ମା ଏକ ରୁପ
ମା ଏକ ରୁପ
ପରିମଳ କଟକରେ ପତ୍ନୀ ମଧୁ ଓ ଦୁଇ ପୁଅ ଝିଅଙ୍କ ସହିତ ରୁହନ୍ତି। ମା ତାଙ୍କର ବିଧବା ହେଲେବି ଗାଁ ରେ ରହନ୍ତି। ସାଙ୍ଗରେ ରହିବା ପାଇଁ ପରିମଳ ଜଣେ ଦୂର ସମ୍ପର୍କୀୟ ଭାଇ ରବିକୁ ଆଣି ମା ପାଖରେ ରଖିଥାନ୍ତି। ଉଦ୍ଦେଶ୍ୟ ଘରର ଯାବତୀୟ କାର୍ଯ୍ୟ ରେ ସାହାଯ୍ୟ କରିବ। ପଇସା ପତ୍ର ମଧ୍ୟ ରବିକୁ ଦିଅନ୍ତି। କିନ୍ତୁ ସେଥିରେ ତାଙ୍କର ମନ ବୁଝେ ନାହିଁ। ମାଙ୍କୁ ପାଖରେ ରଖିବା ପାଇଁ ତାଙ୍କର ଭାରି ଇଛା। ପାଞ୍ଚ ବର୍ଷ ତଳେ ଥରେ ଆସିଥିଲେ ଯେ ଆଉ ତା ପରଠୁ କେବେ ଆସି ନାହାନ୍ତି। ବହୁତ ଥର ସେ କହି ବି ସାରିଲେଣି। କିନ୍ତୁ ସବୁଥର ସେ ମନା କରନ୍ତି । କହନ୍ତି ଆରେ ମୁ ଏଠି ଭଲରେ ଅଛି। ସେଠି ତୁମ ପାଖରେ ଯାଇ କାହିଁକି ବୋଝ ହେବି।
ପରିମଳ ଦୁଃଖରେ ପଚାରନ୍ତି - ତୁ କଣ ମୋ ପାଇଁ ବୋଝ। ଏମିତି ତ ମୁଁ କେବେ ଭାବିନି।
ଆରେ ମନ ଖରାପ କଲୁ କି। ମୁଁ ଏମିତି କହିଦେଲି। ମା ଟିକେ ହସି ପରିମଳକୁ ଗେଲ କରି ଦିଅନ୍ତି। ଦୁଇଟି ଭିନ୍ନ ଭିନ୍ନ ଭାବ ପ୍ରବଣତା ଭିତରେ ସମାନ କଥାର ଅର୍ଥ ମଧ୍ୟ ଯେ କେତେ ଦୂରତା ଆଣିପାରେ ତାହା ଜଣେ ମନସ୍ତତ୍ଵବିତ୍ ପାଖରେ ବି ଦୁରୂହ ଲାଗେ ।
ପରିମଳ ଗାଁ ରୁ ଫେରିଲା ବେଳକୁ ପୁଣି ଥରେ କହନ୍ତି - ମା ଆରଥରକ ଆସିଲେ ମୋ ସାଙ୍ଗରେ ନିଶ୍ଚୟ ଆସିବ। ମନା କରିବନି। ମୋ ପିଲାମାନେ ତୋତେ ଦେଖିବେ ତୁ ତାଙ୍କୁ ଦେଖିବୁ। ତୋତେ କଣ ଭଲ ଲାଗିବନି।
ମା ଦୀର୍ଘ ଶ୍ଵାସ ଛାଡି କହନ୍ତି ହଁ ଭଲ ଲାଗିବନି କାହିଁକି। ତୁ ସମସ୍ତଙ୍କୁ ଏଠିକି ଡାକି ଆଣ। ସମସ୍ତେ ପରସ୍ପର ଙ୍କୁ ଦେଖାଦେବା, ଭୋଜି କରିବା, ମଜା କରିବା। ପରିମଳ କିଛି କହି ପାରନ୍ତିନି କାରଣ ସେ ଜାଣିଛନ୍ତି ମଧୁ କେବେ ଆସିବ ନାହିଁ। ସେ ନ ଆସିଲେ ପିଲାମାନେ ମଧ୍ୟ ଆସିବେ ନାହିଁ।
ପରିମଳର ଦ୍ଵନ୍ଦ୍ଵ ଅବସ୍ଥାକୁ ଲକ୍ଷ କରି ମା କହିଲେ ବେଶୀ ଗୁଡାଏ ଚିନ୍ତା କରନା। ସବୁ ଜିନିଷ ର ସଠିକ୍ ଉତ୍ତର ପାଇବା ପାଇଁ ଉପଯୁକ୍ତ ସମୟ ଲୋଡା। ତା ଆଗରୁ ସେ କଥାର କିଛି ଗୁରୁତ୍ବ ନଥାଏ।
ପରିମଳ କିଛି ବୁଝି ନ ପାରିଲା ପରି ଅନାଇ ରହିବାରୁ ମା ପୁଣି କହିଲେ - ଆଛା କହିଲୁ ତୁ ଏକୁଟିଆ କାହିଁକି ଆସିଲୁ! ସମସ୍ତଙ୍କୁ ତ ଆଣି ପାରିଥାନ୍ତୁ।
ତୁ ତ ଜାଣିଛୁ ସେମାନଙ୍କୁ ଗାଁ ଆସିବା ପାଇଁ ଭଲ ଲାଗେ ନାହିଁ। କହିଲେ ବି ବାହାରୁ ନାହାନ୍ତି। ଯାହାର ଆଗ୍ରହ ନାହିଁ ତାକୁ ବାଧ୍ୟ କରି ଲାଭ କଣ!
