Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

ହାଏରେ ମୋ ଫଟୋ !

ହାଏରେ ମୋ ଫଟୋ !

23 mins
7.3K


ଅଫିସରୁ ବାପା ଆଜି ବେଶ୍ ଖୁସିରେ ଫେରିଥିଲେ । କିଛି ପ୍ରକାଶ ନକରିଲେ ବି ତାଙ୍କ ମୁହଁରୁ ପ୍ରସନ୍ନତା ଝଲକି ଆସୁଥିଲା । ସାର୍ଟ ଖୋଲୁ ଖୋଲୁ ବୋଉ ଉଦ୍ଦେଶ୍ୟରେ ପାଟି କରି କହିଲେ, “ଏଥର ସିମିର ତିନି ଚାରିଟା ଭଲ ଭଲ ଫଟୋ ଉଠେଇ ରଖ । ଶୀଘ୍ର ଦରକାର ପଡିବ ।“

ବାପାଙ୍କ କଥାରେ ବୋଉ ରୋଷେଇଘରୁ ଚମକିପଡି ବାହାରି ଆସିଲା । ଲୁଗାକାନିରେ ହାତ ପୋଛୁ ପୋଛୁ ଆସି ଶୋଇବାଘର ବାରଣ୍ଡାରେ ହାଜର ହେଇଗଲା । ବାପାଙ୍କ କଥା ଶୁଣିଥିଲେ ବି ଆଉ ଥରେ ପଚାରି ବସିଲା, “କ’ଣ ହେଲା.. ଏତେ ଖୁସି ଜଣା ପଡୁଛି ଯେ ?”

“ନାଇଁ ଆଉ ହେବ କ’ଣ .. ଝିଅଟା ଦେଖୁ ଦେଖୁ ବଡ ହେଇଗଲାଣି । ତେଣୁ ପୁଅଘର ସବୁ ଖବର ପଠେଇଲେଣି । ଆଜି ଦଇତାରୀବାବୁ ପଚାରୁଥିଲେ ତାଙ୍କ ଭାଇର ପୁଅ ପାଇଁ । ମୁଁ ତ ସିମି ବିଷୟରେ ଏପର୍ଯ୍ୟନ୍ତ ମନ ଦେଇନଥିଲି, କିନ୍ତୁ ସେମାନେ କହିଲାରୁ ଏବେ ମୁଣ୍ଡକୁ ପଶିଲା । ତୁମେ କ’ଣ କହୁଛ ?”

ବାପାଙ୍କ ପ୍ରଶ୍ନରେ ବୋଉ ଆଖିରୁ ଦି’ ଧାର ଲୁହ ବାହାରି ଆସିଲା । “ହଁ, ଝିଅ ଜନମ ତ ପରଘରକୁ । ବାହା ତ ଯେମିତି ହେଲେ କରିବା । ଏବେ ଠାରୁ ଦେଖିବା ଆରମ୍ଭ କରିଦେଲେ, ଭଲ । ଯେତେ ଶୀଘ୍ର ଭଲ ଘର, ଆଉ ଭଲ ବରପାତ୍ର ମିଳିଯିବ, ସେତେ ଶୀଘ୍ର କରିଦେବା ।“

ବୋଉର କଣ୍ଠରେ ଆଦ୍ରତା ଭରି ରହିଥିଲା । ବାପା ବି ଥଣ୍ଡା ନିଶ୍ବାସଟିଏ ଛାଡିଦେଲେ । ହେଲେ ସେମାନଙ୍କ କଥାବାର୍ତ୍ତା ଶୁଣୁ ଶୁଣୁ ମୋ ମନରେ ମେଞ୍ଚାଏ ସୁନେଲି ସପନ ଭରିଗଲା । ଗଛକୁ ପାଣି ଦେବା ଛାଡିଦେଇ ଦୌଡି ଦୌଡି ନିଜ ରୁମ୍ କୁ ଚାଲିଆସିଲି । ଛାତି ମୋର ଧକ୍ ଧକ୍ ହେଉଥିଲା । ଲଜ୍ଜା, ଖୁସି, ପୁଲକ .. ସବୁ ମିଶିଯାଇ କାନମୁଣ୍ଡ ଲାଲ୍ ହେଇଯାଇଥିଲା । ଦର୍ପଣ ଆଗରେ ଯାଇ ମୁଁ ଠିଆ ହେଇଗଲି, ଆଉ ନିଜକୁ ନିରେଖି ଦେଖିଲି । ମୁଁ ଯେ ଖୁବ୍ ସୁନ୍ଦର, ସେଥିରେ କିଛି ଭାବିବାର ନଥିଲା । ମୋ ସାଙ୍ଗମାନେ ମତେ ସବୁବେଳେ ଚିଡାନ୍ତି, “ସିମିର କ’ଣ ଅଛି, କୋଉଠି ତା’ ଲାଗି ରାଜକୁମାରଟିଏ ଥିବ, ଘୋଡା ଉପରେ ବସିକି ଆସି, ଆଗ ତାକୁ ନେଇଯିବ । ଆମେ ସମସ୍ତେ ଚାହିଁ ରହିଥିବୁ ।“

ଆଜି ବାପାଙ୍କ କଥାରୁ ଲାଗିଲା, ରାଜକୁମାରର ଆସିବା ବେଳ ହେଇଗଲାଣି । ଏବେ ଖାଲି ଯାହା କବାଟ ଖୋଲିବା ବାକି ଅଛି । ମନ ହେଉଥିଲା ଦଉଡି ଯାଇ ସାଙ୍ଗମାନଙ୍କୁ ଏ ଶୁଭ ଖବରଟା ଶୁଣେଇ ଦେବାକୁ । ଖୁବ୍ ଶୀଘ୍ର ସେମାନଙ୍କ କଥା ସତ ହେବାକୁ ଯାଉଛି ବୋଲି ଜଣେଇ ଦେବାକୁ । କିନ୍ତୁ ଜଣେଇବି କ’ଣ ? ମୁଁ ତ କିଛି ଜାଣିନାହିଁ ସେ ରାଜକୁମାର ବିଷୟରେ ! ଖାଲି ଦଇତାରୀ ବାବୁଙ୍କ ଭାଇର ପୁଅ ବୋଲି ଶୁଣିଲି । କିନ୍ତୁ ସେତିକି ପରିଚଯ ତ ଯଥେଷ୍ଟ ନୁହେଁ !

ନିଜ ଉପରେ ଏବେ ଖୁବ୍ ରାଗ ମାଡିଲା । କାହିଁକି ଆଉ ଟିକିଏ ସମୟ ଠିଆହୋଇ ନଶୁଣିକି ଦଉଡି ଚାଲିଆସିଲି ! ଆଉ ଥରେ ତଳକୁ ଯାଇ ସବୁକଥା ଶୁଣିକି ଆସିଲେ ହେବ ବୋଲି ଭାବି ଓହ୍ଲେଇ ଆସିଲି ଉପର ମହଲାରୁ । କିନ୍ତୁ ସେତେବେଳକୁ ବାପା ଟିଭି ଦେଖାରେ ବ୍ୟସ୍ତ ହୋଇ ସାରିଥଲେ ଆଉ ବୋଉ ବ୍ୟସ୍ତ ହେଇ ଯାଇଥିଲା ନିଜ ରୋଷେଇ କାମରେ ।

ମନେ ମନେ ଭାରି ବିବ୍ରତ ବୋଧ କଲି । ଘରେ ଆଉ କେହି ନାହାନ୍ତି, ଯାହାକୁ ଏସବୁ କଥା ପଚାରି ହେବ । ଅନ୍ୟ ଉପାୟ ନପାଇ ବୋଉର ଆଖପାଖରେ ଏକଡ ସେକଡ ହେବାକୁ ଲାଗିଲି । କାଳେ ତା’ ପାଟିରୁ କିଛି ବାହାରି ଆସିବ …. କାଳେ ସନ୍ଧ୍ୟାବେଳର କଥାକୁ ସେ ଆଉ ଥରେ ଦୋହରେଇବ ! ହେଲେ ସେ ତା’ କାମରେ ଏତେ ବ୍ୟସ୍ତ ଥଲା ଯେ ସେ ମୂଳରୁ ଜାଣି ହି ପାରିଲା ନାହିଁ ଯେ ମୁଁ ବି ସେଇ ରୋଷେଇଘର ଭିତରେ ଅଛି !

ଶେଷରେ ଅନ୍ୟନୋପାୟ ହେଇ ମୋ ରୁମ୍ କୁ ଫେରିଆସି ନିଜକୁ ସଜେଇବାରେ ଲାଗିଲି । ହୁଏତ ବୋଉ ଏବେ ଆସି କହିପାରେ ଫଟୋ ଉଠେଇବାକୁ ଯିବାକୁ ! କମ୍ ସେ କମ୍ ସେଇ ବାହାନାରେ ତ ଦୁଇ ଚାରିଟା ପ୍ରଶ୍ନ ତାକୁ ମୁଁ ପଚାରି ପାରିବି !

ମାତ୍ର ସେକଥା ବି ହେଲାନି । ସେଦିନ ତ ଛାଡ, ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ବି ଫଟୋ ଉଠେଇବା କଥା ବୋଉ ଜମା ଉଠେଇଲାନି । ସବୁଦିନ କଲେଜ୍ ରୁ ଫେରି ନିଜକୁ ସଜେଇ ଏଇ ପ୍ରତୀକ୍ଷାରେ ମୁଁ ରୁହେ ଯେ ବୋଉ ଫଟୋ ଉଠେଇବାକୁ ଯିବା କଥା କହିବ । କିନ୍ତୁ ବୋଉ ଆଉ ବାପାଙ୍କର କି ଗୁପ୍ ଚୁପ୍ କଥାବାର୍ତ୍ତା ଚାଲିଥାଏ କେଜାଣି, ସେମାନେ ମୋ ଉପସ୍ଥିତିକୁ ବି ବେଳେ ବେଳେ ଜାଣି ପାରନ୍ତିନି ।

ପ୍ରଥମେ ପ୍ରଥମେ ଭାବିଲି, କାଳେ ମୋରି ବିଷୟରେ କଥା ହେଉଥିବେ .. ତେଣୁ ଥରେ ଦି’ ଥର ଲୁଚି ଲୁଚି ଶୁଣିବାକୁ ଚେଷ୍ଟା ବି କଲି । ମୋ ପରିଶ୍ରମ କିନ୍ତୁ ବିଫଳ ହେଲା । ବାପା ବୋଉଙ୍କର ଜମିବାଡି, ଗାଁ ଘର, ବଡବାପା, ବଡମା’, ସବୁ ବିଷୟରେ .. ଏମିତି କି ଦେଶର ରାଜନୀତି ଉପରେ ବି କଥାବାର୍ତ୍ତା ଚାଲିଥିଲା, କେବଳ ମୋ ବାହାଘର କଥା ଛାଡିକି !

ମନେ ମନେ ବୋଉ ଉପରେ ମୁଁ ଖୁବ୍ ରାଗୁଥିଲି । କିଛି ଦାୟୀତ୍ବ ନାହିଁ ସତରେ ତା’ର ! ସବୁ କାମରେ ଏତେ ହେଳା କଲେ କେମିତି ଚଳିବ ! ଝିଅ ବାହାଘର ତ କିଛି ପିଲାଖେଳ କଥା ନୁହେଁ ନା !

