Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯମବେଦନା
ଯମବେଦନା
★★★★★

© Arabinda Rath

Comedy Tragedy

11 Minutes   7.5K    12


Content Ranking

ଲେଖକ-ଅରବିନ୍ଦ ରଥ

କୋଚିଆ ମାଛ ପରି ସାଙ୍କୁଡି ମାଙ୍କୁଡି ହୋଇ, ମୁହଁଟାକୁ ଭୁର୍କୁଟିଆ କରି ବୁକୁଫଟା ବିଳାପ ଛାଡି ଶେଯରେ ପଡିଛନ୍ତି ଗୋବରା ବାବୁ। “ବୋପାଲୋ” “ ମାଆଲୋ” ରଡିରେ ଘରଟା ପଡୁଛି ଉଠୁଛି। ପତ୍ନୀ ଖୁଲଣା ଗୋଡ ପାଖରେ ବସି ରେଳଗାଡି ଇଞ୍ଜିନ୍ ପରି ଧକେଇ କାନ୍ଦିବାରେ ବ୍ଯସ୍ତ। ପୁଅ ଝିଅ ଦୁଇଟି ହାତରେ ମୋବାଇଲ ଧରି ବାପାଙ୍କର କରୁଣ ଅବସ୍ଥାର ଚିତ୍ର ଉତ୍ତୋଳନ କରି ଫେସବୁକ୍ ରେ ଛାଡିବାରେ ନିମଗ୍ନ। ଗୋବରା ବାବୁଙ୍କର ବାଉଁଶ କାଠି ପରି ଗୋଡ ଦୁଇଟିରେ ପ୍ଲାଷ୍ଟର ବନ୍ଧା ଯାଇଛି। ଦେହ ସାରା ଠାଏ ଠାଏ ବ୍ଯାଣ୍ଡେଜ୍ ଭିଡା ଯାଇଥିବାରୁ ସେ ପାଳଭୂତ ପରି ଦୃଶ୍ଯମାନ ହେଉଛନ୍ତି। ମୁଣ୍ଡରେ ହେଲମେଟ୍ ପରି ପଟି ବନ୍ଧା ଯାଇଛି ଓ ପଟି ଭିତରୁ ଉକୁଟି ଉଠୁଛି ରକ୍ତ ଓ ଓୌଷଧର ଲାଲିମା। ସଜନା ଛୁଇଁ ପରି ନଳିଆ ହସ୍ତ ଯୁଗଳ ବି ବ୍ୟାଣ୍ଡେଜ୍ ର ଆଲିଙ୍ଗନ ଭିତରେ ଲୁଚି ରହିଛନ୍ତି। ଗୋବରାଙ୍କ ଦେହରେ ଚର୍ମ ଅପେକ୍ଷା ବ୍ଯାଣ୍ଡେଜ୍ ଓ ପଟି ଅଧିକା ଦୃଶ୍ଯ ହେଉଛି। କଟା କରମଙ୍ଗା ସଦୃଶ ପାତିଆ ଓଠରେ ରକ୍ତଧାର ସୁସ୍ପଷ୍ଟ ଦିଶୁଛି। ସତେ କି ଡାହାଣୀ ସଦ୍ଯ ରକ୍ତ ପିଇ ଆସିଛି।

ତାଙ୍କର ଏପରି ଅବସ୍ଥା ହୋଇଛି ସେଇ କଳା ବୁଲା କୁକୁର ସକାଶେ। ଅଫିସ୍ ର ଘଣ୍ଟାଚକଟା କାମ ସାରି ଅଫୁରନ୍ତ ଆନନ୍ଦରେ ମନଫୁଲାଣିଆ ଗୀତ ଗାଇ ଗୋବରା ଲୁନା ଚଲେଇ ଘରକୁ ଫେରୁଥିଲେ। ହ୍ୟାଣ୍ଡଲ୍ ରେ ଝୁଲିଥିଲା ଗରମ ପିଆଜି ଓ ବରା। କିନ୍ତୁ ସେତିକି ବେଳେ ଗୋଟେ କଳାରଙ୍ଗର ବୁଲା କୁକୁର ହାମୁଡି ହୋଇ ଲୁନା ଆଗକୁ ମାଡିଆସିଲା। କେମିତି ଗାଡି ଠିଆ କରିବେ, ସେ ଭାବନା ସରିଲା ବେଳକୁ ନିଜକୁ ଆବିଷ୍କାର କଲେ କଳା ମଚମଚ ପିଚୁ ରାସ୍ତା ଉପରେ। କହିବା ବାହୁଲ୍ଯ, କୁକୁରଟି ଲୁନା ଭିତରକୁ ହଠାତ୍ ପଶି ଆସିଲା ଓ ଗୋବରା ପେଣ୍ଡୁ ପରି ରାସ୍ତା ଉପରେ ଗଡିଗଲେ। ବରା ପିଆଜିଗୁଡିକ ମୋତିମାଳ ଛିଡିଲା ପରି ରାସ୍ତା ଉପରେ ବିଛାଡି ହୋଇ ପଡିଲେ। ରାସ୍ତା ଉପରେ ଗୋବରା ଲହୁଲୁହାଣ ହୋଇ ପଡିଥିଲା ବେଳେ, କଳା କୁକୁରଟି ମହା ଆନନ୍ଦରେ ବରା ପିଆଜିତକ ଉଦରସ୍ଥ କରି ଲୁନା ଉପରେ ଗୋଟିଏ ଗୋଡ ଟେକି କିଛି ତରଳ ପଦାର୍ଥ ସିଞ୍ଚନ କଲା ଓ ସେ ଜାଗା ପରିତ୍ଯାଗ କଲା। ଜରିରେ ଥିବା କଟା ପିଆଜ, କଳା ଲୁଣ ଓ ଲଙ୍କା ଛଣା ମାନେ ବଡ ଦୟନୀୟ ଅବସ୍ଥାରେ ପିଚୁ ଉପରେ ମୁହଁ ମାଡି ଭାବୁଥିଲେ, ଛିଃ କି କୁକୁରିଆ ଭାଗ୍ଯ ଆମର , ଖାଇବା ଟେବୁଲରେ ଧଳା ଥାଳିଆର କୋଳ ମଣ୍ଡନ କରିବା ପରିବର୍ତ୍ତେ ଆମେ ରାସ୍ତାର ଧୂଳି ଚାଟୁଛେ। ନିଜ ଚାରିପଟରେ କଣ ଘଟି ଯାଉଛି ଜାଣିବା ପାଇଁ ହେତୁ ନ ଥିଲା ଗୋବରାଙ୍କର। ମୁଣ୍ଡଟି ପଥରରେ ଛେଚି ହୋଇଗଲା ପରେ ସେ ବେହୋସ୍ ହୋଇ ମାଟି କାମୁଡି ପଡିଥିଲେ। ପାଖ ଦୋକାନୀ ମାନେ ଗୋବରାଙ୍କୁ କାଖେଇ ବୋଧ କରି ଘରକୁ ଟେକି ଆଣିଲେ। ହୋସ୍ ଆସିଲା ବେଳକୁ ଗୋବରାଙ୍କ କାନ୍ଦରେ କଲୋନୀ କମ୍ପିବା ଅବସ୍ଥା। ତା ପରେ ଶହେ ଆଠ ଆମ୍ବୁଲାନସ୍ ରେ ବୁହା ହୋଇ ମେଡିକାଲ୍ ଗଲେ ଓ ଅଟୋ ରିକ୍ସାରେ ବ୍ଯାଣ୍ଡେଜ୍ ପଟି ଭିଡି ଘରକୁ ଫେରିଲେ।