ମା ହସିଲେ,କହିଲେ - ଆରେ ଗାଁ ରେ ରହିବା ପାଇଁ ସିନା ଆଗ୍ରହ ନାହିଁ ମୋତେ ଦେଖିବା ପାଇଁ ଆଗ୍ରହ ଅଛି ତ?
ଏ ପ୍ରଶ୍ନ ରେ ପରିମଳ ନୀରବ ରହନ୍ତି । କଣ ବା ଉତ୍ତର ଦେବେ। ଯାହା କହିଲେ ବି ମିଛ ରୋକି ହେବ ନାହିଁ। ସମ୍ପୂର୍ଣ୍ଣ ସତ୍ୟ କହି ବି ହେବ ନାହିଁ।
ମା ପରିସ୍ଥିତି ଦେଖି କହିଲେ ଆରେ ବାପା ତୁ ଯା। ମୁଁ ବୁଝି ପାରୁଛି ତୋତେ ଭଲ ଲାଗୁନି। ଯେତେବେଳେ ମୁଁ ଅକର୍ମଣ୍ୟ ହେଇଯିବି ସେତେବେଳେ ଟିକେ ମୋ ପାଇଁ ବ୍ୟବସ୍ଥା କରିଦେବୁ ଯେ ମୁଁ ଯେମିତି ଗୋଟିଏ ଯାଗାରେ ବସି ଠାକୁର ଙ୍କ ନାମ ନେଇ ପାରିବି। ଏବେ ତ ମୁଁ ଏଠି ଭଲରେ ଅଛି ତୁ କାହିଁକି ଏତେ ଚିନ୍ତା କରୁଛୁ।
ପରିମଳ ବହୁତ ମନ କରି ଆସିଥିଲା ମାଙ୍କୁ ନେଇ ପାଖରେ ରଖିବ ବୋଲି। ଭାବିଲା, ଆଉ ବୋଧେ ମାଙ୍କୁ ବୁଝାଇ ପାରିବ ନାହିଁ। ମାର କଥା ଆଗରେ ତା କଥା ଯେମିତି ମଳିନ ପଡି ଯାଉଥିଲା। ଶେଷ ଥର ପାଇଁ ଚେଷ୍ଟା କରି କହିଲା-ମା କିଛି ଦିନ ଆସି ରୁହ ଯଦି ଭଲ ନ ଲାଗିବ ଆଉ ବାଧ୍ୟ କରିବିନି। କହିବାର ଆତ୍ମତୃପ୍ତି ଯେମିତି କର୍ତ୍ତବ୍ୟ ସାରିଦେବାର ଅନୁଭବ ଆଣି ଦେଉଥିଲା। ପରିମଳ ଏକ ବିରାଟ ବୋଝରୁ ଟିକେ ହାଲୁକା ହେଲା ପରି ମନେ କରୁଥିଲେ।
ମା କହିଲେ -ହଉ ତୁ ଯା। ମୁଁ ସୁବିଧା ଦେଖି ଯିବି।
ପରିମଳ ଫେରିବାକୁ ବାହାରିଲେ। କର୍ତ୍ତବ୍ୟର ସୁଖ ଯେତିକି ଆହ୍ଲାଦ ଦେଉଥିଲା ମାକୁ ପାଖରେ ରଖିବାର ଅସାମର୍ଥ୍ୟତା ସେତିକି ବିଷାଦ ଢାଳି ଦେଉଥିଲା।
ପରିମଳ ଡ୍ରାଇଭ୍ କରି ଫେରୁଥାଏ। ମାର ଆସିବାର ଅନାଗ୍ରହ ବିଷୟରେ କାରଣ ଖୋଜୁଥାଏ। ଆଗରୁ ମା ପ୍ରାୟ ରହୁଥିଲେ। ଏଇ ପାଞ୍ଚ ବର୍ଷ ହେଲା ଯାଇଛନ୍ତି ଯେ ଆଉ ଆସିବାକୁ ଇଛା ବି କରୁ ନାହାନ୍ତି। ମଧୁଙ୍କ କଟୁକ୍ତି କଟାକ୍ଷ କାରଣ ହେଇପାରେ କି? ନିଜେ କିଛି ଭୁଲ୍ କରି ନାହାନ୍ତି ତ। ଅବଶ୍ୟ ନିଜର ଭୁଲ୍ ମା କ୍ଷମା କରିଦେବେ କିନ୍ତୁ ବୋହୂର ଭୁଲ କ୍ଷମା ମାଗିଲେ ବି ମନରେ ରହି ଯାଇଥାଏ।