ଏମିତି ଏମିତି ହେଇ ତିନି ଚାରି ଦିନ ଗଡିଗଲା ପରେ ମୁଁ ଥକିଗଲି । ନିଜକୁ ଆଉ ସଜେଇବାର ସ୍ପୃହା ରହିଲାନି । ସମସ୍ତେ କହୁଛନ୍ତି ମତେ ଦେଖୁ ଦେଖୁ ପୁଅଘର ଲାଇନ୍ ଲଗେଇ ଦେବେ । ଅମକ କରିବେ .. ସମକ କରିବେ । କିନ୍ତୁ କରିବେ କେମିତି ? ଆଗ ଫଟୋ ଦେଖିଲେ ସିନା କିଏ ପସନ୍ଦ କି ଅପସନ୍ଦ କରିବ ! ଏଠି ତ ଘରଲୋକଙ୍କର ହି କିଛି ଆଗ୍ରହ ନାହିଁ ! ଆଉ ମୁଁ କ’ଣ ନିଜେ ନିଜ ଫଟୋ ଉଠେଇବି ଯାଇ ?

ମନ ଭିତରେ କେତେ ପ୍ରକାରର ବୁଢିଆଣୀ ଜାଲ ବୁଣା ଚାଲିଥିଲା ବେଳେ, ହଠାତ୍ ମତେ ଆଶ୍ଚର୍ଯ୍ୟ କରେଇ ବୋଉ ଆସି ପହଞ୍ଚି ଫଟୋ ଉଠେଇ ଯିବା କଥା କହିଲା । ଆଗରୁ କେତେ ଭାବିକି ରଖିଥିଲି ଏଇ ସମୟ ଆସି ପହଞ୍ଚିଲେ ବୋଉକୁ ସବୁକଥା ପଚାରି ବୁଝିନେବି । କିନ୍ତୁ ଏଇଲେ ସେଇ ସୁବର୍ଣ୍ଣ ସୁଯୋଗ ମୋ ହାତରେ ଥିଲେ ସୁଦ୍ଧା ମୋ ପାଟି ଖୋଲିଲାନି ।

ନିଜ ହାତରେ ବେଶ କରି ବୋଉ ମତେ ଫଟୋ ଉଠେଇବାକୁ ନେଇଗଲା । ଭାରି ଉଦାସ ଲାଗୁଥଲା ସେ । ମୁଁ ମନେ ମନେ ବହୁତ ଉତ୍ସାହିତ ଥିଲେ ବି ତା’ର ଉଦାସ ମୁହଁ ଦେଖି ଚୁପ୍ ରହିବାକୁ ବାଧ୍ୟ ହେଲି ।

ଫଟୋ ଉଠେଇସାରି ଫେରିଲା ବେଳେ ବୋଉ ପୁଅ ବିଷୟରେ ବାଆଁରେଇ ବାଆଁରେଇ କେତେ କ’ଣ ସବୁ କହିବାକୁ ଲାଗିଲା । ମୁଁ କାଳେ ମନଦୁଃଖ କରିବି ବୋଲି ବଞ୍ଚେଇ ବଞ୍ଚେଇ ସବୁକଥା କହୁଥିଲା । ହେଲେ ସେ କାହୁଁ ଜାଣିବାକୁ ଯିବ ଯେ ଏସବୁ ବିଷୟରେ ଜାଣିବାକୁ ମୋ ମନରେ କେତେ ଆଗ୍ରହ ! ସବୁ ଉତ୍ସାହକୁ ମନ ଭିତରେ ଚାପିରଖି ମୁଁ ଖାଲି ହଁ ହାଁ ମାରି ତା’ ସାଙ୍ଗରେ ଚାଲିଥାଏ । ତା’ କଥାରୁ ଏତିକି ଜାଣିଲି ଯେ ପୁଅ ଏଇନେ ଲେକଚରର୍ ଅଛି । ଆଇ.ଏ.ଏସ୍‍ ପାଇଁ ଚେଷ୍ଟା ଚଲେଇଛି । ଯଦିଓ ଲେକଚରର୍ ଜୋଇଁ ବାପାଙ୍କର ପସନ୍ଦ ନୁହେଁ, ତେବେ ଆଶା ରଖିଛନ୍ତି କାଳେ ଆଇ.ଏ.ଏସ୍‍ ପାଇଯିବ ! ଏବେ କିଛି ଦିନ ପାଇଁ ଅପେକ୍ଷା କରିବେ ବାପା, ଯଦି ନ ପାଇବ, ତେବେ ମନା କରିଦେବେ ।

ବୋଉ କଥା ଶୁଣି ବାପାଙ୍କ ଉପରେ ରାଗ ଆସିଲା । କ’ଣ ହେଇଗଲା ଲେକଚରର୍ ହେଲେ ? ଲେକଚରର୍ ମାନେ କ’ଣ ବାହା ହେଉନାହାନ୍ତି ! ନା ସେମିତି କିଛି ମାନେ ଅଛି ଯେ ସମସ୍ତେ ଖାଲି ଡାକ୍ତର, ଇଂଜିନିଅର୍ କି ଆଇ.ଏ.ଏସ୍‍ ଜୋଇଁ କରିବେ ? ଭଲ ଘର, ଭଲ ବର ହେଲେ, ଗଲା ! ସେସବୁ ମନପସନ୍ଦର ହେବା ସହିତ ଦେଖିବାକୁ ବି ଭଲ ଅଛି ବୋଲି ବୋଉ କହୁଛି । ଆଉ ଅଧିକା କ’ଣ ଦରକାର ?

ମୁଁ ସିନା ମୋ ମନକୁ ଏସବୁ ବୁଝେଇ ଦେଉଥିଲି, ହେଲେ ବାପାଙ୍କ ଆଗରେ କେମିତି କହିବି ? ତାଙ୍କର ବି ସବୁ ବୁଝିବା ଶକ୍ତି କୁଆଡେ ଚାଲିଗଲାଣି, କେଜାଣି ?

ସେଦିନ ରାତିରେ ଅନେକ ସମୟ ପର୍ଯ୍ୟନ୍ତ ମତେ ନିଦ ହେଲାନି । ଆଖି ବୁଜିଲା ମାତ୍ରେ ବିଚିତ୍ର ସ୍ବପ୍ନ ସବୁ ଧାଡିବାନ୍ଧି ଆସି ନିଦ ଭାଙ୍ଗିଦେଲେ । ଦେହରେ, ମନରେ ଶିହରଣ ଖେଳି ଯାଉଥିଲା । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି, ବାପା ଯେମିତି ରାଜି ହେଇଯାନ୍ତୁ ।

ଦୁଇ ତିନି ଦିନ ଭିତରେ ଫଟୋ ସବୁ ଧୁଆ ହେଇ ଆସିଗଲା । ବେଶ୍ ସୁନ୍ଦର ଉଠିଥିଲା ସେଗୁଡିକ । ମୁଁ ନିଜେ ନିଜ ଫଟୋକୁ ଦେଖି ମୁଗ୍ଧ ହେଇଗଲି । ଆଖି, ନାକ, କାନ, କୋଉଥିରେ କିଛି ବାରିବାକୁ ନଥିଲା । ବେଶ୍ ଲମ୍ବା ବେଣି ସାଙ୍ଗକୁ ବୋଉର ନୀଳ ରଙ୍ଗର କାଞ୍ଜିବରମ୍ ଶାଢି, ମୋର ରୂପକୁ ଦ୍ବିଗୁଣିତ ନୁହେଁ, ପୂରା ଚଉଗୁଣିତ କରି ପକୋଉଥିଲା । ଯିଏ ଦେଖିବ ଆଖି ବୁଜି ପସନ୍ଦ କରିନେବ । ବାପାଙ୍କ ମନକୁ ବି ଫଟୋଗୁଡା ଖୁବ୍ ପାଇଗଲା । କାଲି ଅଫିସ୍ ରେ ଦଇତାରୀ ବାବୁଙ୍କୁ ଦେବେ ବୋଲି ନେଇ ନିଜ ବ୍ୟାଗ୍ ରେ ରଖିଲେ ।

ମନେ ମନେ ମୁଁ କଳ୍ପନା କରିଗଲି ମୋ ଫଟୋ ଦେଖି ଲେକଚରର୍ ବାବୁଙ୍କ ପ୍ରତିକ୍ରିୟା କ’ଣ ହେବ ! ମୁଗ୍ଧ ତ ହେଇଉଠିବେ ନିଶ୍ଚୟ, ନିଜ ଭାଗ୍ୟକୁ ବିଶ୍ବାସ ବି ନକରି ପାରନ୍ତି । ହଁ, ନିଜ ଡାଏରୀରେ ନେଇ ଲୁଚେଇକି ନିଶ୍ଚୟ ରଖିବେ । କଲେଜ୍ କୁ ନେଇ ନିଜ ସାଙ୍ଗସାଥିଙ୍କୁ ବି ନିଶ୍ଚୟ ଦେଖେଇବେ । ସେମାନେ କହିଉଠିବେ – ତୁ ଖୁବ୍ ଭାଗ୍ୟବାନ୍ .. ଏତେ ସୁନ୍ଦର ଝିଅ ପୁଣି ତୋରି ଭାଗ୍ୟରେ ଲେଖା ହେଇଛି !

କଳ୍ପନାରେ ଲାଜେଇ ଉଠିଲି ମୁଁ । ସେମାନେ କ’ଣ ଖବର ଦେବେ, କି ନଦେବେ, ସେସବୁ ଜାଣିବାର କିଛି ଉପାୟ ନଥିଲା । ତେଣୁ ମନେ ମନେ ସ୍ଥିର କରିଲି, ସବୁଦିନ ବାପା ଅଫିସ୍ ରୁ ଫେରିଲା ବେଳକୁ ଚେଷ୍ଟା କରିବି ଗଛରେ ପାଣି ଦେବା ବାହାନାରେ ତାଙ୍କ ରୁମ୍ ପାଖାପାଖି ରହିବାକୁ । ତା’ହେଲେ ସବୁକଥା ପରିଷ୍କାର ଶୁଣିପାରିବି ।

ଦୁଇ ତିନି ଦିନ କୋଉ ଛଟକରେ ବିତିଗଲା । ଏ ବିଷଯରେ କିଛି ବି କଥା ଘରେ ଉଠିଲାନି । ବିରକ୍ତ ହେଇଗଲି ମୁଁ । ଶୀଘ୍ର ଖବର ଦେବାକୁ କ’ଣ ତାଙ୍କର ମନ ହେଉନି, ନା ଫଟୋରେ ଏତେ ମୁଗ୍ଧ ଯେ ଆଗକୁ କିଛି ଭାବି ପାରୁନାହାନ୍ତି !

ଚାରି ପାଞ୍ଚ ଦିନ ପରେ ବାପା ଅଫିସ୍ ରୁ ଫେରିଲା ବେଳକୁ ଭାରି ଗମ୍ଭୀର ଲାଗୁଥିଲେ । ତାଙ୍କୁ ଦେଖୁ ଦେଖୁ ହି ଜାଣିଗଲି ଆଜି ନିଶ୍ଚୟ କିଛି ଘଟିଛି । ବାପାଙ୍କ ଅଫିସ୍ ରେ କିଛି ଗଣ୍ଡଗୋଳ ଘଟିଛି, ନହେଲେ ପୁଅଘର କିଛି ଖବର ଦେଇଛନ୍ତି ।

ମୋ ଅନୁମାନ ସତ ଥିଲା । ଚା ପିଉ ପିଉ ବାପା ବୋଉକୁ କହିଲେ, “ଦଇତାରୀ ବାବୁଙ୍କ ସହିତ ଦେଖା ହେଇଥିଲା ।“ ଦଇତାରୀ ବାବୁଙ୍କ ନାଁ ଶୁଣୁ ଶୁଣୁ କାନ ମୋର ଠିଆ ହେଇଗଲା । ପାଣି ପାଇପ୍ ବନ୍ଦ କରିଦେଇ ମାଟି ଖୋଳିବାର ଅଭିନୟ କଲି, ଯେମିତି ସବୁକିଛି ସ୍ପଷ୍ଟ ଶୁଣିପାରିବି ।

“କ’ଣ କହୁଥିଲେ ?” ବୋଉର ସ୍ବରରେ ମାତ୍ରାଧିକ ଉତ୍କଣ୍ଠା ଥିଲା ବେଳେ, ଏକଦମ୍ ଥଣ୍ଡା ସ୍ବରରେ ବାପା ଉତ୍ତର ଦେଲେ, “ସିମି ତାଙ୍କୁ ପସନ୍ଦ ତ ହେଇଛି, କିନ୍ତୁ …”

“କିନ୍ତୁ ପୁଣି କ’ଣ ?” ମୋ ଛାତି ଧଡ୍ ଧଡ୍ ହେବାକୁ ଲାଗିଲା । ସେମାନେ ତ ପସନ୍ଦ କରିସାରିଲେ ! ଆଉ କ’ଣ ବାପା ମନା କରିଦେଲେ କି ଲେକଚରର୍ ବୋଲି ?