ଖୁଲଣାଙ୍କ ଛାତି ଭିତରେ କୋହ ସବୁ ଲାଙ୍ଗୁଡା ପୋକ ପରି ସାଲୁବାଲୁ ହେଉଥିଲେ । ସେ କାନ୍ଦି କହୁଥିଲେ-- ତୁମେ ମୋ ମଥାର ସିନ୍ଦୁର, ହାତର ଶଙ୍ଖା, ତୁମେ ମୋ ଜୀବନ। ତୁମର କଣ ହେଲେ ମୁଁ ଅଭାଗିନୀ କଣ କରିବି, କେମିତି ବଞ୍ଚିବି?କିଏ ପଚାରିବ ମୋତେ। ମୋ କୂଳ ଭାସିଯିବ। ଅଳପେଇଶା,ବାଡିଖିଆ, ରଇଜଳା କୁକୁରଟା କଣ ନ କଲା? ମୋ ମଙ୍ଗଳସୂତ୍ରରେ ଝୁଲି ଛିଣ୍ଡାଇ ଦେବାକୁ ବସିଥିଲା। ଲୋ ମାଆ କେର୍କଣ୍ଟଚଣ୍ଡୀ , ମୋ ହାତକୁ ବଜ୍ର କରିବୁ ଲୋ ମାଆ … ଘଣ୍ଟ ଆଢୁଆଳରେ ମୋ ସୁକୁଟା ବରକୁ ରଖିଥିବୁ।( ଖୁଲଣା, ସ୍ନେହରେ ଗୋବରାଙ୍କୁ କେବେକେବେ ସୁକୁଟା କହି ସମ୍ବୋଧନ କରନ୍ତି)। ସେତିକିବେଳେ ତାଙ୍କ ସଂଳାପ ଗୁଡିକ ପଇଡ ଭିତରୁ ପାଣି ସରିଲା ପରି ସରିଗଲା।

ଘଟଣା ପୂର୍ବ ଦିନ ଓଡିଆ ଧାରାବାହିକରେ ଶୁଣିଥିବା ସଂଳାପ ସେତିକି ମନେ ଥିଲା। ତେଣୁ ବାକି ଲୁହ, ସଂଳାପଶୂନ୍ଯ ଅବସ୍ଥାରେ ବୁହାଇବାରେ ଲାଗିଲେ। ଗୋବରା ମନେ ମନେ ଭାବୁଥିଲେ ତାଙ୍କ ସୃପଣଖା ନାକିଆ ଅର୍ଦ୍ଧାଙ୍ଗିନୀଙ୍କ ବିଷୟରେ। ଘଟଣା ପୂର୍ବ ଦିନ ରାତିରେ କଳି ଝଗଡା କରି ଘର ଛାତ ଉଡେଇ ଦେଇଥିବା ନାରୀର ମିଞ୍ଜିମିଞ୍ଜିଆ ଟେରି ଆଖିରେ ଏତେ ଲୁହ କୁଆଡୁ ଆସିଲା ? ସେ ତାଙ୍କ ଅବସ୍ଥା ପାଇଁ କାନ୍ଦୁଛି ନା ବରା ପିଆଜି ସବୁ ଟକଳିଆ ପାଟିରେ ପଡି ପାରିଲାନି ବୋଲି କାନ୍ଦୁଛି, ସେ ବୁଝି ପାରୁ ନ ଥିଲେ।

ସେତିକି ବେଳେ କିଏ ଜଣେ ଆଗନ୍ତୁକ ଘରେ ପ୍ରବେଶ କଲେ। ଦେଖିଲା ବେଳକୁ ପଡୋଶି ସର୍ବଗିଳା ମହାନ୍ତି।

– ଆରେ ଗୋବରା ବାବୁ ! ଏମିତି ଛିନଛତରିଆ ଅବସ୍ଥା କିପରି ହେଲା ଆପଣଙ୍କର? ଦେଖିଲେ ଲାଗୁଛି ବୋଧେ କୁଳଛତ୍ରିଆ ମାଡ ବାଜିଛି। ତାଙ୍କର ଏମନ୍ତ ମନ୍ତବ୍ଯରେ ଦେହରେ ପୀଡା ଟିକେ ବଢିଲା ପରି ଲାଗିଲେ ବି ସେ ନିରୁତ୍ତର ରହିଲେ । କାରଣ ସର୍ବଗିଳା ବାବୁଙ୍କଠାରୁ ଆଣିଥିବା ଦଶ ହଜାର ଟଙ୍କା ଆଜି ଯାଏ ଫେରେଇ ନ ଥିଲେ।