ପୁଣି ଭାବୁଥାଏ ଗାଁ ର ମୋହ ଆଉ ନ ଆସିବାର କାରଣ କି। ନା ସେଇଟା କେବେ ହେଇ ନପାରେ। ବାପାଙ୍କ ଚାକିରୀ ଶେଷ ପର୍ଯ୍ୟନ୍ତ ମା ତ ଏଇ କଟକରେ ରହି ଆସିଛନ୍ତି । ଯେତେ ଭାବୁଥାଏ କୌଣସି ନିର୍ଯ୍ୟାସ ରେ ପହଞ୍ଚି ପାରୁ ନଥାଏ।
ଏମିତି ଭାବୁ ଭାବୁ କେତେବେଳେ ଜଗତପୁର ପହଞ୍ଚି ଗଲାଣି ଜଣା ପଡିଲା ନାହିଁ। ନୂଆ ବଜାରରେ ନିଜସ୍ବ ଘର।
ରାତିରେ ଏକାଠି ବସି ଖାଇବା ବେଳେ ମଧୁ ପଚାରିଲେ ମା କଣ ଆସିବାକୁ ମନା କଲେ।
ନା ମନା କରି ନାହାନ୍ତି। କହିଲେ ପରେ ଯିବି।
ପରେ ଆଉ କେତେବେଳେ ଆସିବେ କାହିଁକି ଆସିବେ -କଟାକ୍ଷ କରି ମଧୁ କହିଲେ । ମୋର ଯେତେବେଳେ ଦରକାର ଯଦି ଆସୁ ନାହାନ୍ତି ନ ଆସନ୍ତୁ। ଆଉ ଟିକେ ବୁଢୀ ହେଇ ଯେତେବେଳେ ଅକର୍ମଣ୍ୟ ହେଇଯିବେ ସେତେବେଳେ ସେ ଖାଲି ନ ଆସିଲେ ହେଲା।
ଆରେ ଏମିତି କଣ କହୁଛ। ତମ ମାନଙ୍କ ଯେମିତି ସେଠିକି ଯିବା ଆଗ୍ରହ ନାହିଁ ତାର ମଧ୍ୟ ଏଠିକି ଆସିବା ଆଗ୍ରହ ନାହିଁ। ୟା ଉପରେ ଯୁକ୍ତି ଲାଗି ଲାଭ କଣ। ସେ ଯେଉଁଠି ଅଛି ଖୁସିରେ ଥାଉ ।
-ହଁ ଥାଆନ୍ତୁ। ମୁଁ ବି ତ ସେୟା କହୁଛି। ଯେତେବେଳେ ଆଉଟିକେ ବୟସ ହେଇଯିବ ସେତେବେଳେ ଖାଲି ରହିଲେ ହେଲା। ଏଠିକି ଯଦି ଆଣିବ- ମୁଁ କହି ଦେଉଛି ମୁଁ କିଛି କରି ପାରିବିନି । ସବୁ ତମେ ବୁଝିବ।
- ଆରେ ଏତେ ରାଗ କଣ ପାଇଁ। ପରିମଳ ପଚାରିଲେ।
ମୁଁ କେତେବେଳେ ରାଗିଲି ! ମଧୁ ରାଗରେ ଉତ୍ତର ଦେଲେ। ମୁଁ ଖାଲି କହିଲି ଆଉଟିକେ ବୁଢୀ ହେଲେ ତମେ ତମର ବୁଝିବ। ମୋ ପାଖକୁ ଆଣିବନି।
ଆରେ ପୁଅ ପାଖକୁ ଆସିବନି ତ କାହା ପାଖକୁ ଆସିବ !