“ସେମାନେ କହୁଛନ୍ତି ଝିଅର ବୟସ ଏଇଲେ ବହୁତ କମ୍ ଅଛି । ଅତି କମ୍ ରେ ବି.ଏ. ଟା ତ ପାସ୍ କରିସାରୁ ! ଏମିତିରେ ପୁଅର ବହୁତ ଇଚ୍ଛା ଅଛି । ଘରଲୋକେ ବି ରାଜି ଅଛନ୍ତି । କିନ୍ତୁ ଏତେ ଛୋଟ ଝିଅକୁ ବାହା ହେବାକୁ ମନା କରୁଛି ସେ । ଆଉ ଗୋଟେ କାରଣ ବି ଅଛି ଏବେ ବାହା ହେବାକୁ ମନା କରିବାର । କମ୍ପିଟିଟିଭ୍ ପରୀକ୍ଷା ସବୁ ସେ ଦେଇଛି । କ’ଣ ରେଜଲ୍ଟ ହେବ ଜଣାନାହିଁ । ତେଣୁ ଅତି କମ୍ ରେ ଦୁଇ ବର୍ଷ ପର୍ଯ୍ୟନ୍ତ ବାହା ହେବା କଥା ଧରିବାକୁ ସେ ଚାହୁଁନି । ଯଦି ଆମେମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କିରବାକୁ ରାଜି ହେବା, ତେବେ ତାଙ୍କ ତରଫରୁ ହଁ ବୋଲି କହିଛନ୍ତି ।“

ଆଉ ଆଗକୁ ବାପା ବୋଉ କ’ଣ କଥା ହେଲେ ମୁଁ ଶୁଣିବାକୁ ଚାହିଁଲିନି । ରାଗରେ, ଅପମାନରେ ମୋ ରୁମ୍ କୁ ଫେରି ଆସିଲି । ମନରେ ଆକ୍ରୋଶ ଭରି ଯାଇଥିଲା ସେହି ଅଜଣା ଅଶୁଣା ବ୍ୟକ୍ତି ପ୍ରତି । ଫଟୋ ଦେଖି ରାଜି ତ ଅଛି, କିନ୍ତୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ! କାହିଁକି ? ମତେ କ’ଣ ଆଉ କେହି ମିଳିବେନି ? ଭାରି ଆଇ.ଏ.ଏସ୍‍ ପରୀକ୍ଷା ଦେଖୋଉଛି ! ଭୁସ୍ ପଣ୍ଡିତଟେ ତ, ଖାଲି ଆଇ.ଏ.ଏସ୍‍ ପାଇଯିବ !

ଯେତେ ରାଗିଲେ ବି କମ୍ ଲାଗୁଥିଲା । ମନଇଚ୍ଛା ତାକୁ ଗାଳି ଦେଇ ଦେଇ ଥକିଗଲି । ଆଖିରୁ ଧାର ଧାର ଲୁହ ବୋହି ଚାଲିଗଲା । ରାଜକୁମାରର ସ୍ବପ୍ନ ମୋର ମାଟିରେ ମିଶିଗଲା । ରାଗଟା ଏଥର ବୁଲିଯାଇ ସାଙ୍ଗମାନଙ୍କ ଉପରେ ପଡିଲା । ସବୁବେଳେ କହୁଥିଲେ ସିମିକୁ ଯିଏ ଦେଖିବ, ବେହୋସ୍ ହେଇଯିବ ! କାହିଁ .. ହେଲାନି ତ କେହି ? କାହିଁକି ଏମିତିଆ ମିଛ କଥାଗୁଡା ଆଜି ଯାଏ ମତେ ସେମାନେ ଶୁଣେଇ ଆସିଥିଲେ ? କାହିଁକି .. କାହିଁକି .. ?

ସେଦିନ ରାତିରେ ନଖାଇ ନପିଇ ଶୋଇପଡିଲି । ବିଗତ କେତେ ଦିନରୁ ଯୋଉ ସବୁ ରଙ୍ଗୀନ ସ୍ବପ୍ନରେ ନିଜକୁ ବୁଡେଇ ରଖିଥିଲି, ସେସବୁ ଆଜି ଭାଙ୍ଗି ଚୁରମାର୍ ହେଇଯାଇଥିଲା । ବୋଉ ଯେତେ କବାଟ ବାଡେଇ ଡାକିଲେ ବି କବାଟ ଖୋଲିଲିନି କି ଖାଇବାକୁ ବି ଗଲିନି । ଦେହ ଖରାପ ଲାଗିବାର ବାହାନା କରି ଚୁପଚାପ୍ ଖଟରେ ପଡି ରହିଲି । ପ୍ରଥମ ଥର ପାଇଁ ମୋ ଜୀବନରେ ଏସବୁ ଘଟିଥିଲା । ସେଥିପାଇଁ ମତେ କିଛି ବି ଭଲ ଲାଗୁନଥିଲା ।

ଖାଲି ସେଦିନ ରାତି ନୁହେଁ, ବେଶ୍ କିଛି ଦିନ କାଳ ମନଟା ଭାରି ଅଶାନ୍ତ ରହିଲା । ପଢାପଢି କରିବାର ଆଗ୍ରହଟା ପୂରା କମି ଯାଇଥିଲା । ବାପା ବୋଉ କିନ୍ତୁ ପୂର୍ବବତ୍ ସାମାନ୍ୟ ଥିଲେ । ତାଙ୍କ ପାଇଁ ଏତେ ବଡ ଗୋଟେ ଦୁର୍ଘଟଣା କିଛି ବି ଅର୍ଥ ରଖୁନଥିଲା । ମତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିଲା, ତା’ଠାରୁ ଅଧିକ ଲାଗୁଥିଲା ରାଗ ।

ସେ ଯାହାହେଉ, ତା’ପରେ ବାପା ଆଉ କୋଉ ପୁଅ ବିଷୟରେ ଘରେ କେବେ କିଛି କଥା ଉଠେଇଲେ ନାହିଁ । କମ୍ ସେ କମ୍ ମୋ ଜାଣତରେ ତ ନୁହେଁ । ମୁଁ ସବୁଦିନ ଖବର କାଗଜ ଓଲଟ ପାଲଟ କରି ଦେଖିବାରେ ଲାଗିଲି, କାଳେ କୋଉ ଦିନ ସେ ଲେକଚରର୍ ର ଫଟୋଟା ଆଇ.ଏ.ଏସ୍‍ ପାଇଥିବା ବ୍ୟକ୍ତିର ତାଲିକାରେ ବାହାରିବ ! ତା ନାଁ, ଗାଁ ଠିକଣା ଆଉ ରୂପ ଭେକ ସବୁର ଖବର ଜାଣିବାକୁ ଇଚ୍ଛା ମୋର ଭିତରେ ଭିତରେ ରହିଥିଲା । କିନ୍ତୁ ସେ ଇଚ୍ଛା କେବେ ପୂରଣ ହେଲା ନାହିଁ ।

ଧିରେ ଧିରେ କଟା ଘା’ ଭରିବାକୁ ଲାଗିଲା ପରେ ପଢାପଢିରେ ଧ୍ୟାନ ଦେବାକୁ ଲାଗିଲି । ଯାହାର ଫଳ ସ୍ବରୂପ ବି.ଏ.ର ରେଜଲ୍ଟ ବହୁତ ଭଲ ହେଲା । ଆଉ ଆଗକୁ ପଢିବାର ଇଚ୍ଛା ମୋର ସତରେ ନଥିଲା, ହେଲେ ବାପା ଏମ୍‍.ଏ. ରେ ନାଁ ଲେଖେଇଦେଲେ । ବାଧ୍ୟ ହେଇ ପଢିଲି ।

କିଛି ଦିନ ଭିତରେ ବାପା ପୁଣି ସକ୍ରିୟ ହେଇଉଠିଲେ । ସବୁଦିନ କାହାର ପୁଅ .. କାହାର ଭାଇ .. କାହାର ଶଳାର ଫଟୋ ଏବଂ ଜାତକ ଆସି ଆମ ଘରେ ପହଞ୍ଚିଲା । କିନ୍ତୁ ଦୁଃଖର ବିଷୟ କୋଉଠି ନା କୋଉଠି, କିଛି ନା କିଛି ଅସୁବିଧା ରହି କଥା ଆଗକୁ ନବଢି ରହି ହି ଗଲା । କୋଉଠି ପୁଅ ଭଲ ଦେଖିବାକୁ ନଥିଲା, ତ କୋଉଠି ନଥିଲା ଚାକିରି । କୋଉଠି ପୁଅର ବୟସ ଅଧିକା ହେଇ ଯାଉଥିଲା ବେଳେ କୋଉଠି ପାଖାପାଖି ହେଇ ଯାଉଥିଲା । କୋଉଠି ସବୁକିଛି ଠିକ୍ ଥିଲା ବେଳେ ଘର ପରିବାର ଠିକ୍ ନଥିଲା । କୋଉଠି ବାପାଙ୍କ ମନକୁ ପାଉଥିଲେ, ବୋଉକୁ ଭଲ ଲାଗୁନଥିଲା ତ ଆଉ କୋଉଠି ଓଲଟା ବି ହେଉଥିଲା । ଏସବୁ ମଝିରେ ପେଂଡୁଲମ୍ ସାଜି ମୁଁ କେବଳ ଏପଟରୁ ସେପଟ ହେଉଥିଲି । କେତେ ଥର ପୁଅଘର ଆସି ଆମ ଘରୁ ଫେରି ଯାଉଥିଲେ ତ ଆଉ କେତେବେଳେ ବାପା ବୋଉ ସେମାନଙ୍କ ଘରୁ ନାହିଁ କରିଦେଇ ଫେରି ଆସୁଥିଲେ ।

ଏମିତି ଏମିତି ହେଇ ଆହୁରି ଦି’ ବର୍ଷ ବିତିଗଲା । ମୋର ଏମ୍‍.ଏ. ପରୀକ୍ଷା ବି ସରିଲା । ପୂର୍ବ ଭଳି ରେଜଲ୍ଟ ଭଲ ହି ହେଇଥିଲା । ତେଣୁ ଆଗକୁ ନପଢିବାର କିଛି ବାହାନା ନଥିଲା । ତା’ଛଡା ଆଉ ସେ କୈଶୋରର ଚପଳାମୀ ତ ନଥିଲା ଯେ ବାହା ହେବି ବୋଲି ସଜବାଜ ହେଇ ଘରେ ବସିରହିବି ! ବାହାରକୁ ଗଲେ କାଳେ କଳା ପଡିଯିବି ବୋଲି କଲେଜ୍ ଯିବା ଛାଡିଦେବି ! ଏବେ ତ ପୂର୍ବ କଥା ସବୁ ମନେ ପଡିଗଲେ ଲଜ୍ୟା ଲାଗୁଥିଲା, ଆଉ ହସ ବି ।