– ଆରେ ଖରାପ ଭାବିଲେ କି? ସେମିତି ମଜାରେ କହୁଥିଲି ମ। କେମିତି ସବୁ ହେଲା ଟିକେ ଜାଣିବାକୁ ଚାଲି ଆସିଲି। ଆପଣଙ୍କର କଣ ହେଲେ ମୋ ଦେହଟା ଥରି ଉଠୁଛି ପରା। ଆଖିରେ ବିଦ୍ରୁପଭାବ ଉକୁଟାଇ କହିଲେ ସର୍ବଗିଳା।

ପାଟି ଭଲରେ ଖୋଲୁ ନ ଥିଲେ ବି ଗୋବରା, ଥଙ୍ଗେଇ ଥଙ୍ଗେଇ ସବୁ କାହାଣି ଗାଇ ଗଲେ। ତାଙ୍କର ବୀରତ୍ବ, କୁକୁର ର ବେପରବାୟ ଗୁଣ, ଲୁନା ଗାଡିର ପାରିବା ପଣ ଓ ତାଙ୍କର ଫଟା କପାଳ ବିଷୟରେ ବଖାଣିଲା ବେଳକୁ ଆଖିରେ ଲୁହ ଜକେଇ ଆସୁଥିଲା। ଅଭ୍ଯାସବଶତଃ ହାତ ହଲେଇ କଥା କହିଲା ବେଳକୁ କଷ୍ଟରେ "ଉଃ" "ଆଃ" କରିବାରେ ହେଳା କରୁ ନ ଥିଲେ। ଭଦ୍ରାମୀ ଦୃଷ୍ଟିରୁ ଖୁଲଣା ଚାହା କପେ ଓ ଦୁଇଟା ଆମ୍ପ୍ରୋ ବିସ୍କୁଟ୍ ଦେଇ ଅତିଥି ସତ୍କାର କଲେ। ଚାହା ପିଇବା ଅବସରରେ ସର୍ବଗିଳା ଗୋବରାଙ୍କ କାନ ପାଖରେ ଫିସ୍ ଫିସ୍ କରି କହିଲେ

-- ଯାହା ହେଉ କୁକୁରଟା ଠିକଣା ବେଳରେ ପାନେ ଦେଲା। ନୋହିଲେ ଆପଣଙ୍କ ସାକ୍ଷାତ ପାଇବା ମୋ ପାଇଁ ଦେବ ଦର୍ଶନ ପରି ଅସମ୍ଭବ ଥିଲା। ବକେୟା ଟଙ୍କାଟା କେବେ ଶୁଝିବେ ନା ବିଲକୁଲ୍ ଦେବେନି,କହିଲେ ମୁଁ ଭବିଷ୍ଯତରେ କଣ କରିବି ନିଷ୍ପତ୍ତି ନେବି। ହାତ ଗୋଡ ତ ଭାଙ୍ଗିଛି, ଆଉ ଯାହା ଭଙ୍ଗା ଯାଇପାରିବ ଭାଙ୍ଗି ଦେବି।

କଥାର ତୀର ଗୁଡା ଦେହରେ ଫଚ୍ ଫଚ୍ କରି ଗଳି ଯାଉଥିଲେ କିଛି କରିବା ଅବସ୍ଥାରେ ନ ଥିଲେ ଗୋବରା। ଯାହା ହେଉ ସେ ଆଲୋଚନା ଖୁଲଣାଙ୍କ କାନରେ ପଡିନି ନୋହିଲେ ଅବସ୍ଥା ବାର ଗଣ୍ଡା ଦି କଡା ହୋଇଥାଆନ୍ତା।

ଘର ଆଗରେ ଫଟ୍ ଫଟ୍ ହୋଇ ଅଟୋରିକ୍ସାଟେ ଆସି ଠିଆ ହେଲା। ନାରୀ ପୁରୁଷ ଚାରି ଜଣ ଦୁଲଦୁଲ୍ କରି ଘର ଭିତରେ ପଶିଲେ। ଦୁଇଟି ନାରୀଙ୍କର ପାରା ପରି ଗୁମୁରି ଗୁମୁରି କାନ୍ଦିବା ଶୁଣି ଗୋବରାଙ୍କ ଆଖି ଜକେଇ ଆସିଲା। ଦେଖିଲା ବେଳକୁ ତାଙ୍କ ଦୁଇ ଭଉଣୀ ଓ ଜ୍ବାଇଁ ଆସିଛନ୍ତି। କଳା କୁକୁରର ଅଠଚାଳିଶ ପୁରୁଷ ଉଦ୍ଧାର କରି ବେନି ଭଉଣୀ ଗାଳି ଫଜିତ୍ ରେ ଘରର ପରିବେଶକୁ ଗମ୍ଭୀର କରିଦେଲେ। ସାନ ଭଉଣୀ ଗୋବରାଙ୍କ ଅବସ୍ଥା ଦେଖି କୋହ ସମ୍ଭାଳି ନ ପାରି ତାଙ୍କ ଗୋଡ ଉପରେ ହାତ କଚାଡି ଫଟେଇ ଫଟେଇ କାନ୍ଦିବାରେ ଲାଗିଲେ। ବ୍ଯାଣ୍ଡେଜ୍ ତଳେ ଗୋବରାଙ୍କ ଗୋଡରେ କରେଣ୍ଟ ଲାଗିଲା ପରି ବୋଧ ହେଲା। ସେ ବିକଳରେ ବୋବାଳି ଛାଡିଲେ। ଭୁଲ୍ ହୋଇ ଯାଇଛି ଜାଣି ଭଉଣୀ ଟି ଖୁଲଣାଙ୍କ ପାଖକୁ ଦଉଡିଲା। ଜ୍ବାଇଁ ପୁଅ ଦୁଇଜଣ ମୁହଁରେ କୃତ୍ରିମ ଦୁଃଖ ଉକୁଟାଇ ଘଟଣା ବୃତ୍ତାନ୍ତ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତେ, ବଖାଣି ବସିଲେ ଗୋବରା ସେଇ କାହାଣୀ ପୁଣି ଥରେ। ଜଣେ ଜ୍ବାଇଁ ସେତେଟା ଆଗ୍ରହ ନ ଦେଖେଇବାରୁ ଗୋବରା କାହାଣୀ ରେ କିଛି ନୂଆ ଘଟଣା ଅବତାରଣା କଲେ। ଗଳା ଝାଡି କହିଲେ-- ମୁଁ ଲୁନା ଚଲେଇ ବହୁତ୍ ଜୋର ରେ ଆସୁଥିଲି। ସେତିକି ବେଳକୁ ବୁଢୀ ଲୋକଟିଏ କଳା କୁକୁର ଧରି ରାସ୍ତା ପାର ହେଉଥିଲା। ଦେଖୁଦେଖୁ ବଡ ଦଶ ଚକିଆ ଟ୍ରକ୍ ଟେ ତା ଆଗକୁ ମାଡି ଆସିଲା। ସେତେବେଳେ ମୁଁ ଭାବିଲି ଯଦି ବୁଢୀ କୁ ବଞ୍ଚେଇବି, ମୋତେ ଟ୍ରକ୍ ଆଗରେ ଗାଡି ନେଇ ଛିଡା କରିବାକୁ ହେବ ଓ ବୁଢୀକୁ ରାସ୍ତା କଡକୁ ଠେଲି ଦେବାକୁ ହେବ। ମୁଁ ସେଇଆ କଲି। ଟ୍ରକ୍ ଆଗରେ କେଁ କେଁ କରି ମୋ ଲୁନା କୁ ଠିଆ କରିଦେଲି ଓ ହାତ ଲମ୍ବେଇ ବୁଢୀକୁ ଧକ୍କେ ମାରି ରାସ୍ତା ସେପାରି କୁ ଉଡେଇ ଦେଲି। ବଡ ଗାଡିଟା ମୋ ସାହସ ଦେଖି ବ୍ରେକ୍ ଉପରେ ଛିଡା ହୋଇଗଲା କିନ୍ତୁ ମୁଁ ଗୋଟେ ପଥରରେ ବାଜି ବିଛାଡି ହୋଇଗଲି। ବୁଢୀ ଓ କୁକୁର ବଞ୍ଚିଗଲେ। କିନ୍ତୁ ମୋ ଲୁନା ଟା ଫଟା ବେଲୁନ୍ ପରି ରାସ୍ତାରେ ପଡିରହିଲା ଓ ମୁଁ ପବନରେ ତିନି ଚାରି ଘେରା ମାରି ତଳେ ପଡି ଜୋକ ମୁହଁରେ ଲୁଣ ଦେଲା ପରି ମେଞ୍ଚା ହୋଇଗଲି।