ହଉ ହେଲା ଆସନ୍ତୁ। ମୋତେ କିନ୍ତୁ ସେତେବେଳକୁ କିଛି କହିବ ନାହିଁ - ମଧୁ ବିରକ୍ତିରେ କହିଲେ।
ପରିମଳ କଣ କହିବେ ବୁଝି ପାରିଲେ ନାହିଁ। କହିଲେ, ହୋଉ ହେଲା ତମେ କିଛି କରିବନି।
-କାହିଁକି କରିବିନି। ମଧୁ ଓଲଟା ପ୍ରଶ୍ନ କଲେ। ଆସିକି ଏଠି କଣ ଲୋକଙ୍କୁ ଜଣାଇବେ ତାଙ୍କ ବୋହୁ ଖରାପ।
ପରିମଳ ଏହାର ଉତ୍ତର କେମିତି ଦେବେ ଜାଣି ପାରୁ ନଥିଲେ । କାରଣ ସେ ଜାଣିଛନ୍ତି ମଧୁ ପାଞ୍ଚ ବର୍ଷ ତଳେ ବାରମ୍ବାର ଏହିଭଳି ଭାବରେ ଘରେ ଉତ୍ତେଜନା କରୁଥିଲେ। ଶେଷରେ ମାଙ୍କ ଯୋଗୁଁ ତାଙ୍କର ସବୁ ଅସୁବିଧା ହେଉଛି ବୋଲି ବି କହିଲେ। ବୋଧେ ଏଇଥି ପାଇଁ ମା ଆଉ ଗାଁରୁ ଆସିବା ପାଇଁ ମନ କରୁନି।
ପରିମଳଙ୍କ ମନେ ପଡିଗଲା ପୁରୁଣା କଥା। ମାକୁ ରୋଷେଇ ଘରେ କିଛି କରେଇ ଦେବନି ଅଥଚ କହିବ କିଛି ସାହାଯ୍ୟ କରୁ ନାହାନ୍ତି। ଯଦି କୋଉଦିନ କିଛି କଲେ ଫାଲତୁ ହେଇଛି ବୋଲି କହିଲେ। ପୁଅଝିଅ ଏଭଳି ଖାଇବା ଖାଇବେ ନାହିଁ କହି ଫୋପଡ଼ା ହେବ ଓ ପୁଣି ବଜାରରୁ ଆସିବ। କୋଉଦିନ କବାଟ ଖୋଲିଗଲା, ଝାଡୁ କାହିଁକି ଏଠି ରଖା ହେଇଛି, ବାସନ ଏଠି ରହିବା କଥା ଏଠି କିଏ ରଖିଲା ଏମିତି ଅନେକ କିଛି। ବୋଧହୁଏ କୌଣସି ଦିନ ଯାଇ ନଥିବ ଯୋଉଦିନ ସେ ମା ବିଷୟରେ କିଛି କହି ନଥିବେ।
ଆଜି ଅଣ୍ଟା ଆଣ୍ଠୁ ଯନ୍ତ୍ରଣା ବାହାରିବାରୁ ମାର ଆବଶ୍ୟକତା ମନେ ପଡି ଯାଉଛି।
ଏତେ ସମୟ ନୀରବତା ଦେଖି ମଧୁ ଆଉଥରେ ପାଟିକରି କହିଲେ ଯଦି ମୌନ ହେଇଗଲେ ସବୁ ହେଇ ଯାଉଥାନ୍ତା ମୁଁ ବି କୋଉ ଦିନଠୁ ମୌନ ହେଇ ସାରନ୍ତିଣି ।
ପରିମଳ ନୀରବତା ଭାଙ୍ଗି କହିଲେ - ହୋଉ ଆରଥରକ ତମେ ମୋ ସାଙ୍ଗରେ ଯିବ ଯେ ମାଙ୍କୁ ନେଇ ଆସିବା ।
ମୁଁ କାହାକୁ ଖୋସାମତ କରି ପାରିବିନି।
ଠିକ୍ ଅଛି। ଆମେ କରିବାନି- ପରିମଳ କହିଲେ।
ତାହେଲେ ଯାଅ କୋଉଠୁ ଲୋକ ଖୋଜିକି ଆଣ ଯିଏ ଘର କଥା
ବୁଝି ପାରିବ।
ଲୋକ କୋଉଠି ମିଳୁଛନ୍ତି। ତମେ ଯେତିକି ପାରୁଛ କର।
କାହିଁକି ବା ! ମୋ ପୁଅ ଝିଅ କଣ ବାହାରେ ଖାଇ ବୁଲିବେ।
ଆରେ କିଏ କହିଲା । ତମେ ଯାହା ପାରୁଛ ପୁଅ ଝିଅ ଙ୍କୁ ଖିଲାଅ।
ଆଉ ତମେ କଣ କରିବ! ବସିକି ଖାଇବ।
ନାଇ ନାଇ ବସିକି କାହିଁକି ଖାଇବି। କଣ କରିବି କହୁନ।
ମୁଁ କାହିଁକି କହିବି। ତମେ କଣ ଜାଣିନ କି?