ପ୍ରତି ବର୍ଷ ମୋ ରୂପ ଭେକରେ କେତେ କେତେ ପରିବର୍ତ୍ତନ ଯେ ହେଇ ଚାଲିଥିଲା, ତା’ର ହିସାବ ନାହିଁ । ସେଇ କାରଣ ପାଇଁ ଏଇ ଭିତରେ ଆହୁରି କେତେ ଥର ଷ୍ଟୁଡିଓ ଯାଇ ଫଟୋ ଉଠା ସରିଥିଲା । ଏବେ କିନ୍ତୁ ଫଟୋ ଉଠା ହେଲା ବେଳେ ଆଉ ସେ କାଞ୍ଜିବରମ୍ ଶାଢି ପିନ୍ଧା ହେଉନଥିଲା କି ମୁହଁରେ ବହଳ ମେକ୍ ଅପ୍ ବୋଳା ଯାଉନଥିଲା । ସେ ଜାଗାରେ, ଏବେ ପିନ୍ଧା ଯାଉଥିଲା ସାଧା ସୂତା ଶାଢି ଆଉ ତା’ ସାଙ୍ଗକୁ ଆଖରେ ରହୁଥିଲା ମୋଟା ଚଷମା .. ପଛରେ ସେହି କଳା ନାଗୁଣୀ ପରିକା ବେଣୀ ବଦଳରେ ଝୁଲୁଥିଲା ପତଳା ଏକ ସଜନା ଛୁଇଁ, ଯାହା ପୂର୍ବ ସମୃଦ୍ଧିର ସୂଚନା ରୂପକ ଏବେ ଖାଲି ନାଁକୁ ମାତ୍ର ରହି ଯାଇଥିଲା ।

ସମୟ ଆଖି କାନ ବୁଜି ଦୌଡୁଥିଲା । ତା’ଠୁ ଦ୍ରୁତ ଗତିରେ ଗଡି ଯାଉଥିଲା ମୋ ବୟସ ! ତଥାପି ମୋ ପାଇଁ ବାପାଙ୍କ ମନଲାଖି ବରଟିଏ ଏପର୍ଯ୍ୟନ୍ତ ମିଳି ପାରୁନଥିଲା । ମୁଁ ବି ସେସବୁ ପିଲାଳିଆମୀରୁ ମନକୁ ହଟେଇ ପଢାପଢିରେ ଲାଗି ରହୁଥିଲି । ମୋର ସବୁ ସାଙ୍ଗମାନେ ବାହା ସାହା ହେଇ ଗୋଟେ ଦୁଇଟା ଛୁଆର ମା’ ହୋଇ ସାରିଥିଲେ । କେବେ କେମିତି ରାସ୍ତାଘାଟରେ ଦେଖା ହେଇଗଲେ, ଫିକା ହସ ହସି ଯଥାଶୀଘ୍ର ସେଠାରୁ ଖସି ଆସୁଥିଲି ମୁଁ । ମୋ ଭାଗ୍ୟରେ ଯେ କେହି ଲେଖା ହେଇନାହାନ୍ତି, ସେକଥାକୁ କାନିରେ ଗଣ୍ଠି କରିନେଇଥିଲି । ଏବେ ପୁଅ ଦେଖା, ଝିଅ ଦେଖା କଥା ଶୁଣିଲେ ବିରକ୍ତିରେ ମନ ଭରି ଉଠୁଥିଲା । କିନ୍ତୁ କିଛି ଗୋଟାଏ ଟାଣ କରି କହିଦେଇ ବାପା ବୋଉଙ୍କ ମନକୁ ଆହୁରି ଦୁଃଖ ଦେବାକୁ ମୁଁ ଚାହୁଁନଥିଲି ।

ଧିରେ ଧିରେ ସେମାନେ ବି ଥକିବାକୁ ଲାଗିଲେ । ତଥାପି ନୂଆ କରି କିଛି ପ୍ରସ୍ତାବ ଆସିଲେ, ସବୁ ଥକାପଣ ଉତ୍ସାହରେ ବଦଳି ଯାଉଥିଲା । ପୁଣି ଜୋର୍ ସୋର୍ ରେ ଲାଗି ଯାଉଥିଲେ ସେମାନେ । କିନ୍ତୁ ଯୋଉ କଥାକୁ ସେଇ କଥା ଆସୁଥିଲା ଫଳ ହେଇକି ! ପୂର୍ବ ଭଳି କିଛି ନା କିଛି କେଁ ରହି ଯାଉଥିଲା, ଆଉ ସେ କେଁ କୁ କୌଣସି ମତେ ଦୂର କରାଯାଇ ପାରୁନଥିଲା ।

ଏଇ ଭିତରେ ଯେତେ ଯାହା ସବୁ ପଢା ଥିଲା, ତାକୁ ସାରି, ୟୁନିଭରସିଟିରେ ଲେକ୍ଚରର ହେଇ ପଢେଇବା ଆରମ୍ଭ କରିଦେଇଥିଲି । ହଠାତ୍ ଦିନେ ବାପାଙ୍କୁ ବିନା କାରଣରେ ଖୁସି ହେବାର ଦେଖି ମୁଁ ଚିନ୍ତାରେ ପଡିଗଲି । ବହୁତ ଯୁଗ ପରେ ବାପା ଏତେ ଉତ୍ସାହିତ ଦେଖା ଯାଉଥିଲେ । କାରଣଟା କ’ଣ ହେଇପାରିବ, ତା’ର କିଛି ଅନୁମାନ କରିପାରିଲିନି । ମୁଁ ମୋର ଖାତା ଦେଖାରେ ବ୍ୟସ୍ତ ଥିଲେ ବି ସେମାନଙ୍କ କଥା ଧ୍ୟାନ ଦେଇ ଶୁଣୁଥିଲି । ଅବଶ୍ୟ ଏବେ ଆଉ ପୂର୍ବ ପରି ଲୁଚିଛପି ସେମାନଙ୍କ ଆଲୋଚନା ଶୁଣିବାକୁ ପଡୁନଥିଲା । ଦରକାର ଥିଲେ ବାପା ସିଧା ସିଧା ମୋ ସହିତ ବିଚାର ବିମର୍ଶ କରିନେଉଥିଲେ ।

ତଥାପି ଆଜି କିଛି ବିଶେଷ କଥା ଥିବ ବୋଲି ଅନୁମାନ କଲି । ସତରେ ଘଟଣାଟା ବିଶେଷ ହିଁ ଥିଲା । ମତେ ଶୁଣେଇ ଶୁଣେଇ ବାପା ବୋଉକୁ କହୁଥିଲେ, “କ’ଣ କହିବ ଏ ଲୋକଙ୍କୁ ? କଥାରେ ପରା ଅଛି – ଆରେ ଢମଣା, ବୁଲି ବୁଲି କରି ସେଇ ଅଗଣା !”

ବାପାଙ୍କର ଏମିତି ବୁଲେଇ ବଙ୍କେଇବା କଥାରେ ବୋଉ ବିବ୍ରତ ହୋଇଉଠିଲା । ମୁଁ ମଧ୍ୟ ଜାଣିବାକୁ ଚାହୁଁଥିଲି, କୋଉ କଥା ବାପାଙ୍କୁ ଏତେ ଉତ୍ସାହିତ କରି ପକେଇଛି ବୋଲି । ଆଉ ଏତିକି ବେଳେ ବାପାଙ୍କର ଏ ଢଗ ଢମାଳି ଭରା କଥା କାହାକୁ ବା ଭଲ ଲାଗନ୍ତା !

“କ’ଣ ହେଲା କହୁନ .. ଏତେ ଲମ୍ବୋଉଛ କାହିଁକି ?” ବୋଉର ଆଗ୍ରହରେ ବାପା କହିଲେ, “ମନେ ଅଛି .. ସିମି ପାଇଁ ପ୍ରଥମ ପ୍ରସ୍ତାବ ଦଇତାରୀ ବାବୁ ଦେଇଥିଲେ ?”

ମୋ ସ୍ମୃତିରେ ସଙ୍ଗେ ସଙ୍ଗେ ପ୍ରତିଫଳିତ ହେଇଉଠିଲା ସେ ଲେକଚରର୍ ର କଳ୍ପିତ ପ୍ରତିକୃତି ! କେମିତି ଭଲା ଭୁଲି ପାରିଥାନ୍ତି ତାକୁ, ଯାହା ପାଇଁ କେତେ କେତେ ରାତି ମୋର ଅନିଦ୍ରାରେ ବିତିଛି ! ଲୁହ ଝରେଇ ବିତିଛି !

ବୋଉ କିନ୍ତୁ ମନେ ପକେଇ ପାରିଲାନି । ତାକୁ ଭାବି ବସିବାର ଦେଖି ବାପା କହିଲେ, “ଓହୋ .. ମନେ ପଡୁନି ? ହଁ, କ’ଣ ଏବକା କଥା ହେଇଛି ଯେ ମନେ ରହିବ ! ବାର ତେର ବର୍ଷ ତ ବିତି ସାରିବଣି ! ତାଙ୍କ ଭାଇର ପୁଅ ବିଷୟରେ ସେତେବେଳେ ସେ କହିନଥିଲେ ? ଓହୋ .. ! ସେ ଯେଉଁ ଲେକଚରର୍ ପିଲା କଥା ମ ! ଆଇ.ଏ.ଏସ୍‍ ପାଇଁ ଚେଷ୍ଟା ଚଲୋଉଥିଲା .. ସିମି ତାକୁ ସେତେବେଳେ ଭାରି ପସନ୍ଦ ଥିଲା .. ଖାଲି ବୟସ ହେଇ ନଥିଲା ବୋଲି ମନା କରି ଦୁଇ ବର୍ଷ ଅପେକ୍ଷା କରିବାକୁ କହୁଥିଲା ..!”

ଏଥର ବୋଉର ମନେ ପଡିଗଲା ସବୁକିଛି । ବାପାଙ୍କ ଭଳି ସେ ମଧ୍ୟ ଉତ୍ସାହିତ ହେଇ କହିଲା, “ହଁ, ହଁ, ମନେ ପଡିଲା । ସେ କ’ଣ ଏବେ ଆଇ.ଏ.ଏସ୍‍ ହେଇ ଯାଇଛି?”

“ନାହିଁ ମ .. ସେଇ ଲେକଚରର୍ ହି ଅଛି । ଏପର୍ଯ୍ୟନ୍ତ ବାହା ବି ହେଇନି । ଆଜି ଦଇତାରୀ ବାବୁଙ୍କ ସହିତ ଦେଖା ହେଲାରୁ କହିଲେ, ସିମିର ଫଟୋକୁ ଦେଖିଲା ପରେ ତାକୁ ଆଉ କୋଉ ଝିଅ ବି ପସନ୍ଦ ଆସିଲେ ନାହିଁ । ପ୍ରଥମେ କିଛି ବର୍ଷ ତ ସେ ଆଇ.ଏ.ଏସ୍‍ ପାଇଁ ବ୍ୟସ୍ତ ରହିଲା । ନପାଇଲାରୁ ବାପା ମା ବାଧ୍ୟ ହୋଇ ଝିଅ ଖୋଜାଖୋଜି କଲେ । କିନ୍ତୁ କୋଉ ଝିଅ ବି ପସନ୍ଦ ଆସିଲା ନାହିଁ ତାକୁ । ସେମାନେ କେତେ ଥର ଭାବିଲେ ଆମକୁ ପଚାରିବା ପାଇଁ, କିନ୍ତୁ ଭାବିଲେ କାଳେ ସିମିର ବାହାଘର ହେଇଯିବଣି ! ତେଣୁ ଲୋକହସା ହେବେ ବୋଲି ଆଉ ପଚାରି ନଥିଲେ ।

ବହୁତ ବର୍ଷ ପରେ ଆଜି ଦେଖା ହେଲାରୁ, କଥାରେ କଥାରେ ସିମି ପାଇଁ ବର ଖୋଜୁଛି ବୋଲି କହିଲାରୁ ଭାରି ଖୁସି ହେଇଗଲେ ସେ । କହିଲେ, ଯଦି ଲେକଚରର୍ ଜୋଇଁ ଚଳିବ, ତେବେ ରାଜୀବ, ମାନେ ତାଙ୍କ ପୁତୁରା ଏପର୍ଯ୍ୟନ୍ତ ବି ବାହା ହୋଇନାହିଁ । …. ଏଥିକୁ ତମେ କ’ଣ ଭାବୁଛ ?”

