ଚଷମା
ଚଷମା
ସତ୍ୟ ପ୍ରକାଶ ମହାନ୍ତି ଆଜି ଜୀବନର ଅପରାହ୍ନରେ ଉପନୀତ। ସତ୍ୟ ଆଉ ତ୍ୟାଗର ପୂଜାରୀ ଥିଲେ ସେ। କେଉଁ ଏକ ନିପଟ ଅନୁନ୍ନତ ଗାଁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ଛାତ୍ର ମାନେ ଥିଲେ ତାଙ୍କ ପାଇଁ ସବୁକିଛି। କେବେ କୌଣସି ଛାତ୍ର ଛାତ୍ରୀଙ୍କୁ ହାତ ଉଠିବାର କେହି ଦେଖି ନାହାନ୍ତି। ଏଇ ହାତରେ ଅନେକ ଛାତ୍ରଙ୍କୁ ଗଢିଛନ୍ତି ସେ। ତାଙ୍କ ହାତର ପରଶରେ ଅନେକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି। ସମସ୍ତ ପାଇଁ ସବୁ କରିଥିବା ମଣିଷଟି ଆଜି ନିଜ ପାଇଁ କିଛି କରି ପାରୁନି। ଜୀବନର ଆରମ୍ଭ ଆଉ ଶେଷ ମଣିଷ ସତେ ଯେମିତି ଅସହାୟ। ଫରକ ଏତିକି ଶିଶୁ ଅବସ୍ଥାର ସ୍ନେହ ଆଦର ବାର୍ଦ୍ଧକ୍ୟରେ ନ ଥାଏ। ଏହାକୁ ଖୋଜିବା ବି ମୂର୍ଖାମୀ। ଜୀବନର ଅପରାହ୍ନରେ ସମସ୍ତେ ସମାନ। ସେ ରାଜା ହେଉ କି ରଙ୍କ। ସେ ଗାନ୍ଧୀ ହେଉ କୃଷ୍ଣ। ଏହାହିଁ ଜୀବନର ସନାତନ ସତ୍ୟ।
ସତ୍ୟ ପ୍ରକାଶ ମହାନ୍ତି ନିଜ ପୁଅ ଆଦର୍ଶକୁ ନିଜ ବାଲ୍ୟ ବନ୍ଧୁଙ୍କ ଝିଅ ଅନିତା ସାଙ୍ଗରେ ବିବାହ କରିଥିଲେ। ଅନିତା ଥିଲା ଅତି ଶାନ୍ତ ସରଳ ସ୍ୱାଭିମାନି ଝିଅଟିଏ। ଗୋଟିଏ ଚାଉଳରେ ଗଢ଼ା। ରୂପ ଯେମିତି ଗୁଣ ବି ସେମିତି କିନ୍ତୁ ଆଦର୍ଶ ଏ ବିବାହରେ ଖୁସି ନ ଥିଲା। ସେ ଅନିତାକୁ ପସନ୍ଦ କରେ ନା ଅନିତାର ବାପ ଘରକୁ। କାରଣ ସେମାନେ ଥିଲେ ବହୁତ ଗରିବ। ଆଦର୍ଶର ମନ ଲାଖି ଧନ ସମ୍ପତ୍ତି ଦେଇ ନ ଥିବାରୁ କଥା କଥାରେ ଅପମାନିତ କରେ ସ୍ତ୍ରୀ ଅନିତାକୁ। ସତ୍ୟ ପ୍ରକାଶ ବାବୁ ସବୁ ଜାଣନ୍ତି କିନ୍ତୁ ନିରୁପାୟ। ବୟସ ବଢିଗଲା ପରେ, ପୁଅ ବଡ଼ ହୋଇ ରୋଜଗାର କଲା ପରେ ନିଜର ଇଚ୍ଛା ଏବଂ ଅଧିକାର ହରେଇ ବସିଛନ୍ତି ସେ।
ସତ୍ୟ ପ୍ରକାଶ ମହାନ୍ତିଙ୍କ ଚଷମାଟି ପୁରୁଣା ହୋଇଗଲାଣି। ବହୁତ ଅସୁବିଧା ହେଉଛି ବୁଢା ବୟସରେ। ପଢା ପଢି ତାଙ୍କର ଏକ ନିଶା। ସକାଳୁ ଖବରକାଗଜ ନ ପଢିଲେ ସାରା ଦିନ ଖାଲି ଖାଲି ଲାଗେ। କେତେଥର କହିଲେଣି ପୁଅକୁ ଚଷମାଟିଏ ଆଣିବାକୁ। ଅନିଚ୍ଛା ସତ୍ତ୍ୱେ, ହଉ ଆଣିବା କହି ଚାଲିଯାଏ ଆଦର୍ଶ। ବୋହୂ ଅନିତା ବି ଅନେକ ଥର କହିଲେନି ବାପାଙ୍କ ପାଇଁ ଚଷମା ଆଣିବାକୁ କିନ୍ତୁ ଆଦର୍ଶ ବିରକ୍ତ ହୋଇ କୁହେ, ତମକୁ କଣ ଜଣା ପଡୁଛି ଘର କେତେ କଷ୍ଟରେ ଚଳୁଛି। ଟଙ୍କା କଣ ଗଛର ଫଳ। ଚଷମା ଆଣିବାକୁ ହେଲେ, ଆଖି ଡାକ୍ତରଙ୍କ ପରାମର୍ଶ କରି ଭଲ ଦୋକାନରୁ ଆଣିବାକୁ ପଡିବ। ଚାରି ଦିନ ଖବର କାଗଜ ନ ପଢିଲେ କଣ ମହାଭାରତ ଅଶୁଦ୍ଧ ହୋଇଯିବ। ବିଚାରୀ ଅନିତା ଚୁପ ରୁହେ।
ଆଜି ଅଫିସରୁ ଫେରିବା ସମୟରେ ଆଦର୍ଶ ଏକ ସୁନ୍ଦର ଦାମୀ ଶାଢ଼ୀ ଅନିତାକୁ ଦେଇ, କହିଲେ ଶାଢ଼ୀଟା ଦେଖିଲ ମନକୁ ପାଉଛି। ଅନିତା ଶାଢ଼ୀ ଦେଖି କହିଲେ, ଏବେ ଶାଢ଼ୀ ଆଣିବା କଣ ଦରକାର ଥିଲା। ସେଇ ଟଙ୍କାରେ ବାପାଙ୍କ ପାଇଁ ଚଷମାଟିଏ ହେଲେ ଆଣିଥାନ୍ତ। ଘରେ ତ ଅନେକ ଶାଢ଼ୀ ଅଛି। ଏତିକି ଶୁଣି ଗର୍ଜି ଉଠିଲେ ଆଦର୍ଶ। ହଁ ଅନେକ ଶାଢ଼ୀ ଅଛି, ସବୁ ଚାରିଶ କି ପାଞ୍ଚ ଶହ ଟଙ୍କିଆ। ଭିକାରି ଘର ଛୁଆ, ଷ୍ଟାଟସ କଣ ଜାଣିଛ। ଏ ଶାଢ଼ୀ ପିନ୍ଧିଲେ ତୁମକୁ ସାଙ୍ଗରେ ନେବାକୁ ଲାଜ ଲାଗୁଛି। ଲୋକେ କଣ କହିବେ। କାଲି ମଉସାଙ୍କ ପୁଅର ବିବାହ। ଯାହା ଆଗରୁ ପିନ୍ଧୁଥିଲ ପିନ୍ଧୁଥିଲ, ଏବେ ସେ ସବୁ ଛାଡ଼। ଅନିତା ଥିଲା ଉପାୟ ଶୂନ୍ୟ। ନିରବରେ ଲୁହ ଝରାଇବା ବ୍ୟତୀତ ଆଉ କିଛି ଉପାୟ ନ ଥିଲା ତା ପାଖରେ।
କିଛିଦିନ ପରେ ଅନିତାର ଅନୁରୋଧ ଏବଂ ପ୍ରଚେଷ୍ଟାରେ ବାପାଙ୍କ ପାଇଁ ଚଷମା ଆସିଥିଲା। ସତ୍ୟ ପ୍ରକାଶ ମହାନ୍ତି ବୋହୁ ପାଇଁ ବହୁତ ଗର୍ବ କରୁଥିଲେ କିନ୍ତୁ ପାଖ ପଡ଼ିଶା କହୁଥିଲେ, ଅନିତା ଦିନ କେଇଟା ହୋଇନି ଆଦର୍ଶକୁ ପୁରା ହାତ ମୁଠାରେ ରଖିଛି। ଆସିଲା ବେଳେ ସୁତା ଲୁଗା ଖଣ୍ଡେ ଭଲ କରି ଆଣି ନ ଥିଲା। ଏବେ ଶାଢ଼ୀ ଚୁଡି, ଗହଣା ଗାଣ୍ଠି ରେ ଭାସୁଛି।