କାହାଣୀଟା ଏଥର ଦୁଇ ଜ୍ବାଇଁପୁଅଙ୍କ ମନକୁ ପାଇଲା ବୋଧେ, ସେମାନେ କେତେ ସମବେଦନାରେ ପୋତି ପକେଇଲେ। ତା ସହ ଗୋବରାଙ୍କର ମାନବିକତା ଓ କୁକୁରବିକତାର ଭୂୟସୀ ପ୍ରଶଂସା କଲେ। ଚାହା ଜଳଖିଆ ଆସିବାରେ ବିଳମ୍ବ ହେବାରୁ ସେମାନେ ରୋଷେଇ ଘରେ ଘେରାଏ ବୁଲି ଆସିଲେ। କୌଣସି ବ୍ଯବସ୍ଥା ହେବାର ନ ଦେଖି ଜ୍ବାଇଁ ମାନଙ୍କର କ୍ରୋଧ ବହ୍ନି ଦୁକୁ ଦୁକୁ ଜଳିବା ଦେଖି ପାରିଲେ ଗୋବରା। ବଡ କଷ୍ଟରେ ଖୁଲଣାଙ୍କୁ ଡାକି ଜ୍ବାଇଁ ଚର୍ଚ୍ଚା କରିବାକୁ ଅନୁରୋଧ କରି ଶେଯରେ ଶୋଇ ରହିଲେ। କିଛି ସମୟ ଭିତରେ ଅଟୋରିକ୍ସା ଯିବାର ଶବ୍ଦ ଓ ଆଉ ଏକ ଗାଡି ଆସିବାର ଶବ୍ଦ ଶୁଣାଗଲା। ପୁଣି କିଛି ଲୋକ ଆସିଲେ ଓ ସମାନ କାହାଣିର ପୁନରାବୃତ୍ତି କରିବାକୁ ହେଲା। ଏଥର ପ୍ରମାଦ ଗଣିଲେ ଗୋବରା। କେତେ ଜଣଙ୍କୁ ଏ କାହାଣୀ ଶୁଣେଇବେ। ରାତି ବଢିବା ସହ କଷ୍ଟ ଓ ଦେଖଣାହାରୀଙ୍କ ସଂଖ୍ଯା ବଢି ଚାଲିଛି। ମନ୍ଦିରରେ ଠାକୁରଙ୍କୁ ଉପରଠାଉରିଆ ମୁଣ୍ଡିଆଟେ ମାରି ଭକ୍ତ ମାନେ ଯେପରି ଇଆଡେ ସିଆଡେ ବୁଲନ୍ତି , ସେମିତି ତାଙ୍କୁ ଦେଖିବାକୁ ଆସୁଥିବା ଲୋକେ ଟିକେ “ଆହା” “ଚୁ ଚୁ” କରି ଦେଇ ଚାହା ଜଳଖିଆ ଖାଇବାରେ ବ୍ଯସ୍ତ। ଖୁଲଣାଙ୍କୁ ଫୁରସତ୍ ନାହିଁ। ସଂନ୍ଧ୍ଯା ବେଳରୁ ଚାହା ଭାଟି ବସିଛି ଯେ ଉଠିବାର ନାଁ ନେଉନି। ବିସ୍କୁଟ୍ ପ୍ଯାକେଟ୍ ର ଜରି ସବୁ ଗଛର ଶୁଖିଲାପତ୍ର ପରି ରୋଷେଇ ଘରେ ଛିନଛତ୍ର ପଡିଛନ୍ତି। ବିନା ଚିନି, ଅଧା ଚିନି, ଡବଲ୍ ଚିନି, ସୁଗାର ଫ୍ରି, ନାଲି ଚାହା, ଲେମ୍ବୁ ଚାହା, ସବୁଜ ଚାହା, ରାମଦେବ ଚାହା ଏମିତି କେତେ ଜାତିର ଚାହା ପାଇଁ ବରାଦ ଆସୁଛି।