ବାପାଙ୍କ ପ୍ରଶ୍ନରେ ଦୀର୍ଘଶ୍ବାସଟିଏ ଛାଡି ବୋଉ କହିଲା, “ଆଉ ଭାବିବ କ’ଣ ? ଭାବିବାକୁ ଆଉ ବେଳ ଅଛି, ନା ଅଛି ବୟସ ! ସେତେବେଳେ ମନା କଲା, ନହେଲେ ଏତେବେଳକୁ ନାତି ନାତୁଣୀ ସାଙ୍ଗରେ ଖେଳୁଥାଆନ୍ତେ । ସେଇ ଜୋଇଁ କରିବ, ଅଥଚ କେତେ ହଇରାଣ ହେଲଣି !”

ବୋଉର ଆଖିରେ ଲୁହ ଭରିଗଲା । ଅଦ୍ଭୁତ ଏକ ଅସମଞ୍ଜସ ପରିସ୍ଥିତିରେ ମୁଁ ପଡିଗଲି । ଦ୍ବିଧା ଭରିଗଲା ମନରେ । ଆଉ ଏ ବୟସରେ ବାହା ହେବାକୁ ମନ ତ ନଥିଲା .. ତଥାପି ସମାଜର ନୀତି ନିୟମକୁ ଭାଙ୍ଗିଦେବାର ସାହାସ ବି ମୋର ନଥିଲା ! ବାର ତେର ବର୍ଷ ତଳେ ମତେ ଯିଏ ବାହା ହେବାକୁ ମନା କରୁଥିଲା, ଏବେ ସେ ପୁଣି ବାହାହେବାକୁ ହଁ କରୁଛି ? ମନ କ’ଣ ଏତେ ସହଜରେ ସେକଥାକୁ ସ୍ବୀକାର କରିପାରିବ ! ଅନେକ ଦୃଷ୍ଟିରୁ ଭଲ ତ ହେଇଛି, ହେଲେ ସେ ମନ କ’ଣ ଆଉ ଅଛି ! ହସି ବି ମାଡିଲା ଆଉ ଦୁଃଖ ବି । ନିରବରେ ସେ ଜାଗା ଛାଡି ମୁଁ ଚାଲି ଆସିଲି । ବାପା ବୋଉ ବାହାଘର ବିଷୟରେ ବିଚାର ବିମର୍ଶ କରିବାରେ ବ୍ୟସ୍ତ ଥିଲେ, ମୋର ଉଠି ଆସିବାଟାକୁ ଏତେ ଧ୍ୟାନ ଦେଲେ ନାହିଁ ।

ସେଦିନ ଅନେକ ରାତି ପର୍ଯ୍ୟନ୍ତ ମତେ ନିଦ ଆସିଲା ନାହିଁ । ମନେ ପଡି ଯାଉଥିଲା ଜୀବନର ପ୍ରଥମ ଅନୁଭୂତି । କେତେ ଉତ୍ସାହ ଭରି ରହିଥିଲା ମନରେ ! ଆଜି କିନ୍ତୁ ଏକ ପ୍ରକାରର ଭୟ ବସା ବାନ୍ଧି ପକେଇଲା । ଭୟର କାରଣ କିଛି ଜଣାନଥିଲା । ତଥାପି ଅଜଣା ଆଶଙ୍କାରେ ଛାତି ଥରି ଉଠୁଥିଲା । ସେ ପିଲାକୁ ମୋର ବିବାହ କରିବାଟା ଉଚିତ୍ କି ନାହିଁ, ଜାଣି ପାରୁନଥିଲି ।

ପୁଣି ଥରେ ଯଦି ଆଜି କୌଣସି କାରଣକୁ ନେଇ ସେମାନେ ମନା କରିଦିଅନ୍ତି, ତା’ହେଲେ ? ସେଦିନ ଭଳି ଭାଙ୍ଗି ପଡିବିନି ସତ, ହେଲେ କେତେ ଅପମାନ ଲାଗିବ ! ସେତେବେଳେ ମୋର ଥିଲା ବୟସ ଆଉ ସୌନ୍ଦର୍ଯ୍ୟର ଅଭିମାନ ! ହେଲେ ଏବେ ତ ଆଉ ସେସବୁ ନାହିଁ । ସେ ଯେ ମନା କରି ନଦେବ, କିଏ କହିପାରିବ ! କ’ଣ ଗ୍ୟାରେଣ୍ଟି ଅଛି ଯେ ମୁଁ ତାକୁ ସେତେବେଳ ପରି ଏବେ ବି ପସନ୍ଦ ଆସିଯିବି ?

ରହି ରହି ମନ ଖାଲି କହିଲା, ସେମାନେ ମନା କିରବା ପୂର୍ବରୁ ମୁଁ ନିଜେ ମନା କରିଦେବାଟା ଭଲ ହେବ । କିନ୍ତୁ ଜମାରୁ ସାହାସ ଆସୁନଥିଲା । ବାପା ବୋଉଙ୍କ ଅବସ୍ଥା କ’ଣ ହେବ, ମୋର ମନା ଶୁଣିଲା ପରେ .. ସେକଥା ଚିନ୍ତା କରି ମୁଁ ଝାଳେଇ ଉଠୁଥିଲି । ମନ ସଶଙ୍କିତ ହୋଇ ପଡୁଥିଲା ।

ସବୁଦିନ ପରି ଆଜି କଲେଜ୍ ବାହାରିଲା ବେଳକୁ ବୋଉ ଆସି ପହଞ୍ଚିଗଲା ମୋ ରୁମ୍ ଭିତରେ । ପିନ୍ଧା ଶାଢିଟାକୁ ଦେଖି ନାକ ଟେକି କହିଲା, “ଭଲ ଶାଢି କିଛି ପିନ୍ଧୁନୁ .. ଏ ଧଳା ଶାଢି ଗୁଡା କାହିଁକି ପିନ୍ଧୁଛୁ ?”

“କାହିଁ ଆଜି କ’ଣ କି ? ସବୁଦିନ ତ ଏମିତି ହି ପିନ୍ଧିକି ଯାଉଛି ! ଆଉ ଧଳା କ’ଣ ? ଏଥିରେ ନେଳି ଫୁଲ ପରା ପଡିଛି !!”

ମୋ ଉତ୍ତରକୁ ଅପେକ୍ଷା ନକରି ବୋଉ ଆଲମିରା ଖୋଲି ଗୋଟିଏ ଗାଢ ନୀଳ ରଙ୍ଗର ଶାଢି କାଢି ଧରେଇ ଦେଇ କହିଲା, “ଏଇଟା ପିନ୍ଧିକି ଯା’ .. ତୋ’ ଗୋରା ରଙ୍ଗକୁ ମାନିବ ! ସବୁବେଳେ ଫିକା ରଙ୍ଗ ଗୁଡା ପିନ୍ଧି ପିନ୍ଧି ନିଜକୁ ବୁଢୀ କରି ସାରିଲୁଣି !!”

“ତୋ’ ମୁଣ୍ଡ ଖରାପ ହେଇଯାଇଛି ନା କ’ଣ ? ଏ ଶାଢି ପିନ୍ଧି ପିଲାଙ୍କୁ ପଢେଇବାକୁ ମୁଁ ଯିବି ?? ୟୁନିଭରସିଟିରେ ପିଲା ମତେ ରଖେଇ ଦେବେ ତ ? ତା’ ଛଡା, ବୁଢୀ ହେଇ ସାରିଲିଣି ଯେତେବେଳେ, ଗାଢା ରଙ୍ଗର ଶାଢି ପିନ୍ଧିଦେଲେ କ’ଣ ଯୁବତୀ ହେଇଯିବି ? କୋଉ କାଳୁ ତିରିଶ ଟପି ସାରିଲିଣି .. ତଥାପି ତୁ କ’ଣ ମତେ ଛୁଆ ବୋଲି ଭାବୁଛୁ ନା କ’ଣ ?”

ବୋଉ ଆଖିରେ ପାଣି ଭର୍ତ୍ତି ହେଇଗଲା । ସେ ଜାଣେ, ମତେ ଚୁପ୍ କରେଇବାକୁ ଏଇଟା ହିଁ ତା’ର ଅମୋଘ ଅସ୍ତ୍ର .. ତେଣୁ ଠିକ୍ ଫାନ୍ଦ ପକେଇଲା । ତଥାପି ଯେତେ ବାଧ୍ୟ କଲେ ବି ସେ ନୀଳ ରଙ୍ଗର ଶାଢୀ ପିନ୍ଧିବାର ସାହାସ ମୁଁ କଲି ନାହିଁ । ବହୁତ କଷ୍ଟରେ ଆକାଶୀ ରଙ୍ଗର ଶାଢିରେ ବୋଉ ରାଜି ହେଇଗଲା । ମ୍ୟାଚିଙ୍ଗ୍ କରି ଚୁଡି, ବିନ୍ଦି, କ୍ଲିପ୍‌ ସବୁ ପିନ୍ଧେଇଲା । ଯେତେ ମନା କଲେ ବି ଶୁଣିବାକୁ ପ୍ରସ୍ତୁତ ନଥିଲା ।

ଆଜି ହଠାତ୍ ବୋଉର ଏ କ୍ରିୟାକଳାପ ମୋ ବୁଦ୍ଧିର ବାହାରେ ଥିଲା । କିଛି ତ କାରଣ ନିଶ୍ଚୟ ଥିବ, ନହେଲେ ଯିଏ ମୋର ଚାକିରି କରିବାକୁ ସୁଦ୍ଧା ପସନ୍ଦ କରେନି .. ସେ ଆଜି ମତେ ସଜେଇ ସାଜେଇ ଛାଡୁଛି ! ମତେ ବେଶି ସମୟ ସନ୍ଦେହରେ ନ ରଖି ବୋଉ ତା’ର ଉଦ୍ଦେଶ୍ୟ ବିଷୟରେ ଜଣେଇ ଦେଲା । ଯାହାର ସାରମର୍ମ ଥିଲା – ମିଷ୍ଟର ରାଜୀବ ଆଜି ୟୁନିଭରସିଟି ଆସୁଛନ୍ତି ମତେ ଦେଖିବାକୁ । ଦେଖାଦେଖି ମାନେ .. ଖାଲି ଟିକିଏ କଥାବାର୍ତ୍ତା କରିବାକୁ । ସବୁକଥାରେ ତ ସେ ରାଜି, ତଥାପି ଟିକିଏ ସାମନା ସାମନି ହେଇଯିବା କଥା !

