ଯୋଡ ହସ୍ତରେ ପ୍ରଣାମ କରି କହିଲେ - ମୋତେ ଆଉ କନ୍ଦାନ୍ତୁ ନାହିଁ। ମୋର ଏଠିକି ଆସିବା ଦ୍ଵାରା ମୁଁ ଆହୁରି ପରିପକ୍ଵ ହେଇଛି। ମୁଁ ନିଜେ ଆପଣଙ୍କ ପାଖରେ ଋଣୀ। ଡକ୍ଟର ପାଢି ତାପରେ ଆସୁଛି କହି ନିଜ କୋହକୁ ଚାପି ଧରି ତୀବ୍ର ବେଗରେ ଘରୁ ବାହାରି ଆସିଲେ।

ତାଙ୍କ ଯିବା ପଥକୁ ସମସ୍ତେ ଚାହିଁ ରହିଥାନ୍ତି।

ପ୍ରଶାନ୍ତ କୁମାର ହୋତା


Rate this content
Log in