ତମେ ତାହେଲେ ଚୁପ୍ ରୁହ ।
ମୁଁ କାହିଁକି ଚୁପ୍ ରହିବି ।
ମୁଁ ତାହେଲେ ଚୁପ୍ ରହୁଛି।
ସେଇଟା ତ ତମେ ଭଲକରି ଜାଣିଛ।
ପରିମଳ ଆଉ ଆଗକୁ ବଢି ପାରିଲେ ନାହଁ। କଥା ବନ୍ଦ କରି ବିଶ୍ରାମ ନେବେ ଭାବୁଥିଲେ ପୁଣି ମଧୁଙ୍କ କଣ୍ଠ ସ୍ୱର ଶୁଭିଲା- ହଁ ହଁ ସବୁ ଭୁଲ୍ ତ ମୋର।
ପରିମଳ କିଛି କହିଲେ ନାହିଁ।
ହୋଉ ମା ବେଶି ବୁଢୀ ହେଇଗଲେ କିଏ ତାଙ୍କ କଥା ବୁଝିବେ ଦେଖିବା।
କିଏ କାହିଁକି ବୁଝିବେ। ତମେ ବୁଝିବ ମୁଁ ବୁଝିବି।
ମୁଁ ଜମାରୁ ବୁଝିବିନି।
ତମେ ବି ଦିନେ ବୁଢୀ ହେବ ଜାଣିଛ ତ। ତମ ପୁଅ ବୋହୁ ଯଦି ଏମିତି କରିବେ।
ଏମିତି ମାନେ କଣ ବା। ଜାଣିଥାଅ ମୋ ପୁଅ ସେମିତିଆ ନୁହେଁ। ମୁଁ ତାକୁ ବଢେଇଛି। ମୁଁ ଜାଣିଛି ସେ କଣ କରିବ।
ପରିମଳ ପତ୍ନୀଙ୍କ ଅହଂଭାବକୁ ଦେଖି ଡରିଗଲେ ଓ ପରିଣତି ବୁଝିବାକୁ ଚେଷ୍ଟା କରୁଥିଲେ। ସେ ସ୍ଵାମୀ ହିସାବରେ ତାଙ୍କୁ ବି ତ ସହଭାଗୀ ହେବାକୁ ପଡିବ। ବିଷାଦରେ ଟିକେ ହସ ଭରି କହିଲେ ହୋଉ ପୁଅକୁ ସିନା ଜାଣିଛ ଯୋଉ ବୋହୁ ଆସିବ ତାକୁ ବି କଣ ଜାଣିଛ।
ମୁଁ ସେମିତି ଆଜେ ବାଜେ ବୋହୁ ଖୋଜିକି ଆଣିବିନି ଜାଣିଥାଅ।
ତାମାନେ ତମେ କଣ କହୁଛ ମୋ ମାଁ ଆଜେ ବାଜେ ବୋହୁ ଖୋଜିକି ଆଣିଛନ୍ତି ।
ହଁ ଅଲବତ୍ କହିବି। ଦୃଢତାର ସହ ମଧୁ ରାଗରେ କହିଲେ।
ତମେ ଯାହା କହୁଛ ରାଗରେ ନିଜେ ବୁଝି ପାରୁଛ ତ ।
କାହିଁକି ତମେ ଏକୁଟିଆ ବୁଝୁଛକି? ମୁଁ ଠିକ୍ ବୁଝିଛି।
କଣ ବୁଝିଲ କୁହ। ପରିମଳ ବିଦ୍ରୁପ ମିଶା ବିରକ୍ତି ରେ ପଚାରିଲେ।
ତମେ କହୁନ। ମଧୁଙ୍କ ଶ୍ଳେଷୋକ୍ତି ଥିଲା
ତମେ ନିଜକୁ ଆଜେ ବାଜେ ବୋହୁ ବୋଲି ସ୍ଵୀକାର କରୁଛ। ଜାଣିଛ ତ!