ବୋଉ ଉପରେ ମୋର ଭାରି ଦୟା ଆସୁଥିଲା । ବିଚାରୀ କେତେ ଆଶା ରଖିଛି ଝିଅ ବାହାଘର ଦେଖିବ ବୋଲି ! ବୟସ ଯେତେ ଗଡିଗଲେ ବି ଆଶା ମୂଳ ଛାଡୁନାହିଁ !

ତା’ ମନ ରଖିବାକୁ ଚୁପଚାପ୍ ସେଇ ଯାତ୍ରାବାଲୀ ବେଶରେ ୟୁନିଭରସିଟି ଚାଲିଗଲି ମୁଁ । ବୋଉର ସନ୍ତୁଷ୍ଟ ନୟନ, ଉପରୁ ତଳ ଯାଏଁ ସବୁ ନିରୀକ୍ଷଣ କରିସାରିଲା ପରେ ମତେ ଘର ଛାଡିବାର ଅନୁମତି ଦେଲା ।

କୌଣସି କାମରେ ମନ ମୋର ସେଦିନ ଲାଗିଲା ନାହିଁ । ପିଲାମାନଙ୍କୁ ନୋଟ୍ ଦେବି ବୋଲି ଆଗରୁ କହିଥିଲି । କିନ୍ତୁ କିଛି ପ୍ରସ୍ତୁତ କରିନଥିଲି । କାଲି ସନ୍ଧ୍ୟାଟା ଫାଲତୁ ଚିନ୍ତାରେ ବିତିଯାଇଛି ! ନୂଆ କିଛି ପଢେଇବାର ଜମା ମୁଡ୍ ହଉନଥିଲା । ତା’ ଛଡା ଆଜିର ଏ ଅପୂର୍ବ ବେଶ ପୋଷାକରେ ପିଲାଙ୍କ ଆଗରେ ଅଧିକ ସମୟ ଛିଡା ହେବାକୁ ଇଚ୍ଛା ହେଉନଥିଲା । ଅଜବ ମାନସିକ ସ୍ଥିତିରେ ମନ ମୋର ଖାଲି ଡହଳ ବିକଳ ହେଉଥିଲା । କିନ୍ତୁ କାହିଁକି ଏମିତି ଲାଗୁଥିଲା ମତେ, ମୁଁ ତା’ର କାରଣ ନିଜେ ସ୍ଥିର କରି ପାରୁନଥିଲି ।

ରାଜୀବ ସହିତ ଦେଖା କରିବାକୁ ତିଳେ ମାତ୍ର ଇଚ୍ଛା ନଥିଲେ ବି, ମନା କରିଦେବାର ସାହାସ ଜମାରୁ ନଥିଲା । ଏମିତି ତ ନାହିଁ ନାହିଁ କରି କରି ତିରିଶ ଟପେଇ ଦେଲିଣି, ଆଉ କେତେ ଦିନ ଅପେକ୍ଷା କରିହେବ ? ବାହା ଯେ ନହେବି, ସେପରି କିଛି ବି ଭାବନା ମୋର ନଥିଲା । କିନ୍ତୁ ରାଜୀବକୁ ବାହା ହେବି କି ନହେବି, ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା ମନରେ । ସେ ଯାହା ହେଉ, ରାଜୀବର ପ୍ରସ୍ତାବକୁ ସହଜରେ ସ୍ବୀକାରୋକ୍ତି ଦେଇ ଦେବାକୁ ହୃଦୟ ରାଜି ହେଉନଥିଲେ ବି, ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା ।

ପିଲାମାନଙ୍କୁ ଶୀଘ୍ର ଛାଡିଦେଇ ଆସି ଷ୍ଟାଫ୍ ରୁମ୍ ରେ ବସିଗଲି । ସକାଳୁ ସକାଳୁ ଚାରିଆଡ ପୂରା ଖାଲି ଖାଲି ହି ଥିଲା । ଷ୍ଟାଫ୍ ରୁମ୍ ରେ ବି କେହି ନଥିଲେ । ସକାଳ କ୍ଲାସ୍ ନେବାଟା ସମସ୍ତଙ୍କ ପାଇଁ କଠିନ ଥିଲା, କେବଳ ମୋ ଛଡା । ତେଣୁ ପ୍ରଫେସର୍ ଙ୍କ ବିଶେଷ ଆଗ୍ରହ ପାଇଁ ସବୁଦିନର ସକାଳ କ୍ଲାସ୍ ଗୁଡା ମୋର ହି ରହିଥିଲା । ଠିକ୍ ଅଛି, ସେଥିରେ ମୋର କିଛି ଯାଏ ଆସେ ନଥିଲା । ଘରେ ବସି ବସି ଟାଇମ୍ ପାସ୍ କରିବା ଅପେକ୍ଷା କଲେଜ୍ ଚାଲିଆସି ପିଲାଙ୍କ ସହିତ କଟେଇବା ବେଶି ଆନନ୍ଦର ବିଷୟ ଥଲା ମୋ ପାଇଁ ।

ଚୁପଚାପ୍ କୋଣରେ ପଡିଥିବା ଚଉକି ଉପରେ ବସି ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଲାଗିଲି । ବାହାରେ ପିଅନ କାହା ସହିତ ବଡ ପାଟିରେ କଥା ହେଉଥିଲା । କେହି ଜଣେ ଭଦ୍ରବ୍ୟକ୍ତି ମୋ ନାଁ ପଚାରୁଥିଲେ । ଆଉ ପିଅନ ତାଙ୍କୁ ଷ୍ଟାଫ୍ ରୁମ୍ ରେ ଅପେକ୍ଷା କରିବା କଥା କହୁଥିଲା, କାରଣ ଆଜି ମୋର ଦୁଇଟା ପିରିଅଡ୍ ଲାଗି ଲାଗିକି ଅଛି ।

ତା’ ନିର୍ଦ୍ଦେଶାନୁସାରେ ଭଦ୍ରବ୍ୟକ୍ତି ଜଣକ ଷ୍ଟାଫ୍ ରୁମ୍ ର ପରଦା ଆଡେଇ ସେଇ ବାଟ ପାଖର ଚଉକିଟି ଉପରେ ବସି ପଡିଲେ । ମୁଣ୍ଡ ଉଠେଇ ଦେଖିଲି ..! ଜାଣି ପାରିଲି ସେ ରାଜୀବ ବୋଲି, କିନ୍ତୁ ନ ଚିହ୍ନିବାର ଅଭିନୟ କରି ନିରବରେ ବହି ପଢାରେ ବ୍ୟସ୍ତ ହେଇଗଲି । ରାଜୀବ ବି ସେଇଠି ଟେବୁଲ୍ ଉପରେ ରଖା ଯାଇଥିବା କାଲିର ଖବର କାଗଜଟାକୁ ଧରି ଓଲଟେଇବାକୁ ଲାଗିଲେ ।

ଛାତି ମୋର ଧଡ୍ ଧଡ୍ କରୁଥିଲା । ଆଗରୁ ଏପରି ସ୍ଥିତି ଦେଇ କେବେ ଗତି କରିନାହିଁ । କେତେ ଥର ଭାବିଲି ଉଠିକି ଚାଲିଯିବି ବାହାରକୁ । କିନ୍ତୁ ଯାଇକି କରିବି କ’ଣ ? କ୍ଲାସ୍ ତ ନାହିଁ । ପିଲାମାନେ ଇଆଡେ ସିଆଡେ ଚାଲିଗଲେଣି । ଅଫିସ୍ ରେ ଯାଇ କେତେ ସମୟ ବା ଠିଆ ହେଇପାରିବି ! ତା’ ସହିତ ବାହାରକୁ ଗଲେ ପିଅନ ଦେଖିଦେଲେ ଚଟ୍ କରି ରାଜୀବଙ୍କୁ ଜଣେଇ ଦେବ ମୁଁ ଆସିଗଲିଣି ବୋଲି । ଏତେ ଶୀଘ୍ର ସେହି ବିକଟ ପରିସ୍ଥିତିର ମୁହାଁମୁହିଁ ହେବାକୁ ଚାହିଁଲିନି । ତେଣୁ ହଲଚଲ୍ ନହେଇ, ସେଇଠି, ସେଇ ଅବସ୍ଥାରେ ବସି ରହିବାକୁ ବାଧ୍ୟ ହେଲି ।

ଜାନୁଆରୀ ମାସ, ତା’ ସାଙ୍ଗକୁ ଫ୍ୟାନ୍ ବୁଲୁଥିଲା, ତଥାପି ଗମ୍ ଗମ୍ ଝାଳ ବାହାରି ଚାଲିଥିଲା ମୋ ଦେହରୁ । ଆଉ କେହି ମ୍ୟାଡାମ୍ ଆସିଯାଆନ୍ତେ କି ଟିକେ, ରକ୍ଷା ପାଇଯାନ୍ତି ମୁଁ । କିନ୍ତୁ ସକାଳୁ କେହି ଆସିପାରିବେ ନାହିଁ ବୋଲି ତ ମତେ ଦିଆଯାଇଛି କ୍ଲାସ୍ ସବୁ, ଆଉ କିଏ ଦେବ ମତେ ରକ୍ଷା ! ଜଣେ ଦି’ ଜଣ ସାର୍ ହୁଏତ ଆସିଥିବେ, ତେବେ ସେମାନେ ଏବେ ନିଜ ନିଜ କ୍ଲାସ୍ ନେବାରେ ବ୍ୟସ୍ତ ଥିବେ ।

ସମୟ ଘୁସୁରି ଘୁସୁରି ଗଡି ଚାଲିଥିଲା । ପ୍ରତିଟି ମୁହୂର୍ତ୍ତ ଗୋଟିଏ ଗୋଟିଏ ଯୁଗ ପରି ଲାଗୁଥିଲା ମତେ । ଶ୍ରୀମାନ୍ ରାଜୀବ ବଡ ଅସ୍ତବ୍ୟସ୍ତ ହୋଇ ଚଉକିରେ ଏପଟ ସେପଟ ହେଉଥିଲେ । କ୍ଲାସ୍ ସରିବାର ସମୟ ପାଖେଇ ଆସୁଥିଲା .. ୟା’ ପରେ ମୋର କର୍ତ୍ତବ୍ୟ କ’ଣ ରହିବ, ମୁଁ ସ୍ଥିର କରି ପାରୁନଥିଲି । ଷ୍ଟାଫ୍ ରୁମ୍ ରୁ ବାହାରିକି ଚାଲିଯିବି କି ନଯିବି, ସେକଥା ଭାବୁ ଭାବୁ ପିଅନଟା ରୁମ୍ ଭିତରକୁ ପଶିଆସିଲା । ଚଟ୍ କରି ବହି ଭିତରେ ମୁହଁ ଗୁଞ୍ଜିଦେଇ ପଢିବାର ଅଭିନୟ କରିଲି ମୁଁ । ରାଜୀବଙ୍କୁ ସେ କିଛି କହି ଆସୁଥିଲା, ହଠାତ୍ ଥମିଗଲା .. ମୋ ଉପରେ ଦୃଷ୍ଟି ପଡିଗଲା ବୋଧେ ! ମୋ ଉଦ୍ଦେଶ୍ୟରେ ଜୋରରେ କହିଲା, “ମ୍ୟାଡାମ୍‌ ଏ ବାବୁ ଆପଣଙ୍କୁ କେତେବେଳୁ ଖୋଜୁଛନ୍ତି ପରା ! ଉପରୁ ତଳ ଯାଏଁ ସବୁ କ୍ଲାସ୍ ରେ ମୁଁ ଆପଣଙ୍କୁ ଖୋଜି ଖୋଜି ଆସିଲିଣି । ଆଉ ଦେଖିଲା ବେଳକୁ ଆପଣ ଏଇଠି ବସିଛନ୍ତି ।“

ପିଅନର କଥା ଶୁଣି ଚମକି ପଡିଲେ ରାଜୀବ । ମୁହଁର ରଙ୍ଗ ଏକଦମ୍ ଫିକା ପଡିଗଲା । ଥ ଥ ମ ମ ହେଇଗଲେ ସେ । ମୁଁ ମଧ୍ୟ କିଛି ନଜାଣି ଥିବାର ଅଭିନୟ କରି ତାଙ୍କୁ ଚାହିଁ ରହିଲି । ପିଅନଟି ଏଥର ତାଙ୍କ ଉଦ୍ଦେଶ୍ୟରେ କହିଲା, “ ଏଇ ହେଉଛନ୍ତି ସିମି ମ୍ୟାଡାମ୍ .. ଆପଣ ଖୋଜୁଥିଲେ ପରା ..?”