କିଏ କିଏ କହୁଛନ୍ତି--- ଖୁଲଣା ଭାଉଜ ଟିକେ ପିଆଜ ପକୁଡି କରନ୍ତନି!!!.... କେତେ ଦିନରୁ ତୁମ ହାତରୁ ପିଆଜ ପକୁଡି ଖାଇନୁ। ଆଜି ସିନା ଗୋବରା ଭାଇ ଦୁର୍ଘଟଣାରେ ପଡିଲେ ବୋଲି ଆମେ ଆସିଲୁ, ନୋହିଲେ ଏମିତି ଅବସର କଣ ସବୁଦିନ ଆସିବ ନା ଗୋବରା ଭାଇ ସବୁ ଦିନ ପଡୁଥିବେ।

ଶେଯରେ ପଡି ରହି ସବୁ ଶୁଣୁଥାଆନ୍ତି ଗୋବରା। କେଡେ ବଜ୍ଜାତିଆ ଲୋକଗୁଡା। ତାଙ୍କୁ ଦେଖି ଆସିଛନ୍ତି ନା କଟା ଘାଆ ରେ ଲୁଣ ଲେସିବାକୁ ଆସିଛନ୍ତି। କଳା କୁକୁର କୁ ମନେମନେ ବହେ ଶୋଧୁଥାଆନ୍ତି। କୁକୁର ଟା ଆଜି କି କକରଛନିଆ ଅବସ୍ଥା କଲା ତାଙ୍କର। ସେତିକି ବେଳକୁ ପୁଅ ଖବର ଦେଲା ଯେ ତାଙ୍କୁ ଦେଖିବାକୁ ଅଫିସ୍ ର ବଡ ହାକିମ ଆସିବେ। ଖବରଟା ଶୁଣି ଛାତି ଭିତରଟା ଧୁଡୁ ଧୁଡୁ କରିବା ଆରମ୍ଭ କରିଦେଲା। ସେ ହାକିମଟା ବଡ ରାବଣିଆ ପ୍ରକୃତିର ଲୋକ। ଛେନା ରୁ ଚୋପା ଛଡେଇବା ତାର କାମ। ଯଦି କିଛି ଜାଣିବା ପାଇଁ ଚାହିଁବ, ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବ। ଲାଗିବ ସତେ କି ଅଦାଲତରେ ଜେରା ଚାଲିଛି। କଥା ଟିକେ ଓଲଟ ପାଲଟ ହେଲେ ଘାଉଁ କରି ମାଡି ବସିବ। ଗୋବରା ସାଙ୍ଗେସାଙ୍ଗେ ଜରୁରୀକାଳିନ ବୈଠକ ଡକେଇ ପରିବାର ସହ ଆଗାମୀ କାର୍ଯ୍ଯପନ୍ଥା ବିଷୟରେ ଆଲୋଚନା କଲେ। ସ୍ଥିର ହେଲା ସେ ମାଠିଆ ମୁଣ୍ଡିଆ ଘମ ପେଟିଆ ହାକିମର ରାତ୍ରୀ ଭୋଜନ ଆୟୋଜନ ଟା ଘରେ କରିବାକୁ ପଡିବ। ତାକୁ କୁକୁଡା ଫଡିଆ, ଦେଶୀ ଅଣ୍ଡା ଭଜା, ଚୁନା ମାଛ, ଖାସି ଝୋଳ ଓ ଅରୁଆ ଭାତ ଭାରି ଭଲ ଲାଗେ। ସର୍ବଗିଳାଟା ରାତିରେ ଆସୁଛି ତେଣୁ ତା ଦୁଇ କ୍ବିଣ୍ଟାଲିଆ ମାଇପ ଓ ପରମ ବିଷ୍ଟିଙ୍କିଆ ପିଲାଙ୍କୁ ଗାଡିରେ ବୋଝେଇ କରି ନିହାତି ଆଣିବ। ତା ସହ ଡ୍ରାଇଭର ଓ ପିଅନ। ସବୁ ମିଶି ଛଅ ଜଣ ଲୋକଙ୍କ ପାଇଁ ଆୟୋଜନ କରିବାକୁ ହେବ। ପୁଅ ହାତରେ ଟଙ୍କା ଧରେଇ ଖୁଲଣା ତରତର ହୋଇ ରୋଷେଇ ଘରେ ପଶିଲେ। ଗୋବରାଙ୍କୁ ଦେଖି ଆସୁଥିବା ଲୋକଙ୍କ ଚର୍ଚ୍ଚା ଝିଅ ଓ ଗୋବରାଙ୍କ ଉପରେ ନ୍ଯସ୍ତ ହେଲା। ଝିଅ ଚାହା ପାଣି ଦେବ ଓ ଗୋବରା କାହାଣୀ ଶୁଣେଇବେ।