ମଧୁ ବୋଧେ ନିଜ କହିଥିବା ଭୂଲ୍ ବୁଝିପାରୁଥିଲେ। ତୁରନ୍ତ କଥା ବଦଳାଇ କହିଲେ- ତମେ ମୋତେ ଆଜେ ବାଜେ କହିବନି ତ ଆଉ କାହାକୁ କହିବ। ତମକୁ ଯାହା ଖରାପ୍ ଲାଗୁନି।
କହିଦେଲେ ସିନା କିନ୍ତୁ କହିବାର ନିଲ୍ଲଜ ପଣରେ ନିଜେ ଲାଲ୍ ପଡି ଯାଉଥିଲେ ।
ଆରେ ମୁଁ କେତେବେଳେ କହିଲି - ତମେ ଆଜେ ବାଜେ ବୋଲି । ହସ ରୋକି ପରିମଳ କହିଲେ ।
ତମେ କହିନ ତ ଏଠି ଆଉ କିଏ ଅଛି କହିଲା। କହୁ କହୁ ମଧୁର ବ୍ଲଡ ପ୍ରେସର ବୋଧେ ବଢି ଯାଇଥିଲା ଆଉ ଆଗକୁ କିଛି କହି ପାରିଲେ ନାହିଁ। ମୁଣ୍ଡ ଝିମ୍ ଝିମ୍ ହେଇ ବୁଲେଇବାରୁ ତଳେ ପଡି ଅଚେତ ହୋଇଗଲେ।
ପରିମଳ ତୁରନ୍ତ ଗାଡି କାଢି ବଡ ମେଡିକାଲକୁ ନେଇ ଆସିଲେ। ରାତି ବେଳ। ଆଶୁ ଚିକିତ୍ସା ଆରମ୍ଭ ହେବା ଡେରି ହୋଇଗଲା। ମଧୁଙ୍କ ଶରୀର ବାମ ପାଖ ପାରାଲିସିସ ଧରିବା ଆରମ୍ଭ କରିଥାଏ। ସମସ୍ତ ପ୍ରକାର ଚେଷ୍ଟା ପରିମଳ କରୁଥାନ୍ତି। ଅଧିକ ମେଡିକାଲ ସାହାଯ୍ୟ ପାଇବା ଆଶାରେ ଯୋଉଠି ଯେତେ ପରିଚିତ ମନେ ପକାଇ ପରିମଳ ଫୋନ୍ କରୁଥାନ୍ତି। ମଧୁ କିଛି କହି ପାରୁ ନଥାନ୍ତି। ଧିରେ ଧିରେ ସେହି ଅବଚେତନ ଅବସ୍ଥାରେ
ରାତି ସାରା ବିତିଗଲା। ସକାଳୁ ଉଠିଲା ବେଳକୁ ଦେଖିଲେ ଶାଶୁ ମା ପାଖରେ ବସିଛନ୍ତି। କଣ କହିବା ପାଇଁ ଚାହୁଁଥିଲେ କହି ପାରିଲେ ନାହିଁ। ଆଖିରେ ମାଡି ଆସୁଥିବା ଲୁହ କହିବାର ଶକ୍ତି କୁ ପ୍ରତିରୋଧ କରୁଥିଲା। ମା କହିଲେ ବ୍ୟସ୍ତ ହନା। ସବୁ ଠିକ୍ ହେଇଯିବ। ମୋ ଭାଇର ସାଙ୍ଗ ଡକ୍ଟର ରାଜୁ ଦାସ ଏଠି ନ୍ୟୁରୋଲଜିରେ ଅଛନ୍ତି। ସେ ଭୋରରୁ ଆସି ତୋତେ ଦେଖି ଯାଇଛନ୍ତି। କହିଲେ ଦୁଇ ଚାରି ଦିନରେ ସବୁ ଠିକ୍ ହେଇଯିବ। ଉପରବେଳା ପୁଣି ଥରେ ଆସିବେ ତୁ ନିଜେ କଥା ହେଇଯିବୁ।
ମଧୁ କହିଲେ ଆପଣ ଆସିଲେ କେମିତି ଆଉ ଅନ୍ୟମାନେ?
ମା କହିଲେ ମୁଁ ସମସ୍ତଙ୍କୁ ଘରକୁ ପଠେଇ ଦେଇଛି। ରାତିସାରା ଥିଲେ। ଘରେ ନିତ୍ୟ କର୍ମ ସାରି ଆସିବେ। ତୋର କଣ ଦରକାର କି?
ମଧୁ ପୁଣି ପଚାରିଲେ -ଆପଣ ଆସିଲେ କେମିତି?
ପରିମଳ ଫୋନ୍ କରିଥିଲା। ମନଟା ଭଲ ଲାଗିଲା ନାହିଁ। ମୋ ପାଖରେ ଯୋଉ ପୁତୁରା ଟୋକା ରହୁଛି ସେ ଯାଇ ତାର ସାଙ୍ଗ କିଏ ଗାଡି ଚଳାଉଛି ଡାକିକରି ଆଣିଲା। ମୁଁ ତା ସାଙ୍ଗରେ ପଳେଇ ଆସିଲି। ହୋଉ ତୁ ଏତେ କଥା ହନା। ତୋ ନିତ୍ୟ କର୍ମ ସେମାନେ ଆସିବା ଆଗରୁ ସାରିଦେ ଯେ ପୁରା ଫ୍ରେଶ୍ ଲାଗିବୁ। କିଛି ହେଇଛି ବୋଲି କେହି ଜାଣି ପାରିବେନି।