କହିସାରି ସେ ତା’ ବାଟରେ ଚାଲିଗଲା । ଆଉ ପଛରେ ଛାଡିଗଲା ସ୍ତମ୍ଭୀଭୂତ ହୋଇ ଜଳ ଜଳ କରି ଚାହିଁ ରହିଥିବା ରାଜୀବ ବାବୁଙ୍କୁ । ତାଙ୍କ ହାବଭାବରୁ ଜଣା ପଡୁଥିଲା ସେ ମତେ ଦେଖି ଖୁସି ହେଇନାହାନ୍ତି, ଅଥବା ମୁଁ ଯେ ସେଇ ସିମି ମ୍ୟାଡାମ୍ ହେଇଥିବି, ସେକଥାକୁ ସେ ଜମା ବିଶ୍ବାସ କରି ପାରୁନାହାନ୍ତି ।

ବେଶ୍ କିଛି ସମୟ ପାଇଁ ଆମ ଭିତରର ନିରବତାଟା ଲମ୍ବି ଚାଲିଗଲା । ତାଙ୍କର ସେ ପଥୁରିଆ ଆଖି ତନ୍ନ ତନ୍ନ କରି ମତେ ନିରେଖି ଚାଲିଥିଲା, ଆଉ ସେ ଦୃଷ୍ଟିର ଖର ପବନରେ ମୁଁ ଅଣନିଶ୍ବାସୀ ହେଇ ଯାଉଥିଲି । ସେପରି ଚାହାଁଣୀକୁ ଏତେ ସମୟ ଧରି ଏକା ଏକୁଟିଆ ସାମନା କରିଚାଲିବା, ଏତେ ସହଜ ନଥିଲା । ଦୁଇ ତିନି ଥର ମୁଁ ଏକଡ ସେକଡ ହେଇ ସାମାନ୍ୟ ଆଭାସ ଦେଲି ମୋ ଅସହଜତାର । ହେଲେ ସେ ଯେମିତି ପାଷାଣ ପାଲଟି ଯାଇଥିଲେ ! ତାଙ୍କ ଆଡୁ କିଛି ସୋର୍ ଶବ୍ଦ ନପାଇ ବାଧ୍ୟ ହୋଇ ନିଜ ଆଡୁ ମୁଁ କଥା ଆରମ୍ଭ କଲି, “କୁହନ୍ତୁ, କିଛି କାମ ଥିଲା ?”

ମୋ ପ୍ରଶ୍ନରେ ସମ୍ବିତ ଫେରି ପାଇଲେ ସେ । ଥଙ୍ଗ ଥଙ୍ଗ ହୋଇ କହିଲେ, “ସତରେ କ’ଣ ଆପଣ ହି ସିମି ଦାସ୍ ?”

ନିରବ ସମ୍ମତି ଜଣେଇଲି ମୁଁ । ମୋ ଉତ୍ତର ତଥାପି ସନ୍ତୁଷ୍ଟ କରି ପାରିଲାନି ତାଙ୍କୁ । ପୁଣି ଆଉ ଥରେ ପ୍ରଶ୍ନ କଲେ, “ଆପଣ ବିଶ୍ବରଞ୍ଜନ ଦାସ ବାବୁଙ୍କ ଝିଅ ସିମି ଦାସ ତ ?” ତାଙ୍କର ଏ ଅଜବ ପ୍ରଶ୍ନରେ ମୁଁ ବିଚଳିତ ହୋଇପଡିଲି । ପ୍ରଶ୍ନରେ ଯେତିକି ନୁହେଁ, ସେତିକି ତାଙ୍କ ଅବିଶ୍ବାସରେ । ପୁଣି ଥରେ ମୁଣ୍ଡ ହଲେଇ ସମ୍ମତି ଜଣେଇଲି । ତଥାପି ସନ୍ତୁଷ୍ଟ ହେଇ ପାରିଲେନି ସେ । ମନକୁ ମନ କ’ଣ ସବୁ ଫୁଟ୍ ଫୁଟ୍ ହେଇ କହି ବାରମ୍ବାର ମୁଣ୍ଡକୁ ହଲେଇଲେ । ନିରବରେ ମୁଁ ତାଙ୍କର ପ୍ରତିଟି କ୍ରିୟା କଳାପକୁ ଲକ୍ଷ୍ୟ କରିଚାଲିଲି।

କିଛି ସମୟ ସେଇ ଅବସ୍ଥାରେ କଟିଗଲା ପରେ ଦୀର୍ଘଶ୍ବାସଟିଏ ଛାଡି ସେ କହିଲେ, “ମୁଁ ରାଜୀବ .. ମାନେ ରାଜୀବ ନାଏକ୍ .. ଏଇ ପାଖ କଲେଜ୍ ରେ ଲେକଚରର୍ ଅଛି । ଆପଣ ଜାଣିଥିବେ .. ମାନେ ଆପଣଙ୍କ ବାପା ମା’ କହିଥିବେ ମୋ ବିଷୟରେ ବୋଧେ !”

ତାଙ୍କ କଥା କହିବା ଶୈଳୀରେ ନହସି ରହି ପାରିଲିନି .. ଯଦିଓ ଜାଣିଥିଲି ଏଇଟା ଅଭଦ୍ରାମୀ ହେବ। ଏତେ ସମୟରୁ ସେ ମୋ ଆଗରେ ବସିଥିଲେ ବି ତାଙ୍କୁ ଭଲ କରି ଦେଖି ପାରିନଥିଲି । ଦେଖିବାର ସାହାସ କରି ପାରିନଥିଲି କହିଲେ ଚଳେ । ଏତେବେଳକୁ ଦେଖିବାର ସୁଯୋଗ ପାଇଲି । ସେ ଯେମିତି ମତେ ତନ୍ନ ତନ୍ନ କରି ନିରେଖି ଦେଖୁଥିଲେ, ସେମିତି ତ ନୁହେଁ, ତଥାପି ଗୋଟାଏ ନଜର ତାଙ୍କ ଉପରେ ବୁଲେଇ ଆଣିଲି । ଆଉ ସେତିକିରେ ଯାହା ଯେତିକି ଅନୁଭବ କଲି, ସେଥିରୁ ନିଶ୍ଚିତ ହେଇଗଲି ଯେ ବୟସରେ ମୋ ଠାରୁ ପାଞ୍ଚ ଛଅ ବର୍ଷ ନିଶ୍ଚୟ ଅଧିକ ହେଇଥିବେ । ସ୍ବାସ୍ଥ୍ୟ ଏଇ ଭିତରେ ଖୁବ ଭଲ ହେଇଗଲାଣି କି ପ୍ରଥମରୁ ହି ଏମିତି, ସେକଥା ଜାଣିବା କଷ୍ଟକର । ଆଖିରେ ଲାଗିଥିବା ଖୁବ୍ ମୋଟା ଚଷମା ଦର୍ଶାଉଥିଲା ଯେ ପଢାପଢିରେ ଗୁଡାଏ କଷ୍ଟ କରିଛନ୍ତି । ଏହା ବ୍ୟତୀତ ବାକି ସବୁକିଛି ଥିଲା ସେମିତି ସେମିତି ।

ମତେ ନିରବରେ ଠିଆ ହେଇଥିବାର ଦେଖି ସେ କହିଲେ, “ଆପଣଙ୍କର ଯଦି ଏଇଲେ କିଛି କ୍ଲାସ୍ ନଥାଏ, ତେବେ ବାହାର କଫି ହାଉସ୍ କୁ ଯିବା ?”

ଆଉ ଏ ବୟସରେ ଏଗୁଡା ଶୁଣିବାକୁ ଯଦିଓ ଭାରି ଅଖାଡୁଆ ଲାଗୁଥିଲା, ତଥାପି ଅନ୍ୟ ଉପାୟ କିଛି ନଥିଲା । କାରଣ ସେ ଯାହା କିଛି କହିବାକୁ ଆସିଥିବେ, ଏଠି ଏମିତି ଠିଆ ଠିଆ ସେସବୁ କହିବା, ଶୁଣିବା ସମ୍ଭବ ନୁହେଁ । ତେଣୁ ବାଧ୍ୟ ହୋଇ ବାହାରକୁ ଯିବା କଥାରେ ମୁଁ ହଁ ମାରିଦେଲି । କମ୍ ସେ କମ୍ ଯୋଉ ଉଦ୍ଦେଶ୍ୟରେ ବୋଉ ମତେ ଏତେ କଷ୍ଟରେ ବେଶ କରି ପଠେଇଥିଲା, ସେ ଉଦ୍ଦେଶ୍ୟ ତ ତା’ର ପୂରଣ ହେଇଯିବ .. ଆଉ ଯାହା ହେଉ କି ନହେଉ !

ଅଫିସ୍ ରେ ଜଣେଇ ଦେଇ ଆମେ ବାହାରକୁ ଚାଲିଆସିଲୁ । ବାଟସାରା ପୂରା ନିରବତାରେ ହିଁ କଟିଗଲା । ୟୁନିଭରସିଟିର ବାହାରେ ନୂଆ କରି ଖୋଲିଥିବା କଫି ହାଉସ୍ କୁ ସେ ମତେ ନେଇଗଲେ । କୋଣରେ ଖାଲିଥିବା ଗୋଟିଏ ଟେବୁଲ୍ ପାଖକୁ ଯାଇ ସେ ବସିପଡିଲେ ଆଉ ମତେ ବସିବାର ଇଶାରା କଲେ । ସେଠିକାର ପରିବେଶ ମତେ ଭାରି ଅଶ୍ବସ୍ତିକର ଲାଗୁଥିଲା । ଚାରିପଟରେ କଲେଜ୍ ଛୁଆଙ୍କର ଭିଡ । ତା’ ଭିତରୁ ମତେ କେହି ଚିହ୍ନି ବି ଥାଇପାରେ ! ତା’ ଛଡା ଏସବୁ ଜାଗାକୁ ଯାଇ କଫି ପିଇବା, ତା’ ପୁଣି ଜଣେ ଅଜଣା ଅଶୁଣା ପୁରୁଷ ସହିତ, ମୋ ପାଇଁ ପୂରାପୂରି ନୂଆ ଅନୁଭବଟିଏ ଥିଲା ।

ଏପର୍ଯ୍ୟନ୍ତ ବି ସେ ସହଜ ହେଇନଥିଲେ । କ’ଣ କହିବେ ଆଉ ନକହିବେର ଦ୍ବନ୍ଦ୍ବ ରେ ଥିଲେ । ଏମିତି ସମୟରେ କେମିତି କଥା ଆରମ୍ଭ କରିବାକୁ ହୁଏ, ନା ତାଙ୍କୁ ଜଣାଥିଲା ନା ମତେ । ଆହୁରି କିଛି ସମୟ ସେମିତି ନିରବତାରେ ହି କଟିଗଲା । କଫି ସାଙ୍ଗରେ ଗୋଟିଏ ଗୋଟିଏ ସ୍ୟାଣ୍ଡୱିଚ୍ ଖାଇ ଆମେ ଉଠିଲୁ । ତଥାପି କେହି କାହାକୁ କିଛି ପଚାରି ପାରିଲୁନି ।

ସେ’ଠୁ ବାହାରି ରାସ୍ତାକୁ ଆସିଗଲା ପରେ ମତେ ଭାରି ହସ ମାଡିଲା । ଏମିତି କ’ଣ ହେଇଥାଏ ପୁଅ ଝିଅଙ୍କର ପହିଲି ଦେଖାସାକ୍ଷାତ ? କ’ଣ ପାଇଁ ଆମେ ଆସିଥିଲୁ ସତରେ ?