ଲୋକଙ୍କର ଆଗମନ ପର୍ବ ବଢିଚାଲିଲା। ଚାହା ପାଣି ମିଳୁଛି ବୋଲି ଖବର ପ୍ରଚାରିତ ହେବା ପରେ କଲୋନୀ ର ଲୋକେ, ଗୋବରାଙ୍କ ଘରେ ସଂନ୍ଧ୍ଯାବେଳିଆ ଚାହା ଜଳଖିଆ ପାଇବା ଆଶାରେ ପିମ୍ପୁଡି ଧାଡି ପରି ଲମ୍ବି ଆସିଲେ। କାହାକୁ ବା ମନା କରିବେ। ସେଇ ଗୋଟିଏ କାହାଣୀ ବଖାଣି ଗୋବରାଙ୍କ ପାଟିରୁ ତଣ୍ଟି ଶୁଖି ଯାଉଥାଏ। ପାଣି ଟୋପେ ମାଗିବାକୁ ବି ବଳ ନାହିଁ। ଲୋକେ ନିଜ ନିଜର ଅନୁଭୂତି କହିବାରେ ହେଳା କରୁ ନ ଥାନ୍ତି। ସେମାନେ କେମିତି କୁକୁର, କୁକୁଡା, ଘୁଷୁରି ସହ ଗାଡି ଧକ୍କା କରି ହୀନିମାନିଆ ହୋଇଛନ୍ତି ସେ କଥା କହି ଭାବବିହ୍ବଳ ହୋଇ ଯାଉଥାଆନ୍ତି। ମାଇପି ମାନେ ବୋଧ ଦେଇ କହୁଥାଆନ୍ତି-- ତୁମ ଭାଗ୍ଯ ଭଲ ଯେ ଯମ ତୁମକୁ ଛାଡି ଦେଲା। ନୋହିଲେ ଏମିତି ଦୁର୍ଘଟଣାରେ ସେ ମହାରଣା ପୁଅ, ମହାନ୍ତି ଗିରସ୍ତ, ସାହୁ ଘର ଜ୍ବାଇଁ ଓ ମକଦ୍ଦମ ଘର ବୁଢା ଆରପାରିକୁ ଟିକେଟ୍ କାଟି ସାରିଛନ୍ତି। କୁକୁରଟା ଦୟା ନ କରିଥିଲେ ଆଜି ତୁମ ଫଟୋ ରେ ଫୁଲମାଳ ଝୁଲିଥାଆନ୍ତା ଓ ଖୁଲଣା ମଥାର ସିନ୍ଦୂର ଓ ହାତର ଚୁଡି ଭୂଇଁରେ ଗଡଗଡା ମାରୁଥାଆନ୍ତେ। ଟିଭିରେ ଯେତେ କହିଲେ ବି ଲୋକେ ବୁଝୁ ନାହାଁନ୍ତି। ମୁଣ୍ଡରେ ସେ ମେଣ୍ଢାମୁଣ୍ଡିଆ ଖୋଳପା( ହେଲମେଟ୍) ଲଗେଇଥିଲେ ଏତେ ହୀନସ୍ତା ହେବାକୁ ପଡି ନ ଥାନ୍ତା। ତୁମ ମୁହଁ କୁ ବି ଲାଜ ନାହିଁ ଯେ ଗାଡି ଏତେ ଜୋର ରେ ଚଲଉଛ। ଧିରେ ଚଲେଇଥିଲେ କଣ ଏମିତି ହୋଇଥାଆନ୍ତା?

ଗୋବରା ଭାବୁଥିଲେ କେମିତି ଏମାନଙ୍କୁ ବୁଝେଇବେ ଯେ ସେ ଲୁନାଟି ପୁରା ଜୋରରେ ଚାଲିଲେ ବି ଗୋଟିଏ ସାଇକେଲ ଆଗକୁ ଯାଇ ପାରିବନାହିଁ। ତାହା କୋଡିଏ ବର୍ଷ ତଳର ଲୁନା, ଯାହାକୁ ଗାଡି ସଂପ୍ରଦାୟରୁ ବାଛନ୍ଦ କରି ଦିଆସରିଛି। ସମଗ୍ର ଭୂମଣ୍ଡଳରେ ଶହେ ଖଣ୍ଡ ଥିବ କି ନାହିଁ ସନ୍ଦେହ। ଆଜିକାଲିର ମୋଟର ସାଇକେଲ ମାନେ ବି ଲୁନାଟିକୁ ଗୋଟିଏ କୁଷ୍ଠରୋଗିଆ ଅଙ୍ଗପ୍ରତ୍ଯଙ୍ଗ ବିହୀନ ଯାନ ହିସାବରେ ଦେଖୁଛନ୍ତି। ଏ ମାଇପିମାନେ କାହୁଁ ଜାଣିବେ ସେ ଯନ୍ତ୍ରପାତିଆ କଥା। ଏମାନଙ୍କର ଖାଲି ବାହାନା ଦରକାର, କାହା ଉପରେ ରାଗ ଶୁଝେଇବା ପାଇଁ। ତଥାପି ମୁହଁରେ ଶୁଖିଲା ହସ ଉକୁଟାଇ ସମସ୍ତଙ୍କର କଥା ହଜମ କଲେ। ବେଳକୁ ବେଳ ତାଙ୍କୁ ଭାରି କଷ୍ଟ ଲାଗୁଥିଲା। ଏତେ ସମୟ ଧରି ଚଭର ଚଭର କରି ପାଟିର ଗାଲିସି ଗୁଡା ବଥା କରିବା ଆରମ୍ଭ କରି ସାରିଥିଲା। ତେଣେ ଝିଅ ଲୋକଙ୍କୁ ଲେମ୍ବୁ ସରବତ ଓ ଚାହା ପିଆଇ ପିଆଇ ହାଲିଆ। ଖୁଲଣା ରୋଷେଇ ଘରେ ହାକିମର ରାତ୍ରୀ ଭୋଜନ ପାଇଁ ଲାଗିଛନ୍ତି। ସେତିକି ବେଳକୁ କଲୋନୀର ସବୁଠାରୁ ବୟୋଜ୍ୟେଷ୍ଠ ବ୍ଯକ୍ତି ପଦାର୍ପଣ କଲେ।

ସଂକ୍ଷେପରେ ପଚାରିଲେ-- ଗୋବରା ବାବୁ ଏ ଚୁଟି ଟାଙ୍କୁରିଆ ଦୁର୍ଘଟଣାରେ କୁକୁରଟି ମୃତ କି ଜୀବିତ?