ମଧୁ ଆଚମ୍ବିତ ହେଇ ଶୁଣୁଥାଏ ମାଙ୍କୁ ଦେଖିଥାଏ, ବୁଝିବାକୁ ବି ଚେଷ୍ଟା କରୁଥାଏ।
କିଛି ସମୟ ପରେ ପରିମଳ ପୁଅ ବିଜୁ ସହିତ ଆସି ପହଞ୍ଚିଲେ। କହିଲେ ତମଘରୁ ବୋଉ ଫୋନ୍ କରିଥିଲେ ତମ କଥା ପଚାରୁ ଥିଲେ। ମୁଁ କହିଲି ଆଜି ସବୁ ପରୀକ୍ଷା ହେଲା ପରେ ଜଣା ପଡିବ। ଫୋନ୍ ମଝିରେ ମଝିରେ କରିବା ପାଇଁ କହିଛନ୍ତି।
ମା ମଝିରେ ବାଧା ଦେଇ କହିଲେ - ଘରେ କଣ ଅସୁବିଧା ଥିବ ଆସି ପାରୁ ନଥିବେ। ତାପରେ ଆମେ ସମସ୍ତେ ଅଛୁ ତୁ ଜମାରୁ ବ୍ୟସ୍ତ ହନା କହି ଆଶ୍ଵାସନା ବାଣୀ ଶୁଣାଇଲେ। ଏତିକିବେଳେ ପରିମଳ ଙ୍କ ଫୋନ୍ ବାଜିଲା।
ବୋଉ ଫୋନ୍ କରିଛନ୍ତି ବୋଲି ମଧୁଙ୍କୁ କହିଲେ। ମଧୁ ଫୋନ୍ ମାଗି କଥା ହେଲେ। ଜାଣିଲେ ନାତିକୁ ଜର ହେଇଛି ବୋଲି ରହି ଯାଇଛନ୍ତି। ଭଲ ହେଲେ ନିଶ୍ଚୟ ଆସିବେ
ତିନି ଦିନ କାଳ ମଧୁ ହସ୍ପିଟାଲରେ ରହିଲେ। ମା ପାଖରେ ଜଗି ରହିଥାନ୍ତି। ପରିମଳ ତାଙ୍କର ନିୟମିତ ଅଫିସ୍ ଯାଆନ୍ତି। ପୁଅ ତାର ଏମଟେକ୍ ଆଡମିସନ ପାଇଁ ଖଡଗପୁର ଯାଇଥାଏ। ଡକ୍ଟର ରାଜୁ ସମ୍ପୂର୍ଣ୍ଣ ଦାୟିତ୍ଵ ନେଇଥିଲେ। ବୋଧହୁଏ ଏହି ପ୍ରଥମଥର ପାଇଁ ମାଙ୍କ ଧର୍ଯ୍ୟ କୁ ସେ ଅତି ନିକଟରୁ ଦେଖିଲେ। ନିକଟସ୍ଥ ଆତ୍ମୀୟ ଯିଏ ବି ଆସୁଥାନ୍ତି ମାଙ୍କ ନିଷ୍ଠା କୁ ପ୍ରଶଂସା କରୁଥାନ୍ତି।
ମଧୁ ସବୁ ଦେଖୁଥାନ୍ତି । ସେ ବି ଜଣେ ମା ତାଙ୍କ ବୋଉ ବି ଜଣେ ମା ଆଉ ପାଖରେ ଯିଏ ତିନି ଦିନ କାଳ ବସିଛନ୍ତି ସେ ବି ଜଣେ ମା। ସବୁ ମାଙ୍କୁ କଣ ଏକା ରୁପ ଦିଆ ଯାଇପାରେ। ସବୁ ମାଙ୍କୁ କଣ ସମାନ ଭାବରେ ଗ୍ରହଣ କରାଯାଇ ପାରେ। ଅନ୍ତତଃ ପକ୍ଷେ ମୁଁ ତ ଭାବି ପାରୁନାହିଁ। ନିଜ ପିଲାଙ୍କ ସ୍ଵାର୍ଥ ପାଇଁ ମୁ ଅନ୍ଧୀ ମୋ ବୋଉ ମଧ୍ୟ ତା ପିଲାଙ୍କ ସ୍ଵାର୍ଥ ପାଇଁ ଅନ୍ଧୀ ଆଉ ମୋ ଶାଶୁ ମଧ୍ୟ କେତେକାଂଶରେ ସମପରିମାଣର ଅନ୍ଧୀ। ଯାହା ନିଜ ପିଲାଙ୍କ ପାଇଁ ମହାନ୍ ତାହା ଅନ୍ୟ କାହା ପାଇଁ ଘୃଣ୍ୟ ମଧ୍ୟ ହେଇପାରେ। ତେଣୁ ମା ଶବ୍ଦକୁ ସର୍ବୋତଭାବେ ମହୀୟସୀ କରାଯାଇ ନପାରେ। ଏଇ ପରିପ୍ରେକ୍ଷୀରେ କର୍ଣ୍ଣ ବୋଧେ ଠିକ୍ କହିଥିଲେ। ତାଙ୍କୁ ଯଦି ପାଣ୍ଡବ ଭ୍ରାତା ହିସାବରେ କୃଷ୍ଣାଙ୍କୁ ପତ୍ନୀ ରୁପେ ଗ୍ରହଣ କରିବାକୁ କୁହାଯାଏ ତାହାଲେ ସେ ନିଶ୍ଚୟ ମନା କରିବେ। ଅନୁଚିତ୍ କାର୍ଯ୍ୟ ପାଳନ କରି ମାତୃଭକ୍ତ ହେବା ଅପେକ୍ଷା ସେ ଉଚିତ୍ କାର୍ଯ୍ୟ ପାଇଁ ମାତୃ ମାତୃ ଅବଜ୍ଞା କରିବାକୁ ପଛାଇବେ ନାହିଁ। ପୁତ୍ରର ଉଚିତ୍ କାର୍ଯ୍ୟ ଯଦି ମାକୁ ଅସହ୍ୟ ବୋଧ ହେଲା ତାହେଲେ ମା ମହୀୟସୀ ହେଲେ କେମିତି।
ଭାବନାରେ ପୂର୍ଣଛେଦ ପଡୁ ନଥାଏ ମଧୁର। କିନ୍ତୁ ଅପର୍ଯ୍ୟାପ୍ତ ଭାବନା ମନ ଭିତରେ ବହୁତ କିଛି ସଂସ୍କାର ଆଣି ଦେଉଥାଏ। ସେ ଆଜି ହସ୍ପିଟାଲରୁ ମୁକ୍ତି ପାଇ ଯିବେ ସତ କିନ୍ତୁ ଏକ ଅପରିଷ୍କାର ମନରୁ ମଧ୍ୟ ମୁକ୍ତି ପାଇଯିବେ। ଏତେ ସ୍ଵାର୍ଥୀ ହେଇ ସେ ମା ଯୋଗ୍ୟା ହେବେ କେମିତି। କେବଳ ଜନ୍ମ କରିଦେଲେ କଣ ମା ପଦ ମିଳିଯାଏ। ମା ନିଜ ଭିତରେ ଏକ ଆଦର୍ଶ, ସଂସ୍କାର ଓ ସଂହତି ଯାହାର ପ୍ରାପ୍ତିରେ ପରିବାର ପୂର୍ଣାଙ୍ଗ ହୁଏ ଓ ଏକ ଉନ୍ନତ ସମାଜ ପାଇଁ ବାଟ ଖୋଲିଯାଏ।
ମଧୁ ଭାବୁଥିଲା ମନସ୍ତତ୍ଵକୁ ଓ ନୃତତ୍ଵକୁ ପଢି ମଧ୍ୟ କେତେ ଡେରିରେ ସେ ଏକଥା ବୁଝି ପାରିଲା।
ପରିମଳ କାଗଜ ପତ୍ର କାମ ସାରି ପହଞ୍ଚି ସାରିଥିଲେ - କହିଲେ ଏଥର ଘରକୁ ଚାଲ ସେଠି ବିଶ୍ରାମ ନେବ। ମଧୁ ହସିଲେ କହିଲେ ଆଉ ବିଶ୍ରାମ ନେବିନି। ଏତେ ଡେରିରେ ବୁଦ୍ଧି ପଶିଛି ସହଜରେ ଛାଡିବି କେମିତି। ବିଶ୍ରାମ ନେବା ପାଳି ମାଙ୍କର। ମୋ ସମୟ ଆସିଲେ ମୁଁ ବିଶ୍ରାମ ନେବି। ପରିମଳ ଥରେ ମାଙ୍କ ଆଡେ ଥରେ ମଧୁ ଆଡେ ଅନାଉଥାନ୍ତି।
ବାଟରେ ଗଲାବେଳେ ମା ପରିମଳ ଆଡେ ଅନେଇ କହିଲେ- କହିଥିଲି ପରା ସବୁ ଜିନିଷ ର ସଠିକ୍ ସମୟ ଆସିଲେ ତାର ଉତ୍ତର ଆପେ ମିଳିଯିବ। ଏବେ କଣ ତୋ ଘର ଛାଡ଼ି ଆଉ ମୁ ଯିବି। ମୋ ସଂସାର ଏବେ ଏଇଠି।
ପରିମଳ ଆଶ୍ଚର୍ଯ୍ୟ ହେଇ ପଚାରିଲା - ସତରେ ମା, ମିଛ କହୁନ ତ
ଆରେ ନା ମିଛ କାହିଁକି କହିବି। କେତେ ଦିନରୁ ମୁଁ ଏଇ ମୂହୁର୍ତ୍ତ କୁ ଅପେକ୍ଷା କରି ରହିଥିଲି।
ପରିମଳ କିଛି ବୁଝି ପାରିଲା ନାହିଁ କି ବୁଝିବାର ଆଗ୍ରହ ମଧ୍ୟ ନଥିଲା। ମାକୁ ପାଖରେ ରଖି ପାରିବାର ସୁଖ କୁ ଭାବି ସେ ଭାବ ବିଭୋର ହେଇ ଯାଉଥିଲେ।
ପ୍ରଶାନ୍ତ କୁମାର ହୋତା