ବାଟ ଚାଲୁ ଚାଲୁ ପ୍ରଥମ ଥର ପାଇଁ ସେ ପାଟି ଖୋଲିଲେ, “କିଛି ଖରାପ ଭାବିବେନି ଆପଣ .. ହେଲେ ମୁଁ ବଡ ଆଶ୍ଚର୍ଯ୍ୟରେ ପଡିଯାଇଛି !”

ତାଙ୍କ କଥା କହିବାର ସେ ଢଙ୍ଗ ଥିଲା ବଡ ଆଶ୍ଚର୍ଯ୍ୟଜନକ । କହିବାର ଉଦ୍ଦେଶ୍ୟ ବି କିଛି ସ୍ପଷ୍ଟ ଜଣା ପଡୁନଥିଲା । ବିସ୍ମିତ ହୋଇ ତାଙ୍କ ଆଡକୁ ମୁଁ ଚାହିଁ ରହିଥିବାର ଦେଖି, ନିଜ ପକେଟ୍ ରୁ ଫଟୋଟିଏ କାଢି ସେ ମୋ ହାତକୁ ବଢେଇ ଦେଲେ । କାହାର ଫଟୋ ହେଇଥିବ ଭାବି ଓଲଟେଇ ଦେଲା ପରେ, ଚମକି ପଡିଲି ମୁଁ । ହାତରେ ଥିଲା ମୋର ସେହି ପ୍ରଥମ ଶାଢି ପିନ୍ଧା ଫଟୋ, ଯାହାକୁ ଦେଖି ମୁଁ ନିଜେ ବି ସେତେବେଳେ ମୋହିତ ହେଇ ପଡିଥିଲି । ଆଜି ଏତେ ବର୍ଷ ପରେ ସେ ଫଟୋକୁ ଦେଖି କେତେ ସ୍ମୃତି ମୋର ତାଜା ହେଇଉଠିଲା । ତା’ ସାଙ୍ଗକୁ ଆଶ୍ଚର୍ଯ୍ୟ ବି ବହୁତ ଲାଗିଲା ଯେ ଯୋଉ ଫଟୋର ଧ୍ବଂସାବଶେଷ ବି ମୋ ପାଖରେ, କି ଆମ ଘରେ ନାହିଁ, ସେଇଟି ଅତି ଯତ୍ନରେ ସାଇତା ହୋଇ ରାଜୀବଙ୍କ ପାଖରେ କେମିତି ରହିଛି ! ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଲାଗିଲା ଯେ ମତେ ଏମିତି ହଠାତ୍ ଏଇ ଫଟୋଟା ଏଇଲେ ଦେଖେଇବାର ଅର୍ଥ କ’ଣ ?

ମତେ ବେଶି ସମୟ ସନ୍ଦେହ ଘେରରେ ନରଖି ସେ କହିଲେ, “ଆପଣଙ୍କର ଏଇ ଫଟୋଟି ଦେଖି ହିଁ ମନେ ମନେ ଆପଣଙ୍କୁ ସ୍ତ୍ରୀ ରୂପେ ପ୍ରଥମରୁ ସ୍ବୀକାର କରି ନେଇଥିଲି ମୁଁ। ସେତେବେଳେ ଚାକିରିରେ ମୋର କିଛି ସ୍ଥାୟୀତ୍ବ ନଥିଲା ବୋଲି ବାହା ନହେବାକୁ କହିଥିଲି ଯଦିଓ, କିନ୍ତୁ ଆପଣଙ୍କୁ ଭୁଲି ପାରିନଥିଲି । ପରବର୍ତ୍ତୀ ଜୀବନରେ ଯେତେବେଳେ ଝିଅ ଦେଖିବାକୁ ମତେ ବାଧ୍ୟ କରାଗଲା, ସେତେବେଳେ କୌଣସି ମତେ ସେ ଫଟୋର ଲାବଣ୍ୟକୁ ଭୁଲି ପାରିଲି ନାହିଁ । ତେଣୁ ବୟସ ଗଡିଗଲା ପଛେ, ଅନ୍ୟ କାହାରିକୁ ମୁଁ ଜୀବନସାଥୀ ରୂପେ ସ୍ବୀକାର କରିପାରିଲିନି । ଏହାକୁ ମୋର ମୂର୍ଖାମୀ କୁହନ୍ତୁ ବା ଆଉ କିଛି, ଏତେ ବର୍ଷ ପରେ ବି ମୋ କଳ୍ପନାରେ ଯେଉଁ ଝିଅ ଅଛି, ସେ କେବଳ ସିମି ଦାସ୍ .. କିନ୍ତୁ ଆପଣ ନୁହନ୍ତି !”

ତାଙ୍କର ସ୍ବୀକାରୋକ୍ତି ମତେ ଚମକେଇ ଦେଲା । ହତବାକ୍ ହୋଇ ଚାହିଁ ରହିଥିଲି ମୁଁ ତାଙ୍କ ମୁହଁକୁ, ଆଉ ବୁଝିବାକୁ ଚେଷ୍ଟା କରୁଥିଲି ତାଙ୍କ କଥାର ଅର୍ଥକୁ । ରାଜୀବ ନିଜେ ଅଧା ବୁଢା ହେଇ ସାରିଲେଣି, କିନ୍ତୁ ସ୍ତ୍ରୀର କଳ୍ପନା କରୁଛନ୍ତି ସେହି ଷୋହଳ ବର୍ଷ ଝିଅର, ଯିଏ ସମୟ ସୁଅରେ ବହି ଅଧାବୁଢୀ ହେଇ ସାରିଲାଣି !

ପ୍ରଥମ ଦେଖାରେ ସେ କାହିଁକି ମତେ ଦେଖି ବିଶ୍ବାସ କରି ପାରୁନଥିଲେ, ଏତେ ବେଳକୁ ମୋ ମୁଣ୍ଡରେ ପଶିଲା । ସେ ଭାବିଥିଲେ ବାର ତେର ବର୍ଷ ପରେ ବି ମୁଁ ସେହି ଷୋଡଶୀ ସିମି ହେଇକି ରହିଥିବି, ଯାହାକୁ ନିଜ ମନମସ୍ତିଷ୍କରେ ଆଜି ପର୍ଯ୍ୟନ୍ତ ସେ ସାଇତି ରଖିଛନ୍ତି ! ଏଇଟା ମୋର ସୌଭାଗ୍ୟ ଥିଲା କି ଦୁର୍ଭାଗ୍ୟ, ମୁଁ ସେକଥା ସ୍ଥିର କରି ପାରୁନଥିଲି ଜମା । ଭବିଷ୍ୟତରେ କେଉଁ ପଦକ୍ଷେପ ନେବାଟା ମୋ ପକ୍ଷରେ ଉଠିତ ହେବ, ତାହା ବି ଭାବି ପାରୁନଥିଲି ।

ମତେ ଏମିତି ନିଜ ଭିତରେ ହଜି ଯାଇଥିବାର ଦେଖି, ଗଳା ଖଙ୍କାରି ରାଜୀବ କହିଲେ, “କ’ଣ ଭାବୁଛନ୍ତି?”

ନିରବ ରହିଲି ମୁଁ । ଯାହା ଭାବୁଥିଲି, ତାକୁ ପ୍ରକାଶ କରିଦେବା କ’ଣ ଠିକ୍ ହେବ ? ଏମିତି ବି ଏ ଅବାନ୍ତର କଥା ଉପରେ ରାଜୀବଙ୍କୁ ଆଉ କ’ଣ ବୁଝେଇ ପାରିବି ଯେ ତାଙ୍କୁ ମୋ ଭାବନା ବିଷୟରେ ଅବଗତ କରେଇବି ! ମୋ ନିରବତା ଉପରେ ପୂର୍ଣ୍ଣଚ୍ଛେଦ ପକେଇ ସେ କହିଲେ, “ସେ ଯାହା ବି ହେଉ, ଆମ ବାହାଘର ତ ଏବେ ହେବାକୁ ଯାଉଛି ! କିଛି ଦିନ ପରେ ତୁମେ ମୋର ପତ୍ନୀ ତ ବନିଯିବ, କିନ୍ତୁ ପ୍ରେମିକା ନୁହେଁ ! ଚିରଦିନ ପାଇଁ ଏଇ ସିମି ଦାସ ମୋର ମନ ମସ୍ତିଷ୍କରେ ରହିବ ମୋର ମାନସୀ ହେଇ .. ଆରାଧ୍ୟା ହେଇ ! କୋଉ ଝିଅକୁ ଦେଖି ଯେପରି ମୋର ସିମିକୁ ମୁଁ ଭୁଲି ପାରିନାହିଁ .. ସେପରି ତୁମକୁ ପାଇଲା ପରେ ବି, ମୁଁ ତାକୁ ଭୁଲି ପାରିବି ନାହିଁ । ମନରେ ସବୁବେଳ ପାଇଁ ଅବସୋସଟିଏ ରହିଗଲା ଯେ କାହିଁକି ସେତେବେଳେ ମୁଁ ହଁ କରିଦେଲି ନାହିଁ !!”

ମତେ କଲେଜ୍ ଗେଟ୍ ପାଖରେ ଛାଡିଦେଇ ସେ ଫେରିଗଲେ । ଥରେ ବୁଲିକି ଚାହିଁଲେ ବି ନାହିଁ । ଆଖିରୁ ଅଦୃଶ୍ୟ ହେଇଯିବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟରେ ତାଙ୍କ ଯିବା ବାଟକୁ ମୁଁ ଚାହିଁ ରହିଥିଲି । ହାତରେ ଏପର୍ଯ୍ୟନ୍ତ ସୁଦ୍ଧା ଥିଲା ମୋର ପ୍ରତିଦ୍ବନ୍ଦ୍ବୀ .. ମୋରି ଫଟୋ ! ମଣିଷ ଜୀବନରେ ପ୍ରତି ମୁହୂର୍ତ୍ତରେ କାହାରି ନା କାହାରି ସାଙ୍ଗରେ ପ୍ରତିଦ୍ବନ୍ଦ୍ବିତା କରେ .. ମୁହାଁମୁହିଁ ହୁଏ, କିନ୍ତୁ ମୋର ପ୍ରତିଦ୍ବନ୍ଦ୍ବୀ ଥିଲି ମୁଁ ନିଜେ .. ମୋ ବୟସ .. ମୋ ଫଟୋ । ଚାହିଁଲି ସେ ଫଟୋ ଆଡେ । କେତେ ଉତ୍ସାହରେ ସେ ଫଟୋ ମୁଁ ଉଠେଇଥିଲି ସେତେବେଳେ .. କେତେ ଗର୍ବ ଅନୁଭବ କରିଥିଲି ତାକୁ ଦେଖି ! ହେଲେ ଆଜି ମୋ ପାଟିରୁ ଖାଲି ଏତିକି ବାହାରୁଥିଲା – “ହାଏ ରେ ମୋ ଫଟୋ !!!”

-0-


Rate this content
Log in