– ଆଜ୍ଞା ଜୀବିତ।

ରାଗରେ ପାଚି ଲାଲ୍ ହୋଇଗଲେ ସେ ବ୍ଯକ୍ତି। ଚିତ୍କାର କରି କହିଲେ-- ଧିକ୍ ତୁମ ପୁରୁଷ ପଣିଆକୁ। ଗୋଟେ ଛାର କୁକୁର ତୁମର ଏ ଅବସ୍ଥା କଲା ଓ ତୁମେ ତାକୁ ଛାଡି ଦେଲ? ତା ଛାତି ରେ ଭୁଜାଲି ଚଲେଇ ଦେଲନି କଣ ପାଇଁ? ତା ଲାଞ୍ଜ ଧରି ବୁଲେଇ ବୁଲେଇ ରାସ୍ତାରେ କଚାଡି ମାରି ଦେଲନି କାହିଁକି? କିଛି ନହେଲେ ତା ତଣ୍ଟି କଣା କରି ରକ୍ତ ସବୁ ଚଁ ଚଁ କରି ପିଇଦେଇଥାନ୍ତ। କେଉଁ ଆଡେ ଶୋଇଥିଲା ତୁମର ପୁରୁଷତ୍ବ? ଅଣପୁରୁଷା ଧୋକଡରାମ କଉଠିକାର। ଏତିକି କହି ଛେପ ଲେଣ୍ଡାଏ ଗୋବରାଙ୍କ ମୁହଁରେ ପକେଇ ଦେଇ ଚାଲିଗଲେ। ସେ ଯିବା ପରେ ଜଣେ ଯୁବକ ଗୋବରାଙ୍କ ପାଖକୁ ଧାଇଁ ଆସି କହିଲେ-- କ୍ଷମା କରିବେ ଆଜ୍ଞା, ବାପାଙ୍କର ଟିକେ ମୁଣ୍ଡ ଦୋଷ ବାହାରିଛି। କାହାକୁ କଣ କହୁଛନ୍ତି ଜାଣି ପାରୁ ନାହାଁନ୍ତି। ଯଦି କିଛି ଭୁଲ୍ କରି ଦେଇ ଥିବେ, ସେଥିପାଇଁ ମୁଁ କ୍ଷମା ମାଗି ନେଉଛି। ଗୋବରାଙ୍କ ମୁହଁରେ ଛେପ ଦେଖି ପକେଟ୍ ରୁ ରୁମାଲ କାଢି ପାଛିଦେଲେ। କିନ୍ତୁ ନାକଫଟା ଗନ୍ଧରେ ଜାଗା ଟି ବିସ୍ଫୋରିତ ହୋଇଗଲା। ଯୁବକ ଟିକେ ଅପ୍ରସ୍ତୁତ ହୋଇ କହିଲେ--- କ୍ଷମା କରିବେ ଆଜ୍ଞା,ବାପାଙ୍କର ମୁଣ୍ଡ ସହ ପେଟ ଦୋଷ ବାହାରିଛି। ବେଳ ଅବେଳ ରେ ଟିକେ ଟିକେ ପାଣି ଝାଡା ହୋଇଯାଉଛି। କିଛି ସମୟ ପୂର୍ବରୁ ବାପା ଆମ ସୋଫା ଉପରେ ଟିକେ ତରଳ ମଳତ୍ଯାଗ କରିଦେଇଥିଲେ। ଧରାପଡି କାଳେ ମୋ ପତ୍ନୀଙ୍କ ଠାରୁ ଠିଆ ଗୋଇଠା ଖାଇବେ ସେଇ ଆଶଙ୍କାରେ ମୁଁ ତରବର ହୋଇ ଏଇ ରୁମାଲରେ ପୋଛି ଦେଇଥିଲି। ଧୋଇବାକୁ ଭୁଲି ଯାଇଛି। କ୍ଷମା କରିବେ ଆଜ୍ଞା, ଟିକେ ଚଳେଇ ନେବେ। ଏତିକି କହି ଯୁବକଟି ଘରୁ ଦଉଡି ପଳେଇଲା।

ଗୋବରା ଅତ୍ଯଧିକ ରାଗିଯାଇ ଶଳା ….. ମାଆ.... କହି ଚୁପ୍ ହୋଇଗଲେ। ଝିଅ ଡେଟଲ୍ ପାଣି ଆଣି ମୁହଁ ସଫା କରି ସାରିଲା ବେଳକୁ ଘର ଆଗରେ ଗାଡି ରହିବାର ଶବ୍ଦ ଶୁଭିଲା। ହାକିମ ଓ ହାକିମାଣି ଘରେ ପ୍ରବେଶ କଲେ। ତାଙ୍କ ସହିତ ଦୁଇଟି ସାନ ପିଲା ଓ ପିଅନ। ଭଗବାନଙ୍କ ଦୟାରୁ ସେତେ ବେଳକୁ ସବୁ ରୋଷେଇ ସରିଥିଲା। ଖୁଲଣା ସେମାନଙ୍କୁ ଦେଖୁଦେଖୁ ସୁଁ ସୁଁ କାନ୍ଦି କହିଲେ, ମୋ ପରି ଫଟାକପାଳିର ଭାଗ୍ଯ ଯେ ଆଜି ଆପଣ ମାନଙ୍କ ପାାଦ ଆମ ଘରେ ପଡିଲା। ଆଜି ରାତିରେ ଆମ ଘରେ ଖାଇବାକୁ ଅନୁରୋଧ କରୁଛି, ମନା କରିବେନି ଆଜ୍ଞା। ସେତେ ବେଳକୁ ରୋଷେଇ ଘରୁ ଭାସି ଆସୁଥିବା ବ୍ଯଞନର ବାସ୍ନା ନାକପୁଡା ଫଟେଇ ଦେଉଥିଲା। ହାକିମଙ୍କ କୁକୁରିଆ ନାକ ଜାଣି ସାରିଥିଲା ଆଜି ଦାନ୍ତ ମାନଙ୍କର ଭାଗ୍ଯ ଟାଣ। ହାକିମ ଆଖିରେ ଟିଟିକାରି ମାରି ହାକିମାଣି କୁ ଦେଖିବାରୁ ସେ ମଧ୍ଯ ସମ୍ମତିସୂଚକ ହସର ବର୍ଷା କଲେ। ଖୁଲଣାଙ୍କୁ ଲାଗୁଥିଲା ସତେ କି ଶବରୀ ଘରେ ରାମଚନ୍ଦ୍ର ଖାଇବା ଭୁଞ୍ଜିବେ। ଗୋବରାଙ୍କ ଅବସ୍ଥା ସେତେ ବେଳକୁ ଓଲଟା ଟଙ୍ଗା ବ୍ରୟଲର୍ କୁକୁଡା ପରି ହୋଇ ସାରିଥିଲା। କଥା କହିକହି ତଣ୍ଟି ପଡିଯାଇଥିଲା। ତଥାପି ଭକ୍ତିରେ ଗଦଗଦ ହୋଇ ହାକିମଙ୍କ ଉଦ୍ଦେଶ୍ଯରେ ସଲାମୀ ଠୁଙ୍କି ଶେଯରେ ପଡି ରହିଲେ। ହାକିମ ବେଶି ଜେରା ନ କରି ଅଳ୍ପରେ ସବୁ ତଥ୍ଯ ହାସଲ କରି ନେଇ, ଟିକେ ଉପର ଠାଉରିଆ ଦୁଃଖ ପ୍ରକାଶ କଲେ। ଦୀର୍ଘ ନିଶ୍ବାସ ଛାଡି କହିଲେ – ଗୋବରା ବାବୁ, ଆପଣଙ୍କ କୋଷ୍ଠୀ ଗଣନା ଟିକେ କରେଇ ନିଅନ୍ତୁ। ମୋତେ ଲାଗୁଛି ଏ ସବୁ କେତୁ ଗ୍ରହର କରାମତି। କେତୁ ଖରାପ ଥିଲେ କୁକୁର ମାନେ ଏମିତି କୁତୁକୁତୁ କରି ପକାନ୍ତି। ମୋର କେତୁ ଖରାପ ଥିଲା ବେଳେ ଗୋଟେ ନିଉଛୁଣିଆ କୁକୁର ମୋ ମୁହଁ କୁ କାମୁଡି ଦେଇଥିଲା ଓ ମୁଁ ତାକୁ ବଡ ଠେଙ୍ଗାରେ ପିଟି ମାରିଦେଲି।

କଥା ସରିଛି କି ନାହିଁ ହାକିମାଣି ମାଡି ଆସିଲେ। ପାଟି କରି କହିଲେ-- ବନ୍ଦ କର ତୁମ ଛୋପରାମୀ କଥା। ସେ କଣ ପାଇଁ ତୁମ ମୁହଁ କୁ କାମୁଡିଲା କହୁନ କଣ ପାଇଁ। ତୁମେ ପରା ତା ଖାଇବା ଥାଳି ରେ ବେଶି କୁକୁଡା ମାଂସ ଦିଆ ଯାଇଛି ବୋଲି କାଢି ନେଉଥିଲ। ତୁମକୁ ନ କାମୁଡି ଗେଲ କରି ଥାଆନ୍ତା ନା କଣ? କିହୋ ତୁମେ ତାକୁ କେତେ ବେଳେ ଠେଙ୍ଗାରେ ମାରିଲ? ବରଂ ମୋ କୁକୁରକୁ କଣ ପାଇଁ ବାଡେଇବାକୁ ବାହାରିଲ ବୋଲି ମୋ ବାପା, ମାନେ ତୁମ ଶ୍ବଶୁର, ତୁମକୁ ଗୋରୁ ପିଟିଲା ପରି ପିଟି ପକେଇଲେ। ସେ କୁକୁର ନିଉଛୁଣିଆ କଣ ପାଇଁ ହେବ ମ ? ତୁମ ବଂଶ ବୁନିୟାଦିରେ ସେମିତି କୁକୁର ଦେଖିଥିବ କି ? ଖାଣ୍ଟି ଆଲସିସିୟାନ କୁକୁର ସିଏ। ହାକିମାଣିଙ୍କ ଅତର୍କିତ ଆକ୍ରମଣରେ ଘାଇଲା ହୋଇ ହାକିମ ଛେପ ଢୋକି, ମୁଣ୍ଡ ଆଉଁସି, ଦାନ୍ତ ନିକୁଟି ଚାରି ଆଡକୁ ଦେଖିବାକୁ ଲାଗିଲେ।

କଥାଟା ବିଗିଡି ଯାଉଛି ଦେଖି ଖୁଲଣା ଖାଇବା ବାଢି ହାକିମ ହାକିମାଣିଙ୍କୁ ନିମନ୍ତ୍ରଣ ଦେଲେ। କିନ୍ତୁ ହାକିମ ପିଲା ଗୁଡା ମହା ବିଷ୍ଟିଙ୍କ ପ୍ରକୃତିର। ସେମାନେ କଲମ ଧରି ଗୋବରାଙ୍କ ବ୍ଯାଣ୍ଡେଜ୍ ଉପରେ ଚିତ୍ର କରିବାରେ ବ୍ଯସ୍ତ ଥିଲେ। ବିଚରା ଗୋବରା, ହାକିମଙ୍କ ଛୁଆ ବୋଲି ନୀରବରେ ପଡିଥିଲେ। ସେତିକି ବେଳେ ପିଲା ଟେ ତାଙ୍କ ଗୋଡ ଉପରେ ଚଢି ଗଲା ନା କଣ, ଗୋବରା “ମରିଗଲି ଲୋ ମାଆ” ଡାକ ଛାଡିଲେ। ଦେଖିଲା ବେଳକୁ ପିଲା ଦୁଇଟା ଗୋବରା ଙ୍କ ଦୁଇ ଗୋଡରେ ବସି ଡାଳମାଙ୍କୁଡି ଖେଳୁଛନ୍ତି ଓ ମଝିରେ ମଝିରେ ପାହାରେ ଲେଖାଏଁ କଷୁଛନ୍ତି। କଷ୍ଟରେ ସେ ଚେତା ବୁଡିଗଲେ। ସେ ଆଡକୁ ନଜର ନକରି ହାକିମ ହାକିମାଣି ନଅଙ୍କିଆ ଦୁର୍ଭିକ୍ଷିଆଙ୍କ ପରି ଖାଦ୍ଯ ତେଣ୍ଡିବାରେ ବ୍ଯସ୍ତ ଥିଲେ। ଖୁଲଣା ସବୁ ଦେଖିଲା ପରେ ବି କିଛି କରିବା ଅବସ୍ଥାରେ ନ ଥିଲେ।

ଗୋବରାଙ୍କ ଝିଅ କାନ୍ଥକୁ ଆଉଜି ଛିଡା ହୋଇ କହୁଥିଲା-- ଆଜି ବାପାଙ୍କୁ ସମବେଦନା ଦେବାକୁ ଆସିଥିବା ଲୋକେ ଯମବେଦନା ଦେଇଗଲେ।

*********************************

ଯମବେଦନା ସାଙ୍କୁଡି ମାଙ୍କୁଡି କୁକୁର

Rate the content


Originality
Flow
Language
Cover design

Comments

Post

Some text some message..